Unknown

 

 

 

 

 

 

 

 

 

 

 

ଘର

ଗୌରହରି ଦାସ

 

ସୂଚୀପତ୍ର

 

୧.

ଘର

୨.

କାଚ କଣ୍ଢେଇ

୩.

ପଞ୍ଜୁରୀ

୪.

ଊର୍ମିଳା

୫.

ଚଉକି

୬.

ଅଳନ୍ଧୁ

୭.

ପ୍ୟାରେଲାଲ୍‌ର ପୃଥିବୀ

୮.

ପୁଅ

୯.

ଘରଟିଏ

୧୦.

ମିଛ

୧୧.

ପ୍ରଥମ ପୃଷ୍ଠା

୧୨.

ପୂର୍ଣ୍ଣିମାର ପ୍ରତିଶ୍ରୁତି

☆☆☆

 

ନିଜକଥା

 

ନିତି ନିତି ଘର ତିଆରି ହେଉଥାଏ, ନିତି ନିତି ଘର ଭାଙ୍ଗିଯାଉଥାଏ । ଘର ତିଆରି ହେଉଥାଏ ମାଟି କାଦୁଅ, କାଠ, ବାଉଁଶ, ନଡ଼ା, ଆଜବେଷ୍ଟସ, ଇଟା, ସିମେଣ୍ଟ କଙ୍କ୍ରିଟ, ସ୍ନେହ, ଶ୍ରଦ୍ଧା, ଆଶା ଓ ବିଶ୍ୱାସର ସହଯୋଗରେ । ଘର ଭାଙ୍ଗି ଯାଉଥାଏ ଭୂମିକମ୍ପ, ଝଡ଼ତୋଫାନ, ନିଆଁ, ପବନ, ବଢ଼ି, ମରୁଡ଼ି, ଅନାହାର, ଅନାଦର, ଈର୍ଷା ଓ ସନ୍ଦେହର ଆଘାତରେ ।

 

କେବେ ଗୋଟିଏ ଘର ଭାଙ୍ଗି ଆଉ ଗୋଟିଏ ଘର ଗଢ଼ାଯାଏ । କେବେ ଗୋଟିଏ ଘର ଭାଙ୍ଗି ଆଉ ପାଞ୍ଚଟା ଘର ଗଢ଼ିଉଠେ । କେବେ ପୁଣି ଗୋଟିଏ ଗୋଟିଏ ଘର ପାଇଁ ଶହ ଶହ ଘର ଭାଙ୍ଗିଦିଆଯାଏ ।

 

ଏମିତି ଘର ତିଆରି ଚାଲିଥାଏ । ଘର ଭଙ୍ଗା ବି । ଘର ତୋଳୁଥାଏ ଘର । ଘର ଭାଙ୍ଗୁଥାଏ ଘର । ଘର ସଜାଡ଼ି ଦେଉଥାଏ ଘର । ଘର ଉଜାଡ଼ି ଦେଉଥାଏ ଘର ।

 

ଜନ୍ମଠୁଁ ନେଇ ମରଣଯାଏ, ସବୁବେଳେ, ସବୁ ମୁହୂର୍ତ୍ତରେ ମଣିଷ ଘରଟିଏର ସ୍ୱପ୍ନ ଦେଖୁଥାଏ । ସେ ଘରର ସ୍ୱପ୍ନ ସାଙ୍ଗରେ ମିଶି ରହିଥାଏ ଶହେ କି ହଜାରେ ସୁନ୍ଦର ଓ ସୁକୁମାର କଳ୍ପନା । ସେଥିରୁ କିଛି କିଛି ସତ ହୁଏ, କେବେ ଗୋଟିଏ ବି ସୁଦ୍ଧା ସତ ହୁଏନାହିଁ, ଅଧିକାଂଶ ରହିଯାଏ କିନ୍ତୁ ସ୍ୱପ୍ନ ହେଇ । ସେଇ ସ୍ୱପ୍ନ-ଘରକୁ ମଣିଷ ତା ମନର ସିନ୍ଦୁକରେ ସାଇତି ରଖେ ।

 

ଝଡ଼ତୋଫାନର ଆଘାତରେ ଚଢ଼େଇ ବସା ଭାଙ୍ଗିଯିବାର ଦୃଶ୍ୟ ଦେଖିଛି । ନଈବଢ଼ି ସୁଅରେ ଘର ଭାସି ଯିବାର ଦୃଶ୍ୟ ବି ଅପରିଚିତ ନୁହେଁ । ବିପର୍ଯ୍ୟୟର ସେହି ଦୃଶ୍ୟ ଦେଖିବାବେଳେ ଲାଗିଛି, ଆଉ ସେ ଶାଖାରେ ଚଢ଼େଇ ତାର ବସା ବାନ୍ଧିବ ନାହିଁ, ଘରଉଜୁଡ଼ା ଗୃହସ୍ଥ ଗଢ଼ି ବସିବ ନାହିଁ ପୁରୁଣା ଡିହରେ ନିଜର ଘରକରଣା । କିନ୍ତୁ ଘଟଣାସବୁ ଆଶା ବା ଆଶଙ୍କା ଅନୁରୂପ ହୋଇନାହିଁ । ପୁଣି ଥରେ କୁନି ଥଣ୍ଟରେ ଶୁଖିଲା କୁଟା କାଠି ଏକାଠି କରି ଚଢ଼େଇ ତାର ବସା ବାନ୍ଧିଛି, ପୁଣିଥରେ କାଠ ବାଉଁଶ ଯୋଗାଡ଼ କରି ଗୃହସ୍ଥ ଗଢ଼ି ବସିଛି ତାର ଘରକରଣା ।

 

ଘରର ମାୟା ଏମିତି ।

 

ଅଥଚ ଏସବୁ ସତ୍ତ୍ୱେ ଘର ଭାଙ୍ଗୁଥାଏ, ପୁଣି ଘର ଗଢ଼ିହେଉଥାଏ ।

 

କେଉଁଠି ମାଟି ଉପରର ଘର ସାଜିସୁଜି ହୋଇଥିଲା ବେଳେ ମନ ଭିତରର ଘର ଭାଙ୍ଗିରୁଜି ଯାଉଥାଏ । ସେ ଘର ଆଉ କେବେ ଗଢ଼ିହେବ ନାହିଁ ବୋଲି ଜାଣିବା ସତ୍ତ୍ୱେ ତାଆରି ପାଇଁ ମନ ହାଇଁପାଇଁ ହେଉଥାଏ ।

 

କିନ୍ତୁ ଏମିତି କାହିଁକି ହୁଏ ? କାହିଁକି ଘରର ଇଟା ପଥର ଓ ପଲସ୍ତରା ସବୁ ଅତୁଟ ଥାଉ ଥାଉ ତା ଭିତରୁ ଶ୍ରଦ୍ଧା, ବିଶ୍ୱାସ ଓ ଆପଣାପଣ ଧୀରେ ଧୀରେ ହଜିଯାଉଥାଏ ! ରୁନ୍ଧି ହୋଇଯାଉଥାଏ ଜୀବନ ! କାହିଁକି ସେତେବେଳେ ନିଜର ଅତି ଆପଣାର ସେ ଘରଟି ଲାଗେ ଗୋଟେ ପଞ୍ଜୁରି ପରି । କାହିଁକି ଘର ଆଉ ଘର ହୋଇ ରହେ ନାହିଁ ?

 

କାହିଁକି ପୁଣି ଦିନେ ସବୁ ସ୍ନେହ, ଶ୍ରଦ୍ଧା ଓ ଆଗ୍ରହ ସତ୍ତ୍ୱେ ଛାଡ଼ି ଆସିବାକୁ ହୁଏ ତାଳତମାଳଘେରା, ନଈକୂଳର ସେ ଗାଁ ଘର–ଯାହାଠୁଁ ଘଡ଼ିଏ ଦୂରକୁ ଚାଲିଗଲେ ଦିନେ ଅସ୍ୱସ୍ତିକର ଲାଗୁଥିଲା ଜୀବନ, ଅର୍ଥହୀନ ମନେ ହେଉଥିଲା ସମୟ–ଯାହାର ଗଛଲତା, ମଠ, ମନ୍ଦିର, ଖଳା, ନଈକୂଳ, ମାଟି ଓ ଆକାଶ ସାଙ୍ଗରେ ଗଢ଼ି ହୋଇଯାଇଥିଲା ଗୋଟେ ଅତୁଟ ସମ୍ବନ୍ଧ । ଅଥଚ ଏମିତି ହିଁ ହୁଏ ! ମଣିଷ କେବଳ ଘର ବାହାରର ଟଗର, ଚମ୍ପା କି ଦେବଦାରୁ ଗଛଟିଏ ହୋଇ ସେମିତି ଚାହିଁ ରହିଥାଏ । ଅଥଚ ପୁରୁଣା ଘରଠୁଁ ଦୂରେଇ ଆସିବାର ଦୁର୍ଘଟଣାକୁ ଏଡ଼ାଇ ପାରେ ନାହିଁ ।

 

ସେଇଥିପାଇଁ ମନେହୁଏ ମଣିଷ କିଛି କରିପାରେ ନାହିଁ । ଘର ହିଁ ଘରକୁ ଭାଙ୍ଗୁଥାଏ, ଘର ପୁଣି ଘରକୁ ଗଢ଼ି ଦେଉଥାଏ ।

 

‘ଘର’ ଗପଟି ଲେଖିଲା ବେଳେ ମୁଁ ସମୟେ ସମୟେ ଭାବପ୍ରବଣ ହୋଇପଡ଼ିଛି । ମନେପଡ଼ିଛି ନିଜର ଗାଁ ଦିନ । ସେ ଗାଁକୁ ଛାଡ଼ି ଏତେ ଦୂରକୁ ଆସିବାକୁ ପଡ଼ିବ ବୋଲି ମୁଁ କେବେ ଦିନେ କଳ୍ପନା କରି ନ ଥିଲି । ସେଦିନ ଏକଥା କିଏ କହିଥିଲେ ହୁଏତ ମୁଁ ହସରେ ତାହା ଉଡ଼େଇ ଦେଇଥାଆନ୍ତି । ଅଥଚ ମୋ ପରି ଏମିତି ଇଚ୍ଛାପ୍ରତିକୂଳ ଭାଗ୍ୟ ଭୋଗୁଥିବା ଲୋକ କେବଳ ମୁଁ ନୁହେଁ, ମୋ ସମୟର ବହୁ ମଣିଷଙ୍କ ଭାଗ୍ୟ ସମ୍ଭବତଃ ଏଇଆ ।

 

ବାପା, ମା, ଭାଇ ଓ ଭଉଣୀ ସମସ୍ତେ ଦିନେ ଗୋଟିଏ ଘରେ ଥାଆନ୍ତି । ସେମାନେ ରହୁଥିବା ଘରଟି ଦିନେ ସମସ୍ତଙ୍କର ଘର ହୋଇ ରହିଥାଏ । ଅଥଚ ଦିନେ ପରିସ୍ଥିତି ବଦଳିଯାଏ । ବାପାର ଘର ପୁଅର ଘର ହୋଇ ରହେନାହିଁ, ଭାଇର ଘର ଭଉଣୀର ଘର ହୋଇ ରହେନାହିଁ, ଘର ସବୁ ଅଲଗା ଅଲଗା ହୋଇଯାଏ । ତାପରେ ଦିନେ ନିଜର ଘର ଲାଗେ କୁଣିଆ ଘର ପରି, ପୁଅର ଘର ବାପାକୁ ଲାଗେ ପରର ଘର ପରି । ଅଥଚ ପରିଣତିକୁ ଶେଷ ସତ୍ୟ ବୋଲି ଗ୍ରହଣ କରିନେବାକୁ ମନ କହୁ ନ ଥାଏ । ସାନ ସ୍ୱପ୍ନଟିଏ ମନ ଭିତରେ ଥାଏ–କେବେ ହୁଏତ ଦିନେ ମନ ଲୋଡ଼ୁଥିବା ଘର ପରି ଘରଟିଏ ତାର ତିଆରି ହେବ ଓ ସେ ସେଇଠି ଯାଇ ରହିବ ।

 

ଏମିତି ସେ ଘରର ଆଶା, ସେ ଘରର ନିଶା ଜୀବନ ତମାମ ମଣିଷ ସାଙ୍ଗରେ ଥାଏ । ତେଣୁ ଘରକୁ ନେଇ କୌଣସି ଶେଷ କଥା କୁହାଯାଇ ପାରେ ନାହିଁ, ଲେଖାଯାଇ ପାରେ ନାହିଁ ।

 

‘ଘର’ ସଂକଳନରେ ପ୍ରକାଶିତ ସମସ୍ତ ଗଳ୍ପ ଓଡ଼ିଶାର ଭିନ୍ନ ଭିନ୍ନ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅବସରରେ ମୁଁ ‘ରବିବାର’, ‘ସଚିତ୍ର ବିଜୟା’, ‘ନବଲିପି’, ‘ପ୍ରତିବେଶୀ’, ‘ଅମୃତାୟନ’, ‘ଚନ୍ଦ୍ରଭାଗା’ ଓ ‘କ୍ରାନ୍ତିଧାରା’ର ସମ୍ପାଦକମାନଙ୍କୁ ମୋର କୃତଜ୍ଞତା ଜଣାଉଛି । ସଂକଳନଟି ପ୍ରକାଶ ଦାୟିତ୍ୱ ଆଗ୍ରହର ସହ ଗ୍ରହଣ କରିଥିବାରୁ କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌ର ଶ୍ରୀ ନୃସିଂହ ପ୍ରସାଦ ମିଶ୍ରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ପ୍ରଚ୍ଛଦ ଅଳଙ୍କରଣ ପାଇଁ ଅନୁଜ ପ୍ରତିମ ଚିତ୍ରଶିଳ୍ପୀ ଓ ସହଯୋଗୀ ଶ୍ରୀ ତନୁଜ ମଲ୍ଲିକ ଏବଂ ମୁଦ୍ରଣ କାର୍ଯ୍ୟରେ ସହଯୋଗ ପାଇଁ ସହଯୋଗୀ ଶ୍ରୀ ଅମର କୁମାର ବେହୁରାଙ୍କୁ ଧନ୍ୟବାଦ ଜଣାଉଛି । ନିଜର ସକଳ ବ୍ୟସ୍ତତା ଭିତରେ ବହିଟିର ପ୍ରୁଫ୍‌ ରିଡିଂ କାର୍ଯ୍ୟରେ ଆଗ୍ରହର ସହ ସହଯୋଗ ପାଇଁ ପତ୍ନୀ ଶ୍ରୀମତୀ ସଂଯୁକ୍ତା ନାୟକ ଓ ମୋର ନୂଆ ବହିଟିଏ ପ୍ରକାଶ ପାଇବା ଖବରରେ ଆମ ଘରେ ସବୁଠୁ ଅଧିକ ଖୁସି ହେଉଥିବା ମୋ ଝିଅ ଗୌତମୀ (ଲୁନା) ଉଭୟଙ୍କୁ ମଧ୍ୟ ଏହି ଅବସରରେ ମୁଁ ଆଦରର ସହ ସ୍ମରଣ କରୁଛି ।

 

ଆଶା କରୁଛି, ଏ ବହିଟି ମୋର ପ୍ରିୟ ପାଠକପାଠିକାମାନଙ୍କୁ ଭଲ ଲାଗିବ ।

 

ଗୌରହରି ଦାସ

☆☆☆

 

ଘର

 

ସାନ ଭାଇ ବ୍ୟସ୍ତ ହୋଇପଡ଼ି ଫୋନ୍‌ରେ କହୁଥିଲା, “ବାପାଙ୍କର ପୁଣି ସେଇ ବେମାର ବାହାରିଛି । ସେ ଘର ଭିତରୁ ବାହାରକୁ ବାହାରୁ ନାହାନ୍ତି । ଆପଣ ଟିକିଏ ଡାକ୍ତର ରାୟଙ୍କ ସାଙ୍ଗେ କଥାବାର୍ତ୍ତା କରନ୍ତୁ । ମୋତେ ଖୁବ୍‌ ଭୟ ଲାଗୁଛି ।”

 

ମୁଁ ଚମକି ପଡ଼ିଲି । ମନ ଭିତରେ ନାନା ପ୍ରକାର ଆଶଙ୍କା ଖେଳିଗଲା । କିନ୍ତୁ ସେ କଥା ଲିଟୁକୁ କହିଲି ନାହିଁ । ସେ ଯେମିତିକା ଡରକୁଳା ପିଲା, ମୋ ଆଶଙ୍କା କଥା ଜାଣିଲେ ଆହୁରି ଡରିଯିବ । ମୁଁ କହିଲି, “ତୁ ବ୍ୟସ୍ତ ହଅନା । ମୁଁ ଡାକ୍ତରଙ୍କ ସାଙ୍ଗେ ଏବେ ଯାଇ କଥାବାର୍ତ୍ତା କରୁଛି ।”

 

ମୁଁ ଟେଲିଫୋନ୍‌ ରଖିସାରି ଚାହିଁବାବେଳକୁ ରଞ୍ଜୁ ଛିଡ଼ା ହୋଇଛି । ମୋ କପାଳରେ ଝାଳ ବୁନ୍ଦାମାନ ଦେଖି ସେ ପଚାରିଲା, “କାହାର ଫୋନ୍‌ ! କଣ ହେଲା?”

 

ଯଥାସମ୍ଭବ ଶାନ୍ତ ଗଳାରେ ମୁଁ କହିଲି, “ଲିଟୁର । ରାଉରକେଲାରୁ ଫୋନ୍‌ କରିଥିଲା ।”

 

ମଝିଆଁର ଆକ୍‌ସିଡେଣ୍ଟ ହୋଇଯିବା ଦିନୁ ଆମ ଘରେ ସମସ୍ତେ ଭୋର୍‌ ସମୟର ଟ୍ରଙ୍କ୍‌କଲ୍‌କୁ ଡରନ୍ତି । ଅତି ଅସୁବିଧାରେ ନ ପଡ଼ିଥିଲେ କେହି ଭୋର୍‌ ଚାରିଟା, ପାଞ୍ଚଟା ବେଳେ ପ୍ରାୟ ଫୋନ୍‌ କରନ୍ତି ନାହିଁ । ମୋ ଶାଶୂଙ୍କ ଆକ୍‌ସିଡେଣ୍ଟ୍‌ ଖବରର ଫୋନ୍‌ ବି ଆସିଥିଲା ଏଇ ସମୟରେ । ବାଲୁଗାଁରୁ ଫେରିବା ବାଟରେ ଖୋର୍ଦ୍ଧା ବାଇପାସ୍‌ରେ ତାଙ୍କ ଗାଡ଼ିଟି ଗୋଟେ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ।

 

ଭୋର୍‌ ବେଳାର ନିରବ ନିଥର ପରିବେଶରେ ଟେଲିଫୋନ୍‌ର ଘଣ୍ଟି ବିପଦକାଳୀନ ସଙ୍କେତ ପରି ଶୁଭିଥାଏ । ସେଥିପାଇଁ ମୋତେ ସେଇ ସମୟରେ ଫୋନ୍‌ ଉଠେଇବାକୁ ଭୟ ଲାଗେ । ମୋ ନିଜର ନିରାପତ୍ତାଶୂନ୍ୟ ଜୀବନ ମୋତେ ପିଲାଦିନୁ ଡରକୁଳା କରିଦେଇଛି । ମଝିଆଁ ଭାଇର ମୃତ୍ୟୁ ପରେ ସେ ଡର ବଢ଼ିଛି ସିନା, କମିନାହିଁ ।

 

ରାଜୁବାବୁ ସେଇକଥା କହନ୍ତି । ମଣିଷ ସବୁବେଳେ ମରଣ, ବାର୍ଦ୍ଧକ୍ୟ ଓ ବ୍ୟାଧିର ଆଶଙ୍କାରେ ଜିଉଁଥାଏ । ତା ସାଙ୍ଗକୁ ଏମିତି ଗୋଟେ ଦୁର୍ଘଟଣା ଆସି ପହଞ୍ଚେ, ଯାହା ତାର ସମଗ୍ର ଯୋଜନାକୁ ଧୂଳିସାତ୍‌ କରିଦିଏ ।

 

ଲିଟୁ କହିଛି, ଡାକ୍ତର ରାୟଙ୍କ ସାଙ୍ଗେ ପରାମର୍ଶ କଲାପରେ ତାକୁ ଜଣେଇବି । ବେଶି ଡେରି ହେଲେ ସେ ହଡ଼ବଡ଼େଇ ଯିବ । କିନ୍ତୁ ଏତେ ସକାଳୁ ସକାଳୁ ଡାକ୍ତର ରାୟଙ୍କୁ ଫୋନ୍‌ କରି ଉଠେଇବା ଠିକ୍‌ ହେବ ନାହିଁ; ବରଂ ତାଙ୍କ ଘରକୁ ଚାଲିଗଲେ ଭଲ ହେବ ।

 

ଗଲାଥର, ପ୍ରାୟ ପାଞ୍ଚବର୍ଷ ତଳେ, ବାପାଙ୍କର ଏଇ ରୋଗ ବାହାରିଥିଲା । ଦିନେ ସକାଳୁ ଆମେ ଉଠି ଦେଖିଲାବେଳକୁ ବାପା କାହାକୁ କିଛି ନ ଜଣାଇ କୁଆଡ଼େ ପଳେଇ ଯାଇଥିଲେ । ଗଲାବେଳେ ସେ ତାଙ୍କର ଛତା କି ଚପଲ ନେଇ ନ ଥିଲେ, ଏପରିକି ତାଙ୍କ ବାଡ଼ି ଖଣ୍ଡିକ ବି ସାଙ୍ଗରେ ନେଇ ନ ଥିଲେ ।

 

“ଆପଣ ବୁଢ଼ାଙ୍କ ଉପରେ କିଛି ପାଟିତୁଣ୍ଡ କରିଥିଲେ କି ?” ଏଇ କଥା ପଦକ ମୋତେ ଅଫିସ୍‌ ବାହାରେ ଓ ବସ୍‌ଷ୍ଟାଣ୍ଡ୍‌ରେ ସମସ୍ତେ ସେତେବେଳେ ପଚାରିଥିଲେ । ପ୍ରଶ୍ନଟା ବାରମ୍ବାର ଶୁଣି ଶୁଣି ମୁଁ ଯେତିକି ଚିଡ଼ିଯାଇଥିଲି, ସେତିକି ସଙ୍କୁଚିତ ହୋଇଯାଇଥିଲି ।

 

ଠିକ୍‌ ଏହିପରି ଉପସର୍ଗ ସେତେବେଳେ ବି ବାହାରିଥିଲା । ଧୀରେ ଧୀରେ ବାପାଙ୍କର ବାହାରକୁ ବୁଲିଯିବା ବନ୍ଦ ହୋଇଯାଇଥିଲା । କାହାରି ସାଙ୍ଗରେ ଗପସପ କରୁ ନ ଥିଲେ କି ମହାଦେବ ମନ୍ଦିରକୁ ଫୁଲ ନେଇ ଯାଉ ନ ଥିଲେ । ନାତୁଣୀ ସାଙ୍ଗରେ ଲଗେଇ ଜୁଟେଇ ଲାଗୁ ନ ଥିଲେ କି ଗାଁର ଛୋଟ ବଡ଼ ସମସ୍ୟା ନେଇ ମୋତେ କିଛି କହୁ ନ ଥିଲେ । ଚୁପ୍‌ଚାପ୍‌, କାହାକୁ ଡରି ଲୁଚିଲା ପରି ସେ ଘର କୋଣରେ ବସି ରହୁଥିଲେ ଓ ଖରାବେଳେ ସୁଦ୍ଧା ଚାଦର କି କମ୍ବଳଟାଏ ଘୋଡ଼ି ହେଉଥିଲେ । ଘରେ କେହି ଟି.ଭି. ସ୍ୱିଚ୍‌ ଅନ୍‌ କଲେ ସେ ଚୁପ୍‌କିନା ଆସି ଅଫ୍‌ କରି ଦେଇ ଯାଉଥିଲେ, ରେଡ଼ିଓର ତାର ଭିଡ଼ି ବାହାର କରି ଦେଉଥିଲେ ଓ କେହି କଲିଂବେଲ୍‌ ଟିପିଲେ ସେ ଥରି ଥରି ଗାଧୁଆ ଘର କୋଣରେ ଲୁଚି ଯାଉଥିଲେ । ସତୁରି ଏକସ୍ତରି ବର୍ଷର ପାକଳ ମଣିଷଟିଏର ଏ ଦୁର୍ଦ୍ଦଶା ଦେଖି ଆମେ ଡରିଯାଇଥିଲୁ ।

 

ରଞ୍ଜୁ କହିଥିଲା, “ତୁମେ ଅଫିସ୍‌ ଗଲା ପରେ ‘କେତେବେଳେ ପୁଅ ଫେରିବ, ଫେରିବ’ ପଚାରି ବ୍ୟସ୍ତ କରିପକାନ୍ତି । ବିରକ୍ତ ହେଲେ ଘର ଭିତରେ ଲୁଚିଯାଇ ନିଜ ହାତ ପାଦରୁ ରୁମ ଉପାଡ଼ନ୍ତି । ସାନ ପିଲା ପରି ଖଟତଳେ ପଶି ଯାଆନ୍ତି ।”

 

ଡାକ୍ତର ରାୟ କହିଥିଲେ, “ସନ୍ଦେହ ଓ ପରିଚୟ ସଙ୍କଟରୁ ତାଙ୍କର ଏ ବିକୃତି ଆସିଛି । ଆପଣ ତାଙ୍କୁ ଗାଁରେ ଛାଡ଼ିଦିଅନ୍ତୁ, ସେ ଭଲ ହୋଇଯିବେ ।” ମୁଁ ପ୍ରେସ୍‌କ୍ରିପ୍‌ସନ୍‌ ନେଇ ବାହାରି ଆସୁଥିଲି । ସେ ପୁଣି ଡାକି କହିଥିଲେ, “ଶୁଣନ୍ତୁ, ଏ ଔଷଧପତ୍ର ତ ଦେବେ; ମାତ୍ର ସକାଳେ ଆପଣ ଅଫିସ୍‌ ଯିବା ଆଗରୁ ଓ ସଞ୍ଜରେ ଅଫିସ୍‌ରୁ ଫେରିବା ପରେ ପନ୍ଦର କୋଡ଼ିଏ ମିନିଟ୍‌ ତାଙ୍କ ପାଖରେ ବସିବେ । ଗପସପ କରିବେ ।”

 

ଡାକ୍ତର ରାୟଙ୍କ ଏଇ ଶେଷ ପରାମର୍ଶ ମୋ ପିଠିରେ ଯେମିତି ଶକ୍ତ ପାହାରଟିଏ କଷି ଦେଇଥିଲା । ମୁଁ ମନକୁ ମନ ଚିନ୍ତା କରିଥିଲି, ‘ସତ କଥା ତ ! ଆଜିକାଲି ଆଉ ବାପାଙ୍କ ପାଖରେ ବସିବା ପାଇଁ ସମୟ ବାହାର କରିପାରୁ ନାହିଁ । ସକାଳୁ ଉଠୁ ଉଠୁ କାମ ଲାଗିଯାଉଛି । ଝିଅକୁ ସ୍କୁଲରେ ଛାଡ଼ିବା, ବଜାର ସଉଦା କଥା ବୁଝିବା, ଯିବା ଆସିବା ଲୋକଙ୍କୁ ପଦେ ଦି ପଦ କହି ବିଦା କରିଦେବାରେ ସକାଳ ଓଳିଟି ଚାଲିଯାଉଛି । ଏହାରି ଭିତରେ ଭୁବନେଶ୍ୱରରେ ତିନି ତିନିଥର ଭଡ଼ାଘର ବଦଳ ଓ ସ୍ତ୍ରୀ ପିଲାଙ୍କ ଭଲମନ୍ଦ । ଅଫିସ୍‌ର ଉପର ହାକିମ ଘର ସମସ୍ୟା କଥା ବୁଝନ୍ତି ନାହିଁ । ଆଖୁ ପେଡ଼ିବା ପରି ମଣିଷ ଦେହରୁ ରସତକ ନିଗାଡ଼ି ନେବାକୁ ଚାହାନ୍ତି । ତା ଭିତରେ ବାପାଙ୍କ ପାଖେ ଘଡ଼ିଏ ଦି ଘଡ଼ି ବସିବା ପାଇଁ ସମୟ ବା କୋଉଠୁ ମୁଁ ପାଇଥାନ୍ତି !

 

ଏସବୁ ସାଙ୍ଗକୁ ବାପାଙ୍କର ପରିଚୟ ସଙ୍କଟ । ସହରରେ ସେ ପରିଚିତ ହୁଅନ୍ତି ନାତୁଣୀର ଜେଜେ, ମୋର ବାପା ନଚେତ୍‌ ଅଙ୍କଲ୍‌ କି ମଉସା ସମ୍ବୋଧନରେ । ଯିବା ଆସିବା ଲୋକମାନେ ତାଙ୍କୁ ଉପରଠାଉରିଆ ନମସ୍କାରଟେ କରି ଘର ଭିତରକୁ ପଶି ଆସନ୍ତି । ତାଙ୍କ ହାତରେ କିଛି କ୍ଷମତା ନ ଥାଏ, କିଛି ଅଧିକାର ନ ଥାଏ । ସେ ଯେମିତି ରାସ୍ତା ଧାରର ଅଦରକାରୀ ଚାକୁଣ୍ଡା ଗଛ । ଥିଲେ ଭଲ, ନ ଥିଲେ କାହାର କ୍ଷତି ହୁଅନ୍ତା ନାହିଁ ।

 

ଅଥଚ ଭୁବନେଶ୍ୱରଠୁଁ ଦିଇଶ ମାଇଲ୍‌ ଦୂରରେ ଗୋଟିଏ ଗାଁ ଅଛି, ଯୋଉଠି ଏ ଘରର ମଣିଷମାନେ ମାନଗୋବିନ୍ଦ ମହାପାତ୍ରଙ୍କ ନାଁରେ ପରିଚିତ ହୁଅନ୍ତି । ତାଙ୍କରି ଛାଇରେ ଏମାନେ ବଢ଼ନ୍ତି ଓ ଖେଳନ୍ତି ।

 

ଡାକ୍ତର ରାୟ ବିଛଣାରୁ ଉଠି ସାରିଥିଲେ । ମୁଁ ଯାଇ ଯଥାସମ୍ଭବ ଶାନ୍ତ ଗଳାରେ କହିଲି, “ସାନଭାଇ ଫୋନ୍‌ କରିଥିଲା । ପୁଣି ଥରେ ସେଇ ବେମାର ବାପାଙ୍କର ବାହାରିଛି । କଣ କରିବୁ?”

 

ଡାକ୍ତର ତାରାପଦ ରାୟ ଖୁବ୍‌ ଭଦ୍ରଲୋକ । ତାଙ୍କର ବ୍ୟବହାର ରୋଗୀକୁ ଅଧା ଭଲ କରିଦିଏ । ପାଗଳ ରୋଗୀଙ୍କ ଗହଣରେ ଦିନ ବିତେଇ ସେ ଦାର୍ଶନିକ ପାଲଟି ସାରିଲେଣି । ତାଙ୍କ କଥାବାର୍ତ୍ତାରୁ ସେମିତି ଜଣାପଡ଼େ ।

 

ସେ ପଚାରିଲେ, “ଏହା ଭିତରେ ଆପଣଙ୍କ ଘରେ ଆଉ କିଛି ସେମିତି ଘଟିଥିଲା, ଯାହା ପାଇଁ ଏମିତି ହେଲା ବୋଲି କହିପାରିବେ ?”

 

ମୁଁ କହିଲି, “ମଝିଆଁର ଆକ୍‌ସିଡେଣ୍ଟ୍‌... ।”

 

: ସେ ତ ବହୁତ ପଛର କଥା । ତାପରେ... ?

 

: ମୁଁ ମନେପକେଇ ପାରୁ ନାହିଁ । –ଧୀର ଗଳାରେ କହିଲି ।

 

ଡାକ୍ତର ରାୟ କିନ୍ତୁ ଛାଡ଼ିବା ଲୋକ ନୁହନ୍ତି । ସେ କହିଲେ, “ଆପଣଙ୍କୁ ମନେ ପକେଇବାକୁ ହେବ । ତାହା ନ ହେଲେ ରୋଗୀକୁ ନ ଦେଖି ଔଷଧ ଲେଖିଦେବା ବିପଦଜନକ । କାଳେ ଯଦି କିଛି ହୋଇଯିବ !”

 

ମୁଁ ଆଉ ଗୋଟେ କଥା କହି ଆସୁଥିଲି, ମାତ୍ର କେହି ଜଣେ ଭିତରୁ ମୋର ଗଳା ଚିପି ଧରିଲା । ମୁଁ କହିପାରିଲି ନାହିଁ ।

 

: ଆପଣ ତାଙ୍କ ପାଖେ ସକାଳେ, ସନ୍ଧ୍ୟାରେ ବସନ୍ତି ?

 

: ବସୁଥିଲି । କିନ୍ତୁ ସେ ରାଉରକେଲା ଯିବା ପରଠାରୁ... । ମୁଁ ଜାଣି ଜାଣି ଡାକ୍ତରଙ୍କୁ ମିଛ କହିଲି । ନିଜ ପାଖରେ ମିଥ୍ୟାବାଦୀ ପଛକେ ମୁଁ ହୁଏ, ପର ଲୋକ ପାଖେ ଗୋଟେ ଦାୟିତ୍ୱହୀନ ପୁଅର ବଦନାମ ମୁଁ ନ ମୁଣ୍ଡାଏ ।

 

ସେ ଟିକିଏ ଗମ୍ଭୀର ଦିଶିଲେ । କହିଲେ, “ଆପଣ ତାଙ୍କୁ ଭୁବନେଶ୍ୱର ନେଇ ଆସନ୍ତୁ । ଏବେ ସହସା ଚିକିତ୍ସା ପାଇଁ ମୁଁ ରାଉରକେଲାରେ ଡାକ୍ତର ନନ୍ଦଙ୍କ ଠିକଣା ଦେଉଛି । ତାଙ୍କୁ ଟିକିଏ ଦେଖେଇ ଦିଅନ୍ତୁ ।”

 

ମୁଁ ଫେରି ଆସୁଥିଲି । ସେ ପଚାରିଲେ, “ପୁରୁଣା ପ୍ରେସ୍‌କ୍ରିପ୍‌ସନ୍‌ଗୁଡ଼ିକ ଆଣିଛନ୍ତି କି?”

 

ମୁଁ ଆଉ ଗୋଟେ ମିଛ କହିଲି । “ଘରେ ରଖିଛି । ସାଙ୍ଗରେ ଆଣିନାହିଁ ।”

 

କିନ୍ତୁ ପ୍ରକୃତପକ୍ଷେ ବାପାଙ୍କ ପ୍ରେସ୍‌କ୍ରିପ୍‌ସନ୍‌ କୋଉଠି ରଖିଥିଲି ତାହା ମୁଁ ନିଜେ ଜାଣି ନ ଥିଲି । ସତ କହିବାକୁ ଗଲେ ବାପା ଭଲ ହୋଇଯିବା ପରେ ଆଉ ଥରେ ସେଗୁଡ଼ିକର ପ୍ରୟୋଜନ ପଡ଼ିବ ବୋଲି ମୁଁ ଭାବି ନ ଥିଲି । ତାଛଡ଼ା ଗ୍ୟାସ୍‌କାର୍ଡ, ପାସ୍‌ବୁକ୍‌ ଓ ଜମିଜମା କାଗଜପତ୍ରକୁ ଗୁରୁତ୍ୱ ଦେବା ପରି ବାପାଙ୍କ ପ୍ରେସ୍‌କ୍ରିପ୍‌ସନ୍‌କୁ ମୁଁ କେବେ ସେତିକି ଗୁରୁତ୍ୱ ଦେଇ ନ ଥିଲି ।

ବୁଢ଼ା ହେଲେଣି । ଆଉ କେତେଦିନର କୁଣିଆ । ତାଙ୍କ ପାଇଁ କଣ କିଏ ଏତେ ମୁଣ୍ଡ ଖେଳାଏ ?

ମୁଁ ବୁଲିପଡ଼ିଲି । କେହି ଜଣେ ମୋ କାନ ପାଖରେ ଅବା ଏ ତିନି ପଦ କହି ଚାଲିଯାଇଥିଲା । ମୁଁ ତୁଚ୍ଛାଟାରେ ମୁଣ୍ଡ ହଲେଇଲି । ନା, ନା, ନିଜ ବାପାଙ୍କ ସମ୍ପର୍କରେ କଣ କେହି ଏମିତି କହେ !

ହଠାତ୍‌ ବାପା ଲେଖିଥିବା ତାଙ୍କର ଛୋଟ ଛୋଟ ବରାଦ ଗୁଡ଼ିକ ମୋର ମନେପଡ଼ିଗଲା । କାମ ଜଞ୍ଜାଳରେ ତାଙ୍କର ସେ ଚାହିଦା ଗୁଡ଼ିକ କଥା ମୁଁ ଏକ ପ୍ରକାର ଭୁଲିଯାଇଥିଲି । ବାପା ଗୋଟେ ପଥୁରି କଥା ଲେଖିଥିଲେ । ଠାକୁର ପୂଜା ପାଇଁ ଭଲ ପଥର ତିଆରି ଗିନାଟେ ତାଙ୍କର ଦରକାର । ମୁଁ ସେଦିନ କହିଥିଲି, ଏବେ ତ ସବୁଠି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବାସନ ଚଳିଲାଣି, ପଥର ବାସନ କିଏ ଖୋଜୁଛି ! ଓଲଟି ଏଗୁଡ଼ା ହାତରୁ ପଡ଼ିଲେ ଭାଙ୍ଗିଯିବ । ସେମିତି ମଝିଆଁ ଭାଇର ବାହାଘର ପରେ ପରେ ସେ ଗୋଟେ ପିତ୍ତଳ ଗୁଆକାତି କଥା ଲେଖିଥିଲେ । ସାନଭାଇ ବାହା ହେବା ପାଇଁ ଗଲାବେଳେ ତା ହାତରେ ନଡ଼ିଆ ଓ ଗୁଆକାତି ନେଇ ଯାଇଥିଲା । ଅଥଚ ଆସିଲାବେଳକୁ ବରର ଗୁଆକାତିଟା କୁଆଡ଼େ ହଜିଯାଇଥିଲା, ଖୋଜି ଖୋଜି କେହି ପାଇ ନ ଥିଲେ । ଘରକୁ ଫେରିବା ପରେ ବାପା ସାନ ପିଲାଙ୍କ ପରି ଜିଦ୍‌ କରିଥିଲେ, ତାଙ୍କୁ ତାଙ୍କର ଗୁଆକାତି ଫେରେଇ ଦିଆଯିବା ଜରୁରି ।

ସେଦିନ ରଞ୍ଜୁ କହିଥିଲା, ବୁଢ଼ା ହେଲେ ଲୋକମାନେ ଏମିତି ଲୋଭୀ ଓ ସ୍ୱାର୍ଥପର ହୋଇଯାଆନ୍ତି । ଗୁଆକାତିଟା ତ ଘରେ ତୁଚ୍ଛାଟାରେ ପଡ଼ିଥିଲା । ପଛକୁ କଣ ଆମେ ଆଉ ଗୋଟେ କିଣି ଦିଅନ୍ତେ ନାହିଁ !

 

ମାତ୍ର ପଛ ପଛ ହୋଇ ସେଇ ଗୁଆକାତିଟା ଆଉ କିଣା ହୋଇପାରି ନାହିଁ । ଏହା ଭିତରେ ଘରକୁ ଶହେ ଜିନିଷ ଆସିଥିବ–ଫ୍ରିଜ୍‌, ଗ୍ରାଇଣ୍ଡର ଓ ୱାସିଂମେସିନ୍‌ଠୁଁ ନେଇ ବାର ପ୍ରକାର ଆସବାବପତ୍ର । ମାତ୍ର ତା ଭିତରେ ବାପାଙ୍କ ଗୁଆକାତିଟି କିଣାହୋଇ ପାରି ନାହିଁ ।

 

ମୁଁ ହାଟ ଭିତରେ ପଶି ଏ ଦିଇଟି ଜିନିଷ କିଣିନେବା ପାଇଁ ବାହାରିଲି । ଯାହା ହେଉ ପଛେ ବାପା ନୂଆ ଗୁଆକାତି ଓ ପଥୁରି ଗିନା ଦେଖିଦେଲେ ଖୁସି ହେବେ ।

 

ମୋର ନିଜର ପିଲାଦିନ କଥା ମନେ ପଡ଼ୁଥିଲା । ମୋର ଛୋଟ ଛୋଟ ଅଳି ଅର୍ଦ୍ଦଳିକୁ ବାପା ସାଙ୍ଗେ ସାଙ୍ଗେ ପୂରଣ କରୁଥିଲେ । ତାହା ନ ହେଲେ ମୁଁ କାନ୍ଦି କାନ୍ଦି ଘରଟାକୁ ଉଠାପକା କରୁଥିଲି । ମୋ ଫର୍‌ମାସି ପୂରଣରେ ଡେରି ହେଲେ ବାପାଙ୍କ ସାଙ୍ଗେ କଥାବାର୍ତ୍ତା ବନ୍ଦ କରି ଦେଉଥିଲି ।

 

ଛଅ ମାସ ହେଲା ବାପାଙ୍କ ସାଙ୍ଗେ ମୋର ଦେଖା ହୋଇନାହିଁ । ସବା ସାନର ବାହାଘର ପରେ ଆଉ ରାଉରକେଲା ଯିବା ପ୍ରୟୋଜନ ପଡ଼ିନାହିଁ । ବାପାଙ୍କୁ ଭେଟିବା ପାଇଁ ଯିବା କଥା ମନକୁ ଆସିଲେ ନିଜ ସାଙ୍ଗେ ନିଜେ ଯୁକ୍ତି କରିଛି, “ସବୁ ଅଡୁଆ ତ ତୁଟେଇଲି । ପୁଣି ବାରମ୍ବାର ରାଉରକେଲା ଯାଇ କାହିଁକି ଗାଡ଼ିଭଡ଼ା ଗଣିବି ?”

 

ସେତେବେଳେ ମୋ ପିଲାଦିନ କଥା ମନେପଡ଼ିନାହିଁ । କିଛି କାରଣ ନ ଥାଇ ପ୍ରତି ପନ୍ଦର ଦିନରେ ବାପା ଆସି ହଷ୍ଟେଲ୍‌ରୁ ବୁଲିଯିବା କଥା ମଧ୍ୟ ସ୍ମରଣକୁ ଆସିନାହିଁ । ବାରମ୍ବାର ସାର୍‌ମାନଙ୍କୁ ଦେଖା କରି ମୋ ଉପରେ ଦୃଷ୍ଟି ରଖିବା ପାଇଁ କାକୁସ୍ଥ ଖାତକଟେ ପରି ଅନୁରୋଧ କରିବା ପ୍ରସଙ୍ଗ ଆଦୌ ମୋ ମନକୁ ଆସିନାହିଁ ।

 

ବାପା ସେଦିନ କଣ ଦେଖିବା ପାଇଁ ବାରମ୍ବାର ହଷ୍ଟେଲ୍‌କୁ ଆସୁଥିଲେ ? କାହିଁକି ଗାଁର ଚାଷବାସ, ବନ୍ଧୁବାନ୍ଧବ ଓ ରୋଗିଣା ସ୍ତ୍ରୀର ଜଞ୍ଜାଳକୁ ପଛରେ ରଖି, ଝୁଲାଟାରେ ମୁଢ଼ି ଛତୁଆ, ନଡ଼ିଆ ଓ ପିଜୁଳି ପୁଞ୍ଜାଏ ଧରି ଦଉଡ଼ି ଆସୁଥିଲେ ଦଶ କିଲୋମିଟର ରାସ୍ତା ?

 

ମୁଁ ଭାବପ୍ରବଣ ହୋଇପଡ଼ୁଥିଲି । ନିଜ ସାଙ୍ଗେ ନିଜେ ଯୁକ୍ତି କରୁଥିଲି, “ସବୁକଥା ବୁଝିବା କଣ ଖାଲି ମୋର ଦାୟିତ୍ୱ! ଲିଟୁର ବି ତ କିଛି ଦାୟିତ୍ୱ ଅଛି !”

 

ବାପାଙ୍କୁ ଭୁବନେଶ୍ୱର ଭଲ ଲାଗେ । ଏଠି ଆମ ଘରେ ନାନା ପ୍ରକାର ବହିପତ୍ର ଓ ଖବରକାଗଜ ସେ ପାଇଯାଆନ୍ତି । ରାଜନୀତିଠୁଁ ନେଇ ଧର୍ମଚର୍ଚ୍ଚା ପାଇଁ ତାଙ୍କ ବୟସର ବୁଢ଼ା ସାଙ୍ଗମାନେ ମଧ୍ୟ କୋଉଠୁ ଆସି ପହଞ୍ଚନ୍ତି । କିନ୍ତୁ ବାପାଙ୍କ କଥା ମାନି ସେମାନଙ୍କୁ ତୁହାକୁ ତୁହା ଚା ଜଳଖିଆ ଯୋଗେଇ ଦେବା ସମ୍ଭବ ହୁଏ ନାହିଁ । ଏସବୁ ସାଙ୍ଗକୁ ସବୁଦିନେ ସାନପିଲା ପରି ତାଙ୍କର ନୂଆ ନୂଆ ଫର୍‌ମାସି । ସବୁ ଉପରେ ଗାଁରେ ଘର ତୋଳିବାର ସେଇ ପୁରୁଣା ଦାବି ।

 

ଜାଣି ଜାଣି ଡାକ୍ତର ରାୟ ୟା ଭିତରେ ଆଉ କିଛି ଘଟିଛି କି ବୋଲି ପଚାରିଲା ବେଳେ ମୁଁ ନିରବ ରହିଥିଲି । ନା, ନିରବ ନୁହେଁ, ଜାଣି ଜାଣି କଥାଟିକୁ ବାଆଁରେଇ ଯାଇଥିଲି । କାରଣ ଆମେ ଦି ଭାଇ ମିଳିମିଶି ବାପାଙ୍କୁ ଗୋଟେ ମିଛ କହିଥିବା କଥା ଡାକ୍ତରଙ୍କ ଆଗେ କହିବା ପାଇଁ ମୁଁ ଚାହୁଁ ନ ଥିଲି ।

 

।। ଦୁଇ ।।

 

ଗାଁରେ ଘରଟିଏ ତୋଳେଇବା ଥିଲା ବାପାଙ୍କର ସବୁଠୁ ବଡ଼ ଓ ପୁରୁଣା ଇଚ୍ଛା । ମୋ ବି.ଏ. ପଢ଼ିବା ପରଠାରୁ ସେ ସେଇ କଥାଟି ବାରମ୍ବାର କହି ଆସୁଥିଲେ । ବେଳେବେଳେ ଆମେ ଭାଇମାନେ ତାଙ୍କ କଥାକୁ କାନ ନ ଦେଲେ ସେ ବୋଉକୁ ସେ କାମରେ ଲଗେଇ ଦେଉଥିଲେ । ମାତ୍ର ଛେଳି ପରି ନିରୀହ ଓ ଶଶା ପରି ଡରୁଆ ମୋ ବୋଉ, ଆମକୁ ସେକଥା କେବେ ବି କହୁ ନ ଥିଲା । ଓଲଟି ଆମ ତରଫରୁ ସେ ବାପାଙ୍କ ସାଙ୍ଗେ ଯୁକ୍ତି କରୁଥିଲା ।

 

ବାପାଙ୍କ ମନ ଭିତରେ ଗାଁ ଘରର ନକ୍ସାଟାଏ ସବୁବେଳେ ଝୁଲି ରହୁଥିଲା । ସାମନା ଦରଜାରେ ଶାଳକାଠର ବନ୍ଧ, କରମଙ୍ଗା ଚିତ୍ରର ପଣସକାଠ ଦରଜା, ଝରକାରେ କୁମ୍ଭ ଡିଜାଇନ୍‌ର ଖିଲାଣ, ଦାଣ୍ଡଘରକୁ ଲାଗି ଠାକୁର ଘର, ଅଗଣାରେ ତୁଳସୀ ଚଉଁରା ଏବଂ ଠାକୁର ଘରକୁ ଲାଗି ତାଙ୍କର ଶୋଇବା ଘର । ସାମ୍ନାରେ ଆଉ ତିନି ବଖରା ଘର–ତିନି ପୁଅଙ୍କର ଓ ଶେଷକୁ କୁଣିଆ ମଇତ୍ରଙ୍କ ଚଳାଚଳ ପାଇଁ ଆଉ ବଖରେ ଘର । ବାପା ଏତକ ଯାଏ କହି ରହିଯାଆନ୍ତି । ତାପରେ ବୋଉର ପାଳି । ସେ ତାର ରୋଷେଇ ଘର କଥାଟି ବନେଇ ଚୁନେଇ କହେ । ବାପା କହନ୍ତି, “ଯାହା କରିବ ଥରେ କରିବ, ମିସ୍ତ୍ରୀ ମଜୁରିକୁ ଡରି କାମ ଖଇଚା କରିବା ଠିକ୍‌ ନୁହେଁ ।”

 

ଆମେ ତିନିଜଣ ତାଙ୍କ କଥା ଶୁଣୁ । ମୁଣ୍ଡ ଟୁଙ୍ଗାରୁ । କିନ୍ତୁ ସେଇଠି ତାଙ୍କର ଘରର ପ୍ରସ୍ତାବ ତାଙ୍କରି ପାଖରେ ରଖିଦେଇ ନିଜ ନିଜ କାମରେ ଉଠିଆସୁ ।

 

ବୋଉ କହେ, “ତୋ ସାନଦାଦା ବାହା ହୋଇ ଆସିଲା ବେଳକୁ ଅଧିକା ଘର ନ ଥିଲା-। ବାପା ନିଜଆଡୁ ତାଙ୍କ ଶୋଇବା ଘରଟି ଦାଦାଙ୍କ ପାଇଁ ଛାଡ଼ି ଦେଇଥିଲେ । ସେତେବେଳେ ଚାକିରି ବାକିରି କରୁଥିଲେ ବୋଲି ସିନା ବାହାରକୁ ଚାଲି ଆସିଥିଲେ; କିନ୍ତୁ ଭାବିଥିଲେ, ସାନ ତାର ଘର ତିଆରି କରି ଉଠିଯିବ । ମାତ୍ର ସେ ଘରକୁ ଆଉ ବାପା ଫେରିଯାଇ ପାରିଲେ ନାହିଁ-। ବାପା ଅଭିମାନ କରି ସହରରେ ରହିଗଲେ ।”

 

ବୋଉ କଥା ମିଛ ନୁହେଁ । କାରଣ, ବାପା ସବୁବେଳେ ତାଙ୍କ ଘରଟିକୁ ଝୁରିହେବା କଥା ପିଲାଦିନେ ଆମେ ଶୁଣିଛୁ । ସେଇ ଘରର ଆଟୁ, ତାର ନଡ଼ା ଛାଉଣି ଛପର, ଦକ୍ଷିଣ ଦରଜା ପବନ, ଘର ଆଗରେ ମଧୁମାଳତୀର ଲଟା–ଏସବୁ କଥା ବାପା କହନ୍ତି । ସେତେବେଳେ ମୁଁ ହଲପ କଲା ପରି ବାପାଙ୍କୁ କହେ, “ବ୍ୟସ୍ତ ହୁଅନାହିଁ । ଆମେ ଚାକିରି କଲା ପରେ ଆଗେ ଗାଁରେ ଘରଟେ ତୋଳିଦେବୁ । ଆପଣ ଓ ବୋଉ ଯାଇ ଗାଁରେ ରହିବେ ।”

 

କିନ୍ତୁ ସେ ହଲପ ହଲପରେ ରହିଯାଇଛି । ପାଠପଢ଼ା ଓ ଚାକିରି ସାଙ୍ଗରେ ତାଳ ଦେଲା ପରି ଗାଁଠୁ ଆମର ଦୂରତ୍ୱ ବଢ଼ି ବଢ଼ି ଯାଇଛି ସିନା, କମିନାହିଁ । ତେଣିକି ଗାଁରେ ଚାଳିଶ ପଚାଶ ହଜାର ଖର୍ଚ୍ଚ କରି ଘର ତିଆରି କରିବାର ଯୋଜନାଟା ମନେ ହୋଇଛି ନିରୋଳା ଭାବପ୍ରବଣତା, ପରିହାର୍ଯ୍ୟ ଅପବ୍ୟୟ ।

 

ଆମ ଭିତରର ଏ ପରିବର୍ତ୍ତନକୁ ବୁଝିପାରିଲା ପରି ବାପା ମଝିରେ ମଝିରେ କହନ୍ତି, “ହେଉ, ତୁମେମାନେ ଗାଁରେ ନ ରହିଲ ନାହିଁ, ତା ବୋଲି କଣ ଉଠାକୁଳିଆ ହୋଇ ପଳେଇ ଆସିବ-? ସାତ ପୁରୁଷର ଭିଟାମାଟିରେ ଆମର କଣ କିଛି ବୋଲି ଚିହ୍ନ ରହିବ ନାହିଁ ?”

 

ବାପାଙ୍କ କଥା ମୋ ଦେହରେ ତୀର ପରି ବିନ୍ଧିଯାଏ । ଏ ଧରଣର ମହଙ୍ଗା ବେଳାରେ ଭଡ଼ାଘରଟାଏ ଖୋଜି ପାଇବା କଷ୍ଟକର ହୋଇପଡୁଛି । କଟକ କି ଭୁବନେଶ୍ୱରରେ ଦି ବଖରା ଘର କଲେ ବରଂ ଭବିଷ୍ୟତରେ କାମରେ ଆସିବ । ସହରଠୁଁ ଶହେ ମାଇଲ୍‌ ଦୂରରେ ଘର କରି ଲାଭ କଣ ? କଣ ଅଛି ସେ ଗାଁରେ ? ବିଜୁଳି ନା ଟେଲିଫୋନ୍‌ ? କଲେଜ ନା ଡାକ୍ତରଖାନା ? ଭୁବନେଶ୍ୱରରୁ ବଡ଼ି ଭୋର୍‌ରୁ ବାହାରିଲେ ଗାଁରେ ପହଞ୍ଚିଲା ବେଳକୁ ଅଧରାତି । କାଲି ଭଲରେ ମନ୍ଦରେ କିଛି ହୋଇଗଲେ ବୁଢ଼ାବୁଢ଼ୀଙ୍କୁ ଦେଖିବା ପାଇଁ ଯିବା ମୁସ୍କିଲ୍‌ ହୋଇପଡ଼ିବ । ସେପରି ଗାଁରେ କଣ କେହି ଘର କରେ ?

 

ବାପା ଉପରକୁ ସବୁ ବୁଝିଲା ପରି ତୁନି ପଡ଼ନ୍ତି । କିନ୍ତୁ ଆମେ ଜାଣୁ, ସେ ବୁଝି ନାହାନ୍ତି-। ସେ କଥାଟି ସାତ ଆଠ ଦିନ ପରେ ଜଣାପଡ଼ିଯାଏ । ଦିନେ ସକାଳୁ ସକାଳୁ କହନ୍ତି, “ଗୋବିନ୍ଦ ଚିଠି ଲେଖିଥିଲା । ତମ ଦାଦା ତାର ପୁରୁଣା ଘର ଭାଙ୍ଗି ନୂଆ ଘର କରୁଛି । ଘର ଭାଙ୍ଗିଲାବେଳେ ମଝିକାନ୍ଥ ଭାଙ୍ଗିଯାଇଛି । ଗୋଟିଏ ଶେଣିର ଘର । ଗୋଟିଏ ଭାଙ୍ଗିଗଲେ ଆରଟା କଣ ରହିବ-? ଏବେ ଝଡ଼ବର୍ଷା ହୋଇ ଆମ ଘରଟା ଭୂତକୋଠି ପରି ଦିଶୁଛି । କିଛି ଗୋଟିଏ ତ କରିବାକୁ ହେବ-।”

 

“ଗାଁ ସ୍କୁଲକୁ ଦାନ କରି ଦେଉ ନାହାନ୍ତି !” –ଲିଟୁ ଚିଡ଼ିଉଠି କହେ । “ଗାଁର ଯେଉଁଗୁଡ଼ାକୁ ଆପଣ ସମ୍ପତ୍ତି କହୁଛନ୍ତି, ପ୍ରକୃତରେ ସେଗୁଡ଼ା ବିପତ୍ତି । ଆୟଠୁ ତା ପାଇଁ ବ୍ୟୟ ଅଧିକା । ଆପଣ ନିଜେ ଯାଇ ସେଗୁଡ଼ା ବିକା ଭଙ୍ଗା କରିଦେଇ ଆସନ୍ତୁ । ମୋର ବେଳ ନାହିଁ ।” –ଲିଟୁ କହିଦେଇ ଉଠି ପଳାଏ ।

 

ବାପା ଆଉ କିଛି କହନ୍ତି ନାହିଁ । ଲିଟୁର କଥା ଶୁଣି ମୁଁ ବି ଆଶ୍ଚର୍ଯ୍ୟ ହୁଏ । ଏଇ ସେଇ ଲିଟୁ–ଯିଏ ଛାଇ ଦେଖିଲେ ଡରୁଥିଲା ବୋଲି ବୋଉ ତା ହାତରେ ଚାରି ଚାରିଟା ଡେଉଁରିଆ ବାନ୍ଧି ଦେଇଥିଲା, ଘରୁ ବାହାରକୁ ବାହାରିଲେ ଝାଡ଼ୁରୁ ଟିକିଏ ଛିଣ୍ଡେଇ ଝାଡ଼ି ଦେଉଥିଲା ଓ କଳା ଟିକିଏ ତା ଗାଲରେ ନେସି ଦେଉଥିଲା, ସେଇ ଲିଟୁ ଏବେ କେତେ ଟାଣ ଟାଣ କଥା କହିପାରୁଛି !

 

ମୁଁ ମୋର ସମସ୍ୟାମାନ ବାପାଙ୍କୁ ବୁଝଉଥିଲି । ଦି ଦିଇଟା ଛୁଆଙ୍କ ପଢ଼ାଖର୍ଚ୍ଚ, ସ୍ତ୍ରୀର ଦେହ ଭଲ ରହୁନାହିଁ, ତା ସାଙ୍ଗକୁ ଗଲା ଆଇଲା ଭାର ବେଭାର ବ୍ୟୟ । ମୋର ଗାଁ ଜମିବାଡ଼ି ପ୍ରତି ଲୋଭ ନାହିଁ । ତିନିଜଣଙ୍କ ଭିତରୁ ଜଣେ ତ ଗଲାଣି । ଲିଟୁ ତାର ଗାଁ କଥା ସମ୍ଭାଳୁ, ସେଇ ଭୋଗ କରୁ ।

 

ବାପାଙ୍କ ମୁହଁ ଗୋଟେ ଅସହାୟ ଛେଉଣ୍ଡ ପିଲାର ମୁହଁ ପରି ଦିଶେ । ମୁଁ ପୁଣି କଥା ବଦଳାଏ, “ହଉ ହଉ, ଆର ବର୍ଷକୁ ଦେଖିବା ।”

 

ଲିଟୁ ଏସବୁ ବିଷୟରେ ପ୍ରାକ୍ଟିକାଲ୍‌ । ସେ ପରାମର୍ଶ ଦିଏ, ବାପାଙ୍କର ତ ଘରଟେ ଦରକାର । ଘରଟେ କରିଦେବା ।

 

ଘର ତିଆରି ହେଲା । କିନ୍ତୁ ଗାଁରେ ନୁହେଁ, ଭୁବନେଶ୍ୱରରେ । ବାପା ରାଉରକେଲାରେ ରହିଲେ । ଆମେ ଦି ଭାଇ କଥାବାର୍ତ୍ତା କରି ଭୁବନେଶ୍ୱର ଘର କାମ ଆରମ୍ଭ କଲୁ ।

 

ବାପା ଲେଖନ୍ତି, ଇଟା କାନ୍ଥ କରୁଛ ତ ! ଆଜବେଷ୍ଟସ୍‌ ଛପର କର ପଛକେ, ମାଟି କାନ୍ଥ କି କଞ୍ଚା ଇଟାର କାନ୍ଥ କରିବ ନହିଁ ।

 

ଶାଳ କାଠର ବନ୍ଧ ଗଢ଼ୁଛ ତ ?

 

ଲିଟୁ ବୁଝେଇ ଦିଏ । ସବୁ ଠିକ୍‌ଠାକ୍‌ ଚାଲିଛି । ଘର ତିଆରି ସରିଗଲେ ବଳେ ଯାଇ ଦେଖିବ ନାହିଁ କି !

 

ବାପା ମୁଣ୍ଡ ଟୁଙ୍ଗାରନ୍ତି । କହନ୍ତି, “କିଏ ଜାଣେ, ସେତେଦିନ ମୁଁ ବଞ୍ଚି ରହିଥିଲେ ତ !”

 

ମୁଁ ଏପରି ଅଶୁଭ କଥା ନ କହିବା ପାଇଁ ତାଙ୍କୁ ବୁଝାଏ । ବାପା କଥା ବାଆଁରେଇବା ପାଇଁ ନାତୁଣୀକୁ ଡାକନ୍ତି, “ଝୁନା, ତୋର ସେ ବହିଟା ଆଣିଲୁ, ଯୋଉଥିରେ ସାହେବମାନଙ୍କ କୋଠାବାଡ଼ି ଚିତ୍ର ତୁ ସେଦିନ ଦେଖଉଥିଲୁ ।”

 

ଝୁନା ରାମାୟଣର ହନୁମାନ ପରି ପୁଳାଏ ବହିପତ୍ର ଆଣି ଜେଜେଙ୍କ ସାମ୍ନାରେ ରଖିଦିଏ । କହେ, “ନିଜେ ଦେଖୁଥାଅ, ମୋର ହୋମ୍‌ୱାର୍କ ସରିଗଲେ ମୁଁ ଆସିବି ।”

 

ଗଲାଥର ଲିଟୁ ଆସିଲାବେଳେ ଅଧା ତିଆରି ଘର ଦେଖି କହିଥିଲା, “କେତେଦିନ ବାପାଙ୍କୁ ଡରି ଘରକାମ ଅଧା ପକେଇଥିବ ?”

 

ମୁଁ କହିଥିଲି, “ଉପାୟ ନାହିଁ । ଘରକାମ ସରିଗଲେ ବାପା ଦେଖିବାକୁ ଆସିବେ । ହୁଏତ ସେ ଦୃଶ୍ୟ ସେ ସମ୍ଭାଳି ପାରିବେ ନାହିଁ ।”

 

ଲିଟୁ ଗୋଟେ ଷଡ଼ଯନ୍ତ୍ରର ସମଭାଗୀ ପରି ଚୁପ୍‌ ରହିଥିଲା । କିନ୍ତୁ ଆମେ ବା କଣ କରିପାରିଥାନ୍ତୁ ! ଗାଁରେ ଘର ତିଆରି କରିବା ତ ଏତେ ସହଜ କଥା ନୁହେଁ । କିଏ ଯାଇ ଗାଁରେ ରହିବ, କାହିଁକି ବା ରହିବ ! କେବଳ ବାପା ବଞ୍ଚିଥିବା ଯାଏ ଗାଁ ସହ ସମ୍ପର୍କ । ତାପରେ ଆଉ ଗାଁରେ ଆମର ରହିବ ବା କଣ ? ଆମେ ଦି ଭାଇ ଆମର ଜମି କୋଉଠି ଚିହ୍ନୁନା, ଆମକୁ ମଧ୍ୟ ଗାଁରେ କେହି ଚିହ୍ନନ୍ତି ନାହିଁ । ସେଠି ଘର ତୋଳେଇବାରେ ଟଙ୍କା ଖର୍ଚ୍ଚ କରିବା ଯାହା, ସେ ଟଙ୍କାତକ ବାନ୍ଧିବୁନ୍ଧି ପାଣିରେ ପକେଇଦେବା ସେଇଆ । ନା ସେଠିକା ଘରବାଡ଼ି ଭଡ଼ା ଲାଗିପାରିବ ନା କିଛି କାମରେ ଆସିବ । ଠକମାନେ ଭୋଗ କରିବେ ।

 

ରଞ୍ଜୁ କହିଲା, “ଡାକ୍ତର କଣ କହିଲେ ?”

 

ମୁଁ ଉତ୍ତର ଦେଲି, “ବାପାଙ୍କୁ ନେଇ ଆସିବାକୁ ହେବ । ତାଙ୍କୁ ନ ଦେଖିଲେ ସେ କିଛି କହିପାରିବେ ନାହିଁ ।”

 

ରଞ୍ଜୁର ମୁହଁ ବିକଳ ଦିଶିଲା । ବାପା ଭୁବନେଶ୍ୱର ଆସିଲେ ତାରି ଉପରେ ସବୁ ଦାୟିତ୍ୱ ପଡ଼ିବ । ଘର କାମ କରିବାକୁ ଲୋକବାକ କେହି ନାହିଁ । ବୁଢ଼ା ମଣିଷ । ବିଛଣାରେ ଝାଡ଼ା, ପରିସ୍ରା କରି ଦେଉଛନ୍ତି । ତା ଉପରକୁ ପୁଣି ଏଇ ପାଗଳାମି ।

 

ମୁଁ ତା ମନକଥା ବୁଝିପାରିଲି । ବଡ଼ ପାଟିରେ କହିଲି, “ତୁମ ବାପା ହୋଇଥିଲେ ତୁମେ କଣ ଏମିତି ଭାବନ୍ତ ?”

 

ସେ ହାରିଗଲା ସ୍ୱରରେ କହିଲା, “ମୁଁ କଣ କରିବି କୁହ । ଝୁନାର ପରୀକ୍ଷା ସତର ତାରିଖରୁ ଆରମ୍ଭ ହେବ । ସାନଟା ତ ଘଡ଼ିଏ ଥୟ ଧରୁ ନାହିଁ । ମୋର କେତେଟା ହାତ, ମୁଁ କାହାକୁ ସମ୍ଭାଳିବି ?”

 

ରାଗ, ଅଭିମାନ ଓ ଅସହାୟତାରେ ମୋ ମୁଣ୍ଡର ଶିରାଗୁଡ଼ାକ ଟିଣ୍‌ଟିଣ୍‌ ହୋଇ ଉଠୁଥିଲା । ରଞ୍ଜୁକୁ ମୁଁ କଣ କହିବି ସ୍ଥିର କରିପାରୁ ନ ଥିଲି । ମଣିଷ ପୁଣି ଏତେ ଅସହାୟ ହୋଇଯାଏ !

 

ମୁଁ କହିଲି, “ତମେ ଯାହା ଯେମିତି ଚଳେଇଲେ ଚଳାଅ, କିନ୍ତୁ ବାପା ଆସିବେ । ସବୁଦିନ କଣ ଏମିତି ଖାଇପିଇ ନିଶ୍ଚିନ୍ତ ହୋଇ ବୁଲନ୍ତ !”

 

ମୋର ଏଇ ଶେଷକଥା ପଦକ ଓଟ ପିଠିର ଶେଷ ନଡ଼ାଖିଅ ପରି ରଞ୍ଜୁକୁ ଜଖମ କରିଦେଇଥିଲା । ସେ ନାକ ଫୁଲେଇ ଚଉଦ ବର୍ଷର ଘରକରଣା ଭିତରେ କି କି ସୁଖ ପାଇଛି, ତାର ଜବାବ ଲୋଡ଼ୁଥିଲା ।

 

: ମୁଁ କଣ ଏଠି ଝୁଲଣରେ ବସି ଝୁଲୁଛି ? ଚାକରାଣୀ ପରି ଖଟି ଖଟି ହାତ ପାଦରୁ ଚମ ଛିଡ଼ିଗଲାଣି । ଅଣ୍ଟାପିଠି ଦରଜ କରୁଛି । କେହି ଟିକିଏ ‘ଉଃ’ ବୋଲି କହିବାର ନାଁ ନାହିଁ, ଅଥଚ ମୋରି ଉପରେ ସମସ୍ତଙ୍କର ଅହନ୍ତା । କାହିଁକି, ବାପା ଯଦି ଏଠିକି ଆସିବେ, ଲିଟୁ ତା ସ୍ତ୍ରୀକୁ କିଛିଦିନ ପାଇଁ ପଠେଇ ଦେଉନାହିଁ ?

 

ରଞ୍ଜୁର ରାଗ କଥା ମୁଁ ଜାଣେ । ଥରେ ତା ମୁଣ୍ଡକୁ ପିତ୍ତ ଚଢ଼ିଗଲେ ସେ ଆଉ ଭଲମନ୍ଦ ଶୁଣେ ନାହିଁ । ଜିନିଷପତ୍ର ଫିଙ୍ଗାଫୋପଡ଼ାରୁ ତାର ପ୍ରତିକ୍ରିୟା ଆରମ୍ଭ ହୁଏ, ପିଲାମାନଙ୍କୁ ବିଧା ଚାପୁଡ଼ା ମାରିବା ଓ ଉପାସ ଶୋଇବାରେ ତାହା ଶେଷ ହୁଏ ।

 

ମୁଁ କାହାକୁ କିଛି ନ କହି ବସ୍‌ଷ୍ଟାଣ୍ଡ୍‌କୁ ଆଡ୍‌ଭାନ୍‌ସ ଟିକେଟ୍‌ କାଟିବା ପାଇଁ ବାହାରିଗଲି-। ବାପାଙ୍କୁ ଥରେ ଆଣି ଡାକ୍ତରଙ୍କୁ ଦେଖେଇ ନ ଦେଲେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ-। ଲୋକମାନେ କଣ କହିବେ ? କହିବେ, ମାଆର ଚିକିତ୍ସା ତ କରି ନ ଥିଲେ, ଏବେ ବାପାକୁ ବି...-

 

।। ତିନି ।।

 

ରାଉରକେଲା ବସ୍‌ରେ ବସି ମୁଁ ଆମ ଗାଁ କଥା ଭାବି ହେଉଥିଲି । ବଙ୍ଗୋପସାଗର କୂଳରେ ଛୋଟିଆ ଗାଁ । ଗୋଟେ ପଟେ ବନିମାଳ, ମନ୍ତେଇ ନଈ, ଆରପଟେ ତିନି ଚାରିଟା ଦ୍ୱୀପ ପରି ଦୂରଛଡ଼ା ଗାଁ କେତୋଟି । ତିନି ମାଇଲ୍‌ ଦୂରରେ ଛୋଟିଆ ବଜାର ।

 

ଖୁବ୍‌ ସାନ ଥିଲାବେଳେ ଥରେ ବାପା ଆମ ତିନିଭାଇଙ୍କୁ ନେଇ କାଦୁଅନାସି ଯାଇଥିଲେ-। ସେଇଠି ଆମର ସେପାରି ଘର । ଧାନ ଅମଳ ବେଳେ ମୂଲିଆମାନେ ସେପଟେ ରହନ୍ତି-। ତାଙ୍କ ପାଇଁ ନୁଆଁଣିଆ ଚାଳିଆମାନ ତିଆରି ହୋଇଥାଏ । ଘର ପଛପଟେ କଦଳୀ ବାଡ଼ି, କଦଳୀ ବାଡ଼ି ତଳକୁ ପୋଖରୀ ଓ ପୋଖରୀ ଚାରିକଡ଼େ ନଡ଼ିଆଗଛ ।

 

ବାପାଙ୍କର ବିଶ୍ୱସ୍ତ ଲୋକ ଥିଲା ଭ୍ରମରବର । ହରିଜନ ଲୋକ ହେଲେ ବି ଖୁବ୍‌ ସଫାସୁତୁରା । ବାପା ପହଞ୍ଚିଲା କ୍ଷଣି ସବୁ କାମଧନ୍ଦା ଛାଡ଼ି ତାଙ୍କ ସେବା କରିବା ପାଇଁ ସେ ଦଉଡ଼ି ଆସେ ।

 

ସେଇ ଭ୍ରମରବର ସେଦିନ ଆମ ପାଇଁ ରୋଷେଇ କରିଥିଲା ଉଷୁନା ଭାତ, ଚୁନାମାଛ ଚୁଡୁଚୁଡ଼ା, ଛତୁପୋଡ଼ା ଓ ବଡ଼ିଆମ୍ବିଳି । ଭୋକରେ ବାପପୁଅ ସମସ୍ତଙ୍କ କରଡ଼ି ଜଳୁଥିଲା । ଖାଉ ଖାଉ କେତେବେଳେ ହାଣ୍ଡିକଯାକ ଭାତ ସରିଥିଲା, ଆମେ ଜାଣିପାରି ନ ଥିଲୁ ।

 

ଖରାବେଳଟା ଆମେ ସେଇଠି କଟେଇଥିଲୁ । ବାପା ବତେଇ ଦେଇଥିଲେ, ଏଇ ଖାଲୁଆଜମିରେ ଲୀଳାବତୀ ଧାନଚାଷ ହୁଏ, କାହିଁକି ନା ଗରୁ ଧାନ । ବହୁତ ଡେରିରେ ଏ ଧାନ ପାଚେ । ଏପଟ ଜମିରେ ଜଟିଆ ଧାନ, ଏ ଧାନ ଭାଦ୍ରବ ବେଳକୁ ପାଚିଯାଏ । ସେପଟେ ସୋଲା, ପାଟିଣି । ସୋଲା ଧାନରେ ଭଲ ମୁଢ଼ି ହୁଏ ।

 

ଏ ପାଠରେ ମଝିଆଁ ଟିକେ ଆଗୁଆ । ସେ ତା ହାତ ଆଙ୍ଗୁଳିରେ ମୋତେ ବତେଇ ଦେଇଥିଲା, “ଟିକି ଟିକି ଧାନ, ଚିହ୍ନିଛୁ ?”

 

ମୁଁ ‘ହଁ’ ଭରିଥିଲି ।

 

ଛାଇ କଅଁଳ ହେଲା ପରେ ବାପା ଆମକୁ ନେଇ ଯାଇଥିଲେ ବିଜୟପାଟଣା । ବାସୁଦେବପୁର ଧାମରା ରାସ୍ତାକଡ଼ରେ ଶାନ୍ତ ସବୁଜ ଗାଁଟିଏ । ସେଇଠି ଆମର ଡିହଟେ ଥିଲା, ଯୋଉଥିରେ ଦୂରସମ୍ପର୍କୀୟ ନରେନ୍ଦ୍ର ପରିବା ଚାଷ କରୁଥିଲା ।

 

ବାପା ଡଗଡଗ ପାଦରେ ଆଗେଇ ଯାଇ ବାଲି ଉପରେ ଲୋଟୁଥିବା କଖାରୁ କଷିମାନଙ୍କୁ ଆଉଁଶି ଦେଇଥିଲେ । ବାଡ଼ିସାରା କାକୁଡ଼ି, ଲାଉ ଓ ଲଙ୍କା ଭର୍ତ୍ତି ହୋଇଯାଇଥିଲା । ବାପା କହିଥିଲେ, “ଇଏ ମାଟି ନୁହେଁ ସୁନା, ଏଠି ମଞ୍ଜିଟେ ପକେଇଲେ ଭରଣେ ଫଳେ ।”

 

ନରେନ୍ଦ୍ର ଆମକୁ କଷି କାକୁଡ଼ି ତୋଳି ଆଣି ଦେଇଥିଲା । ତା ଝିଅ ଗୋଟେ ଗିନାରେ ଆଣି ଦେଇଥିଲା ଲୁଣ ଓ କଞ୍ଚା ଲଙ୍କା । ଆମେ ତିନିହେଁ ସେଇଠି ଘାସ ଉପରେ ବସି କାକୁଡ଼ି ଖାଇଥିଲୁ ।

 

ଫେରିବାବେଳେ ବାପା କହିଥିଲେ, “ମୋର ଇଚ୍ଛା, ଜଣେ ରହିବ ଗାଁରେ, ଜଣେ କାଦୁଅନାସିରେ ଓ ଆଉ ଜଣେ ବିଜୟପାଟଣାରେ । ଗାଁରେ ଧାନ, କାଦୁଅନାସିରେ ମାଛ ଓ ବିଜୟପାଟଣାରେ ପରିବା ।”

 

ବାପାଙ୍କ ଉପରେ ସେଦିନ ସମ୍ପୂର୍ଣ୍ଣ ନିର୍ଭରଶୀଳ ଆମେ ପଚାରିଥିଲୁ, “ତୁମେ କୋଉଠି ରହିବ ! ଆଉ ବୋଉ ?”

 

ତାପରେ ଆମ ଭିତରେ ବାପାବୋଉଙ୍କ ଉପରେ ଆମର ଅଧିକାରକୁ ନେଇ ଭିଡ଼ାଓଟରା ଲାଗିଥିଲା । ବାପା ମୀମାଂସାର ସୂତ୍ର ବାହାର କରିଥିଲେ, ଆମେ ଦି ଜଣ ଚାରି ଚାରି ମାସ ପାଳି କରି ତିନି ଜାଗାରେ ରହିବୁ ।

 

ଆମେ ଚୁପ୍‌ ହୋଇଯାଇଥିଲୁ ।

 

ସେଦିନ ଫେରିବାବେଳେ ଆମେ ବାପପୁଅ ଚାରିଜଣ ଚାରିଟି ଝୁଲାରେ ପନିପରିବା ଧରି ଫେରିଥିଲୁ । ମନ୍ତେଇରେ ଜୁଆର ଆସିଥିଲା ଜହ୍ନ ଦେଖି । ବାପା କହିଥିଲେ, “ଛାଡ଼ ବଅର ହୋଇଥିଲେ ତୁମେମାନେ ଆଣ୍ଠୁଏ କାଦୁଅରେ ପଶିଥାଆନ୍ତ ।”

 

ମୁଁ ପଚାରିଲି, “ଏଇ ନଈର ଭଅଁରାବାଙ୍କରେ ବହୁତ ଲୋକ ମରିଛନ୍ତି ନା ?”

 

ବାପା କହିଥିଲେ, “ହଁ ।”

 

ତାପରେ ସେ ବୁଝେଇଥିଲେ, ଭଅଁରା ବାଙ୍କରେ ପାଣିସୁଅ କେମିତି ଗାଈଗୋରୁ ଓ ମଣିଷକୁ ମୋଡ଼ିମକଚି ବୁଡ଼େଇ ଦିଏ ।

 

ଲିଟୁ ସେତେବେଳେ ସାନ ଥିଲା । କାହାଠୁ ଶୁଣିଥିଲା ପରି ପଚାରିଥିଲା, ଆମ ଅଜା ଏଇ ନଈରେ ମଇଁଷି ଲାଞ୍ଜ ଧରି ପାର ହେଉ ନ ଥିଲେ ?

 

ବାପା କହିଲେ, “ହଁ, ହଁ । କେତେ ବଡ଼ ନଈ କି ! ଛାଡ଼ବେଳେ ତୁ ତ ପହଁରିଯିବୁ ।”

 

ଆମେ ସବୁ ହୋ-ହୋ ହେଇ ହସିଥିଲୁ । ଡରୁଆ ଲିଟୁର ମନ୍ତେଇ ପହଁରିବା ଉପାଖ୍ୟାନଠୁଁ ବଳି ଆଉ ଭଲ ହସିବା କଥା କିଛି ହୋଇ ପାରି ନ ଥାନ୍ତା ।

 

ବାପା ବୁଝେଇଥିଲେ, “ହସ ନାହିଁ । ସାନପିଲା, ତାକୁ ଲାଜ ମାଡ଼ିବ ଓ ସେ କାନ୍ଦି ପକେଇବ । ସାଙ୍ଗରେ ତମ ବୋଉ ଆସି ନାହିଁ ଯେ ଲିଟୁକୁ ବୁଝେଇବ ।”

 

ବାପା ସତ କହୁଥିଲେ । ଲିଟୁଟା ନାକକାନ୍ଦୁରା । ଥରେ ସୁଁ ସୁଁ ଆରମ୍ଭ କଲେ ବୁଝେଇବାକୁ ଓଳିଏ ଲାଗିଯାଏ ।

 

ଡଙ୍ଗା ଏପଟରେ ଆସି ଲାଗିଲାବେଳକୁ ଜହ୍ନ ଆମ ତେନ୍ତୁଳିଗଛ ମୁଣ୍ଡ ଉପରେ ପହଞ୍ଚି ସାରିଥିଲା । ବଣିଆ ସାହି ପାଖରୁ କାଦୁଅନାସି ଦିଶୁଥିଲା ପରୀ କାହାଣୀର ସ୍ୱପ୍ନରାଜ୍ୟ ଭଳି । ତାର ଡେଙ୍ଗା ନଡ଼ିଆଗଛ ଉପରେ ଜହ୍ନ କିରଣ ଝଲସି ଉଠୁଥିଲା । ମନ୍ତେଇର ପିଠି ମାଛକାତି ପରି ଚିକ୍‌ଚିକ୍‌ ଦିଶୁଥିଲା ।

 

ମୁଁ ମନେ ମନେ ମୋର ପିଲାଦିନ ସାମ୍ନାରେ ଆଣ୍ଠୁ ମାଡ଼ି ଭୁଲ୍‌ ମାଗୁଥିଲି । କଣ ବା କରିଥାନ୍ତି ମୁଁ ! ବାପାଙ୍କର ଚାଳିଶ ବର୍ଷ ବେଳେ ମୋର ଜନ୍ମ । ଅବସର ନେଲାବେଳକୁ ତାଙ୍କର ସଞ୍ଚୟ ବୋଲି କାଣି କଉଡ଼ିଟିଏ ନାହିଁ । ତାପରେ ଦି ଭାଇଙ୍କ ପାଠପଢ଼ା, ମୋ ବାହାଘର, ପଛକୁ ଆର ଦି ଜଣଙ୍କର । ଏହା ଭିତରେ ବାପାଙ୍କର ସ୍ୱପ୍ନ ପଛରେ ରହିଯାଇଛି, ଅଣ୍ଟା ସଳଖି ଗାଁ ଆଡ଼େ ଚାହିଁବାକୁ ସାହସ କୁଳେଇ ନାହିଁ ।

 

ଜାଣିଛି, ବାପା ବେଳେ ବେଳେ ଅଭିମାନ କରନ୍ତି । ଆମେମାନେ କେହି ଗାଁକୁ ଯାଉନାହୁଁ ବୋଲି ତାଙ୍କର ସେ ଅଭିମାନ । କିନ୍ତୁ କଟକରୁ ବସ୍‌, ଭଦ୍ରକରୁ ଟ୍ରେକର ଓ ଶେଷକୁ ଚାଲି ଚାଲି ଯାଇ ଗାଁରେ ପହଞ୍ଚିଲାବେଳକୁ ଭଲ ଲୋକ ବି ବେମାର ହୋଇଯାଏ । ସେମିତି ଗାଁକୁ ସବୁବେଳେ ଯା ଆସ କରିବା କଣ ସମ୍ଭବ ?

 

ବାପା କୁହନ୍ତି, ଚୁଙ୍ଗା ଚିଠି ଲେଖିଥିଲା–ଗାଁରେ ସମସ୍ତେ ତାଙ୍କୁ ଉଠାକୁଳିଆ କହୁଛନ୍ତି । ତିନି ତିନିଟା ପୁଅ ବାହାଘର କଲେ, ଗାଁ ଲୋକଙ୍କୁ ମାନଗୋବିନ୍ଦ ବାବୁ ଭୋଜିଟାଏ ବି ଦେଲେ ନାହିଁ ।

 

ମୁଁ ବୁଝାଏ, “ଏଥର ଖରାଦିନେ ଆମେ ସମସ୍ତେ ଗୋଟେ ଗାଡ଼ି କରି ଗାଁକୁ ଯିବା । ଅଷ୍ଟପ୍ରହରୀ କୀର୍ତ୍ତନ କରାଇବା । ଆମିଷ ନିରାମିଷ କରି ଦି ବେଳା ଭୋଜି ଦେଇ ଫେରିଆସିବା ।”

 

ବାପାଙ୍କ ମୁହଁ ଉଜ୍ଜ୍ୱଳି ଉଠେ । ବୋଉ କେତେବେଳେ ପଛରୁ ଆସି ମୋ ମୁଣ୍ଡବାଳ ସାଉଁଳଉଥାଏ ।

 

କିନ୍ତୁ ଖରାଦିନ ପରେ ଖରାଦିନ ଆସି ଚାଲିଯାଇଛି । ଆମେମାନେ ଗାଁରେ ଭୋଜି ଦେଇ ପାରିନାହୁଁ । ଆମ ଭୋଜିକୁ ଅପେକ୍ଷା କରି କରି ବୋଉ ଚାଲିଯାଇଛି । ମୁଣ୍ଡରୁ ଦାୟିତ୍ୱ ଖସେଇ ମଝିଆଁ ବି ଫେରିଯାଇଛି ଅଧାବାଟରୁ । ବୋଉର ଚିକିତ୍ସା ଓ ମଝିଆଁର ଶୁଦ୍ଧିକାମ ତୁଟେଇବାରେ ଆମେ ଦୁହେଁ ଦୁହିଁ ହୋଇଯାଇଛୁ ।

 

ମଧ୍ୟବିତ୍ତ ପରିବାର ଦଶା ଗରିବର କସ୍ତାଲୁଗା ପରି । ପିନ୍ଧିଲେ ଘୋଡ଼ି ହେବାକୁ ନ ଥାଏ, ଘୋଡ଼େଇ ହେଲେ ପିନ୍ଧିବାକୁ ପାଏନା ।

 

ବସ୍‌ଟା ତାଳଚେର ଟପି ଆସିଲାଣି । ଝରକା ଦେଇ ଥଣ୍ଡା ପବନ ଆଞ୍ଜୁଳା ଆଞ୍ଜୁଳା ବୋହି ଆସୁଛି ।

 

ମୁଁ ପୁଣି ଥରେ ମନେ ମନେ ହିସାବ କଲି । ଦୁଇ ତିନି ବଖରା ଘର ତୋଳିବାକୁ କେତେ ଖର୍ଚ୍ଚ ହେବ । ଟଙ୍କା ପଚିଶ ତିରିଶ ହଜାର ହୁଏତ ଲାଗିଯିବ । ଜି.ପି.ଏଫ୍‌.ରୁ ମୋର ଅବଶିଷ୍ଟ ସଞ୍ଚୟତକ ଆଣିଲେ ତାହା ପନ୍ଦର ହଜାରରୁ ବେଶି ହେବ ନାହିଁ । ଲିଟୁ କଣ ଅବଶିଷ୍ଟ ଟଙ୍କା ଦେବ-!

 

ଭୁବନେଶ୍ୱର ଘର ତିଆରି କାମ ଆରମ୍ଭ କରି ନ ଥିଲେ ଭଲ ହୋଇଥାଆନ୍ତା । ମାତ୍ର ଶସ୍ତାରେ ଜମି ଖଣ୍ଡକ ମିଳିଥିଲା । ସେଇଟିକୁ ହାତଛଡ଼ା କରିଥିଲେ ହୁଏତ ପଛକୁ ପସ୍ତେଇବାକୁ ପଡ଼ିଥାଆନ୍ତା ।

 

ମୁଁ ତ୍ରିଶଙ୍କୁ ପରି ମଧ୍ୟସ୍ୱର୍ଗରେ ଝୁଲି ରହୁଥିଲି । କଣ କରିବି, କଣ ନ କରିବି ତାହା ସ୍ଥିର କରିପାରୁ ନ ଥିଲି । ଘଟଣାଗୁଡ଼ିକ ମୋ ଆୟତ୍ତ ବାହାରକୁ ଚାଲିଯାଉଥିଲେ ।

 

।। ଚାରି ।।

 

ଲିଟୁ ଘର ସାମ୍ନାରେ ପାଞ୍ଚ ଛଅ ଜଣ ଲୋକ ଠିଆ ହୋଇଥିଲେ । ମୋ ମନର ଆଶଙ୍କା ବଢ଼ିଗଲା । ବାପାଙ୍କ ଦେହ କଣ ବେଶି ଖରାପ ହୋଇପଡ଼ିଲା କି !

 

ଲିଟୁ ଘର ବାହାର ହେଉଥିଲା । ମୋତେ ଦେଖୁ ଦେଖୁ କହିଲା, “କାଲି ରାତିରୁ ବାପା କୁଆଡ଼େ ପଳେଇ ଯାଇଛନ୍ତି ।”

 

ମୁଁ ଲଥ୍‌ କରି ଚଉକିଟା ଉପରେ ବସିପଡ଼ିଲି । ପଚାରିଲି, “କିନ୍ତୁ କୁଆଡ଼େ ଗଲେ ?”

 

ଲିଟୁର ସ୍ତ୍ରୀ କହିଲା, “ଜାଣୁଛ ପାଗଳା ଲୋକ, ଟିକିଏ ହୁସିଆର ରହିବା ଉଚିତ ଥିଲା । ଦୁର୍ବଳିଆ ରୋଗିଣା ଲୋକ, ଗଲେ କୁଆଡ଼େ ?”

 

ଲିଟୁ ସ୍କୁଟର ଷ୍ଟାର୍ଟ କରି କଲୋନିର ଚିହ୍ନା ପରିଚୟ ସମସ୍ତଙ୍କ ଘର ଖୋଜି ଆସିଲା । ଅତୀତର ଅଭିଜ୍ଞତା କଥା ମନେ ପକେଇ ମୁଁ କହିଲି, “ଏଆଡ଼େ ଖୋଜି ଲାଭ ନାହିଁ । ମୁଁ ଭାବୁଛି, ବାପା ନିଶ୍ଚୟ ଗାଁକୁ ପଳେଇଥିବେ ।”

 

: ରାତିରେ ଫୋନ୍‌ କଲାବେଳକୁ ନୂଆବୋଉ କହିଲେ ତମେ ବାହାରି ଆସିଲଣି । ନ ହେଲେ ମୁଁ ତମକୁ ସେ ବାଟେ ଗାଁକୁ ଯିବାଲାଗି କହିଥାଆନ୍ତି । –ଲିଟୁ କହୁଥିଲା ।

 

: ତାଙ୍କ ପାଖରେ କିଛି ଟଙ୍କା ପଇସା ଥିଲା ? –ମୁଁ ପଚାରିଲି ।

 

: ଜାଣେ ନାହିଁ । ତମେ ଯେଉଁ ଟଙ୍କା ମନିଅର୍ଡର କରିଥିଲ ସେସବୁ ସେ ମୋତେ ଦେଇ ଦେଇଥିଲେ । ହୁଏତ ଅଳ୍ପ କିଛି ଥିବ । କିନ୍ତୁ...

 

ଆଗରୁ ଥରେ ଭୁବନେଶ୍ୱରରେ ଥିବାବେଳେ ଏମିତି କାହାକୁ କିଛି ନ କହି ବାପା ଗାଁକୁ ପଳେଇଥିଲେ । ତାପରେ ଥରେ, ଏଇ ରାଉରକେଲାରେ ଦିପହର ବେଳେ କାହାକୁ କିଛି ନ କହି ତାରିଣୀ ମନ୍ଦିରକୁ ଚାଲିଯାଇ ସେଇଠି ବସିଥିଲେ । ଏଥର ହୁଏତ ଗାଁକୁ ଚାଲିଯାଇଥିବେ ।

 

ଲିଟୁ କହିଲା, “ବାପା କିଛି କରି ବସି ନ ଥିବେ ତ !”

 

ମୁଁ ତା ପିଠିରେ ହାତ ରଖିଲି । ସେମିତି ଅଶୁଭ କଥା ମନକୁ ଆଣ୍‌ନା । ଦିନରେ ତ ଗାଡ଼ିଘୋଡ଼ା ନାହିଁ । ତୁ ଯା, ଗୋଟେ ଟ୍ୟାକ୍ସି ଡାକି ଆଣ । ଆମେ ସାଙ୍ଗେ ସାଙ୍ଗେ ବାହାରିପଡ଼ିବା ।

 

ଲିଟୁ ଟ୍ୟାକ୍ସି ଖୋଜିବା ପାଇଁ ବାହାରିଗଲା ।

 

ତା ସ୍ତ୍ରୀ ମୋ ଲାଗି ଚା ତିଆରି କରିବା ପାଇଁ ବାହାରୁଥିଲା । ମୁଁ ମନା କଲି । ତାକୁ ପଚାରିଲି, ‘ବାପା କିଛି କହୁଥିଲେ କି ?’ ସେ କହିଲା, “ମନକୁ ମନ କଣ ଇଆଡ଼ୁ ସିଆଡ଼ୁ କହୁଥିଲେ-। ମୁଁ ନିଦ ଔଷଧ ଦେବା ପାଇଁ ଗଲାରୁ ମୋ ଉପରେ ଚିଡ଼ି ଉଠିଲେ । ତାପରେ କାଇଁ କିଛି ମୁଁ ଶୁଣିନାହିଁ ।”

 

ମୋ ମୁଣ୍ଡ ଭିତରେ ଝଡ଼ ପରେ ଝଡ଼ ଉଠୁଥିଲା । ଅଶୀ ବର୍ଷର ବୁଢ଼ାଲୋକ । ଅଣ୍ଟା ନୋଇଁଗଲାଣି, ଦେହ ଖରାପ ହେବା ଦିନରୁ ଭଲକରି କିଛି ଖିଆପିଆ କରୁନାହାନ୍ତି । ଏଥିରେ ସେ କେମିତି ଏତେ ବାଟ ଯାଇଥିବେ ?

 

ବାଟସାରା ଲିଟୁ ଓ ମୁଁ ଚୁପ୍‌ଚାପ୍‌ ବସିଥିଲୁ । ମୋ ଆଖିରେ ନିଦ ନ ଥିଲା କି ପେଟରେ ଭୋକ । ଲିଟୁ ଆଖି ସାଙ୍ଗରେ ମୋର ଆଖି ମିଶିଗଲା ବେଳକୁ ମୁଁ ଦୁର୍ବଳ ହୋଇ ପଡ଼ୁଥିଲି । ମଝିରେ ମଝିରେ ଲିଟୁ ସାନଛୁଆ ପରି ପଚାରୁଥିଲା, ‘ବାପା କଣ ଗାଁକୁ ଯାଇଥିବେ ?’

 

ଘଣ୍ଟେଶ୍ୱରରେ ପହଞ୍ଚିଲାବେଳକୁ ମୁହଁସଞ୍ଜ ହେଲାଣି । ବାଟରେ ଗାଁ ଆଡ଼କୁ ଯାଉଥିବା ହାଟ ଫେରନ୍ତା ଲୋକମାନେ ଦେଖା ହେଉଥିଲେ । କିନ୍ତୁ ସେମାନେ କେହି କିଛି କହିପାରୁ ନ ଥିଲେ-। ଓଲଟି ଆମକୁ ପଚାରୁଥିଲେ, “ମାନଗୋବିନ୍ଦବାବୁ ଗାଁକୁ କାହିଁକି ଆସିବେ ? ତାଙ୍କର ବା ଏ ଗାଁ ସାଙ୍ଗେ ସମ୍ପର୍କ କଣ ?”

 

ଆମେ ଦି ଜଣଙ୍କୁ କେହି ଅବା ଲଙ୍ଗଳା ମୁକୁଳା କରି ତେନ୍ତୁଳି ଛାଟରେ ପାହାର ପରେ ପାହାର କଷି ଦେଇ ଯାଉଥିଲା । ଆମେ ଲାଜରେ କଇଁଛ ତା ମୁହଁ ଖୋଳପା ଭିତରକୁ ଟାଣିନେଲା ପରି, ଗାଡ଼ି ଭିତରକୁ ଆମ ମୁହଁ ଫେରାଇ ଆଣୁଥିଲୁ ।

 

ଗାଁ ଦାଣ୍ଡରେ ପହଞ୍ଚିଲାବେଳକୁ ରାତି ଆଠଟା । ଶୁକ୍ଳପକ୍ଷର ଜହ୍ନ ଆଲୁଅରେ ଭଙ୍ଗା ଘରଡିହଟା ଗୋଟେ ପ୍ରାଗୈତିହାସିକ ଜାନୁଆର ପରି ଦିଶୁଥାଏ । ଘର ଭିତରୁ ଖୁଡ଼ୀ ବାହାରି ଆସୁଥିଲେ । ଆମେ ଦୁହେଁ ତାଙ୍କୁ ଜୁହାର ହୋଇ ଏକା ସମୟରେ ପଚାରିଲୁ, “ବାପା ?”

 

ଖୁଡ଼ୀ କହିଲେ, “ଏବେ ତ ତମ ଡିହ ଉପରେ ଚଲାବୁଲା କରୁଥିଲେ । ସଞ୍ଜ ଦେଇସାରି ‘ଚା ବସେଇବି କି’ ବୋଲି ପଚାରିଲାରୁ ନାହିଁ କଲେ ।”

 

ଆମ ଦିହିଁଙ୍କ ପିଣ୍ଡରେ ଏତେବେଳେ ଯାଇ ପ୍ରାଣ ପଶିଲା । କିନ୍ତୁ ବାପାଙ୍କ ପରି ରୋଗିଣା ମଣିଷ ଏତେଗୁଡ଼ାଏ ବାଟ ଆସିଲେ କେମିତି ? ଗାଁକୁ ବା କାହିଁକି ହଠାତ୍‌ ଚାଲି ଆସିଲେ-?

 

ଲିଟୁ ଆଗତୁରା ଆମ ଡିହଯାଏ ଚାଲିଯାଇଥିଲା । ସେଇଠୁ ସେ ଡାକ ପକେଇଥିଲା, “କାହିଁ, ବାପା ତ କେଉଁଠି ଦିଶୁ ନାହାନ୍ତି ।”

 

ଆମ୍ବାସାଡର କାର୍‌ଟାକୁ ଘେରି ଆମ ଗାଁର ସାନ ସାନ ପିଲାଏ ରୁଣ୍ଡ ହୋଇଥିଲେ । ଡ୍ରାଇଭର ବିଚରା ତାର କ୍ଳାନ୍ତି ଓ ଭୋକଶୋଷ ଭୁଲି ସେମାନଙ୍କୁ ଘଉଡ଼ଉଥିଲା । ତାର ଆଶଙ୍କା ବୃଥା ନୁହେଁ । କେହି ଦୁଷ୍ଟ ପିଲା କଣ କିଛି ଭାଙ୍ଗିରୁଜି ଦେଲେ ତାର ଲାଭଠୁଁ କ୍ଷତି ବଳି ପଡ଼ିବ ।

 

ମୁଁ ଚାଲିଲା ଚାଲିଲା ହୋଇ ଆମ ଡିହଯାଏ ଗଲି ।

 

ଦାଦା ତାଙ୍କ ଅଂଶତକ ଭାଙ୍ଗି ନେଲା ପରେ ଘରଟା ଛାଆଁକୁ ଛାଆଁ ଭୁଶୁଡ଼ି ପଡ଼ିଛି । ଦିନେ ଏଇଠି ଆମର ଘର ଥିଲା । ଏଇଠି ଥିଲା ରୋଷେଇ ଘର । ଏଇ ରୋଷେଇ ଘରେ ବୋଉ ମାଛ ଭାଜୁଥିଲା, ପିଠା ତିଆରୁଥିଲା । ବାପା ଏଇଠି ପିଣ୍ଡା ଉପରେ ବସି ବହି ପଢ଼ୁଥିଲେ । ଆମେମାନେ ଏଇଠି ମେଲାଘରେ ପଡ଼ିଥିବା ଖଟ ଉପରେ ଡିଆଁକୁଦା କରୁଥିଲୁ ।

 

ଚାଦର ଘୋଡ଼ି କେହି ଜଣେ ଅଧକାନ୍ଥିକୁ ଆଉଜି ବସିଥିଲା । କିଏ ?

ମୁଁ ଲିଟୁକୁ କହିଲି, ‘ଗଲୁ ଟର୍ଚଟା ଆଣିଲୁ ।’

କିନ୍ତୁ ଟର୍ଚ ଆଣିବା ପ୍ରୟୋଜନ ନ ଥିଲା । ଚାଦର ଘୋଡ଼ି କାନ୍ଥକୁ ଆଉଜି ବସିଥିବା ବାପାଙ୍କୁ ଚିହ୍ନିବାରେ ମୋର କୌଣସି ଅସୁବିଧା ହୋଇ ନ ଥିଲା ।

କିନ୍ତୁ ବାପାଙ୍କ ଦେହ ବରଫ ପରି ଶୀତଳ ଲାଗୁଥିଲା କାହିଁକି ? ଆମେ ଦି ଭାଇ ଚିତ୍କାର କରି ଉଠିଲୁ, “ବାପା ! ବାପା !”

କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ବାପା ସେଇ ଅଧକାନ୍ଥିକୁ ଆଉଜି ଆଖି ବୁଜି ଦେଇଥିଲେ । ସେଇଠି, ସେଇ ଜାଗାରେ–ଯୋଉଠି ଆମର ଘର ଥିଲାବେଳେ ବାପା ଖାଇସାରି ପ୍ରାୟତଃ ବସୁଥିଲେ ।

ବାପାଙ୍କ ପକେଟ୍‌ରୁ କାଗଜ ମେଞ୍ଚାଏ ବାହାରି ତାଙ୍କ ଫତେଇ ଉପରେ ଖେଳେଇ ପଡ଼ିଥିଲା । ମୁଁ ସେ କାଗଜଗୁଡ଼ାକୁ ଗୋଟିଏ ପରେ ଗୋଟିଏ ଖେଳେଇ ଯାଉଥିଲି । କିନ୍ତୁ କୌଣସି କାଗଜରେ କିଛି କଥା ଲେଖା ନ ଥିଲା । ସବୁଯାକ କାଗଜ କେବଳ ବଙ୍କାତେଢ଼ା ନକ୍‌ସାରେ ଭର୍ତ୍ତି ହୋଇଥିଲା–ପ୍ରସ୍ତାବିତ ଗାଁ ଘରର ନକ୍ସା ।

ବଙ୍କା ତେଢ଼ିଆ ଅକ୍ଷରରେ ବାପା ସେ ନକ୍ସାରେ ଠାଏ ଠାଏ ଲେଖିଥିଲେ–ବୁଢ଼ା ଘର, ଲିଟୁ ଘର, ମଝିଆଁ ବୋହୂ ଘର, ଠାକୁର ଘର; ବୁଢ଼ା ଘର, ଲିଟୁ ଘର, ମଝିଆଁ ବୋହୂ ଘର, ଠାକୁର ଘର; ବୁଢ଼ା ଘର...

 

ସବୁ କାଗଜରେ ସେଇ ଏକା କଥା ।

 

ଘର କଥା ।

☆☆☆

 

Unknown

କାଚ କଣ୍ଢେଇ

 

ଯେତେବେଳେ ପାଚିଲା ଆମ୍ବ ଓ ପଣସର ମିଠା ବାସ୍ନାରେ ଘଣ୍ଟେଶ୍ୱର ହାଟପଟିର ନୁଖୁରା ମଳିଛିଆ ଓ ଧୂଳିଆ ଚେହେରା ମହ ମହ ବାସିଉଠେ, ସେତିକିବେଳେ ପହିଲି ରଜ ଆସେ ଆମ ଗାଁକୁ । ଲଙ୍କାଆମ୍ବ ବଣରେ ମହୁମାଛିଙ୍କର ମେଲଣ ସରି ନ ଥାଏ, ତେନ୍ତୁଳି ଗଛ ଡାଳରେ କାଉଗୋଠ ପରି ମନ୍ତେଇ ମଥା ଉପରେ ଓହଳିପଡ଼େ କଳା ବଉଦ । ପହିଲି ରଜର ଆସିବା ରାସ୍ତାରେ ଆମ ଗାଁ ପବନ ବିଛେଇ ଦିଏ ଚୁନି ଚୁନି କରଞ୍ଜ ଫୁଲ । ବଡ଼ ପୋଖରୀର ଗୋଳିଆ ପାଣିରେ ଝିଅମାନେ ନିଜ ନିଜର ତୋଫା ଦେହ ଘଷିମାଜି ହୁଅନ୍ତି, ରୋଷେଇ ଘରେ ପୋଡ଼ପିଠାର ବାସ୍ନା ଛୁଟେ, ସ୍କୁଲ ପଡ଼ିଆରେ ଘାସ ଗଛଗୁଡ଼ିକ କେନା ମେଲେଇ ବଢ଼ିଚାଲନ୍ତି ଓ ଆମ ଗାଁ ରାସ୍ତାରେ କାଚ, ଅଳତା ଆଉ ରିବନ ବିକାଳିଙ୍କର ଭିଡ଼ ବଢ଼ିଯାଏ ।

 

ଏବଂ ସେତିକିବେଳେ ଆସନ୍ତି ବଟଦାଦି । ତାଙ୍କର ବଗପରି ଧୋବଫରଫର କୁର୍ତ୍ତା ଦିଶିଯାଏ ନୂଆ ପୋଖରୀ ଆଡ଼ିରୁ; କାନ୍ଧ ଉପରେ ନାଲି ଗାମୁଛା, ପାଦରେ ନେଳି ଚପଲ ଓ ଦୁଇ ହାତରେ ଦିଇଟି କୁହୁକ ଝୁଲା । ଆଉ ଜଣେ କେହି ବଟଦାଦିଙ୍କର ବଡ଼ ଗଣ୍ଠୁଲିଟିକୁ କେତେବେଳେ ହାତରେ ଓହଳେଇ ତ କେତେବେଳେ କାନ୍ଧରେ କାନେ୍ଧଇ ତାଙ୍କ ପଛେ ପଛେ ଚାଲୁଥାଏ–ଯେଉଁଥିରେ ଥାଏ ଗୋଛା ଗୋଛା ସ୍ୱପ୍ନ, ବିଡ଼ା ବିଡ଼ା ବିସ୍ମୟ ।

 

ଆମର ଘଟଣାହୀନ କୈଶୋରର ଶାଖାରେ, ଆମ୍ବଗଛ ଶାଖାରେ ବଉଳ ଖୁନ୍ଦିହେଲା ପରି ଘଟଣାମାନ ଖୁନ୍ଦି ହୋଇଯାଏ । ଆମେମାନେ ବଟଦାଦିଙ୍କର ପାଖାପାଖି ହେବା ପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଆରମ୍ଭ କରିଦେଉ । ଚଢ଼େଇର ଡେଣା ପରି ଆମେ ଆମର ଦୁଇ ହାତ ମେଲେଇ ଚକାଚକା ଭଉଁରି ଖେଳୁ । ସେଇ ନୂଆ ପୋଖରୀ ଆଡ଼ି ପାଖରୁ ହିଁ ଆମେ ବଟଦାଦିଙ୍କୁ ଶଙ୍ଖୋଳି ଆଣୁ ।

 

ମୁଁ ଚଟ୍‌କରି ବଟଦାଦିଙ୍କ ହାତରୁ ଗୋଟାଏ ଝୁଲା ଆଣିବା ପାଇଁ ହାତ ବଢ଼େଇ ଦିଏ । ମୋ ମନର ରହସ୍ୟ ଭେଦ ପାଇଁ ଅସମର୍ଥ ବଟଦାଦି ମୋର ଆଜ୍ଞାବହତା ଓ ଭକ୍ତିରେ ମୁଗ୍ଧ ହୁଅନ୍ତି-। ବାଁ ହାତର ଝୁଲାଟି ମୋ ହାତକୁ ବଢ଼େଇ ଦେଉ ଦେଉ କହନ୍ତି, ‘ହୁସିଆରିରେ ଧରିବୁ, ପଡ଼ିଯିବ-।’

 

ବଟଦାଦିଙ୍କର ସେଇ ଓଜନିଆ ଝୁଲାଟି ମୋତେ ଫୁଲଭର୍ତ୍ତି ଚାଙ୍ଗୁଡ଼ି ପରି ହାଲୁକା ଲାଗେ । ମୁଁ ଡଗଡଗ ପାହୁଣ୍ଡ ପକେଇ ବଟଦାଦିଙ୍କୁ ଆଗେ ଆଗେ ବାଟ କଢ଼େଇ ଆଣେ । ବଟଦାଦି ପଚାରନ୍ତି, ‘‘ସ୍କୁଲ ଛୁଟି ହୋଇଗଲାଣି କିରେ ?’’ ଆଉ କେହି କିଛି ଉତ୍ତର ଦେବା ଆଗରୁ ମୁଁ କହେ, ‘‘ହଁ । କୋଉଦିନୁ ।’’

 

ବଟଦାଦି ବଡ଼ ପୋଖରୀର ପଥର ପାହାଚରେ ଗୋଡ଼ହାତ ଧୁଅନ୍ତି । ତାପରେ ସିଧା ଯାଇ ଚନ୍ଦ୍ରଶେଖର ମହାଦେବଙ୍କୁ ମୁଣ୍ଡିଆ ମାରନ୍ତି । ସେଇଠୁ ଆର ଝୁଲାଟି ଆଉ ଜଣେ କାହା ହାତକୁ ବଢ଼େଇ ଦେଇ ସେ ଗୁରୁଜନମାନଙ୍କୁ ଓଳଗି-ଦଣ୍ଡବତ ଜଣାଇ ଜଣାଇ ଘରକୁ ଆସନ୍ତି ।

 

ଘର ଅଗଣାରେ ତାଙ୍କୁ ଅପେକ୍ଷା କରି ରହିଥାଏ ଗୋଟେ କୁନି ମଙ୍ଗଳା ଯାତ୍ରା । ବୋଉ ଯାଇ ଚଟିଆଟିଏ ପାରିଦିଏ ପିଣ୍ଡା ଉପରେ, ଗେହ୍ଲାଦେଈ ପାଣି ଢାଳଟିଏ ଆଣି ଥୋଇଦିଏ । ଖୁଡ଼ୀ ଗୋଟେ ବିଞ୍ଚଣା ଆଣି ବଟଦାଦିଙ୍କ ହାତକୁ ବଢ଼େଇ ଦିଅନ୍ତି । ବାପା ବଟଦାଦିଙ୍କୁ କଲ୍ୟାଣ କରୁ କରୁ ଆମମାନଙ୍କୁ ତାଗିଦ୍‌ କରନ୍ତି, ‘‘ଲୋକଟାକୁ ଟିକିଏ ପବନ ଖାଇବାକୁ ଦିଅ । ଚାରିପଟୁ ଘେରି କଣ ଦେଖୁଛ ?’’

 

ମାତ୍ର ଆମେମାନେ ବାପାଙ୍କର ସେ ତାଗିଦାକୁ ଦେହର ମଳିପରି ଝାଡ଼ିଝୁଡ଼ି ଦେଉ । ଆମର ଆଖିଗୁଡ଼ିକ ବଟଦାଦିଙ୍କ ବ୍ୟାଗ୍‌ ଓ ବଡ଼ ଗଣ୍ଠିଲିଟି ଉପରେ ଥାଏ । ବଟଦାଦି ଘର ଭିତରକୁ ଚାହିଁ କହନ୍ତି, ‘‘ଆଗେ ପିଲାଙ୍କ କଥା ଟିକିଏ ବୁଝିଦେଲ ।’’

 

ତାପରେ ଖୁଡ଼ୀ ଆମକୁ ଖଇ ଉଖୁଡ଼ା ବାଣ୍ଟିଲା ପରି ଚଉଠେ ଚଉଠେ ସନ୍ଦେଶ ଦିଅନ୍ତି । ପାଟିରେ ଦେଉ ଦେଉ ସେତକ କୁଆପଥର ପରି କୁଆଡ଼େ ମିଳେଇ ଯାଏ । ବଟଦାଦିଙ୍କର ଅନ୍ୟ ଜିନିଷ ଉପରେ ଡାଆଣା ସାଙ୍ଗମାନଙ୍କର ନଜର ପଡ଼ିବା ଆଶଙ୍କାରେ ମୁଁ ନିଜକୁ ସ୍ୱେଚ୍ଛାସେବୀ ଭୂମିକାରେ ବସେଇ ପାଟିକରେ, ‘‘ଚାଲ ଚାଲ । ସନ୍ଦେଶ ତ ଖାଇଲ, ଆଉ କଣ ? ସଞ୍ଜବେଳକୁ ଆସିଲେ କଲିକତା ଗପ ଶୁଣିବ ।’’

 

ସାଙ୍ଗମାନେ ମୋର ସୌଭାଗ୍ୟକୁ ଈର୍ଷା କରି ଓ ମନେ ମନେ ମୋର ଦୁର୍ବ୍ୟବହାରକୁ ଗାଳିଦେଇ ଫେରିଯାଆନ୍ତି । ତାପରେ ମୁଁ ସିଧା ଯାଇ ବସିଯାଏ ବଟଦାଦିଙ୍କ ଗଣ୍ଠୁଲି ପାଖରେ, ମାଛଧରା ହେଉଥିବା ପୋଖରୀ ଆଡ଼ିରେ ବଗ ବସିବା ପରି ।

 

ବଟଦାଦି ଥକି ପଡ଼ିଥାଆନ୍ତି । କହନ୍ତି, ‘‘ଉପରଓଳିକୁ ବ୍ୟାଗ୍‌ପତ୍ର ଖୋଲିବା ।’’ ତାଙ୍କର ଏ ପ୍ରସ୍ତାବରେ ରାଜିହେବା ଭିନ୍ନ ମୋର କିଛି ଚାରା ନ ଥାଏ ।

 

କିନ୍ତୁ ମୁଁ ତାଙ୍କ ପାଖ ଛାଡ଼େ ନାହିଁ । କାୟା ପାଖରେ ଛାୟା ପରି ମୁଁ ତାଙ୍କରି ପାଖେ ପାଖେ ରହିଥାଏ ।

 

ବଟଦାଦି ତାଙ୍କ ହାତବ୍ୟାଗ୍‌ରୁ ଚକଚକିଆ ଖୋଳ ଭିତରେ ପଶିଥିବା ଟୁଥ୍‌ପେଷ୍ଟ୍‌ ବାହାର କରନ୍ତି । ବ୍ରସ୍‌ ପିଠିରେ ପେଷ୍ଟ୍‌ ବୋଳି ବାଡ଼ିଘର ପିଣ୍ଡା ଉପରେ ଦାନ୍ତ ଘଷନ୍ତି । ମୁଁ ତାଙ୍କ ପାଟିକୁ ଚାହିଁରହେ । ସାବୁନ ଫେଣ ପରି ବାଲୁବାଲୁ ତାଙ୍କ ମୁହଁଟିକୁ ଦେଖି ମୋର ସାହାଡ଼ା, ନିମ୍ବ, କରଞ୍ଜ ଦାନ୍ତକାଠିଗୁଡ଼ାକ ଉପରେ ଦୟା ହୁଏ । ବାପା ବ୍ୟବହାର କରୁଥିବା ଗୁଡ଼ାଖୁ ପ୍ରତି ଘୃଣା ଆସେ । ମୁଁ ମନେ ମନେ ଭାବିଚାଲେ, ବଡ଼ହେଲା ପରେ ବଟଦାଦିଙ୍କ ପରି ମୁଁ ବି ବ୍ରସ୍‌ରେ ଟୁଥ୍‌ପେଷ୍ଟ୍‌ ଧରି ଦାନ୍ତ ଘଷିବି । ସେତେବେଳେ ବାଡ଼ିପିଣ୍ଡାରେ ଦାନ୍ତ ନ ଘଷି ମୁଁ ବଡ଼ପୋଖରୀ ଯାଏଁ ଯିବି । ଲିଟୁ, ଚୁଇଁ, ବଗୁଲି ଓ ନଣ୍ଡା ସମସ୍ତଙ୍କୁ ଦେଖେଇ ଦେଖେଇ ଦାନ୍ତ ଘଷିବି ।

 

କିନ୍ତୁ ବଟଦାଦିଙ୍କର କୋଉ କୋଉ ଚିଜ ବା ମୁଁ ନିଜେ ସଂଗ୍ରହ କରିପାରିବି ! ତାଙ୍କର କୁହୁକ ପେଡ଼ିରେ ଅଦ୍ଭୁତ ଅଦ୍ଭୁତ ଜିନିଷମାନଙ୍କର ଭିଡ଼ । ବଟଦାଦି ଦାନ୍ତ ଘଷିସାରି ଗାଧୋଇବା ଲାଗି ବାହାରନ୍ତି । ବ୍ୟାଗ୍‌ରୁ ବାହାରେ ଚକଚକିଆ ଖୋଳ ଭିତରେ ଯତ୍ନରେ ପଶିଥିବା ଡଉଲଡାଉଲ ସାବୁନ । ବଟଦାଦି ସେ ଖୋଳଟାକୁ ଫିଙ୍ଗିଦେବା କ୍ଷଣି ମୁଁ ଚଟ୍‌କରି ସେଇଟିକୁ ଗୋଟେଇ ଆଣି ପକେଟ୍‌ରେ ଲୁଚେଇ ଦିଏ । ପାଖଆଖରେ କେହି ନ ଥିଲାବେଳେ ସେଇଟିକୁ ମୁଁ ନାକ ପାଖରେ ଧରି ଶୁଙ୍ଘେ–ବାପ୍‌ରେ, କି ବାସ୍ନା ସେଇ ଖୋଳଟାର !

 

ବଟଦାଦି ତାପରେ ଛୋଟ ତେଲ ଶିଶିଟିଏ ବାହାର କରନ୍ତି । ସେଇ ଶିଶିଟାର ଠିପି ଖୋଲିବାକ୍ଷଣି ତାର ମହମହ ବାସ୍ନାରେ ଆମ ଘରର ସନ୍ତସନ୍ତିଆ, ଗମୁରା ଗନ୍ଧ କୁଆଡ଼େ ପଳେଇଯାଏ । ମୁଁ ଆଉ ବେଶିକାଳ ମୋର ବିସ୍ମୟକୁ ଧରି ରଖି ନ ପାରି ବଟଦାଦିଙ୍କୁ ପଚାରେ, ‘‘ଏଇଟା କଣ ବାସ୍ନା ତେଲ !’’

 

: ହଁ, ୟା ନାଁ କେଓକାର୍ପିନ୍‌ । ତୁ ୟାକୁ ଧରି ଚାଲ୍‌ । ମୁଣ୍ଡ ଧୋଇଲା ପରେ ଲଗେଇବା ।

 

ମୁଁ ଟ୍ୟୁବ୍‌ୱେଲ୍‌ର ହ୍ୟାଣ୍ଡଲ ଚାପିବା ପାଇଁ କୋଉକାଳୁ ନିଜକୁ ସଜ କରି ରଖିଥାଏ । ମୋର ବୋତାମ ଛିଣ୍ଡିଯାଇଥିବା ପ୍ୟାଣ୍ଟ୍‌ଟା କାଳେ ଅସହଯୋଗ କରିବ, ସେଇ ଆଶଙ୍କା କରି ତା ଉପରେ ବାପାଙ୍କ ନାଲି ଗାମୁଛାକୁ କମରପଟି ପରି କଷି ଦେଇଥାଏ ।

 

ବଟଦାଦି ଟ୍ୟୁବ୍‌ୱେଲ୍‌ ପାଖରେ ପହଞ୍ଚି ପଚାରନ୍ତି, ‘ଆଉ କେହି ଏଠି ନାହାନ୍ତି ତ ରେ ?’

 

ମୁଁ ଏଣ୍ଡୁଅ ପରି ଏପଟ ସେପଟ ଚାହିଁ କହେ, "ନା, ତମେ ଗାଧୋଇପଡ଼ ।'

 

ବଟଦାଦି ତାଙ୍କ ଅଣ୍ଟାରୁ ଗୋଟେ ସିଗ୍ରେଟ୍‌ ପ୍ୟାକେଟ୍‌ ବାହାର କରନ୍ତି । କିଆବୁଦା ପାଖକୁ ଯାଇ ପବନ ନ ବାଜିବା ପରି ଜାଗାରେ ସେ ପ୍ୟାକେଟ୍‌ଟି ଖୋଲନ୍ତି ଓ ତା ଭିତରୁ ଜରି ଖଣ୍ଡେ ବାହାର କରି ପକେଇଦିଅନ୍ତି । ଆମ ଗାଁର ଡାଆଣା ପବନ ସେ ଜରିକୁ ଉଡ଼େଇ ନେବା ଆଗରୁ ମୁଁ ଖପ୍‌କିନା ଧାଇଁଯାଇ ତାକୁ ଧରିଆଣେ ଓ ପକେଟ୍‌ରେ ପୂରେଇ ଦିଏ । ବଟଦାଦି କଳ ଦିଆଶିଲି ଚାପି ସିଗ୍ରେଟ୍‌ରେ ନିଆଁ ଲଗେଇ ପାଟିର ଧୂଆଁସବୁ ଗୋଲ୍‌ ଗୋଲ୍‌ ମୁଣ୍ଡୁଳା ବନେଇ ଉପରକୁ ଛାଡ଼ନ୍ତି । ସେତେବେଳେ ବଟଦାଦି ଦିଶନ୍ତି ଆଈ କହିଥିବା ଗପର ରଜାପୁଅ ପରି ।

 

ମୁଁ ପରମ ଉତ୍ସାହରେ ଟ୍ୟୁବ୍‌ୱେଲ୍‌ର ହ୍ୟାଣ୍ଡଲ୍‌ ଚାପେ । ବଟଦାଦି ମହମହ ବାସୁଥିବା ସାବୁନରେ ଗାଧୁଅନ୍ତି । ପୋଛାପୋଛି ହୋଇସାରି ମୁଣ୍ଡରେ ବାସନା ତେଲ ଲଗାନ୍ତି । ତାପରେ ମୋତେ କହନ୍ତି, ‘‘ବସ୍‌, ମୁଁ ଚାପିଦେଉଛି । ତୁ ବି ଗାଧୋଇପଡ଼ ।’’

 

ଓଦା ଗାମୁଛା ପାଲଟି ବଟଦାଦିଙ୍କ ଆଗେ ଆଗେ ଗାଁ ଦାଣ୍ଡରେ ଚାଲିଲାବେଳେ ମୋ ଦୁଇ ଗୋଡ଼ର ବ୍ୟବଧାନ ଅଜାଣତରେ ବଢ଼ିଯାଏ । ମୋ ଦେହ ମୁଣ୍ଡରୁ ମହମହ ବାସ୍ନା ବାହାରି ଦାଣ୍ଡସାରା ଖେଳି ଯାଉଥାଏ । ମୁଁ ସେତେବେଳେ ମନକୁ ମନ ଭାବୁଥାଏ, ‘‘ବଟଦାଦି ସବୁଦିନେ ଗାଁରେ ରହନ୍ତେ କି !’’

 

ବଟଦାଦି ଖାଇସାରି ଟିକିଏ ଶୋଇପଡ଼ନ୍ତି । ଖୁଡ଼ୀ ମୋତେ ବଟଦାଦିଙ୍କ ପାଖରୁ ଉଠେଇ ଦେଇ କବାଟ ଆଉଜେଇ ନିଅନ୍ତି । କହନ୍ତି, ‘‘ରେଳଗାଡ଼ି ବାଧା କଥା ତୁ ଜାଣିନୁ । କଲିକତା କଣ କମି ବାଟ ? ପୁଣି ଦମ୍‌ଦମ୍‌ ପାଖରୁ ହାୱଡା–ବାପ୍‌ରେ, ସେ ବହୁତ ବାଟ । ତୁ ଯା, ଛାଇ ଲେଉଟିଲେ ଆସିବୁ ।’’

 

କଲିକତା, ହାୱଡା, ଦମ୍‌ଦମ୍‌–ଏଗୁଡ଼ିକ କୁଆଡ଼େ ମୁଁ ଜାଣି ନ ଥାଏ । ସେତେବେଳକୁ ମୁଁ ଯାଇ ଯାଇ ଘଣ୍ଟେଶ୍ୱର ଯାଏ ଯାଇଥାଏ । ଘଣ୍ଟେଶ୍ୱରର ଦୁର୍ଗାପୂଜା ଆଉ କାଳୀପୂଜା ଆମ ଅଞ୍ଚଳରେ ବିଖ୍ୟାତ । ବାପା ବେଳେବେଳେ ଚାନ୍ଦବାଲି ଯାଆନ୍ତି ଓ ଶ୍ରୀଧର ଭାଇ କଟକରେ ରହନ୍ତି-। କିନ୍ତୁ ବଟଦାଦି ରହନ୍ତି ଦମ୍‌ଦମ୍‌ରେ !

 

ବଗୁଲି ପଚାରେ, ‘‘ତୋ ବଟଦାଦି କୁଆଡ଼େ ଆଳୁଦମ୍‌ରେ ରହନ୍ତି ?’’

 

ମୁଁ ତାକୁ ଜବାବ ଦିଏ, ‘‘ତୋ ଦାଦି ପୋଟଳରସାରେ ରହୁଥିବେ ।’’

 

ବଗୁଲି କିଛି କହିପାରେ ନାହିଁ । ବଟଦାଦି ଆଣିଥିବା ସନ୍ଦେଶର ମିଠା ସୁଆଦ ତା ମୁହଁ ବାନ୍ଧି ଦେଇଥାଏ । ତା ସାଙ୍ଗକୁ ମୁଁ ମୋର ଦୁଇ ପକେଟରେ ଥିବା ସିଗ୍ରେଟ୍‌, ସାବୁନ ଓ ଟୁଥ୍‌ପେଷ୍ଟ୍‌ର ଚିକିଚିକିଆ ଖୋଳଗୁଡ଼ିକ ଦେଖେଇ ଭବିଷ୍ୟତରେ ସେଥିରୁ ଗୋଟିଏ ଯୋଡ଼ିଏ ତାକୁ ଦେଇପାରେ, ଏଇ ପ୍ରତିଶ୍ରୁତି ତା ଆଗରେ ଝୁଲେଇ ରଖିଥାଏ । ବଗୁଲି ସେପରି ଅମୂଲ୍ୟ ଜିନିଷର ଲୋଭ ଛାଡ଼ି ମୋ ସାଙ୍ଗେ ଶତ୍ରୁତା କରିବାକୁ କଦାପି ସାହସ କରନ୍ତା ନାହିଁ ।

 

ଦ୍ୱିପ୍ରହର ସାରା ମୁଁ ଏକଲା ଡାହୁକ ପରି ଏପଟ ସେପଟ ହୋଇ ବଟଦାଦିଙ୍କ କବାଟ ଖୋଲିବାକୁ ଅପେକ୍ଷା କରେ । ଗୋଟିଏ ଗୋଟିଏ ମୁହୂର୍ତ୍ତ ମୋତେ ଗୋଟିଏ ଗୋଟିଏ ଦିନ ପରି ଲାଗେ । ସେତେବେଳେ ଖୁଡ଼ୀଙ୍କ ଉପରେ ମୋର ରାଗ ହୁଏ । ବୋଉ ଆଉ ଖୁଡ଼ୀ ରୋଷେଇ ଘରେ ବାସନକୁସନ ସଜାଡ଼ି ରଖୁଥାଆନ୍ତି । ମୁଁ ଯାଇ ବଟଦାଦିଙ୍କ ଦରଆଉଜା କବାଟଟାକୁ ଟିକିଏ ଖୋଲିଦେଇ ଡାକେ, ‘‘ଦାଦି, ଏବେ ଗଣ୍ଠିଲି ଖୋଲିବା ।’’

 

ବଟଦାଦି ଶେଷକୁ ମୋ କଥାରେ ରାଜି ହୋଇଯାଆନ୍ତି ।

 

ମୁଁ ତାଙ୍କ ପାଖରେ ଚକା ମାଡ଼ି ବସେ ।

 

ବଟଦାଦି ଗୋଟିଏ ପରେ ଗୋଟିଏ ପୁଡ଼ିଆ ଖୋଲନ୍ତି । ଓଃ, ବାପ୍‌ରେ, କେତେ ଜିନିଷ ଥାଏ ସେ ଗଣ୍ଠିଲିଟାରେ !

 

ବାପାଙ୍କ ପାଇଁ ଧୋତି, ବୋଉ ଏବଂ ଖୁଡ଼ୀ ପାଇଁ ଶାଢ଼ି, ସାନ ପାଇଁ ୱାସ୍‌ ଏନ୍‌.ୱେୟାର କନାର ଜଗଦୀଶ ଡ୍ରେସ୍‌, ବଡ଼ ଭଉଣୀ ପାଇଁ ଲମ୍ବା ଫ୍ରକ୍‌, ଘର ପାଇଁ ପ୍ଲାଷ୍ଟିକ୍‌ ଗ୍ଲାସ୍‌, କପ୍‌ ଓ ପ୍ଲେଟ୍‌, ଠାକୁରଙ୍କ ପାଇଁ ଚନ୍ଦନପେଡ଼ି, ଧୂପକାଠି, ଆଈ ପାଇଁ ଭୁଟ୍‌କମ୍ବଳ । ଆର ବ୍ୟାଗ୍‌ଟାରେ ଜିରା, ସୋରିଷ, ଗରମ ମସଲା, ବାସ୍ନା ତେଲ, କାଚ, ରିବନ, କୁଙ୍କୁମ ଓ ଆଉରି କେତେ କଣ । ହାତ ବ୍ୟାଗ୍‌ ଭିତରେ ରଜ ଖେଳ ପାଇଁ ନୂଆ ତାସ୍‌ ମୁଠା, ମୋହନ ସିରିଜ୍‌ର ଗୁଇନ୍ଦା ଉପନ୍ୟାସ, ଲୁଗାଧୁଆ ଓ ଦେହଲଗା ସାବୁନ । ତା ସାଙ୍ଗକୁ ବାପାଙ୍କ ଅଣ୍ଟାବିନ୍ଧା ଔଷଧ, ପାଉଡର ଡବା ଓ କଳ ଦିଆଶିଲି–ଯାହାକୁ ଚିପିଦେଲେ ନିଆଁ ବାହାରେ ।

 

ମୁଁ ତଥାପି ଅପେକ୍ଷା କରେ । ଏଗୁଡ଼ା ତ ସବୁ ଘର ପାଇଁ । ମୋ ପାଇଁ ବଟଦାଦି କଣ କିଛି ଆଣିନାହାନ୍ତି !

 

ବଟଦାଦି ମୋ ମୁହଁକୁ ଚାହିଁଦେଇ ସବୁକଥା ଜାଣିଯାଆନ୍ତି । ସେ ଉଠିଯାଇ ଘର କୋଣରୁ ଗୋଟେ ନାଲିଖୋଳଗୁଡ଼ା ଚିଜ ଆଣି ମୋ ହାତକୁ ବଢ଼େଇ ଦିଅନ୍ତି । ମୁଁ ତରବରରେ ଖୋଲିବସେ–କେଉଁଥର ରବର ଜୋକର, କେଉଁଥର ମଟର କାର୍‌ କି ଉଡ଼ାଜାହାଜ । ଶେଷଥର ଥିଲା ଅଦ୍ଭୁତ କାଚ କଣ୍ଢେଇ । କଣ୍ଢେଇଟି ଗୋଟେ ମହାପରାକ୍ରମୀ ରାଜାର । ମୋର ନୁଖୁରା ଶାବନା ହାତରେ କାଚର ସେ କଣ୍ଢେଇଟି ମାଙ୍କଡ଼ ହାତରେ ହୀରାମୁଦି ପରି ଚମକି ଉଠିଥିଲା । ମୁଁ ଆମ ଘରର ଅନ୍ଧାରିଆ କୋଣକୁ କଣ୍ଢେଇଟିକୁ ନେଇଯାଇ ବୋଉକୁ ପଚାରିଥିଲି, ‘‘ଅନ୍ଧାରରେ ବି ମୋ କଣ୍ଢେଇ ଦିଶୁଚି ନା ? ଦିଶୁନି !’’

 

ବୋଉର ଆଖି ଖରାପ । ସେ କହେ, ‘‘ଟିକିଏ ଟିକିଏ ଦିଶୁଛି ।’’

 

ମୁଁ ତା ଉପରେ ଚିଡ଼ିଯାଏ । କହେ, ମୋତେ ତ ସଫା ଦିଶୁଛି ।

 

ବଟଦାଦି ତାପରେ ମୋତେ କାଚ ଗୋଲି ଓ ଲଜେନ୍‌ସ ଦିଅନ୍ତି । ମୁଁ ମନେ ମନେ ବଟଦାଦିଙ୍କୁ ଶହ ଶହ ବାର ପ୍ରଶଂସା କରେ । ଆମ ବଟଦାଦିଙ୍କ ପରି ଭଲ ଲୋକ ଏ ଖଣ୍ଡମଣ୍ଡଳରେ କେହି ନ ଥିବେ ।

 

ବଟଦାଦିଙ୍କ ପରି ଲୋକ ସତରେ ଆମ ଗାଁରେ କେହି ନ ଥିଲେ । ସେଥିପାଇଁ ସେ ଗାଁରେ ପାଦଦେବା କ୍ଷଣି ଆମେମାନେ ଚଞ୍ଚଳ ହୋଇ ଉଠୁଥିଲୁ । ସାଙ୍ଗେ ସାଙ୍ଗେ ନୂଆ ନୂଆ ଯୋଜନା ତିଆରି ହୋଇଯାଉଥିଲା । ବଡ଼ ପୋଖରୀରୁ ମାଛଧରା, ରଜର ବାଗୁଡ଼ି ପ୍ରତିଯୋଗିତା, ସାହିପିଲାଙ୍କୁ ନେଇ ଅପେରା ଓ ଅପେରା ପରଦିନ ଭୋଜି । ଏସବୁ ମଝିରେ କେହି କେହି ଅଷ୍ଟପ୍ରହରୀ କୀର୍ତ୍ତନର ପ୍ରସ୍ତାବ ରଖୁଥିଲେ । ମାତ୍ର ସବୁଯାକ ଏକ ସମୟରେ ହୋଇପାରିବ ନାହିଁ କହି ବଟଦାଦି ସେ ପ୍ରସ୍ତାବକୁ ଟାଳି ଦେଉଥିଲେ ।

 

ଦିନରାତି ମଉଚ୍ଛବ ଲାଗି ରହୁଥିଲା ଆମ ଗାଁରେ । ଆମର ପାଦ କଙ୍କିର ଡେଣା ପରି ଅସ୍ଥିର ଓ ମନ ତୁଳା ପରି ହାଲୁକା ହୋଇଯାଉଥିଲା । ଆମେମାନେ ବଟଦାଦିଙ୍କ ହୁକୁମ ତାମିଲ କରିବା ଲାଗି ପରସ୍ପର ଭିତରେ ପ୍ରତିଯୋଗିତା କରୁଥିଲୁ । ବଟଦାଦିଙ୍କ ପାଇଁ କିଛି କାମଟେ କରିଦେବା ଥିଲା ଆମ ପାଇଁ ସୌଭାଗ୍ୟ ।

 

ଚାହୁଁ ଚାହୁଁ ବଟଦାଦିଙ୍କର ଛୁଟି ସରିଯାଏ । ବଟଦାଦି କଲିକତା ଯିବା ପାଇଁ ବାହାରନ୍ତି । ସେତେବେଳକୁ ହାୱଡାର ଝୁଲନ୍ତା ପୋଲ, ଭିକ୍ଟୋରିଆ ମ୍ୟୁଜିୟମ୍‌ର ଅଦ୍ଭୁତ ଦୃଶ୍ୟ, ଦମ୍‌ଦମ୍‌ରେ ପ୍ରତି ସେକେଣ୍ଡ୍‌ରେ ଯା-ଆସ କରୁଥିବା ବିରାଟ ବିରାଟ ଉଡ଼ାଜାହାଜମାନଙ୍କ କଥା ସମ୍ପୂର୍ଣ୍ଣ ହୋଇ ନ ଥାଏ । ଅଥଚ ବଟଦାଦିଙ୍କ ଯିବା ସମୟ ଆସିଯାଏ । ମୁଁ ଉଦାସ ହୋଇପଡ଼େ । ବଟଦାଦି ଚାଲିଗଲା ପରେ ପୁଣି ମୋର ଦିନଗୁଡ଼ିକ ସେଇ ଘଷରା, ପୋଚରା ଓ ବିରକ୍ତିକର ପାଲଟିଯିବ । ସେଥିରେ ଏ ଉତ୍ତେଜନା, ବିସ୍ମୟ ଓ ରୋମାଞ୍ଚ ଆସିବ କୋଉଠୁ !

 

ଯେମିତି ଦିନେ ନୂଆ ପୋଖରୀ ରାସ୍ତା ଦେଇ ବଟଦାଦି ଆସିଥାଆନ୍ତି, ସେମିତି ଦିନେ ସେ ଚାଲିଯାଆନ୍ତି । ମୁଁ ବୋଉର କାନିତଳେ ମୋର ଲୁହକୁ ଲୁଚେଇ ବଟଦାଦିଙ୍କର ଯିବା ରାସ୍ତାକୁ ଚାହିଁ ରହେ । କ୍ରମେ କ୍ରମେ ତାଙ୍କର ବଗ ପର ପରି ତୋଫା କୁର୍ତ୍ତା ଓ ନାଲି ଗାମୁଛା ବିଲମାଳରେ ହଜିଯାଏ । ତେଣିକି ଯାହା ରହିଯାଏ, ସେସବୁ ବଟଦାଦିଙ୍କୁ ନେଇ ଯେତେସବୁ ଉଷୁମ ସ୍ମୃତି–ମାଛଧରା, ବାଗୁଡ଼ିଡିଆଁ, ରଜଝୁଲଣ, ତାସ୍‌ପିଟା ଓ ଅପେରା ଆୟୋଜନର ରୋମାଞ୍ଚକର ଅନୁଭବ-। ସେଇ ସ୍ମୃତିମାନଙ୍କୁ ମନେ ମନେ ଝୁରି ଆମେ ସମୟ ବିତଉ ।

 

ବଟଦାଦି କଲିକତା ଫେରିଯିବାର ଅନେକ ଦିନ ପର୍ଯ୍ୟନ୍ତ କିନ୍ତୁ ଆମ ଘର ଅଗଣାରେ ବାସ୍ନା ତେଲ ଓ ସାବୁନର ସୁଗନ୍ଧ ଖେଳି ବୁଲୁଥାଏ । ଅନ୍ୟମାନଙ୍କ ଘର ତୁଳନାରେ ଆମ ଘର ଯେ ଅଧିକ ସମ୍ଭ୍ରାନ୍ତ ଓ ଆଧୁନିକ, ଏଇ କଥାଟି ପ୍ରଚାର କରୁଥାଏ ସେ ମହମହ ବାସ୍ନା । କ୍ରମେ ସେ ବାସ୍ନା ବି ପାତଳ ହୋଇ ଆସେ ଏବଂ ଦିନେ ସକାଳୁ ଉଠିଲାବେଳକୁ ସେ ବାସ୍ନା ଜାଗାରେ ଆମ ଘରର ଅଗଣାକୁ ପୁରୁଣା ପରିଚିତ ଗୋବରଲିପା ସନ୍ତସନ୍ତିଆ ଗନ୍ଧ ଫେରିଆସିଥାଏ ।

 

ସେତିକିବେଳେ ମୁଁ ଘର କୋଣରେ ମୋ ସ୍କୁଲ ବ୍ୟାଗ୍‌ ଭିତରେ ସାଇତିଥିବା ସେଇ ଅପୂର୍ବ କଣ୍ଢେଇଟିକୁ ଖୋଲି ଦେଖେ । କାଚର ମହାରାଜା ବଡ଼ ବଡ଼ ନିଶ ଫୁଲେଇ ମୋତେ ଚାହାଁନ୍ତି । ମୁଁ ତାକୁ ସିନ୍ଦୁକ ଉପରେ ଥୋଇ ଟିକେ ଦୂରଛଡ଼ା ହୋଇ ଚାହେଁ । ତାପରେ ତାକୁ ବୁଲେଇ ଧରେ । ଆଶ୍ଚର୍ଯ୍ୟ ଭାବେ ମହାରାଜାଙ୍କ ଚେହେରା ଏଥର ବଦଳିଯାଏ । ଚାହୁଁ ଚାହୁଁ ଖୋଦ୍‌ ମହାରାଜା ପାଲଟିଯାଆନ୍ତି ଗୋଟେ କାନ୍ଦୁରା ବଣମଣିଷ । ମୁଁ ମୋର ନୂଆ ଆବିଷ୍କାରରେ ପାଗଳ ହୋଇଯାଏ । କିନ୍ତୁ କଣ୍ଢେଇଟିକୁ ସ୍କୁଲକୁ ନେବାର ବୋକାମି କରେ ନାହିଁ । ନଣ୍ଡା ଓ ବଗୁଲିଙ୍କ ଉପରେ ଭରସା ନାହିଁ–ହିଂସୁକ ଗୁଡ଼ାକ, ତଳେ ପକେଇ ଭାଙ୍ଗିଦେବେ ।

 

ଯେତେ ଚେଷ୍ଟା କଲେ ମଧ୍ୟ ନିଜ ଭିତରେ ଏ ଅଦ୍ଭୁତ ଆବିଷ୍କାରର ପୁଲକ ମୁଁ ବେଶି କାଳ ଛପେଇ ରଖିପାରେ ନାହିଁ । ଦିନେ ଏମିତି ସାଙ୍ଗମେଳରେ ଗପୁ ଗପୁ ଆଉ କେହି ପଚାରିବା ଆଗରୁ ମୁଁ ନିଜେ ହିଁ ଅଦ୍ଭୁତ କଣ୍ଢେଇର କଥା କହିଦିଏ । ତା ପରଠୁ ବଗୁଲି, ନଣ୍ଡା ଓ ଯେତେସବୁ ସାଙ୍ଗ ମୋ ପିଛା ଲାଗିଯାଆନ୍ତି । ଆଚାର, କାଚଗୋଲି, ସିଗ୍ରେଟ୍‌ ଖୋଳ, ଗୋଲ ଖଡ଼ିପଥର ଓ କାଗଜ ତିଆରି ‘ଦିନରାତି’ ଖେଳସବୁ ମୋତେ ଯାଚନ୍ତି । ମୁଁ ସେମାନଙ୍କୁ ସମୟ ଦିଏ, ଛୁଟିଦିନ ଖରାବେଳେ ଆସିବ । ମୁଁ ତୁମମାନଙ୍କୁ ମୋ କଣ୍ଢେଇ ଦେଖେଇବି ।

 

ଘରକୁ ଫେରିଆସି କିନ୍ତୁ ମୁଁ ଖୁବ୍‌ ପସ୍ତାଏ । କାହିଁକି ଏମାନଙ୍କୁ ମୋ କଣ୍ଢେଇ କଥା କହିଲି ! ମନେ ମନେ ପୁଣି ନାନା ପ୍ରକାର ଯୋଜନା କରେ । କହିଦେବି, ମୋ ବୋଉ କୋଉଠି ଲୁଚେଇ ଦେଇଛି, ମୁଁ ପାଉନାହିଁ । ନ ହେଲେ କହିଦେବି, ଗେହ୍ଲାଦେଈ ହାତରୁ ପଡ଼ି ମୋ କଣ୍ଢେଇ ଭାଙ୍ଗିଯାଇଛି ।

 

କିନ୍ତୁ ଭାଙ୍ଗିଯିବା କଥାଟା ମନକୁ ଆସିଲାକ୍ଷଣି ମୁଁ ଦୁଃଖରେ ଭାଙ୍ଗିପଡ଼େ । ନା, ନା, ସ୍ୱପ୍ନରେ ସୁଦ୍ଧା ମୁଁ ସେକଥା ଭାବିପାରିବି ନାହିଁ ।

 

ସେତେବେଳକୁ ଏଇ କାଚକଣ୍ଢେଇ ଭିନ୍ନ ବଟଦାଦି ଛାଡ଼ିଯାଇଥିବା ଆଉ କୌଣସି ଚିଜ ମୋ ପାଖରେ ନ ଥାଏ । ଅତି ଯତ୍ନରେ ସାଇତିଥିବା ଅରଖ ନୂଆ ଟଙ୍କିକିଆ ନୋଟ୍‌ଟି ସୁଦ୍ଧା କେତେବେଳେ ମିଶ୍ରି ମୁଣ୍ଡାଏ ବିନିମୟରେ କାଶୀନନା ଦୋକାନର ତହବିଲ୍‌କୁ ଚାଲିଯାଇଥାଏ ।

 

ଯାହା ରହିଥାଏ, ତାହା କେବଳ ଚକ୍‌ଚକ୍‌ କରୁଥିବା ମୋର କାଚ କଣ୍ଢେଇ–ଏପଟୁ ମହାରାଜା, ସେପଟୁ ବଣମଣିଷ ।

 

।। ଦୁଇ ।।

 

ଅଳକା ଡାକିଲା, କଣ ସେତିକିବେଳୁ ବସି ଭାବି ହେଉଛ ? ପିଲାଲୋକ, ସେ କଣ ଜାଣିଶୁଣି ଏ କାମ କରିଛି ?

 

ଅଳକା ଲୁନାର ଅଣହୁସିଆରି କଥା କହୁଥିଲା । ପଚାରୁଥିଲା, ରଜକୁ ତୁମେ ଗାଁକୁ ଯିବ ନା ନାହିଁ ?

 

ମୁଁ କାଚ କଣ୍ଢେଇର ଟୁକୁଡ଼ାମାନଙ୍କୁ ଚାହିଁଥିଲି ।

 

ପ୍ରତିଟି ଟୁକୁଡ଼ା ଭିତରେ ମୋତେ ଦିଶିଯାଉଥିଲା ଦି ଦିଇଟି ମୁହଁ–ରାଜା ଓ ବଣମଣିଷ, ବଣମଣିଷ ଓ ରାଜା ।

 

ଏବଂ ବଟଦାଦିଙ୍କ ସହ ଶେଷ ସାକ୍ଷାତର ସ୍ମୃତି ।

 

ମାଟ୍ରିକ୍‌ ପରୀକ୍ଷା ସରିଯାଇଥିଲା । ଭଲ ହେଉ କି ଖରାପ ହେଉ, ମାଟ୍ରିକ୍‌ଟା ଯେ ପାସ୍‌ କରିଯିବି, ସେ ନେଇ ବେଶ୍‌ ନିଶ୍ଚିତ ଥାଏ ମୁଁ । ସେଥିପାଇଁ ଫୁଲ୍‌ପ୍ୟାଣ୍ଟ୍‌ ଓ ସାର୍ଟ ପାଇଁ ମୋର ଦାବିଟିକୁ ମୁଁ ବାରମ୍ବାର ଦୋହରାଉଥାଏ, ମାତ୍ର ବାପା ଏବଂ ବୋଉ ‘ବଟଦାଦି ଆଣିବେ’ କହି କଥାଟାକୁ ଟାଳି ଦେଉଥାନ୍ତି ।

 

ସେତିକିବେଳେ ସନାତନ ସାର୍‌ କଲିକତା ବାହାରିଲେ । ବୋଉକୁ କହିଲି, ମୁଁ ବି ସାର୍‌ଙ୍କ ସାଙ୍ଗରେ କଲିକତା ବୁଲିଆସିବି । ବଟଦାଦିଙ୍କଠୁଁ ମୋର ପ୍ୟାଣ୍ଟ୍‌ ସାର୍ଟ ନେଇ ଆସିବି ।

 

ବହୁ ଯୁକ୍ତିତର୍କ, ରାଗରୁଷା ଓ ଶେଷକୁ ସନାତନ ସାର୍‌ଙ୍କ ହସ୍ତକ୍ଷେପ ପରେ ବୋଉ ମୋ କଥାରେ ରାଜି ହୋଇଥିଲା । ବଟଦାଦିଙ୍କ ଠିକଣା ଲେଖାଥିବା ଗୋଟିଏ ପୋଷ୍ଟକାର୍ଡ ସେ ସାର୍‌ଙ୍କ ହାତରେ ଧରେଇଥିଲା, ଯେଉଁଟାର ପ୍ରଥମ ବାକ୍ୟ ଥିଲା ‘ଆମ କୁଶଳକୁ ମା ଦକ୍ଷିଣକାଳୀ ସାହା, ତୁମ ଭଲମନ୍ଦକୁ ବାବା ଚନ୍ଦ୍ରଶେଖର ମହାଦେବ ସାହା ହୋଇଥାଆନ୍ତୁ ।’

 

ସନାତନ ସାର୍‌ଙ୍କ ସହ ହାୱଡାରେ ଓହ୍ଲେଇଲା ବେଳକୁ ସେଇ ମାତ୍ର ସକାଳ ସିନ୍ଦୂରା ଫାଟି ଆସୁଥାଏ । ସନାତନ ସାର୍‌ କହିଲେ, ପ୍ରଥମେ ଆମେ ଶ୍ୟାମବଜାର ଯିବା ଓ ତାପରେ ଉପରଓଳିକି ବାରାସତ୍‌ ।

 

କଲିକତା ବିଷୟରେ ସବୁକିଛି ଜାଣିଥିଲା ପରି ମୁଁ କହିଲି, ‘ଦମ୍‌ଦମ୍‌ ଦେଇ ଯିବା ତ ?’

 

: ହଁ, ହଁ । ତେବେ ଦମ୍‌ଦମ୍‌ ବାଁ ପଟକୁ ରହିଯିବ ।

 

ଉପରଓଳି ଆମେ ଦୁହେଁ ଯାତ୍ରୀ ଖୁନ୍ଦାଖୁନ୍ଦି ଗୋଟାଏ ବସ୍‌ରେ ଯାଇ ବଟଦାଦିଙ୍କ କମ୍ପାନି ପାଖରେ ପହଞ୍ଚିଲା ବେଳକୁ ବେଳ ଗଡ଼ିଗଲାଣି । ଡାଆଣିଆ ଖରା ରାସ୍ତା ଉପରେ ବିଛେଇ ହୋଇ ପଡ଼ିଥାଏ । ସନାତନ ସାର୍‌ ମୋତେ ହୁସିଆର କରିଦେଲେ, ‘‘ଓହ୍ଲେଇଲା ବେଳେ ହୁସିଆରିରେ ଓହ୍ଲେଇବୁ । ଏମାନଙ୍କର ଦୟା ମାୟା ନାହିଁ ।’’

 

ବାରାସତ୍‌ ଆସିବାର ପନ୍ଦର ମିନିଟ୍‌ ଆଗରୁ ମୁଁ ନିଜକୁ ବସ୍‌ରୁ ଓହ୍ଲେଇବା ନିମନ୍ତେ ସଜିଲ କରି ରଖିଥିଲି । ସନାତନ ସାର୍‌ କହିଲେ, ‘‘ସାବାସ୍‌, ଏତେ ଦିନେ ତୋର ଡିଆଁକୁଦା କାମରେ ଆସିଲା ।’’

 

ବଟଦାଦିଙ୍କ ହାତଲେଖା ପୋଷ୍ଟକାର୍ଡରୁ ଠିକଣା ପଢ଼ି ତାଙ୍କ କମ୍ପାନି ଖୋଜି ପାଇବା ପାଇଁ ଆମକୁ ବେଶ୍‌ ସମୟ ଲାଗିଥିଲା । ରାସ୍ତାସାରା ଗାଡ଼ିମଟର ହାଉଯାଉ । ଘଡ଼ିକି ଘଡ଼ି ଗୋଟାଏ ପରେ ଗୋଟାଏ ଉଡ଼ାଜାହାଜ ଗଛ ଅଠାରେ ଘଷିହେଲା ପରି ମୁଣ୍ଡ ଉପରେ ଉଡ଼ିଯାଉଥାଆନ୍ତି । ଏତେ ପାଖରୁ କୌଣସି ଦିନ ଉଡ଼ାଜାହାଜକୁ ଦେଖି ନ ଥିବାରୁ ମୁଁ ବାରମ୍ବାର ତଳକୁ ନ ଚାହିଁ ଉପରକୁ ଚାହୁଁଥାଏ । ବଟଦାଦି ସତ କହିଥିଲେ, ଆମ ଗାଁର ଶଗଡ଼ ସଂଖ୍ୟାଠୁ ଦମ୍‌ଦମ୍‌ର ଉଡ଼ାଜାହାଜ ସଂଖ୍ୟା ବେଶି ।

 

ସନାତନ ସାର୍‌ ମୋତେ ଆକଟ କରିଥିଲେ, ‘‘ତଳକୁ ଚାହିଁ ଚାଲ୍‌ । ନ ହେଲେ ପଡ଼ିଯିବୁ-। ଏଠିକାର ଗାଡ଼ି ମଟର କଥା ଦେଖୁଛୁ ତ !’’

 

ସାର୍‌ ଠିକ୍‌ କହୁଥିଲେ । ସେତେବେଳକୁ ଆମ ଘଣ୍ଟେଶ୍ୱର ଅଞ୍ଚଳକୁ ବସ୍‌ଟେ ଯିବା ଥିଲା ଦୁରୂହ ସ୍ୱପ୍ନ । ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯା-ଆସ କରୁଥିବା ବସ୍‌ଗୁଡ଼ିକ ଗଦି ଛକ ପାଖରେ ହିଁ ଆମ ଗାଁ ଲୋକଙ୍କୁ ଓହ୍ଲେଇ ଦେଉଥିଲେ । ସେଇଠୁ ଲୋକମାନେ ଚାଲି ଚାଲି ନ ହେଲେ ସାଇକେଲ୍‌ ରିକ୍‌ସାରେ ବସି ଆଠ ମାଇଲ୍‌ ବାଟ ଯାଉଥିଲେ ।

 

ଅବଶେଷରେ ଆମେ ‘ଟି.କେ.ପାଲ୍‌, ଏମ୍‌.ଏଫ୍‌.କୋ’, ଅଫିସ୍‌ଟି ପାଇଗଲୁ । ସନାତନ ସାର୍‌ ବୁଝେଇଥିଲେ ‘ଏମ୍‌.ଏଫ୍‌. ... ମାନେ ମାନୁଫାକ୍‌ଚରିଂ’... ମାନେ ତିଆରି', ବୁଝୁଛୁ ତ ? ସାର୍‌ଙ୍କ ବୁଝେଇବା ଭଙ୍ଗୀଟି ସବୁଦିନେ ଏମିତି । ସେଭଳି ଆଗ୍ରହ ଆଗରେ ସ୍ଥାନ, କାଳ, ପାତ୍ର ବିବେଚନା ଅପ୍ରାସଙ୍ଗିକ ।

 

ମାତ୍ର କମ୍ପାନି ଅଫିସ୍‌ରେ ବଟଦାଦି ନ ଥିଲେ ।

 

: ଓଇ କାଜେର୍‌ ଜାଗାଏ ଥାକ୍‌ବେ । –ଜଣେ ବୁଢ଼ାଲୋକ ଚେଁଚେଇଁଆ ସ୍ୱରରେ ଓ ବଙ୍ଗାଳୀ ଭାଷାରେ ଆମକୁ ବତେଇଥିଲା ।

 

: ଆମି ନତୁନ୍‌ ମାନୁଷ... ।

 

ସନାତନ ସାର୍‌ଙ୍କ ସ୍ୱର ଶୁଣି ମୁଁ ବିସ୍ମିତ ହୋଇଥିଲି ଓ ସେଇଠି ହିଁ ମୁଁ ଆମ ସାର୍‌ଙ୍କର ବଙ୍ଗଳା କହିପାରିବାର ଦକ୍ଷତାର ଚାକ୍ଷୁଷ ପରିଚୟ ପାଇଥିଲି ।

 

ଭଦ୍ରଲୋକ କହିଥିଲେ, ‘‘ଏଇ ଯେ ପାଶେଇ । ଏକ୍‌ଟୁ ଆଗେ ବାଏଁର ଦିକେ ଯାବେନ୍‌ । ତାର୍‌ପର୍‌ ଡାନ୍‌ ଦିକେ ଖୁବ୍‌ ବଡ଼ ଏକଟା ଲୋହାର୍‌ ଗେଟ୍‌ । ସେଟାଇ ଆମାର ଫାକ୍ଟରୀ ।’’

 

: ବାଁ ଡାହାଣ, ଡାହାଣ ବାଁ ହୋଇ ବଟଦାଦିଙ୍କ ଫ୍ୟାକ୍ଟରୀ ପାଖରେ ପହଞ୍ଚିଲା ବେଳକୁ ସଞ୍ଜ ହୋଇ ଆସୁଥାଏ । କିନ୍ତୁ ରାସ୍ତାଘାଟ ତଥାପି ପରିଷ୍କାର ଦିଶୁଥାଏ । ଭଦ୍ରଲୋକ ଠିକ୍‌ କଥା କହିଥିଲେ । ଟି.କେ. ପାଲ୍‌. ବ୍ରିକ୍‌.ଏମ୍‌.ଏଫ୍‌.କୋ.ର କାରଖାନା ସାମ୍‌ନାରେ ଦିଶୁଥିଲା ଗୋଟେ ପ୍ରକାଣ୍ଡ ଲୁହାର ଫାଟକ ।

 

କିନ୍ତୁ ଏତେ ବଡ଼ ହତା ଭିତରେ ବଟଦାଦି କୋଉଠି ଥିବେ ? ମୁଁ ସତେ ଅବା ସେଇ ନୂଆ ଜାଗାଟାରେ ହଜିଯାଉଥିଲି । ସେତେବେଳେ ମୋ ବୋଉର ଆଶଙ୍କା ମୋର ମନେପଡ଼ୁଥିଲା–କଲିକତା ଏତେ ବଡ଼ ଜାଗା, ଯୋଉଠି ହାତୀ ବି ହଜିଯିବ । ମୋ କଥା କିଏ ପଚାରେ !

 

ବଟଦାଦିଙ୍କୁ ଠାବ କରିବା ପାଇଁ ବେଶ୍‌ ସମୟ ଲାଗିଥିଲା । ସମୟ ଯେତିକି ବିଳମ୍ବ ହେଉଥାଏ ମୋ ମନର ଉଦ୍‌ବେଗ ଓ ଉତ୍ତେଜନା ସେତିକି ସେତିକି ବଢ଼ି ଚାଲିଥାଏ । ବଟଦାଦି ମୋତେ ଦେଖି କେମିତି ଆଶ୍ଚର୍ଯ୍ୟରେ ଚାହିଁବେ, ତାପରେ ମୋତେ କୁଣ୍ଢେଇ ପକେଇବେ ଏବଂ ସେଇ ସୁଯୋଗ ଦେଖି ମୁଁ ମୋର ସୁଟ୍‌ ଓ ବୁଟ୍‌ କଥା କହିବି, ସେ କଥା ଚିନ୍ତା କରି କରି ମୁଁ ବ୍ୟସ୍ତ ହୋଇପଡ଼ୁଥାଏ ।

 

ବଟଦାଦି ହୁଏତ ମୋତେ ରେଡିମେଡ୍‌ ପୋଷାକ କିଣିନେବା ପାଇଁ କହିବେ । କିନ୍ତୁ ମୁଁ ସେଥିରେ ରାଜି ହେବି ନାହିଁ । ମୁଁ ନିଜ ମାପରେ କଲିକତା ଟେଲରିଂ ମାଷ୍ଟର୍‌ ଦୋକାନରେ ସୁଟ୍‌ ବନେଇବି । ତାହା ନ ହେଲେ ମୁଁ କଲିକତା ଆସିଛି କାହିଁକି ?

 

ଏବଂ ସମ୍ଭବ ହେଲେ ଗେହ୍ଲାଦେଈର ମାଗୁଣି କଥା ବି ବଟଦାଦିଙ୍କୁ କହିବି । ତାର ବି ମୋ ପରି ଗୋଟେ କାଚ କଣ୍ଢେଇ ଦରକାର । କିନ୍ତୁ ସେ ରାଜା ଆଉ ବଣମଣିଷବାଲା କଣ୍ଢେଇ ନେବ ନାହିଁ । ରାଣୀ ଓ ଠେକୁଆବାଲା କଣ୍ଢେଇ ନେବ । କାହିଁକି ନା ତାକୁ ନିଶୁଆ ରାଜା ଓ ବଣମଣିଷ ଯୋଡ଼ିକ ଯାକ ଡରେଇ ଦିଅନ୍ତି ।

 

ଗେହ୍ଲାଦେଈର ପ୍ରସ୍ତାବ ଶୁଣିବା ବେଳେ ମୁଁ ତା ଉପରେ ଚିଡ଼ିଥିଲି–ହ୍ୟାପ୍‌, ଡରକୁଳୀ । କଣ୍ଢେଇ କଣ କାହାକୁ କାମୁଡ଼ି ପକାଏ ?

 

କିନ୍ତୁ ସେ କଥାଟି ପଛକୁ କହିବି । ହେଲେ ଭଲ, ନ ହେଲେ ଭଲ । ଗେହ୍ଲାଦେଈର କଣ୍ଢେଇ କଥା ଆଗ କହି ମୁଁ ମୋ ନିଜର ସୁଟ୍‌ ଓ ବୁଟ୍‌ କଥାଟାକୁ ହାଲୁକା କରିଦେବା ପାଇଁ ଚାହୁ ନ ଥିଲି ।

 

 

: ଏଇ ଯେ ବଟକୃଷ୍ଣ ! –ବଙ୍ଗଳାରେ ଏତକ କହି ସାମ୍‌ନାର ଗୋଟେ ଅଦ୍ଭୁତ ଜନ୍ତୁକୁ ସନାତନ ସାର୍‌ ଚିହ୍ନେଇ ଦେଲେ । ମୁଁ ଆବା କାବା ହୋଇ ଚାରିଆଡ଼କୁ ଚାହିଁ ଖୋଜିହେଲି; କାହାନ୍ତି, ବଟଦାଦି କାହାନ୍ତି ?

 

ଦେହ ହାତ କାଦୁଅ ବଲବଲ, ମୁହଁସାରା ଧୂଳି, ମୁଣ୍ଡ ଉପରେ ମଳିଛିଆ ଠେକା, ଦେହରେ ଆଣ୍ଠୁ ଲୁଚୁ ନ ଥିବା ଗୋଟେ ପଟାରିଆ ଗାମୁଛା, ପାଦରେ କୋଉକାଳର ଛିଣ୍ଡା ଚପଲ ଓ ହାତରେ ଝୁଡ଼ିଟାଏ ଧରି ଏ କିଏ ଠିଆ ହୋଇଛି ? ମୁଁ ଯୁଗପତ୍‌ ବିସ୍ମୟ ଓ ଅପ୍ରସ୍ତୁତ ଭାବ ନେଇ ଲୋକଟାକୁ ବଲବଲ କରି ଚାହିଁଥିଲି । ଜାଣିନି, ସେମିତି କେତେ ସମୟ ବିତିଯାଇଥିଲା । ସନାତନ ସାର୍‌ ମୋ ମୁଣ୍ଡ ହଲେଇ ଦେଇ କହିଥିଲେ, ‘‘କିରେ, ତୋ ବଟଦାଦିଙ୍କୁ ଚିହ୍ନିପାରୁନାହୁଁ କି ? ନମସ୍କାର କରୁନୁ !’’

 

ତଥାପି ମୁଁ ବଟଦାଦିଙ୍କୁ ଚିହ୍ନିପାରୁ ନ ଥିଲି । ମୋ ଆଖିରେ ଗୋଟେ ଧୋବଫରଫର ଧୋତି, କୁର୍ତ୍ତା ପିନ୍ଧା ଯୁବକର ଚେହେରା ନାଚିଯାଉଥିଲା, ଯାହା କାନ୍ଧରେ ପଡ଼ିଥାଏ ନାଲିଗାମୁଛା । ତା ମଥାରୁ ବାସ୍ନା ତେଲର ଭୁରୁଭୁରୁ ଗନ୍ଧ ଭାସିଆସୁଥାଏ । ସାର୍ଟ ପକେଟ୍‌ରେ ଚକଚକିଆ ସିଗ୍ରେଟ୍‌ ଖୋଳ, ବାଁ ପକେଟ୍‌ରେ କଳ ଦିଆଶିଲି । ଯିଏ ରାସ୍ତାରେ ଚାଲିଗଲେ ଫୁଲ ଛାଡ଼ି ଆମ ଗାଁର ବୋକା ପ୍ରଜାପତିମାନେ ତାଙ୍କ ପଛରେ ଧାଆଁନ୍ତି । ଇଏ କଣ ସେହି କୁହୁକ ମଣିଷ ବଟଦାଦି !

 

ବଟଦାଦି ପାଖ ପାଣିକଳରେ ଗୋଡ଼ ହାତ ଧୋଇବା ଲାଗି ଯାଉଥିଲେ । ତାଙ୍କ ଆଗରେ ଓ ପଛରେ ତାଙ୍କରି ପରି ମାଟି ସାଲୁବାଲୁ ଇଟାଖୁଲାର ମଣିଷମାନେ ଛିଡ଼ା ହୋଇଥିଲେ-। ବଟଦାଦି ମୁଣ୍ଡରୁ ଠେକାଟା ଖୋଲିଦେଇ ଓଦା ସରସର, ରୁମ ସାଲୁବାଲୁ ମୁହଁହାତ ପୋଛି ହେଉଥିଲେ । ଦେହସାରା ତାଙ୍କର ଧୂଳି ଓ କାଦୁଅ । କୋଉକାଳୁ ଖିଅର ହୋଇ ନ ଥିବା ରୂଢ଼ ସାଲୁବାଲୁ । ସେହି ବେଶରେ ବଟଦାଦି ଦିଶୁଥିଲେ ଅପେରା ପ୍ୟାଣ୍ଡେଲ୍‌ର ରାଜା ନୁହେଁ, ଛବି ବହିର ବଣମଣିଷ ପରି ।

 

ପରଦିନ ସକାଳୁ ତାଙ୍କର ନୁଆଁଣିଆ ବସାଘରୁ ବିଦା ହୋଇ ଆସିବା ବେଳେ ବଟଦାଦି ମୋତେ କେତେ କଣ ପଚାରିଥିଲେ । ମାତ୍ର ବହୁ ଚେଷ୍ଟା କରି ସୁଦ୍ଧା ମୁଁ ତାଙ୍କ ଆଗରେ ମୋ ପ୍ୟାଣ୍ଟ୍‌ ସାର୍ଟ କଥା କହିପାରି ନ ଥିଲି । ତାଙ୍କର ସବୁଯାକ ପ୍ରଶ୍ନର ଉତ୍ତର କେବଳ ‘ହଁ ଓ ନା'ରେ ଦେଇ ମୁଁ ଫେରି ଆସିଥିଲି । ସନାତନ ସାର୍‌ ଶ୍ୟାମବଜାରରେ ଓହ୍ଲାଇ ନିଜକୁ ନିଜେ ଉତ୍ତର ଦେବା ପରି କହୁଥିଲେ, ‘ଏଇ ତ ସୁବାଷ ଚୌକ୍‌ । ହାୱଡା ପଟକୁ ବସ୍‌ ସେପଟେ ମିଳିବ ।’

 

ମୁଁ କିନ୍ତୁ ଚୁପ୍‌ଚାପ୍‌ ଥିଲି । ମୋ ମୁଣ୍ଡ ଭିତରେ ମୋର କାଚ କଣ୍ଢେଇକୁ କିଏ ବାରମ୍ବାର ଏପଟ ସେପଟ, ଏପଟ ସେପଟ କରି ଘୂରଉଥିଲା । ଲାଗ୍‌ ଲାଗ୍‌ ହୋଇ ଗୋଟେ ରାଜା ଓ ବଣମଣିଷର ମୁହଁ ମୋ ଆଖି ସାମ୍‌ନାରେ ନାଚି ଯାଉଥିଲା ।

 

ସନାତନ ସାର୍‌ ପଚାରିଥିଲେ, ‘‘ଦେହ ଭଲ ନାହିଁ କିରେ, ଏମିତି ଚୁପ୍‌ଚାପ୍‌ ରହିଛୁ ଯେ-!’’

 

ମାତ୍ର ମୁଁ କିଛି କହି ନ ଥିଲି । ପକେଟ୍‌ରେ ହାତ ପୂରେଇ ମୁଁ ଘରୁ ଆଣିଥିବା ମୋ ଚାହିଦାର ଚିଠାଟାକୁ ମୋଡ଼ିମକଚି ଦେଲା ପରି କେହି ଜଣେ ମୋର ସ୍ୱପ୍ନ ଏବଂ କଳ୍ପନାକୁ ଭିତରେ ମୋଡ଼ିମକଚି ଦେଉଥିଲା ।

 

ଘରକୁ ଆସିବା ବାଟରେ ସନାତନ ସାର୍‌ ତାଙ୍କ ଗାଁରେ ରହିଯାଇଥିଲେ । ମୁଁ ଫେରିଆସିଥିଲି ଆମ ଘରକୁ । ବୋଉ ଦଉଡ଼ି ଆସି ମୋତେ କୁଣ୍ଢେଇ ପକେଇଥିଲା; କାହିଁକି ନା, ୟା ଆଗରୁ କେବେ ତାକୁ ଛାଡ଼ି ମୁଁ ଏତେ ଦୂର ଯାଇ ନ ଥିଲି । ଖୁଡ଼ୀ ଧାଇଁଆସି ମୋ ପଛରେ ଛିଡ଼ା ହୋଇଥିଲେ । ଗେହ୍ଲାଦେଈ ତରବର ହୋଇ ମୋର ବ୍ୟାଗ୍‌ ଦରାଣ୍ଡୁଥିଲା ।

 

ମାତ୍ର ମୋ ଭିତରେ କୌଣସି ଉତ୍ତେଜନା ନ ଥିଲା ।

 

ବୋଉ ପଚାରିଥିଲା, ‘କିରେ ବଟଦାଦି ଦେଖା ହେଲେ ନାହିଁ କି ? କଣ କହୁଥିଲେ ? କେବେ ଆସିବେ ?’

 

ମୁଁ ଚିଡ଼ିଉଠିଲି, ‘ତୁ ତ ଶୀଘ୍ର ଫେରି ଆସିବାକୁ କହିଥିଲୁ । ମତେ କାହିଁକି ପଚାରୁଛୁ ? ସନାତନ ସାର୍‌ଙ୍କୁ ପଚାରି ବୁଝିବୁ ।’

 

ଅଳକା କାଚ କଣ୍ଢେଇର ଟୁକୁଡ଼ାମାନଙ୍କୁ ଅଳିଆଗଦାରେ ପକେଇ ଦେବା ଲାଗି ଗୋଟେଇ ନେଉଥିଲା । ମୋତେ ଚାହିଁ ପଚାରିଲା, ‘‘କଣ୍ଢେଇଟା ଭାଙ୍ଗିଗଲା ବୋଲି ବିରକ୍ତ ହେଉଛ, ନୁହେଁ ? ପୁରୁଣା ଜିନିଷ ଭାଙ୍ଗିଗଲେ ମନ ସତରେ କଷ୍ଟ ହୁଏ ।’’

 

ମୁଁ ତାକୁ କିଛି କହିଲି ନାହିଁ । ମୋ କଣ୍ଢେଇ ତ ସେଇଦିନ ସେଇ ବାରାସତ୍‌ରେ ଭାଙ୍ଗିଯାଇଥିଲା । ଅଳକାକୁ ସେ କଥା କହି ଲାଭ କଣ ?

☆☆☆

 

ପଞ୍ଜୁରୀ

 

ଅନେକ ସମୟ ହେଲା ଚଢ଼େଇଟି ଫଡ଼୍‌ ଫଡ଼୍‌ ହେଉଥିଲା । ତାର ସାନ ସାନ ଡେଣା ଯୋଡ଼ିକ ପଞ୍ଜୁରିର ଲୁହାପାତିଆରେ ପିଟି ବାଡ଼େଇ ଅବଶ ହୋଇସାରିଥିଲେ ବି ଚଢ଼େଇଟି ସ୍ଥିର ହୋଇପାରୁ ନ ଥିଲା । ପଞ୍ଜୁରି ଫାଙ୍କରେ ଥଣ୍ଟ ଗଳେଇ ସେ ବାହାରକୁ ଚାହୁଁଥିଲା ଓ ପୁଣି ଗୋଡ଼ ଛାଟି, ଡେଣା ଝାଡ଼ି ବାହାରକୁ ପଳେଇଯିବାର ନିଷ୍ଫଳ ପ୍ରୟାସ କରୁଥିଲା ।

 

କିନ୍ତୁ ତାର ଏ ଚେଷ୍ଟା ଓ ଚିତ୍କାର ଯେ ଥିଲା ଅର୍ଥହୀନ, ଏକଥା ରେଣୁ ଭଲ ଭାବେ ଜାଣିଥିଲା । ଏମିତି ବାଡ଼େଇ ପିଟି ହୋଇ ଶେଷକୁ ସେ ପରିସ୍ଥିତି ସାଙ୍ଗରେ ହୁଏତ ସନ୍ଧି କରି ନେବ, ନ ହେଲେ ଆର ଚଡ଼େଇଟି ପରି ଦିନେ ମରିଯିବ । ଏ ଚଢ଼େଇର ଦୁର୍ଦ୍ଦଶା ଦେଖି ଆର ଚଢ଼େଇଟି କଥା ରେଣୁର ମନେପଡ଼ୁଥିଲା । ଶାଗୁଆ ଟିଆ ଚଢ଼େଇଟି ଏମିତି ଦିନେ ଧରାହୋଇ ଆସିଥିଲା । କିନ୍ତୁ ଆସିବା ଦିନଠାରୁ ସେ ଉଡ଼ି ପଳେଇ ଯିବା ଲାଗି ଛାଟିପିଟି ହୋଇଥିଲା । ଘର ମାଲିକଙ୍କ ଝିଅ ତାକୁ ଖଣ୍ଡ ଖଣ୍ଡ ଭେଣ୍ଡି ଯାଚିଥିଲା, ମାଲିକାଣୀ ନିଜେ ଯାଚିଥିଲେ ଭିଜାବୁଟ, ମାଲିକ ତାଙ୍କ ଜଞ୍ଜାଳ ଛାଡ଼ି ଉପର ମହଲା ପାରାପେଟ୍‌ରେ ଛିଡ଼ା ହୋଇ ତାକୁ ଆଉଁଶି ଦେଉଥିଲେ-। ମାତ୍ର ଟିଆଟି କୌଣସି କଥାରେ ରାଜି ହେଉ ନ ଥିଲା ।

 

ସେତେବେଳେ ଶାଗୁଆ ବିଲମାଳରେ ଦଳଦଳ ହୋଇ ଉଡ଼ିଯାଉଥିବା ଟିଆମାନଙ୍କ କଥା ରେଣୁର ମନେ ପଡ଼ୁଥିଲା । ଧାନ ପାଚିବା ସମୟ ଆସିଲେ କେଉଁଠୁ କେଜାଣି ଟିଆମାନେ ଦଳଦଳ ହୋଇ ଉଡ଼ିଆସନ୍ତି । ଚାହୁଁ ଚାହୁଁ ଖେଦି ଯାଆନ୍ତି ବିଲସାରା । ନାଲି ଟୁକୁ ଟୁକୁ ଚଞ୍ଚୁରେ କଅଁଳ ଧାନ ସବୁ ଟୁଙ୍କି ଟୁଙ୍କି ଖାଆନ୍ତି । ସଞ୍ଜ ହେବା ଆଗରୁ ପୁଣି ସ୍କୁଲ ପିଲା ଘରକୁ ଫେରିବା ପରି ଦଳବାନ୍ଧି ଉଡ଼ି ଚାଲିଯାଆନ୍ତି ।

 

ସେମାନଙ୍କର ସେ ଉଡ଼ାଣ ଦେଖି ରେଣୁ ଛିଡ଼ା ହୋଇଯାଏ । କେତେ ଖୁସିବାସିଆ ଜୀବନ ଏଇ ଟିଆମାନଙ୍କର ! ନା ଚିନ୍ତା ଅଛି ନା ଦକ ! ନା ହାଟସଉଦା ଚିନ୍ତା ଅଛି ନା ପାଠପଢ଼ା ! ନା ପୁଅ ଚାକିରି ଚିନ୍ତା ନା ଝିଅ ବାହାଘର !

 

ଦିନେ କେଳାଟିଏ ଦିଇଟି ଟିଆଙ୍କୁ ଧରି ବିକିବା ପାଇଁ ଆସିଥିଲା । ରେଣୁର ଇଚ୍ଛା ହେଇଥିଲା ସେ ଗୋଟିଏ ଟିଆ ରଖିଥାନ୍ତା । ତା ସଙ୍ଗେ ଖେଳିଥାନ୍ତା । ତାକୁ ସାଙ୍ଗରେ ନେଇ ସ୍କୁଲକୁ ଯାଇଥାନ୍ତା । ସାଙ୍ଗମାନଙ୍କ ଆଗରେ ସେ ତା ଚେହେରାକୁ ଦେଖାଇଥାନ୍ତା । କିନ୍ତୁ ଠିକ୍‌ ସେମିତି ହୋଇ ନ ଥିଲା । ତା ବାପା କେଳାଠୁ ଟିଆ ଦିଇଟା କିଣିନେଇ ଉଡ଼େଇ ଦେଇଥିଲେ । ଚଢ଼େଇ ଦିଇଟା ଚିଁ ଚିଁ ରାବି ଚାହୁଁ ଚାହୁଁ ଗହୀର ବିଲମାଳ ଉପର ଦେଇ କୁଆଡ଼େ ଉଡ଼ି ପଳେଇଥିଲେ । ବାପା ସେ କେଳାକୁ କହିଥିଲେ ‘ଆଉ ଦିନେ ଏ ଗାଁକୁ ଚଢ଼େଇ ବିକି ଆସିବୁ ନାହିଁ-।’

 

କେଳାଟି ତା ପଇସା ନେଇ ଫେରିଯାଇଥିଲା ।

 

ବାପା ରେଣୁକୁ ବୁଝାଇ ଦେଇଥିଲେ, ‘ଆକାଶର ପକ୍ଷୀକୁ ବାନ୍ଧି ରଖିବା ପାପ ।’ ରେଣୁ ହିଁ ଭରିଥିଲା ।

 

ଆଜି ବାପା ନାହାନ୍ତି । ସ୍ମୃତିତକ ଯାହା ରହିଛି । ରେଣୁ ତା ସ୍କୁଲକୁ ଫେରି ସବୁ କାମଧନ୍ଦା ତୁଟେଇ ସାରିଲାଣି । ଦିନର ଏଇ ସମୟତକ ସେ ଛାତ ଉପରେ ଆସି ବୁଲେ । ଆଉ ଟିକକରେ ପୁଣିଥରେ ରନ୍ଧାବଢ଼ା କାମ ଲାଗିଯିବ । ତାପରେ ଆଉ ଫୁରୁସତ୍‌ ନାହିଁ ।

 

ପଡ଼ିଶାଘର ପାରାପେଟ୍‌ ଉପରେ ପଞ୍ଜୁରିଟି ଟଙ୍ଗା ଯାଇଛି । ତାରି ଭିତରେ ଚଢ଼େଇଟି ଡେଣା ଛାଟିପିଟି ଅଥୟ ହେଉଛି । କିନ୍ତୁ ରେଣୁ ଜାଣିଛି, ଯେତେ ବାଡ଼େଇପିଟି ହେଲେ ବି କିଛି ଲାଭ ହେବ ନାହିଁ । ସେ ପଞ୍ଜୁରିର ଦ୍ୱାର କେବେ ବି ଖୋଲିବ ନାହିଁ ।

 

ଚଢ଼େଇର ଦୁର୍ଦ୍ଦଶାରେ ବିବ୍ରତ ରେଣୁ ବେଳେ ବେଳେ ଭାବେ, ଏତେ ନିର୍ଦ୍ଦୟ ହେବା କଣ ପଞ୍ଜୁରିକୁ ଶୋଭା ପାଏ ? କଅଁଳ କୁନି ଚଢ଼େଇର ନାଲି ଓ ଉଷୁମ ରକ୍ତ ଲାଗିଲେ ବି ପଞ୍ଜୁରିଟି ଟିକିଏ ଥରି ଉଠେ ନାହିଁ !

 

ସେତେବେଳେ ପଡ଼ିଶାଘର ପଞ୍ଜୁରିଟି ଅବା କଥାକୁହା ମଣିଷ ପରି ତା ସାଙ୍ଗେ କଥା କହିବାକୁ ଆରମ୍ଭ କରିଦିଏ । ପଞ୍ଜୁରି କହେ, ‘ମୋର ଏ ନିର୍ଦ୍ଦୟତା ମୁଁ ଗୋଟିଏ ଦିନରେ ଆହରଣ କରିନାହିଁ । ବର୍ଷ ବର୍ଷ ଧରି ମୋତେ ଏମିତି ନିର୍ଦ୍ଦୟ ଓ କଠୋର ହେବା ଲାଗି ଶିକ୍ଷା ଦିଆଯାଇଛି । ମୁଁ ଏବେ କରିବି କଣ ?’

 

ରେଣୁ ପଞ୍ଜୁରିର କଥା ବୁଝିପାରେ । କୋଉ ପାହାଡ଼ରେ ବାରୁଦ ବୋମା ଖଞ୍ଜାଯାଇ ଫଟା ଯାଇଥିବ ପଥରର ଛାତି । ତାପରେ ଲୁହା କାରଖାନାର ନିଆଁରେ ତରଳିଥିବ ସେ ପଥର । ପଥରରୁ ଲୁହା ନିଗାଡ଼ିବାର ପ୍ରକ୍ରିୟାଠୁଁ କଠିନ ବ୍ୟବସ୍ଥା ସେ ଆଉ କିଛି ଦେଖିନାହିଁ । ତରଳ ଲୁହା ପୁଣି ପଥର ପରି ନିଷ୍କରୁଣ ମେସିନ୍‌ ଭିତରେ ଚାପି ହୋଇ ଲୁହା ଚାଦର ବନିଥିବ । ସେଇ ଲୁହା ଚାଦର ସବୁ ସୋରି ସୋରି ହୋଇ ଚିରାଯାଇଥିବ ଆଉ ଗୋଟିଏ ମେସିନ୍‌ରେ । ସୋରିଏ ଲୁହା ଚାଦର ଶେଷକୁ କମାର ହାତୁଡ଼ିର ପାହାର ପରେ ପାହାର ଖାଇ ପାଲଟିଥିବ ପଞ୍ଜୁରି ।

 

ପଞ୍ଜୁରିଟି ଏଇ କଥା କୁହେ । କଥାକୁହା ମଣିଷଟେ ପରି ରେଣୁକୁ ପଚାରେ, “ଏମିତି ବିସ୍ଫୋରଣ, ଉତ୍ତାପ ଓ ଆଘାତ ଖାଇ ଖାଇ ଗଢ଼ା ଯାହାର ଜୀବନ, ତାଠିଁ କୋମଳ ଅନୁଭବମାନ ଖୋଜିବସ କାହିଁକି ?”

 

ରେଣୁ ଜବାବ ଫେରଇ ପାରେ ନାହିଁ । ତାକୁ ଲାଗେ, ପଞ୍ଜୁରି ଠିକ୍‌ କହୁଛି । ଅଥଚ ସେ ପଞ୍ଜୁରି ଭିତରେ ଛାଟିପିଟି ହେଉଥିବା ଚଢ଼େଇଟିର ବିକଳ ସହିପାରେ ନାହିଁ । ସତେ କି ସେଇଟି ଚଢ଼େଇ ନୁହେଁ, ନିଜେ ରେଣୁ ହାତଗୋଡ଼ ବାଡ଼େଇ ଛାଟିପିଟି ହେଉଛି । ବାହାରକୁ ଚାଲିଯିବା ପାଇଁ ଅସ୍ତବ୍ୟସ୍ତ ହେଉଛି ।

 

ରାସ୍ତା ଉପରେ କେତେ ପ୍ରକାର ଲୋକ ଯା-ଆସ କରୁଛନ୍ତି । ବସ୍‌, କାର୍‌, ସ୍କୁଟର, ମୋଟର ସାଇକେଲ୍‌, ରିକ୍ସା ଓ ଠେଲାଗାଡ଼ି । ଆଇସ୍‌କ୍ରିମ୍‌ବାଲା ଘଣ୍ଟି ଟିଣ୍‌ ଟିଣ୍‌ କରି ଯାଉଛି । ପିଲାମାନେ ତା ପଛେ ପଛେ ଚାଲିଛନ୍ତି ।

 

ଆଇସ୍‌କ୍ରିମ୍‌ ପରି ରେଣୁର ଜୀବନ । ମିଠା, ସୁନ୍ଦର, ଶାନ୍ତ ଓ ଶୀତଳ । ଅଥଚ ଚାହୁଁ ଚାହୁଁ ମିଳେଇଯାଏ । ଯାହା ରହିଯାଏ, ତାହା କଙ୍କାଳ ପରି ଗୋଟେ ହାଲୁକା କାଠି । କିଛି ମଧୁର ଓ ଶୀତଳ ସ୍ମୃତି ।

 

ଦିନେ ତାର ବି ଶାନ୍ତ ସୁନ୍ଦର ଜୀବନଟେ ଥିଲା । ସେ ଜୀବନର ଗୁଡ଼ି ରାଜେଶକୁ ଲଟେଇ କରି ଆକାଶରେ ଉଡ଼ୁଥିଲା । କେତେ କେତେ ଯୋଜନା ଆଙ୍କୁଥିଲା ଅଦେଖା ମନର ଆକାଶରେ ।

 

ଅଥଚ ଯୋଜନାଗୁଡ଼ିକ ସେମିତି ଯୋଜନାରେ ରହିଗଲା । ନୂଆ ଘରର ନକ୍ସା ତିଆରିବାକୁ ସ୍କୁଟରରେ ଯାଇଥିବା ରାଜେଶ ଫେରିଆସିଲା ଆମ୍ବୁଲାନ୍‌ସରେ । ସେତେବେଳେ ତା ଦେହରେ ଟିପିଟିପିକା ଛିଟ ଜାମା ନ ଥିଲା, ଆଖିରେ ଚଷମା କି ହାତରେ ଘଣ୍ଟା ନ ଥିଲା । ପାଦରେ ଜୋତା କି ମୁହଁରେ ହସ ନ ଥିଲା । ରାଜେଶ ମୁହଁ ଉପରେ ଘୋଡ଼ା ହୋଇଥିଲା ଗୋଟେ ଧଳା ଲୁଗା ଏବଂ ସେଇ ଧଳା ଲୁଗା ତଳେ ଆଇସ୍‌କ୍ରିମ୍‌ର କଙ୍କାଳ କାଠିଟେ ପରି ରାଜେଶର ନିର୍ଜୀବ ନିଶ୍ଚଳ ଚେହେରା ।

 

ଗୋଟିଏ ମୁହୂର୍ତ୍ତରେ ରେଣୁର ଜୀବନ ଓଲଟପାଲଟ ହୋଇଗଲା । ସାରା ଜୀବନ ହାତଧରି ଚାଲିବାର ପ୍ରତିଶ୍ରୁତି ଦେଇଥିବା ରାଜେଶ ଯାତ୍ରା ଆରମ୍ଭରୁ ତା ହାତ ଛାଡ଼ି ଚାଲିଯାଇଥିଲା-

 

ରେଣୁର ଛାତି ଭିତରୁ ସେଦିନ କିଏ ଯେପରି ତାର ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, କଲିଜା ଓ ଅନ୍ତନାଡ଼ିଗୁଡ଼ାକୁ ରୁଣ୍ଡେଇ ପୁଣ୍ଡେଇ ଓଟାରି ଆଣିଥିଲା । ତାର ସବୁ ପ୍ରତିକ୍ରିୟା ଖାଲି ଗୋଟେ କରୁଣ ଚିତ୍କାର ପାଲଟି ଯାଇଥିଲା ।

 

ଚାହୁଁ ଚାହୁଁ ତା ଘର ସାମ୍ନାର ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା । ରାଜେଶର ସାଙ୍ଗସାଥୀ, ତାର ବଡ଼ ଓ ସାନ ଭାଇ, ତା ଫ୍ୟାକ୍ଟରୀର ମାଲିକ ଓ କର୍ମଚାରୀ, ୟୁନିୟନ୍‌ର ସହଯୋଗୀ, ସହରର ବିଧାୟକ, ଏମ୍‌.ପି. ସମସ୍ତେ ରୁଣ୍ଡ ହୋଇଯାଇଥିଲେ । ଫୁଲରେ ସଜା ଟ୍ରକ୍‌ଟିଏ ରାଜେଶର ଶବକୁ ନେଇ ସହର ପରିକ୍ରମା କରିଥିଲା । ଖଇ ଓ ଖୁଚୁରା ପଇସାରେ ପୋତି ହୋଇଯାଇଥିଲା ତା ଘରସାମ୍ନାରେ ସଂକୀର୍ଣ୍ଣ ସଡ଼କ ।

 

ରାଜେଶର ସାନଭାଇ କାନ୍ଦି କାନ୍ଦି କହିଥିଲା, “ମୁଁ ତୁମର ପୁଅ ଭାଉଜ, ମୁଁ ଅଛି । ତୁମେ ଧୈର୍ଯ୍ୟ ଧର ।”

 

ରେଣୁର ବଡ଼ ଭାଇ କହିଥିଲେ, “ମୁଁ ତୋର ଆଉ ଗୋଟେ ବାପା ରେଣୁ, ତୁ କୌଣସି କଥା ଚିନ୍ତା କରନାହିଁ । ତୁ ଯେମିତି ଥିଲୁ, ସେମିତି ରହିବୁ । ଯାହା ଇଚ୍ଛା ସେଇଆ ନିଷ୍ପତ୍ତି ନବୁ । ତୋର ଧଳା ଶାଢ଼ି ପିନ୍ଧିବା ଦରକାର ନାହିଁ କି ଦେଢ଼ବର୍ଷର ଘରକରଣାକୁ ଆଳ କରି ସାରାଜୀବନ ନଷ୍ଟ କରିବା ଦରକାର ନାହିଁ ।”

 

ଶାଶୂ, ଶ୍ୱଶୁର, ଯାଆ ଓ ନଣନ୍ଦ ସମସ୍ତେ କାନ୍ଦି କାନ୍ଦି ରେଣୁକୁ ବୁଝାଇଥିଲେ । ରାଜେଶ କାମ କରୁଥିବା କାରଖାନାର ମାଲିକ ଓ ତା ୟୁନିୟନ୍‌ର ସହଯୋଗୀମାନେ ପ୍ରତିଶ୍ରୁତି ଦେଇଥିଲେ, ‘ଆପଣ ଧୈର୍ଯ୍ୟ ଧରନ୍ତୁ । ଆମେ ଆପଣଙ୍କୁ ସବୁବେଳେ ସାହାଯ୍ୟ କରିବୁ ।’

 

ରେଣୁ ଆଉଥରେ ସେ ପଞ୍ଜୁରି ଆଡ଼େ ଚାହିଁଲା । ଚଢ଼େଇଟି ଅବଶ ହୋଇ ବସିପଡ଼ିଛି-। ଆଉ ଟିକିଏ ସାହସ ଗୋଟଉଛି । ସେତକ ଗୋଟେଇ ସାରିଲେ ସେ ପୁଣି ଯୁଝିବ, ପୁଣି ଲଢ଼େଇ କରିବ ।

 

ଶ୍ମଶାନ ଘାଟରେ ରାଜେଶର ରକ୍ତମାଂସର ଦେହ ଜଳିପୋଡ଼ି ପାଉଁଶ ହେବାର ବିବରଣୀ ଶତଚେଷ୍ଟା ସତ୍ତ୍ୱେ ରେଣୁ ଭୁଲିପାରି ନାହିଁ । ବାରମ୍ବାର ବନ୍ଦ କବାଟ ଆଢ଼ୁଆଳରେ ଛପିରହି ସେ ସେଇକଥା ଶୁଣିଛି । ଦୁଆର ବନ୍ଧ ଦେହରେ ମୁଣ୍ଡ କୋଡ଼ିଛି ।

 

ଜହ୍ନିଫୁଲର ଆୟୁଷ ନେଇ ଆସିଥିଲା ତାର ଦାମ୍ପତ୍ୟ । ସେ ଫୁଲ କଷି ଧରିବା ଆଗରୁ ମଉଳି ଝଡ଼ିପଡ଼ିଲା ।

 

ଚାହୁଁ ଚାହୁଁ ରାଜେଶ ଗୋଟେ ସ୍ମୃତି ପାଲଟିଗଲା । କେବଳ ସ୍ମୃତି ।

 

ତା ଘରକୁ ଯା-ଆସ କରୁଥିବା ଲୋକମାନଙ୍କ ଭିଡ଼ ପତଳା ହୋଇଗଲା । ତା ପାଇଁ ଚାକିରି ବୁଝିଦେବାର ପ୍ରତିଶ୍ରୁତି ଦିନେ ରାଜେଶ କାମ କରୁଥିବା ସେଇ କାରଖାନାର କୋଳାହଳ ଭିତରେ ହଜିଗଲା । ତେଣିକି ଯାହା ରହିଗଲା, ସେ ତା ନିଜର ଲୁହ, ନିଜର ଦୀର୍ଘଶ୍ୱାସ, ନିଜର ଅସହାୟତା ।

 

ରେଣୁ ଭିତରେ ଭିତରେ ଭାଙ୍ଗି ପଡ଼ିଥିଲା ।

 

ଏମିତି ଦିନେ ଆଉଥରେ ନୂଆଘର ବାନ୍ଧିବାର ପ୍ରସ୍ତାବ ନେଇ ଆସିଥିଲା ଜନ୍ମେଜୟ । କିନ୍ତୁ ଜନ୍ମେଜୟ ତୁଣ୍ଡ ଖୋଲିବା ଆଗରୁ ରେଣୁ ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । କହିଥିଲା, ‘ମୁଁ ତମ ଯୌବନକୁ ନଷ୍ଟ କରିଛି, ଆଉଥରେ ତମ ଜୀବନକୁ ନଷ୍ଟ କରିବାର ସାହସ କରିବି ନାହିଁ । ତମେ ଫେରିଯାଅ ।’

 

ଜନ୍ମେଜୟ ଫେରିଯାଇଥିଲା । ରେଣୁ ଜାଣିଥିଲା, ଜନ୍ମେଜୟ ତାକୁ ଭଲପାଏ । ମାତ୍ର ସେ ଭଲପାଇବାର ଭୁଲ୍‌ଟି ପାଇଁ ଜନ୍ମେଜୟକୁ ସମସ୍ତେ ଦାୟୀ କରନ୍ତୁ, ସେ କଥା ସେ ଚାହିଁ ନ ଥିଲା । କିଏ କହିବ, ଦିନେ ଜନ୍ମେଜୟ ବି ତାକୁ ଅନ୍ୟମାନଙ୍କ ପରି ଦୟା କରି ନ ଥାନ୍ତା !

 

ଆଜି ରେଣୁ ଜାଣୁଛି, ସେ ସମସ୍ତଙ୍କ ସାମ୍ନାରେ ଦୟାର ପାତ୍ର ପାଲଟି ଯାଇଛି । ନିଜକୁ ସାନ ପୁଅ କହୁଥିବା ତାର ଦିଅର ଏବେ ସମ୍ପତ୍ତିର ଅଂଶୀଦାର ଭାବରେ ହିଁ ତା ସହ ଯାହାକିଛି ସମ୍ପର୍କ ରଖୁଛି । ଦେଢ଼ଶୁର ଓ ଯାଆ ତାର ଉପସ୍ଥିତିକୁ ଆଦୌ ସହ୍ୟ କରିପାରୁ ନାହାନ୍ତି । ଶାଶୂ ସେଦିନ ଯେମିତି ତାଙ୍କ ପୁଅର ଅକାଳ ମୃତ୍ୟୁ ପାଇଁ ରେଣୁକୁ ଦାୟୀ କରିଥିଲେ, ଆଜି ବି ସେମିତି ଦାୟୀ କରନ୍ତି ।

 

ଶାଶୂଘରେ ସମସ୍ତେ ଚାହାନ୍ତି, ରେଣୁ ସେମାନଙ୍କର ଜୀବନରୁ ଚାଲିଯାଉ । ରେଣୁ ତାଙ୍କ ଉପରେ ବୋଝ ନ ହେଉ । କିନ୍ତୁ ଘରର ବୁନିଆଦିରେ ଧୂଳି ନ ଲାଗୁ । ବୁନିଆଦିର ଚୂନଧଉଳା କାନ୍ଥରେ କଳା ଲାଗିଗଲେ ସେମାନଙ୍କର ଅପମାନ ହେବ ।

 

ରେଣୁ ଘର ଭିତରର ଲାଇଟ୍‌ ଜଳେଇଦେଲା । ଏବେ ଏଇ ଘରର ଚାରିକାନ୍ଥ ହିଁ ତାର ଜୀବନ । ଏଇ ଘରକୁ ଛାଡ଼ିଦେଲେ ତାର ସ୍କୁଲ ଓ ସ୍କୁଲର ସାନ ସାନ ପିଲାଙ୍କ ପାଠପଢ଼ା । ବାସ୍‌, ଘର ଓ ସ୍କୁଲ ଭିତରେ ଝୁଲୁଥିବା ଅଦୃଶ୍ୟ ପେଣ୍ଡୁଲମ୍‌ ହିଁ ତାର ପରିଚୟ ।

 

ଛୋଟ ଛୋଟ କଥାଗୁଡ଼ିକ କେତେ କଷ୍ଟ ନ ଦିଏ ! ରେଣୁ ସେଦିନର କଥା ଭାବୁଥିଲା । ବିନା ଡାକରାରେ ରେଣୁ ସେଦିନ ତା ବଡ଼ ଭାଇଙ୍କ ଘରକୁ ଯାଇଥିଲା । ଭାଉଜ ବିଛଣାରେ ଶୋଇଥିଲେ । ବଡ଼ଭାଇ ପିଣ୍ଟୁର ଜନ୍ମଦିନ ପୋଷାକ କିଣିବା ପାଇଁ ବଜାରକୁ ଯାଇଥିଲେ । ଭାଇ ଆସିବାଯାଏ ଅପେକ୍ଷା କରିଥିଲା ରେଣୁ । ତାର ଆଶା ଥିଲା, ଭାଉଜ ନ କହିଲେ ନାହିଁ, ଭାଇ ନିଶ୍ଚୟ ତାକୁ ପିଣ୍ଟୁର ଜନ୍ମଦିନ ପାଇଁ ଅଟକେଇବେ । ସେ ଜନ୍ମଦିନର ଭୋଜି ସାରି ପୁଣି ଫେରିଆସିବ ।

 

ଅନେକ ବେଳୁ ଦି ଟୋପା ଲୁହ ତା ଆଖି କୋଣରେ ଢଳଢଳ ହେଉଥିଲା । ରେଣୁ ହାତ ପାପୁଲିରେ ସେ ଲୁହ ଦି ବୁନ୍ଦାକୁ ପୋଛିଦେଇ ଖଟ ଉପରେ ଶୋଇପଡ଼ିଲା । ଥାଉ, ସେସବୁ ଭାବି କିଛି ଲାଭ ନାହିଁ ।

 

ଆଜି ତାର ବାପଘର ଥାଇ ନ ଥିଲା ପରି ।

 

ଭାଇଙ୍କର କେବଳ ଚିନ୍ତା, କାଳେ ରେଣୁ ସମ୍ପତ୍ତି ପାଇଁ ଦାବି କରିବସିବ !

 

ଶାଶୁଘର ଥାଇ ନ ଥିଲା ପରି ।

 

ତାକୁ କେହି କୌଣସି କାମରେ ଲୋଡ଼ନ୍ତି ନାହିଁ । ସେ କାହାର ବାହାଘର, ବ୍ରତଘର, ଜନ୍ମଦିନ କି ହାଣ୍ଡିମଙ୍ଗୁଳାରେ ସାମିଲ ହୋଇପାରେ ନାହିଁ । କାରଣ ସେ ବିଧବା । କୌଣସି ଶୁଭକାମରେ ତାର ଉପସ୍ଥିତି ଅନୁଚିତ ।

 

ତାକୁ ସବୁଆଡ଼େ ବାରଣ, ସବୁଠି ତା ପାଇଁ ନାହିଁ ନାହିଁର ନିଷେଧାଦେଶ ।

 

ଅନେକବେଳେ ରେଣୁ ଭାବେ, ସେ ଏ ଘର ଛାଡ଼ି କୁଆଡ଼େ ପଳେଇଯିବ । କିନ୍ତୁ ବାପ ଘରର ଖାନଦାନି ପରମ୍ପରା ଓ ଶାଶୂଘରର ବୁନିଆଦି ପ୍ରତିଷ୍ଠା ତା ସାମ୍ନାରେ ଲୁହାର ପ୍ରାଚୀର ଛିଡ଼ା କରେଇଦିଏ । ରେଣୁ ପଛକୁ ଘୁଞ୍ଚି ଆସେ । ସୁନାମ ଆଣି ନ ପାରିଲା ନାହିଁ, ସେମାନଙ୍କୁ ବଦନାମ ଘେରରେ କାହିଁକି ସେ ଛାଡ଼ିଯିବ ! ତାଠୁଁ ଭଲ, ଏଇଠି ଏଇମିତି ପଡ଼ିରହିଥିବ, ପିଣ୍ଡାତଳର ପଥର ପରି ।

 

ଦିନେ ଯେ ତାର ଜୀବନ ଏମିତି ଗୋଟେ ଅନ୍ଧଗଳି ସାମ୍ନାରେ ଆସି ଅଟକି ଯିବ, ସେକଥା ସେ କେବେ କଳ୍ପନା କରି ନ ଥିଲା । ଅଥଚ ଏମିତି ଗୋଟେ ଜୀବନକୁ ନେଇ ହିଁ ତାକୁ ଅବଶିଷ୍ଟ ଜୀବନ ଜିଇଁବାକୁ ପଡ଼ିବ ।

 

ଏମିତି ସମୟରେ ବୋଉଠୁଁ ଶୁଣିଥିବା କିଛି କିଛି ଭୟଙ୍କର କଥା ତାର ମନେପଡ଼ିଯାଏ-। ସେ କଥାସବୁ ଏତେ ଭୟଙ୍କର ଯେ ରେଣୁ ସେସବୁ ମନ ଭିତରେ ସୁଦ୍ଧା ଭାବିପାରେ ନାହିଁ-। ତାଙ୍କରି ପରିବାରର ଜଣେ ବିଧବା ଯୁବତୀ ବୋହୂ ଦିନେ କୁଆଡ଼େ ଚାଲିଯିବା ପାଇଁ ଗୋଡ଼ କାଢ଼ିଥିଲା । ତାପରେ ତାକୁ ଆଉ କେହି ଦେଖି ନ ଥିଲେ । ସେ ବୃନ୍ଦାବନ ଗଲା କି ମଥୁରା, ହରିଦ୍ୱାର ନା ପୁରୀ ସେ କଥା କେହି କହିପାରିଲେ ନାହିଁ । କିନ୍ତୁ ରେଣୁ ବୁଝେ ସେ କୁଆଡ଼େ ଯାଇପାରି ନ ଥିବ । ଯିବା ଆଗରୁ ଅବଶ ହୋଇ ପଡ଼ିଥିବ ତାର ପାଦ ଯୋଡ଼ିକ । ହୁଏତ ରାତି ଅନ୍ଧାର ଭିତରେ ତାର ପାଦଯୋଡ଼ିକୁ କିଏ ପିଟି ବାଡ଼େଇ ପଙ୍ଗୁ କରିଦେଇଥିବ ।

 

ଭୟରେ ଶିହରି ଉଠେ ରେଣୁ । ଚୁପ୍‌ଚାପ୍‌ ଉଠିପଡ଼ି ଘରଭିତରକୁ ଚାଲିଯାଏ । ମାତ୍ର ବେଶି ସମୟ ଘର ଭିତରେ ବସିପାରେ ନାହିଁ । ପଡ଼ିଶାଘର ଚଢ଼େଇଟିର ଡେଣା ଫଡ଼ ଫଡ଼ ଶବ୍ଦ ତାକୁ ଅସ୍ଥିର କରିଦିଏ । ସେ ପାରାପେଟ୍‌ ଉପରୁ ଚାହେଁ । ତିନିତାଲା କୋଠା ଉପରର ପାରାପେଟ୍‌ ପାଖରେ ଝୁଲୁଛି ଲୁହାର ପଞ୍ଜୁରି । ତାଆରି ଭିତର ଚଢ଼େଇଟି ଛାଟିପିଟି ହେଉଛି । ପଞ୍ଜୁରି ଭିତରେ ଦିଇଟି ଗିନା । ଗୋଟିକରେ ବୁଟଦାନା, ଆରଟିରେ ପାଣି । ଅଥଚ ଚଢ଼େଇଟି ସେଥିରେ ଥରକ ପାଇଁ ଥଣ୍ଟ ମାରୁନାହିଁ ।

 

ଏ ଚଢ଼େଇର ବି ସେଇ ଦଶା ହେବ । ଆଗ ଟିଆ ପରି ।

 

ଆର ଚଢ଼େଇଟିର ଦୁର୍ଦ୍ଦଶା ରେଣୁ ଆଖିରେ ଆଉଥରେ ନାଚିଗଲା ।

 

ପଡ଼ିଶାଘର ପଞ୍ଜୁରି ଭିତରେ ବାଡ଼େଇପିଟି ହୋଇ ସେଇ ଚଢ଼େଇଟି ଦିନେ ମରିଯାଇଥିଲା । ଘରର ମାଲିକ ସେଦିନ ପଞ୍ଜୁରିଟିକୁ ଖୋଲି ତା ଭିତରୁ ମଲା ଚଢ଼େଇକୁ କାଢ଼ି ଫୋପାଡ଼ି ଦେଲାବେଳେ ପଞ୍ଜୁରିଟିକୁ ଆଉଁଶି ଦେଇ ପ୍ରଶଂସା କରିଥିଲେ । ଯେମିତି ସେ କହୁଥିଲେ, ପଞ୍ଜୁରି ହେବ ତ ଏମିତି । ବାଡ଼େଇପିଟି ହୋଇ ଚଢ଼େଇଗୁଡ଼ାକ ମରନ୍ତୁ ପଛକେ, ମାତ୍ର ପଞ୍ଜୁରି ଭିତରୁ ଖସି ନ ପଳାନ୍ତୁ ।

 

ରେଣୁ ନିଃଶବ୍ଦରେ ଚିତ୍କାର କରିଉଠିଲା । ସେ ବି କଣ ଦିନେ ଏଇ ବୁନିଆଦି ଓ ଖାନଦାନିର ପଞ୍ଜୁରି ଭିତରେ ଛାଟିପିଟି ହୋଇ ମରିଯିବ !

 

ଆକାଶରେ ଏତେ ନୀଳିମା, ଗଛପତ୍ରରେ ଏତେ ସବୁଜିମା, ହାଟବଜାରରେ ଏତେ ରଙ୍ଗ, ରାସ୍ତା ଉପରେ ଏତେ ବିଚିତ୍ର ସ୍ୱରର କୋଳାହଳ ଓ ବଗିଚାରେ ଏତେ ଫୁଲର ଶୋଭାଯାତ୍ରା–ଅଥଚ ରେଣୁ ସେସବୁକୁ ପିଠି ବୁଲେଇ ଏଇ ଧଳା ଶାଢ଼ି, ଭାତ, ଡାଲି ଓ ମାସକୁ ଟଙ୍କା ପାଁଶହ ଭିତରେ ପଞ୍ଜୁରିର ପତିଆରାକୁ ମଥାପାତି ସହି ନେଉଥିବ !

 

ରେଣୁ ଘରର ଫାଟକରୁ ଚାହିଁଲା । ଲୁହାର ଗ୍ରୀଲ୍‌ ଗେଟ୍‌ ସବୁବେଳେ ବନ୍ଦ ଥାଏ । ଯିବାଆସିବା ଲୋକ ଘଣ୍ଟି ବଜେଇଲେ ସେ ଦୁଆର କିଛି ମୁହୂର୍ତ୍ତ ପାଇଁ ଖୋଲିଯାଇ ପୁଣି ବନ୍ଦ ହୋଇଯାଏ ।

 

ଆଜିକାଲି ତାକୁ ଭେଟିବା ପାଇଁ କେହି ଆସନ୍ତି ନାହିଁ । ରାଜେଶ ଥିବାବେଳେ ତାର ସାଙ୍ଗସାଥୀ ହଳ ହଳ ହୋଇ ଆସୁଥିଲେ । କଫି ଓ ପକୋଡ଼ା ପାଇଁ ଜିଦ୍‌ କରୁଥିଲେ । ରେଣୁ ହସି ହସି ତାଙ୍କର ଫରମାସ୍‌ ପୂରଣ କରୁଥିଲା । ସେମାନେ ତାର ପ୍ରଶଂସା କରୁଥିଲେ । ରାଜେଶ ଓର ଉଣ୍ଡି ତା ପିଠି ଚିମୁଟି ଦେଉଥିଲା ।

 

ଉଃ !

 

ଅସ୍ଫୁଟ ଚିତ୍କାରଟିଏ ରେଣୁର ଅଲକ୍ଷ୍ୟରେ ତୁଣ୍ଡରୁ ବାହାରି ଆସିଲା । ସେ ବାଁ ହାତ ପଛକୁ କରି ପିଠିକୁ ଟିକିଏ ସାଉଁଳି ଦେଲା । ନା, କେହି କୋଉଠି ତାକୁ ଚିମୁଟି ନାହିଁ ।

 

ରେଣୁ ତା ସ୍କୁଲକୁ ଯିବା ଓ ଆସିବା ବାଟରେ ମୁହଁ ତଳକୁ କରି ବାଟ ଚାଲେ । ସେ ତଳକୁ ଚାହିଁଥିଲେ ବି ଜାଣିପାରେ, ଯିବା ଆସିବା ଲୋକମାନେ ତାକୁ ଚାହୁଁଛନ୍ତି । କିନ୍ତୁ ସେ ନିଜେ ସେମାନଙ୍କୁ ଚାହିଁପାରେ ନାହିଁ । କାହା ସଙ୍ଗେ ହସଖୁସି କଥା ଦି ପଦ ଗପିପାରେ ନାହିଁ ।

 

କୋଉଠିକୁ ଯିବାକୁ ମନହୁଏ ନାହିଁ ଆଜିକାଲି । ଦେଢ଼ଶୁର ଓ ଯାଆ ତାଙ୍କ ଘରର କବାଟ ଆଉଜେଇ ଚୁପି ଚୁପି କଥାବାର୍ତ୍ତା ହେଲେ ରେଣୁର ରକ୍ତରେ ନିଆଁ ଚରିଯାଏ । ଘର ଭିତରୁ ଚୁଡ଼ି ଶବ୍ଦ ଶୁଭିଲେ ରେଣୁ ମନ ଭିତରେ ହଜାରେ ଏକ ସ୍ମୃତି ଦରଲିଭା ସଳିତା ପରି ପୁଣି ଜଳିଉଠେ-। ମାତ୍ର ଚାହୁଁ ଚାହୁଁ ସେ ନିଆଁ ଲିଭିଯାଏ । ପୋଡ଼ା ସଳିତାଟି କେବଳ ଅନ୍ଧାର ଭିତରେ ନିଜେ ନିଜର ସ୍ମୃତିକୁ ଝୁରିହୁଏ ।

ଆଲମୀରା ଭିତରୁ ରଙ୍ଗରଙ୍ଗିଆ ଶାଢ଼ିଗୁଡ଼ିକ ରେଣୁକୁ ହାତଠାରି ଡାକୁଥାଆନ୍ତି । ଗୋଲାପୀ, ବାଇଗଣୀ, ନୀଳ, ସବୁଜ, ଲାଲ୍‌ ଓ ହଳଦିଆ । ରେଣୁ ଖଟ ଉପରେ ଉଠି ଆଲମୀରା ପାଖକୁ ଯାଏ । ଖଣ୍ଡିଏ ପରେ ଖଣ୍ଡିଏ ଶାଢ଼ି ଉଠେଇ ସେମାନଙ୍କୁ ଆଉଁଶି ଦିଏ । ସେଇ ଶାଢ଼ିଗୁଡ଼ିକୁ ନିଜ ମୁହଁ ପାଖରେ ତୋଳିଧରେ । ଶାଢ଼ି ସାଙ୍ଗରେ ଯୋଡ଼ା ସ୍ମୃତିଗୁଡ଼ିକ ଗୋଟି ଗୋଟି ହୋଇ ମନେପଡ଼ିଯାଆନ୍ତି । ପୁଣି ସେ ସେଗୁଡ଼ିକୁ ଯୋଉଠୁ ଆଣିଥିଲା ସେଇଠି ରଖିଦିଏ । ସ୍ମୃତିର ସାପଗୁଡ଼ିକ ପେଡ଼ି ଭିତରେ କଡ଼ ଲେଉଟାନ୍ତି । ରେଣୁ ବୁଲିପଡ଼େ ।

କେତେ ଦୀର୍ଘ ଏ ଜୀବନ ! ରେଣୁ ମନକୁ ମନ କହେ । ଶୀତଦିନିଆ ରାତି ପରି ସରିବାର ନାଁ ନିଏ ନାହିଁ ଏଇ ଜୀବନ । କାଠଗଡ଼ ପରି ଏ ଜୀବନ ଯେମିତି ଅଚଳ !

ଦିନେ ଦିନେ ପଡ଼ିଶାଘରର ଚଢ଼େଇଟିକୁ ସ୍ୱପ୍ନରେ ଦେଖେ ରେଣୁ । ସେ ଚଢ଼େଇଟି ଆସି ତାକୁ ଘର ବାହାରକୁ ଡାକି ନେଉଛି । ଚାହୁଁ ଚାହୁଁ ରେଣୁ କାନ୍ଧରେ କଅଁଳି ଉଠୁଛି ଦିଇଟି ମଖମଲି ଡେଣା । ଚଢ଼େଇଟି ଆଗେ ଆଗେ ରାସ୍ତା ଦେଖାଇଲା ପରି ଉଡ଼ିଯାଉଛି । ତା ପଛେ ପଛେ ରେଣୁ । ସହର, କୋଠାବାଡ଼ି, ନଈ, ପୋଲ ଓ ରାସ୍ତା ଡେଇଁ ସେମାନେ ଗୋଟେ ଅଗନାଗନି ବନସ୍ତରେ ପହଞ୍ଚି ଯାଇଛନ୍ତି । ସିନ୍ଦୂରା ଫାଟିଆସୁଛି ପୂର୍ବାକାଶରେ । ଚଢ଼େଇଟି ଧୀରେ ଧୀରେ ତଳକୁ ଓହ୍ଲାଇ ଯାଉଛି । ପଛେ ପଛେ ରେଣୁ ବି ଓହ୍ଲେଇ ଯାଉଛି ସେଇ ସବୁଜ ଉପତ୍ୟକାରେ । ଚାହୁଁ ଚାହୁଁ ସେ ଚଢ଼େଇଟିର ଚେହେରା ବଦଳି ଯାଉଛି । ରେଣୁ ଦେଖୁ ଦେଖୁ ତା ସାମ୍ନାରେ ଠିଆହୋଇଯାଉଛି ରାଜେଶ ।

ହଠାତ୍‌ ନିଦ ଭାଙ୍ଗିଯାଏ ରେଣୁର । ସେ ବିଛଣାର ଦୁଇକଡ଼ ଅଣ୍ଡାଳିପକାଏ । କିନ୍ତୁ ପାଏ ନାହିଁ । ମନ ଭିତର ଉଦ୍‌ବେଗ ଲୁହ ହୋଇ ବୋହିଆସେ । ସେ ମନକୁ ମନ କହେ, ଏକା ଏକା ଜିଇଁବା ଖୁବ୍‌ କଷ୍ଟ । ଖୁବ୍‌ କଷ୍ଟ ଅନ୍ୟମାନଙ୍କ ଦୟା ଓ ଘୃଣାକୁ ନେଇ ବଞ୍ଚି ରହିବା ।

ସେ ପୁଣି ଶୋଇଯାଏ । ଏଥର ନିଦ ଆସିବାକୁ ଖୁବ୍‌ ବିଳମ୍ବ ହୁଏ । ପାହାନ୍ତି ପବନ ବାଜି ଆଖିପତା ମୁଦିହୋଇ ଆସେ । ରେଣୁ ପୁଣିଥରେ ସ୍ୱପ୍ନ ଦେଖେ । ସେଇ ଚଢ଼େଇର ସ୍ୱପ୍ନ । ଏଥର ଏକା ଏକା ଡେଣା ଝାଡ଼ି ଆକାଶରେ ଉଡ଼ୁଛି । ବାଁକୁ, ଡାହାଣକୁ, ଉପରକୁ, ତଳକୁ, ଆଗକୁ, ପଛକୁ ନଟେଇର ଗୁଡ଼ି ପରି କେତେ ଭଙ୍ଗୀରେ ସେ ଉଡ଼ୁଛି ଆକାଶରେ ତାର ଡେଣାଯୋଡ଼ିକ କୁନି ଛୁଆର ହାତ ଦୁଇଟି ପରି ରେଣୁକୁ ହାତଠାରି ଡାକୁଛି । ରେଣୁ ପୁଣି ଉଠିପଡ଼େ ।

ତଳଘରୁ ଯାଆଙ୍କର ପାଟି ଶୁଭେ । ସେଇ ପୁରୁଣା ଅଭିଯୋଗ–ବାସନକୁସନ ପଡ଼ିରହିଛି, ଘର ଓଳା ଯାଇନାହିଁ, ଗଛ ସବୁ ପାଣି ବିନା ମରିଗଲାଣି ଅଥଚ ସାଆନ୍ତାଣୀ ଶୋଇଛନ୍ତି । ଭିକାରିକୁ ଦଶପଇସିଟେ ଦେବା ପାଇଁ ମଧ୍ୟ କେହି ଚଙ୍କୁନାହାନ୍ତି... ।

ରେଣୁକୁ ବେଳେ ବେଳେ ହସ ମାଡ଼େ । ପଚାରିବାକୁ ମନହୁଏ–ଝିଅଟିଏ ବିଧବା ହୋଇଗଲେ କଣ ତାର ନିଦ, ଭୋକ, ଶୋଷ ସବୁକିଛି ଉଭେଇଯାଏ ! ବିଧବା ଝିଅକୁ କଣ ଘଣ୍ଟାଏ ଅଧିକା ଶୋଇବା ପାଇଁ ସୁଦ୍ଧା ବାରଣ !

 

କିନ୍ତୁ ସେ କହେ ନାହିଁ । କାରଣ ସେ ଜାଣେ, ଯେତେ ଯାହା କହିଲେ ବି ଯାଆ ତାକୁ ଏ ଘରୁ ଚାଲିଯିବା ପାଇଁ କହିବେ ନାହିଁ । ତାଙ୍କର ଓକିଲ ସ୍ୱାମୀ ତାଙ୍କୁ ସେତିକି ଅକଲ ଶିଖେଇ ଦେଇଛନ୍ତି । ଘରର ନାକ କଟିଯିବା ପରି କାମ କରିବାକୁ ସେ ରେଣୁକୁ ଛାଡ଼ିଦେବେ ନାହିଁ । ତାଛଡ଼ା ରେଣୁ ତାଙ୍କ ଆଖି ଆଗରେ ଥିଲେ ନିରାପଦ, ଆଖି ଆଢୁଆଳକୁ ଚାଲିଗଲେ ହୁଏତ ସମ୍ପତ୍ତି ଭାଗ କରିବା ପାଇଁ ଅଡ଼ିବସିବ । ତାହାଠୁଁ ଭଲ, ଏଇଠି ପଡ଼ିରହିଥାଉ ।

 

ରେଣୁର ବିଛଣାରୁ ଉଠିବା ବେଳକୁ ଆଜି ଅନେକ ଡେରି ହୋଇଯାଇଥିଲା ।

 

ସେ ପାରାପେଟ୍‌ ଉପରୁ ଚାହିଁ ଦେଖିଲା, ଭଦ୍ରଲୋକ ପଞ୍ଜୁରିଟା ଉପରେ ପାଟି କରୁଥିଲେ । ତାଙ୍କ ବାଁ ହାତମୁଠାରେ ଅସାବଧାନତାକୁ ଧରା ପଡ଼ିଥିବା ଆସାମୀଟେ ପରି ପଞ୍ଜୁରିଟି ଓହଳି ଥିଲା । କିନ୍ତୁ ତା ଭିତରେ ସେ ଚଢ଼େଇଟି ଆଉ ନ ଥିଲା । ରେଣୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା ।

 

ଭଦ୍ରଲୋକ ପାଟି କରୁଥିଲେ, “ଏଇଟା ଗୋଟେ ବାଜେ ପଞ୍ଜୁରି । ଆପକୁ ଆପେ ଖୋଲିଯାଉଛି । ନ ହେଲେ କଣ ଏଡ଼ିକି ଟିକେ ଚଢ଼େଇ ଖସି ପଳେଇ ଯାଇଥାଆନ୍ତା !”

 

ରେଣୁ ଆଉ ଟିକେ ପାଖକୁ ଘୁଞ୍ଚିଗଲା । ଭଦ୍ରଲୋକ କିଛିଦିନ ତଳେ ଏଇ ପଞ୍ଜୁରିକୁ କେତେ ପ୍ରଶଂସା କରୁଥିଲେ; ଅଥଚ ଆଜି ହଠାତ୍‌ ତାଙ୍କ ସ୍ୱରରେ ଏ କି ପରିବର୍ତ୍ତନ !

 

ଭଦ୍ରଲୋକ ପଞ୍ଜୁରିଟିକୁ ଟେକି ଧରିଥିଲେ । ତାଙ୍କର ସବୁ କ୍ରୋଧ ଓ ବିରକ୍ତିକୁ ଠୁଳ କରି ସେ ସେଇଟିକୁ ଅଦରକାରୀ ଚିନାବାଦାମ ଚୋପାର ଠୁଙ୍ଗା ପରି ତିନି ମହଲା ଉପରୁ ତଳକୁ ଛାଟିଦେଲେ । ପଞ୍ଜୁରିର ଖୋଲା ଦୁଆରଟା ଫର୍‌କଟା ହୋଇ ପବନରେ ଝୁଲୁଥିଲା । ରେଣୁକୁ ଲାଗୁଥିଲା, ସତେକି ଲୁହାର ପଞ୍ଜୁରିଟା ଗୋଟେ ଚଢ଼େଇ ପାଲଟି ପଞ୍ଜୁରିତ୍ୱରୁ ତାର ମୁକ୍ତିକୁ ଉପଭୋଗ କରୁଥିଲା ।

 

ହଠାତ୍‌ ରେଣୁକୁ ସବୁକିଛି ନୂଆ ନୂଆ ଦିଶିବାକୁ ଆରମ୍ଭ କରିଥିଲା । ତାର ବିଦ୍ୟା, ବୁଦ୍ଧି ଓ ତର୍କ ଯେଉଁ ଗଣିତଟିର ସମାଧାନ କରିପାରି ନ ଥିଲା, ଛୋଟ ଚଢ଼େଇଟି ମାତ୍ର କେଇଟି ମୁହୂର୍ତ୍ତରେ ତାହାର ସମାଧାନ କରିଦେଇଥିଲା ।

 

ସେ ଘର ଭିତରକୁ ପଶିଯାଇ ଦି ଖଣ୍ଡ କାଗଜ ଗୋଟେଇ ଆଣିଲା । ସାଦା କାଗଜ ଦୁଇଟିରେ ନିଜର ଦସ୍ତଖତ କରି ଚଉଭାଙ୍ଗ କରି ଟେବୁଲ୍‌ ଘଣ୍ଟା ତଳେ ରଖିଦେଲା ଏବଂ ଆଲମୀରାରୁ ଗୋଟେ ବାଇଗଣୀ ରଙ୍ଗର ଶାଢ଼ି କାଢ଼ି ପିନ୍ଧିଲା ।

 

ରେଣୁକୁ କେହି ଯେମିତି କହୁଥିଲା, କୁଆଡ଼କୁ ଯିବ ବୋଲି ପ୍ରଥମେ ଭାବିଥିଲେ ଚଢ଼େଇଟି ଜମା ଉଡ଼ିଯିବାକୁ ଚାହିଁ ନ ଥାନ୍ତା । ଆଗେ ଯେଉଁ ଜାଗା ଛାଡ଼ିବା କଥା ତାକୁ ଛାଡ଼ିବାର ନିଷ୍ପତ୍ତି ନେଇ ପାରିଲେ ତେଣିକି ତମ ଆଗରେ ଗୋଟାପଣେ ମେଲା ମୁକୁଳା ଆକାଶ ଦିଶିବ ।

 

ରେଣୁ ପାରାପେଟ୍‌ ଉପରେ ନଇଁପଡ଼ି ତଳକୁ ଚାହିଁଲା । ବୁନିଆଦି ଘରର ଗେଟ୍‌ଟା ଉଭା ମୁକୁଳା ଦିଶୁଛି । ସେ ପାଦ ଚାପି ଚାପି ତଳକୁ ଓହ୍ଲାଇ ଆସିଲା ।

 

ସକାଳର ଉଜ୍ଜ୍ୱଳ ଆଲୋକରେ ଝଲସୁଥିଲା ସାମ୍ନାର ପ୍ରଶସ୍ତ ରାସ୍ତା ।

☆☆☆

 

ଊର୍ମିଳା

 

ସେଦିନ ଯଦି କେବେ କେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରିବାର ସୁଯୋଗ ମୁଁ ପାଉଥିଲି, ତାହାହେଲେ ସେ ପ୍ରାର୍ଥନାର ଲକ୍ଷ୍ୟ ଥିଲା ଊର୍ମିଳାର ଆଶୁ ମୃତ୍ୟୁ କାମନା । କିଛି ଗୋଟାଏ ଅଘଟଣ ଘଟୁ ଏବଂ ସେ ଆଉ ଆମ ସ୍କୁଲକୁ କେବେ ବି ନ ଆସୁ, ଏ କଥା ମୁଁ ସବୁବେଳେ ଚାହୁଥିଲି ।

 

ଊର୍ମିଳା ପ୍ରତି ମୋର ଏ ଅସହିଷ୍ଣୁ ଭାବ ନେଇ ମୋ ମନରେ କୌଣସି ଦିନ ତିଳେ ହେଲେ ଅନୁଶୋଚନା ନ ଥିଲା, ବରଂ ମୋର ଏତେ ସବୁ ପ୍ରାର୍ଥନା ଓ ଅମଙ୍ଗଳ କାମନା ସତ୍ତ୍ୱେ ତାର କୋଉଠି କିଛି ଅସୁବିଧା ଘଟୁ ନ ଥିବାରୁ ମୁଁ ଅସହାୟ ବୋଧ କରୁଥିଲି । ସେଭଳି ପରିସ୍ଥିତିରେ, ଥରେ ଥରେ, ମୁଁ ପଦ୍ମଲୋଚନର କଥା ମାନି ପାଖ ଗାଁର ଗୁଣିଆ ସାଙ୍ଗେ ପରାମର୍ଶ କରିବା କଥା ଗୁରୁତ୍ୱର ସହ ଚିନ୍ତା କରୁଥିଲି । ପଦ୍ମଲୋଚନ କହୁଥିଲା, ମହାଳିକ ଗୁଣିଆଠୁଁ ଡେଉଁରିଆଟେ କିଣି ଆଣିଲେ ଚକ୍ଷୁ ବନ୍ଧନଠୁଁ ବଶୀକରଣ ପର୍ଯ୍ୟନ୍ତ ସବୁକଥା ମୁଁ ହାସଲ କରି ପାରିବି । ଚାହିଲେ ମୁଁ ଊର୍ମିଳାକୁ ସବୁଦିନ ପାଇଁ ମୋର ବଶ କରି ରଖିପାରିବି ।

 

ପଦ୍ମଲୋଚନର ପ୍ରସ୍ତାବ ଖୁବ୍‌ ଲୋଭନୀୟ ଥିଲା । ମାତ୍ର ତାର ସର୍ତ୍ତ ବି ଥିଲା ସେହିପରି ଭୟଙ୍କର । ଅମାବାସ୍ୟାର ଅନ୍ଧାର ରାତିରେ ଗାଁ ମୁଣ୍ଡ ମଶାଣି ପାଖରେ ଥିବା ମହାଳିକ ଗୁଣିଆର ମଠ ଯାଏ ଯିବାଲାଗି ତାର ପ୍ରସ୍ତାବକୁ ମୁଁ ଭୀଷଣ ଡରୁଥିଲି । ତାହାଠୁଁ ଭଲ, ନିରୋଳାରେ ବସିଥିବା ବେଳେ, ନ ହେଲେ ସବୁଦିନ ସକାଳେ ସ୍କୁଲର ପ୍ରାର୍ଥନା ସଭାରେ ‘ହେ ଆନନ୍ଦମୟ କୋଟି ଭୁବନ ପାଳକ' ପ୍ରାର୍ଥନା ବୋଲିସାରିଲା ପରେ ମୁଁ ଦୁଇ ସେକେଣ୍ଡ ଊର୍ମିଳାକୁ ପାନେ ଦେବା ପାଇଁ ଠାକୁରଙ୍କୁ ନିରବରେ ଅନୁରୋଧ କରିବି । ଏ ବ୍ୟବସ୍ଥାରେ ଈଶ୍ୱର ଓ ମୋ ଭିନ୍ନ ଆଉ କେହି ତୃତୀୟ ମୋ ଉଦ୍ଦେଶ୍ୟ ଜାଣି ପାରିବେ ନାହିଁ କି ମୋତେ କୌଣସି ଭୟଙ୍କର ପରିସ୍ଥିତି ଦେଇ ଯିବାକୁ ପଡ଼ିବ ନାହିଁ ।

 

ଊର୍ମିଳା ଓ ମୋ ଭିତରେ ଏଇ ଘୃଣା ଓ ଶତ୍ରୁତା, ପ୍ରଥମ ଦେଖାରୁ ପ୍ରେମ ପରି, ପ୍ରଥମ ସାକ୍ଷାତରୁ ହିଁ ଆରମ୍ଭ ହୋଇଯାଇଥିଲା ।

 

ସେଦିନ ବର୍ଷାଯୋଗୁ କ୍ଲାସ୍‌କୁ ବେଶି ପିଲା ଆସି ନ ଥାନ୍ତି । ମୁଁ ଡେସ୍କ୍‌କୁ ତବଲା ବିଚାରି ଠକ୍‌ ଠକ୍‌ କରୁଥାଏ ଓ ଗୀତ ଗାଉଥାଏ । ସାଙ୍ଗମାନେ ମୋର ଗୀତକୁ ଉପଭୋଗ କରୁଥାଆନ୍ତି । ହଠାତ୍‌ କେତେବେଳେ ହେଡ୍‌ମାଷ୍ଟ୍ରେ ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହୋଇଛନ୍ତି, ଜାଣିପାରିନାହିଁ-

 

ହେଡ୍‌ମାଷ୍ଟ୍ରେ କ୍ଲାସ୍‌ ଭିତରକୁ ପଶି ଆସି ‘କିଏ ଏଠି ଗୀତ ଗାଉଥିଲା’ ବୋଲି ବଡ଼ ପାଟିରେ ପଚାରିଲେ । ମୁଁ ଜାଣିଥିଲି ଯେ ହେଡ୍‌ମାଷ୍ଟ୍ରେ ମୋ ଗୀତ ଗାଇବା ନିଜ ଆଖିରେ ଦେଖିଥିଲେ ବି ସେ ସାକ୍ଷୀଟିଏ ଖୋଜୁଥିଲେ । ମନେ ମନେ ଏମିତି ସାକ୍ଷୀ ନ ମିଳନ୍ତୁ ବୋଲି ହୁଏତ ଥଣ୍ଡା ମିଜାଜ୍‌ର ହେଡ୍‌ମାଷ୍ଟ୍ରେ ଚାହୁଥିଲେ । ହେଡ୍‌ମାଷ୍ଟ୍ରଙ୍କ ରାଗ ଦେଖି ଆମେ ସମସ୍ତେ ଚୁପ୍‌ ହୋଇଯାଇଥିଲୁ । କିନ୍ତୁ ହଠାତ୍‌ ଊର୍ମିଳା ଉଠିପଡ଼ି କହିଥିଲା, ‘ବିକାଶ ଗୀତ ଗାଉଥିଲା ସାର୍‌ ।’

 

ହେଡ୍‌ମାଷ୍ଟ୍ରଙ୍କ କାନମୋଡ଼ା ଅପେକ୍ଷା ଊର୍ମିଳାର ବିଶ୍ୱାସଘାତକତା ସେଦିନ ମୋତେ ଅଧିକ କଷ୍ଟ ଦେଇଥିଲା । ସେଇଠି, ସେଇ ମୁହୂର୍ତ୍ତରେ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲି, ‘ଏଇ ବଦ୍‌ମାସ୍‌ ଝିଅଟା ସ୍କୁଲକୁ ନ ଆସନ୍ତା କି !’

 

ମାତ୍ର ଊର୍ମିଳା ଆସୁଥିଲା । ନିୟମିତ ଭାବେ ସ୍କୁଲକୁ ଆସୁଥିଲା ଏବଂ ମୋର ସାମାନ୍ୟ ସାମାନ୍ୟ ଭୁଲ୍‌ ଲାଗି ମୋତେ ସମାଲୋଚନା କରି ସେ ଖୁସି ହେଉଥିଲା । ମୋ ପ୍ରତି ତାର ଏ ଅହନ୍ତା ଭାବର କାରଣ କଣ, ସେକଥା ମୁଁ ଆଦୌ ବୁଝିପାରୁ ନ ଥିଲି । ଦୂର ଗାଁରୁ ଯାଇ ତାଙ୍କ ଗାଁ ପାଖ ସ୍କୁଲରେ ପଢ଼ୁଥିବାରୁ ସେ ମୋତେ ହଟହଟା କରୁଥିଲା କି ! –ଏମିତି ଚିନ୍ତାଟେ ବାରମ୍ବାର ମୋ ମନକୁ ଆସୁଥିଲା ଓ ମୁଁ ମୋର ବିଶ୍ୱସ୍ତ ପଦ୍ମଲୋଚନକୁ ତାହା ପଚାରୁଥିଲି ।

 

ପଦ୍ମଲୋଚନ ମୋତେ ସାହସ ଦେବା ପାଇଁ ହେଉ କିମ୍ବା ଊର୍ମିଳା ଉପରେ ପୁରୁଣା ରାଗ ଶୁଝେଇବା ପାଇଁ ହେଉ, ଇସାରାରେ ତା ମୁଣ୍ଡ ପାଖେ ଆଙ୍ଗୁଳି ଗେଞ୍ଜି କହୁଥିଲା, ‘ସେଇଟାର ସ୍କୃ ଢିଲା, ତା କଥା ତୁ କାହିଁକି ଭାବୁଛୁ ? ଭାଇ ତାର ପୁଲିସି ଏସ୍‌.ଆଇ. ବୋଲି ତା ଗୋଡ଼ ଭୂଇଁରେ ଲାଗୁନି । ହେଲେ ଡରିବାର କାରଣ ନାହିଁ । ଆମେ ସମସ୍ତେ ଅଛୁ ପରା !’

 

ପଦ୍ମଲୋଚନ କଥାରେ ମୁଁ ସାହସ ପାଉଥିଲି ।

 

ସେଇଟା ଥିଲା ମୋର ନବମ ଶ୍ରେଣୀ ବର୍ଷ । ଆମ ଗାଁ ସ୍କୁଲ ଛାଡ଼ି ମୁଁ ପାଟପୁର ହାଇସ୍କୁଲରେ ନାଁ ଲେଖେଇଥାଏ । ପାଟପୁର ହାଇସ୍କୁଲଟି ଗୋଟେ ଛୋଟିଆ ସ୍କୁଲ । ଆମ କ୍ଲାସ୍‌ରେ ସେତେବେଳେ ପଢ଼ୁଥାଆନ୍ତି ମାତ୍ର ଚଉଦ ଜଣ ପିଲା, ବାରଜଣ ପୁଅ ଓ ଦି ଜଣ ଝିଅ । ସ୍କୁଲର ଚାଳଛପର ଘର, ଇଟା କାନ୍ଥ, ସାମ୍ନାରେ ଗୋଟେ ବଡ଼ ଆୟତକ୍ଷେତ୍ର ପରି ବଗିଚା ଏବଂ ସ୍କୁଲ ପଛପଟେ ଗୋଟେ ପ୍ରକାଣ୍ଡ ପୋଖରୀ ।

 

ମୋତେ ସେ ସ୍କୁଲଟା ପ୍ରଥମେ ପ୍ରଥମେ ଭଲ ଲାଗି ନ ଥିଲା । ହାଇସ୍କୁଲ କହିଲେ ଯେଉଁ ପ୍ରକାର କୋଠାବାଡ଼ିର ଚିତ୍ର ସହ ମୁଁ ମାନସିକ ସ୍ତରରେ ପରିଚିତ ଥିଲି, ସେ ପରିଚୟ ସହ ପାଟପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଚେହେରା ଆଦୌ ଖାପ ଖାଉ ନ ଥିଲା । କିନ୍ତୁ ମୋତେ ଭଲ ଲାଗୁ ବା ନ ଲାଗୁ ସେଇଠି ହିଁ ମୋର ନାମ ଲେଖାଗଲା ଓ ପାଖ ତଳବନ୍ଧ ଗାଁରେ ଜଣେ ଦୂର ସମ୍ପର୍କୀୟଙ୍କ ଘରେ ମୋର ରହିବାର ବ୍ୟବସ୍ଥା କରିଦିଆଗଲା ।

 

କ୍ରମେ ମୁଁ ବାଧ୍ୟ ହୋଇ ପାଟପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ପରିବେଶ ଓ ତଳବନ୍ଧ ଗାଁ ସାଙ୍ଗେ ସନ୍ଧି ସ୍ଥାପନ କରି ଆସୁଥିଲି । ଧୀରେ ଧୀରେ ତଳବନ୍ଧର ଗୋହିରି ଓ ପାଟ ମୋତେ ଆରେଇ ଆସୁଥିଲା । ବର୍ଷାଦିନ ଘାସ ପଡ଼ିଆରେ ନାଲି ନାଲି ସାଧବବୋହୂ, ବରଗଛ ଉପରେ ବଗମାନଙ୍କର ସଭା, ପୋଖରୀ ହୁଡ଼ାରେ କଅଁଳା ବାଛୁରୀ ଏବଂ ଛେଳି ଛୁଆମାନଙ୍କର ଦୌଡ଼ ପ୍ରତିଯୋଗିତା ମୋର ସ୍କୁଲ ଯିବା, ଆସିବା ମୁହୂର୍ତ୍ତମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗରେ ସଜେଇ ଦେଉଥିଲା-। ମୁଁ ଆକାଶର ନୀଳ ସାମିଆନା ତଳେ ନାନା ରଙ୍ଗ ଓ ନାନା ଆକୃତିର ବଉଦମାନଙ୍କ ଗୋଡ଼ିଆଗୋଡ଼ି ଖେଳ ଦେଖି ତଳବନ୍ଧକୁ ଭଲପାଇ ଆସୁଥିଲି ।

 

ଆସ୍ତେ ଆସ୍ତେ ଆମ ଗାଁ, ଘର ଓ ଗାଁର ସାଙ୍ଗସାଥୀ ଦୂରେଇ ଦୂରେଇ ଯାଉଥିଲେ । ଛୁଟି ହେଲେ ପଦ୍ମଲୋଚନ ତାଙ୍କ ଗାଁକୁ ମୋତେ ବରାବର ଡାକି ନେଉଥିଲା । ସେଇଠି ସେ ମୋର ମନ ଜାଣି ସିଝା ଅଣ୍ଡା ଓ କୁକୁଡ଼ା ମାଉଁସ ଝୋଳର ବ୍ୟବସ୍ଥା କରୁଥିଲା ଓ ମୁଁ ମୋର ରକ୍ଷଣଶୀଳ ପରିବାରର ସବୁଯାକ ନିଷେଧାଦେଶକୁ କୁକୁଡ଼ା ଝୋଳରେ ବିସର୍ଜି ଦେଉଥିଲି ।

 

ସବୁକିଛି ମୋତେ ଧୀରେ ଧୀରେ ଭଲ ଲାଗି ଆସୁଥିଲା । ସ୍କୁଲର ପ୍ରାର୍ଥନା ବେଳେ ମୁଁ ଆଗେ ଗୀତ ଗାଇ ଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲି । ଫୁଟ୍‌ବଲ ଖେଳରେ ସର୍ବଦା ଗୋଲ୍‌କିପର ଭୂମିକାରେ ରହି ଭବିଷ୍ୟତରେ ଜଣେ ଦକ୍ଷ ଗୋଲ୍‌କିପର ହେବାର ଶୁଭେଚ୍ଛାମାନ ସଂଗ୍ରହ କରୁଥିଲି । ବେଳ ଅବେଳେ ସ୍କୁଲ ପୋଖରୀରୁ ମଶାରି ସହାୟତାରେ ଛୋଟ ଛୋଟ ମାଛ ଧରିବା ପାଇଁ ସାଙ୍ଗମାନେ ମୋ ଦ୍ୱାରା ଉତ୍ସାହିତ ହେଉଥିଲେ ଏବଂ ମାଛ ଧରି ଆଣିବା ପରେ ସେସବୁ ରାନ୍ଧିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସ୍କୁଲ ବଗିଚାର ଶୁଖିଲା ବାଡ଼ବତା ଭାଙ୍ଗି ଆଣିବା ପାଇଁ ପରାମର୍ଶ ଦେବାରେ ମୁଁ କୁଣ୍ଠାବୋଧ କରୁ ନ ଥିଲି । ଏସବୁ କାର୍ଯ୍ୟରେ ମୋର ବ୍ୟୁତ୍ପତ୍ତି ଦେଖି ତଳମାଳର ଡରୁଆ ସାଙ୍ଗମାନେ ମୋତେ ମନେ ମନେ ସେମାନଙ୍କର ନେତାପଣରେ ଅଭିଷିକ୍ତ କରୁଥିଲେ ଓ ମୁଁ ସେତେବେଳେ ଭୁଲ୍‌ରେ ସୁଦ୍ଧା ମୋର ଏହି ଅସାଧାରଣ ଦକ୍ଷତା ପଛରେ ମୋ ଗାଁ ସାଙ୍ଗ ବଗୁଲିର ପ୍ରେରଣା କିମ୍ବା ଉତ୍ସାହ ଥିବା କଥା କାହାକୁ କହୁ ନ ଥିଲି । ଅବଲୀଳାକ୍ରମେ ମୁଁ ଆମ କ୍ଲାସ୍‌ରେ ମନିଟର ହୋଇଗଲି । ସ୍କୁଲରେ ଘଟୁଥିବା ସମସ୍ତ ଘଟଣା ପଛରେ ମୋର ସଂପୃକ୍ତି ଅଥବା ପୃଷ୍ଠପୋଷକତା ରହିଥିବା କଥା ସମସ୍ତେ ଜାଣୁଥିଲେ ମଧ୍ୟ କୌଣସି ଥର ମୁଁ ଧରା ପଡ଼ୁ ନ ଥିବା ଦେଖି ସାଙ୍ଗମାନେ ମୋ ମଗଜକୁ ତାରିଫ୍‌ କରୁଥିଲେ । କେବଳ ଊର୍ମିଳା ହିଁ ମୋତେ ଖାତିର କରୁ ନ ଥିଲା ।

 

ମୋର ସବୁ ପ୍ରକାର ଦକ୍ଷତା, ଅଧିକାର ଓ ବୁଦ୍ଧିବୃତ୍ତିକୁ ସେ ଗୋଟାଏ ଚୁଟ୍‌କିରେ ଫୁଃ କରି ଉଡ଼େଇ ଦେଉଥିଲା ଏବଂ ମୋତେ ଆଦୌ ଗୁରୁତ୍ୱ ଦେଉ ନ ଥିଲା । ସାମାନ୍ୟ ସୁଯୋଗରେ ସେ ମୋର ମର୍ମସ୍ଥଳରେ ଆଘାତ କରୁଥିଲା ଏବଂ ତାର ସେ ଆଘାତରେ ମୁଁ ଭୂତଳଶାୟୀ ହେଉଥିଲି ।

 

ସେଇ ନବମ ଶ୍ରେଣୀର କଥା । ଶ୍ରେଣୀର ମନିଟର ହେବା ପାଇଁ ସହପାଠୀ ବିକ୍ରମ ଆଉ ଦୁଇ ତିନିଜଣ ପିଲାଙ୍କୁ ମେଳେଇ ମୋର ନେତୃତ୍ୱକୁ ଚ୍ୟାଲେଞ୍ଜ୍‌ କରିଥିଲା । ମୁଁ ହିତାହିତ ଜ୍ଞାନ ଭୁଲିଯାଇ ବିକ୍ରମକୁ ଗାଳି ଦେଇଥିଲି, ‘‘ତୁ ‘ହରିଜନ’ ପିଲାଟା, କି ମନିଟର ହେବୁ ବା !’

 

ମୋ କଥା ମୋ ପାଟିରୁ ସରିନାହିଁ, କେହି ଜଣେ ମୋର ଗାଲକୁ ଜୋର୍‌ରେ ଚିପି ଧରିଥିଲା । ସାମ୍ନାକୁ ଚାହିଁ ଦେଖିଲାବେଳକୁ ଊର୍ମିଳା ଦାନ୍ତ କଡ଼ମଡ଼ କରି ମୋ ସାମ୍ନାରେ ଛିଡ଼ା ହୋଇଥିଲା । ମୁଁ ତାର ସେ ରଣଚଣ୍ଡୀ ମୂର୍ତ୍ତି ଦେଖି ଡରିଯାଇଥିଲି । କଷ୍ଟେମଷ୍ଟେ ତା ସଣ୍ଡୁଆଶି ପରି ଟାଣ ଅଙ୍ଗୁଳିରୁ ମୋ ଗାଲଟିକୁ ଖସେଇ ଆଣିଲି ସିନା, ଊର୍ମିଳାର ଭର୍ତ୍ସନାରୁ ଦୂରେଇ ଯାଇ ପାରିଲି ନାହିଁ ।

 

: ଖବରଦାର୍‌ ଯଦି ଏ କ୍ଲାସ୍‌ରେ ତୁ କାହାକୁ ଏମିତି କହିଛୁ ! ହରିଜନ, ବ୍ରାହ୍ମଣ କଣ ! ସମସ୍ତେ ଆମ ସାଙ୍ଗ । ତୁ ବୈଷ୍ଣବ ହୋଇ ପଦ୍ମଲୋଚନ ଘରେ କୁକୁଡ଼ା ଝୋଳ ହାପୁଡ଼ୁଥିବା କଥା କାହିଁ ସେ ତ କାହାକୁ କହୁନାହିଁ ?

 

ମୁଁ ଗଛ ଉପରୁ ଖସିପଡ଼ିଥିଲି । ଲଜ୍ଜା ଏବଂ ଅପମାନରେ ମୋ ଦେହ ଜଳି ଉଠିଥିଲା । ସେଇ ମୁହୂର୍ତ୍ତରେ ମୁଁ କ୍ଲାସ୍‌ ଛାଡ଼ି ପଳେଇ ଯାଇଥିଲି ।

 

ସେଦିନ ମୋ ରୁମ୍‌କୁ ଫେରିଗଲା ପରେ ବହୁ ସମୟ ଊର୍ମିଳାର କଥା ଭାବିଥିଲି । ଝିଅପିଲାଟେ ହୋଇ ତାର ଏତେ ସାହସ ! ସମସ୍ତଙ୍କ ଆଗରେ ମୋ ଗାଲ ଚିପି ଦେଉଛି ! ତାକୁ ନିଶ୍ଚୟ ଦିନେ ନା ଦିନେ ଦେଖିନେବି ।

 

ସେତେବେଳେ ମୋତେ ମୋର ଖର୍ବକାୟ ଚେହେରା, ଦୁଇ ହଳ ବ୍ଲେଡ୍‌ର ଉପଯୋଗ ସତ୍ତ୍ୱେ ନିଶ ଗଜରୁ ନ ଥିବାର ଦୁଃଖ ଏବଂ ମୋର ନାଲିଚିଆ ଓଠ ମୋତେ କ୍ଷୁବ୍ଧ–ବିଷର୍ଣ୍ଣ କରି ଦେଉଥିଲା । ଧ୍ରୁବ କି ନକୁଳ ପରି ମୋର ଯଦି ଡେଙ୍ଗା ଚେହେରା, ହଳେ କଳା ମଚମଚ ନିଶ ଓ ଆଉ ଟିକିଏ ରୁକ୍ଷ ଚେହେରା ଥାଆନ୍ତା, ତାହାହେଲେ ମୁଁ ଗୋଟାଏ ମିନିଟ୍‌ରେ ଊର୍ମିଳାକୁ ସାବାଡ଼ କରି ଦିଅନ୍ତି ବୋଲି ମନେ ମନେ ଭାବୁଥିଲି ।

 

ଊର୍ମିଳା ଆମ ସାଙ୍ଗରେ ପଢ଼ୁଥିଲେ ବି ବୟସରେ ମୋଠୁଁ ଦି ବର୍ଷ ବଡ଼ ଥିଲା । ଝିଅମାନେ ସଚରାଚର ନିଜ ନିଜ ବୟସ ଲୁଚେଇ ରଖିବା କଥା ମୁଁ ଶୁଣିଥିଲି, ମାତ୍ର ଊର୍ମିଳା ତାର ବ୍ୟତିକ୍ରମ ଥିଲା । ସେ ବାରମ୍ବାର ‘ତୋଠୁଁ ମୁଁ ଦି ବର୍ଷ ବଡ଼’ କହି ନିଜର ଆଧିପତ୍ୟ ଜାହିର୍‌ କରିବାକୁ ଚେଷ୍ଟା କରୁଥିଲା । ଊର୍ମିଳାର ଚେହେରା ଡେଙ୍ଗା ଓ ଚଉଡ଼ା । ସେ ମୋ ସାମ୍ନାରେ ଛିଡ଼ାହୋଇ ପଡ଼ିଲେ ମୁଁ ସାଙ୍କୁଡ଼ି ଯାଏ । ଚଉଡ଼ା ଛାତି, ଗୋଲ ମୁହଁ, ଅଣ୍ଟା ତଳ ଯାଏ ଲମ୍ବା ବେଣୀ, କପାଳରେ କୁଙ୍କୁମ, ଆଖିରେ ସରୁ କଜ୍ଜ୍ୱଳ ରେଖା, ଛାତି ଉପରେ ଧଳା ପତଳା ଓଢ଼ଣି; ସେଇ ଚେହେରା ଓ ପୋଷାକରେ ଊର୍ମିଳା ଦିଶେ ମୋଠୁଁ ଗୁରୁତ୍ୱପୂର୍ଣ୍ଣ ଓ ଅଧିକ କ୍ଷମତାସମ୍ପନ୍ନ । ତା ତୁଳନାରେ ଆର ଝିଅଟି କମ୍‌ ସୁନ୍ଦରୀ ଏବଂ ଚୁପ୍‌ଚାପ୍‌ । ଆମେ ତାକୁ ପରିହାସରେ ଊର୍ମିଳାର ସଖୀ ବୋଲି କହୁ ।

 

ଊର୍ମିଳାକୁ ଅନେକେ ସୁନ୍ଦରୀ ବୋଲି କହୁଥିଲେ, ଯଦିଓ ତାର ଏ ସୁନ୍ଦରୀପଣ ସେଦିନ କେବେ ବି ମୋ ଆଖିରେ ପଡ଼ୁ ନ ଥିଲା । ପ୍ରାୟତଃ ସବୁଦିନେ ମୁଁ ତାକୁ ଶତ୍ରୁପଣରେ ଦେଖୁଥିଲି ଏବଂ ଶତ୍ରୁ ଆଉ ଯାହା ଦିଶୁ ନ ଦିଶୁ ପ୍ରତିପକ୍ଷକୁ ଅନ୍ତତଃ ସୁନ୍ଦର ଦିଶେ ନାହିଁ ।

 

ପୁଲିସ ଏସ୍‌.ଆଇ.ର ଫୁଲେଇ ଭଉଣୀ, ଦରବୁଢ଼ୀ, ଫୁଟାଣିଆ, ଗର୍ବୀ, ଅଣ୍ଡିରାଚଣ୍ଡୀ... ଏସବୁ ଊର୍ମିଳା ଉଦ୍ଦେଶ୍ୟରେ ଥିଲା ମୋର ଅନୁଚ୍ଚାରିତ ସମ୍ବୋଧନ । ମାତ୍ର ପ୍ରକାଶ୍ୟରେ ଏଥିରୁ ଗୋଟିଏ ବି ଶବ୍ଦ ମୁଁ ତାକୁ କହିପାରୁ ନ ଥିଲି ।

 

ଊର୍ମିଳା ମୋତେ ପ୍ରତି କ୍ଷେତ୍ରରେ ଆହତ କରୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପା ବୋଉଙ୍କୁ ଝିଙ୍କାପିଟା କରି ମୁଁ ଗୋଟିଏ ଛିଟ ସାର୍ଟ ଯୋଗାଡ଼ କରିଥିଲି । ପୀରହାଟ ଅପେରାର ଡୁଏଟ୍‌ ସିନ୍‌ରେ ଗୀତ ଗାଉଥିବା ପୁଅଟି ସେମିତି ଗୋଟେ ସାର୍ଟ ପିନ୍ଧିଥିବା ମୁଁ ଦେଖିଥିଲି । ସାର୍ଟଟା ମୋତେ ଜବରଦସ୍ତ ମାନୁଥିଲା ଏବଂ ସେଭଳି ଆଧୁନିକ ସାର୍ଟ ଆମ ସ୍କୁଲର ଆଉ କାହାରି ପାଖରେ ନ ଥିଲା । ଏ ବ୍ୟାପାରରେ ମୁଁ ଥିଲି ସ୍କୁଲରେ ପ୍ରଥମ !

 

ୟୁନିଫର୍ମ ବ୍ୟବସ୍ଥା ନ ଥିବା ଆମ ସ୍କୁଲକୁ ସେଦିନ ମୁଁ ମୋର ଆଧୁନିକ ସାର୍ଟଟି ପିନ୍ଧି ଯାଇଥିଲି । ସାଙ୍ଗମାନେ ସମସ୍ତେ ମୋ ସାର୍ଟକୁ ପସନ୍ଦ କରିଥିଲେ, ଊର୍ମିଳାକୁ ଛାଡ଼ି । ଊର୍ମିଳା କେବଳ କହିଥିଲା, ‘ଯୋଉମାନଙ୍କର ଭିତରେ କିଛି ନ ଥାଏ ସେଇମାନେ ଉପରକୁ ଛିଟ ସାର୍ଟ ପିନ୍ଧି ପାରଡ଼ା ପୋକ ସାଜନ୍ତି ।’

 

ତା କଥା ଶୁଣୁ ଶୁଣୁ ସାଙ୍ଗମାନେ ବନ୍ଧୁତା ଭୁଲି ହସିଉଠିଥିଲେ । ମୁଁ ସେଦିନ ଲଜ୍ଜା ଓ ଅପମାନରେ ମୁହଁ ଲୁଚେଇ ଫେରିଆସି ଶପଥ କରିଥିଲି, ଆଉ କେବେ ସେ ସାର୍ଟ ପିନ୍ଧିବି ନାହିଁ ।

 

ଏତେ ଶତ୍ରୁତା ସତ୍ତ୍ୱେ ମୁଁ ଊର୍ମିଳାର କଥାକୁ କାହିଁକି ଯେ ଗୁରୁତ୍ୱ ଦେଉଥିଲି ତାହା ବୁଝିପାରୁ ନ ଥିଲି । ମୋର କୌଣସି ଗୋଟେ କଥା ଶୁଣୁ ନ ଥିବା ଊର୍ମିଳା ମୋଠୁଁ ଯେତେବେଳେ ଯୋଉ କାମ ଇଚ୍ଛା, ଅନାୟାସରେ ଆଦାୟ କରି ନେଉଥିଲା । ତା ସ୍ୱରରେ ଥିଲା ଗୋଟେ ଆଦେଶ ଦେବାର ଭଙ୍ଗୀ, ଯାହାକୁ ଏଡ଼ାଇ ଯିବା ମୋ ପକ୍ଷେ ସମ୍ଭବ ହେଉ ନ ଥିଲା । ଏଭଳି ଗୋଟେ ଅଧିକାରପଣର ସ୍ୱର ହୁଏତ ସେ ତାର ପୁଲିସ ଭାଇଠୁଁ ପାଇପାରିଥାଏ ବୋଲି ଭାବିନେଇ ମୁଁ ତା କଥା ଶୁଣୁଥିଲି ।

 

ଥରେ ସ୍କୁଲରୁ ତଳବନ୍ଧ ଫେରିବା ବାଟରେ ଅଚାନକ ବର୍ଷା ଆସିଗଲା । ଆଖପାଖରେ ଗଛ ନ ଥିଲା କି ମୋ ପାଖରେ ଛତା ନ ଥିଲା । ମୁଁ ପ୍ରଥମେ ମୋ ହାତର ବହି ଖାତାଗୁଡ଼ିକୁ ଛତା ଭାବେ ମୋ ମୁଣ୍ଡ ଉପରେ ଟେକି ଧରିଥିଲି; ମାତ୍ର ପରେ ବହି କିମ୍ବା ମୁଣ୍ଡ ଉଭୟ ଭିତରୁ ବହିଗୁଡ଼ିକ ସୁରକ୍ଷିତ ରହିବା ଅଧିକ ଜରୁରୀ ଉପଲବ୍ଧି କରି ସେଗୁଡ଼ିକୁ ଜାମାତଳେ ଲୁଚେଇ ରଖିବାର ଚେଷ୍ଟା କରୁଥିଲି । ଟପ୍‌ଟପ୍‌ ବର୍ଷାରେ ମୋ ଦେହ ହାତ ତିନ୍ତିଯାଉଥିଲା । ସେତିକିବେଳେ ମୁଁ ଊର୍ମିଳାର ସ୍ୱର ଶୁଣୁଥିଲି, ‘ବେଶି ପୁରୁଷପଣିଆ ଦେଖେଇ ଓଦା ହେଉଛୁ କାହିଁକି ? ମୋ ଛତା ତଳକୁ ଆସୁନୁ !’

 

ଓଦା ଆଖିପତା ଟେକି ମୁଁ ଊର୍ମିଳାକୁ ଚାହିଁଥିଲି । ସେ ମୋ ପଛେ ପଛେ ଆସୁଥିଲା । ମୁଣ୍ଡ ଉପରେ ତାର ଫୁଲପକା ଛୋଟିଆ ଛତା । ମୁଁ କଣ କରିବି, ନ କରିବି ଚିନ୍ତା କରିବା ପୂର୍ବରୁ ଊର୍ମିଳାର ଛତା ତଳେ ଯାଇ ଶରଣ ପଶି ସାରିଥିଲି ।

 

ଗୋଟିଏ ଛତା ତଳେ ବଢ଼ିଲା ପୂରିଲା କିଶୋରୀ ଊର୍ମିଳା ଓ ମୁଁ । ମୋତେ ତାର ପାଖାପାଖି ଛିଡ଼ା ହେବାଲାଗି ସଙ୍କୋଚ ଓ ତାଠୁଁ ବେଶି ଭୟ ଲାଗୁଥାଏ । ତା ଆଡ଼କୁ ଚାହିଁଲାବେଳକୁ ମୋ ଗାଲର ଦରଜ କଥା ମନେ ପଡ଼ିଯାଉଥାଏ ଓ ମୁଁ ଭୟରେ ଦି ପାଦ ଦୂରକୁ ଘୁଞ୍ଚି ଆସୁଥାଏ । କିନ୍ତୁ ଊର୍ମିଳା ମୋତେ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ନିଜେ ଓଦାହୋଇ ମୋ ମୁଣ୍ଡ ଉପରେ ଛତା ଟେକି ଧରୁଥାଏ । ବାରମ୍ବାର କହୁଥାଏ ‘‘ପାଖକୁ ଘୁଞ୍ଚି ଆସୁନୁ, ମୁଁ କଣ ତୋତେ ମାରିପକଉଛି !’’

 

ମୁଁ ଚୁପ୍‌ଚାପ୍‌ ତା କଥା ମାନି ବାଟ ଚାଲୁଥାଏ । ତାର ଉଷୁମ ନିଃଶ୍ୱାସ ପ୍ରଶ୍ୱାସ ଓ ଛାତିର ଉଠାପକା ସବୁ ମୁଁ ନିରେଖି ଅନୁଭବୁଥାଏ । ମୋତେ ସେମିତି ନିରେଖି ଦେଖିବାକୁ ବେଶ୍‌ ଭଲ ଲାଗୁଥାଏ, ଯଦିଓ ତା ଆଖି ସାଙ୍ଗରେ ମୋ ଆଖି ମିଶିଗଲା କ୍ଷଣି ମୁଁ ଚଟ୍‌କରି ମୋ ଆଖି ଫେରେଇ ଆଣୁଥାଏ ।

 

ତଳବନ୍ଧ ଗାଁ ପୋଖରୀ ହୁଡ଼ା ପାଖରେ ପହଞ୍ଚି ମୁଁ ଊର୍ମିଳାଠୁଁ ମେଲାଣି ନେଇଥିଲି । ଊର୍ମିଳା ଚାଲିଗଲା ପରେ ମୁଁ ଏଣେତେଣେ ଚାହିଁ ଲକ୍ଷ୍ୟ କରିଥିଲି, ଆମର ଏମିତି ସାଙ୍ଗ ହୋଇ ଆସିବା କଥାକୁ କେହି ଦେଖିନାହିଁ ତ !

 

ଏହାର କିଛିଦିନ ପରେ ଊର୍ମିଳା ତାଙ୍କ ବାଡ଼ିରୁ କାକୁଡ଼ି ଓ ପିଜୁଳି ଆଣି କ୍ଲାସ୍‌ର ସବୁ ପିଲାଙ୍କୁ ବାଣ୍ଟିଥିଲା । ମୁଁ ତା ହାତରୁ କିଛି ଖାଇବି ନାହିଁ ବୋଲି ଶପଥ କରିଥିବାରୁ କାକୁଡ଼ି ଓ ପିଜୁଳି ପ୍ରତି ମୋର ଲୋଭକୁ କଷ୍ଟେମଷ୍ଟେ ସମ୍ବରଣ କରିଥିଲି । ମୋର ଅନୁଗତ ସାଙ୍ଗମାନେ କିନ୍ତୁ ଊର୍ମିଳା ପାଖରେ ତାଙ୍କର ଲୋଭକୁ ଲୁଚେଇ ପାରି ନ ଥିଲେ । ସେଦିନ ମୁଁ ରାଗରେ ଦାନ୍ତ କଡ଼ମଡ଼ କରି ଊର୍ମିଳାକୁ ଆଉ ଥରେ ଗାଳି ଦେଇଥିଲି ମନେ ମନେ–ଏଇଟା କୁଆଡ଼େ କାହା ସାଙ୍ଗେ ପଳାନ୍ତା କି ଏବଂ ତାପରେ କେହି ଶୁଣି ନ ପାରିଲା ପରି ଧୀର ସ୍ୱରରେ ‘ନ ହେଲେ ପୋଖରୀରେ ବୁଡ଼ିଯାଆନ୍ତା କି’ କହିଥିଲି ।

 

କିନ୍ତୁ ଊର୍ମିଳାର କିଛି ବୋଲି କିଛି ହେଉ ନ ଥିଲା; ବରଂ ପଦ୍ମଲୋଚନ କଥାନୁସାରେ ସେ ଦିନକୁ ଦିନ ଅଧିକ ସୁନ୍ଦରୀ ଦିଶୁଥିଲା ଓ ସାର୍‌ମାନେ ପୂର୍ବାପେକ୍ଷା ତାକୁ ଅଧିକ ଆଦର କରୁଥିଲେ । ସବୁ ବିଷୟରେ ଶୋଚନୀୟ ଫଳାଫଳ ସତ୍ତ୍ୱେ ମ୍ୟାଥ୍‌ ଟିଚର୍‌ ଚିନ୍ତାମଣି ସାର୍‌ ମଧ୍ୟ ଊର୍ମିଳାକୁ କିଛି କହୁ ନ ଥିଲେ । ଖୋଦ୍‌ ହେଡ୍‌ମାଷ୍ଟ୍ରେ ବି ବେଳେବେଳେ ବିନା କାରଣରେ ତାକୁ ଡାକି ତା ସହ କଥା ହେଉଥିଲେ ।

ଊର୍ମିଳାର ଏଇ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ମୋତେ ଅହରହ ବ୍ୟସ୍ତ କରୁଥିଲା । ମୁଁ ଶାନ୍ତିରେ ବସି ପାରୁ ନ ଥିଲି କି ସାଙ୍ଗମେଳରେ ଖୁସି ଗପ କରିପାରୁ ନ ଥିଲି । ସାଙ୍ଗମାନଙ୍କୁ ପିଜୁଳି ଏବଂ ସାର୍‌ମାନଙ୍କୁ ହସ ଦେଇ ସେ ବଶ କରି ରଖିଥିଲା ।

ସ୍କୁଲର ସରସ୍ୱତୀ ପୂଜା ଓ ଗଣେଶ ପୂଜା କାମରେ ଊର୍ମିଳା ବିନା କାରଣରେ ସମସ୍ତଙ୍କଠାରୁ ପ୍ରଶଂସା ପାଉଥିଲା । ଆମେମାନେ ସକାଳୁ ଉଠି ଫୁଲ ତୋଳିବା, ଗେଟ୍‌ ସଜାଡ଼ିବା, ରଙ୍ଗ କାଗଜ କାଟିବା ଏବଂ ପଡ଼ିଆରୁ ଘାସ ଥିବା ଚକଡ଼ା ଚକଡ଼ା ମାଟି ଆଣି ପୂଜା ଘରଟିର ପୃଷ୍ଠଭୂମିରେ ଜଙ୍ଗଲ ଥିବାର ଭ୍ରମ ସୃଷ୍ଟି କଲା ଭଳି ଶ୍ରମସାପେକ୍ଷ କାମ କରି ସୁଦ୍ଧା ଯେତିକି ପ୍ରଶଂସା ପାଉ ନ ଥିଲୁ, ଊର୍ମିଳା ଓ ତାର ସଖୀ କେବଳ ଦି ଖଣ୍ଡ ଶାଢ଼ି ଟାଙ୍ଗିଦେଇ ତାହାଠୁଁ ଅଧିକ ପ୍ରଶଂସା ପାଉଥିଲେ । ସାର୍‌ମାନଙ୍କର ଏ ଧରଣର ପକ୍ଷପାତ ନୀତିକୁ ଆମେ ଆମ ସାଙ୍ଗମହଲରେ କଠୋର ସମାଲୋଚନା କରୁଥିଲୁ; କିନ୍ତୁ ତଦ୍ଦ୍ୱାରା ଊର୍ମିଳାର କିଛି କ୍ଷତି ହେଉ ନ ଥିଲା ।

କଥାରେ ଅଛି, କାହାରି ଦିନ ସବୁବେଳେ ସମାନ ଯାଏ ନାହିଁ । ଊର୍ମିଳାର ଦିନ ମଧ୍ୟ ସମାନ ଯାଇ ନ ଥିଲା । ମୁଁ ଯେ ପ୍ରତିଦିନ ତାର ଅମଙ୍ଗଳ ପାଞ୍ଚି ଠାକୁରଙ୍କୁ ସ୍ମରଣ କରୁଥିଲି, ସେକଥା ତ ମିଛ ନୁହେଁ !

 

ଏକାଦଶ ଶ୍ରେଣୀର ଟେଷ୍ଟ ପରୀକ୍ଷାରେ ଊର୍ମିଳା ଫେଲ୍‌ ହୋଇଗଲା । ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ତାର ସମସ୍ତ ଯୋଜନା ଗୋଟିଏ ମୁହୂର୍ତ୍ତରେ ବିଫଳ ହୋଇଗଲା । ଟେଷ୍ଟ ପରୀକ୍ଷା ପରେ ସେ ଆଉ ସ୍କୁଲ ଆସିବା ପ୍ରୟୋଜନ ପଡ଼ିଲା ନାହିଁ ଓ ତାର ଏଇ ବିଫଳତା ମୋତେ ଆନନ୍ଦରେ ଆତ୍ମହରା କରିଦେଲା ।

 

ମୁଁ କାରଣ ନ ଦର୍ଶାଇ ସାଙ୍ଗମାନଙ୍କୁ ଲଜେନ୍‌ସ ବାଣ୍ଟିଲି । ଅକାରଣଟାରେ ସେଦିନ ବହୁତ ସମୟ ଏକା ଏକା ଖେଳିଲି ଏବଂ ମାଘ ମାସର ଶୀତ ସତ୍ତ୍ୱେ ହଷ୍ଟେଲର ବାରନ୍ଦାରେ ଗୀତ ଗାଇ ବୁଲିଲି । ଗୀତ ଗାଇ ଗାଇ ‘ଈଶ୍ୱରଙ୍କ ଦରବାରରେ ବିଳମ୍ବ ଥାଇପାରେ, କିନ୍ତୁ ଅନ୍ଧାର ନାହିଁ’ ବୋଲି ମନକୁ ମନ କହିହେଲି ।

 

ପାଟପୁର ହାଇସ୍କୁଲରେ ଆମ ରହଣି ସଂକ୍ଷିପ୍ତ ହୋଇ ଆସୁଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ଓ ତାପରେ ସ୍କୁଲ ସହ ସମ୍ପର୍କ ଶେଷ । ଆମମାନଙ୍କ ସେଣ୍ଟର୍‌ ତିହିଡ଼ି ହାଇସ୍କୁଲରେ ପଡ଼ିଥାଏ ଓ ଆମେମାନେ ସେଇଠୁ ପରୀକ୍ଷା ଦେଇସାରି ଯେ ଯାହାର ଘରକୁ ଚାଲିଯିବୁ–ଏଇ ବ୍ୟବସ୍ଥା ସ୍ଥିର କରାଯାଇଥାଏ ।

 

ପରୀକ୍ଷା ପାଇଁ ପ୍ରସ୍ତୁତି ମଝିରେ ଆମେମାନେ ବେଳେବେଳେ ମୁଣ୍ଡଟେକି ପାଟପୁର ହାଇସ୍କୁଲର ବଗିଚା ଓ ପୋଖରୀକୁ ଚାହୁଁଥାଉ । ପୋଖରୀ ଜଳର କୁନି କୁନି ଢେଉ ପରି କୁନି କୁନି ସ୍ମୃତି ସବୁ ଆମ ଭିତରେ ନାଚି ନାଚି ଯାଉଥାଏ । ଆମ ତଳ ଶ୍ରେଣୀର ପିଲାମାନେ ଆମକୁ ବିଦାୟ ସମ୍ବର୍ଦ୍ଧନା ଜଣେଇବା ଲାଗି ପ୍ରସ୍ତୁତ ହେଉଥାଆନ୍ତି । ମୋ ସାଙ୍ଗମାନେ ଟେବୁଲ, ଚୌକି, କାନ୍ଥ, ବାଡ଼ ଓ ଆଜବେଷ୍ଟସ୍‌ ଛପର ସ୍କୁଲ ଘରର କାଠ ଶେଣିମାନଙ୍କରେ ‘ବିଦାୟ ବନ୍ଧୁ, ବିଦାୟ’ ବୋଲି ଉଭୟ ଚିତ୍ର ଲିପି ଓ ଶବ୍ଦ ଲିପିରେ ଲେଖି ଚାଲୁଥାଆନ୍ତି । ‘ବି’ ଲେଖିସାରି ଗୋଟେ ଦାଆର ଚିତ୍ର ଅଙ୍କାଯାଏ ଓ ତାପରେ ‘ୟ’ ଲେଖିବା ପରେ ଗୋଟିଏ ବନ୍ଧୁକର ଚିତ୍ର ଅଙ୍କାଯିବା ଉତ୍ତାରୁ ବିଯୁକ୍ତ ଚିହ୍ନ ଦେଇ ‘କ’ ଲେଖାଯାଏ–ଏଇହା ହିଁ ଚିତ୍ରଲିପିରେ ‘ବିଦାୟ ବନ୍ଧୁ’ । ସେହିପରି ଠାଏ ଠାଏ ‘ଭୁଲିବ ନାହିଁ’ ‘ବିଦାୟ ବିଦାୟ’ ଓ ‘ଚିର ବିଦାୟ ବନ୍ଧୁ’ ପରି ଅତ୍ୟନ୍ତ ବିୟୋଗାତ୍ମକ ଏବଂ କରୁଣ ରସମିଶ୍ରିତ ବାକ୍ୟଗୁଡ଼ିକର ସମାହାରରେ ନୁଖୁରା ସ୍କୁଲର କାନ୍ଥବାଡ଼ ପୂରି ଉଠୁଥାଏ ।

 

ଆମେମାନେ ମାନସିକ ସ୍ତରରେ ପାଟପୁର ଛାଡ଼ି ଦୂରକୁ ଚାଲିଯିବା ପାଇଁ ପ୍ରସ୍ତୁତ ହେଉଥାଉ । ଦଶମ ଶ୍ରେଣୀ ପିଲାମାନେ ଆମ ପାଇଁ ବିଦାୟ ଭୋଜିର ଆୟୋଜନ କରୁଥାଆନ୍ତି । ଭୋଜି ଖାଇସାରିବା ପରେ ମଙ୍ଗଳ ରାତି ବୁଧ ପାହାନ୍ତି ଦେଖି ଆମେ ତିହିଡ଼ି ବାହାରିଯିବୁ । ତା ଆଗରୁ ଗୋଟେ ଶଗଡ଼ରେ ଆମମାନଙ୍କ ଟ୍ରଙ୍କ୍‌, ସୁଟ୍‌କେସ୍‌ ଓ ବିଛଣାପତ୍ର ଚାଲିଯାଇଥାଏ । ସକାଳୁ ସକାଳୁ ଯାଇ ଆମେ ତିହିଡ଼ିର ଅସ୍ଥାୟୀ ଭଡ଼ାଘରେ ପହଞ୍ଚିଯିବୁ ।

 

ଭୋଜି ଆଗଦିନର ଅପରାହ୍‌ଣ । ମୁଁ ପୋଖରୀ ଆଡ଼କୁ ମୁହଁ କରି ଖଟିଆ ଉପରେ ପଢ଼ୁଥାଏ । ହଠାତ୍‌ ଊର୍ମିଳା ଓ ତାର ସଖୀ ଦୁହେଁ ଆସି ମୋର ହଷ୍ଟେଲ୍‌ ରୁମ୍‌ରେ ହାଜର । ଊର୍ମିଳାକୁ ଦେଖି ଭୟ ପାଇଗଲି । ଶେଷ ମୁହୂର୍ତ୍ତରେ ମୋତେ ଆଉ କିସ୍ତିଏ ଅପମାନ ଦେବାଲାଗି ଯେ ସେ ଆସିଥିବ, ଏ ନେଇ ମୁଁ ପ୍ରାୟ ନିଶ୍ଚିତ ଥିଲି ।

 

ଊର୍ମିଳା କିନ୍ତୁ କିଛି କହୁ ନ ଥାଏ । ଚୁପ୍‌ଚାପ୍‌ ମୋର ପଢ଼ା ବହି, ଖାତା, ଟେଷ୍ଟପେପର୍‌ ଓ ଘରସାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଲୁଗାପଟାକୁ ତାର ବଡ଼ ବଡ଼ ଆଖିରେ ଦେଖୁଥାଏ । ତାର ଆଖି ଯେଉଁ ଯେଉଁ ଜାଗା ଉପରେ ପଡୁଥାଏ, ସେଇ ସେଇ ଜାଗାର ଜିନିଷଗୁଡ଼ାକ ମୋତେ ପୂର୍ବାପେକ୍ଷା ଅଧିକ ବିକଳ ଓ ଅସୁନ୍ଦର ଦିଶୁଥାନ୍ତି । ମୁଁ ତା ଆଖିଯୋଡ଼ିକୁ ମୋ ଆଖିଯୋଡ଼ିକ ଜରିଆରେ ଅନୁସରଣ କରୁଥାଏ ।

 

ଊର୍ମିଳା ହଠାତ୍‌ ଚଞ୍ଚଳ ହୋଇ ପଡ଼ିଲା । ହାତରୁ ତାର ଘଣ୍ଟାଟି ଖୋଲି ମୋ ଆଡ଼କୁ ବଢ଼େଇ ଦେଲା । ମୁଁ ଟିକିଏ ଅପ୍ରସ୍ତୁତ ବୋଧ କରୁଥିଲି । ଊର୍ମିଳା କହିଲା, ‘‘ତୋର ଘଣ୍ଟା ନାହିଁ ବୋଲି ମନ ଦୁଃଖ କରୁଥିଲୁ ପରା ! ନେ, ମୁଁ ତ ପରୀକ୍ଷା ଦେଇ ପାରିବି ନାହିଁ, ମୋ ଘଣ୍ଟାଟି ହେଲେ ତୋ ସାଙ୍ଗରେ ଯାଇ ପରୀକ୍ଷା ଦେଇ ଆସୁ ।’’

 

ମୁଁ କିଛି କହିବା ପୂର୍ବରୁ ଊର୍ମିଳା ମୋ କୋଠରିରୁ ଚାଲିଯାଇଥିଲା । ମୁଁ ମୋ ଖଟିଆ ପାଖରେ ଛିଡ଼ାହୋଇ ସେ ଦିହିଁଙ୍କର ଚାଲିଯିବା ରାସ୍ତାକୁ ଚାହୁଁଥିଲି ।

 

ମୋ ନିଜର ଘଣ୍ଟାଟିଏ ନ ଥିବା ହେତୁ ମୁଁ ସବୁବେଳେ ଗୋଟେ ହୀନମନ୍ୟତା ଭିତରେ ଶଢୁଥିଲି । ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଯୋଉଁ ଦୁଇଟା ଜିନିଷ ମୋ ମତରେ ଅତ୍ୟନ୍ତ ଆବଶ୍ୟକ ଥିଲା, ତା ଭିତରେ ହାତଘଣ୍ଟାଟିଏ ଥିଲା ମୁଖ୍ୟ ଜିନିଷ ଓ ଅନ୍ୟଟି ଟେଷ୍ଟ ପେପର । ମାତ୍ର ଘଣ୍ଟା କଥାଟି ମୁଁ ମୋର ଜଣେ ଦି ଜଣ ସାଙ୍ଗଙ୍କୁ କହିଥିଲେ ମଧ୍ୟ ଊର୍ମିଳାକୁ କୌଣସି ଦିନ କଦାପି କହି ନ ଥିଲି । ମୋର ଏଇ ଅଭାବ କଥାଟି ସେ କେମିତି ଜାଣିଲା, ସେକଥା ଚିନ୍ତା କରି ମୁଁ ଆଶ୍ଚର୍ଯ୍ୟ ହେଉଥିଲି ।

 

କିନ୍ତୁ ଏହାଠୁଁ ଆହୁରି ଆଶ୍ଚର୍ଯ୍ୟର ବିଷୟ ଥିଲା ଊର୍ମିଳାର ପରିବର୍ତ୍ତିତ ବ୍ୟବହାର । ଏହା ପୂର୍ବରୁ କୌଣସି ଦିନ ଊର୍ମିଳା ମୋତେ ଏତେ ଗମ୍ଭୀର ଓ ଦାୟିତ୍ୱସମ୍ପନ୍ନ ମନେ ହୋଇ ନ ଥିଲା । ଆମ ଦିହିଁଙ୍କ ଭିତରେ ବରାବର ଶତ୍ରୁତା ଥିଲା ଓ ସେ ଚାହିଥିଲେ ମୋର ଘଣ୍ଟାଟିଏ ନ ଥିବା କଥା କହି ସମସ୍ତଙ୍କ ଆଗରେ ମୋତେ ଲଜ୍ଜିତ କରି ପାରିଥାନ୍ତା । ତାହା ନ କରି ସେ ଓଲଟି ମୋତେ ତା ନିଜର ହାତ ଘଣ୍ଟାଟି ଦେଇଯିବ, ଏକଥା ମୋର ବିଶ୍ୱାସ ହେଉ ନ ଥିଲା ।

 

ସୁନେଲି ରଙ୍ଗର ଟିକି ଘଣ୍ଟାଟି ଟୁଲ୍‌ ଉପରେ ଥୁଆ ହୋଇଥିଲା । ତହିଁରେ ଗୋଟିଏ କଳା ବ୍ୟାଣ୍ଡ୍‌ ଲାଗିଥିଲା । ଝିଅମାନଙ୍କ ଘଣ୍ଟା ସାଧାରଣତଃ ଛୋଟ ହୋଇଥିଲେ ମଧ୍ୟ ମୋର ବାଙ୍ଗରା ଓ ଦୁର୍ବଳ ଚେହେରା ପାଇଁ ତାହା ଏତେ ଛୋଟ ନ ଥିଲା । ଊର୍ମିଳା ଚାଲିଗଲା ପରେ ମୁଁ ସେ ଘଣ୍ଟାଟିକୁ ଆଣି ନିଜ ହାତରେ ପିନ୍ଧି ପକେଇଲି । ମୋର ଫୁଙ୍ଗୁଳା ହାତର କଚଟି ହଠାତ୍‌ ଅବା ଗୁରୁତ୍ୱପୂର୍ଣ୍ଣ ଏବଂ ଅସାଧାରଣ ହୋଇ ପଡ଼ିଲା । ମୁଁ ଗୋଟେ ଅଦ୍ଭୁତ ଶିହରଣରେ ଶିହରି ଉଠିଲି ।

 

।। ଦୁଇ ।।

 

ପାଟପୁର ଛାଡ଼ିବାର ଅନେକ ଦିନ ହୋଇଗଲାଣି । ଏହା ଭିତରେ ତଳମାଳ ଗାଁ ସ୍କୁଲର ସ୍ମୃତି ଶିଥିଳ ଓ ଚିତ୍ରମାନେ ଫିକା ପଡ଼ି ଆସିଲେଣି । ପଚିଶ ବର୍ଷର ବ୍ୟବଧାନ ଭିତରେ ଅନେକ କିଛି ଅଦଳ ବଦଳ ହୋଇଗଲାଣି । ଯୋଉ ସବୁ ମଣିଷଙ୍କୁ କୌଣସି ଦିନ ଭୁଲିହେବ ନାହିଁ ବୋଲି ଦାବି କରୁଥିଲି, ସେମାନେ ଅବଲୀଳାକ୍ରମେ ଭୁଲି ହୋଇଗଲେଣି । ଯୋଉମାନେ ମୋତେ ଭୁଲିବେ ନାହିଁ ବୋଲି ବାରମ୍ବାର କହୁଥିଲେ ସେମାନେ ମଧ୍ୟ ମୋତେ ଭୁଲି ସାରିଲେଣି ।

 

ବିସ୍ମୃତିର ବାଲିଝଡ଼ ଭିତରେ ଊର୍ମିଳାର ସ୍ମୃତି ମଧ୍ୟ ଭୁଲି ହୋଇଯାଇଥିଲା । ଅକସ୍ମାତ୍‌ ତା ପରି ଦିଶୁଥିବା ଏକ ଆୟା ସହ ନର୍ସିଂହୋମ୍‌ ବାରନ୍ଦାରେ ଦେଖାହୋଇ ନ ଥିଲେ ହୁଏତ କଦାପି ତାର ସ୍ମୃତି ମୋର ମନକୁ ଆସି ନ ଥାନ୍ତା ।

 

ବୋଉର ଅପରେସନ୍‌ ପାଇଁ ମୁଁ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲି ।

 

ଡାକ୍ତର କହିଥିଲେ, ‘‘ଅପରେସନ୍‌ ପୂର୍ବଦିନ ସନ୍ଧ୍ୟାରୁ ଆଣି ରୋଗୀକୁ ଭର୍ତ୍ତି କରିଦେବ । ସେଇଠୁ ଖାଇବା ପିଇବା ଉପରେ କଟକଣା, ପରଦିନ ସକାଳ ଦଶଟାବେଳକୁ ଡାକ୍ତର ମିଶ୍ର ଅପରେସନ୍‌ କରିବେ ।’’

 

ବିଛଣା ଉପରର ଚାଦର ଓ ତକିଆ ଖୋଳ ବଦଳେଇଦେବା ପାଇଁ ମୁଁ ଜଣେ ସିଷ୍ଟରଙ୍କୁ ଡାକିବା ପାଇଁ ଯାଉଥିଲି । ମୋର ଡାକ ଶୁଣି ଯେଉଁ ଆୟାଟି କୋଠରିକୁ ପଶି ଆସିଥିଲା, ତାକୁ ଦେଖି ମୁଁ ବିସ୍ମିତ ହୋଇଥିଲି ।

 

ଊର୍ମିଳା ! ମୋ ପାଟିରୁ ଏଇ ନାଁଟି ଅଜାଣତରେ ବାହାରିଯାଇଥିଲା । ଚାହୁଁ ଚାହୁଁ ମୋ ଭିତରେ ମୁଁ ପଚିଶ ବର୍ଷ ତଳକୁ ଫେରି ଯାଉଥିଲି ।

 

ପାଟପୁର ହାଇସ୍କୁଲ ଛାଡ଼ିବା ପରବର୍ଷ, ଭଦ୍ରକରୁ କଟକ ଆସୁଥିବା ବେଳେ ସହପାଠୀ ସନାତନ ଊର୍ମିଳା ସମ୍ପର୍କରେ ଯୋଉ ସମ୍ବାଦଟି ଦେଇଥିଲା ତାହା ହିଁ ଥିଲା ତା ସମ୍ପର୍କରେ ମୁଁ ଶୁଣିଥିବା ସର୍ବଶେଷ ସମ୍ବାଦ । ସେ ସମ୍ବାଦଟି ଶୁଣି ମୁଁ ଯେତିକି ବ୍ୟସ୍ତ ହୋଇଥିଲି ସେତିକି ଲଜ୍ଜିତ । ଊର୍ମିଳା ପରି ଝିଅମାନେ ଏମିତି ଶାସ୍ତି ପାଇବା ଉଚିତ ବୋଲି ସୁଦ୍ଧା ମନେ ମନେ ସେଦିନ ଗୁଣି ହୋଇଥିଲି ।

 

‘‘ଊର୍ମିଳାର ବାପା ଯକ୍ଷ ପୂଜା ପାଇଁ ବାହାରୁ ଗୋଟିଏ ଗୁଣିଆ ଡକେଇଥିଲେ । ସେ ଗୁଣିଆ ଜଣକ ପୂଜା ହୋମ ଦ୍ୱାରା ଊର୍ମିଳାଙ୍କ ଘର ଭିତରୁ ସୁନାଭର୍ତ୍ତି ଗରା ବାହାର କରିଥାଆନ୍ତା । ପୂଜା ବିଧିର ଅନ୍ୟତମ ଉପଚାର ସ୍ୱରୂପ ଜଣେ ଅନୂଢ଼ା କିଶୋରୀର ଉପସ୍ଥିତି ପ୍ରୟୋଜନ ବୋଲି ଗୁଣିଆ ଜଣକ ଊର୍ମିଳାର ବାପାଙ୍କୁ କହିଥିଲା । ତାପରେ ଊର୍ମିଳା ଗାଧୋଇ ପାଧୋଇ ହଳଦିଆ ଶାଢ଼ି ପିନ୍ଧି ହୋମ ପାଖରେ ସାତଦିନ ସାତରାତି ବସିଥିଲା ।

 

ଅଷ୍ଟମ ଦିନ ପ୍ରଭାତରେ ସୁନା ଗରାର ସନ୍ଧାନ ମିଳିବା କଥା । ଗାଁ ଯାକର ବୁଢ଼ା-ବୁଢ଼ୀ, ଟୋକା-ଟୋକୀ, ପିଲା କବିଲା ସଭିଏଁ ରୁଣ୍ଡ ହୋଇ ଏ ପ୍ରକାର ଅଭାବିତ ଦୃଶ୍ୟକୁ ଅପେକ୍ଷା କରିଥାନ୍ତି । ପୂଜା ଘରର ଝରକା ଓ କବାଟ ରନ୍ଧ୍ର ଦେଇ କିଛି କିଛି ଧୂଆଁ କେବଳ ବାହାରି ଆସୁଥାଏ, ଅଥଚ କବାଟ ଫିଟୁ ନ ଥାଏ ।’’

 

ସନାତନ ଏକଥା କହିବାବେଳେ ଉତ୍ତେଜନାରେ କମ୍ପି ଉଠୁଥିଲା ଓ ମୁଁ ଦୁଇକାନ ଡେରି ତାର ପ୍ରତିଟି ଶବ୍ଦ ଶୁଣିବା ଲାଗି ସତର୍କ ହୋଇ ରହିଥିଲି । ସନାତନ କହିଥିଲା, ‘‘କ୍ରମେ ସକାଳ ଗଡ଼ି ମଧ୍ୟାହ୍ନ ହେଲା, ଅଥଚ ଦୁଆର ଖୋଲିଲା ନାହିଁ । ଦେଖଣାହାରିଙ୍କ ଧୈର୍ଯ୍ୟ ସୀମା ଲଂଘନ କରିଥିଲା । ଊର୍ମିଳା ବାପାର ପରାମର୍ଶ କ୍ରମେ ଜୋର ଜବରଦସ୍ତ କବାଟ ଫିଟାଗଲା । ଭିତରେ ପୋଡ଼ା ହୋମକାଠରୁ ଧୂଆଁ ବାହାରୁଛି । ଚାରିଆଡ଼େ ଦୂବ, ବରକୋଳି ପତ୍ର, ସିନ୍ଦୂର, ହଳଦୀ, ଅରୁଆ ଚାଉଳ, ଘିଅ ଓ ପୂଜା ସାମଗ୍ରୀ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଥଚ ଘର ଭିତରେ ନା ଗୁଣିଆ ଅଛି ନା ଊର୍ମିଳା ! ଉଭୟେ ଝରକା ଡେଇଁ ରାତି ଅନ୍ଧାରରେ ଫେରାର୍‌ ହୋଇ ଯାଇଥାଆନ୍ତି-

 

‘‘ଊର୍ମିଳାର ପୋଲିସ୍‌ ଭାଇ ପ୍ରତି ଏ ଘଟଣା ଥିଲା ଚରମ ଅପମାନ । ତା ବାପା ଲାଗି ଚରମ ମୁଖଲଜ୍ଜା । ସାହିଭାଇରେ ଘଟଣାଟି ବଣ ନିଆଁ ପରି ଖେଳିଗଲା । ଊର୍ମିଳା ଓ ଗୁଣିଆ ଟୋକାର ସମ୍ବନ୍ଧ ନେଇ ନାନା ପ୍ରକାର ଅଶ୍ଳୀଳ ଚର୍ଚ୍ଚା ଗୋହିରି କୂଳ, ପୋଖରୀ ଆଡ଼ି ଓ ବିଲମାଳରେ ଖେଳିବୁଲିଲା ।’’

 

: ତାପରେ ?

 

ସନାତନ ମୋର ଏ ପ୍ରଶ୍ନର ଉତ୍ତର ଦେଇ ନ ଥିଲା । କିନ୍ତୁ ତା କଥାରୁ ଜାଣିଥିଲି, ଊର୍ମିଳା ଅନ୍ତଃସତ୍ତ୍ୱା ହୋଇଥିବାରୁ ଗୁଣିଆ ସାଙ୍ଗରେ ଚାଲିଯାଇଥିଲା । ଆଜି ଅନେକ ବର୍ଷ ପରେ ଏଇ ଆୟାଟିକୁ ଦେଖି ଊର୍ମିଳା କଥା ହଠାତ୍‌ ମନେପଡ଼ିଗଲା-। ମୁଁ ବୋଉର ବିଛଣା ବଦଳ ପ୍ରସଙ୍ଗ ଭୁଲି ସେଇ ଆୟାଟିକୁ ପଚାରିଲି, ‘‘ତୁମେ ଊର୍ମିଳା ନା-?’’

 

ଆୟା ଜଣକ ଗୋଟାଏ ଅଦ୍ଭୁତ ସମ୍ବୋଧନ ଶୁଣିଲା ପରି ବିରକ୍ତି ପ୍ରକାଶ କରି କହିଲା, ‘‘ଊର୍ମିଳା କିଏ ? ମୁଁ ବନଲତା । ବନଲତା ପରିଡ଼ା ।’’

 

ମୁଁ ଲାଜରେ ତଳକୁ ମୁହଁ ପୋତିଦେଲି । ଅପ୍ରସ୍ତୁତ ହେଲା ପରି କହିଲି, ‘‘କିଛି ଭୁଲ୍‌ ବୁଝିବେ ନାହିଁ । ଆପଣଙ୍କ ଚେହେରା ମୋର ଜଣେ ସାଙ୍ଗ ଝିଅର ଚେହେରା ସାଙ୍ଗେ ଏକଦମ୍‌ ମିଶିଯାଉଛି । କେବଳ ତା ଦେହର ରଙ୍ଗ ଆପଣଙ୍କଠୁଁ ଟିକିଏ...’’

 

ମୋ କଥା ସରି ନ ଥିଲା ଆୟା ଜଣକ ବିଛଣା ଚାଦର ବଦଳେଇ ସାରି ଯେମିତି ଆସିଥିଲା ସେମିତି, ଉଁ ଚୁଁ କିଛି ନ କହି ଘର ଭିତରୁ ବାହାରି ଚାଲିଗଲା ।

 

ବୋଉ ତା ବିଛଣାରେ ଶୋଇଥିଲା ।

 

ମୁଁ ତା କଡ଼ରେ ବସି ଆୟାଟିର କଥା ଭାବୁଥିଲି । ଦି ଜଣ ଅଲଗା ଅଲଗା ମଣିଷଙ୍କ ଭିତରେ କଣ ଏତେ ସାଦୃଶ୍ୟ ରହିପାରେ ? ପଚିଶ ବର୍ଷ ତଳେ ଊର୍ମିଳା ଥିଲା ଗୋଟିଏ ଗ୍ରାମ୍ୟ କିଶୋରୀ । ଚାଳିଶ ବର୍ଷ ବୟସର ଏଇ ଆୟା ପାଖେ ଊର୍ମିଳା ଚେହେରାର ସେ ଲାବଣ୍ୟ, ସେ ଚମକ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେହି ଆଖି ଯୋଡ଼ିକର ଦୀପ୍ତି ଆଦୌ ନ ଥିଲା । ଅଥଚ ଲାଗୁଥିଲା ଠିକ୍‌ ଊର୍ମିଳା ପରି ।

 

ମୁଁ ଆଉ ଥରେ ସେଇ ଆୟାକୁ ଭେଟିବା ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲି । ହୁଏତ ମୋତେ ଲୁଚେଇବା ପାଇଁ ସେ ମିଛ କହୁଥାଇପାରେ । ମୋ ଆଖି କେବେ ଏତେ ବଡ଼ ଭୁଲ୍‌ କରିବ ନାହିଁ । କିନ୍ତୁ ତା ସାଙ୍ଗେ ଆଉ ଦେଖାହେଲା ନାହିଁ । ପରଦିନ ନୁହେଁ କି ତା ପରଦିନ ବି ନୁହେଁ । ଏହା ଭିତରେ ବୋଉର ଅପରେସନ୍‌ ସରିଯାଇଥିଲା ଓ ସାତଦିନ ବିଶ୍ରାମର ଅବଧି ପୂରିଥିଲା । ମୁଁ ନର୍ସିଂହୋମ୍‌ର ପାଉଣା ପରିଶୋଧ କରି ଘରକୁ ଚାଲି ଆସିଲି ।

 

ଊର୍ମିଳାର ସ୍ମୃତି କିନ୍ତୁ ବାରମ୍ବାର ମନେପଡ଼ୁଥିଲା ଏବଂ ତା ସାଙ୍ଗରେ ସେଇ ଟିକି ହାତଘଣ୍ଟାଟିର ସ୍ମୃତି । ମନେପଡ଼ୁଥିଲା, ମାଟ୍ରିକ୍‌ ପରୀକ୍ଷାରୁ ଫେରିବା ପରେ ଘଣ୍ଟାଟିକୁ ଫେରେଇ ଦେଇ ଆସିବା ଲାଗି ବୋଉ ମତେ କହିଥିଲା । ମାତ୍ର କାହିଁକି କେଜାଣି ଘଣ୍ଟାଟି ଫେରେଇ ପାରି ନ ଥିଲି । ତାପରେ ଯେତେବେଳେ ସେଇଟିକୁ ଫେରେଇବାକୁ ଚାହିଲି ସେତେବେଳେ ଊର୍ମିଳା ସାଙ୍ଗେ ଆଉ ଦେଖା ହେଲା ନାହିଁ ।

 

ସେଦିନ ଥିଲା ରବିବାର । ମୁଁ ନର୍ସିଂହୋମ୍‌ ଦିଗରେ ବାହାରିପଡ଼ିଲି । ସନ୍ଧ୍ୟା ହୋଇ ନ ଥାଏ । ନର୍ସିଂହୋମ୍‌ ରିସେପ୍‌ସନ୍‌ କାଉଣ୍ଟରରେ ଚିହ୍ନା ସିଷ୍ଟର ଜଣେ ବସିଥାନ୍ତି । ତାଙ୍କୁ ପଚାରିଲି, ‘‘ବନଲତା ପରିଡ଼ା ଆଜି ଆସିଥିଲେ କି ?’’

 

ସେ ସିଷ୍ଟର ଜଣକ ତାଙ୍କ ପାଖରେ ବସିଥିବା ଆଉ ଜଣେ ସିଷ୍ଟରଙ୍କୁ ମୋରି ପ୍ରଶ୍ନ ତାଙ୍କ ସ୍ୱରରେ ଦୋହରାଇଥିଲେ, ‘‘ବନଲତା ପରିଡ଼ା ଆଜି ଆସିଥିଲା କି ?’’

 

ତାପରେ ଦି ଜଣ ଯାକ ଏକାସାଙ୍ଗରେ ଉତ୍ତର ଦେଲେ, ‘‘ନା, ସେ ଆଠ ଦଶଦିନ ହେଲା ଆସୁନାହିଁ ।’’

 

: କୋଉଠି ରହେ, କହିପାରିବେ ?

 

: ଏଇ ତିନି ନମ୍ବର ମନ୍ଦିର ସାଇଡ୍‌ରେ ରହେ । ତା ଘର ସାମ୍ନାରେ ଗୋଟେ ଟ୍ୟୁବ୍‌ୱେଲ୍‌ ଅଛି ।

ଆଠ ଦଶ ଦିନ ହେଲା ବନଲତା ପରିଡ଼ା ଆସିନାହିଁ ! କିନ୍ତୁ କାହିଁକି ? ମୋ ଭିତରେ ବନଲତା ପରିଡ଼ାକୁ ନେଇ ସୃଷ୍ଟି ହୋଇଥିବା କୌତୂହଳ ବଢ଼ି ବଢ଼ି ଚାଲିଥିଲା ।

ସ୍ଥିର କଲି, ଯେମିତି ହେଲେ ବନଲତା ପରିଡ଼ା ସାଙ୍ଗେ ଦେଖା କରିବି । ଊର୍ମିଳା ଚେହେରା ସାଙ୍ଗେ ତାର ଚେହେରା ଏମିତି ମିଶିବାର କାରଣ ନିଶ୍ଚୟ କିଛି ଥିବ ।

ତିନି ନମ୍ବର ସେକ୍ଟରର ମନ୍ଦିର ପାଖରୁ ବାଁ ହାତି କିଛି ଦୂର ଗଲା ପରେ ପଡ଼ିଲା ସେଇ ଟ୍ୟୁବ୍‌ୱେଲ୍‌ । ଟ୍ୟୁବ୍‌ୱେଲ୍‌ଟି ଯେ ଅଚଳ, ସେକଥା ଅନ୍ଧାରରେ ସୁଦ୍ଧା ଜଣାପଡ଼ୁଥିଲା । ଚାରିପଟେ ଶୁଖିଲା ପତ୍ର ଓ ଘାସଗଛ । ସାମ୍ନାରେ ଦୂରକୁ ଆଉଟ୍‌ ହାଉସ୍‌ ପରି ଦିଶୁଥିବା ଗୋଟେ ଆଜବେଷ୍ଟସ୍‌ ଘର ।

ସେ ଘରର ଦରଜା ଭିତରପଟୁ ବନ୍ଦ ଥିଲା । ଅଥଚ ଘର ଭିତରର ଚିତ୍କାର ଓ ଚାପା କଣ୍ଠର କାନ୍ଦଣା ଝରକା ଓ ଜଳାବାଟ ଦେଇ ରାସ୍ତାସାରା ଖେଳିଯାଉଥିଲା ।

ମୁଁ ଡରିଗଲି ।

ଘର ଭିତରେ ପୁରୁଷ ଲୋକଟିଏ ଜଣେ ସ୍ତ୍ରୀ ଲୋକକୁ ବାଡ଼ଉଥିଲା । ଅଶ୍ଳୀଳ ଭାଷାରେ ଯାହା ମନ ତାହା ଗାଳି ଦେଉଥିଲା । ଘର ଭିତରେ ଡେକ୍‌ଚି, ଥାଳି ଖସି ପଡ଼ିବାର ଓ ଆଉ କଣ ସବୁ ଭାଙ୍ଗିରୁଜି ଯିବାର ଶବ୍ଦ ଶୁଭୁଥିଲା । ମଝିରେ ମଝିରେ ସ୍ତ୍ରୀ ଲୋକଟିର କାତର ଦଇନି ।

ଏଇଟା ବନଲତା ପରିଡ଼ାର ଘର ତ ? –କାହାକୁ ଜଣକୁ ଏ ପ୍ରଶ୍ନ ପଚାରିବାକୁ ଚାହୁଥିଲି-। ମାତ୍ର ଆଖପାଖରେ କେହି ଦେଖାଯାଉ ନ ଥିଲେ ।

ମୋତେ ଏ ପରିବେଶ ଅସ୍ୱସ୍ତିକର ଲାଗୁଥିଲା । ଭାବୁଥିଲି, ଫେରି ଆସିବି । ପୁଣି ଦିନେ ସମୟ ଦେଖି କେବେ ଆସିବି ।

ଠିକ୍‌ ସେତିକିବେଳେ ଧଡ୍‌କରି କବାଟଟା ଖୋଲିଗଲା । ଘର ଭିତରୁ ଗୋଟେ କଙ୍କାଳସାର ଲୋକ ବାହାରି ଆସୁ ଆସୁ ମୋତେ ଦେଖି ଛିଡ଼ା ହୋଇଗଲା । ତାର ଆଖି ଯୋଡ଼ାକ ଲାଲ ଲାଲ ଦିଶୁଥାଏ ଓ ତା ମୁହଁରୁ ଭଣଭଣ ଗନ୍ଧ ବାହାରୁଥାଏ । ଲୋକଟା ପଚାରିଲା, ‘‘ଆଏଁ, କୁଆଡ଼େ ? କାହାର କଣ ଖଲାସ୍‌ କରିବାର ଅଛି ନା କଣ ? ଦିଅ, ପକାଅ ପଚାଶ ।’’

ମୁଁ ଲୋକଟାର ହାବଭାବ ଦେଖି ଡରିଗଲି । ଖଲାସ୍‌ ! ପଚାଶ ଟଙ୍କା । କିନ୍ତୁ କାହିଁକି ? କହିଲି, ‘‘ନା, ମୋର ସେଭଳି କିଛି ପ୍ରୟୋଜନ ନାହିଁ । ମୁଁ ବନଲତା ପରିଡ଼ା ପାଖରୁ ଗୋଟେ ଖବର ବୁଝିବାକୁ ଆସିଛି ।’’

ଲୋକଟା ଚିଡ଼ିଗଲା ପରି ଭିତରକୁ ଅନେଇ କହିଲା, ‘‘ପୁଣି ଗୋଟେ ନୂଆ ନାଗର ଆସିଲାଣି । କେତେ ଘାଟରେ ପାଣି ପିଉଛୁ କେଜାଣି !’’

କ୍ରୋଧ ଏବଂ ଘୃଣାରେ ମୋ ହାତ ମୁଠା ମୁଠା ହୋଇ ଆସୁଥିଲା । ଲୋକଟାର ଗାଲରେ ଢୋ କିନା ଗୋଟେ ଚଟକଣା ବସେଇଦେବାକୁ ଇଚ୍ଛା ହେଉଥିଲା । ମାତ୍ର ମୁଁ ଚୁପ୍‌ଚାପ୍‌ ଛିଡ଼ା ହୋଇ ରହିଲି । ଲୋକଟା ଏପଟ ସେପଟ ଚାହିଁ ଗୋଟାଏ ପାତିମାଙ୍କଡ଼ ପରି ପିଣ୍ଡା ତଳକୁ କୁଦା ମାରିଲା ଓ ଅନ୍ଧାର ରାସ୍ତାରେ ହଜିଗଲା ।

 

ମୋ ସାମ୍ନାରେ ବନଲତା ପରିଡ଼ାର ଘରକରଣା ଗୋଟେ ଲଙ୍ଗଳା ଓ ଛେଉଣ୍ଡ ଛୁଆ ପରି ପେଟ ମାଡ଼ି ପଡ଼ିଥିଲା । ଚାରିପଟେ ବିକଳ ଦାରିଦ୍ର୍ୟ । ବନଲତା ଆଖିରୁ ଲୁହ ପୋଛି ମୋ ଆଡ଼େ ଚାହିଁଥିଲା । ତାର ମୁହଁ ଫଣଫଣ ଦିଶୁଥିଲା ।

 

ବୋଧହୁଏ ଜ୍ୱରରେ କମ୍ପୁଥିଲା ବନଲତା । କୁଙ୍କୁରି କାଙ୍କୁରି ଛିଡ଼ାହେବା ମୁଦ୍ରାରୁ ଏତିକି ମୁଁ ଅନୁମାନ କରିପାରୁଥିଲି ।

 

ମୁଁ ଚାହିଁଲି । ଉପରେ ଗୋଟିଏ ଷାଠିଏ ୱାଟ୍‌ର ବଲ୍‌ବ ଜଳୁଛି । ତାର ନାଲିଚିଆ ଆଲୁଅରେ ଘର ଭିତରର ଜିନିଷପତ୍ର କିଛି ପରିଷ୍କାର ଦିଶୁ ନ ଥାଏ ! କାନ୍ଥକୁ ଲାଗି ଗୋଟେ ଖଟିଆ । ତାକୁ ଭରାଦେଇ ବନଲତା ଛିଡ଼ା ହୋଇଥିଲା ।

 

ମୁଁ କହିଲି, ‘‘ନର୍ସିଂହୋମ୍‌କୁ ଯାଇଥିଲି, ଶୁଣିଲି ତୁମେ କିଛିଦିନ ହେଲା ଯାଇନାହଁ । ସେଥିପାଇଁ ଏଠିକି ଆସିଲି ।’’

 

: କଣ କାମ ଥିଲା ? –ବନଲତାର ସିଧାସଳଖ ପ୍ରଶ୍ନ ।

 

: କାମ ? କାମ କିଛି ନ ଥିଲା । କିନ୍ତୁ ଊର୍ମିଳା...

 

: ଊର୍ମିଳା କିଏ ? –ସେ ବିରକ୍ତ ସ୍ୱରରେ ପଚାରିଲା ।

 

: ସେ ମୋର ସାଙ୍ଗ ଥିଲା । –ମୁଁ ଧୀର ଗଳାରେ ତାକୁ ବୁଝେଇବାର ଚେଷ୍ଟା କରୁଥିଲି ।

 

: ମୁଁ ତାକୁ ଚିହ୍ନେ ନାହିଁ । ଆଉ କିଛି କାମ ଅଛି ?

 

: ନା ଅସଲରେ ଆପଣଙ୍କ ଚେହେରା ମୋତେ ଊର୍ମିଳାର ଚେହେରା ପରି ଦିଶୁଛି । ତାର ଗୋଟେ ଋଣ ମୋ ପାଖେ ରହିଯାଇଛି । ତାର ହାତ ଘଣ୍ଟାଟି... ।

 

ମୋତେ କଥା ସାରିବାକୁ ନ ଦେଇ ବନଲତା କହିଲା, ‘‘ଥାଉ । କିଛି ହେଲେ ତ ବିଚାରୀର ଅଛି !’’

 

ମୁଁ ଚମକିପଡ଼ିଲି । ମୋତେ ହଠାତ୍‌ ଲାଗିଲା ଇଏ ବନଲତା ନୁହେଁ ଊର୍ମିଳା । ନ ହେଲେ ବନଲତା ପରିଡ଼ା ଅଚିହ୍ନା ଊର୍ମିଳାକୁ ‘ବିଚାରୀ’ ବୋଲି କହନ୍ତା କାହିଁକି ?

 

ମୋର ପାଟପୁର ହାଇସ୍କୁଲ କଥା ମନେ ପଡ଼ୁଥିଲା । ମନେ ପଡ଼ୁଥିଲା ଊର୍ମିଳାର ଗାଳିମନ୍ଦ, ଚିତ୍କାର, ରୋଜ୍‌ ରୋଜ୍‌ ଉପଦେଶ । ମନେ ପଡ଼ୁଥିଲା ତଳବନ୍ଧ ଫେରନ୍ତା ରାସ୍ତାରେ, ଊର୍ମିଳାର କୁନି ଛତା ତଳେ ସାଥୀ ହୋଇ ରାସ୍ତା ଚାଲିବାର ଅନୁଭବ । ଅଭିଭାବକ ପରି ତାର ଢଙ୍ଗରଙ୍ଗ । ଉପରକୁ ମଥା ଟେକି ବାଟ ଚାଲିବାର ସ୍ପର୍ଦ୍ଧା । ସେଇ ଝିଅଟିର ଆଜି ପୁଣି ଏ ଦୁର୍ଦ୍ଦଶା !

 

ମୁଁ ମୁହଁ ଟେକି ଆଉ ଥରେ ତାକୁ ଚାହିଁଲି । ମଦୁଆ ଲୋକଟା ତାକୁ କାହିଁକି ବାଡ଼ାପିଟା କରୁଥିଲା–ସେକଥା ଜାଣିବାକୁ ମୋର ଇଚ୍ଛା ହେଉଥିଲା । ମାତ୍ର ମୁଁ ଭରସି ପଚାରିପାରୁ ନ ଥିଲି ।

 

ଶେଷଥର ପାଇଁ କହିଲି, ‘ତୁମେ ବନଲତା ନୁହଁ, ଊର୍ମିଳା । କିନ୍ତୁ ମୋତେ ଏମିତି ମିଛ କହି କାହିଁକି ଫେରେଇ ଦେଉଛ ତାହା ମୁଁ ବୁଝିପାରୁନାହିଁ ଊର୍ମିଳା !’

 

: କେତେଥର କହିବି ମୁଁ ଊର୍ମିଳା ନୁହେଁ ବନଲତା । ଊର୍ମିଳା ଫୂର୍ମିଳା ଏଠି କେହି ନାହାନ୍ତି-। ସେ ପାପଗର୍ଭା, ବଜ୍ଜାତ୍‌ ମାଇକିନା କୋଉକାଳୁ ମଲାଣି । ଆପଣ ଦୟାକରି ଏଠୁ ଯାଆନ୍ତୁ-

 

ବେଶ୍‌ ବଡ଼ ପାଟିରେ ଏତକ କହି ସେ ଧଡ଼୍‌କରି କବାଟ ବନ୍ଦ କରିନେଲା । ମୁଁ ଚମକିପଡ଼ିଲି । ଫେରି ଆସୁ ଆସୁ ଶୁଣିଲି, ସେ ମୁହଁରେ ଲୁଗା ଚାପି ଦରଜା ସେପଟେ କାନ୍ଦୁଛି । ତାର ସେ କାନ୍ଦଣାର ଶବ୍ଦ ଦୁଆରମୁହଁକୁ ପରିଷ୍କାର ଶୁଭୁଥାଏ ।

 

ପାଟପୁର ସ୍କୁଲରେ ପଢ଼ିବାବେଳେ ମୁଁ ପ୍ରାୟତଃ ସବୁଦିନେ ଊର୍ମିଳାର ସର୍ବନାଶ କାମନା କରୁଥିଲି । ଆଜି ସେଇ ଊର୍ମିଳାର ସର୍ବନାଶ ମୁଁ ନିଜ ଆଖିରେ ଦେଖୁଥିବା ବେଳେ ଆନନ୍ଦରେ ନାଚି ଉଠିବା କଥା । ତାର ମଦ୍ୟପ ସ୍ୱାମୀର ଅତ୍ୟାଚାର, କାଙ୍ଗାଳ ଘରକରଣା ଓ ତାର ବିକଳ ପରିସ୍ଥିତି ପ୍ରତ୍ୟକ୍ଷ କରିବା ପରେ ମୋର ଖୁସି ହେବା କଥା । ଅଥଚ ମୁଁ ଖୁସି ହୋଇ ପାରୁ ନ ଥିଲି । ମୁହଁ ଖୋଲି କିଛି କହିପାରୁ ନ ଥିଲି କି କାହାରିକୁ ଆଖି ଉଠେଇ ମୁଁ ଚାହିଁ ପାରୁ ନ ଥିଲି ।

☆☆☆

 

ଚଉକି

 

ଭୁବନେଶ୍ୱରରେ ପହଞ୍ଚିଲା ପରେ ଉମାକାନ୍ତ ଉପଲବ୍ଧି କରିପାରିଥିଲା ଯେ ଆକୁଳାନନ୍ଦ ବେହେରାଙ୍କ ସାଙ୍ଗରେ ଆସିବାର ନିଷ୍ପତ୍ତି ନେଇ ସେ ବୁଦ୍ଧିମାନର କାର୍ଯ୍ୟ କରିଛି । ଯଦି ସେ ତାଙ୍କ ସାଙ୍ଗରେ ନ ଆସି ଏକା ଏକା ଆସିଥାଆନ୍ତା, ତାହାହେଲେ ସେକ୍ରେଟେରିଏଟ୍‌ର ବାବୁମାନେ ତ ଦୂରର କଥା, ଫାଟକ ପାଖର କନେଷ୍ଟବଳ ବି ତାକୁ ଭିତରକୁ ଛାଡ଼ି ନଥାନ୍ତା । ସେ ସେଇଠୁ ବାଧ୍ୟ ହୋଇ ଗାଁକୁ ଫେରି ଯାଇଥାଆନ୍ତା ।

 

ଆକୁଳାନନ୍ଦ କହିଲେ, “ଏଇ ପଞ୍ଚାୟତରାଜ ବିଭାଗ ଫାଟକ ପାଖେ ବେଶି ଚେକିଙ୍ଗ୍‌ ହୁଏନାହିଁ । ସାମ୍ନାପଟେ ତ ମାଛି ପଡ଼ିଲେ ନବଖଣ୍ଡ ଅବସ୍ଥା । ମୁଁ କେଜାଣି ମୋ ପରିଚୟ ଦେଇ ଆସିଥାଆନ୍ତି, ହେଲେ ତୋତେ ଚିହ୍ନିବ କିଏ ?”

 

: ତାହା ହେଲେ ?

 

: କିରେ ତାହା ହେଲେ କଣ ! ଦିନ ଦୁଇଟା ପରେ ଯାଇ ପାସ୍‌ ଇସ୍ୟୁ ଟାଇମ୍‌ । ସେତେବେଳେ ତୁ କାଗଜପତ୍ର ଦେଖେଇ ପାସ୍‌ ସଂଗ୍ରହ କରିଥାଆନ୍ତୁ ।

 

ଉମାକାନ୍ତର ମୁହଁ ପ୍ରସନ୍ନ ଦିଶୁଥିଲା । କିନ୍ତୁ ଆକୁଳାନନ୍ଦ ତାକୁ ଅଧିକ ସମୟ ପ୍ରସନ୍ନ ରହିବାକୁ ନ ଦେଇ କହିଲେ, “କିନ୍ତୁ ପାସ୍‌ ପାଇବା ସହଜ ନୁହେଁ । ତୋର କାମ ଅଛି ବୋଲି କହିଲେ ତ ଯଥେଷ୍ଟ ହେବ ନାହିଁ । ଯାହାଙ୍କ ପାଖରେ କାମ ଅଛି ସେ ତାହା କହିବା ଦରକାର । ସେ ନ ଚାହିଁଲେ ତୋତେ ପାସ୍‌ ଦେବ କିଏ ?”

 

ଉଚ୍ଚା କାନ୍ଥର ପାଖ ଦେଇ ଗୋଟାଏ ମନ୍ତ୍ରୀ ଗାଡ଼ି ସାଏଁକିନା ଚାଲିଗଲା । ଉମାକାନ୍ତ ସେ ଗାଡ଼ିର ପଛପଟେ ଲେଖାଥିବା ଇଂରାଜୀ ଶବ୍ଦ ତିନିଟି ପଢ଼ିଲା, ଯାହାର ଅର୍ଥ ଥିଲା ଓଡ଼ିଶା ସରକାରଙ୍କର ଓ ତାହା ତଳକୁ ଜଳ ସମ୍ପଦ ବିଭାଗ ।

 

: ଚାକିରିରେ ଥିବାଯାଏ ମୋର ପାସ୍‌ ଥିଲା । ତାପରେ ଚାହିଁଥିଲେ ମୁଁ ଗୋଟାଏ ପାସ୍‌ ଯୋଗାଡ଼ କରି ପାରିଥାଆନ୍ତି । ମାତ୍ର ଚିହ୍ନା ବ୍ରାହ୍ମଣର ପଇତା କଣ ଦରକାର ?” ଆକୁଳାନନ୍ଦ ନିଜର ଉଦାହରଣରେ ନିଜେ ଉତ୍‌ଫୁଲ୍ଲିତ ଦିଶିଲେ ।

 

ଉମାକାନ୍ତ ଆକୁଳାନନ୍ଦଙ୍କ ଖାତିର୍‌ ସମ୍ପର୍କରେ ଢେର୍‌ କଥା ଶୁଣିଥିଲା । ମାତ୍ର ଆଜି ରାଜଧାନୀରେ ପହଞ୍ଚିଲା ପରେ ସେ ତାହାର ଚାକ୍ଷୁସ ପ୍ରମାଣ ଦେଖୁଥିଲା ।

 

ଉମାକାନ୍ତ ପଚାରିଲା, “କିନ୍ତୁ ସେକ୍ରେଟାରିଏଟ୍‌ ଭିତରକୁ ଯା-ଆସ କରିବାରେ ଏତେ କଟକଣା କାହିଁକି ?”

 

: ନିରାପତ୍ତା ଆଉ ଗୋପନୀୟତା । ସମସ୍ତଙ୍କ ପାଇଁ ଯଦି ସରକାର ସେକ୍ରେଟାରିଏଟ୍‌ ସାହାଣମେଲା କରିଦେବେ, ତାହାହେଲେ ଏଠି ଆଉ କାମଦାମ ହେବ ତ ! ସକାଳୁ ସଞ୍ଜଯାଏ ଖାଲି ଲୋକମାନଙ୍କର ଯା-ଆସ ହିଁ ଚାଲଥିବ । ତାଛଡ଼ା କିଏ କେଉଁ ପ୍ରକାର ଲୋକ, ସେ କଥା ବା ଜଣାପଡ଼ିବ କେମିତି ? ତୁ ତ ଖବରକାଗଜରେ ପଢ଼ିଥିବୁ, ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ସେକ୍ରେଟାରିଏଟ୍‌ ଭିତରେ ହିଁ ଟେରରିଷ୍ଟମାନେ ମାରିଦେଲେ । ପଢ଼ିଛୁ ଟି ?

 

ଉମାକାନ୍ତ ମୁଣ୍ଡ ହଲେଇଲା ।

 

ଆକୁଳାନନ୍ଦ କହିଲେ, “ଶୀଘ୍ର ଶୀଘ୍ର ଆ । ମନ୍ତ୍ରୀ ଯଦି କୁଆଡ଼େ ପଳେଇଯିବେ ତାହାହେଲେ ଆମ ଆସିବା ପଣ୍ଡ ହେବ ।”

 

ଉମାକାନ୍ତ ପଚାରିଲା, “ଆପଣ ଏଇଠି ବସୁଥିଲେ ନା !”

 

ଯୋଉ ପ୍ରଶ୍ନଟି ପାଇଁ ଛାତ୍ର ଜଣକ ପ୍ରସ୍ତୁତ ହୋଇ ରହିଥାଏ, ଠିକ୍‌ ସେଇ ପ୍ରଶ୍ନ ତାକୁ ପଚରାଗଲା ପରି ଆକୁଳାନନ୍ଦ ପ୍ରସନ୍ନ ଦିଶିଲେ । କହିଲେ, “ଯିବା, ଯିବା । ଆମ ଡିପାର୍ଟମେଣ୍ଟ୍‌ ଆଡ଼େ ବି ଯିବା । ନିଜେ ତୁ ଦେଖିବୁ । ଏ ଆକୁଳାନନ୍ଦ ବେହେରାର ତା ଡିପାର୍ଟମେଣ୍ଟ୍‌ରେ କି ଖାତିର । କିରେ, ଖାତିର୍‌ କରିବେ ନାହିଁ ? ଏଇ ସମୁଦାୟ ସେକ୍ରେଟାରିଏଟ୍‌ରେ ଏମିତି ନୋଟିଂ ଡ୍ରାଫ୍‌ଟିଂ କିଏ ଲେଖୁଥିଲା ବା ! ଅଳ୍ପ ଧାଡ଼ିରେ ସବୁ ପଏଣ୍ଟ ଥିବ । ପଢ଼ିବାବାଲା ଚଟ୍‌କିନା ତାର ମଞ୍ଜି ଧରିନେବ । ଯାହାକୁ ଆକୁଳାନନ୍ଦ ବେହେରା ଲେଖି ପଠେଇଥିବ, ଅଣ୍ଡର ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ ତ ଦୂରର କଥା, ଖୋଦ୍‌ ଆଡିସନାଲ୍‌ ସେକ୍ରେଟେରୀ ବି କାଟି ପାରିବେ ନାହିଁ ।”

 

: ଆଉ ସେକ୍ରେଟେରୀ ?

 

: ସେକ୍ରେଟାରୀ ତ ହେଲେ ଖୋଦ୍‌ ସରକାର । ସେ ଚାହିଁଲେ ନୋଟ୍‌ଟିକୁ ପୂରା ବଦଳେଇ ଦେଇ ପାରିବେ । ସେକ୍ରେଟାରୀମାନେ ହେଲେ ମିନିଷ୍ଟର୍‌ଙ୍କଠାରୁ ପାୱାରଫୁଲ୍‌ । ତାହା ନ ହେଲେ ଦେଖୁନୁ, ମନ୍ତ୍ରୀମାନେ ବସୁଥିବା ଏ କୋଠାର ନାଁ ମନ୍ତ୍ରାଳୟ ନ ହୋଇ ସଚିବାଳୟ କାହିଁକି ହୋଇଥାଆନ୍ତା ! ସେକ୍ରେଟାରୀଙ୍କ କଥା ଛାଡ଼, ମାତ୍ର ତାଙ୍କ ତଳକୁ ଆଉ କୋଉ ପୁଅର ସାଧ୍ୟ ନ ଥିଲା, ଆକୁଳାନନ୍ଦ ବେହେରାର ନୋଟିଂକୁ ଖୁଣିଦେବ । ତିନି ତିନିଟା ସେକ୍ସନ୍‌ର ସେକ୍ସନ୍‌ ଅଫିସର ଥିଲି । କଲମ ଅଗରେ ଶହ ଶହ ଫାଇଲ୍‌ ଉପର ତଳ କରୁଥିଲି । ତୁ ପିଲାଲୋକ, ସେ କଥା ଜାଣିବୁ କଣ ?

 

ଆକୁଳାନନ୍ଦଙ୍କ କଥାରେ ଦମ୍‌ ଥିଲା । ତାଙ୍କର କଥା ଶୁଣୁ ଶୁଣୁ ଉମାକାନ୍ତ ଦେହରେ ନୂଆ ବଳ ଭରି ଯାଉଥିଲା ।

 

କାହିଁ ତଳମାଳିଆ ଧୋଇଆ ଅଞ୍ଚଳର ରାମପୁର, ଆଉ କାହିଁ ରାଜଧାନୀର ସେକ୍ରେଟାରିଏଟ୍‌ ! କାହିଁ ଅପନ୍ତରା, ବନ୍ୟା ମରୁଡ଼ି ପୀଡ଼ିତ ଚଷାଭୂଷାଙ୍କ ମଫସଲ; କାହିଁ କ୍ଷମତା, ପ୍ରତିପତ୍ତି ଓ ଶାସନର ମଧ୍ୟମଣି ସଚିବାଳୟ ! ଆକୁଳାନନ୍ଦ ବେହେରାଙ୍କ ପରି ଲୋକଙ୍କ ପାଇଁ ତାଙ୍କ ଅଞ୍ଚଳ ଗର୍ବ କରିବା ଉଚିତ ବୋଲି ଉମାକାନ୍ତ ଭାବୁଥିଲା ।

 

ଆକୁଳାନନ୍ଦ ପକେଟ୍‌ରୁ କାଗଜ ଖଣ୍ଡେ ବାହାର କରି ପଢ଼ିଲେ–କଲ୍ୟାଣ ବିଭାଗ । ହଁ, ସବୁ ତ ସେଇ ତିନି ମହଲାରେ ଏପଟ ସେପଟ ହୋଇ ବସିଥିବେ । ଚାଲ୍‌, ଲିଫ୍‌ଟରେ ଚାଲିଯିବା ।

 

ଉମାକାନ୍ତ ମାଟ୍ରିକ୍‌ ପାଶ୍‌ ପରେ ଆଇ.ଏ. ପଢ଼ୁଥିଲା । ଘରର ସମସ୍ୟା ପାଇଁ ଆଉ ପଢ଼ିପାରିଲା ନାହିଁ । କିଛି ଗୋଟାଏ ଋଣ ମିଳିଗଲେ ଗୋଟେ ଦରଜି ଦୋକାନ ଆରମ୍ଭ କରନ୍ତା । ଗଲାଥର ମନ୍ତ୍ରୀ ଯାଇଥିଲାବେଳେ ଡାକବଙ୍ଗଳାରେ ତାଙ୍କୁ ଭେଟିଥିଲା । ଯୋଗକୁ ସେଇଠି ଆକୁଳାନନ୍ଦ ବି ଦେଖା ହୋଇଥିଲେ । ତା ଦୁଃଖତକ ଶୁଣି କହିଥିଲେ, “ଏଠି ମନ୍ତ୍ରୀଙ୍କୁ ଦରଖାସ୍ତ ଦେବା ଯାହା, ଖତଗଦାକୁ ଫୋପାଡ଼ି ଦେବା ସେଇଆ । ତୁ କିଛି ପଇସାପତ୍ର ଯୋଗାଡ଼ କର । ଭୁବନେଶ୍ୱର ଯାଇ ତାଙ୍କୁ ଭେଟି ଆସିବା । ସେ ଚାହିଁଲେ ଏ କାମ ଦୁଇ ଦୁଇ ମିନିଟ୍‌ର କଥା ।”

 

ଡାକବଙ୍ଗଳା ଚାରିପଟେ ଜନ୍ଦା, ପିମ୍ପୁଡ଼ି ପରି ଦଳ ଦଳ ହେଉଥିବା ଗୁହାରିଆଙ୍କ ଭିଡ଼ ଦେଖି ଉମାକାନ୍ତ ବି ସେଇଆ ଭାବିଥିଲା । ଏମିତି ଗୋଠରେ କଣ କେହି କିଛି କହିପାରିବ ନା ଶୁଣିପାରିବ !

 

ମନ୍ତ୍ରୀ ତାଙ୍କ ଗାଁ ପାଖ ମହୀପୁରର ହରିଜନ ବିଦ୍ୟାଳୟ ଉଦ୍‌ଘାଟନ ପାଇଁ ଯାଇଥିଲେ । କିନ୍ତୁ ଯୋଗ ଖରାପ, ସଭା ଆରମ୍ଭ ବେଳକୁ ଅନେକ ଡେରି ହୋଇଯାଇଥିଲା । ତା ସାଙ୍ଗକୁ ଝଡ଼, ପବନ । ସରପଞ୍ଚଙ୍କ ଛତା ତଳୁ ପଦେ ଦି ପଦ ବକ୍ତୃତା ଦେଇ ମନ୍ତ୍ରୀ ଫେରି ଆସିଥିଲେ ।

 

: ରୁହ ରୁହ ମଉସା । ଏମିତି କରମଣ୍ଡଳ ଏକ୍ସପ୍ରେସ୍‌ ପରି କୁଆଡ଼େ ଯାଉଛ ?

 

ଆକୁଳାନନ୍ଦ ଛିଡ଼ା ହୋଇଗଲେ । ମନ୍ତ୍ରୀମାନଙ୍କ ଦପ୍ତରକୁ ଯିବା ବାଟରେ ଗ୍ରୀଲ୍‌ ଗେଟ୍‌ । ସେଇଠି ରାଇଫଲ୍‌ଟେ ଧରି ଛିଡ଼ା ହୋଇଥିବା ପୁଲିସ ତାଙ୍କ ବାଟ ଓଗାଳୁଥିଲା ।

 

ଆକୁଳାନନ୍ଦ କହିଲେ, “ତୁମେ ମୋତେ ଚିହ୍ନିନାହଁ । ଜି.ଏ. ଡିପାର୍ଟମେଣ୍ଟ୍‌ର ରିଟାୟାର୍ଡ ସେକ୍ସନ୍‌ ଅଫିସର୍‌ ମୁଁ । ରାସ୍ତା ଛାଡ଼ ।”

 

କିନ୍ତୁ ଲୋକଟା ତା ରାସ୍ତାରୁ ହଟୁ ନ ଥିଲା । କହୁଥିଲା, “ହେଇଥିବେ । କିନ୍ତୁ ପାସ୍‌ ନ ଆଣିଲେ ମୁଁ ଛାଡ଼ି ପାରିବି ନାହିଁ । ମୁଁ ମୋ ଡ୍ୟୁଟି କରୁଛି ।”

 

: ପାସ୍‌ ? କି ପାସ୍‌ ? ଆଚ୍ଛା, ଏଇ ନିଅ । ବିଧାୟକଙ୍କ ଚିଠି । ତୁମେ ନିଜେ ଯାଇ ମିନିଷ୍ଟରଙ୍କ ପି.ଏ.ଙ୍କୁ ଦେଖେଇ ବୁଝିଆସ ।

 

ଲୋକଟି ତା ଡ୍ୟୁଟି କରିବ ନା ଆକୁଳାନନ୍ଦଙ୍କ ଚିଠି ନେଇ ଭିତରକୁ ଯିବ, ସେକଥା ସ୍ଥିର କରିପାରୁ ନ ଥିଲା । କିଛି ସମୟ ବିଡ଼ିବିଡ଼ି ହୋଇ କହିଲା, “ହଉ, ଆପଣ ଯାଆନ୍ତୁ ।”

 

ଆକୁଳାନନ୍ଦଙ୍କ ପଛେ ପଛେ ଉମାକାନ୍ତ ମଧ୍ୟ ଗ୍ରୀଲ୍‌ ଡେଇଁ ଚାଲି ଯାଉଥିଲା । ପୁଲିସି ତାଙ୍କୁ ଅଟକେଇ ଦେଇ ପଛକୁ ଠେଲିଦେଲା, “ଜଣେ ଯାଆନ୍ତୁ । ତୁମେ ଏଇଠି ରୁହ ।”

 

ଆକୁଳାନନ୍ଦ ଉମାକାନ୍ତକୁ ଭାଙ୍ଗି ନ ପଡ଼ିବା ପାଇଁ ପରାମର୍ଶ ଦେବା ସ୍ୱରରେ କହିଲେ, ‘ମୁଁ ଯାଇ ଖବର ଦେଉଛି । ତୁ ବ୍ୟସ୍ତ ହଅନା ।”

 

ଉମାକାନ୍ତ ବ୍ୟସ୍ତ ହେଲା ନାହିଁ । ତାକୁ ଖୁବ୍‌ ଭୋକ ଲାଗୁଥିଲା । ଭୋକ ଭୁଲିବା ପାଇଁ ସେ ଏପଟ ସେପଟ ଚାହିଁ ଅଫିସର୍‌ ଓ ବିଭାଗଗୁଡ଼ିକର ଫଳକଗୁଡ଼ାକୁ ପଢ଼ୁଥିଲା ।

 

ଜଣେ ଖଦଡ଼ ପିନ୍ଧା ନିଶୁଆ ଭଦ୍ରଲୋକ ବଡ଼ ବଡ଼ ପାହୁଣ୍ଡରେ ଗ୍ରୀଲ୍‌ ଡେଇଁ ଭିତରକୁ ଚାଲିଗଲେ । ତାଙ୍କ ପଛେ ପଛେ ଏକ, ଦୁଇ କରି ଆଠଜଣ ଲୋକ । ଗ୍ରୀଲ୍‌ ଗେଟ୍‌ ପାଖେ ଡିଉଟି କରୁଥିବା ପୋଲିସ୍‌ଟି ସେମାନଙ୍କୁ ଅଟକେଇଲା ନାହିଁ । ଓଲଟି ନିଶୁଆ ଲୋକଟିକୁ ସାଲ୍ୟୁଟ୍‌ ଠୁଙ୍କିଲା । ସେମାନେ ଯାଇସାରିଲା ପରେ ଉମାକାନ୍ତ ସାହସ ସଂଚୟ କରି ପଚାରିଲା, “ଏମାନଙ୍କର କଣ ପାସ୍‌ ଥିଲା ?”

ତା ନିଜର ଅଧିକାରକୁ କେଉଁଠୁ ଗୋଟାଏ ଅର୍ବାଚୀନ ଆସି ଚ୍ୟାଲେଞ୍ଜ୍‌ କରୁଥିବା ପରି ଲୋକଟି ଅନୁଭବ କରି ଟିକିଏ ଉଷ୍ମଗଳାରେ କହିଲା, “ତୁମେ କଣ ମୋର ହାକିମ ? ଏମ୍‌.ଏଲ୍‌.ଏ, ଏମ୍‌.ପି.ମାନେ ମନ୍ତ୍ରୀଙ୍କ ପାଖକୁ ଯିବେ ବୋଲି କଣ ଯିଏ ନାହିଁ ସିଏ ପଶିଯିବେ ?”

ଉମାକାନ୍ତ ଡରିଗଲା । ମାତ୍ର ସେ ଡର ତା ପ୍ରଶ୍ନର ଉତ୍ତର ଦେଇପାରୁ ନ ଥିଲା । ଏମ୍‌.ଏଲ୍‌.ଏ. ସିନା ନିଜେ ବିନା ପାସ୍‌ରେ ଯାଇ ପାରିବେ; କିନ୍ତୁ ତାଙ୍କ ପଛର ସେ ଆଠଜଣ ଲୋକ-?

ସେ ବ୍ୟସ୍ତ ହୋଇ ଆକୁଳାନନ୍ଦଙ୍କୁ ଅପେକ୍ଷା କରୁଥିଲା । ମାତ୍ର ଆକୁଳାନନ୍ଦ ସେଇ ଯେ ଭିତରକୁ ଯାଇଥିଲେ ତା ପରଠୁ ତାଙ୍କର କିଛି ଖବର ନ ଥିଲା ।

ଉମାକାନ୍ତ ବିଲବାଡ଼ି କାମ ଛାଡ଼ି ଆସିଛି । ଆଜି ଯଦି କାମ ନ ସରେ ତା ଜମିରୁଆ ଡେରି ହୋଇଯିବ । କିନ୍ତୁ ଇଏ କଣ ଏତେ ସହଜରେ ସରିବ ?

ଏଇ, ଆକୁଳାନନ୍ଦ ଆସୁଥିଲେ । ଉମାକାନ୍ତ ଆଖିରେ ତାଙ୍କ ଆଖି ମିଶିଯିବାରୁ ସେ ଟିକିଏ ହସିଦେଲେ । ଉମାକାନ୍ତ କ୍ଷଣକ ପାଇଁ ତା ଭୋକ କଥା ଭୁଲିଗଲା । ସତେ କି ତା କାମଟି ହୋଇଗଲା ।

ଆକୁଳାନନ୍ଦ କହିଲେ, “ଡେରି ହୋଇଗଲା । କାଳେ ମିନିଷ୍ଟର ଆସିବେ ଆସିବେ ଭାବି ଅପେକ୍ଷା କରୁଥିଲି । କିନ୍ତୁ ମିନିଷ୍ଟର ମୁଖ୍ୟମନ୍ତ୍ରୀଙ୍କ ପାଖେ ଅଛନ୍ତି । କେତେବେଳେ ଆସିବେ ଠିକଣା ନାହିଁ ।”

 

: ତାହାହେଲେ ?

 

: ଆରେ ତୁ ଚିନ୍ତା କରୁଛୁ କାହିଁକି ? ଚାଲ୍‌, ଆମ ଡିପାର୍ଟମେଣ୍ଟ୍‌କୁ ଯିବା । ସେଇଠି ବସି ଯାହା କରିବା କଥା ସ୍ଥିର କରିବା ।

 

ଉମାକାନ୍ତର ଆପତ୍ତି ନ ଥିଲା ।

 

ଆକୁଳାନନ୍ଦ ବଡ଼ ବଡ଼ ପାହୁଣ୍ଡ ପକେଇ ସଚିବାଳୟର ବାରନ୍ଦାରେ ଚାଲୁଥିଲେ । ଉମାକାନ୍ତ ତାଙ୍କର ଚନ୍ଦାମୁଣ୍ଡ ଓ ମାଟିଆ ପଞ୍ଜାବିକୁ ନଜର ରଖି ପଛେ ପଛେ ଚାଲୁଥିଲା ।

 

: ସାଧାରଣ ପ୍ରଶାସନ ବିଭାଗ । ଏଇ ମୋ ଡିପାର୍ଟମେଣ୍ଟ୍‌ । ଆ ଦେଖିବୁ, ଏଠି ମୋର କି ଖାତିର୍‌ । କିରେ, ପୂରା ଦି ବର୍ଷ ଏଇଠି ସେକ୍ସନ ଅଫିସର୍‌ ଥିଲିଟି ! କଣ କମ୍‌ ହୋଇଛି ।

 

ସାଧାରଣ ପ୍ରଶାସନ ବିଭାଗର ସେଇ ସେକ୍ସନ୍‌ଟି ଗୋଟେ ମାଛହାଟ ପରି ଗହଗହ ଶୁଭୁଥିଲା । ଚାରିପଟେ ମାଳ ମାଳ ଚଉକି, ଚଉକି ଉପରେ ବ୍ୟସ୍ତ ମଣିଷ । ଟେବୁଲ୍‌ ଉପରେ ବିଡ଼ା ବିଡ଼ା ଫାଇଲ୍‌ ଓ ଫାଇଲ୍‌ ସାମ୍ନାରେ ହଳ ହଳ ଲୋକ ।

 

: ଜି.ଏ. ଡିପାର୍ଟମେଣ୍ଟ୍‌ । ମୋଷ୍ଟ ଇମ୍ପୋଟାଣ୍ଟ୍‌ । ସବୁ ଗୁରୁତ୍ୱପୂର୍ଣ୍ଣ କାମ ତ ଏଇଠି ହୁଏ । ଭିଡ଼ ହେବ ନାହିଁ ! ଆକୁଳାନନ୍ଦ ଯାଇ ଗୋଟାଏ ଜାଗାରେ ଛିଡ଼ା ହୋଇଗଲେ । ଉମାକାନ୍ତ ଆଗକୁ ଘୁଞ୍ଚିଆସି ଚାହିଁଲା । କାନ୍ଥ ପଟକୁ ପଡ଼ିଥିବା ଗୋଟାଏ ଟେବୁଲ୍‌ ଓ ଚଉକି ଉପରେ ଆକୁଳାନନ୍ଦଙ୍କ ଦୃଷ୍ଟି ଲାଖି ରହିଛି ।

 

: ଧ୍ୟାତ୍‌, ବାଙ୍ଗରା ମରୁଡ଼ିଆଟା ! ଏଇ ହେଇଛି ସେକ୍ସନ ଅଫିସର ! କିରେ ଦେଖିଲୁ, ଦେଖିଲୁ, ତାକୁ ସେ ଚଉକିଟା ମାନୁଛିଟି ! ବାଙ୍ଗରାର ଗୋଡ଼ ପାଉନାହିଁ । ଫାଇଲ୍‌ ବିଡ଼ାଟାଏ ରଖି ତାଆରି ଉପରେ ଗୋଡ଼ ରଖିଛି ।

 

ଏଥର ଉମାକାନ୍ତ ଦେଖି ପାରିଲା, ଚଷମା ପିନ୍ଧା ମଧ୍ୟବୟସର ବାଙ୍ଗରା ଲୋକଟିଏ ବଡ଼ ଟେବୁଲ୍‌ ପାଖରେ ବସିଥିଲା । ତା ସାମ୍ନାରେ ବିଡ଼ା ବିଡ଼ା ଫାଇଲ । କିନ୍ତୁ ସେଇ ଚଉକିକୁ ଆକୁଳାନନ୍ଦ ବଲବଲ କରି ଚାହୁଁଛନ୍ତି କାହିଁକି ?

 

ଆକୁଳାନନ୍ଦ ବ୍ୟସ୍ତ ବିବ୍ରତ ହୋଇ ଗୋଟିଏ ଯୋଡ଼ିଏ ନମସ୍କାର ଖୋଜୁଥିଲେ । ଯାହା ଉପରେ ଆଖି ପଡ଼ୁଥିଲା, ତାକୁ ଚାହିଁ ଆଗତୁରା ସେ ଟିକିଏ ହସି ଦେଉଥିଲେ । ମାତ୍ର କେହି ତାଙ୍କର ସେ ହସର ଉତ୍ତର ଫେରାଉ ନ ଥିଲେ । ଖୁବ୍‌ ଗୋଟାଏ ବ୍ୟସ୍ତ ଥିବା ପରି ସେମାନେ ଚଟ୍‌କରି ନଜର ଫେରେଇ ନିଜ ନିଜ କାମରେ ଲାଗି ଯାଉଥିଲେ ।

 

ଉମାକାନ୍ତ ଆକୁଳାନନ୍ଦଙ୍କ ସମସ୍ୟା ବୁଝିପାରୁ ନ ଥିଲା । ସେ ପଛପଟୁ କହୁଥିଲା, “ଚାଲୁନାହାନ୍ତି, ଛିଡ଼ାହେଲେ କାହିଁକି ?”

 

କିନ୍ତୁ ଆକୁଳାନନ୍ଦ ସେତେବେଳେ ସେଇଠି ନ ଥିଲେ । ମନେ ମନେ ସେ ପାଞ୍ଚବର୍ଷ ତଳକୁ ଫେରିଯାଇଥିଲେ । ଉଚ୍ଚା ଚଉକି ଉପରେ ବସିଛନ୍ତି ସେକ୍ସନ୍‌ ଅଫିସର ଆକୁଳାନନ୍ଦ ବେହେରା, ବି.ଏ. । ତାଙ୍କ ସାମ୍ନାରେ ଧଳା ଗୋଲ ଗୋଲ ଅକ୍ଷରରେ ଲେଖା ନାମ ଫଳକଟିଏ ଥୁଆ ହୋଇଛି । ହାତ ପାଖରେ ଯୋଡ଼ିଏ ଟେଲିଫୋନ୍‌ । ଚାରିକଡ଼େ ଶହ ଶହ ଫାଇଲ୍‌ । ସାମ୍ନାରେ ତଳିଆ କିରାଣିମାନେ କାମ କରି ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଫାଇଲ୍‌ରେ ଦସ୍ତଖତ କରି ସେ ଡାହାଣପଟକୁ ଫିଙ୍ଗି ଦେଉଛନ୍ତି । କାହାର ଟୁର୍‌ ଫାଇଲ୍‌, କାହାର ପ୍ରମୋସନ୍‌ ଫାଇଲ୍‌, ସେକ୍ରେଟେରୀ ଚାହିଁଥିବା ଆସେମ୍ବ୍ଲି ପ୍ରଶ୍ନର ଉତ୍ତର, ଆଡିସନାଲ୍‌ ସେକ୍ରେଟେରୀ ମଗେଇଥିବା ଅର୍ଡର ସପ୍ଲାଇ ଫାଇଲ୍‌, କେତେ ହାରି ଗୁହାରି, ସୁପାରିସ ଫରମାଇସି...

 

ଆକୁଳାନନ୍ଦଙ୍କୁ ନିଃଶ୍ୱାସ ମାରିବାକୁ ଫୁରୁସତ୍‌ ନାହିଁ । ସେ ଗୋଟିକ ପରେ ଗୋଟିଏ ଫାଇଲ୍‌ ଦେଖି ‘ଡିସ୍‌ପୋଜ୍‌’ କରୁଛନ୍ତି ।

 

କେହି ଜଣେ ତାଙ୍କ ପଛପଟୁ ପାଟିକଲା, “ହୋ ମଉସା, ସାମ୍ନାରେ କଣ କ୍ୟାପିଟାଲ୍‌ ସିନେମା ଖୁଣ୍ଟଟା ପରି ଛିଡ଼ା ହୋଇଛ, ବାଟ ଛାଡ଼ ।”

 

ଆକୁଳାନନ୍ଦ ଚମକିପଡ଼ିଲେ । ଇଏ ତ ରଘୁ ପିଅନର ସ୍ୱର । ପାଟିରେ ପାନ ପୁଳାଏ ଓ ହାତରେ ତେଲଭାଜି କିଛି ଧରି ସେ ସେଇ ବାଙ୍ଗରା ଲୋକଟି ଆଡ଼େ ଧପାଲି ଯାଉଛି ।

 

ଆକୁଳାନନ୍ଦଙ୍କର ମନେପଡ଼ିଲା । ତାଙ୍କ ପାଖକୁ ଆସିଲାବେଳେ ରଘୁ କେମିତି ଦାନ୍ତ ନିକୁଟି ଆସେ । ତାଙ୍କ ତୁଣ୍ଡରୁ କଥା ବାହାରିବା କ୍ଷଣି ନିର୍ମାଲ୍ୟ ପରି ସେଇଟିକୁ ତୋଳି ନିଏ । ଆଜି ସେଇ ରଘୁ ପିଅନ ସୁଦ୍ଧା ତାକୁ ଚିହ୍ନିପାରୁ ନାହିଁ ।

 

ସେଇ ମୁହୂର୍ତ୍ତରେ ଆକୁଳାନନ୍ଦ ଗୋଟେ ଆଇନା ଖୋଜି ହେଉଥିଲେ । ଆଇନାଟେ ପାଇଗଲେ ଦେଖନ୍ତେ, ପାଞ୍ଚବର୍ଷ ଭିତରେ ସେ ଏମିତି କେତେ ବଦଳି ଯାଇଛନ୍ତି ଯେ ରଘୁ ପିଅନ ସୁଦ୍ଧା ତାଙ୍କୁ ଚିହ୍ନି ପାରୁନାହିଁ !

ରଘୁ ପିଅନ ଆସୁଥିଲା । ପାନଭର୍ତ୍ତି ପାଟି ଭିତରକୁ ବରାଟାଏ ଠେଲିଦେଇ ସେ ଗାଉଁଗାଉଁ କରି ଗିଳି ଦେଉଥିଲା । ଆକୁଳାନନ୍ଦ ତା ସାମ୍ନାରେ ଛିଡ଼ାହୋଇ ଡାକିଲେ, “କଣ ରଘୁନାଥ, ଭଲ ଅଛ !”

ରଘୁନାଥ ଦୋଦୋ ଚିହ୍ନା ପରି କହିଲା, “କିଏ ବଡ଼ବାବୁ କି ? କେତେବେଳେ ? କଣ କିଛି କାମ ଥିଲା ?”

ଆକୁଳାନନ୍ଦଙ୍କ ଉତ୍ତରକୁ ଅପେକ୍ଷା ନ କରି ରଘୁ ତା ବାଟରେ ଚାଲିଗଲା । ଆକୁଳାନନ୍ଦ ରଘୁର ବେଖାତିର୍‌ ସମ୍ବୋଧନରେ ବେତ୍ରାହତ ପରି ଘୁଞ୍ଚି ଆସିଲେ । ତାଙ୍କ ମନଟି ଭାଙ୍ଗିଯାଇଥିଲା ।

ନା, କେହି ଜଣେ ବି ଚିହ୍ନା ଲୋକକୁ ସେ ଦେଖୁ ନାହାନ୍ତି । ସମସ୍ତେ କଣ ଅନ୍ୟ ସେକ୍ସନ୍‌କୁ ପଳେଇ ଗଲେଣି ! ନା, ସେ ସେଇ ପୁରୁଣା ଲୋକମାନଙ୍କୁ ତାଙ୍କୁ ଚିହ୍ନିପାରୁ ନାହାନ୍ତି !

ଆକୁଳାନନ୍ଦ ଫେରି ପଡ଼ିଲେ । ପଛେ ପଛେ ଉମାକାନ୍ତ । ଆଉ ଥରେ ବାରନ୍ଦା ଯାଏ ଯାଇ ଡିପାର୍ଟମେଣ୍ଟ୍‌ର ନାଆଁଟା ପଢ଼ିଲେ । ପୁଣି ଥରେ ଚାହିଁଲେ ଭିତରକୁ । କିନ୍ତୁ ଦୁଆରବନ୍ଧ ପାର ହୋଇ ଭିତରକୁ ପଶିବା ପାଇଁ ତାଙ୍କର ଆଉ ସାହସ କୁଳଉ ନ ଥିଲା ।

ଉମାକାନ୍ତ ପଚାରିଲା, “କୋଉ ଚଉକିରେ ବସୁଥିଲେ ଆପଣ ? କୋଉ ଚଉକିରେ ?”

କିନ୍ତୁ ଆକୁଳାନନ୍ଦ ଉମାକାନ୍ତର ପ୍ରଶ୍ନ ଶୁଣି ସୁଦ୍ଧା ଯେମିତି ଶୁଣିପାରୁ ନ ଥିଲେ । ଅଭିମାନ ଓ ଅପମାନରେ ସେ ବଡ଼ ବଡ଼ ପାହୁଣ୍ଡ ପକେଇ ଲିଫ୍‌ଟ ଆଡ଼କୁ ଧାଉଁଥିଲେ ।

ଲିଫ୍‌ଟବାଲା ଚିରାଚରିତ ଅଭ୍ୟାସବଶତଃ ହାତ ବଢ଼େଇ ଦେଉଥିଲା । ଆକୁଳାନନ୍ଦ ତା ଆଡ଼କୁ ଗାରଡ଼େଇ ଚାହିଁ କହୁଥିଲେ, “ମୋତେ ଚିହ୍ନିପାରୁନୁ ?”

ଲିଫ୍‌ଟବାଲାର ଆଖିରେ ଅବଜ୍ଞାର ଚାହାଣି । “କେତେ ଲୋକ ରୋଜ୍‌ ଯାଉଛନ୍ତି, ରୋଜ୍‌ ଆସୁଛନ୍ତି । କାହାକୁ ବା ଚିହ୍ନିବି ! କିଛି ଦେବ ଯଦି ଦିଅ, ନ ହେଲେ ନାହିଁ ।”

ଆକୁଳାନନ୍ଦ ସଚିବାଳୟର ଲନ୍‌, ଫୁଲ, ନଡ଼ିଆଗଛ, ପାଚିରି ଓ ଫାଟକ ଡେଇଁ ଧାଇଁଥିଲେ । ପଛେ ପଛେ ନିଜର ବ୍ୟାଗ୍‌ ଓ ଛତା ଧରି ଉମାକାନ୍ତ ତାଙ୍କୁ ଅନୁସରଣ କରୁଥିଲା ।

ଗାଁ ଫେରନ୍ତା ବସ୍‌ରେ ସିଟ୍‌ଟେ ଯୋଗାଡ଼ କରି, ଆକୁଳାନନ୍ଦଙ୍କୁ ବସେଇ ସାରିଲା ପରେ ଉମାକାନ୍ତ ଆଉଥରେ ପଚାରିଲା, “କଣ ହେଲା ? ଆପଣ ପରା ଯେଉଁ ଚଉକିରେ ବସୁଥିଲେ ମୋତେ ସେଇଟା ଦେଖେଇ ଦେଇଥାଆନ୍ତେ ?”

ଆକୁଳାନନ୍ଦ ବିଡ଼ି ବିଡ଼ି ହେଲା ପରି କହିଲେ, “ମଣିଷ ଚଉକି ଉପରେ ବସେ ନାହିଁରେ ଉମାକାନ୍ତ, ଚଉକି ମଣିଷକୁ ନେଇ ତା କୋଳରେ ବସାଏ । କାମ ସରିଗଲେ ସେଇ ଚଉକି କୋଳର ମଣିଷକୁ କାଗଜ ଟୁକୁଡ଼ା ପରି ଫୋପାଡ଼ି ଦିଏ ।”

ଉମାକାନ୍ତ ବଲବଲ ହୋଇ ଆକୁଳାନନ୍ଦଙ୍କୁ ଚାହିଁଥିଲା ।

☆☆☆

 

Unknown

ଅଳନ୍ଧୁ

 

ଦିନ ଏଗାରଟା ବାଜିସାରିଲାଣି, ଅଥଚ ମହାପାତ୍ର କି ପଟ୍ଟନାୟକବାବୁ କେହି ଆସିନାହାନ୍ତି । ଡାଇରେକ୍ଟର କାଲି ଦିଲ୍ଲୀ ଯିବେ । ଫାଇଲ୍‌ଟି ନେଇ ଡାଇରେକ୍ଟରଙ୍କ ପି.ଏ. ପାଖେ ଦେଇ ଆସିଲେ କାମ ସରିଥାଆନ୍ତା । ମାତ୍ର ପଟ୍ଟନାୟକ ବାବୁଙ୍କୁ ନ ପଚାରି ତ ସେ ଫାଇଲ୍‌ ଦେଇ ଆସି ପାରିବ ନାହିଁ !

 

ଚଉକିଟାକୁ କାନ୍ଥକୁ ଆଉଜି ଶରତ ଛାତକୁ ଚାହିଁଲା । ବିରକ୍ତିରେ ତା ମନଟା ପୁଣି ଥରେ ବିଷେଇ ଉଠିଲା । ମେଞ୍ଚାଏ ଅଳନ୍ଧୁ ମୁଣ୍ଡ ଉପରର ସେଇ ଜାଗାରେ ଝୁଲି ରହିଛି । ସେ ମନକୁ ମନ କହିଉଠିଲା, ଏଇଟା ଅଫିସ୍‌ ନା ଭୂତକୋଠି ! ବୁଢ଼ିଆଣୀ ଜାଲଟାକୁ ବି କେହି ସଫା କରୁନାହିଁ । ସେ ବଡ଼ ପାଟି କରି ଡାକିଲା, “ଭାଗବତ, ଏଇ ଭାଗବତ !”

 

: ଭାଗବତ କଣ ଆସିଲାଣି କି ଶରତବାବୁ ! ସିଏ ତ ଜାଣନ୍ତୁ ଏ ଅଫିସ୍‌ର ବଡ଼ବାବୁ ! ସାଢ଼େ ଏଗାରଟା ପୂର୍ବରୁ କେବେ ଆସିଲାଣି ?

 

ଶରତ ସାମ୍ନାକୁ ଚାହିଁଲା ।

 

କଳ୍ପନା ମାଡାମ୍‌ ତାଙ୍କ ଟେବୁଲ୍‌ ଉପରୁ ଧୂଳି ଝାଡ଼ୁ ଝାଡ଼ୁ କହୁଥିଲେ । ସବୁଦିନ ପରି ଆଜି ବି ଗୋଟେ ନୂଆ ଶାଢ଼ି ସେ ପିନ୍ଧିଥିଲେ । ଶାଢ଼ିକୁ ମ୍ୟାଚ୍‌ କଲାପରି ବ୍ଲାଉଜ୍‌ ଓ କପାଳର ବିନ୍ଦି-। ଶରତ କଳ୍ପନା ମାଡାମ୍‌ଙ୍କୁ ସମର୍ଥନ କଲା ପରି କହିଲା, “ଆପଣ ସତ କହୁଛନ୍ତି, ଟୋକାଟାର ମୁହଁ ଉପରକୁ ହୋଇଗଲାଣି । ଆଜି ଆସୁ ।”

 

ଶରତ ତା ଫାଇଲ୍‌ ଖୋଲି କାମ ଆରମ୍ଭ କରିବାକୁ ଚାହିଁଥିଲା । କିନ୍ତୁ କଳ୍ପନା ମାଡାମ୍‌ଙ୍କ ସାଙ୍ଗେ ଦି ପଦ ଗପସପ କରିବାର ଇଚ୍ଛାକୁ ସେ ଦମନ କରିପାରୁ ନ ଥିଲା । କିନ୍ତୁ କଣ ବା ସେ ଗପିବ ? ତାଙ୍କ ମୁହଁକୁ ଚାହିଁଲା ବେଳକୁ ତାର ମହାପାତ୍ର କଥା ମନେ ପଡ଼ିଯାଉଥିଲା ଓ ସେ ଭିତରେ ଭିତରେ ଝାଉଁଳି ପଡ଼ୁଥିଲା ।

 

ମହାପାତ୍ର କହେ, “କଳ୍ପନା ମାଡାମ୍‌ଙ୍କର ଡାଇରେକ୍ଟରଙ୍କ ସାଙ୍ଗେ ଭଲ ସମ୍ପର୍କ । ସେଥିପାଇଁ ତାଙ୍କୁ କେହି କିଛି କହନ୍ତି ନାହିଁ । ଅନ୍ୟମାନଙ୍କ କଥା ଛାଡ଼ ହୋ, ନିଜେ ବଡ଼ବାବୁ ତ ତୁନି ପଡ଼ି ରହନ୍ତି ।”

 

: ଭଲ ସମ୍ପର୍କ, ମାନେ ? –ଶରତ କୌତୂହଳୀ ହୋଇପଡ଼େ । ମହାପାତ୍ର ପରିହାସ କଲାପରି କହେ, “ତୁମେ ସେସବୁ ଗହନ କଥା ବୁଝିବନି ହୋ ଶରତ ବାବୁ ! ସେ ପାଠ ତ ତମ ରେଭେନ୍‌ସା କି ବାଣୀବିହାରରେ ପଢ଼ାଯାଏ ନାହିଁ ! ତମେ ବା ଜାଣନ୍ତ କିପରି ?”

 

କିନ୍ତୁ ସେଇ ମହାପାତ୍ର ରିସେସ୍‌ ସମୟରେ କଳ୍ପନା ମାଡାମ୍‌ଙ୍କ ପାଖେ ଯାଇ ଛେଳିଛୁଆ ପରି ନସର ପସର ହୁଏ । ତାଙ୍କ ଟିଫିନ୍‌ବାକ୍ସ ଖୋଲି ତହିଁରୁ ପରଟା କି ଆଳୁଭଜା ଖଣ୍ଡେ ପାଟିରେ ପକେଇ ଆଙ୍ଗୁଳିକୁ ମହାପ୍ରସାଦ ଖାଇଥିବା ପରି ମୁଣ୍ଡରେ ପୋଛିଦିଏ ।

 

ଶରତ ଏହାର ରହସ୍ୟ ଭେଦ କରିପାରେ ନାହିଁ । କଳ୍ପନା ମାଡାମ୍‌ଙ୍କୁ ଘୃଣା କରୁଥିବା ମହାପାତ୍ର ତାଙ୍କୁ ଖୁସି କରିବାକୁ ଚାହିଁବାର କାରଣ କଣ !

 

ବଗ ପରି ଡଗଡଗ ହୋଇ ପଟ୍ଟନାୟକବାବୁ ଆସୁଥିଲେ । ସବୁବେଳେ ପୃଥିବୀଟାକୁ ମୁଣ୍ଡରେ ଧରିଥିବା ପରି ବ୍ୟସ୍ତତା । ତାଙ୍କର ଏ ଚାଲି ଦେଖି ମହାନ୍ତି ବାବୁ ବଗ ନାଁଟି ଦେଇଛି । ତେବେ କେବଳ ପଟ୍ଟନାୟକବାବୁଙ୍କୁ ନୁହେଁ, ଅଫିସ୍‌ର ସମସ୍ତଙ୍କ ପାଇଁ ସେ ଗୋଟେ ଗୋଟେ ନାଁ ବାଛିଦେଇଛି । ଯେମିତି କଳ୍ପନା ମାଡାମ୍‌ଙ୍କୁ ବତକ, ମହାପାତ୍ରକୁ ଛେଳି, କୃପାସିନ୍ଧୁବାବୁଙ୍କୁ ତାଳଚେର ଏକ୍ସପ୍ରେସ୍‌ ଓ ବଡ଼ବାବୁଙ୍କୁ ଗରୁଡ଼ସ୍ତମ୍ଭ । ଶରତକୁ ସେ କୋଉ ନାଁରେ ଡାକୁଥିବ, ଏଯାଏ ଶରତ ନିଜେ ଜାଣେ ନାହିଁ । କିନ୍ତୁ ତା ପାଇଁ ଯେ ଗୋଟାଏ କିଛି ନାଁ ମହାନ୍ତିର ଉର୍ବର ମସ୍ତିଷ୍କରୁ ବାହାରିଥିବ, ସେ ନେଇ ସେ ସ୍ଥିର ନିଶ୍ଚିତ ।

 

ପଟ୍ଟନାୟକବାବୁ ଚଉକିଟାକୁ ଭିଡ଼ିନେଇ ବସୁ ବସୁ କହିଲେ, “ବୁଝିଲ ଶରତବାବୁ, ତମେମାନେ ହେଲ ସୁଖୀଲୋକ । ସବୁଦିନ ଖୁସି ରହିପାରିବ । ସେଥିପାଇଁ ଏବେଠୁଁ କହିଦଉଛି, ଯିଏ ଯେତେ ଫୁସୁଲାଫୁସୁଲି କଲେ ବି ବାହାଚୁରା ଚକ୍କରରେ ପଡ଼ିବ ନାହିଁ । ତାଠୁଁ ବରଂ ଭଲ ଜେଲ୍‌ରେ ପଶି ଚକି ପେଶିବ, କିନ୍ତୁ ବାହାଘର ଝାମେଲାରେ ପଡ଼ିବ ନାହିଁ ।”

 

ପଟ୍ଟନାୟକବାବୁ ସବୁଦିନ ତାଙ୍କର ସମସ୍ୟା ପାଇଁ ତାଙ୍କ ପତ୍ନୀଙ୍କୁ ଦାୟୀ କରିଥାଆନ୍ତି, ଆଜି ବି କରୁଛନ୍ତି । ଶରତ ସେ ଭଦ୍ରମହିଳାଙ୍କୁ କେବେ ଦେଖିନାହିଁ, ଦେଖିଲେ ପଚାରନ୍ତା–ଏମିତି ଜଣେ ସ୍ୱାମୀକୁ ବାହାହୋଇ ଆପଣ ଅନୁତାପ କରନ୍ତି ନା ନାହିଁ !

 

ପଟ୍ଟନାୟକବାବୁ ଶରତ ପାଖକୁ ଚଉକିଟା ଟାଣି ଆଣି କହିଲେ, “ଜାଣିଲେଣି ନା, କ୍ୟାସ୍‌ ସେକ୍ସନ୍‌ର ଦାମୋଦରବାବୁଙ୍କ ମା ମରିଗଲା । ବିଚାରୀ, କି ଯୋଗରେ ଏଭଳି ପୁଅ ଜନ୍ମ କରିଥିଲା କେଜାଣି ! ଦିନଟେ ପାଇଁ ଭଲା ପୁଅ ବୋହୂ ବୁଢ଼ୀ ମାଆଟିର କଥା ଚିନ୍ତା କରିଥାନ୍ତେ !”

 

ଦାମୋଦର ବାବୁଟି ଭଲ ମଣିଷ । ତାଙ୍କ ମା ଚାଲିଯିବା କଥା ଶୁଣି ଶରତ ମନ ଖରାପ ହୋଇଯାଇଥିଲା । ମାତ୍ର ପଟ୍ଟନାୟକବାବୁଙ୍କଠୁଁ ତାଙ୍କର ନିନ୍ଦା ଶୁଣିବା ଲାଗି ତାର ଇଚ୍ଛା ନ ଥିଲା ।

 

ପଟ୍ଟନାୟକବାବୁ ଚତୁର ମଣିଷ । ଶରତର ହାବଭାବ ଦେଖି ସେ ସ୍ୱର ବଦଳେଇ କହିଲେ, “ବୟସ ହୋଇଗଲେ ସମସ୍ତଙ୍କୁ ଯିବାକୁ ପଡ଼େ । ଇଏ ତ ମଣିଷର ଭାଗ୍ୟ ।”

 

ଶରତ ମନେ ପକେଇଦେଲା ପରି କହିଲା, “ଡାଇରେକ୍ଟର ପରା କାଲି ଦିଲ୍ଲୀ ଯିବେ । ଫାଇଲ୍‌ଟା ପଠେଇବେ ନାହିଁ ?”

 

ପଟ୍ଟନାୟକବାବୁ ଟିକେ ଚଞ୍ଚଳ ଦିଶିଲେ ।

 

ଶରତ ଘଣ୍ଟାକୁ ଚାହିଁଲା । ଏଗାରଟା ପଇଁଚାଳିଶ । ଭାଗବତ ତାର ପାନଖିଆ ଦାନ୍ତ ଦେଖେଇ ସାମ୍ନା ଆଡୁ ଆସୁଛି । ତାକୁ ଦେଖୁ ଦେଖୁ ଶରତ କହିଲା, “କଣ ଭାଗବତବାବୁ ଯେ, ଆଜି କଣ ଛୁଟିରେ ଅଛ କି ?”

 

ଭାଗବତ ସିଧା ଶରତ ପାଖକୁ ଆସି କାନ ଆଉଁଶି ଧୀର ଗଳାରେ କହିଲା, “ସାଇକେଲ୍‌ଟା ବାଟରେ ଖରାପ ହୋଇଗଲା । ନ ହେଲେ ତ ମୁଁ ସାଢ଼େ ନଅଟା ବେଳେ ଆସି ଅଫିସ୍‌ରେ ପହଞ୍ଚିଥାନ୍ତି ।”

 

: ସେମ୍‌ ଓଲ୍‌ଡ ଷ୍ଟୋରୀ, ଏକା ପୁରୁଣା କାହାଣୀ ।–ଶରତ ମନକୁ ମନ କହିଲା ଓ ନିଜ କାମରେ ମନ ଦେଲା ।

 

ହଠାତ୍‌ ତା ସାଙ୍ଗ ବିକାଶ ଏକଦା ତାକୁ କହିଥିବା ଜୋକ୍‌ଟେ ତାର ମନେ ପଡ଼ିଗଲା । ଥରେ ଜଣେ ଯୁବକ ଅତୀତରେ ପଢ଼ୁଥିବା ତା କଲେଜକୁ ବୁଲି ଯାଇଥିଲା । ବୁଲୁ ବୁଲୁ ଆଠ ଦଶ ବର୍ଷ ତଳେ ସେ ରହୁଥିବା ହଷ୍ଟେଲ୍‌ରେ ପହଞ୍ଚି ଯାଇଥିଲା ସେ । ହଷ୍ଟେଲ୍‌ର ଯୋଉ ରୁମ୍‌ରେ ସେ ରହୁଥିଲା, ସେଇ ରୁମ୍‌ ପାଖେ ଯାଇ ସେ ଭିତରକୁ ଚାହିଁଲା ।

 

ସେ କୋଠରିର ଖଟକୁ ଚାହିଁଲା–ସେଇ ପୁରୁଣା ଖଟ ।

 

ପଙ୍ଖାକୁ ଚାହିଁଲା–ସେଇ ପୁରୁଣା ପଙ୍ଖା ।

 

ଖଟ ଉପରେ ଗୋଟେ ପିଲା ବସିଥିଲା । କବାଟ କୋଣରେ ଝିଅଟିଏ ଛିଡ଼ା ହୋଇ ତା ନଖରେ ଚଟାଣ ଉପରେ ଗାର ଟାଣୁଥିଲା । ଯୁବକଙ୍କ ହଷ୍ଟେଲ୍‌ରେ ଯୁବତୀଟିକୁ ଦେଖି ସେ ଅଭିଭାବକ ସ୍ୱରରେ ପଚାରିଲା-

 

: ଇଏ କିଏ ?

 

ଖଟ ଉପରେ ବସିଥିବା ପୁଅ ପିଲାଟି ଥ ଥ ମ ମ ହୋଇ କହିଥିଲା, “ମୋର ସଂପର୍କୀୟା ଭଉଣୀ । ଏଇ ସାଙ୍ଗେ ସାଙ୍ଗେ ଆସିଛନ୍ତି ।”

 

: ସେମ୍‌ ଓଲ୍‌ଡ ଷ୍ଟୋରୀ ।–ଯୁବକଟିର ପାଟିରୁ ଛାଁକୁ ଛାଁ ବାହାରି ପଡ଼ିଥିଲା ।

 

ବିକାଶ ଏବେ ଗାନ୍ଧୀ ନଗରରେ । ଅନେକ ଦିନ ହେଲା ତା ସାଙ୍ଗରେ ଶରତର ଦେଖା ହୋଇନାହିଁ ।

 

ମହାପାତ୍ର କଳ୍ପନା ମାଡାମ୍‌ଙ୍କୁ କହୁଥିଲା, “ଜାଣିଲେ ମାଡାମ୍‌, ନରୋତ୍ତମବାବୁର ପୁଅ ଫାଷ୍ଟ ଡିଭିଜନ୍‌ ପାଇଛି ।”

 

: ହଁ, ବାପ ତ ଉପରୁ ତଳଯାଏ ସବୁଆଡ଼େ ଧରାଧରି କରୁଥିଲା । ଫାଷ୍ଟ ଡିଭିଜନ୍‌ ନ ହୋଇ କଣ ଥାର୍ଡ ଡିଭିଜନ୍‌ ହୋଇଥାଆନ୍ତା !

 

ଶରତ ଦ୍ୱିତୀୟ ଥର ପାଇଁ ଚିଡ଼ି ଉଠିଲା । ନରୋତ୍ତମ ବାବୁ ସାଙ୍ଗେ ତାର ସବୁଠୁ ଭଲ ପରିଚୟ । ଅଫିସ୍‌ ଭିତରେ ସେଇ ଗୋଟିଏ ଲୋକ, ଯିଏ ଟିକିଏ ପଢ଼ାଶୁଣା କରନ୍ତି । ତାହା ନ ହେଲେ ଅନ୍ୟମାନେ ତ ଖାଲି ଜମି କିଣାବିକା, ସେୟାର ଖର୍ଦ୍ଦି, ପ୍ରମୋସନ୍‌ ପୋଷ୍ଟିଙ୍ଗ୍‌ ଓ ରାଜନୀତି ଚର୍ଚ୍ଚାରେ ସମୟ ସାରନ୍ତି । ଏମିତି ଜଣେ ଭଦ୍ରଲୋକଙ୍କୁ ଅଯଥା ଆକ୍ଷେପ କରିବା କୋଉ ଦୃଷ୍ଟିରୁ ଭଲ କଥା !

 

ପଟ୍ଟନାୟକବାବୁ ଭାଗବତ ହାତରେ ଫାଇଲ୍‌ଟି ପଠେଇ ଦେଇ କହୁଥିଲେ, “ଜାଣିଲେ ମହାନ୍ତି ବାବୁ, ଆଉ ଏ ଦରମାରେ ଚଳିହେବ ନାହିଁ । ଆଳୁ ବାର, ପିଆଜ ଷୋଅଳ । ଏ ଦେଶରେ ସରକାର ବୋଲି କିଛି ଅଛି ନା ନାହିଁ ?”

 

ଚାହୁଁ ଚାହୁଁ ପଟ୍ଟନାୟକବାବୁଙ୍କ ମନ୍ତବ୍ୟ ବଣନିଆଁ ପରି ଦପ୍ତର ସାରା ଚରିଗଲା । କଳ୍ପନା ମାଡାମ୍‌ ତାଙ୍କ ଡଟ୍‌ପେନ୍‌କୁ ପାଟିରେ ପୂରେଇ, ମହାନ୍ତି ବାବୁ ତାର ଚଷମାକୁ ଟେବୁଲ୍‌ ଉପରେ ଥୋଇ ଓ ମହାପାତ୍ର ବାବୁ ଗୋଡ଼ ଯୋଡ଼ିକ ଚଉକି ଉପରକୁ ଉଠେଇ ଆଣି ପଟ୍ଟନାୟକବାବୁଙ୍କୁ ଉତ୍ସାହିତ କରୁଥିଲେ । ଶରତ ଅନୁମାନ କଲା, ଆଳୁ, ପିଆଜ ଆଲୋଚନା ଏବେ ଦୁଇଟାଯାଏ ଚାଲିବ । ତା ପୂର୍ବରୁ ସରିବ ନାହିଁ ।

 

ସେ ତା ଜାଗାରୁ ଚାଲିଲା ଚାଲିଲା ହୋଇ କ୍ୟାସ୍‌ ସେକ୍ସନ୍‌ ଯାଏ ଗଲା, କାଳେ ଦାମୋଦରବାବୁ ଆସିଥିବେ ।

 

କିନ୍ତୁ ଦାମୋଦରବାବୁ ନ ଥିଲେ । ଛୁଟି ଦରଖାସ୍ତ ପଠେଇଦେଇ ସେ ଗାଁକୁ ଚାଲିଗଲେଣି–ମହାରଣାବାବୁ କହିଲେ । ଶରତ ଆଉ କଣ ପଚାରିବାକୁ ଯାଉଥିଲା, ମାତ୍ର ମହାରଣା ବାବୁ ଓ ତାଙ୍କ ସାମ୍ନାରେ ବସିଥିବା ଲୋକ ଜଣକ ମିଶି ଛେନାପୋଡ଼ ଖାଉଥିଲେ । ସେ ସେମାନଙ୍କୁ ବିରକ୍ତ ନ କରି ଫେରି ଆସିଲା ।

 

କ୍ୟାସ ସେକ୍ସନ୍‌ରେ ଛେନାପୋଡ଼ ତଳକୁ ଆଉ କିଛି ଚଳେ ନାହିଁ, ଶରତ ନୂଆ ନୂଆ ଏଠି ଜଏନ୍‌ କରିବା ଦିନ ମହାପାତ୍ର ତାକୁ ଏକଥା କହିଥିଲା ।

 

କିନ୍ତୁ କାହିଁକି ଲୋକମାନେ ଏମାନଙ୍କୁ ଛେନାପୋଡ଼ ଦିଅନ୍ତି, ସେ କଥା ବୁଝିବା ଲାଗି ଶରତକୁ ତିନି ଚାରିମାସ ଲାଗିଯାଇଥିଲା ।

 

ନିଜ ସିଟ୍‌ ପାଖକୁ ଫେରିଲାବେଳକୁ ଆଉ ଥରେ ତାର ସେ ଅଳନ୍ଧୁ ମେଞ୍ଚାକ ଉପରେ ନଜର ପଡ଼ିଲା । ସେ ମନେ ମନେ ଭାଗବତକୁ ଖୋଜିହେଲା । କିନ୍ତୁ ଭାଗବତ ତା ଟୁଲ୍‌ ଉପରେ ନ ଥିଲା । ବାଧ୍ୟହୋଇ ସେ ବଡ଼ ପାଟିରେ କହିଲା, “ସେଇଦିନୁ ଅଳନ୍ଧୁ ମେଞ୍ଚାକ ଓହଳି ରହିଛି, କେହି ଟିକେ ଝାଡ଼ିଦେଉନାହିଁ !”

 

ପଟ୍ଟନାୟକବାବୁ ତାଙ୍କ ଚଷମା ଫାଙ୍କରୁ ଛାତକୁ ଚାହିଁ କହିଲେ, “ସତେ ତ ! ଏ ବଦମାସ୍‌ ବୁଢ଼ିଆଣୀଗୁଡ଼ାଙ୍କର ଦସ୍ତୁର ଏଇଆ । ବେଶି ତ ଏଇ ବର୍ଷାଦିନେ । ଏଇନେ ଝାଡ଼ି ସଫା କରିଦେଇଥିବେ, ଆଉ ଟିକକକୁ ଯୋଉ କଥାକୁ ସେଇକଥା । ମୋତେ ପରା ଆମ ଘରେ ଦିକ୍‌ଦାର କରିସାରିଲେଣି ।”

 

ଶରତର ପଟ୍ଟନାୟକବାବୁଙ୍କ ଘରକଥା ଶୁଣିବାକୁ ଆଗ୍ରହ ନ ଥିଲା । ସେ କହିଲା, “ଫାଇଲ୍‌ରେ କିଛି ଭୁଲ୍‌ଭାଲ୍‌ ନ ଥିଲା ତ !”

 

ପଟ୍ଟନାୟକବାବୁ ହସିଲେ । ପୃଷ୍ଠପୋଷକତାର ହସ । ଚଷମା ଖୋଲି ନିଜ ରୁମାଲରେ କାଚ ପୋଛୁ ପୋଛୁ କହିଲେ, “ଭୁଲ୍‌ଭାଲ୍‌ ଥିଲା । ମୁଁ ସଜାଡ଼ି ଦେଇଛି । ମୁଁ କଣ ମଙ୍ଗରାଜ ପରି ହୋଇଛି ଯେ, ଜୁନିଅର୍‌ମାନଙ୍କୁ ‘ହାରାସ୍‌’ କରିବି ! ନୂଆ ନୂଆ ଆସିଛ, ବଳେ ଶିଖିଯିବ ନାହିଁ କି ?

 

ଶରତ କିଛି କହିଲା ନାହିଁ ।

 

ସେ ମନେ ମନେ ଭାବିଲା, “ଆଜି ଅଫିସ୍‌ରୁ ଫେରିବାବେଳେ ସେ ଦାମୋଦର ବାବୁଙ୍କ ପିଲାପିଲିଙ୍କୁ ଯାଇ ଭେଟି ଆସିବ । ସେମାନେ ଏଠି ଥିବେ କି ଦାମୋଦର ବାବୁଙ୍କ ସାଙ୍ଗେ ଗାଁକୁ ଚାଲିଯାଇଥିବେ, କିଏ ଜାଣେ !”

 

ଭାଗବତ ଗୋଟେ ପଲିଥିନ୍‌ ମୁଣାରେ କଣ ପୂରେଇ ଆସୁଥିଲା । କଳ୍ପନା ମାଡାମ୍‌ ପଚାରିଲେ, “କିରେ କଣ କି ?”

: ଛେନାଗଜା । ନରୋତ୍ତମ ବାବୁଙ୍କ ପୁଅ ଫାଷ୍ଟ ଡିଭିଜନ୍‌ରେ ପାସ୍‌ କରିଛି । ସେଇ ପଠେଇଛନ୍ତି ।

 

ଶରତର ସାଙ୍ଗେ ସାଙ୍ଗେ ତା ବାପାଙ୍କ କଥା ମନେ ପଡ଼ିଗଲା । ସେ ଯୋଉଦିନ ମାଟ୍ରିକ୍‌ ପାସ୍‌ କରିଥିଲା, ସେଦିନ ତା ବାପା ଏମିତି ଗାଁସାରା ମିଠେଇ ବାଣ୍ଟିଥିଲେ । ବାପାମାନେ ସବୁଠି ଏମିତି ।

 

ଅନେକ ଦିନ ହେଲା ସେ ଗାଁକୁ ଯାଇନାହିଁ । ଏ ରବିବାରରେ ସେ ଯେମିତି ହେଲେ ଗାଁକୁ ଯିବ । କିଏ ଜାଣେ, ବାପା ବୋଉ କଣ ଭାବୁଥିବେ ! ଏଯାଏ କିଛି ଟଙ୍କା ପଇସା ବି ତ ସେ ପଠେଇ ପାରିନାହିଁ !

 

ମହାପାତ୍ର ବାବୁ ଫୁଲ ପାଖେ ଭଅଁରଟେ ପରି କଳ୍ପନା ମାଡାମ୍‌ଙ୍କ ପାଖେ ଯାଇ ଏପଟ ସେପଟ ହେଉଥିଲା । ପଚାରୁଥିଲା, “ଆପଣ ଟାଇଟାନିକ୍‌ ଦେଖିଲେଣି । ବଢ଼ିଆ ଫିଲ୍ମ । ଖାଲି ତ ସେ ଜାହାଜଟା ଦେଖିଦେଲେ ପଇସା ଉଠିଯିବ ।”

 

କଳ୍ପନା ମାଡାମ୍‌ ହସିଦେଲେ । ତାଙ୍କ ବାଁ ଗାଲ ମଝିରେ ଗୋଟେ ଭଉଁରୀ ଫୁଟି ଉଠିଲା-। ଭଦ୍ରମହିଳା ଖୁବ୍‌ ସୁନ୍ଦରୀ । ଏ ବୟସରେ ବି ଚେହେରାରୁ ଲାଳିତ୍ୟ ଯାଇନାହିଁ ।

 

ପଟ୍ଟନାୟକ ବାବୁ ଚଉକିଟାକୁ ଶରତ ପାଖକୁ ଭିଡ଼ିଆଣି କହିଲେ, “ଦେଖୁଛ ନା, ଘରେ ମାଇପ ପଛେ ମାସରେ ତିନିଥର ରାଗି ବାପଘରକୁ ପଳଉ, ବାବୁଙ୍କର ରସିକ ପଣିଆ ଯାଉନାହିଁ ।”

 

ଶରତର ପ୍ରତିକ୍ରିୟାକୁ ଅପେକ୍ଷା ନ କରି ପଟ୍ଟନାୟକ ବାବୁ ହସି ଉଠିଲେ । ଶରତ କହିଲା, “ଥାଉ, କାହାର ବ୍ୟକ୍ତିଗତ ମାମଲାରେ ଆମେ କାହିଁକି ମୁଣ୍ଡ ଖେଳେଇବା !”

 

ପଟ୍ଟନାୟକ ବାବୁ ମୁଣ୍ଡ ଟୁଙ୍ଗାରିଲେ । ଶରତ ଜାଣିଲା, ତାର ଏ ମନ୍ତବ୍ୟ ପଟ୍ଟନାୟକ ବାବୁଙ୍କୁ ଭଲ ଲାଗିନାହିଁ । କିନ୍ତୁ ତାକୁ ବି ପଟ୍ଟନାୟକ ବାବୁଙ୍କ ହାଲୁକା ମନ୍ତବ୍ୟ ଭଲ ଲାଗି ନ ଥିଲା-

 

ଭାଗବତ ଆଉଥରେ ବିଜୁଳି ପରି କୋଉଠୁ ବାହାରି ପଡ଼ିଥିଲା ।

 

: ପଟ୍ଟନାୟକ ବାବୁ, ଆପଣଙ୍କୁ ଡାଇରେକ୍ଟର ଖୋଜୁଛନ୍ତି । –ଏତିକି କହିଦେଇ ସେ ପୁଣି ବାରନ୍ଦାକୁ ପଳେଇଗଲା ।

 

ପଟ୍ଟନାୟକ ବାବୁଙ୍କ ହସ ସାଙ୍ଗେ ସାଙ୍ଗେ ଉଭେଇଗଲା । ସେ କଲମଟାକୁ ପକେଟ୍‌ରେ ଖୋସି ଚଉକିରୁ ଉଠି ପଡ଼ୁ ପଡ଼ୁ କହିଲେ, “କଣ କିଛି ଭୁଲ୍‌ଭଟକା ରହିଯାଇଛି ବୋଧହୁଏ । ନ ହେଲେ ମୋତେ କାହିଁକି ଡକରା ପଡ଼ିଲା !”

 

ଶରତ କେବେ ତା ଡାଇରେକ୍ଟରଙ୍କ ସାଙ୍ଗେ କଥାବାର୍ତ୍ତା କରିନାହିଁ । ଶୁଣିଛି, ଖୁବ୍‌ କଡ଼ା ଲୋକ । କେବେ ହସନ୍ତି ନାହିଁ । ଛୋଟ ଛୋଟ ଭୁଲ୍‌ ପାଇଁ ଖୁବ୍‌ ବିରକ୍ତ ହୁଅନ୍ତି । ସେଥିପାଇଁ ସେ ମନେ ମନେ ଭାବେ, ତାକୁ ଆଦୌ ଡାକରା ନ ପଡ଼ୁ । ସେଇ ଥଣ୍ଡା କୋଠରିକୁ ଯାଇ ଗରମ ଭାଷଣ ଶୁଣିବା ପାଇଁ ତାର ମନ ନାହିଁ ।

 

ପଟ୍ଟନାୟକବାବୁ ଉଠି ଯିବା କ୍ଷଣି ମହାପାତ୍ର ମନ୍ତବ୍ୟ ଦେଲା, “ଆଜି ବଗ ମହାଶୟଙ୍କର ବେଳା ଖରାପ । ଥଣ୍ଡା ରୁମ୍‌ରୁ ଏକଦମ୍‌ ବରଫ ହୋଇ ଫେରିବେ !”

 

ଶରତ ପ୍ରତିବାଦ କଲା, “କିଛି ଭୁଲ୍‌ କରିଥିଲେ ସିନା ! ହୁଏତ ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଡାଇରେକ୍ଟର ଡାକିଥିବେ ।”

 

: ହଁ, ହଁ ଧନ୍ୟବାଦ । ଧନ୍ୟବାଦ ବି ଆପଣଙ୍କୁ । ଭଲ ଗପ ଲେଖିବେ ହୋ ଶରତ ବାବୁ-। ଧନ୍ୟବାଦ ଜଣେଇବା ଲାଗି ଡାଇରେକ୍ଟର ଡକେଇ ପଠାନ୍ତି, ନୁହେଁ ?

 

ଶରତକୁ ମହାପାତ୍ରର ପରିହାସ ଭଲ ଲାଗିଲା ନାହିଁ । ସେ ତୁନି ପଡ଼ିଲା ।

 

ସତକୁ ସତ ଗୋଟେ ବରଫ ମୁଣ୍ଡା ପରି ଗମ୍ଭୀର ମୁଦ୍ରାରେ ଫେରୁଥିଲେ ପଟ୍ଟନାୟକବାବୁ । ତାଙ୍କୁ ଦେଖିଲେ ଲାଗୁଥିଲା, ଗୋଟେ ଝଡ଼ ଆକ୍ରମଣରୁ ଅବା ସେ ଦୈବାତ୍‌ ବର୍ତ୍ତି ଆସିଛନ୍ତି ।

 

ଆସୁ ଆସୁ ପଟ୍ଟନାୟକବାବୁ ଚିତ୍କାର କଲେ, “ଭାଗବତ, ଏଇ ଭାଗବତ । ଶୁଣି ଯା ।”

 

ଶରତ ପଚାରିଲା, “ଡାଇରେକ୍ଟର କଣ କହିଲେ ?”

 

ପଟ୍ଟନାୟକବାବୁ କିଛି ନ ହୋଇଥିଲା ପରି ଟେବୁଲ୍‌ ଉପରୁ ଆଉ ଗୋଟେ ଫାଇଲ୍‌ ଖୋଜି ନେଇ ପୁଣି ଡାଇରେକ୍ଟରଙ୍କ ରୁମ୍‌କୁ ଚାଲିଗଲେ ।

 

ଶରତ ନିଜ କାମରେ ମନଦେଲା । ଜୀବନରେ କେତେ ଆଶା କରିଥିଲା, ପ୍ରୋବେସନାରୀ ଅଫିସର୍‌ ନ ହେଲେ ଏଲ୍‌ଆଇସି କି ବ୍ୟାଙ୍କ୍‌ର କିରାଣି ଚାକିରିଟେ ପାଇବ । କିନ୍ତୁ ସେ ସବୁ କିଛି ହେଲା ନାହିଁ । କମ୍ପିଟିଟିଭ୍‌ ମାଷ୍ଟର, ସକ୍‌ସେସ୍‌ ରିଭ୍ୟୁ ଓ ଏମ୍ପ୍ଲୟମେଣ୍ଟ୍‌ ନ୍ୟୁଜ୍‌ ପଛରେ ଚାରି ପାଞ୍ଚବର୍ଷ କାଳ ଦଉଡ଼ା ଦଉଡ଼ି କରି ଶେଷକୁ ମିଳିଲା ଏଇ ଏଲ୍‌.ଡି. କ୍ଲର୍କ ଚାକିରି । ୟାକୁ ହିଁ କହନ୍ତି ଭାଗ୍ୟ !

 

ଭାଗବତ ଆସି ଟେବୁଲ୍‌ ଆଗରେ ଛିଡ଼ାହେଲା । ପଚାରିଲା, “ମୋତେ ଖୋଜୁଥିଲେ କି-?”

 

: ହଁ । ମୁଣ୍ଡ ଉପରକୁ ଚାହାଁ । ବୁଢ଼ିଆଣୀ ବସା ମେଞ୍ଚାଟା ତୋତେ ଦିଶୁଛି ନା ନାହିଁ ? ଏତକ ଟିକେ କାହାକୁ କହି ଝାଡ଼ିଦେଇ ପାରୁନୁ, ଆଁ ?

 

ଭାଗବତ କହିଲା, “ଏଗୁଡ଼ା ସୁଇପର୍‌ଙ୍କ କାମ । କହିଦେବି ।”

 

ଶରତ ବିରକ୍ତ ହେଲା । କିନ୍ତୁ ଭାଗବତ ସାଙ୍ଗେ କଥା ବଢ଼େଇବାକୁ ସେ ଚାହୁଁ ନ ଥିଲା । ପିଅନମାନଙ୍କର ବି ୟୁନିୟନ୍‌ ଅଛି ।

 

ସେଦିନ ସନ୍ଧ୍ୟାରେ ସେ ଦାମୋଦର ବାବୁଙ୍କ ଘର ଖୋଜି ଖୋଜି ସେଠି ପହଞ୍ଚିଲା ବେଳକୁ ତାଙ୍କ ଘର ମୁହଁରେ ତାଲା ଝୁଲୁଥିଲା । ପଡ଼ିଶା ଘରର ଭଦ୍ରଲୋକଙ୍କୁ ପଚାରିଲା, “ଏମାନେ କଣ ସମସ୍ତେ ଗାଁକୁ ଚାଲିଗଲେଣି ?”

 

ଭଦ୍ରଲୋକ କହିଲେ, “ହଁ, ବିଚରା କେତେ ଆଡୁ ଟଙ୍କା ପଇସା ଗୋଟାଗୋଟି କରି ମାଆଙ୍କ ଚିକିତ୍ସା କରୁଥିଲେ । କିନ୍ତୁ କ୍ୟାନ୍‌ସର କଣ ମାମୁଲି ରୋଗ !” ତାପରେ ସେ ଶରତର ପରିଚୟ ଜାଣିବା ଲାଗି ପଚାରିଲେ, “ଆପଣ ?”

 

: ମୁଁ ଦାମୋଦର ବାବୁଙ୍କ ଅଫିସ୍‌ରେ କାମ କରେ ।

 

ସେତିକିବେଳେ ଭଦ୍ରଲୋକଙ୍କ ଯୁବତୀ ଝିଅ ‘କିଏ ଆସିଛି’ ବୋଲି ଜାଣିବା ଲାଗି ମେଲାଘରକୁ ଚାଲିଆସୁଥିଲା । ଶରତକୁ ଦେଖି ପୁଣି ଭିତରକୁ ଚାଲିଗଲା ।

 

ଭଦ୍ରଲୋକ ଡାକିଲେ, “ଭିତରକୁ ଆସୁନାହାନ୍ତି । ସେମାନେ ସମସ୍ତେ ଶୁଦ୍ଧିକ୍ରିୟା ସାରି ଫେରିବେ ବୋଧହୁଏ । ସେଇ ତ ବଡ଼ପୁଅ ।”

 

ଶରତର ଦାମୋଦର ବାବୁଙ୍କ ସମ୍ପର୍କରେ ପଟ୍ଟନାୟକ ବାବୁର ଉଦ୍ଭଟ ମନ୍ତବ୍ୟ ମନେ ପଡୁଥିଲା ।

 

: କଣ କିଛି କହିଲେ କି ବାବୁ ! –ଭଦ୍ରଲୋକ ଆତ୍ମୀୟ ସ୍ୱରରେ ପଚାରୁଥିଲେ ।

 

: ନା, ମୁଁ ପରେ କେତେବେଳେ ଆସିବି । ଆଜି ଡେରି ହୋଇଗଲାଣି । ମୁଁ ଆସେ ।

 

ଶରତ ଫେରିଆସିଲା । ଫେରିବା ବାଟରେ ତାର ପଟ୍ଟନାୟକ ବାବୁ କଥା ମନେ ପଡ଼ୁଥିଲା । ସେ ଯେମିତିକା ଲୋକ, ତା ଅନୁପସ୍ଥିତିରେ ତା ନାଁରେ ବି ଇଆଡ଼ୁ ସିଆଡ଼ୁ କିଛି ନିଶ୍ଚୟ କହୁଥିବ । କିନ୍ତୁ କଣ କହୁଥିବ ! କଣ ବା ଜାଣେ ପଟ୍ଟନାୟକ ବାବୁ ତା ବିଷୟରେ ?

 

କିନ୍ତୁ କାହାରି ବିଷୟରେ ଗପିବା ପାଇଁ ଯେ ତା ବିଷୟରେ ସବୁକିଛି ଜାଣିବା ଦରକାର, ସେମିତି ତ କିଛି କଥା ନାହିଁ । ନିଜର ଦେଢ଼ବର୍ଷର ଚାକିରି ଭିତରେ ଏଇ ସାଧାରଣ କଥାଟି ଶରତ ବୁଝି ସାରିଥିଲା ।

 

ପରଦିନ ସେ ଅଫିସ୍‌ରେ ପହଞ୍ଚିଲା ବେଳକୁ ବୁଢ଼ିଆଣୀ ବସା ମେଞ୍ଚାକ ସେମିତି ସେଇ ଜାଗାରେ ଓହଳିଥିଲା । ଖାଲି ସେଇ ଜାଗାରେ ନୁହେଁ, ଆଉ ଦି ହାତ ଦୂରକୁ ଘୁଞ୍ଚି ଆସିଥିଲା ବୁଢ଼ିଆଣୀର ସଂସାର । ସେ ଜାଣି ଜାଣି ଭାଗବତକୁ ଡାକିଲା ନାହିଁ, ଯଦିଓ ଭାଗବତ ତା ସାମ୍ନାରେ ନଟର ପଟର ହେଉଥିଲା ।

 

ତାକୁ ଦେଖୁ ଦେଖୁ ଭାଗବତ କହିଲା, “ଆପଣଙ୍କୁ ଖୁଣ୍ଟିଆ ବାବୁ ଖୋଜୁଥିଲେ । କହୁଥିଲେ, ଫୁରୁସତ୍‌ ଦେଖି ତାଙ୍କ ପାଖକୁ ଯିବେ ।”

 

ଶରତ ଆଶ୍ଚର୍ଯ୍ୟ ହେଲା । ଖୁଣ୍ଟିଆ ବାବୁଙ୍କର ତା ପାଖରେ କେବେ କିଛି କାମ ପଡ଼େ ନାହିଁ । ହଠାତ୍‌ ସେ ତାକୁ ଖୋଜିବାର କାରଣ କଣ ?

 

ମହାନ୍ତି ବାବୁ ଦୋହଲି ଦୋହଲି ଆସୁଥିଲା । ତାର ଚାଲି ସବୁଦିନେ ଜଗନ୍ନାଥଙ୍କ ପହଣ୍ଡି ବିଜେ ପରି । ଶରତକୁ ଦେଖୁ ଦେଖୁ କହିଲା, “ଶୁଣିଲଣି ହୋ, ପଟ୍ଟନାୟକ ବାବୁଙ୍କର କୁଆଡ଼େ ପିଲାପିଲି ହେବ ?”

 

: ପଟ୍ଟନାୟକ ବାବୁଙ୍କର–ଆଉ ଜଣେ କିଏ ପଚାରିଲା ।

 

: ମାନେ, ତାଙ୍କ ମିସେସ୍‌ଙ୍କର । ଏଥିରେ ଭାରତ ସରକାରଙ୍କ ପରିବାର କଲ୍ୟାଣ ଯୋଜନା ଯେମିତି ସଫଳ ହେବା କଥା ଆପଣ ବୁଝୁଥିବେ !

 

ଶରତକୁ ଏ ସମ୍ବାଦଟା ଉଭୟ ଆଶ୍ଚର୍ଯ୍ୟ ଏବଂ ଅଶ୍ଳୀଳ ଶୁଭୁଥିଲା । ପଟ୍ଟନାୟକ ବାବୁଙ୍କ ବୟସ ପଚାଶ ପାଖାପାଖି ହେବ । ସବୁଦିନ ସେ ନିଜର ଅଭାବୀ ସଂସାର ଓ ଅସହଯୋଗୀ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରନ୍ତି । ଏ ବୟସରେ ସେ ପୁଣି... ! ସେ କିଛି ମନ୍ତବ୍ୟ ନ ଦେଇ ପଚାରିଲା, “ଖୁଣ୍ଟିଆବାବୁ କି ପ୍ରକାର ଲୋକ ?”

 

: କାହିଁକି ? –ମହାନ୍ତି ବାବୁ ଉତ୍ତର ଦେବା ବଦଳରେ ଓଲଟି ପ୍ରଶ୍ନ କରୁଥିଲେ ।

 

: ନାଇଁ, ଏମିତି ପଚାରୁଥିଲି ।

 

: ଭାରି ହୁସିଆର ଲୋକ । ଏ ଅଫିସ୍‌ର ପତ୍ରଟାଏ ବି ତାଙ୍କ ଅଜ୍ଞାତସାରରେ ହଲେ ନାହିଁ । ଡାଇରେକ୍ଟର ଡାଳେ ଡାଳେ ଗଲେ ସେ ପତ୍ରେ ପତ୍ରେ ଯିବା ଲୋକ । ଗଭୀର ଜଳର ମାଛ-। କିନ୍ତୁ ଆପଣଙ୍କର କି କାମ ତାଙ୍କ ପାଖେ ପଡ଼ିଲା ? କଣ କିଛି ଅର୍ଡର ସପ୍ଲାଇ ଏଜେନ୍‌ସୀ ଖୋଲିଲେଣି କି ?

 

ଶରତ କିଛି ନ କହି ଚାଲି ଆସିଲା । କାହିଁକି ତୁଚ୍ଛାଟାରେ ସେ ମହାନ୍ତି ବାବୁଙ୍କୁ ଖୁଣ୍ଟିଆ ବାବୁ ବିଷୟରେ ପଚାରିବାକୁ ଯାଉଥିଲା ! ଅଦ୍ଭୁତ ଅଫିସ୍‌ ଇଏ ! ଏଠି କେହି କାହାରି ବିଷୟରେ ଦି ପଦ ମନଖୋଲି କଥାବାର୍ତ୍ତା କରିପାରିବ ନାହିଁ ।

 

ଡାଇରେକ୍ଟରଙ୍କ ପି.ଏ. ଖୁଣ୍ଟିଆ ବାବୁ ଟାଇପ୍‌ରାଇଟର ଉପରେ ନଇଁପଡ଼ି କଣ ଗୋଟାଏ ଭୁଲ୍‌ ସୁଧାରୁଥିଲେ । ଶରତ ତାଙ୍କ ସାମ୍ନାରେ ଛିଡ଼ାହୋଇ ଦୁଇ ହାତ ଯୋଡ଼ି କହିଲା, “ନମସ୍କାର, ମୋତେ ଖୋଜୁଥିଲେ ?”

 

ଖୁଣ୍ଟିଆ ବାବୁ ଟାଇପ୍‌ରାଇଟର୍‌ରୁ ନଜର ଫେରେଇ ଶରତକୁ ଚାହିଁଲେ । କୃତକୃତ୍ୟ ହେବା ସ୍ୱରରେ କହିଲେ, “ଆରେ, ଶରତ ବାବୁ ଯେ ! ଭାଗବତ ଖବର ଦେଇଥିବ ବୋଧହୁଏ । ବସନ୍ତୁ ବସନ୍ତୁ । ମୁଁ ଏମିତିରେ କହିଥିଲି, କେତେବେଳେ ଫୁରୁସତ ପାଇଥିଲେ ଆସିଥାଆନ୍ତେ । ସେମିତି ଜରୁରୀ ତ କିଛି ନ ଥିଲା ।”

 

: ମୁଁ ତାହାହେଲେ ପରେ ଆସିବି ।

 

: ଆରେ ନାଇଁ ନାଇଁ ବସନ୍ତୁ । ବସନ୍ତୁ ।

 

ଶରତ ଚଉକିଟି ଭିଡ଼ିଆଣି ବସିଲା । ଖୁଣ୍ଟିଆ ବାବୁ ଟେବୁଲ୍‌ ଉପରର କଲିଂବେଲ୍‌ ଚିପିଲେ । ଡାଇରେକ୍ଟରଙ୍କ ପିଅନ ଆସି ତାଙ୍କ ପାଖରେ ଛିଡ଼ାହେଲା । ଖୁଣ୍ଟିଆ ବାବୁ କହିଲେ, “ରଘୁ, ଦି କପ୍‌ ସ୍ପେଶାଲ୍‌ ଚା ଜଲ୍‌ଦି ନେଇ ଆସିଲୁ ।”

 

ଶରତ କଣ କହିବାକୁ ଯାଉଥିଲା କିନ୍ତୁ କହିପାରିଲା ନାହିଁ । ଖୁଣ୍ଟିଆବାବୁ ଟାଇପ୍‌ରାଇଟର୍‌ରୁ ଚିଠିଟା ବାହାର କରି ନେଇ କହିଲେ, “ଆପଣ ବସନ୍ତୁ । ମୁଁ ଏଇଟା ଡାଇରେକ୍ଟରଙ୍କ ଟେବୁଲ ଉପରେ ଥୋଇଦେଇ ଆସୁଛି ।”

 

ଶରତ ଖୁଣ୍ଟିଆ ବାବୁ ବସୁଥିବା କୋଠରି ଚାରିଆଡ଼କୁ ଚାହିଁଥିଲା । ନରମ ଗଦି ଥିବା ଚଉକି, ପରିଷ୍କାର ପରଦା । ସଫାସୁତୁରା ପରିବେଶରେ ଦି ଦିଇଟା ଟେଲିଫୋନ୍‌, ପଛରେ ଜେରକ୍ସ ମେସିନ୍‌ ଏବଂ ତାଆରି ମଝିରେ ଖୁଣ୍ଟିଆ ବାବୁର ଡେଙ୍ଗା ଚଉଡ଼ା ଚଉକି ।

 

ଖୁଣ୍ଟିଆ ବାବୁ ଚିଠିଟି ଥୋଇଦେଇ ଚାଲିଆସିଲେ ।

 

ଚନ୍ଦା ମୁଣ୍ଡକୁ ସାଉଁଳଉ ସାଉଁଳଉ କହିଲେ, “ଆପଣଙ୍କ ଘର ଭଦ୍ରକ ନା ?”

 

: ନା, ଭଦ୍ରକ ତଳକୁ । ପୀରହାଟ ।

 

: ହଁ, ସେଇ ପାଖାପାଖି । ଶୁଣିଲି, ଆପଣ ଖୁବ୍‌ ଆଦର୍ଶବାଦୀ । ତାହାହେଲେ କଣ ବାପା-ମା ଅଧିକ ଯୌତୁକ ଖୋଜୁଛନ୍ତି ?

 

ପ୍ରସ୍ତାବନାର ଆକସ୍ମିକତାରେ ଶରତ ଚମକିପଡ଼ିଲା । କଣ କହି ସେ ଏ ପ୍ରକାର ଏକ ଉଦ୍ଭଟ କଥାକୁ ଅସ୍ୱୀକାର କରିବ ସେକଥା ସେ ଚିନ୍ତା କରିପାରୁ ନ ଥିଲା । ସେ କେବଳ କହିଲା, “ନାଇଁ, ନାଇଁ ।”

 

: ମୁଁ ଜାଣେ । ଆପଣଙ୍କର କ୍ୟାରିୟର୍‌ ଖୁବ୍‌ ଭଲ । ପଢ଼ାପଢ଼ି ମଧ୍ୟ କରୁଛନ୍ତି । ଆପଣ ନିଶ୍ଚୟ ଉପରକୁ ଉଠିବେ । ତେଣୁ ନିଜ ପସନ୍ଦର ଝିଅ ନିଜେ ଖୋଜିବା ଦରକାର । ବାପା-ମାଆମାନେ ଯାହା ହେଲେ ବି ପୁରୁଣାକାଳିଆ, ତାଙ୍କ ଉପରେ ସବୁ ଛାଡ଼ିଦେବା ଠିକ୍‌ ନୁହେଁ ।

 

ରଘୁ ଚା ଆଣି ପହଞ୍ଚି ସାରିଥିଲା । ଚିକ୍‌ଚିକ୍‌ କରୁଥିବା ପ୍ଲେଟ୍‌ ଓ କପ୍‌ରେ କ୍ୟାଣ୍ଟିନ୍‌ର ସ୍ପେଶାଲ୍‌ ଚା ଲୋଭନୀୟ ଦିଶୁଥିଲା ।

 

ଶରତ କହିଲା, “ଅସଲରେ ମୁଁ ନିଜଆଡ଼ୁ କିଛି ଦିନ ଅପେକ୍ଷା କରିବାକୁ ଚାହୁଁଛି ।”

 

: ଭଲ କଥା । ମୁଁ ବି ତରତର କରିବି ନାହିଁ । ଏମିତିରେ ଆମ ଗୀତା ବି ତା ରେଜଲ୍‌ଟ ବାହାରିବା ଯାଏ ଅପେକ୍ଷା କରିବାକୁ କହୁଛି । ଆପଣ ଘରେ ପରାମର୍ଶ କରି ମୋତେ କହିବେ । ଆଉ ଶୁଣନ୍ତୁ, ଯଦି ଅଧିକା କିଛି ଆପଣଙ୍କର, ସରି, ଆପଣଙ୍କ ବାପା ମାଆଙ୍କର ଡିମାଣ୍ଡ ଥିବ ତାହାହେଲେ ଖୋଲାଖୋଲି କହିବେ, ମୋର କିଛି ଆପତ୍ତି ନାହିଁ । ପ୍ରାକ୍ଟିକାଲି, ହାତୀର ଖାଇବା ଦାନ୍ତ ଓ ଦେଖେଇବା ଦାନ୍ତ ତ ଅଲଗା ଅଲଗା । ନା କଣ ? ହେଁ, ହେଁ, ହେଁ ।

 

: ଇସ୍‌, କି ବିପଜ୍ଜନକ ଲୋକଟା ଏଇ ଖୁଣ୍ଟିଆ ବାବୁ । ମହାନ୍ତିବାବୁ ଠିକ୍‌ କହୁଥିଲା । ଇଚ୍ଛା ନ ଥିଲେ ବି ନମସ୍କାରଟେ କରି ଶରତ ଉଠି ପଳେଇ ଆସିଲା ।

 

ତା ଦପ୍ତରରେ ସେ ପର୍ଯ୍ୟନ୍ତ ପଟ୍ଟନାୟକ ବାବୁଙ୍କ ବିଳମ୍ବିତ ଜୀବନର ପିତୃତ୍ୱ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିଲା । କଳ୍ପନା ମାଡାମ୍‌ ମୁହଁ ତଳକୁ କରି ଜରୁରୀ କାମ କରିବାର ଅଭିନୟ କରୁଥିଲେ ବି ପ୍ରକୃତ ପକ୍ଷେ ଏଇ ରସାଳ ଆଲୋଚନାକୁ ମନଦେଇ ଉପଭୋଗ କରୁଥିଲେ ।

 

ଶରତକୁ ଦେଖୁ ଦେଖୁ ମହାନ୍ତି ବାବୁ କହିଲା, “କଣ, ଖୁଣ୍ଟିଆ ବାବୁ ସାଙ୍ଗରେ ଫିଟ୍‌ ହୋଇଗଲେ କି ଶରତ ବାବୁ !”

 

ଶରତ ମହାନ୍ତି ବାବୁକୁ ଚାହିଁଲା । ତାର ଇଚ୍ଛା ହେଉଥିଲା, କଣ ବୋଲି କଣ ବକିଯିବ । କିନ୍ତୁ ସେ ନିଜ ରାଗକୁ ନିଜ ଭିତରେ ଲୁଚେଇ ମନକୁ ମନ କହିଲା, “ହେଟା କୋଉଠିକାର !”

 

ସେ ଦିନସାରା ପଟ୍ଟନାୟକ ବାବୁଙ୍କୁ ନେଇ ଚର୍ଚ୍ଚା ଜାରି ରହିଲା । ପଟ୍ଟନାୟକ ବାବୁଙ୍କର ଅନୁପସ୍ଥିତି ଏଇ ଚର୍ଚ୍ଚାକୁ ଅଧିକ ଉତ୍ସାହିତ କରିଥିଲା ।

 

ତାଆରି ମଝିରେ ବୟସ୍କ ଲୋକ ଜଣେ ଆସି କଳ୍ପନା ମାଡାମ୍‌ଙ୍କୁ ଖଣ୍ଡେ କାଗଜ ବଢ଼େଇଥିଲେ । କଳ୍ପନା ମାଡାମ୍‌ କାଗଜଟିକୁ ପଢ଼ୁ ପଢ଼ୁ ଚିତ୍କାର କରିଉଠିଥିଲେ, “ଏ ଚିଠିପତ୍ରରେ କାମ ହୋଇପାରିବ ନାହିଁ । ବାବୁଙ୍କୁ କହିଦେବ, ସେ ନିଜେ ଆସି ମୋତେ ଅଫିସ୍‌ରେ କି ଘରେ ଭେଟିବେ । ତାପରେ ଯାଇ ଯୋଉ କଥା ।”

 

ମହାନ୍ତି ଶରତ ପାଖକୁ ଆସି କହିଥିଲେ, “ଖୁବ୍‌ ଗମ୍ଭୀର ଦିଶୁଛ ଯେ ! ଖୁଣ୍ଟିଆ ବାବୁ କଣ କିଛି କହିଲେ କି ?”

 

ବୁଢ଼ା ଲୋକଟି କଳ୍ପନା ମାଡାମ୍‌ଙ୍କ ସାମ୍ନାରେ ଅଧସ୍ତନଟେ ପରି ଛିଡ଼ା ହୋଇଥିଲା । ମହାପାତ୍ର ତା ସିଟ୍‌ରୁ ଥାଇ ପାଟିକଲା, “ଏଇ ବେଳେ କଣ କେହି କାମ ନେଇ ଆସେ ମଉସା ! କାଲି ସକାଳକୁ ଆସ । ଦେଖିପାରୁନ ଆମେ ସମସ୍ତେ ବ୍ୟସ୍ତ ଅଛୁ । ଆସିଲାବେଳେ ତମ ନିମାପଡ଼ା ଝିଲ୍ଲୀ କିଛି ଆଣିଥିବ ହୋ, ପଇସା ଦେଇଦେବା ।”

 

ଲୋକଟି ନଈବଢ଼ି ସୁଅରେ ଥିବା କୁଟାଖିଅଟେ ଅବା ପାଇଥିଲା । ଖୁସି ଖୁସି ଦିଶିଥିଲା ତା ମୁହଁ । ସେ ମାଡାମ୍‌ଙ୍କୁ ନମସ୍କାର କରି ଯିବାବେଳେ କହିଥିଲା, “ଅନେକ ଥର ଆସିଲିଣି ଆଜ୍ଞା, କାଲି ଟିକିଏ ମୋ କାମଟା ଦେଖିଦେଲେ ମୁଁ ଆଉ ଦଉଡ଼ନ୍ତି ନାହିଁ ।”

 

: ହଉ ହଉ ଯାଅ । ସବୁବେଳେ କାମ ଆଉ କାମ । ମଣିଷ ଟିକେ ନିଃଶ୍ୱାସ ନେଇ ପାରିବ ନାହିଁ ଏଠି । –ମହାପାତ୍ର କହିଲା ।

 

ଶରତ ସେମାନଙ୍କ କଥାବାର୍ତ୍ତା ଶୁଣି କାବା ହୋଇ ଚାହିଁଥିଲା । ଗତ କାଲି ସକାଳେ କଳ୍ପନା ମାଡାମ୍‌ଙ୍କ ଚେହେରାରେ ଦେଖିଥିବା ସେ ଲାବଣ୍ୟ ଆଜି ଚେଷ୍ଟା କରି ସୁଦ୍ଧା ଖୋଜି ପାଉ ନ ଥିଲା । ତା ଆଖି ଆଗରେ କଳ୍ପନା ମାଡାମ୍‌ ଡ୍ରାକୁଲା ସିରିଜ୍‌ର ଭୟଙ୍କର ଦାନ୍ତୁରୀ ସ୍ତ୍ରୀ ଲୋକଟି ପରି ଦିଶୁଥିଲା–ଯିଏ ଲୋକଙ୍କ ତଣ୍ଟି କଣା କରି ରକ୍ତ ଶୋଷିନିଏ ।

 

ସେ ଦୀର୍ଘଶ୍ୱାସ ନେଲା ।

 

ଏଇ ତାର ଅଫିସ୍‌ ! ଏଇଠି ହିଁ ତାକୁ ଆଉରି ପଚିଶ ଛବିଶ ବର୍ଷ ବିତେଇବାକୁ ପଡ଼ିବ । ଏ କୋଠରିକୁ ସେ କୋଠରି, ସେ କୋଠରିରୁ ଏ କୋଠରି । ଯଦି କୁଆଡ଼େ କିଛି ନ ହୁଏ, ଏଇଠି ହିଁ ସେ ଦିନେ ରିଟାୟାର କରିବ । କିନ୍ତୁ ଏଇ ଅଳନ୍ଧୁ ଓ ଧୂଳି ଭିତରେ ସେ ଏତେ ଗୁଡ଼ିଏ ବର୍ଷ କେମିତି କାଟିବ !

 

ସେତିକିବେଳେ ହଠାତ୍‌ ତାର ଗପଟେ ମନେ ପଡ଼ିଲା । ଗପର ଯୁବକଟି ଗୋଟେ ଷ୍ଟିମର କମ୍ପାନିରେ ଚାକିରି ପାଇଁ ଯାଇଥିଲା । ଷ୍ଟିମର କମ୍ପାନି ତରଫରୁ ପ୍ରଶ୍ନ ପଚାରୁଥିବା ଭଦ୍ରଲୋକ ପଚାରିଥିଲେ, “ଧରିନିଅ ତୁମ ଷ୍ଟିମର ଯାଉ ଯାଉ ହଠାତ୍‌ ଝଡ଼ ଉଠେଇ ଆସିଲା, ତମେ କଣ କରିବ ?”

 

: ଗୋଟେ ଲଙ୍ଗର ପକେଇ ଦେବି । –ଯୁବକଟି କହିଥିଲା ।

 

: ଗୋଟେ ପାହାଡ଼ ପାଖରେ ପହଞ୍ଚିଗଲା–ଦ୍ୱିତୀୟ ପ୍ରଶ୍ନ ।

 

: ଆଉ ଗୋଟେ ବଡ଼ ଲଙ୍ଗର ପକେଇ ଦେବି ।

 

: ଧରାଯାଉ, ପୁଣି ଗୋଟାଏ ଝଡ଼ ମାଡ଼ି ଆସିଲା ?

 

ଯୁବକଟି ଉତ୍ତର ଦେଇଥିଲା । “ଆଉ ଗୋଟେ ଲଙ୍ଗର ଭିଡ଼ି ଦେବି । ଜାହାଜ ସ୍ଥିର ହୋଇ ରହିଯିବ ।”

 

ଭଦ୍ରଲୋକ ପଚାରିଥିଲେ, “ଏତେ ଗୁଡ଼ାଏ ଲଙ୍ଗର ତୁମେ ସମୁଦ୍ର ମଝିରେ କୋଉଠୁ ଆଣିବ ?”

 

ଅବିଚଳିତ ଯୁବକଟି ଉତ୍ତର ଫେରେଇଥିଲା, “ଆପଣ ଯୋଉଠୁ ଝଡ଼ ପରେ ଝଡ଼ ଓ ପାହାଡ଼ ପରେ ପାହାଡ଼ ଆଣୁଛନ୍ତି ।”

 

ପରଦିନ ସକାଳୁ ଭାଗବତ ଆସି ପହଞ୍ଚି ଦେଖିଲା, ଶରତ ଟେବୁଲ୍‌ ଉପରୁ ଫାଇଲ୍‌ତକ ହଟେଇ, ତା ଉପରେ ଚଉକି ପକେଇ ଛିଡ଼ା ହୋଇଛି ଏବଂ ମୁଣ୍ଡ ଉପରେ ରୁମାଲ ଭିଡ଼ି ଅଳନ୍ଧୁ ସଫା କରୁଛି ।”

 

ଭାଗବତ ପଚାରିଲା, “କଣ କରୁଛନ୍ତି ଆଜ୍ଞା !”

 

ଶରତ ଉତ୍ତର ଦେଲା, “ଦେଖି ପାରୁନାହୁଁ, ଅଳନ୍ଧୁ ସଫା କରୁଛି ।”

 

ଭାଗବତ ପଛରେ ଆସି କେତେବେଳେ ମହାପାତ୍ର ଓ ମହାନ୍ତି ବାବୁ ଛିଡ଼ା ହୋଇ ସାରିଥିଲେ, ଶରତ ସେକଥା ଜାଣିପାରୁ ନ ଥିଲା । ସେ ପରମ ଉତ୍ସାହରେ ବୁଢ଼ିଆଣୀ ଜାଲତକ ଝାଡ଼ିଝୁଡ଼ି ସଫା କରୁଥିଲା ।

☆☆☆

 

ପ୍ୟାରେଲାଲ୍‌ର ପୃଥିବୀ

 

“ସେତେବେଳକୁ ବାହାଦୁର ଶାହ ଜାଫର୍‌ଙ୍କ ଶକ୍ତି କ୍ଷୀଣ ହୋଇ ଆସିଲାଣି । ହିନ୍ଦୁସ୍ଥାନର ଶାହନଶାହଙ୍କ ସେ ପତିଆରା, ସେ ରୋୱାବ ଆଉ ନାହିଁ କହିଲେ ଚଳେ । ନିତିଦିନିଆ ଛୋଟମୋଟ ଖର୍ଚ୍ଚ ତୁଲେଇବା ନିମନ୍ତେ ରାଜମହଲ୍‌ର ଦାମୀ ଚିଜ ସବୁ ଗୋଟିକ ପରେ ଗୋଟିଏ ବିକ୍ରି କରି ଦିଆଯାଉଥାଏ । ଦାମୀ କାର୍ପେଟ୍‌, ଫୁଲଦାନି, ପାଟ, ମଠା ସବୁ ଚାଲିଯାଉଥାଏ ଗୋଟିଏ ପରେ ଗୋଟିଏ...”

 

ପ୍ୟାରେଲାଲ୍‌ ଗପି ଚାଲିଥାଏ । ମୁଁ ଓ ଅଶୋକ ଦିହେଁ ମନ୍ତ୍ରମୁଗ୍ଧ ପରି ଆଖିମେଲି ତା କଥା ଶୁଣୁଥାଉ ।

 

ଇଣ୍ଡିଆ ଗେଟ୍‌ ଟ୍ରାଫିକ୍‌ ସ୍କୋୟାର ପାଖେ ନାଲି ଲାଇଟ୍‌ ଜଳୁଥିଲା । ପ୍ୟାରେଲାଲ୍‌ ତା ଗାଡ଼ିର ବ୍ରେକ୍‌ କଷି କହିଲା, “ଜାଣିଲେ ସାହାବ, ବାହାଦୁର ଶାହ ଜାଫର ଥିଲେ ରସିକ ଲୋକ । କୁହନ୍ତୁ, କବି । ଫି ଦିନ ସଞ୍ଜବେଳେ ତାଙ୍କ ଉଆସରେ ଗାନାଟାନାର ଆସର ଚାଲେ । ବଡ଼ ବଡ଼ କବି, ଶାୟର ଆସନ୍ତି; ଗୀତ ଗାଆନ୍ତି, ସରାବ ପିଅନ୍ତି, ବିରିଆନି ଖାଆନ୍ତି । କିନ୍ତୁ ଏସବୁ ଇନ୍ତେଜାମ୍‌ କେମିତି ହୁଏ ସେ କଥାରେ ବାହାଦୁର ଶାହ ମୁଣ୍ଡ ଖେଳାନ୍ତି ନାହିଁ ।”

 

ଅଶୋକ କହିଲେ, “ଗ୍ରୀନ୍‌ ଲାଇଟ୍‌ ଜଳିଲାଣି ।” ସେତିକିବେଳେ ମୋର ନଜର ଆଗରୁ ‘ଷ୍ଟପ୍‌’ ଲେଖା ହେଉଥିବା ଲାଇଟ୍‌ପୋଷ୍ଟ ଉପରେ ପଡ଼ିଲା । ସେସବୁ ଲିଭିଯାଇ ତା ଜାଗାରେ ଲେଖା ଥିଲା ‘ରିଲାକ୍ସ’ । ଅଶୋକଙ୍କୁ ସେକଥା ହାତଠାରି ମୁଁ ଦେଖେଇ ଦେଲି । ଅଶୋକ ହସିଲେ-। କହିଲେ, “ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ସରକାର ନାଗରିକମାନଙ୍କୁ ଆଦେଶ ଦେବା ଭଙ୍ଗୀରେ କିଛି କହିବା ଉଚିତ ହୁଅନ୍ତା ନାହିଁ । ତାହାଠୁଁ ଏଇ ପରିବର୍ତ୍ତନ ଭଲ ।”

 

ଆମ ଦି ଜଣଙ୍କର ଗପସପ ତାର କାହାଣୀ ଶୁଣେଇବା ଆଗ୍ରହର ରସଭଙ୍ଗ କରୁଥିବାରୁ ପ୍ୟାରେଲାଲ୍‌ ସମ୍ଭବତଃ ଟିକିଏ ରୁଷ୍ଟ ହୋଇଥିବ । ମାତ୍ର ତା ଚେହେରାରୁ ସେକଥା ଜଣାପଡୁ ନ ଥିଲା । କୌଣସି ପ୍ରକାର ରାଗ, ଅଭିମାନ କିମ୍ବା ବିରକ୍ତିର ଚିହ୍ନ ତା ମୁହଁରେ ଆମେ କେବେ ବି ଦେଖୁ ନ ଥିଲୁ । ସେଥିପାଇଁ ଅଶୋକ କହୁଥିଲେ, “ପ୍ୟାରେଲାଲ୍‌ର ମୁହଁ ଗୋଟେ ହସହସ ଚେହେରାର ସ୍ଥିରଚିତ୍ର ।”

 

ମୁଁ କହିଲି, “ବାହାଦୁର ଶାହ ଜାଫରଙ୍କର କବିତା ଆସର ଚାଲିଲା ନା ବନ୍ଦ ହୋଇଗଲା-?”

 

ପ୍ୟାରେଲାଲ୍‌ ତାର ଦାଢ଼ି କେରାକ ସାଉଁଳେଇ ଆଣି କହିଲା, “ତ ଦିନକର କାର୍ଯ୍ୟକ୍ରମ ଚାଲିଥାଏ । ଜଣକ ପରେ ଜଣେ କବିତା ଆବୃତ୍ତି କରୁଥାଆନ୍ତି । ହଠାତ୍‌ ସେତିକିବେଳେ ଝଣ୍‌ କରି ଗୋଟାଏ ସୁନ୍ଦର ଆୱାଜ ଶୁଭିଲା । ବାହାଦୁର ଶାହ ଜାଫର ସାଏରୀ ବୋଲୁଥିବା କବିଙ୍କୁ ତାଙ୍କ କବିତା ଆବୃତ୍ତି ବନ୍ଦ କରିବା ଲାଗି ଇସାରା ଦେଇ ସେଇ ଶବ୍ଦକୁ କାନେଇଲେ । ତାଙ୍କ ଦେଖାରେ ଅନ୍ୟମାନେ ବି ଶବ୍ଦଟା କେଉଁଠୁ ଆସୁଛି ଜାଣିବା ପାଇଁ ଚେଷ୍ଟା କଲେ ।”

 

ଇଣ୍ଡିଆ ଗେଟ୍‌ ଚାରିକଡ଼େ ଯାତ୍ରାର କୋଳାହଳ । ଧାଡ଼ି ଧାଡ଼ି ହୋଇ ଶହ ଶହ ଆଇସକ୍ରିମ୍‌ ଦୋକାନୀ ତାଙ୍କ ବେପାର ମେଲିଦେଇଛନ୍ତି । ମଲ୍ଲୀ ଫୁଲର ମାଳ ଜୁଡ଼ାରେ ଗୁଡ଼େଇ ଯୁବତୀମାନେ ଢଳି ଢଳି ଚାଲିଛନ୍ତି । ବେଲୁନ୍‌ ଉଡ଼େଇ ଉଡ଼େଇ ସାନ ସାନ ପିଲାମାନେ ମା-ବାପାଙ୍କ ପଛେ ପଛେ ଧାଉଁଛନ୍ତି । ପ୍ରେମିକ ପ୍ରେମିକାମାନେ ଆଲୁଅଠୁଁ ଦୂରେଇ ନିଜ ନିଜ ଭିତରେ ସୁଖଦୁଃଖ ବାଣ୍ଟୁଛନ୍ତି । ବୟସ୍କ ମଣିଷମାନେ ପାତଳା ଲନ୍‌ର ସବୁଜିମାରୁ ହଜିଲା ବୟସର ସ୍ମୃତି ସାଉଣ୍ଟୁଛନ୍ତି । ଏଇ ଭିତରେ ଦିନର ପ୍ରାୟ–ନିର୍ଜନ ଇଣ୍ଡିଆ ଗେଟ୍‌ ଦିଶୁଛି ଲୋକାରଣ୍ୟ ।

 

ଚାଣକ୍ୟପୁରୀ ପୋଲିସ୍‌ ଷ୍ଟେସନ୍‌ ପୂର୍ବରୁ ଡାହାଣକୁ ଗାଡ଼ି ବୁଲଉ ବୁଲଉ ପ୍ୟାରେଲାଲ୍‌ କହିଲା, “ଶୁଣନ୍ତୁ ସାହାବ, ଏଇନେ ତ ‘ଓଡ଼ିଶା ଭବନ’ ଆସିଯିବ !” ଆମେ କହିଲୁ, “ହଁ କୁହ ।”

 

ପ୍ୟାରେଲାଲ୍‌ କହିଲା, “ଠିକ୍‌ ସେତିକିବେଳେ ଦି ଜଣ ବରକନ୍ଦାଜ ଗୋଟେ କନ୍ଥା ଘୋଡ଼ିଥିବା ଲୋକକୁ ଧରି ଜାହାଁପନାଙ୍କ ପାଖରେ ପହଞ୍ଚିଗଲେ ।

 

ବାହାଦୁର ଶହ ଜାଫର ଦେଖିଲେ, ଲୋକଟି ତାଙ୍କର ବିଶ୍ୱସ୍ତ ଖାନ୍‌ସମା । ସେ ପଚାରିଲେ, ‘କଣ ହୋଇଛି ?’

 

ବରକନ୍ଦାଜ ଦି ଜଣଙ୍କ ଭିତରୁ ଜଣେ କହିଲା, ‘ଜାହାଁପନା, ଲୋକଟି ଅନ୍ଦର ମହଲ୍‌ର ଛାତ କାଚର ଆଲୁଅଝାଡ଼ ଓହ୍ଲେଇ ନେଇ ପଳଉଥିଲା । ମହଲ୍‌ର ଖସଡ଼ା ମାର୍ବଲ ପାହାଚରେ ଗୋଡ଼ ଖସିଯିବାରୁ ସେଇଟି ପଡ଼ି ଭାଙ୍ଗିଗଲା ଓ ଆମେ ଜାଣି ପାରିଲୁ ।’

 

ବାହାଦୁର ଶାହ ଜାଫର ସେତିକିବେଳେ ଟିକକ ଆଗରୁ ସେ ଶୁଣିଥିବା ସେ ସୁନ୍ଦର ଆୱାଜ କେଉଁଠୁ ଆସୁଥିଲା, ତାହା ଜାଣିପାରିଲେ । ସେ କମ୍ବଳ ଘୋଡ଼ିଥିବା ଲୋକଟାକୁ ପାଖକୁ ଆସିବାକୁ ଇସାରା ଦେଇ ପଚାରିଲେ–‘କିନ୍ତୁ ଏ କାମ କଲ କାହିଁକି ?’

 

ଅଶୋକ ଓ ମୁଁ ବାହାଦୁର ଶାହା ଜାଫରଙ୍କ ଖାନ୍‌ସମାର କଥା ପ୍ୟାରେଲାଲ୍‌ ମୁହଁରୁ ଶୁଣିବାକୁ ବ୍ୟଗ୍ର ହୋଇପଡୁଥିଲୁ ।

ପ୍ୟାରେଲାଲ୍‌ କହିଲା, “ସେ ଲୋକଟି ଧୀର ଗଳାରେ କହିଲା, ‘ଜାହାଁପନା, ଆଜିର ଖାନାପିନାର ଇନ୍ତେଜାମ୍‌ ପାଇଁ କିଛି ନ ଥିବାରୁ ମୁଁ ସେ ଆଲୁଅର ଝାଡ଼ଟି ନେଇ ବିକିବାକୁ ଯାଉଥିଲି । ନସିବ୍‌ ଖରାପ, ଗୋଡ଼ ଖସିଯାଇ ସେଇଟି ଭାଙ୍ଗିଗଲା ।’

ବାହାଦୁର ଶାହ ଜାଫର ଗୁମ୍‌ ହୋଇ ବସିଗଲେ । ପାଖରେ ବସିଥିବା ଲୋକମାନେ କିଏ କେତେ କଥା ଭାବିଗଲେ । କିନ୍ତୁ ବାହାଦୁର ଶାହ ଜାଫର୍‌ ତାକୁ ପଚାରିଲେ, ‘ଏଇ ଉଆସ ଭିତରେ ସେମିତିକା ଝାଡ଼ ଆଉ କେତୋଟି ଅଛି ?’

‘ସିର୍ଫ ଏକ୍‌ ।’

‘ତାକୁ ବି ଓହ୍ଲେଇ ଆଣ । ଆଗଟାକୁ ଯୋଉଠି ଯେମିତି ହାତରୁ ଖସେଇ ପକେଇଦେଇଥିଲୁ, ୟାକୁ ବି ଠିକ୍‌ ସେମିତି ସେଇଠି ଖସେଇ ଦେ । ରାଜମହଲରୁ ସେ ଝାଡ଼ଆଲୋକର ଜ୍ୟୋତି ପଛେ ସବୁଦିନ ପାଇଁ ଲିଭିଯାଉ, ମାତ୍ର ବାହାଦୁର ଶାହ ଜାଫର ଆଉଥରେ ସେ ଚମତ୍କାର ଆୱାଜ ଶୁଣିବାର ସୌଭାଗ୍ୟ ପାଉ ।”

“ବାଃ, ବାଃ ! କି ମିଜାଜ୍‌ !” –ଅଶୋକ କହିଉଠିଲେ ।

ମୁଁ ଚୁପ୍‌ଚାପ୍‌ ବାହାଦୁର ଶାହ ଜାଫରଙ୍କୁ ନେଇ ପ୍ୟାରେଲାଲ୍‌ର କାହାଣୀ ଶୁଣୁଥିଲି । ଗୋଟେ ବିଷର୍ଣ୍ଣ କରୁଣ ଅନୁଭବରେ ଛାତି ତଳ ଓଦା ହୋଇ ଯାଉଥିଲା ।

‘ଓଡ଼ିଶା ଭବନ’ ପୋର୍ଟିକୋରେ ଟ୍ୟାକ୍ସି ପହଞ୍ଚେଇ ଦେଇ ପ୍ୟାରେଲାଲ୍‌ ଗାଡ଼ିରୁ ଓହ୍ଲେଇ ପଡ଼ିଲା ଓ ଧାଇଁଆସି ପଛ ଦୁଆର ଖୋଲିଦେଲା । ତାର ନମ୍ରତା ଓ ଭଦ୍ରତାରେ ଆମେ ଦୁହେଁ ଆଉଥରେ ପ୍ରଭାବିତ ହେଲୁ । ଅଶୋକ ମିଟର୍‌ ଅନୁସାରେ ଭଡ଼ା ସାଙ୍ଗକୁ ଆଉ କିଛି ମିଶେଇ ପ୍ୟାରେଲାଲ୍‌କୁ ବଢ଼େଇଦେଲା । କିନ୍ତୁ ପ୍ୟାରେଲାଲ୍‌ ସେ ଦଶଟଙ୍କିଆ ନୋଟ୍‌ ଯୋଡ଼ିଏକୁ ଆମକୁ ଫେରେଇ ଦେଇ କହିଲା, “ରଖନ୍ତୁ ସାହାବ, ଆପଣଙ୍କ ସାଙ୍ଗେ ତ ପୁଣି କାଲି ଦେଖାହେବ ।”

“ହଁ, ଠିକ୍‌ ଆଠଟା ବେଳକୁ ଆସିବ । କାଲି ବହୁତ କାମ ଅଛି ।” –ମୁଁ କହିଲି ।

ପ୍ୟାରେଲାଲ୍‌ ଆମକୁ ‘ନମସ୍ତେ’ କହି ଚାଲିଗଲା ।

ବଡ଼ ଅଦ୍ଭୁତ ଲୋକ ଏଇ ପ୍ୟାରେଲାଲ୍‌ । ଦିଲ୍ଲୀ ପରି ସହରରେ ଏମିତି ଜଣେ ଭଦ୍ର ଓ ବିନୟୀ ଡ୍ରାଇଭର ସାଙ୍ଗେ ଆମର ଦେଖା ହେବ, ସେକଥା ଆମେ ଆସିଲାବେଳେ ଆଦୌ ଭାବି ନ ଥିଲୁ । ସେଥିପାଇଁ ଆମେ ନିଜକୁ ନିଜେ ଧନ୍ୟବାଦ ଦେଉଥିଲୁ ।

“ପ୍ୟାରେଲାଲ୍‌ ତ ଗୋଟେ ଚଳନ୍ତା ଇତିହାସ”–ଅଶୋକ କହିଲେ । “ଲୋକଟା କେତେ କଥା ଜାଣିଛି ! ପୁରାଣ, ଇତିହାସ, ପଲିଟିକ୍ସ, କ୍ରିକେଟ୍‌–ସବୁଥିରେ ତାର ଆଗ୍ରହ ।”

“ଅନେକ ବର୍ଷ ଧରି ଦିଲ୍ଲୀରେ ରହିଗଲାଣି । ସେଥିପାଇଁ ବହୁତ କଥା ଜାଣିଛି ଏ ସହର ସମ୍ବନ୍ଧରେ ।” –ମୁଁ କହିଲି ।

 

ପରଦିନ ଠିକ୍‌ ଆଠଟା ବେଳେ ପ୍ୟାରେଲାଲ୍‌ ଆସି ପହଞ୍ଚିଗଲା । ସଫାସୁତୁରା ପୋଷାକ । କେଉଁଠି ଟିକିଏ ମଳିଧୂଳି ନାହିଁ । ମୁଣ୍ଡବାଳ ସାମ୍ପୁ ଦେଲା ପରି ସାଉଁଳିଆ ଓ ଚକ୍‌ଚକ୍‌ ଦିଶୁଥାଏ । ଦାଢ଼ି କେରାକ ସାଇଜ୍‌ ହୋଇ କୁଣ୍ଡା ହୋଇଛି । ଗାଡ଼ିଟା ବି ଧୁଆଧୋଇ ହୋଇ ଚକ୍‌ ଚକ୍‌ ।

 

ଆମେ ତାର ସମୟାନୁବର୍ତ୍ତିତା ପାଇଁ ଧନ୍ୟବାଦ ଜଣାଇ ଗାଡ଼ିରେ ବସିଲୁ ।

 

ଏନ୍‌.ସି.ଇ.ଆର୍‌.ଟି ଯିବାବେଳକୁ କୁତବ୍‌ମିନାର ଦିଶିଗଲା । ସାଙ୍ଗେ ସାଙ୍ଗେ ପ୍ୟାରେଲାଲ୍‌ ପଚାରିଲା, “କୁତବ୍‌ମିନାର ପାଖେ ଯୋଉ ଲୁହାଖମ୍ବ ଅଛି, ତାକୁ କୁଣ୍ଢେଇଛନ୍ତି ?”

 

ଆମେ ହସିଲୁ । ଭାଗ୍ୟ ଭଲ ଥିବା ଲୋକଙ୍କ କୁଣ୍ଢ ସିନା ପାଇଯାଏ, ଆମେ ତ ତାଙ୍କ ଭିତରେ ନାହୁଁ !

 

ପ୍ୟାରେଲାଲ୍‌ ଟିକିଏ ଗମ୍ଭୀର ଦିଶିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଏଥିରେ ତ ଗମ୍ଭୀର ହୋଇ ପଡ଼ିଲା ଭଳି କିଛି କଥା ନ ଥିଲା ।

 

ମଥା ଉପର ଦେଇ ପାଲାମ ଏୟାରପୋର୍ଟରେ ଓହ୍ଲେଇବାକୁ ଯାଉଥିବା ଉଡ଼ାଜାହାଜଟେ ଉଡ଼ିଗଲା । ମୁଁ ଅଶୋକଙ୍କୁ ଇସାରା ଦେଇ କହିଲି, “ପ୍ୟାରେଲାଲ୍‌ ଟିକିଏ ସିରିୟସ୍‌ ହୋଇଗଲେ ପରା !”

 

ପ୍ୟାରେଲାଲ୍‌ କାଚ ଉପରୁ ଧୂଳିଝାଡ଼ି ଦେବା ପରି ମୁହଁ ଉପରୁ ଚିନ୍ତାତକ ହଟେଇ ହସିଦେଲା । କହିଲା, “କିଏ କାହାର ଭାଗ୍ୟ କଥା କହିପାରିବ ସାହାବ୍‌, ସବୁ ଉପରବାଲାର କମାଲ୍‌ ।”

 

ଦିଲ୍ଲୀର ସକାଳୁଆ ପବନ ଆମକୁ ଛୁଇଁ ଛୁଇଁ ଯାଉଥିଲା । ଉଦ୍ଦେଶ୍ୟହୀନ ଭାବରେ ଆମେ ଦୁଇପଟକୁ ଚାହିଁ ପୁରୁଣା ସହର ଦିଲ୍ଲୀର ରାସ୍ତାଘାଟ ଦେଖୁଥିଲୁ । କେତେ ରାଜା, କେତେ ସମ୍ରାଟ, କେତେ ଲାଟ୍‌, ବଡ଼ଲାଟ୍‌ ଆସିଛନ୍ତି, ପୁଣି ଚାଲିଯାଇଛନ୍ତି । କେତେ ରକ୍ତାକ୍ତ ସଂଘର୍ଷର କରୁଣ ପରିଣତି ଦେଖିଛି ଯମୁନାର ନୀଳଜଳ, ତାର ଇୟତ୍ତା ନାହିଁ । ସିଂହାସନ ଉପରୁ ରାଜା ଯାଇଛନ୍ତି, ଆସିଛନ୍ତି ନବାବ୍‌, ତାପରେ ବିଦେଶ ଭୂଇଁର ଚତୁର ଯୋଦ୍ଧାଏ ଦଖଲ କରିଛନ୍ତି ଦିଲ୍ଲୀ ମସନଦ୍‌ । ହଜାର ହଜାର କାହାଣୀର ଗନ୍ତାଘର ଏ ମହାନଗର । ଏହାର କାନ୍ଥ, ପାଚିରି ଦେହରେ କାହାଣୀ ଓ କିମ୍ବଦନ୍ତୀ ।

 

ମୁଁ ପଚାରିଲି, “ଆମେମାନେ ଦିପହର ବେଳକୁ ପି.ଟି.ଆଇ. ବିଲ୍‌ଡିଂ ପାଖେ ଥିବା । ସେଇଠି କୋଉଠି ଭାତ ଗଣ୍ଡେ ମିଳିବ ପ୍ୟାରେଲାଲ୍‌ ?”

 

ପ୍ୟାରେଲାଲ୍‌ ସାଙ୍ଗେ ସାଙ୍ଗେ ତାର ମସ୍ତିଷ୍କ ଭିତରେ ଝୁଲେଇଥିବା ଦିଲ୍ଲୀର ମାନଚିତ୍ରଟିକୁ ଅବା ଦେଖିବାରେ ଲାଗିଗଲା । ସାଙ୍ଗେ ସାଙ୍ଗେ କହିଲା, “ହଁ, ହଁ ମିଳିବ ନାହିଁ କାହିଁକି-! ଆମେ ଯଦି ପୁରୁଣା ଆକାଶବାଣୀ ବାଟେ ଘୂରିଆସିବା, ତାହାହେଲେ ସେଇଠି ‘ଆନ୍ଧ୍ରଭବନ’ରେ ଖାଇନେଇ ପାରିବା ।

 

“ସେଠି କଣ ଆମେ ବି ଖାଇପାରିବା ?”

 

“ହଜୁର୍‌ । ଶହ ଶହ ଲୋକ ଖାଉଚନ୍ତି । ଆପଣ କାହିଁକି ଖାଇବେ ନାହିଁ ?”

 

ଆମେ ପ୍ୟାରେଲାଲ୍‌ର ପରାମର୍ଶ ପାଇଁ ଆଉଥରେ ଧନ୍ୟବାଦ ଦେଲୁ ।

 

ଅବସର ଦେଖି ମୁଁ ପଚାରିଲି, “ତୁମ ସାଙ୍ଗେ ବୁଲିବାର ତିନିଦିନ ହୋଇଗଲାଣି, ଅଥଚ ତୁମେ ନିଜ ବିଷୟରେ କିଛି କହିନାହଁ । ତୁମେ କଣ ଏଇ ଦିଲ୍ଲୀର ବାସିନ୍ଦା ? ତୁମକୁ ତ ଏଠିକାର ସବୁ ଖବର ଜଣା !”

 

ତାପରେ ପ୍ୟାରେଲାଲ୍‌ ଅଳ୍ପ ଅଳ୍ପ କରି ତା ନିଜର କାହାଣୀ ଆମକୁ ଶୁଣେଇଲା । ସମୁଦାୟ କାହାଣୀଟି ଶୁଣିବା ପାଇଁ ତିନିଦିନ ଲାଗିଯାଇଥିଲା । କାହିଁକି ନା, ତା କାହାଣୀ ମଝିରେ ଆମର କାମ ପଶି ଆସୁଥିଲା ଓ ଅନ୍ୟାନ୍ୟ ଜଞ୍ଜାଳ । ସେଥିପାଇଁ ପାର୍ଲାମେଣ୍ଟ ଷ୍ଟ୍ରୀଟ୍‌, ପାଲିକା ବଜାର, ସରୋଜିନୀ ମାର୍କେଟ୍‌ରୁ ଆରମ୍ଭ ହୋଇ ଆର୍‌.କେ. ପୁରମ୍‌ ପର୍ଯ୍ୟନ୍ତ ପ୍ୟାରେଲାଲ୍‌କୁ ତା କାହାଣୀ କହିବାକୁ ପଡ଼ିଥିଲା ।

 

ପ୍ୟାରେଲାଲ୍‌ ସାଙ୍ଗେ ଦେଖା ହୋଇ ନ ଥିଲେ ତାର କି କ୍ଷତି ହୋଇଥାନ୍ତା ନ ହୋଇଥାନ୍ତା ମୋତେ ଜଣାନାହିଁ, ମାତ୍ର ଏପରି ଗୋଟେ ଲୋକକୁ ଭେଟିବାର ସୁଯୋଗ ମୋର ଆଦୌ ହୋଇ ନ ଥାନ୍ତା । ଗପ ପରି ତାର ଜୀବନ ।

 

ସେତେବେଳକୁ ଭାରତ-ପାକିସ୍ତାନ ବିଭାଜନକୁ ନେଇ ଜୋର୍‌ସୋର୍‌ରେ ଦଙ୍ଗା ଚାଲିଥାଏ । କଲିକତାର ନୂଆଖାଲିରେ ଗାନ୍ଧିଜୀ ଏ ଦଙ୍ଗା ବନ୍ଦ କରିବାଲାଗି ପଦଯାତ୍ରା କରୁଥାଆନ୍ତି-। ସେତିକିବେଳେ ପ୍ୟାରେଲାଲ୍‌ର ବାପା ତାକୁ କଲିକତାରୁ ନେଇ ଦିଲ୍ଲୀ ଚାଲି ଆସିଲେ-। ସେତେବେଳକୁ ପ୍ୟାରେଲାଲ୍‌ ମାଟ୍ରିକ୍‌ ପରୀକ୍ଷା ଦେଇଥାଏ ।

 

“ତାପରେ ସାହାବ, ମୁଁ ଆଉ ଦିଲ୍ଲୀ ଛାଡ଼ି ଯାଇନାହିଁ । ଏଇଠି ଘାଜିଆବାଦ ମିଲ୍‌ରେ ନୌକରି କଲି । ହେଲ୍‌ପର୍‌ରୁ ଉଠି ଉଠି ସୁପର୍‌ଭାଇଜର୍‌ ହେଲି । ବାହାହେଲି ଏବଂ ବାପ ବି ହେଲି ।”

 

“ତୁମର ସ୍ତ୍ରୀ ତୁମର ଖୁବ୍‌ ଯତ୍ନ ନିଅନ୍ତି ନା ! ସବୁଦିନେ ତୁମର ପୋଷାକପତ୍ର ସଫାସୁତୁରା, ଇସ୍ତ୍ରୀକରା–ତୁମେ ଖୁବ୍‌ ଭାଗ୍ୟବାନ ଲୋକ ।” –ମୁଁ କହିଥିଲି ।

 

“ବାହାଘରର ତିନିବର୍ଷ ପୂରି ନ ଥିଲା, ମୋ ସ୍ତ୍ରୀ ଆଉଜଣକ ସାଙ୍ଗରେ ପଳେଇଗଲା-।” –ଖୁବ୍‌ ଗମ୍ଭୀର ସ୍ୱରରେ କହିଲା ପ୍ୟାରେଲାଲ୍‌ ।

 

ମୁଁ ଚମକି ପଡ଼ି ନିରବ ରହିଲି । ସାମ୍ନାକୁ ଚାହିଁ ଦେଖିଲି, ପ୍ୟାରେଲାଲ୍‌ ସେମିତି ଅବିଚଳିତ ଭଙ୍ଗୀରେ ଷ୍ଟିୟରିଂ ଉପରେ ହାତରଖି ଗାଡ଼ି ଚଳଉଛି ।

 

ଅଶୋକ ଧୀର ଗଳାରେ କହିଲେ, “ଆମର ଏମିତି କହିବା ଠିକ୍‌ ହୋଇନାହିଁ । ପ୍ୟାରେଲାଲ୍‌ କଷ୍ଟ ପାଇଥିବ ।”

 

ଠେକୁଆର କାନଠୁଁ ପତଳା କାନ ପ୍ୟାରେଲାଲ୍‌ର । ସେ କହିଲା, “ନା ସାହେବ । ମୋତେ ଆଜିକାଲି କିଛି କଷ୍ଟ ହୁଏ ନାହିଁ । ଏହି ଦିଲ୍ଲୀକୁ ଦେଖୁନାହାନ୍ତି, କେତେ କେତେ ଶାହାନଶାହ ଆସିଛନ୍ତି, ଯାଇଛନ୍ତି । ଜାହାଙ୍ଗୀର, ଶାହାଜାନ୍‌, ବାହାଦୁରଶାହ । ଦିଲ୍ଲୀ କଣ କାହାରି ପାଇଁ ମନକଷ୍ଟ କରିଛି !”

 

ସାପ ପଦ୍ମତୋଳା ଶୁଣିଲା ପରି ଆମେ ପ୍ୟାରେଲାଲ୍‌ର କଥା ଶୁଣୁଥିଲୁ । ନିଷ୍ପ୍ରାଣ ଦିଲ୍ଲୀ ସାଙ୍ଗରେ ରକ୍ତମାଂସର ମଣିଷ ପ୍ୟାରେଲାଲ୍‌ର ତୁଳନାର ଯୌକ୍ତିକତା ମୁଁ ବୁଝିପାରୁ ନ ଥିଲି । କିଏ ଜାଣେ, ଦିଲ୍ଲୀ ବି ନିରବରେ କେତେବେଳେ କେମିତି ତା ଦୁଃଖସୁଖର କାହାଣୀ କାହାକୁ ଶୁଣଉଥିବ-! ମଣିଷ ତ ସେ ଭାଷା ବୁଝିପାରନ୍ତା ନାହିଁ !

 

“ଲୋକଟା ମୋଅରି ମିଲ୍‌ରେ କାମ କରୁଥିଲା । ଦୋସ୍ତ ଥିଲା । ଘରକୁ ଯାଉଥିଲା, ଆସୁଥିଲା । ସେତେବେଳେ ନୂଆ ନୂଆ ଚାକିରି । ରକ୍ତକୁ ପାଣି କରି ମୁଁ କାମ କରୁଥାଏ । ଦିନେ ଘରକୁ ଫେରି ଦେଖିଲି, ଦି ବର୍ଷର ଦୁଧଖିଆ ଛୁଆଟାକୁ ବିଛଣା ଉପରେ ଶୁଆଇଦେଇ ମା ପଳେଇ ଯାଇଛି ।

 

ପ୍ୟାରେଲାଲ୍‌ ଦୀର୍ଘଶ୍ୱାସ ଛାଡ଼ିଥିଲା । ସେ ଦୀର୍ଘଶ୍ୱାସର ଉଷ୍ଣତା ଆମ ଦି ଜଣଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ମୁଁ ଭାବୁଥିଲି, ପ୍ୟାରେଲାଲ୍‌କୁ ତାର ବ୍ୟକ୍ତିଗତ କଥାଗୁଡ଼ିକ ପଚାରି ନ ଥିଲେ ବରଂ ଭଲ ହୋଇ ଥାଆନ୍ତା ।

 

“ସେଇଦିନୁ ମୁଁ ସେ ଛୁଆର ମା, ବାପ ଉଭୟ ହୋଇ ତାକୁ ବଢ଼େଇଲି । ପୁଅ ବଡ଼ ହେଲା, ପାଠ ପଢ଼ିଲା । ଭଲ ଚାକିରି ବି କଲା । କିନ୍ତୁ...”

 

“କିନ୍ତୁ ?”

 

“ସେ ବି ଦିନେ କଳିକଜିଆ କରି ଚାଲିଗଲା । ଯାହା ଯୁଆଡୁ ସଞ୍ଚିଲୋଡ଼ି ସାଇତିଥିଲି, ସବୁତକ ନେଇ ଚାଲିଗଲା ଯେ ଆଉ ଫେରିଲା ନାହିଁ ।” ପ୍ୟାରେଲାଲ୍‌ କହିଲା, “ଟଙ୍କା ପଇସା ନେଇ ଚାଲିଗଲା, ମୋର ଦୁଃଖ ନାହିଁ ସାହାବ୍‌ । ସବୁ ତ ତାଆରି ପାଇଁ ରଖିଥିଲି । ସେଇ ଭୋଗ କରିଥାନ୍ତା । କିନ୍ତୁ ବୁଢ଼ାକାଳେ ଟିକିଏ ପାଖରେ ଠିଆ ହୋଇଥାଆନ୍ତା, ସାହାଭରସା ହୋଇଥାଆନ୍ତା–ସେତକ ହେଲା ନାହିଁ ।”

 

“ତାପରେ ମିଲ୍‌ରେ ଲକ୍‌-ଆଉଟ୍‌ ହେଲା । କମ୍ପାନି ଆମର ପାଉଣା ଗଣ୍ଡାଏ ଗଣ୍ଡାଏ ଦେଇ ଆମକୁ ବିଦା କରିଦେଲା । ମୁଁ ସେ ପଇସାତକ ଧରି ଭାବିଲି, ଦିଲ୍ଲୀ ଛାଡ଼ି ଚାଲିଯିବି । ଆଉ ଗୋଟେ କୋଉ ଛୋଟ ସହରରେ ଯାଇ କିଛି ଗୋଟେ ବେପାର କରିବି ।”

 

ଆମେ ଦୁହେଁ ଚୁପ୍‌ଚାପ୍‌ ପ୍ୟାରେଲାଲ୍‌ର କଥା ଶୁଣୁଥିଲୁ ।

 

କିନ୍ତୁ ଯେତେଥର ଦିଲ୍ଲୀ ଛାଡ଼ି ଚାଲିଯିବା ପାଇଁ ଚାହିଁଛି, କାହିଁକି କେଜାଣି ମନ ହୋଇନାହିଁ । ଏବେ ଦଶବର୍ଷ ହେଲା ଏଇ ଗାଡ଼ି ଖଣ୍ଡିକ ହିଁ ମୋର ଜୀବନ ପାଲଟି ଯାଇଛି ।

 

ଆମେ ‘ଓଡ଼ିଶା ଭବନ’ ପାଖେ ପହଞ୍ଚି ସାରିଥିଲୁ । ତା ପରଦିନ ଆମର ଦିଲ୍ଲୀରୁ ଫେରିବା କଥା । ଏସବୁ ଭିତରେ ଆମେ ପ୍ୟାରେଲାଲ୍‌ର ବିଲ୍‌ ପଇଠ କରିବା କଥା ବି ଭୁଲିଯାଇଥିଲୁ । ପ୍ୟାରେଲାଲ୍‌ କହିଲା, “କାଲି ତ ଆପଣମାନେ ଅଛନ୍ତି । ମୁଁ ଆସି ନେଇଯିବି ।”

 

ପରଦିନ ଷ୍ଟେସନ୍‌ରେ ଆମକୁ ଛାଡ଼ିଲାବେଳେ ପ୍ୟାରେଲାଲ୍‌ର ମୁହଁ ଥମଥମ ଦିଶୁଥିଲା-। ମୋତେ ଲାଗିଲା, ପ୍ୟାରେଲାଲ୍‌ ଖୁବ୍‌ ଗୋଟେ ଭାବପ୍ରବଣ ମଣିଷ । କେବଳ ବାହାରକୁ ଦେଖାଇବା ପାଇଁ, ସର୍କସର ଜୋକର ପରି ହସଖୁସିର ମୁଖାଟିଏ ମୁହଁ ଉପରେ ଝୁଲେଇ ରଖିଛି-। ସେ ଦିଲ୍ଲୀରେ ଥିବାଯାଏ ତାକୁ ତାର ଦୁଃଖତକ ଛାଡ଼ି ଯିବ ନାହିଁ । ସବୁବେଳେ ସ୍ତ୍ରୀ ଓ ପୁଅ ତାର ମନେ ପଡ଼ୁଥିବେ । ଅଥଚ ସେମାନେ ଯେ ଆଉ କୌଣସି ଦିନ ଫେରିଆସିବେ ନାହିଁ, ସେ ନେଇ ଆମେ ଏକ ପ୍ରକାର ନିଶ୍ଚିତ ଥିଲୁ ।

 

ଆମେ ପ୍ୟାରେଲାଲ୍‌ର ବିଲ୍‌ ପଇଠ କରିଦେଲୁ । ସେଇପରି ମନଖୋଲା ହସ ହସି ପ୍ୟାରେଲାଲ୍‌ କହିଲା, “ଆଉ ଥରେ ଆସିଲେ ମୋତେ ଖବର ଦେବେ । ‘ଓଡ଼ିଶା ଭବନ’ ସାମ୍ନା ପାନ ଦୋକାନରେ ମୋ ନାଁ ପଚାରିଲେ, ବନୱାରୀ ମୋ ଠିକଣା ଦେଇଦେବ ।”

 

ଆଉ ଥରେ ଦିଲ୍ଲୀ ତ ଆସିବାକୁ ପଡ଼ିବ । କିନ୍ତୁ ପ୍ୟାରେଲାଲ୍‌କୁ ଭେଟିବାର ସାହସ ସେଦିନ ଥିବ କି ନାହିଁ ତାହା ଜାଣେ ନାହିଁ । ମୁଁ ଉପରଠାଉରିଆ ଭାବେ କହିଲି, “ହଁ, ହଁ ନିଶ୍ଚୟ । ନିଶ୍ଚୟ ।”

 

ଅଶୋକ ପଚାରିଲେ, “ଗୋଟିଏ କଥା ପଚାରିବି ପ୍ୟାରେଲାଲ୍‌ ? ତମେ ଆଉଥରେ ଘର ସଂସାର ବସେଇଲ ନାହିଁ କାହିଁକି ?”

 

ହୋ-ହୋ ହୋଇ ହସିଲା ପ୍ୟାରେଲାଲ୍‌ । ସେ ହସ ଭିତରେ ଷ୍ଟେସନ୍‌ର କୋଳାହଳ ସତେ କି ହଜିଯିବ !

 

ମୁଁ ଆଶ୍ଚର୍ଯ୍ୟ ହେଲି । ଏଥିରେ ଏମିତି ହସିବାର ତ କିଛି ନାହିଁ ।

 

ପ୍ୟାରେଲାଲ୍‌ କହିଲା, “ସେମାନେ କେବଳ ଥରୁଟେ ପାଇଁ ମୋ ସଂସାର ସିନା ଭାଙ୍ଗିଦେଇ ଗଲେ ସାହେବ, ମୁଁ ତ ଫି ଦିନ ସଂସାର ଗଢ଼ୁଛି ଆଉ ଭାଙ୍ଗୁଛି, ଭାଙ୍ଗୁଛି ଆଉ ଗଢ଼ୁଛି । ଆପଣମାନେ କଣ ମୋର ସଂସାର ନୁହନ୍ତି ? ସବୁଦିନ ନୂଆ ନୂଆ ଲୋକଙ୍କୁ ମୁଁ ଦିଲ୍ଲୀ ବୁଲଉଛି । ତାଙ୍କରି ଆଖିରେ ଦିଲ୍ଲୀକୁ ଫି ଦିନ ନୂଆ ନୂଆ ଚେହେରାରେ ଦେଖୁଛି । ଏଇତ ମୋର ସଂସାର ।”

 

ମୁଁ ଜାଣୁଥିଲି, ପ୍ୟାରେଲାଲ୍‌ ଯିବା ଆସିବାବେଳେ ଆମକୁ ଦୁଃଖୀ ଦୁଃଖୀ ଚେହେରାରେ ବିଦା କରିବାକୁ ଚାହୁଁ ନ ଥିଲା । ପାଞ୍ଚ, ଛଅ ଦିନ ଭିତରେ ଆମ ସାଙ୍ଗରେ ଲୋକଟାର ମାୟା ଲାଗିଯାଇଥିଲା । ସେଥିପାଇଁ ସେ ଏପରି ଉଦ୍ଭଟ ଭାବରେ ହସୁଥିଲା ହୋ-ହୋ ହୋଇ । ପ୍ରକୃତରେ ଏଇ ହସ ପଛରେ ସେ ଗୋଟେ ଭୟଙ୍କର ଦୁଃଖକୁ ଘୋଡ଼େଇ ପକେଇବାର ଚେଷ୍ଟା କରୁଥିଲା ।

 

ମୁଁ ପ୍ରସ୍ତାବ ଦେଲି, “ତୁମେ ଦିଲ୍ଲୀ ଛାଡ଼ି ଚାଲିଯାଅ ପ୍ୟାରେଲାଲ୍‌ । ଏ ଦିଲ୍ଲୀ କାହାରିକୁ ନିଜର କରିପାରିନାହିଁ । ତମକୁ ବା କେମିତି ନିଜର କରିଥାଆନ୍ତା ! ସେମାନେ ଯଦି କିଛି ନ ଭାବି ନ ଚିନ୍ତି ତମକୁ ଛାଡ଼ି ଚାଲିଗଲେ, ତାହେଲେ ତମେ କାହିଁକି ସେମାନଙ୍କୁ ଅପେକ୍ଷା କରୁଛ ?”

 

ପ୍ୟାରେଲାଲ୍‌ ମୋ ଆଖିକୁ ଚାହିଁଲା ।

 

ମୁଁ ତା ଚାହାଣିର ତୀବ୍ରତା ବରଦାସ୍ତ କରିପାରୁ ନ ଥିଲି ।

 

ଷାଠିଏ ବାଷଠି ବର୍ଷର ବୁଢ଼ା ଲୋକଟି ଆଖିରେ ଏ ପ୍ରକାର ଚମକ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି ।

 

“ମୁଁ ବି କେତେଥର ଏଠୁ ଚାଲିଯିବା ପାଇଁ ଚାହିଁଛି ସାହାବ । ଜାଣୁଛି, ଏ ଦିଲ୍ଲୀ ମୋର ଜିନ୍ଦଗୀ ବରବାଦ୍‌ କରିଦେଇଛି । ମୋଠୁଁ ମୋର ହସ ଛଡ଼େଇ ଖାଲି ଦୁଃଖତକ ମୋତେ ଦେଇଛି । କିନ୍ତୁ ଏ ଦିଲ୍ଲୀକୁ ଛାଡ଼ିଦେଲେ ମୋର ଜିନ୍ଦଗୀ ବି କଣ ବାବୁ ? କଣ ଅଛି ଏ ମାମୁଲି ଜିନ୍ଦଗୀରେ ?”

 

ପ୍ୟାରେଲାଲ୍‌ର ସ୍ୱର ଓଜନିଆ ଓଜନିଆ ଶୁଭୁଥିଲା ।

 

ଆମେ ଦୁହେଁ ପ୍ୟାରେଲାଲ୍‌ର କଳା ହଳଦିଆ ରଙ୍ଗର ଟ୍ୟାକ୍ସିଟି ଦିଲ୍ଲୀ ମହାନଗରୀର ଭିଡ଼ ଭିତରେ ହଜିଯିବା ପର୍ଯ୍ୟନ୍ତ ଚାହିଁଥିଲୁ ।

 

ବିଚିତ୍ର ଦିଲ୍ଲୀ, ବିଚିତ୍ର ପ୍ୟାରେଲାଲ୍‌ !

☆☆☆

 

ପୁଅ

 

ଦି ଦିନ ହେଲା ସୋମୁ ଆସିନାହିଁ ।

 

ଜୟନ୍ତୀ ଅସ୍ଥିର ହୋଇପଡୁଛି । କୌଣସି କାମରେ ତାର ମନ ଲାଗୁନାହିଁ । ରୋଷେଇରେ, ଘର ସଜେଇବାରେ, ଗଛରେ ପାଣିଦେବାରେ, ଏପରିକି ଛାତ ଉପରେ ଶୁଖୁଥିବା ଲୁଗାପଟାଗୁଡ଼ିକୁ ଗୋଟେଇ ଆଣିବାରେ ମଧ୍ୟ ମନ ହେଉନାହିଁ ।

 

ବାରମ୍ବାର ସେ ଦୁଆରମୁହଁକୁ ଚାହୁଁଛି । ଦରଆଉଜା କବାଟ ମେଲି ରାସ୍ତା ଉପରକୁ ଅନଉଛି । ମାତ୍ର ସୋମୁ ଆସୁନାହିଁ । ସେ ଅସ୍ଥିର ମନରେ ଦରଆଉଜା କବାଟକୁ ଆଉଜେଇ ଦେଉଛି । ଘର ଭିତରକୁ ଆସିବାକୁ ଚାହୁଥିବା ପବନ ଓ ଆଲୁଅକୁ ଦୂର୍‌ଦୂର୍‌ କରି ବିଦା କରିଦେଉଛି ।

 

ଖରାବେଳଟା ବିତୁନାହିଁ ।

 

କୋଉଠି ଗୋଟେ ଡାହୁକ ରହି ରହି ରାବୁଛି । ଏକ୍‌ତାରାର ଏକଟଣା ରାଗ ପରି ଉଦାସ ଶୁଭୁଛି ଡାହୁକର ରାବ । ଷ୍ଟେସନ୍‌ ପ୍ଲାଟ୍‌ଫର୍ମରୁ ଅପ୍‌ କି ଡାଉନ୍‌ ଟ୍ରେନ୍‌ଟିଏ ଛାଡୁଛି । ଇଞ୍ଜିନ୍‌ ଶବ୍ଦରେ ଚାରିପଟର ନିରୁପଦ୍ରବ ନିରବତା ଚହଲି ଯାଉଛି । ଯୋଗୀଟିଏ କଲୋନିର ଘର ଘର ବୁଲି ଭିକ ମାଗୁଛି । ତାର ଲହରିଆ ସ୍ୱରରେ ଟୀକା ଗୋବିନ୍ଦଚନ୍ଦ୍ରର କରୁଣ ପଦଗୁଡ଼ିକ ଆହୁରି କରୁଣ ଶୁଭୁଛି ।

 

ଜୟନ୍ତୀ ଘରର ପରଦା ଟେକି ସୋମୁ ଘରଆଡ଼େ ଚାହିଁଲା । ସୋମୁ ଏବେ କଣ କରୁଥିବ ? ଶୋଇଥିବ ନା ଖାଉଥିବ ! ଖାଉଥିବ ନା ବସିଥିବ ! ବସିଥିବ ନା ଖେଳୁଥିବ ! ଖେଳୁଥିବ ନା ତା ପାଖକୁ ଆସିବା ପାଇଁ ଅଳି କରୁଥିବ ? ନା, ଅଳି କରୁ ନ ଥିବ ସୋମୁ ! ସେପରି କରୁଥିଲେ ଜୟନ୍ତୀ ସୋମୁର ପାଟି ଶୁଣିପାରନ୍ତା । ତାହାହେଲେ କଣ ସୋମୁ ଶୋଇପଡ଼ିଥିବ !

 

ସୋମୁ, ସୋମୁ, ସୋମୁ ।

 

ଜୟନ୍ତୀର ଛାତି ଭିତରଟା କୋରି ହୋଇଗଲା । କୁହୁଳି ଉଠୁଥିଲା ତାର ମନ ଆଉ ଆତ୍ମା । ତାର ସମଗ୍ର ଅସ୍ତିତ୍ୱ ଯେପରି ଅର୍ଥହୀନ ହୋଇ ଝଡ଼ିପଡ଼ୁଥିଲା–ହୁଗୁଳା ଡେମ୍ଫରୁ ମଉଳା ଫୁଲର ପାଖୁଡ଼ା ପରି, ନଈକୂଳର ଶୁଖିଲା ବାଲି ପରି, ରାସ୍ତାର ଧୂଳି ପରି । ସେ ଶାଢ଼ି କାନିରେ ଆଖିପତା ପୋଛିଦେଇ ଆଉ ଥରେ ଦୁଆର ଖୋଲି ରାସ୍ତାକୁ ଚାହିଁଲା ।

 

ବାଟେ ବାଟେ ଯାଉଥିବା ପବନ ଦରଜା ଦେଇ ଜୟନ୍ତୀକୁ ଟିକେ ଚାହିଁଦେଇ ଚାଲିଗଲା-। ରାସ୍ତାକଡ଼ ଗଛମାନେ ଜୟନ୍ତୀର ନିଃସଙ୍ଗତା ଦେଖି ନିରବ ହୋଇଯାଉଥିଲେ । ଟେଲିଫୋନ୍‌ ତାର ଉପରେ ବସିଥିବା ଚଢ଼େଇଟି ଜୟନ୍ତୀକୁ ଥଟ୍ଟା କଲା ପରି ଚେଁ ଚେଁ ରାବି ଉଡ଼ିଯାଉଥିଲା-। ଜୟନ୍ତୀ ମହଣେ ଅଭିମାନ ଓ ଅବସାଦରେ ପୋତି ହୋଇପଡ଼ିଲା । ଦଉଡ଼ି ଦଉଡ଼ି ନିଜ ବିଛଣା ପାଖକୁ ଫେରିଆସି ମୁହଁମାଡ଼ି ଶୋଇପଡ଼ିଲା ।

 

କେତେ ସୁଖମୟ ଥିଲା ତାର ଦିନଗୁଡ଼ିକ ! ପ୍ରଜାପତିର ଅସ୍ଥିର ଡେଣାରେ, କଅଁଳା ବାଛୁରୀର ଚଞ୍ଚଳ ଖୁରାରେ, ବଣି ଚଢ଼େଇର ଅଥୟ ଉଡ଼ାଣରେ ଏବଂ ପରୀକଥାର ପକ୍ଷୀରାଜ ଘୋଡ଼ା ଡେଣାରେ ସମୟ ବିତିଯାଉଥିଲା । ସକାଳ ହେଲାକ୍ଷଣି ସୋମୁ ଆସୁଥିଲା ତା କୋଳକୁ-। ତାପରେ ସୋମୁକୁ କୋଳେଇ, କାଖେଇ, ଲାଉକରି, ତାର ଆଙ୍ଗୁଳି ଧରି ଜୟନ୍ତୀ ଗୋଟିଏ ପରେ ଗୋଟିଏ ଘରକାମ କରିଯାଉଥିଲା । ସେଇ ଖେଳ ଖେଳରେ ପରିବାକଟା, ବେସରବଟା, ଜାଇ ରଗଡ଼ା, ଶାଗ ଖରଡ଼ା, ଲୁଗାଧୁଆ, ଘରଓଳା–ସବୁକାମ ସେ ସାରିଦେଉଥିଲା । ସତେ କି ଜୟନ୍ତୀ ନୁହେଁ, ଛୁ ମନ୍ତର ଜାଣିଥିବା କୋଉ ଯାଦୁକର ସୋମୁ ଓ ଜୟନ୍ତୀର ଖେଳ ଦେଖିବା ପାଇଁ ଆସି କାଉଁରି କାଠି ଛୁଆଁରେ ନିଜେ ସବୁ ଘରକାମ ସାରିଦେଇ ଯାଉଥିଲା !

 

ତାପରେ ଜୟନ୍ତୀ ଓ ସୋମୁ ।

 

ଜୟନ୍ତୀ ଲୁଚୁଥିଲେ ସୋମୁ ଖୋଜେ, ସୋମୁ ଲୁଚିଲେ ଜୟନ୍ତୀ । ଥୁକୁଲୁ ଥୁକୁଲୁ ପାଦରେ ଚାରି ବର୍ଷର ସୋମୁ ଲୁଚକାଳି ଖେଳୁ ଖେଳୁ ଝୁଣ୍ଟିପଡ଼େ । ଖେଳର ନିୟମ ଭୁଲି ସୋମୁ କାନ୍ଦିଉଠେ । ଜୟନ୍ତୀର କଲିଜା ଟିକିଟିକି ହୋଇଯାଏ । ସେ ଆଲମାରି ପଛରୁ ବାହାରି ଆସି ସୋମୁର ଜଖମ ଆଙ୍ଗୁଠିକୁ ଫୁଙ୍କିଦିଏ, ଜିଭ ଲଗେଇ ତାର ଧୂଳି ବଲବଲ ପାଦକୁ ଚାଟିଦିଏ, ମିଛିମିଛିକା ମନ୍ତ୍ର ବୋଲି କହେ, ଏଇନେ ଭଲ ହୋଇଯିବ । ସୋମୁ କାନ୍ଦଣା ଭୁଲି ଜୟନ୍ତୀର ପିଠି ଉପରେ ଲାଉ ହୋଇପଡ଼େ । କହେ, ତୁ ଧରାପଡ଼ିଗଲୁ ମା, ତୁ ଧରାପଡ଼ିଗଲୁ ।

 

ଜୟନ୍ତୀ ଆଖି ବୁଜିଦେଇ ସୋମୁ ତୁଣ୍ଡରୁ ଏଇ ଶବ୍ଦଟି ଘରର ଚାରିକୋଣରେ ହଜିଯିବା ପର୍ଯ୍ୟନ୍ତ କାନଡେରି ଶୁଣେ । ଝରଣାର କୁଳୁକୁଳୁ ପରି, ବଇଁଶୀର ଆଳାପ ପରି, ବର୍ଷାର ରିମ୍‌ଝିମ୍‌ ପରି ସୋମୁ ତୁଣ୍ଡର ଏଇ ‘ମା’ ଶବ୍ଦ ତାକୁ ମୋହାବିଷ୍ଟ କରିଦିଏ । ସେ ସୋମୁକୁ କୋଳରେ ଭର୍ତ୍ତିକରି ତାକୁ ରବର କଣ୍ଢେଇ ପରି ଚିପିଚିପି ପକାଏ । ତାର ଓଠ, ନାକ, କାନ, ମୁଣ୍ଡବାଳ, ଜଙ୍ଘ, ପାଦ, ଗୋଇଠି, ନଖ, ତଳିପା ଓ ଅଣ୍ଟା–ସବୁଠି ନାକ ଘଷି ଗେଲ କରିପକାଏ । ସୋମୁର ବେକମୂଳେ ବୋକ ପରେ ବୋକ ଦେଇ କହେ, ମୋ ସୋମୁ ଆମ୍ବିଳା ଦହି ପରି ବାସୁଛି । ସୋମୁ ଏସବୁ ବୁଝେ ନାହିଁ । ସେ ଉଠିଯାଇ ଡ୍ରେସିଂ ଟେବୁଲ୍‌ ଉପରୁ ପାଉଡର୍‌ ଡବା କି ପାନିଆ ଉଠେଇ ଦୂରକୁ ଛାଟିଦିଏ । ଖାତାର ପୃଷ୍ଠା ଚିରିଦିଏ, କଣ୍ଢେଇର ଚାବି ଫିଙ୍ଗିଦିଏ, କଲମକୁ ପାଟିରେ ପୂରେଇ କାମୁଡ଼ିଦିଏ । ଜୟନ୍ତୀ ଆକଟ କରେ, “ସେମିତି ହଅନା ସୋମୁ, ରହ ମୁଁ ତୋତେ ଚକୋଲେଟ୍‌ ଆଣି ଦେଉଛି । କଲମ ପାଟିରେ ପୂରାନି ।”

 

ଦିପହର ସାରା ଚାଲେ ସୋମୁ ଓ ଜୟନ୍ତୀଙ୍କ ଖେଳ । ହରେକ ପ୍ରକାର ଖେଳ–ଚୋର ପୁଲିସ, କୃଷ୍ଣ ଯଶୋଦା, ଲୁଚାଲୁଚି, ବୁଢ଼ାବୁଢ଼ୀ ଓ ଛୁଆଛୁଇଁ । ଦରହସା ସୋମୁ ହସିଲାବେଳେ ନାକପୁଡ଼ା ଯୋଡ଼ିକ ଟେକି ହୋଇଯାଏ, ବଡ଼ ବଡ଼ ଆଖି ଦୁଇଟି ବୁଜି ହୋଇପଡ଼େ ଓ ଅସ୍ଥିର ହେଲା ପରି ହାତଗୋଡ଼ ହଲାଏ । ଜୟନ୍ତୀ ସୋମୁର ହସ ଦେଖି ଚୁପ୍‌ ହୋଇ ରହିପାରେ ନାହିଁ–ପାଟିକରି ଉଠେ, “ଦରହସାଟା, ଏତେ ଜୋର୍‌ରେ ହସ୍‌ନା । ବାନ୍ତି ହୋଇଯିବ ।”

 

ସୋମୁ ସାଙ୍ଗରେ କେମିତି ଏ ସମ୍ପର୍କ ଗଢ଼ିଉଠିଲା, ସେକଥା ଜୟନ୍ତୀ ଜାଣେ । ମାତ୍ର କେମିତି ସେ ସମ୍ପର୍କ ଯାଇ ତା ଆତ୍ମାରେ ପ୍ରବେଶ କରିଗଲା ସେ ଖବର ସେ ଜାଣେନାହିଁ । ସେଥିପାଇଁ ସେ ବେଳେବେଳେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କହେ, “ସମ୍ପର୍କ ତ ଜନ୍ମ ଜନ୍ମର ପ୍ରଭୁ । ଆରଜନ୍ମରୁ ଆମ ଦିହିଁଙ୍କର ସମ୍ପର୍କ ନ ଥିଲେ ମୁଁ କଣ ତାକୁ ଏ ଜନ୍ମରେ ପାଇଥାଆନ୍ତି !”

 

ନୂଆ ନୂଆ ଏ କଲୋନିକୁ ପରିଡ଼ା ବାବୁ ବଦଳି ହୋଇ ଆସିଥାନ୍ତି । ତାଙ୍କର ସବୁ ଜିନିଷପତ୍ର ଆସି ପହଞ୍ଚି ନ ଥାଏ । ସେଦିନ ସକାଳୁ ସୋମୁର ମା ସୋମୁକୁ ଧରି ଜୟନ୍ତୀ ଘରେ ହାଜର ।

 

ବେଶ୍‌ ଭଲ ଲୋକ । ମେଳାପୀ ସ୍ୱଭାବ । ହସିଲା ହସିଲା ଚେହେରା । ଲମ୍ବା ବାଳ, ବଡ଼ ବଡ଼ ଆଖି ।

 

କଥାବାର୍ତ୍ତା ସାରି ସେ ଫେରିଯାଇଥିଲେ । ସୋମୁ କିନ୍ତୁ ପ୍ରଥମ ଦେଖାରୁ ତାକୁ ଆଦରି ଯାଇଥିଲା । ଜୟନ୍ତୀ ଦେଇଥିବା ଚକୋଲେଟ୍‌କୁ ଚାଟୁ ଚାଟୁ ମୁହଁ ହାତ ବାଲୁବାଲୁ କରି ବସିଥିଲା ।

 

ଜୟନ୍ତୀ ସୋମୁକୁ କୋଳେଇ ଆଣି ନିଜ ପଣତକାନିରେ ତାର ମୁହଁ ପୋଛି ଦେଇଥିଲା-। ସୋମୁର ମା କହିଥିଲେ, “ସେ ତ କଣ ଦେଖୁ ଦେଖୁ ଆପଣଙ୍କୁ ଆଦରିଗଲାଣି । ଥାଉ, ମୁଁ ଆସି ପଛକୁ ନେଇଯିବି ।”

 

ସେତିକିବେଳେ ବୁଢ଼ା ଭିକାରିଟି ଆସି ଜୟନ୍ତୀକୁ ଭିକ ମାଗିଥିଲା । ଆଗ ଦିନମାନଙ୍କରେ ଭିକାରିମାନଙ୍କୁ ଦେଖୁ ଦେଖୁ ଜୟନ୍ତୀ ଚିଡ଼ିଉଠେ–ଆଉ କଣ ଏ ସହରର କୌଣସି କଲୋନି ନାହିଁ ? ଷ୍ଟେସନ୍‌ ପାଖ ବୋଲି ଯିଏ ଯେଉଁଠୁ ଆସୁଛ ଆଗେ ଆସି ଏଇଠି ହାଜର । କିନ୍ତୁ ସେଦିନ ଜୟନ୍ତୀ ଚିଡ଼ି ନ ଥିଲା । ବରଂ ସୋମୁକୁ କାଖେଇ ନେଇ ଘର ଭିତରକୁ ଯାଇଥିଲା ଓ ଟଙ୍କାଟିଏ ଆଣି ଭିକାରିର ହାତକୁ ବଢ଼େଇ ଦେଇଥିଲା ।

 

କୃତଜ୍ଞ ଭିକାରିଟି ସୋମୁ ଆଡ଼େ ଚାହିଁ ପଚାରିଥିଲା, “ତୋ ପୁଅ ନା ମା ! କୋଟି ପରମାୟୁ ହୋଇଥାଉ ।”

 

ଦ୍ୱିଧାଗ୍ରସ୍ତ ଜୟନ୍ତୀ ହଁ କି ନା କଣ କହିବ ବିଚାରୁ ବିଚାରୁ ମୁଣ୍ଡ ନାଡ଼ିଥିଲା–ହଁ ।

 

ଏବଂ ସେଇ ମୁହୂର୍ତ୍ତରୁ ସୋମୁକୁ ସେ ତାର ପୁଅ ବୋଲି ଗ୍ରହଣ କରି ନେଇଥିଲା । ଗୋଟାଏ ମୁହୂର୍ତ୍ତରେ ତାର ଆଠ ବର୍ଷର ଅର୍ଥହୀନ ଘରକରଣା ସୋମୁର ଉପସ୍ଥିତିରେ ଅର୍ଥମୟ ହୋଇ ଉଠିଥିଲା । ଚାହୁଁ ଚାହୁଁ ସେ ନିଜ ଅସାମର୍ଥ୍ୟ, ଅସହାୟତା ଓ ହୀନମନ୍ୟତାକୁ ଅଳିଆ ପରି ଗୋଟେଇ ଗାଟେଇ ଝରକା ବାହାରକୁ ଫିଙ୍ଗି ଦେଇଥିଲା ।

 

ସେଦିନ ନୀଳାମ୍ବର ଅଫିସ୍‌ରୁ ଫେରି ସୋମୁକୁ ଦେଖି ପଚାରିଥିଲା, ପରିଡ଼ାବାବୁଙ୍କ ପୁଅ ନା !

 

ଜୟନ୍ତୀ ନୀଳାମ୍ବରର ଭୁଲ୍‌କୁ ସଂଶୋଧନ କଲାପରି ଚଟାପଟ୍‌ କହିଥିଲା, “ନା, ସେ ମୋ ପୁଅ ।”

 

ନୀଳାମ୍ବର ଜୟନ୍ତୀର ଏ କଥାକୁ ଗ୍ରହଣ କରି ନ ଥିଲା । ସୋମୁର ମୁଣ୍ଡ ବାଳ ଟିକେ ସାଉଁଳେଇ ଦେଇ କହିଥିଲା, “ହଁ, ତମ ପୁଅ ।”

 

ତା ପରଦିନଠାରୁ ସୋମୁର ମା ସୋମୁକୁ ସକାଳୁ ଆଣି ଜୟନ୍ତୀ ଘରେ ଛାଡ଼ିଦେଇ ଯାଉଥିଲେ । ସୋମୁ ବିରୋଧରେ ତାଙ୍କର ଲମ୍ବା ଅଭିଯୋଗ–ଜିନିଷପତ୍ର ଫୋପଡ଼ାଫିଙ୍ଗା କରୁଛି, କିଛି ଗୋଟେ କାମ କରେଇ ଦେଉନାହିଁ । ଆପଣଙ୍କ ପାଖେ ଯେତିକି ସମୟ ରହୁଛି, ସେତିକି ସମୟ ଜାଣନ୍ତୁ ମୁଁ ଟିକିଏ ଶାନ୍ତିରେ ରହିପାରୁଛି । ତାପରେ ସେ ଜୟନ୍ତୀର ଦୁର୍ଦ୍ଦଶା ଲାଘବ କରିବା ଇଚ୍ଛାରେ ପଚାରନ୍ତି, ଆପଣଙ୍କୁ ସେ ହଇରାଣ ହରକତ କରୁନାହିଁ ତ !

 

ସୋମୁକୁ ତଳୁ ଉଠେଇ କୋଳରେ ଧରୁ ଧରୁ ଜୟନ୍ତୀ କହେ, ମୁଁ ତାକୁ ଓଲଟି ହଇରାଣ କରୁଛି । ତା ସ୍ୱାଧୀନତାକୁ ଛଡ଼େଇ ନେଉଛି । ନୁହେଁ ସୋମୁ ?

 

ମଧୁମାଳତୀ ଲଟା ଉପରେ ଖୁଜୁରୁବୁଜୁରୁ ହେଉଥିବା କଙ୍କିର ଲାଞ୍ଜକୁ ଚାହିଁ ସୋମୁ ସବୁ ବୁଝିଲା ପରି କହେ, ହଁ, ହଁ ।

 

ଦିହେଁ ହସନ୍ତି । ସୋମୁର ମା କହନ୍ତି, ସୋମୁକୁ ଆପଣ ରଖନ୍ତୁ । ସେ ଆପଣଙ୍କ ପୁଅ । ଆପଣଙ୍କ କଥା ସେ ମନଦେଇ ଶୁଣୁଛି ।

 

ଜୟନ୍ତୀର ଛାତି ଭିତରେ ଥିବା ଆଶାର ଟୁବିଗାଡ଼ିଆ ସ୍ୱପ୍ନର ବର୍ଷା ପାଣିରେ ଉଛୁଳି ଉଠେ । ଚାରିପଟୁ ଶୀତଳ ଓ ବାସ୍ନାମୟ ପବନ ବହିଆସେ । ସେ ସୋମୁକୁ ଛାତି ଭିତରେ ଚାପିଧରି କହେ, “ହଁ, ହଁ, ସେ ମୋ ପୁଅ ।”

 

ଏବଂ ସତକୁ ସତ ସୋମୁ ତାର ପୁଅ ହୋଇଯାଏ ।

 

ସୋମୁର ସବୁ ଜାମାପଟା, ସବୁ ଖେଳ ଓ ଖେଳଣା, ଚକୋଲେଟ୍‌-ମିଠେଇର ଚାହିଦା ଜୟନ୍ତୀ ପୂରଣ କରେ । ପ୍ରଥମେ ପ୍ରଥମେ ନୀଳାମ୍ବର ଅବଶ୍ୟ ଆପତ୍ତି କରୁଥିଲା, ଖର୍ଚ୍ଚକୁ ଡରି ନୁହେଁ, ଓଲଟି ଏ ଧରଣର ଖର୍ଚ୍ଚ କରିବାର ଯାଥାର୍ଥ୍ୟ ଓ ଜୟନ୍ତୀର ଅଧିକାର ପଣକୁ ଡରି । ମାତ୍ର କ୍ରମେ ସେ ବି ଜୟନ୍ତୀର ଖୁସି, ସୋମୁର ହସ ଓ ଏ ଦୁହିଁଙ୍କ କୋଳାହଳ ପାଖରେ ଆତ୍ମସମର୍ପଣ କରି ଦେଇଥିଲା । ବେଳେବେଳେ ସମୟ ଥିଲେ ସେ ଆସି ସୋମୁ ପାଖରେ ବସୁଥିଲା ।

 

ସୋମୁ ଜୟନ୍ତୀକୁ ଡାକେ ମା, ନୀଳାମ୍ବରକୁ କିନ୍ତୁ ଅଙ୍କଲ୍‌ । ନୀଳାମ୍ବର ହସେ । ଆଠବର୍ଷର ସଂସାର ସତ୍ତ୍ୱେ ବାପ ହୋଇପାରି ନ ଥିବାର ହୀନମନ୍ୟତା କିଛି ସମୟ ଲାଗି ଦୂରଛଡ଼ା ହୋଇଯାଏ । ସୋମୁକୁ କୋଳରେ ଧରି ଶୋଇପଡ଼ିଥିବା ଜୟନ୍ତୀର ନିଦୁଆ ଚେହେରାକୁ ଚାହିଁ ଗୋଟାଏ ଦୀର୍ଘଶ୍ୱାସ ତାର ଛାତି ଥରେଇ ବାହାରି ଆସେ । ସେ ଘରର ଛାତଆଡ଼େ ଚାହିଁ ନିଜକୁ ନିଜେ ପଚାରେ, ଆମେ କଣ ଏତେ ଅଯୋଗ୍ୟ ?

 

କେତେ ସମୟ ସେ ସେଇଠି ସେମିତି ବସିରହେ ଜୟନ୍ତୀ ଜାଣିପାରେ ନାହିଁ । ହଠାତ୍‌ ନିଦ ଭାଙ୍ଗିଗଲେ ସେ ଉଠିପଡ଼ି ଲାଇଟ୍‌ ଜଳାଏ । କହେ, କେତେବେଳୁ ଆସିଲଣି ! ମୋତେ ଡାକିଲ ନାହିଁ ?

 

ନୀଳାମ୍ବର ମିଛଟାରେ କହେ, ନା, ଏଇ ସାଙ୍ଗେ ସାଙ୍ଗେ ଆସିଲି । ଜୟନ୍ତୀ କହେ, ତୁମେ ଲୁଗାପଟା ବଦଳାଅ, ମୁଁ ସୋମୁକୁ ଛାଡ଼ିଦେଇ ଆସେ ।

 

ନୀଳାମ୍ବର ଜାମାପଟା ନ ବଦଳେଇ ଦରଜା ପାଖେ ଯାଇ ଛିଡ଼ାହୁଏ । ଜୟନ୍ତୀ ଫେରିଆସି ତା ପାଖରେ ଠିଆହୁଏ । ଧୀରେ ଧୀରେ ତା କାନ୍ଧକୁ ଛୁଏଁ । ପଚାରେ, “କଣ ଦେଖୁଛ-?”

 

ଦୂର ଆକାଶରେ ଲକ୍ଷ ଲକ୍ଷ ତାରା ମଣିଷ ମନର ଅପୂର୍ଣ୍ଣ ଇଚ୍ଛା ପରି ଚିକ୍‌ଚିକ୍‌ କରୁଥାଆନ୍ତି । ନୀଳାମ୍ବର ଆକାଶଆଡୁ ଦୃଷ୍ଟି ଫେରେଇ ଆଣି କହେ, ‘‘କିଛି ନାହିଁ, ଚାଲ ।’’

 

ଜୟନ୍ତୀ ସେଇସବୁ ପଛକଥାକୁ ଟେପ୍‌ରେକର୍ଡର କ୍ୟାସେଟ୍‌ ପଛକୁ ଘୂରେଇ ଶୁଣିଲା ପରି ମନେ ମନେ ଭାବି ହେଉଥିଲା । ଦୁଆର ଆଡ଼କୁ ଚାହିଁଲାବେଳକୁ ତାକୁ ଲାଗୁଥିଲା ସୋମୁ ଆସି ଛିଡ଼ା ହୋଇଛି । ସେ ଚମକି ପଡ଼ି ଧାଇଁଯାଉଥିଲା ଓ ସୋମୁକୁ କୋଳକୁ ଉଠେଇ ଆଣି ତାର ଦୁଇ ଗାଲରେ ବୋକ ପରେ ବୋକ ଲଦିଦେବାକୁ ବସୁଥିଲା । ପଚାରିବାକୁ ଚାହୁଥିଲା, “କୁଆଡ଼େ ଯାଇଥିଲୁ ତୁ ? ଦି ଦିନ ହେଲା କାହିଁକି ଆସି ନ ଥିଲୁରେ ଧନ ?”

 

କିନ୍ତୁ ସୋମୁ ଆସି ନ ଥିଲା ।

 

।। ଦୁଇ ।।

 

ଜୟନ୍ତୀ ପରିଡ଼ାବାବୁଙ୍କ ଝରକା ସିଧା ଆସି ଛିଡ଼ାହେଲା । ଗାଁରୁ ଆସିଥିବା ସୋମୁର ଜେଜୀମାଙ୍କ ପାଟି ଶୁଭୁଛି । ସେ ଝରକା ଆଉଜେଇଦେଇ କାନ ଡେରିଲା, ସୋମୁର ଜେଜେମା ତାଙ୍କ ବୋହୂକୁ କଣ କହୁଛନ୍ତି । ଆକଟ କଲା ପରି ସୋମୁର ମା ବୁଝାଉଥାନ୍ତି, ଧୀରେ ଧୀରେ କୁହ ବୋଉ, ସେ ଶୁଣିଲେ କଣ ଭାବିବେ ?

 

ବେଳେବେଳେ ପ୍ରତିରୋଧ ଅଭିଯୋଗର ଆଗ୍ରହକୁ ବଢ଼େଇଦିଏ । ସୋମୁର ଜେଜୀମା ଉତ୍ସାହିତ ହେଲା ପରି କହୁଛନ୍ତି, ମୁଁ କଣ ମିଛ କହୁଛି, ନା ଅନ୍ୟାୟ କଥା କହୁଛି ଯେ ଚୋରଙ୍କ ପରି ଚୁପ୍‌ଚାପ୍‌ କହିବି । ମାଆଠୁଁ ଯିଏ ଛୁଆକୁ ବେଶି ଆଦର କରେ ତାକୁ କଣ କହନ୍ତି ଜାଣିଛୁ, ଡାଆଣୀ-। ଗୋଟେ ଆଣ୍ଠୁକୁଡ଼ୀ ବାଞ୍ଝ ପାଖରେ ତୁ କେମିତି ଛୁଆଟାକୁ ସବୁବେଳେ ଛାଡ଼ିଦେଉଛୁ କି ଲୋ-! ତୁ ମା ନା ସାବତ ମା ?

 

ଜୟନ୍ତୀ ଝରକାର କବାଟକୁ ଜୋର୍‌କରି ବନ୍ଦ କରିଦେଲା । ଏଇନେ, ଏଇ ମୁହୂର୍ତ୍ତରେ ସେ ଜନ୍ଦା କି ପିମ୍ପୁଡ଼ିଟିଏ ପାଲଟି ଯାଆନ୍ତା କି ? ଗୋବର ପୋକ କି ଉଇଟିଏ ହୋଇଯାଆନ୍ତା କି-? କୋଉ କୋଣରେ ମୁହଁ ଲୁଚେଇ ଛପି ଯାଆନ୍ତା । ସୋମୁ ଜେଜୀମାର କୌଣସି କଥା ଆଉ ତା କାନକୁ ଶୁଭନ୍ତା ନାହିଁ । ଚାହୁଁ ଚାହୁଁ ସେ ରାଜରାଣୀରୁ ନିଉଛୁଣୀ ଭିକାରୁଣୀ ପାଲଟି ଯାଆନ୍ତା ନାହିଁ-

 

ଜୟନ୍ତୀର ଛାତି ଆଶଙ୍କା ଓ ଅଭିମାନରେ ଉଠୁଥିଲା, ପଡ଼ୁଥିଲା । ଆଖପାଖରେ କୋଉଠି ଭୂମିକମ୍ପ ହୋଇଗଲା ପରି ତାର ଅନୁଭବ ହୋଇଥିଲା । ସେହି ଭୂମିକମ୍ପର ଆଘାତରେ ତାର ଘରଦ୍ୱାର, ଘରକରଣା, ତାର ଆଶା, ଅଭିମାନ, ସ୍ୱପ୍ନ ସବୁକିଛି ଧୂଳିସାତ୍‌ ହୋଇଯାଉଥିଲା । ପ୍ରାଣ ବିକଳରେ ସେ ପରଦାକୁ ଜାବୁଡ଼ି ଧରି କେବଳ କହୁଥିଲା, ସୋମୁ, ସୋମୁ, ପୁଅ ମୋର । ମୋ ପାଖକୁ ଚାଲିଆ । ମୋତେ ଟିକିଏ ତୋଳିଧର ରେ ଧନ, ନ ହେଲେ ତୋ ମା ଏଇ ଘରର କାନ୍ଥତଳେ ଚାପିହୋଇ ମରିଯିବ ।

 

ସେଦିନ ଆଉ ସୋମୁ ଆସିଲା ନାହିଁ ।

 

ତା ପରଦିନ ନୁହେଁ । ତା ପରଦିନ ବି ନୁହେଁ ।

 

ନୀଳାମ୍ବର ପଚାରିଲା, ଆଜି ତମ ପୁଅ ଆସିନାହିଁ କି ? ଧରାପଡ଼ିଯାଇଥିବା ଚୋର ପରି ପ୍ରଶ୍ନଟାକୁ ବାଆଁରେଇ ଯାଉ ଯାଉ ଜୟନ୍ତୀ କହିଲା, ପଢ଼ାପଢ଼ି କରୁଥିବ । ପରିଡ଼ାବାବୁ କହୁଥିଲେ, ଏଇ ପହିଲାରେ ତା ନାଆଁ ନର୍ସରୀରେ ଲେଖାହେବ ।

 

ନୀଳାମ୍ବର ଚାଲିଗଲା । କିନ୍ତୁ ଜୟନ୍ତୀ ଯାଇପାରିଲା ନାହିଁ । ତା କାନ ପାଖରେ ବାରମ୍ବାର ସୋମୁ ଜେଜେମାର ସେଇ କଥା ଦି ପଦ ହାତୁଡ଼ିର ପାହାର ପରି ଦୁମ୍‌ଦୁମ୍‌ ଶୁଭିଯାଉଥିଲା । ତାକୁ ଲାଗୁଥିଲା ସତକୁ ସତ ସେ ଡାଆଣୀ ପାଲଟି ଯାଇଛି, ଡାଆଣୀ । ତା ନଜର ପଡ଼ିଲେ ସୋମୁ ବଢ଼ିପାରିବ ନାହିଁ । ତାର ହସିଲା ଚେହେରା ଶୁଖି କଳାକାଠ ପଡ଼ିଯିବ ।

 

ଆଉ କିଛି ଭାବିପାରିଲା ନାହିଁ ଜୟନ୍ତୀ । ସୋମୁ ନ ଆସୁ । ଦୂରରେ ଥିଲେ ବି ଭଲରେ ଥାଉ, ହସୁଥାଉ, ଖେଳୁଥାଉ, ନାଚୁଥାଉ, ନାଚି ନାଚି ଗଡ଼ୁଥାଉ ।

 

ତାର ଆଖିଯୋଡ଼ିକ ଘରସାରା ଖେଳିବୁଲୁଥିଲା । ସବୁଠି ସୋମୁର ଖେଳଣା, ତାର ଲୁଗାପଟା । ସବୁଠି ତାର ହାତଛୁଆଁ । ଯୋଉଠିକୁ ଚାହିଁଲେ ସୋମୁ ଦିଶିଯାଉଛି । ସତେ କି ସୋମୁକୁ ଛାଡ଼ି ତା ଜୀବନର ଅର୍ଥ କିଛି ନାହିଁ !

 

ଏମିତି ଚାହୁଁ ଚାହୁଁ ତାର ସ୍ୱପ୍ନ ସରିଯିବ, ଫୁଲଗଛଟି ମରିଯିବ ଦେଖୁ ଦେଖୁ–ସେକଥା କୌଣସି ଦିନ ଜୟନ୍ତୀ କଳ୍ପନା କରି ନ ଥିଲା । ଗୋଟେ ବିକଳ ଚିତ୍କାର ତା ଛାତି ଭିତରୁ ବାହାରି ସମଗ୍ର ପୃଥିବୀକୁ ଚିର୍‌ଚିରେଇ ଦେବା ପାଇଁ ଛାଟିପିଟି ହେଉଥିଲା । ସେ ନିଜର ଦୁଇ ଆଖିକୁ ପାପୁଲିରେ ଘୋଡ଼େଇ ମନକୁ ମନ ସାନ୍ତ୍ୱନା ଦେଉଥିଲା–ଥୟ ଧର ଜୟନ୍ତୀ, ଥୟ ଧର । ଏମିତି କଣ କେହି ବିକଳ ହୁଏ ?

 

କିନ୍ତୁ ତାର ମନ ବୁଝୁ ନ ଥିଲା । ଆଖି ଆଗରେ ସୋମୁର ହସ ହସ ଚେହେରା, ତାର ବଡ଼ ବଡ଼ ଆଖି, କାନ ପାଖରେ ତାର ଦରୋଟି ଶବ୍ଦ, ନାକ ଆଗରେ ତା ଦେହର ଆମ୍ବିଳା ଦହିର ବାସ୍ନା ମିଳିମିଶି ଜୟନ୍ତୀକୁ ଅଥୟ କରିଦେଉଥିଲା । ସେ ଉଠିଯାଇ ଝରକା ବାଟେ ଉଙ୍କିମାରି ଚାହୁଁଥିଲା, କାଳେ ସୋମୁ ତାଙ୍କ ଘରର ଝରକା ପାଖେ ଛିଡ଼ା ହୋଇଥିବ କି ଖେଳୁଥିବ । କିନ୍ତୁ ଯେତେଥର ଚାହିଁଲେ ବି ସେ ସୋମୁକୁ ଦେଖୁ ନ ଥିଲା । ତାଙ୍କ ଘରର କାନ୍ଥ, ଝରକା, ପରଦା ଓ ସୋମୁ ବାପାଙ୍କର ସ୍କୁଟର ଦେହରେ ଧକ୍କା ଲାଗି ତାର ଦୃଷ୍ଟି ଫେରି ଆସୁଥିଲା ।

 

ଏଣିକି ଜୟନ୍ତୀ କେବଳ ଗୋଟେ ଚାବିଦିଆ ଖେଳଣା ପରି ତାର କାମ କରିଯାଉଥିଲା-। ନୀଳାମ୍ବର ଜୟନ୍ତୀର ଏ ଉଦାସପଣିଆର ଅର୍ଥ ଯେ ବୁଝୁ ନ ଥିଲା ନୁହେଁ, କିନ୍ତୁ ସବୁ ଜାଣିଶୁଣି ସେ ନିରବ ରହୁଥିଲା । ମନକୁ ମନ ବୁଝାଇବାକୁ ଚେଷ୍ଟା କରୁଥିଲା, ସବୁର ଆରମ୍ଭ ଅଛି, ଶେଷ ଅଛି । ଇଏ ବି ସେମିତି ଆରମ୍ଭ ହୋଇ ପୁଣି ଶେଷ ହୋଇଯାଇଥିବା ଗୋଟେ ଘଟଣା-। ତାକୁ ନେଇ ଭାବି ବସିବାରେ କିଛି ଅର୍ଥ ହୁଏ ନାହିଁ ।

 

କିନ୍ତୁ ଯେତେ ବୁଝେଇଲେ ବି ଜୟନ୍ତୀ ସେକଥା ବୁଝୁ ନ ଥିଲା । ସେ ବରାବର ନୀଳାମ୍ବରକୁ କହୁଥିଲା, ସେ ନ ଆସିଲା ବୋଲି ତୁମେ ଟିକେ ଯାଇ କଣ ଦେଖି ଆସିପାରନ୍ତ ନାହିଁ-? ପିଲାଟା ଏତେଦିନ ହେଲା ଆସିନାହିଁ, ତା ଦେହପା ଭଲ ଅଛି କି ନାହିଁ ଟିକିଏ ଖବର ବୁଝନ୍ତ ନାହିଁ ! କେଡ଼େ ନିଷ୍ଠୁର ଲୋକ ତୁମେ !

 

ଜୟନ୍ତୀକୁ ବୁଝାଶୁଝା କରିବା ପାଇଁ ଏଣୁତେଣୁ ଦି ପଦ କହି ନୀଳାମ୍ବର କଥାଟା ଟାଳିଦିଏ । ସେ ଏ କଥା ଜାଣି ଜାଣି କହେ ନାହିଁ ଯେ, ତା ଭିତରେ ବି ଗୋଟେ ଡହଳବିକଳ ବାପାପଣ ଅଛି । ସେ ବି ସୋମୁକୁ ଦେଖିବାଲାଗି ଅଥୟ ଅସ୍ଥିର । ସେ ଏକଥା ବି କହେନାହିଁ, ଏବେ ପରିଡ଼ାବାବୁଙ୍କ ଘରକୁ ଗଲେ ସୋମୁର ମା ଜାଣିଶୁଣି ସୋମୁକୁ ମେଲାଘରକୁ ପଠାନ୍ତି ନାହିଁ । ତାକୁ ଆକଟ କରି ଭିତରେ ଲୁଚେଇ ରଖନ୍ତି ।

 

କାହାର ଚିତ୍କାର ଶୁଣି ଜୟନ୍ତୀ ଚମକିପଡ଼ିଲା । ଏ ତ ସୋମୁର ପାଟି ଶୁଭୁଛି । ସୋମୁ କଣ ତାଙ୍କ ଘରକୁ ଆସିଛି !

 

ତରତର ପାଦରେ ଜୟନ୍ତୀ ମେଲାଯାଏ ଚାଲିଆସିଲା । ନା, ସୋମୁର ପାଟି ତାଙ୍କ ଘର ଭିତରୁ ଶୁଭୁଛି । ସେ ନୀଳାମ୍ବରକୁ ଡାକି ପଚାରିଲା, ସୋମୁ ଏମିତି ପାଟି କରୁଛି କାହିଁକି ?

 

ନୀଳାମ୍ବର ଜୟନ୍ତୀକୁ ଚାହିଁଲା । ଜୟନ୍ତୀ କେତେଦିନ ହେଲା ମୁଣ୍ଡ କୁଣ୍ଡେଇ ନାହିଁ । ଲୁଗାପଟା ଲୋଚାକୋଚା ଦିଶୁଛି । ଆଖି ଯୋଡ଼ିକ ଫୁଲି ବିକୃତ ଦିଶୁଛି । ସେ ପ୍ରଶ୍ନକୁ ଆଡ଼େଇ ଆକଟ କଲାପରି କହିଲା, “ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ ଜୟନ୍ତୀ । ଏମିତି ଗୋଟେ ଅସମ୍ଭବ କଥାକୁ ଧରି ରଖି ନିଜକୁ କଷ୍ଟ ଦେବାର କିଛି ଅର୍ଥ ହୁଏ ନାହିଁ । ତୁମେ ବସ, ମୁଁ ଯାଇ ବୁଝି ଆସୁଛି ।”

 

ସେତିକିବେଳେ ଧୂମାଳିଆ ପବନ ଦଲକାଏ ଝରକା ଦେଇ ପଶି ଆସିଲା । ନୀଳାମ୍ବର ବାହାରକୁ ଚାହିଁ କହିଲା, ଝଡ଼ ଆସୁଛି । ଝରକା କବାଟ ବନ୍ଦ କରିଦିଅ ।

 

ନୀଳାମ୍ବରର ଆଶଙ୍କା ସତ ଥିଲା । ଅନହୁତି ଝଡ଼ତୋଫାନ ସୁ ସୁ ହୋଇ ଗଛଲଟାମାନଙ୍କୁ ଦୋହଲେଇ ଦେଉଥିଲା । ଟେଲିଫୋନ୍‌, ଇଲେକ୍‌ଟ୍ରିକ୍‌ ତାର ସବୁ ସୂତାଖିଅ ପରି ଦୋହଲୁଥିଲେ । ରଡ଼ରାଡ଼ ହୋଇ କଦଳୀ, ସଜନା ଓ ଅମୃତଭଣ୍ଡା ଗଛ ଭାଙ୍ଗିପଡୁଥିଲା । ଧୂଳି ବାଲିରେ ପୋତିହୋଇ ପଡ଼ୁଥିଲା ଘରଦ୍ୱାର । ଝଡ଼ ଟିକିଏ ଶାନ୍ତ ହେଲାପରେ ମୁଷଳ ଧାରାରେ ବର୍ଷା ବର୍ଷୁଥିଲା ।

 

ଜୟନ୍ତୀ କାନଡେରି ଝଡ଼ବର୍ଷାର ଶବ୍ଦ ଶୁଣୁଥିଲା । କିନ୍ତୁ ଏ ଶବ୍ଦଠାରୁ ଆହୁରି କଠୋର ଏବଂ ତୀବ୍ର ଶବ୍ଦ କରି ତା ମନ ଭିତରେ ଝଡ଼ଟେ ବୋହୁଥିଲା । ସେଇ ଝଡ଼ର ଆଘାତରେ ତାର ବିଶ୍ୱାସ ଓ ବାତ୍ସଲ୍ୟ ଦୁର୍ବଳ ଅମୃତଭଣ୍ଡା ଗଛ ପରି ରଡ଼ମଡ଼ ହୋଇ ଭାଙ୍ଗିପଡୁଥିଲା ।

 

ନୀଳାମ୍ବର ଫେରି ଆସିଲା । ତାକୁ ଦେଖୁ ଦେଖୁ ଜୟନ୍ତୀ ପଚାରିଲା, ସୋମୁର କଣ ହେଇଛି ?

 

ନୀଳାମ୍ବର କହିଲା, “ସୋମୁର ଦେହ ଭଲ ନାହିଁ । ଜ୍ୱର ।”

 

ଜୟନ୍ତୀ ଚମକି ପଡ଼ି ପଚାରିଲା, କେତେଦିନ ହେଲାଣି ?

 

: ତିନିଦିନ ।

 

: କମୁନାହିଁ ?

 

: କମୁଛି ପୁଣି ବଢ଼ିଯାଉଛି ।

 

: ଡାକ୍ତର ପାଖକୁ ନେଇଥିଲେ ?

 

: ହଁ ।

 

: ଡାକ୍ତର କଣ କହିଲେ ?

 

: ଔଷଧ ଲେଖିଦେଇ ଯାଇଛନ୍ତି ।

 

: ତୁମେ ସୋମୁକୁ ଦେଖିଲ ?

 

: ନା, ସେ ଶୋଇପଡ଼ିଥିଲା ।

 

: ତୁମେ ଟିକେ ଦେଖିଆସିଲ ନାହିଁ !

 

ନୀଳାମ୍ବର ଚିଡ଼ିଉଠିଲା । ନିଜର ହୀନମନ୍ୟତାକୁ ଘୋଡ଼େଇ ପକେଇବାର ଚେଷ୍ଟା କରୁ କରୁ କହିଲା, ତୁମେ କାମ ସାରିଲ, ରାତି ବହୁତ ହେଲାଣି ।

 

ନୀଳାମ୍ବର ଶୋଇପଡ଼ିଲା । କିନ୍ତୁ ଜୟନ୍ତୀ ଆଖିକୁ ନିଦ ଆସୁ ନ ଥିଲା । ତା ମନଟା ଥରେ ସୋମୁକୁ ଯାଇ ଦେଖି ଆସିବା ପାଇଁ ଡହଳବିକଳ ହେଉଥିଲା । ତିନିଦିନ ହେଲା ପିଲାଟା ଦେହରୁ ଜ୍ୱର ଓହ୍ଲାଉ ନାହିଁ, ସେ ଡାକ୍ତର କି ଔଷଧ ଦେଉଛି ! ନୀଳାମ୍ବରକୁ ଉଠେଇ ଆଉ କିଛି ପଚାରିବା ପାଇଁ ତାର ସାହସ ହେଉ ନ ଥିଲା । ସେ ନିଜକୁ ନିଜେ ସକାଳ ଯାଏ ପ୍ରସ୍ତୁତ କରି ରଖୁଥିଲା ଓ ମନେ ମନେ ଜଗନ୍ନାଥଙ୍କୁ ଡାକୁଥିଲା । ସେଇ କାଳିଆ ଠାକୁରେ ତା ସୋମୁ କଥା ବୁଝିବେ ।

 

ଜୟନ୍ତୀ ବିଛଣାରୁ ଉଠିଯାଇ ଧୂପକାଠି ଯୋଡ଼ିଏ ଠାକୁରଙ୍କ ଫଟୋ ଆଗରେ ଜାଳିଦେଇ କହିଲା, ସୋମୁର ରୋଗ ବୈରାଗ ସବୁ ଝାଡ଼ିଝୁଡ଼ି ମୋତେ ଦେଇଦିଅ ଠାକୁରେ, ମୋ ଛୁଆଟିକୁ ଭଲ କରିଦିଅ ।

 

କ୍ଷୀରବାଲା ସବୁଦିନ ପରି ସକାଳୁ କ୍ଷୀର ନେଇ ଆସିଥିଲା । ଜୟନ୍ତୀ କହିଲା, ବାବୁ ଅଛନ୍ତି ରଖିବେ । ମୁଁ ଟିକିଏ ଆସୁଛି ।

 

ସୋମୁଙ୍କ ମେଲାଘର କବାଟ ମୁକୁଳା ଥିଲା । ସୋମୁ ଖଟ ଉପରେ ଶୋଇଥିଲା ଓ ତା ମା ତା ପାଖରେ ବସିଥିଲେ ।

 

ଜୟନ୍ତୀକୁ ଦେଖୁ ଦେଖୁ ତା ମା ସୋମୁକୁ ଟେକିଧରି ଭିତର ଘରକୁ ନେଇଗଲେ । ଦୁର୍ବଳିଆ ଚଢ଼େଇର ଡେଣାପରି ସୋମୁର ହାତ ଯୋଡ଼ିକୁ ଦେଖି ଜୟନ୍ତୀର ଛାତି ହାହାକାର କରିଉଠିଲା ।

 

ସେ ସୋମୁର ବାପାଙ୍କୁ ପଚାରିଲା, ଜ୍ୱର ଛାଡ଼ୁନାହିଁ ?

 

ପରିଡ଼ାବାବୁ ଭାଙ୍ଗିପଡ଼ିଲେ । ସେ ମୁହଁ ତଳକୁ କରି ନିରବ ରହିଲେ । କିଛି କହିଲେ ନାହିଁ । ଜୟନ୍ତୀ କହିଲା, ମୁଁ ଟିକେ ସୋମୁକୁ... ।

 

“ତା ଦେହ ତ ଭଲ ନାହିଁ, ଦେଖିବେ କଣ ?” –ସୋମୁର ମା ଫେରିଆସି କହୁଥିଲେ ।

 

ଜୟନ୍ତୀ ସ୍ତବ୍ଧ ହୋଇଗଲା । ଏଇ ତ ସେଇ ସୋମୁର ମା, ଯିଏ ଦିନେ ନିଜ ଆଡ଼ୁ ସୋମୁକୁ ତା କୋଳକୁ ଟେକିଦେଇଥିଲେ । ଆଜି ସୋମୁକୁ ଥରୁଟେ ଦେଖିବା ପାଇଁ ବି ସେ ତାକୁ ଛାଡ଼ୁ ନାହାନ୍ତି ।

 

ଚରମ ଅପମାନ ଓ ଲଜ୍ଜାରେ ଝାଉଁଳି ପଡ଼ିଥିବା ଜୟନ୍ତୀ ଯେମିତି ଯାଇଥିଲା ସେମିତି ଚାଲିଆସିଲା । ନିଜ ଘରଦୁଆର ସାମ୍ନାରେ ନୀଳାମ୍ବର ଆଖି ବଡ଼ ବଡ଼ କରି ଚାହିଁଥିଲା । ତାକୁ ଦେଖୁ ଦେଖୁ କହିଉଠିଲା, “ଏବେ ମନ ବୁଝିଲା ? ନିଜେ ତ ପାଗଳୀ ହୋଇଛ, ଏ ଦୁନିଆସାରା ଲୋକଙ୍କୁ ପାଗଳ କରି ଛାଡ଼ିବ, ଯାଅ ।”

 

ଜୟନ୍ତୀ ହାତ ପାପୁଲିରେ କାନ୍ଦ ଚାପିଧରି ଭିତରକୁ ପଳେଇଲାବେଳେ ଶୁଣିଲା, ନୀଳାମ୍ବର ନିଜକୁ ନିଜେ କହୁଛି, “ଏଠୁ ଟ୍ରାନ୍‌ସ୍‌ଫର୍‌ ହୋଇଯିବା ଲାଗି ମୁଁ ଆଜି ଦରଖାସ୍ତ କରିଦେଇଛି । ଏଇ ମାସ ଶେଷ ସୁଦ୍ଧା ବଦଳି ହୋଇଗଲେ ମଣିଷ ରକ୍ଷା ପାଇଯିବ । ଏ ପାଗଳୀକୁ ନେଇ ମଣିଷ ବଞ୍ଚିପାରିବ ନାହିଁ ।”

 

।। ତିନି ।।

 

ଦି ଥର ‘ସୋମୁ’ ବୋଲି ଚିତ୍କାର କରି ଜୟନ୍ତୀ ପୁଣିଥରେ ମୂର୍ଚ୍ଛା ହୋଇଗଲା ।

 

ନୀଳାମ୍ବର ଗୋଟେ ବୁଦ୍ଧିଶୂନ୍ୟ ସାନପିଲା ପରି ନିଜ ସ୍ତ୍ରୀର ଦଶା ଦେଖି ପଥର ପାଲଟି ଯାଇଥିଲା ।

 

ଗତକାଲି ସଞ୍ଜଠୁଁ ଜୟନ୍ତୀ ଏମିତି ଥରକୁ ଥର ମୂର୍ଚ୍ଛା ଯାଉଛି । ସୋମୁ ମରିଯିବା ଖବର ଶୁଣିଲା ପରେ ଜୟନ୍ତୀ ଭାଙ୍ଗିପଡ଼ିବ ବୋଲି ସେ ଭଲ ଭାବେ ଜାଣିଥିଲା । ମାତ୍ର ସେ ଦୁର୍ଦଶା ଏପରି ଭୟଙ୍କର ହେବ ବୋଲି ନୀଳାମ୍ବର କଳ୍ପନା କରିପାରି ନ ଥିଲା ।

 

ସାତ ଦିନ ସାତ ରାତି ଜ୍ୱରରେ ପଡ଼ିବା ପରେ କାଲି ସଞ୍ଜବେଳେ ସୋମୁ ଆଖି ବୁଜିଦେଲା । ଶେଷ ପର୍ଯ୍ୟନ୍ତ ଡାକ୍ତର କହୁଥିଲେ–ପିଲାଟା ଭଲ ହୋଇଯିବ । ଅଥଚ...

 

ନୀଳାମ୍ବର ଜୟନ୍ତୀର ମୁହଁ, ଆଖି ଓ ମୁଣ୍ଡ ଉପରେ ପାଣି ଛିଞ୍ଚିଦେଲା । ସ୍ତ୍ରୀର ଅବସ୍ଥା ଦେଖି ସେ ବିବ୍ରତ ହୋଇପଡ଼ିଥିଲା । ଏତେ ସକାଳୁ ସକାଳୁ ସେ କାହାକୁ ଡାକିବ, ତାହା ଚିନ୍ତା କରିପାରୁ ନ ଥିଲା ।

 

ହଠାତ୍‌ ମନେପଡ଼ିଲା, କଲୋନିର ଶେଷ ମୁଣ୍ଡରେ ମହାପାତ୍ର ବାବୁ ରହନ୍ତି । ଏବେ ନୂଆ ହୋଇ ସେ ଇ.ଏସ୍‌.ଆଇ. ହସ୍‌ପିଟାଲ୍‌କୁ ବଦଳି ହୋଇ ଆସିଛନ୍ତି ।

 

ନୀଳାମ୍ବର କବାଟ ଆଉଜେଇ ନେଇ ସ୍କୁଟର ଷ୍ଟାର୍ଟ କଲା ।

ପରିଡ଼ାବାବୁଙ୍କ ଘରକୁ ଗୋଟେ ଭୟଙ୍କର ନିର୍ଜନତା ଘେରି ରହିଥିଲା । ସେ ଆଡ଼କୁ ଚାହିଁବା ପାଇଁ ସୁଦ୍ଧା ତାର ସାହସ କୁଳଉ ନ ଥିଲା ।

ନୀଳାମ୍ବର ଯିବାର କିଛି ସମୟ ପରେ ଜୟନ୍ତୀ ଆଖି ଖୋଲି ଚାହିଁଲା । ତା ଆଖି ଆଗରେ କେବଳ ସୋମୁର ଚେହେରା ହିଁ ନାଚିଯାଉଥିଲା । ତାର ଟିପିଟିପିକା ଜାମା, ତାର ଢିଲା ପ୍ୟାଣ୍ଟ୍‌, ତାର ଧଳା ରବର ଜୋତା ଓ କୁଞ୍ଚୁକୁଞ୍ଚିଆ ବାଳ ସବୁ ସ୍ପଷ୍ଟ ଦିଶିଯାଉଥିଲା । ସେ ଆଉ ଥରେ ଚିତ୍କାର କରି ଉଠିଲା, ସୋମୁ, ଧନ ମୋର !

ଡାକ୍ତର ମହାପାତ୍ର ଆସି ଜୟନ୍ତୀକୁ ଦେଖୁ ଦେଖୁ କହିଲେ, ମାଡାମ୍‌ ଏତେ ଦୁର୍ବଳ ଦିଶୁଛନ୍ତି କାହିଁକି ?

ନୀଳାମ୍ବର କିଛି ନ କହି ଚଉକିଟେ ଭିଡ଼ି ଆଣିଲା । ଡାକ୍ତର ମହାପାତ୍ର ଜୟନ୍ତୀର ହାତଟେକି ଧରି ଧୀର ସ୍ୱରରେ କହିଲେ, ଟିକିଏ ମୋ ଆଡ଼େ ଚାହିଁଲେ, ଆଖି ଖୋଲି ।

ଜୟନ୍ତୀ ଚାହିଁଲା । ତାକୁ ଡାକ୍ତର ମହାପାତ୍ରଙ୍କ ଚେହେରା ହଠାତ୍‌ ସୋମୁର ଚେହେରା ପରି ଦିଶିଗଲା । ସେ ଧୀର ଗଳାରେ ଡାକିଲା–କିଏ ସୋମୁ !

: ସୋମୁ କିଏ ? –ଡାକ୍ତର ମହାପାତ୍ର ରୁମାଲରେ ହାତ ପୋଛୁ ପୋଛୁ ନୀଳାମ୍ବରକୁ ପଚାରୁଥିଲେ ।

ନୀଳାମ୍ବର କହିଲା, “ସେ ବହୁତ କଥା । ମୁଁ ଆପଣଙ୍କୁ ସବୁ କହିବି । ଏବେ ଦୟାକରି କୁହନ୍ତୁ ତାଙ୍କର କଣ ହୋଇଛି ?”

ଡାକ୍ତର ମହାପାତ୍ର ଜୟନ୍ତୀଙ୍କୁ ଭଲକରି ଚାହିଁଲେ । ତାପରେ କେତୋଟି ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ । ମାସ ଗଡ଼ିଯିବା ଘଟଣା ସହ ଜୟନ୍ତୀଙ୍କ ଚେହେରାର ଲକ୍ଷଣ ମିଶିଯାଉଥିଲା । ସେ ଏଥର ନୀଳାମ୍ବର ଆଡ଼କୁ ଚାହିଁଲେ ।

ନୀଳାମ୍ବର ପୁଣିଥରେ ପଚାରିଲା, “ବିପଦ ନାହିଁ ତ !”

: ନା, ମହାନ୍ତିବାବୁ । ମୋର ଧାରଣା ଆପଣଙ୍କ ମିସେସ୍‌ କନ୍‌ସିଭ୍‌ କରିଛନ୍ତି । ତଥାପି ଏଇ କେତେଟା ପରୀକ୍ଷା କରେଇ ନେବ, ଲେଖି ଦେଉଛି । ସେ ଭୀଷଣ ଦୁର୍ବଳ ହୋଇପଡ଼ିଛନ୍ତି । ଆପଣ ଟିକିଏ ଅଧିକ ଯତ୍ନ ନେବେ ।

ନୀଳାମ୍ବର ନିଜ କାନକୁ ବିଶ୍ୱାସ କରିପାରୁ ନ ଥିଲା । ସେ ଡାକ୍ତରଙ୍କୁ ଫାଟକ ପାଖରେ ଛାଡ଼ି ଜୟନ୍ତୀ ପାଖକୁ ଗଲାବେଳକୁ ଜୟନ୍ତୀ ତା ବିଛଣାରେ ନ ଥିଲା । ନୀଳାମ୍ବର ଶୋଇବା ଘରୁ ମେଲାଘରକୁ ଆସିଲା । ମେଲାଘରେ ବି ଜୟନ୍ତୀ ନ ଥିଲା । ଏଥର ସେ ଠାକୁର ଘରକୁ ଗଲା । ତାର ଅନୁମାନ ସତ ଥିଲା । ଜୟନ୍ତୀ ଜଗନ୍ନାଥଙ୍କ ଫଟୋ ଆଗରେ ଆଖିବୁଜି ପ୍ରାର୍ଥନା କରୁଥିଲା ।

ନୀଳାମ୍ବର ଫେରି ଆସୁ ଆସୁ ଶୁଣିଲା, ଜୟନ୍ତୀ କହୁଛି, “ମାଆର ନିନ୍ଦା ଲାଗି ତୁ କାହିଁକି ଏ ମାୟା କଲୁରେ ସୋମୁ ! କାହିଁକି ତୁ ପରଲୋକଙ୍କ କଥା ଶୁଣି ଏମିତି କଲୁ ? ଏମିତି ମୋ କୋଳକୁ ନ ଆସି ତୁ ହେଲେ ତୋ ସାଙ୍ଗରେ ମୋତେ ନେଇଯାଇଥାଆନ୍ତୁ !”

☆☆☆

 

ଘରଟିଏ

 

ସେ ଘରର କାମ ଆରମ୍ଭ ହେବାର ଦଶବର୍ଷ ପୂରିଯାଇଥିଲା, ତଥାପି ଘର ତିଆରି କାମ ସରୁ ନ ଥିଲା । ବୃନ୍ଦାବନପୁର ଗାଁର ଲୋକମାନେ ଘରଟାକୁ ଆଜିକାଲି ପରିହାସରେ କୋଣାର୍କ ଦେଉଳ ବୋଲି କହୁଥିଲେ । ପ୍ରତିଦିନ ସେଠି ମୂଲିଆ ମିସ୍ତ୍ରୀ ଲାଗୁଥିଲେ, ପ୍ରତିଦିନ ସକାଳୁ ସଞ୍ଜଯାଏ ଠକ୍‌ ଠକ୍‌ ଶବ୍ଦ ଶୁଭୁଥିଲା, ପ୍ରତିଦିନ କିଛି ନା କିଛି ଭଙ୍ଗାଗଢ଼ା କାମ ସେଠି ଚାଲିଥିଲା, ତଥାପି କାମ ସରୁ ନ ଥିଲା ।

ପ୍ରାୟ ଦୁଇ ଏକର ଜମି ଉପରେ ତିଆରି ଚାଲିଥିଲା ଭବ୍ୟ ସୌଧ ଓ ସେ ସୌଧର ଚାରିପଟେ ସୁଦୃଶ୍ୟ ବଗିଚା ।

ଆମେ ଘରୁ ବାହାରି ମୁଖ୍ୟରାସ୍ତାକୁ ଯିବା ବାଟରେ ସେହି କୋଠାଘରର ଫାଟକ କଡ଼ ଦେଇ ଯାଉ । ସହରକୁ ଗାଁକୁ ଫେରିବା ରାସ୍ତାରେ ପୁଣିଥରେ ସେଇ ଘର ଆଗ ଦେଇ ଆମ ଘରକୁ ଫେରୁ । ସେ ବାଟଦେଇ ଯା-ଆସ କରୁଥିବା ଆମ ପରି ଗାଁର ଅନ୍ୟ ଲୋକମାନେ ମଧ୍ୟ ସେ କୋଠାକୁ ଚାହାଁନ୍ତି । ତାର ଚମତ୍କାର ନିର୍ମାଣ ଶୈଳୀକୁ ଈର୍ଷା ଓ ପ୍ରଶଂସା ମିଶା ଆଖିରେ ଦେଖନ୍ତି ଓ ତାପରେ ନିଜ ନିଜ ରାସ୍ତାରେ ଯାଆନ୍ତି ।

ଆମର ଏ କୋଠାସାଙ୍ଗେ ଗୋଟେ ବିଶେଷ ସମ୍ପର୍କ । ଦଶବର୍ଷ ତଳେ ଆମେ ‘ବୃନ୍ଦାବନ କଲୋନି’ରେ ଭଡ଼ାଘର ନେଇ ରହୁଥିଲୁ । ବୃନ୍ଦାବନପୁର ଗାଁ ପାଖରେ କଲୋନିଟି ଗଢ଼ି ଉଠିଥିବାରୁ ଏ କଲୋନିର ନାଁ ବୃନ୍ଦାବନପୁର କଲୋନି । କଲୋନିଟି ସହରଠାରୁ ଟିକିଏ ଦୂରରେ, ସେଇଥିପାଇଁ ଶସ୍ତା ଦରରେ ଭଡ଼ାଘର ମିଳୁଥିଲା । କିନ୍ତୁ ଚାହୁଁ ଚାହୁଁ ସହର ବଢ଼ିଗଲା । ବୃନ୍ଦାବନପୁର ଗାଁ ପାଖରେ ତିଆରି ହେଲା ନୂଆ ବସ୍‌ଷ୍ଟାଣ୍ଡ୍‌, ନୂଆ ମାର୍କେଟ୍‌ । ଯୋଉ ଘରମାଲିକମାନେ ଏପଟ ଜାଗାଟା ନିଛାଟିଆ ବୋଲି କଲୋନିର ଘରକୁ ଶସ୍ତା ଦରରେ ଭଡ଼ା ଦେଇ ନିଜେ ସହର ଭିତରେ ରହୁଥିଲେ, ସେମାନେ ଫେରିଆସିଲେ ଓ କେତେ ପ୍ରକାର ବାହାନା କରି ଭଡ଼ାରେ ରହୁଥିବା ଲୋକଙ୍କୁ ହଟେଇ ନିଜେ ରହିଲେ ।

ଆମେ ସେ କଲୋନି ଛାଡ଼ି ଆସିବୁ ନାହିଁ ବୋଲି ତିନି ତିନି ଥର ଘର ବଦଳେଇଥିଲୁ । ପ୍ରଥମେ ଥିଲୁ ପଣ୍ଡାବାବୁ ଘରେ । ପଣ୍ଡାବାବୁ ସେକ୍ରେଟେରିଏଟ୍‌ର ବଡ଼ବାବୁ । ଗପୁଡ଼ୀ ଲୋକ । ସବୁଥର ଘରଭଡ଼ା ନେବାଲାଗି ଆସିବାବେଳେ ସେ ନିଜ ବିଷୟରେ ଦେଢ଼ଘଣ୍ଟା ଭାଷଣ ଦିଅନ୍ତି ଓ ତାଙ୍କ ଘର ପଛପଟେ ଥିବା ଅମୃତଭଣ୍ଡା ଗଛଟିରୁ କଷି, ଦରପାକଳ ଓ ପାକଳ ଅମୃତଭଣ୍ଡାଗୁଡ଼ିକୁ ଝାଡ଼ିଝୁଡ଼ି ନେଇ ଯାଆନ୍ତି । ଆମର ଅମୃତଭଣ୍ଡାରେ ବେଶି ଲୋଭ ନ ଥିଲା ଓ ମାସରେ ଥରେ ପଣ୍ଡାବାବୁଙ୍କ ଭାଷଣ ଏମିତି କିଛି ଭଲ ଲାଗୁ ନ ଥିଲା । ତା ସତ୍ତ୍ୱେ ଦିନେ ପଣ୍ଡାବାବୁ ଆସିଲେ ଓ ଆମକୁ ଘର ଖାଲି କରିଦେବାକୁ କହିଲେ ।

ସେତେବେଳେ ଅରୁଣା ଝିଅକୁ ଗାଧୋଇ ଦେଉଥିଲା । ପଣ୍ଡାବାବୁଙ୍କ କଥା ଶୁଣି ସେ ଗାଧୁଆ କୁଣ୍ଡ ପାଖରୁ ଉଠିଆସି ମୋତେ ପରାମର୍ଶ ଦେଇଥିଲା, “ପଣ୍ଡାବାବୁ ବୋଧହୁଏ ଭଡ଼ା ବଢ଼େଇବାକୁ ଚାହୁଁଛନ୍ତି । ସେଇକଥା କହୁନ !”

କିନ୍ତୁ ପଣ୍ଡାବାବୁ ଭଡ଼ା ବଢ଼େଇବାକୁ ନୁହେଁ, ଘର ଖାଲି କରିବାକୁ ଚାହୁଁଥିଲେ । ସେ ଅଭିଯୋଗ କରିଥିଲେ ଯେ ଅରୁଣା ତାଙ୍କ ଘରର ଯୋଉଠି ନାହିଁ ସେଇଠି ପିରକ କଣ୍ଟାଗୁଡ଼ା ପିଟି କାନ୍ଥଗୁଡ଼ାକୁ ଖରାପ କରିଦେଇଛି । ସେ ତାଙ୍କ ଘରର ଏ ଦୁର୍ଦ୍ଦଶା ଆଉ ଦେଖି ପାରିବେ ନାହିଁ ।

 

ଏହାପରେ ଆମେମାନେ ଜଙ୍ଗଲ ବିଭାଗର ଅଫିସର ମହାପାତ୍ରବାବୁଙ୍କ ଘରକୁ ଉଠିଯାଇଥିଲୁ । ମହାପାତ୍ରବାବୁ ଯେମିତି ଛୋଟରୁ ବଡ଼ ହୋଇଥିଲେ ବୃନ୍ଦାବନପୁର କଲୋନିର ତାଙ୍କ ଏଲ୍‌.ଆଇ.ଜି. ଘରଟି ବି ସେମିତି ସଂପ୍ରସାରିତ ହୋଇ ହୋଇ ଏଚ୍‌.ଆଇ.ଜି. ଘର ହୋଇଯାଇଥିଲା । କିନ୍ତୁ ସମସ୍ୟା ଥିଲା ଯେ ମହାପାତ୍ରବାବୁଙ୍କ ଆଦର୍ଶକୁ ପାଖ ପଡ଼ିଶାଏ ମଧ୍ୟ ଅନୁସରଣ କରିଥିଲେ ଓ ଫଳସ୍ୱରୂପ ସବୁ ଘର କାନ୍ଥକୁ କାନ୍ଥ ଲାଗିଯାଇ ପବନ ଏବଂ ଆଲୋକ ଆସିବାର ରାସ୍ତା ବନ୍ଦ ହୋଇଯାଇଥିଲା । ତା ସତ୍ତ୍ୱେ ଆମର ସେଠି କୌଣସି ସମସ୍ୟା ନ ଥିଲା । କିନ୍ତୁ ମହାପାତ୍ରବାବୁଙ୍କର ସମସ୍ୟା ହେଲା । ଏଠିକି ବସ୍‌ଷ୍ଟାଣ୍ଡ୍‌ ଆସିଯିବା ପରେ ତାଙ୍କ ପୁଅ ଗୋଟାଏ କୋଚିଂ ସେଣ୍ଟର ଖୋଲିବାର ପ୍ରସ୍ତାବ ଦେଲା ଓ ତହିଁରୁ ଆମେ ଦେଉଥିବା ଭଡ଼ାର ତିନିଗୁଣ ଆଦାୟ ହେବାର ଖସଡ଼ା ବି ସେ ପ୍ରସ୍ତୁତ କରିଥିଲା । ଆମେ ସେ ଘରୁ ପୁଣି ଆମର ଖଟ, ଆଲମୀରା, ଡେକ୍‌ଚି, କଡ଼େଇ, ଟି.ଭି. ଓ ଫ୍ରିଜ୍‌ ଧରି ଚାଲି ଆସିଲୁ ।

 

ଆମର ତୃତୀୟ ବସାଘରର ମାଲିକ ଥିଲେ ଶ୍ରୀନିବାସ ମହାନ୍ତି । ବାବୁ ବାଣିଜ୍ୟକର ବିଭାଗର ଇନିସ୍‌ପେକ୍ଟର ଥିଲେ ଓ ସେତେବେଳେ ତାଙ୍କର ପୋଷ୍ଟିଂ ସୁନ୍ଦରଗଡ଼ରେ ହୋଇଥିଲା । ଖୁବ୍‌ ଦିଲ୍‌ଦାର୍‌ ଲୋକ ଏବଂ ତାଙ୍କର ଜଣେ ସମ୍ପର୍କୀୟ ମାମୁ ଏକଦା ଓଡ଼ିଶାର କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ ବୋଲି ସେ ବରାବର କହୁଥିଲେ । ଆମେ ତାଙ୍କ ଘର ଭଡ଼ା ନେବା ଦିନ ସେ ଏତେ ମଧୁର ବ୍ୟବହାର କରିଥିଲେ ଯେ ଅରୁଣା ସେଥିରେ କୃତକୃତ୍ୟ ହୋଇଥିଲା ଏବଂ ତାର କୃତଜ୍ଞତାର ପ୍ରତିକ୍ରିୟାରେ ଶ୍ରୀନିବାସ ବାବୁ ‘ଏ ଘରକୁ ମା ତୁମ ନିଜର ଘର’ ଭାବିବ ବୋଲି କହିଥିଲେ ।

 

ଶ୍ରୀନିବାସ ବାବୁଙ୍କ କଥାକୁ ଅରୁଣା ଯେତିକି ଗୁରୁତ୍ୱର ସହ ନେଇଥିଲା ବୋଉ ତତୋଽଧିକ ଗୁରୁତ୍ୱର ସହ ନେଇଥିଲା ଓ ସତକୁ ସତ ତା ପରଦିନଠୁଁ ସେଇ ଭଡ଼ାଘରକୁ ତା ନିଜର ଘର ଭାବି କୋଉଠି ଚଉଁରା ତିଆରି ହେବ, କୋଉଠି ଆଉ ଗୋଟେ ପାଣିକୁଣ୍ଡ ଏବଂ କୋଉଠି କି କି ଗଛ ଲଗାଯିବ ସେ ଚିନ୍ତାରେ ଲାଗିଯାଇଥିଲା ।

 

କିନ୍ତୁ ହଠାତ୍‌ ଦିନେ ଶ୍ରୀନିବାସ ବାବୁ ଖରାବେଳେ ଆସିଲେ ଓ ଆମେ ଦୁହେଁ ଘରେ ନ ଥିବାବେଳେ ତାଙ୍କ ଘରକୁ ନିଜ ଘର ଭାବୁଥିବା ବୋଉକୁ ‘ତିରିଶ ତାରିଖ ଭିତରେ ଘର ଖାଲି କରି ବି-୪୧ ଘରେ ଚାବି ଦେଇଦେବେ’ ବୋଲି ଧାଡ଼ିକିଆ ନିର୍ଦ୍ଦେଶ ଶୁଣେଇ ଚାଲିଯାଇଥିଲେ । ଆମେ ସଞ୍ଜବେଳକୁ ବସାକୁ ଫେରି ଏକଥା ଶୁଣିଥିଲୁ ଓ ସେହିଥର, ପ୍ରଥମଥର ପାଇଁ ଦୁଇ ବଖୁରିଆ ହେଉ ପଛେ ନିଜର ଘରଖଣ୍ଡେ ତୋଳିବା କଥା ଗୁରୁତ୍ୱର ସହ ଭାବିଥିଲୁ ।

 

ସେତିକିବେଳେ ବୃନ୍ଦାବନପୁରର ଶୁକଦେବ ସାଙ୍ଗେ ଚିହ୍ନା ପରିଚୟ । ଶୁକଦେବର ବ୍ୟାଗ୍‌ ଖଣ୍ଡିକ ତହସିଲ ଅଫିସ୍‌ର ଗୋଟେ ସଂପ୍ରସାରିତ କାଉଣ୍ଟର । ଏ ସହର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏପରିକି ମାଟିତଳେ ଓ ମାଟି ଉପରେ କୋଉଠି କାହାର କେତେ ଜାଗା, ଆଉ କୋଉଠି ଗୋଚର, ଅନାବାଦୀ, କୋଉଠି ଜମି କିଣିଲେ ଆଗକୁ ପଛକୁ ସରକାରୀ ଜମି କିଛି ହାତେଇ ହେବ, ସେ ସବୁକିଛିର ତଥ୍ୟ ଓ ସୂତ୍ର ଶୁକଦେବ ବ୍ୟାଗ୍‌ରେ ମହଜୁଦ ଥିଲା ।

 

ଆମ ପରି ସାଧାରଣ ପରିବାରରୁ ଆସିଥିବା ମଣିଷଙ୍କ ପାଇଁ ସହରରେ ଘରଟିଏ ତୋଳିବାର ସ୍ୱପ୍ନ କେତେ ଆପଣାର ଓ କେତେ ପୁରୁଣା ସେକଥା ଶୁକଦେବ ଭଲ ଭାବେ ଜାଣିଥିଲା । ସେ କେବଳ କହିଥିଲା, “ଜାଗା କଥା ମୋ ଉପରେ ଛାଡ଼ି ଦିଅନ୍ତୁ । କେବେ ରେଜିଷ୍ଟ୍ରି କରିବେ କୁହନ୍ତୁ ।”

 

ତା ପରର ଘଟଣା ଗୋଟେ କୁନି ଇତିହାସ । ଦୁଇବର୍ଷ ଧରି ଧାଁ ଧପଡ଼, ତମାଣ୍ଡୋରୁ ନେଇ ଗଡ଼ଗୋପୀନାଥପ୍ରସାଦ । ଚନ୍ଦ୍ରଶେଖପୁରରୁ ନେଇ ସାମନ୍ତରାପୁର ପର୍ଯ୍ୟନ୍ତ ଜାଗା ଦେଖିବା ଚକ୍‌କରରେ ସ୍କୁଟର ଭ୍ରମଣ । ରବିବାର କି ଛୁଟିଦିନ ହେଲାକ୍ଷଣି ସାଁପୁର, ଚନ୍ଦକା, ମେଣ୍ଢାଶାଳ ପରି ଦୂରସ୍ଥାନ ଦର୍ଶନ ସେତେବେଳେ ଗୋଟିଏ ଜରୁରୀ କାମ ହୋଇପଡ଼ିଥିଲା । ବେଳେ ବେଳେ ଟଙ୍କା ଅନୁସାରେ ଜାଗା ନୁହେଁ ତ କେଉଁଠି ଜାଗା ଅନୁସାରେ ଟଙ୍କା ଅଧିକ ହେଉଥିଲା । ଶୁକଦେବ ଦାର୍ଶନିକ ଭଳି ପ୍ରବଚନ ଶୁଣାଏ–ଜମି, ନାରୀ ଓ ସୁନା, ଏସବୁ ଭାଗ୍ୟରେ ଥିଲେ ପ୍ରାପତ ହୁଅନ୍ତି ।

 

ସେଇ ସମୟରେ ବୃନ୍ଦାବନପୁର ଗାଁ କଡ଼ରେ ନୂଆ କରି ତିଆରି ହେଉଥିବା ଏଇ କୋଠାଟି ନଜରରେ ପଡ଼ିଥିଲା । ସହରଠୁଁ ଯେତିକି ଦୂର, ଗାଁ ପରିବେଶରୁ ସେତିକି ନିକଟ ଏଇ ରାସ୍ତାକଡ଼ କୋଠାଟି ସତେ କି ଭବିଷ୍ୟତର ଗୋଟେ ନୂଆ ନକ୍ସା ଆମ ଆଖି ଆଗରେ ଟାଙ୍ଗି ଦେଇଥିଲା ! ଶୁକଦେବ କହିଥିଲା, “ଆପଣ ଖାଲି ଦୂର ଦୂର ହେଉଛନ୍ତି, ଇଏ ଲୋକ ତ ପୁଣି ବୃନ୍ଦାବନପୁର ଗାଁ ପାଖରେ ଆସି ଘର ତୋଳୁଛନ୍ତି । ୟାଙ୍କର ଯେତିକି ଟଙ୍କା, ସେ ଚାହିଁଥିଲେ ସହର ଭିତରେ ବଡ଼ଜାଗା କିଣି ପାରିଥାଆନ୍ତେ । ସିଏ କାହିଁକି ଏଠି ଆସି ଘର କରୁଛନ୍ତି, ଆଁ ? ଏଇଠି ପାଖରେ ବସ୍‌ଷ୍ଟାଣ୍ଡ୍‌, ନୂଆ ମାର୍କେଟ୍‌ । ପାଞ୍ଚବର୍ଷ ଭିତରେ ଏ ଜାଗାର ଚିତ୍ର ବଦଳିଯିବ, ସେତେବେଳେ ଆପଣ ଏ ଶୁକଦେବକୁ ମନେ ରଖିଥିଲେ ହେଲା !” ତାପରେ ତାର ନିତିଦିନିଆ ଅଭ୍ୟାସ ସୁଲଭ ନୀତିବାକ୍ୟ–ବେଶ୍ୟାମାନେ ପୁତ୍ର, ଚୋରମାନେ ଜହ୍ନରାତି ଓ କର୍ମହୀନମାନେ ଜମିକୁ ନିନ୍ଦା କରନ୍ତି ।

 

ଆମର ଆଉ ଆପତ୍ତି ନ ଥିଲା ।

 

ବୃନ୍ଦାବନପୁରରେ ଜାଗା ଖଣ୍ଡିଏ କିଣିଲୁ । ସବୁତକ ସଞ୍ଜୟ, ଅରୁଣାର ଗହଣାଗାଣ୍ଠି ଏବଂ ବନ୍ଧୁବାନ୍ଧବଙ୍କ ଧାରଉଧାର ଟଙ୍କାରେ ଘରକାମ ଆରମ୍ଭ ହେଲା । କେତେ କେତେ ଲୋକଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଲା, କେତେ ବନ୍ଧୁ ଘରେ ଥାଇ ଦେଖା ଦେଲେ ନାହିଁ ଓ କେତେ ସହକର୍ମୀ ଅଯାଚିତ ଭାବେ କେବଳ ପରାମର୍ଶ ଦେଇ ଦାୟିତ୍ୱ ମେଣ୍ଟେଇଲେ ।

 

ଘରର ଛାତ ପଡ଼ିବା ପୂର୍ବ ସପ୍ତାହ ବେଳକୁ ଟଙ୍କା ନ ଥାଏ । ଅରୁଣା ଓ ମୁଁ ବ୍ୟାଙ୍କକୁ ଯାଇଥାଉ । ସେତେବେଳକୁ ତା ହାତର ଚୁଡ଼ି ଓ ବେକର ଚେନ୍‌ଟିଏ ଅବଶେଷ ଥିଲା । ଚେନ୍‌ଟି ଓଜନ କରିସାରି ଚୁଡ଼ି ଦି ପଟ ହାତରେ ଧରିବାବେଳକୁ, ବ୍ୟାଙ୍କର ସୁନାଋଣ ବିଭାଗ ବାବୁ କହିଲେ, “ଏଥିରେ ଜଉ ଅଛି । ବଣିଆ ଦୋକାନକୁ ଯାଇ ଜଉ କାଢ଼ି ଆସନ୍ତୁ ।”

 

ସେଦିନ ବଣିଆ ଦୋକାନରେ ଅରୁଣା ହାତର ଚୁଡ଼ି ଦି ପଟ ଆଞ୍ଚ ନିଆଁରେ ପଡ଼ିଥିବା ବେଳେ ମୋତେ ଖୁବ୍‌ କଷ୍ଟ ହୋଇଥିଲା । ଅରୁଣା ମୋ ମୁହଁକୁ ଚାହିଁ କହିଥିଲା, “ଘରକାମ ସରିବା ପରେ ସୁନାଗହଣା ଗଢ଼ିଦେବ ନାହିଁ ! ଏମିତି ଛୁଆଙ୍କ ପରି କଣ ଦୁଃଖ କରୁଛ ?”

 

ଆମର ଟାଣଟୁଣ ଘରତୋଳା ସାଙ୍ଗରେ ରାସ୍ତାପାଖ ସେଇ କୋଠାଘରର ରାଜକୀୟ ନିର୍ମାଣକାମ ଦେଖି ଆମେ ମନେ ମନେ ଈର୍ଷା କରୁଥିଲୁ । ରାତି ଦିନ ସେ ଘରର କାମ ଚାଲିଥିଲା-। କେତେବେଳେ ଜୟପୁରରୁ ମାର୍ବଲ ତ କେତେବେଳେ ହାଇଦ୍ରାବାଦରୁ ଖଣ୍ଡେଲାଇଟ୍‌ ପଥର ବୋଝେଇ ଟ୍ରକ୍‌ ଆସି ସେ କୋଠାର ହତା ଭିତରେ ଛିଡ଼ା ହେଉଥିଲା । ବାଲି, ସିମେଣ୍ଟ, ଲୁହାଛଡ଼ ଓ ଚିପ୍‌ସସବୁ ଏମିତି ଗଦା ହେଉଥିଲା ଯେ, ନ ଜାଣିବା ଲୋକ ସେଠି ଗୋଟାଏ ହାଉସିଂ କଂପ୍ଲେକ୍ସ ତିଆରି ହେଉଥିବ ବୋଲି ଭାବି ବସୁଥିଲେ ।

 

ଆମେ ଜାଗା କିଣିବା ବେଳକୁ ସେ କୋଠାର ପାଚେରି ତିଆରି କାମ ସରିଥିଲା । ଅବଶ୍ୟ ସେତେବେଳର ସେ ପାଚେରି ଏବେ ନାହିଁ । ଏହା ଭିତରେ ଘରଟାର ଆଉ ଆଉ ଅନେକ କଥା ପରି ଏଇ ପାଚେରି ବି ବଦଳି ଯାଇଛି । ତେବେ ଏଠି ଘର ତିଆରି ପାଇଁ କେତେ ସମୟ ଲାଗିଥିଲା, ସେଇ କଥା କହୁଛି । ଜାଗା କିଣିବାର ଦୁଇ ବର୍ଷ ପରେ ଯେନତେନ ପ୍ରକାରେ ଆମେ ଦୁଇଟି ବଖରା କାମ ସାରିଦେଇ ଆମର ଘର ପ୍ରତିଷ୍ଠା କଲାବେଳକୁ ସେ କୋଠାର ତିଆରି କାମ ଲିଣ୍ଟେଲଯାଏ କେବଳ ଆସିଥିଲା ।

 

ଆମେ ଆମ ଘର ପ୍ରତିଷ୍ଠାକୁ କାହାରିକୁ ଡାକି ପାରିଲୁ ନାହିଁ । ସେତେବେଳକୁ ଆମ ପାଖେ ପାଞ୍ଚଶହ ଟଙ୍କା ବି ନଥିଲା, ମହାପ୍ରସାଦ ଗଣ୍ଡେ ଯୋଗାଡ଼ ପାଇଁ । ଅରୁଣା ରୋଷେଇ ଘର ଭିତରେ ପଶି କଡ଼ପ୍ପା ପଥର ଜାଗାରେ ମୋଜାଇକ୍‌ କାମ ହୋଇଥିବା ଯୋଗୁଁ ମନକଷ୍ଟ କରିଥିଲା । ସେଦିନ ଥିଲା ପୂର୍ଣ୍ଣିମା ତିଥି । ମୁଁ ଅରୁଣାକୁ ଛାତ ଉପରକୁ ଡାକିନେଇ ତାକୁ ଜହ୍ନ ଦେଖେଇଥିଲି ।

 

ନିଜ ଯୋଜନା ମୁତାବକ ଘରଖଣ୍ଡିକ ତୋଳିପାରି ନ ଥିବାର ଦୁଃଖରେ ମ୍ରିୟମାଣ ଅରୁଣା ପଚାରିଥିଲା, “ଜହ୍ନ କାହିଁକି ଦେଖଉଛ ?”

 

ମୁଁ ପରିହାସ କଲା ପରି କହିଥିଲି, “ତମେ ସିନା ମନ ସ୍ଥିର କଲେ ମୁଁ କଣ କହିବି ।”

 

: ହଉ, କୁହ । ମନ ସ୍ଥିର କଲି ।

 

: ଆକାଶର ଜହ୍ନକୁ ଚାହଁ ।

 

ଅରୁଣା ମଥା ଟେକି ଚାହିଁଲା । ମୁଁ ତା ମୁହଁକୁ ଚାହିଁ ଦେଖିଲି, ଏଇ ଘରତୋଳା ଚକ୍‌କରରେ ସତେକି ସେ ଦଶବର୍ଷ ଅଧିକା ବଢ଼ିଯାଇଛି । ତା ମୁହଁରେ ଆଗର ଜ୍ୟୋତି ନ ଥିଲା ।

 

ସେ ମୋ ମନକଥା ବୁଝିପାରିଲା ପରି କହିଲା, ‘ନିଜେ ଯାଇ ଅଇନାରେ ଚେହେରା ଦେଖିବ । ତୁମ ଚୁଟି ସବୁ ପାଚିଗଲାଣି । ହଉ, କୁହ । ଜହ୍ନ ତ ଦେଖିଲି ।’

 

ମୁଁ କହିଥିଲି, “ଆମ ପରି ସାଧାରଣ ଲୋକଙ୍କ ଘରର ସ୍ୱପ୍ନ ସେଇ ଜହ୍ନ ସାଙ୍ଗରେ ଥାଏ-। ଏଠି ଆମେ ଯେଉଁ ଘର ତୋଳିଛେ, ସିଏ ସେ ଜହ୍ନ-ଘରର ଗୋଟେ ଛୋଟିଆ ଅଂଶ । ଘର ତୋଳିବା ବେଳେ ଆମେ ତ ଏ ସହରର ଶହ ଶହ ଘର ଦେଖିଥିବା, ସବୁ ଘରର ଭଲ ଭଲ ଗୁଣ ଆମେ ଖଞ୍ଜିଥିବା ଆମ ସ୍ୱପ୍ନ-ଘରର ଚିତ୍ରରେ । କିନ୍ତୁ ଗୋଟିଏ ଘରେ କଣ ସହସ୍ର ସ୍ୱପ୍ନ-ଘରର ଭଲଗୁଣ ଏକାଠି ରହିପାରେ ? ସେସବୁରୁ କିଛି ପୂରଣ ହୁଏ, ଆଉ ସବୁ ଫେରିଯାଇ ଜହ୍ନ ଦେହରେ ପୁଣି ଝୁଲି ପଡ଼େ ।”

 

ଅରୁଣା କଣ ବୁଝିଥିଲା କେଜାଣି, ମୋ ପାଖକୁ ଲାଗିଆସି କହିଥିଲା, “ତମେ ଡାକ୍ତର ନ ହୋଇ କବି ହେଲନାହିଁ ?”

 

ଏସବୁ ଆଠ ବର୍ଷ ତଳର କଥା ।

 

ଏହା ଭିତରେ ଆମ ଘରର ବାହାରପଟେ ଦି ଥର ରଙ୍ଗଦିଆ ସରିଲାଣି । ତଥାପି ଠାଏ ଠାଏ ଶିଉଳି ଲାଗି ରହିଚି । ମାଙ୍କଡ଼ା ପଥରର ପାଚେରିଟି ଫାଟିସାରିଲାଣି ତିନିଜାଗା । ପଡ଼ିଶାଘରର ଚାକୁଣ୍ଡାଗଛ ସିଅ ଆମ ପାଚେରିର ଏ ଦୁର୍ଭାଗ୍ୟର କାରଣ ବୋଲି ଅରୁଣା କହେ । ଆଠ ବର୍ଷ ଭିତରେ ଚିଆଁ ଚାକୁଣ୍ଡା ପୁଆଟି ଏତେ ବଡ଼ ହୋଇଯିବ ବୋଲି ଆମେ ଭାବି ନ ଥିଲୁ ।

 

କିନ୍ତୁ ରାସ୍ତା ପାଖ ସେଇ ବଡ଼ କୋଠାଘରର କାମ ଏଯାଏଁ ସରିନାହିଁ ।

 

ଘରୁ ବାହାରି ସହରକୁ ଯିବା ବାଟରେ ମୁଁ ସେ କୋଠାଆଡ଼େ ଚାହେଁ । ହାତୀ ପରି ପ୍ରକାଣ୍ଡ କୋଠା । ଚାରି ମହଲା ଉଚ୍ଚ, ଚାରିପଟେ ପଥର ଯୋଡ଼ା ହୋଇଛି । କୋଉଠି ସିମେଣ୍ଟ ପଲସ୍ତରା ନାହିଁ । କୋଠାର ଚାରିକଡ଼େ ସୁନ୍ଦର ବଗିଚା । ବଗିଚାରେ ନାଁ ନଜଣା ହରେକ ପ୍ରକାର ବିଦେଶୀ ଫୁଲଗଛ । ଘର ଆଗରେ ଦୁଇ ମଣିଷ ଉଚ୍ଚର ପ୍ରକାଣ୍ଡ ଲୁହା ଗେଟ୍‌ । ଗେଟ୍‌ ପାଖରେ ବନ୍ଧୁକଧାରୀ ସିକ୍ୟୁରିଟି । ଗେଟ୍‌ ସେକଡ଼େ ଆଲସିସିଆନ୍‌, ଡୋଭରମ୍ୟାନ୍‌ ଓ ଗ୍ରେ-ହାଉଣ୍ଡ୍‌ ଜାତିର ମୋଟ ପାଞ୍ଚଟି କୁକୁର । ପ୍ରଶସ୍ତ ପୋର୍ଟିକୋ ଓ ପୋର୍ଟିକୋ ବାହାରେ ନାଲି, ନେଳି, ଧଳା ଓ ହଳଦିଆ ରଙ୍ଗର ଛଅ ସାତଟି ଦାମୀ ବିଦେଶୀ କାର୍‌ । ସେଆଡ଼େ ଚାହିଁଲା କ୍ଷଣି ପ୍ରାଚୁର୍ଯ୍ୟର ଝଲକରେ ଆଖି ଝଲସିଯାଏ । କୁକୁରମାନଙ୍କ ଅସ୍ଥିର ପଦଚାରଣା, ବନ୍ଧୁକଧାରୀ ସନ୍ତ୍ରୀଙ୍କ ନିଶ ଓ ସେ କୋଠାର ଆଭିଜାତ୍ୟ ଦେଖି ମୁଁ ଭୟରେ ଆଖି ଫେରେଇ ଆଣେ । ଘର ନୁହେଁ ତ ଗୋଟିଏ ରାଜପ୍ରାସାଦ ।

 

କେବଳ ମୁଁ ନୁହେଁ, ବୃନ୍ଦାବନପୁରର ଅଧିକାଂଶ ଲୋକ, ସେ ରାସ୍ତା ଦେଇ ଯା-ଆସ କରୁଥିବା ପିଲା, ବୁଢ଼ା ସମସ୍ତେ ସେ ଘର ଆଡ଼େ ଅନାନ୍ତି । ସେ କୋଠା ବିଷୟରେ ଚର୍ଚ୍ଚା କରନ୍ତି । ଫୁସ୍‌ଫୁସ୍‌ ହୋଇ ନିଜ ନିଜ ଭିତରେ ପଚରା ପଚରି ହୁଅନ୍ତି, “କାହା ଘର ଇଏ ? ୟାର ମାଲିକ କିଏ ? ସେ କଣ କରନ୍ତି ?”

 

ମୁଁ ବି ମନକୁ ମନ ଏ ପ୍ରଶ୍ନ ପଚାରେ । କିନ୍ତୁ ଘରର ମାଲିକଙ୍କୁ ନେଇ ଯୋଉସବୁ ଉଡ଼ା ଖବର ଶୁଣେ, ସେସବୁ ଭାବିଲାବେଳକୁ ଭୟରେ ଦେହ ଶୀତେଇ ଉଠେ । କାହାରି ସାଙ୍ଗେ ସେକଥା ଆଲୋଚନା କରିବାକୁ ସାହସ ପାଏ ନାହିଁ ।

 

ସେ ଘରର ମାଲିକ ଜଣେ କୋଟିପତି । ଅତି ଭୟଙ୍କର ଲୋକ । ଥରେ କୁଆଡ଼େ ତାଙ୍କର ଜଣେ ସମ୍ପର୍କୀୟା ତାଙ୍କ କଲିକତା ଘର ସୁଇମିଂପୁଲ୍‌ରେ ଗାଧୋଉଥିବାବେଳେ ଜଣେ ରୋଷେୟା ସେଆଡ଼େ ଚାହିଁ ଦେଇଥିଲା । ସେ ଖବର ମାଲିକଙ୍କ ପାଖେ ପହଞ୍ଚିବାକ୍ଷଣି ସେ ରୋଷେୟାକୁ ପାଖକୁ ଡାକି, ତାକୁ ଲଙ୍ଗଳା କରି ତା ଦେହହାତ ସବୁ ବ୍ଲେଡ୍‌ରେ ଚିରି ଦେଇଥିଲେ । ତାପରେ ତାଙ୍କର ପ୍ରିୟ କୁକୁରକୁ, ରୋଷେୟା ଦେହରୁ ବୋହି ଆସୁଥିବା ରକ୍ତଟୋପା ଚାଟିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ମୁଁ ଜାଣିନି, ଏଥିରେ ସତ କେତେ, କଳ୍ପନା କେତେ । କିନ୍ତୁ ଏମିତି ଗୋଟିଏ ଖବର ମୋ ପରି ଲୋକକୁ ଡରେଇ ଦେବାଲାଗି ଯଥେଷ୍ଟ । ସେ ତାଙ୍କ ଜାଗାରେ, ଆମେ ଆମ ଜାଗାରେ । ପର କଥାରେ ମୁଣ୍ଡ ଖେଳେଇ ଲାଭ କଣ ?

 

କିନ୍ତୁ ମନକୁ ଯେତେ ବୁଝେଇଲେ ବି ମନ ବୁଝେ ନାହିଁ । ରାଜପ୍ରାସାଦ ପରି ସେ କୋଠାଟିର ମାର୍ବଲ ଖିଲାଣ, ଚମତ୍କାର ଗମ୍ବୁଜ ସତେ କି ହାତଠାରି ତା ଆଡ଼େ ଚାହିଁବା ଲାଗି ବିବଶ କରୁଥାଏ । ଇଏ ତ ଯେମିତି ଗୋଟେ ଛୋଟ କୋଣାର୍କ !

 

ସେହି ଘର ଭିତର ସାଜସଜ୍ଜା ନେଇ ଆମେ ବହୁତ କଥା ଶୁଣୁ । ଯୋଉ ଘରର ବାହାର ଏତେ ସୁନ୍ଦର, ସେ ଘରର ଭିତରଟା ନିଶ୍ଚୟ ଆହୁରି ସୁନ୍ଦର ହୋଇଥିବ । ଆମେ ଶୁଣୁ, ତା ଭିତରେ ସୁଇମିଂ ପୁଲ୍‌ ଅଛି, ୱାଲ୍‌ଟୁ ୱାଲ୍‌ କାର୍ପେଟ୍‌ । ସବୁ ଘର ପାଇଁ ଏୟାରକଣ୍ଡିସନର । ସବୁ ଘରେ ଅଲଗା ଅଲଗା ଟି.ଭି., ଅଲଗା ଅଲଗା ଫ୍ରିଜ୍‌ । ସେ କୋଠରିଗୁଡ଼ିକ ପାଇଁ ପର୍ଦ୍ଦା ଆସିଛି ମାଡ୍ରାସରୁ, କାର୍ପେଟ କାଶ୍ମୀରରୁ । ଅନ୍ୟାନ୍ୟ ଆସବାବପତ୍ର ସବୁ ବିଦେଶରୁ । ଆର୍କିଟେକ୍‌ଚର୍‌ ଓ ଇଣ୍ଟେରିଅର ଡେକୋରେସନ୍‌ ବାବଦରେ ଆମର ଜ୍ଞାନ ସୀମିତ, ଆମେ ଅଧିକ କିଛି ଚିନ୍ତା କରିପାରୁନାହୁଁ । କେବଳ କହୁ, ରୋମ୍‌ ଓ ଇଂଲଣ୍ଡ ସାଙ୍ଗରେ ସେଠି ମୋଗଲ୍‌ ଯୁଗୀୟ ସ୍ଥାପତ୍ୟ ମିଶିଯାଇଛି । ଏ ସହରରେ ଏଭଳି ସୁନ୍ଦର କୋଠା ଆଉ ଦ୍ୱିତୀୟ ନାହିଁ ।

 

ଆମେ ସେ କୋଠାର ଉଚ୍ଚା ପାଚେରି, ପାଚେରିର ପଥର କାମ, ସୁନ୍ଦରୀ ଝିଅଙ୍କ ମସୃଣ ବେକ ଉପରକୁ ରେଶମୀ ଘନ ବାଳ ପରି ପାଚେରିର ଉପରକୁ ଫୁଟେ ଉଚ୍ଚତାର ଫୁଲଗଛ ଦେଖି ମୁଗ୍ଧ ହେଉ । ଫୁଲ ଗଛଗୁଡ଼ିକ ଆଜ୍ଞାଧୀନ–ଆବଶ୍ୟକଠୁଁ ଅଧିକା ଉଚ୍ଚ ହେବା ପାଇଁ ଚାହାନ୍ତି ନାହିଁ । ମଝିରେ ମଝିରେ ଦେବଦାରୁ, ରବର ଓ ବାଙ୍ଗରା ଝାଉଁ । କୋଠାର ସବୁ ମହଲାର ପାରାପେଟ୍‌ ଓ ବାଲ୍‌କୋନିରେ ବଡ଼ ବଡ଼ ଫୁଲକୁଣ୍ଡ । ବ୍ରାସ୍‌ ଫୁଲକୁଣ୍ଡଗୁଡ଼ିକ ଦୂରରୁ ଚକ୍‌ ଚକ୍‌ ଦିଶେ । ଆମେ ସେଆଡ଼େ ଥରେ ଚାହିଁଦେଇ ଭିତରର ଦୃଶ୍ୟ ବାବଦରେ ପାଞ୍ଚ ଥର କଳ୍ପନା କରୁ । ଆମର ତିନି ବଖୁରିକିଆ ଘରର ଚିତ୍ର ସେ କୋଠା ସାମ୍ନାରେ, ରାଜରାଣୀ ପାଖେ ପୋଇଲି ପରି ଦୟନୀୟ ଦିଶେ ।

 

ମଝିରେ ମଝିରେ ସେ କୋଠାରୁ ଗାଡ଼ିଟିଏ ବାହାରିଯିବାର ଦେଖିଲେ ଆମେ ଗାଡ଼ି ଭିତରେ ବସିଥିବା ମାଲିକ କି ମାଲିକାଣୀଙ୍କ ଚେହେରା ଦେଖିବା ଲାଗି ଉତ୍ସୁକ ହୋଇପଡୁ । କିନ୍ତୁ ଗାଡ଼ିର କଳାକାଚ ସବୁବେଳେ ବନ୍ଦ ଥାଏ । ଗାଡ଼ିଗୁଡ଼ିକ ଏୟାର କଣ୍ଡିସନ୍‌ଡ । କଳାକାଚ ସେପଟେ ଗୁଡ଼ିଏ କଣ୍ଢେଇ ରହିଥିବାର ଦେଖୁ । ଆଗ ସିଟ୍‌ରେ ଡ୍ରାଇଭର ପାଖକୁ ଗୋଟେ ନିରାପତ୍ତାରକ୍ଷୀ ଓ ତା ପାଖରେ ପ୍ରକାଣ୍ଡ ଆଲ୍‌ସେସିଆନ୍‌ କୁକୁର ।

 

ମଝିରେ ମୋର ଅଣ୍ଟା ବେମାର ବାହାରିଥିଲା । ଆମ ଡାକ୍ତରୀ ପାଠ ଟ୍ରାକ୍ସନ ନେବା ପାଇଁ ପରାମର୍ଶ ଦେଲା । କିନ୍ତୁ ସେଥିରେ ଭଲ ନ ହେବାରୁ ଅରୁଣା କହିଲା, ସକାଳେ ଉଠି ବାହାରୁ ଘେରାଏ ଘୂରିଆସ । ସବୁବେଳେ ବସି ରହିଲେ ଦରବୁଢ଼ା ବୟସରେ ଏ ବେମାର ନିଶ୍ଚୟ ବାହାରିବ । ଅରୁଣାର ପରାମର୍ଶ ମାନି ସକାଳବୁଲାରେ ଯିବାବେଳେ ରାସ୍ତାରେ ସେ କୋଠାର କୁକୁରମାନଙ୍କୁ ବୁଲିବାର ଦେଖେ । ପ୍ରତିଟି କୁକୁର ପାଇଁ ଜଣେ ଜଣେ ଲୋକ । ସେମାନେ କୁକୁର ବେକର ଚେନ୍‌ ଧରି ଚାଲନ୍ତି । କୁକୁରଗୁଡ଼ିକ ବାଘ ପରି ବୃନ୍ଦାବନପୁର ଗାଁର ଲୋକ ଏବଂ ବୁଲାକୁକୁର ଉଭୟଙ୍କୁ ମୁହଁମୋଡ଼ି ଦିଅନ୍ତି ।

 

ଆମ ଘରକୁ ଯା-ଆସ କରୁଥିବା କୁଣିଆଁ ଅଭ୍ୟାଗତ ଆମକୁ ସେଇ କୋଠାର ମାଲିକଙ୍କ ସମ୍ପର୍କରେ ନାନା କଥା ପଚାରନ୍ତି । କୋଠାଟି ତାର ନିଜସ୍ୱ ଆଭିଜାତ୍ୟ ଓ ଗଠନଶୈଳୀ ଯୋଗୁ ସମସ୍ତଙ୍କର ଦୃଷ୍ଟିରେ ପଡ଼େ । ସେଇଠୁ ରାସ୍ତା ଭାଙ୍ଗିଯାଇଥିବାରୁ ଆମ ଘରକୁ ନୂଆ ଆସୁଥିବା ଲୋକଙ୍କୁ ଆମେ ବାଟ ବତାଉ–ରାସ୍ତା ବାଁ ପଟେ ଗୋଟେ ବଡ଼ କୋଠା ପଡ଼ିବ । ସେଇଠୁ ଭାଙ୍ଗି ଆସିଲେ କିଛି ବାଟ ପରେ ଆମ ଘର ।

 

ଆମେ ମନକୁ ମନ କହୁ, ଲୋକଟା ସୁନା ବେପାରୀ ହୋଇଥିବ । ନ ହେଲେ ଶିଳ୍ପପତି-। ତାର ହୁଏତ ନିଜର ଉଡ଼ାଜାହାଜ ଥିବ । ଛାତ ଉପରେ ହେଲିକେପ୍ଟର ଓହ୍ଲେଇବା ପାଇଁ ବ୍ୟବସ୍ଥା ଅବଶ୍ୟ ଥିବ । ଏଇ ତ ତାର ଗୋଟିଏ ମାତ୍ର ଘର ନୁହେଁ, ଦେଶର ସବୁ ବଡ଼ ବଡ଼ ସହରରେ ତାର ଏମିତି ଗୋଟାଏ ଯୋଡ଼ାଏ ଘର ରହିଥିବ । ନ ହେଲେ ହୋଇଥିବ ମାଫିଆ ଡନ୍‌-। ଯେମିତିକା ମାଫିଆ ଡନ୍‌ଙ୍କ ଚରିତ୍ର ଆମେ ସିନେମାରେ ଦେଖିଥାଉ ।

 

ଅରୁଣା କହିଲା, “ଯାହା ହୋଇଥାଉନା କାହିଁକି, ଲୋକଟା ବହୁତ ଧନୀ, ତାର ସ୍ତ୍ରୀ ଓ ପିଲାମାନେ ଖୁବ୍‌ ଭାଗ୍ୟବାନ୍‌ ।”

 

ମୁଁ ଯୁକ୍ତି କରେ, “କଣ କେବଳ ପଇସା ହୋଇଗଲେ ଲୋକେ ଭାଗ୍ୟବାନ ହୋଇଯାଆନ୍ତି ? ଦୁର୍ନୀତି କରି ପୁଳାଏ ଟଙ୍କା ରଖିଥିବ । ଏସବୁ କୋଠାବାଡ଼ି ସେହି କଳାଟଙ୍କାର ଅଶ୍ଳୀଳ ପ୍ରଦର୍ଶନୀ ।”

 

ଅରୁଣା କୁହେ, “ଆମ ଓଡ଼ିଆଙ୍କର ଏହି ପ୍ରକୃତି । ତାଙ୍କ ଦୃଷ୍ଟିରେ ଧନସମ୍ପତ୍ତି ଅର୍ଜିବା ପାପ । ସଫଳ ହେବା ଅପରାଧ ଏବଂ ତାଙ୍କୁ ଛାଡ଼ି ଅନ୍ୟମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ ।”

 

ଅରୁଣା ଏକଥା ଗୋଟେ ସଭାରୁ ଶୁଣି ଆସିଥିଲା । ସେ ସଭାରେ ରାଜ୍ୟର ଚିଫ୍‌ ସେକ୍ରେଟେରୀ ଯୋଗଦେଇଥିଲେ । ତାଙ୍କରି ଭାଷଣ ଅରୁଣାକୁ ଭଲ ଲାଗିଥିଲା । କଥାଟା ହୁଏତ ଠିକ୍‌ । କାହିଁକି କେଜାଣି ବଡ଼କୋଠାଟିଏ ଦେଖିଲେ କଳାଟଙ୍କା କଥା ଆପେ ଆପେ ମନକୁ ଆସିଯାଏ । କିନ୍ତୁ ଧଳାଟଙ୍କାରେ କଣ ଏଡ଼େ ବଡ଼ କୋଠା କରିବା ସମ୍ଭବ !”

 

: ମୁଁ ଖାଲି ସେ ଘରର ମାଲିକାଣୀ କଥା ଭାବୁଛି । କେଡ଼େ ଭାଗ୍ୟବତୀ ! ଯେତେବେଳେ ଯୋଉ ଡାଇନିଂ ସେଟ୍‌ ଚାହୁଁଥିବ, ସେତେବେଳେ ସେଇ ସେଟ୍‌ ଆସି ତାଙ୍କ ପାଖେ ପହଞ୍ôଚଯାଉଥିବ । ତାଙ୍କ ପିଲାମାନଙ୍କର ଅଭାବ ବୋଲି କିଛି ନ ଥିବ ।–ଅରୁଣା କହେ ।

 

ମୁଁ ଅରୁଣାର ସ୍ୱପ୍ନର ପରିସର ମାପି ହସେ । ନିମ୍ନ ମଧ୍ୟବିତ୍ତ ମଣିଷଟେ ଆଉ କେତେ ବଡ଼ ସ୍ୱପ୍ନ ବା ଦେଖିବ ! ତା କଥାର ବ୍ୟଙ୍ଗ ମଧ୍ୟ ବୁଝିପାରେ । କୋଉକାଳୁ ଗୋଟେ ଡାଇନିଂ ସେଟ୍‌ ପାଇଁ ସେ ଲଗେଇଛି । ସେଇ ଅଭାବଟିକକ ତା ଭିତରେ ପଥର ପରି ବସିଯାଇଛି ।

 

ମୁଁ ଯୁକ୍ତି କରେ, ଘରଟି ଯେତେ ସାନ ହେବ ସେତେ ଭଲ । ତାହାହେଲେ ସେ ଘର ତମକୁ ନିଜର ନିଜର ଲାଗୁଥିବ । କେଉଁଝର ଗଲାବେଳେ ମୁଁ ଦେଖିଥିବା ଆଦିବାସୀଙ୍କ କୁଡ଼ିଆ କଥା ମନେପଡ଼େ । ଛୋଟ ଘର, ନିଜର ନିଜର । ବଡ଼ ଘର ପାଖରେ ମାଲିକ ଛିଡ଼ାହେଲେ ବି ଅଚିହ୍ନା ଲୋକ ଛିଡ଼ା ହେବା ପରି ଦିଶେ, ପାହାଡ଼ ପାଖରେ ଛେଳିଟେ ପରି । ନିଜର ଅସ୍ତିତ୍ୱ କେତେ କ୍ଷୁଦ୍ର ହେଇ ନ ଯାଏ ବିରାଟ ଘର ସାମ୍ନାରେ !

 

ଆମର ଯୁକ୍ତିତର୍କ ଏମିତି ଆରମ୍ଭ ହୁଏ, ସରେ ।

 

କିନ୍ତୁ ସେ କୋଠାଘରର କାମ ସରେ ନାହିଁ ।

 

ଏତେ ବର୍ଷ ହେଲା କଣ ଚାଲିଛି ସେ ଘରେ ? ସୁଇଜରଲ୍ୟାଣ୍ଡ ପରି ଉପର ଘର ତଳେ ଆଉ ଗୋଟେ ଘର ତୋଳୁଛନ୍ତି ନା କଣ ? ଆଜିକାଲି ମାଟିତଳେ ଘର ତୋଳିବା ବି ଗୋଟେ ଫେସନ ହୋଇଗଲାଣି । –ମୁଁ ବେଳେ ବେଳେ ନିଜକୁ ନିଜେ କହେ ।

 

ଆମର କଳ୍ପନା, ଆଗ୍ରହ ଓ କୌତୂହଳକୁ ପିଠି କରି ସେ ଘରର କାମ ଚାଲିଥାଏ । କେବେ ଦେଖୁ ଗୋଟାଏ ରଙ୍ଗର ପଥର ଲାଗିସାରିଥିବ, ହଠାତ୍‌ ସେସବୁ ଭାଙ୍ଗିଦିଆଯିବ । ଧୁସ୍‌ଧାସ୍‌ ହୋଇ ଖଣ୍ଡ ଖଣ୍ଡ ପଥର ଖସୁଥିବ ଉପରୁ । ଆମେ ନିଜର ଅର୍ଥ ଶ୍ରାଦ୍ଧ ହେବା ପରି ବିରକ୍ତ ହେଉ । ଲକ୍ଷ ଲକ୍ଷ ଟଙ୍କାର ପଥର କଣ ଏମିତି କିଏ ନଷ୍ଟ କରିଦିଏ ?

 

ଆଉ ଦିନେ ଦେଖୁ, ଏପଟର ଗେଟ୍‌ ଭଙ୍ଗାଯାଇ ସେପଟେ ଲାଗିଲାଣି, ସେପଟର ବାଲ୍‌କୋନି ପାଖ କାଚ ଭଙ୍ଗାଯାଇ ଏପଟେ ଲାଗିଲାଣି । ଛାତ ଉପରେ ଥିବା କୁଣ୍ଡ ସବୁ ବଦଳା ହୋଇ ନୂଆ କୁଣ୍ଡ ରଖାଗଲାଣି । ଏମିତି ଭଙ୍ଗା-ଗଢ଼ା, ପୁଣି ଭଙ୍ଗା ପୁଣି ଗଢ଼ା ଭିତରେ ସମୟ ବିତୁଥାଏ, କାମ ସରେନାହିଁ ।

 

ରୂପକଥାର ରାଜପ୍ରାସାଦ ପରି ସେଇ ବିରାଟ ସୌଧଟି ଆମ ଅବଚେତନରେ ସବୁବେଳେ ନାଚୁଥାଏ । ଆମେ ଚେଷ୍ଟା କରୁ, କେମିତି ସେ ଘରର ମାଲିକଙ୍କ ସାଙ୍ଗେ ଥରେ ଦେଖାହୋଇଯାଆନ୍ତା ! ଅବା ମାଲିକାଣୀଙ୍କ ସାଙ୍ଗେ । ଆମେ କେବଳ ତାଙ୍କୁ ଧନ୍ୟବାଦଟିଏ ଜଣାନ୍ତୁ । ଏଭଳି ଚମତ୍କାର ଘରଟିଏ ତୋଳି ବୃନ୍ଦାବନପୁରର ଶ୍ରୀବୃଦ୍ଧି କରିଥିବାରୁ କୃତଜ୍ଞତା ଜଣାନ୍ତୁ-। କୁହନ୍ତୁ ଯେ ଆମେ ଆପଣଙ୍କ ପସନ୍ଦକୁ ତାରିଫ କରୁଛୁ । କେବଳ ଆମର ଗୋଟିଏ ଆପତ୍ତି, ଆପଣ ବହୁତ ପରଫେକ୍‌ଟସନିଷ୍ଟ । ସାମାନ୍ୟ ଟିକିଏ ଖୁଣକୁ ଆପଣ ବରଦାସ୍ତ କରିପାରନ୍ତି ନାହିଁ-। ଏ ରାଜ୍ୟର ମିସ୍ତ୍ରୀମାନେ ଆପଣଙ୍କର ମନପସନ୍ଦର ହୋଇପାରୁ ନାହାନ୍ତି । ସେମାନଙ୍କୁ ଆପଣ ଏତେକାଳ ବରଦାସ୍ତ କରିଥିବାରୁ ଆପଣଙ୍କୁ ଅଧିକ ଧନ୍ୟବାଦ ।

 

କିନ୍ତୁ ଆମର ଘରର ମାଲିକ କି ମାଲିକାଣୀଙ୍କ ସାଙ୍ଗେ ଦେଖାହୁଏ ନାହିଁ । ସମସ୍ତେ ତ ରାଜନୈତିକ ନେତା ନୁହନ୍ତି ଯେ ସଭା ସମିତିକୁ ଯିବେ ଓ ଲୋକମାନେ ତାଙ୍କୁ ଦେଖିବେ । ଆମେ ଅପେକ୍ଷା କରି କରି ନିରାଶ ହୋଇପଡୁ ।

 

ଏମିତି ନିରାଶ ହୋଇପଡ଼ିବାବେଳେ ଦିନେ କିଏ ଜଣେ ଖବର ଦିଏ, ଏ ଘରର ମାଲିକ କେହି ନାହାନ୍ତି, ଅଛନ୍ତି ଯଦି କେବଳ ମାଲିକାଣୀ ।

 

କେବଳ ମାଲିକାଣୀ ? ଏତେବଡ଼ କୋଠାର ମାଲିକ ଜଣେ ମହିଳା ! ତାହାହେଲେ ସିଏ ତ ରୂପକଥାର ରାଜକନ୍ୟା ହୋଇଥିବେ । ସେଇ ରାଜକନ୍ୟା, ଯିଏ ଗହମ ନିଦରେ ଶୋଇଥିଲେ ଓ ସହସ୍ର ବର୍ଷ ପରେ ଆଖି ଖୋଲିଥିଲେ ଥରକ ପାଇଁ ।

 

କିନ୍ତୁ କୌତୂହଳ ବେଶିଦିନ ରହେନାହିଁ ।

 

ରହିଲା ନାହିଁ ବି !

 

ସେଦିନ ଡାକ୍ତରଖାନାରୁ ଫେରିବା ପରେ, ସବୁଦିନ ପରି କଫି କପେ ବଢ଼େଇ ଦେଇ ଅରୁଣା କହିଲା, “ଏ ଘରଟା ଭିତରେ ଅସମ୍ଭବ ଗରମ ହେଉଛି ।”

 

ମୁଁ କହିଲି, “ଗୋଟାକ ପରେ ଗୋଟାଏ ଜିନିଷ ଭର୍ତ୍ତିକରି ତୁମେ ତ ଘରକୁ ମ୍ୟୁଜିୟମ୍‌ ବନେଇ ସାରିଲଣି । ଏଠିକି ପବନ ଆସିବ କୋଉବାଟେ ?”

 

ଅନ୍ୟଦିନ ହୋଇଥିଲେ ଅରୁଣା ଚିଡ଼ିଥାଆନ୍ତା, ଯୁକ୍ତି କରିଥାଆନ୍ତା । ସେଦିନ କିନ୍ତୁ ଚିଡ଼ିଲା ନାହିଁ । କହିଲା, “ଚାଲୁନ, ଛାତ ଉପରେ ବସିବା ।”

 

ଛାତ ଉପରେ ସୁଲୁସୁଲିଆ ପବନ ବହୁଥିଲା । କାହା ବାଡ଼ିର ଚମ୍ପାଫୁଲର ମହକ ଆମ ଛାତସାରା ଚହଟି ଯାଉଥିଲା । ଗୋଟେ ଶଉପ ପାରିଦେଇ ଆମେ ବସିଲୁ ।

ଅରୁଣା କହିଲା, “ତମକୁ ଗୋଟେ ଖବର ଦେବି ।”

ମୁଁ ବିଶେଷ ଆଗ୍ରହ ପ୍ରକାଶ କଲିନାହିଁ । ଅରୁଣା ସବୁକଥାର ଆରମ୍ଭ ଖୁବ୍‌ ଗମ୍ଭୀରତାର ସହ କରେ, କିନ୍ତୁ ମଝିରେ ତା କଥା ପାଣିଚିଆ ହୋଇଯାଏ ।

ସେ ପୁଣି କହିଲା, “ଶୁଣିବଟି !”

ମୁଁ କହିଲି, “ତମେ କହିଲେ ତ ଶୁଣିବି ।”

: ସେଇ କୋଠାଘରର ମାଲିକାଣୀ ଭାରି ଦୁଃଖୀ ସ୍ତ୍ରୀଲୋକଟାଏ ।

ମୁଁ ପ୍ରଥମେ ଅରୁଣାର କଥା ବୁଝିପାରିଲି ନାହିଁ । ପଚାରିଲି, “କୋଉ କୋଠାଘର ? ଉଆସ ଘରର ?”

: ହଁ, ଉଆସ ଘରର ।

ଏଥର ଆଶ୍ଚର୍ଯ୍ୟ ହେବା ଭିନ୍ନ ମୋର ଉପାୟ ନ ଥିଲା ! ମୁଁ ପଚାରିଲି, “ତମେ କେମିତି ଜାଣିଲ ?”

: ଶୁଣ ତ !

ତାପରେ ଅରୁଣା ସେ ଭଦ୍ରମହିଳାଙ୍କ କଥା କହିଥିଲା । ଭଦ୍ରମହିଳା ଜଣେ କୋଟିପତିଙ୍କର ଦ୍ୱିତୀୟ ପତ୍ନୀ । ଇଏ ପତ୍ନୀ ବୋଲି ଦାବି କରନ୍ତି, ମାତ୍ର ଭଦ୍ରଲୋକ ତାଙ୍କୁ ବିବାହ କରିନାହାନ୍ତି । କେବଳ ସାନ୍ନିଧ୍ୟ ଦିଅନ୍ତି । ଭଦ୍ରଲୋକ ଜଣେ ଅଣଓଡ଼ିଆ ଶିଳ୍ପପତି । କେରଳରେ ତାଙ୍କର ଘର । ପ୍ରଥମ ସ୍ତ୍ରୀଙ୍କୁ ସେ ଭୟ କରନ୍ତି । ତେଣୁ କୌଣସି ଦିନ ସେ ଏଠିକାର ପତ୍ନୀଙ୍କୁ ବିବାହ କରିପାରିବେ ନାହିଁ କିମ୍ବା ଇଏ କେବେ ବି ତାଙ୍କର ସନ୍ତାନଧାରିଣୀ ହେବେ ନାହିଁ । ସେଇ କୁଆଡ଼େ ତାଙ୍କ ସମ୍ପର୍କର ସର୍ତ୍ତ ।

ମୁଁ ପଚାରିଲି, “କିନ୍ତୁ କାହିଁକି ?”

: ବଡ଼ ଘର ବଡ଼ ଗୁମର କଥା । ସେଥିପାଇଁ ଭଦ୍ରଲୋକ ୟାଙ୍କୁ ଏଇଠି ଆଣି ରଖିଛନ୍ତି । ତାଙ୍କ ଇଚ୍ଛା ମୁତାବକ ଗଢ଼ିଦେଇଛନ୍ତି ରାଜଉଆସ । ମାତ୍ର ଉଆସ ଭିତରେ ସବୁବେଳେ ତାଙ୍କୁ ପହରା ଦେବା ପରି ଲୋକମାନେ ଜଗିଥାଆନ୍ତି । ସୁନା ପଞ୍ଜୁରି ଭିତରେ ବନ୍ଦିନୀ ପକ୍ଷୀ ସିଏ ।

ମୁଁ କିଛି ସମୟ ପାଇଁ ନିଜକୁ ନିଜେ ଭୁଲିଯାଇଥିଲି । ତାହାହେଲେ ଭଦ୍ରମହିଳା ଏତେ ବଡ଼ ଘର ତୋଳୁଛନ୍ତି କାହିଁକି ? ଏତେବର୍ଷ ଧରି ସେ ଘର କାମ ଚାଲିଛି ବା କଣ ପାଇଁ ? ସେ କ୍ଳାନ୍ତ ହୋଇପଡ଼ୁ ନାହାନ୍ତି ।

ଅବୋଲକରା କାହାଣୀର ଜିଜ୍ଞାସୁ ଶିଷ୍ୟ ଭୂମିକାରେ ମୋତେ ବସେଇ ଅରୁଣା ଅଭିଜ୍ଞ ଗୋସେଇଁ କହିଲା ପରି କହିଲା, “ଘରଟା ତାଙ୍କ ମନ ପସନ୍ଦର ନ ହେଲାଯାଏ ସେ ଏମିତି ଗଢ଼ୁଥିବେ, ଭାଙ୍ଗୁଥିବେ, ଗଢ଼ୁଥିବେ... ।”

 

ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । କି ବିଚିତ୍ର ସ୍ତ୍ରୀ ଲୋକ !

 

ଅରୁଣା କହିଲା, “ତମେ ବୁଝିପାରିବ ନାହିଁ । ସେଦିନ ତୁମେ ଜହ୍ନ-ଘର କଥା କହିଥିଲ, ମନେ ଅଛି ? ସବୁ ପୁଅଙ୍କ ଅପୂର୍ଣ୍ଣ ଘରର ପୂର୍ଣ୍ଣତା ଥାଏ ଜହ୍ନର ଚେହେରାରେ । କିନ୍ତୁ ଝିଅମାନଙ୍କ ସ୍ୱପ୍ନର ଘର ଜହ୍ନରେ ନ ଥାଏ ।

 

ମୁଁ ନିରବ ରହିଲି । ଚମ୍ପାଫୁଲର ବାସ୍ନା ଏବେ ଆସି ଅରୁଣା ପାଖରେ ହିଁ ଖେଳି ବୁଲୁଥିଲା ।

 

ଅରୁଣା କହିଲା, “ତମେ ପରା ଡାକ୍ତର । ଝିଅମାନଙ୍କର ଛାତି ଚିରିବା ବେଳେ ଦେଖିନ, ଗୋଟେ କୁନି ଘରର ଚିତ୍ର ସେମାନେ ଲୁଚେଇ ରଖିଥାଆନ୍ତି ଠିକ୍‌ ତାଙ୍କ ହୃଦୟ ତଳେ । ସେ ଘରର ଚିତ୍ରରେ ଥାଏ ଗୋଟେ ସ୍ୱାମୀ, ଗୋଟେ ଯୋଡ଼େ ଛୁଆ ଓ ଆଉ ନିଜେ ସେ । ଯୋଉ ପର୍ଯ୍ୟନ୍ତ ତା ଛାତି ଭିତରର ସେ ଚିତ୍ର ସାଙ୍ଗରେ ଇଟା ପଥର ତିଆରି ଘରର ଚିତ୍ର ଶହେକୁ ଶହେ ମିଶି ନ ଥିବ, ସେ ପର୍ଯ୍ୟନ୍ତ ସେ ଝିଅ ଘରଟାକୁ ଗଢ଼ୁଥିବ, ଭାଙ୍ଗୁଥିବ ପୁଣି ଗଢ଼ୁଥିବ, ପୁଣି ଭାଙ୍ଗୁଥିବ ।”

 

ଅରୁଣା ଚୁପ୍‌ ହୋଇ ସାରିଥିଲା ।

 

ମୁଁ କହିଲି, “କେବେ ତାହାହେଲେ ସେ ଘର ତିଆରି ସରିବ ?”

 

“ଜାଣେନି । କିନ୍ତୁ ଯୋଉଦିନ ପର୍ଯ୍ୟନ୍ତ ଭଦ୍ରଲୋକ ତାଙ୍କୁ ସାମାଜିକ ସ୍ୱୀକୃତି ଦେଇ ନ ଥିବେ, ସେତେଦିନ ପର୍ଯ୍ୟନ୍ତ ଏହି ଘରତୋଳା ସରିବ ନାହିଁ ।”

☆☆☆

 

Unknown

ମିଛ

 

ବିଶ୍ୱଜିତ୍‌ ତା ହୋଟେଲ୍‌ ଉଦ୍‌ଘାଟନର ନିମନ୍ତ୍ରଣପତ୍ର ପଠେଇଥିଲା ।

 

ଗଲାଥର, ପ୍ରାୟ ଦୁଇବର୍ଷ ତଳେ, ବାଲେଶ୍ୱରରେ ତା ସାଙ୍ଗେ ଦେଖା ହୋଇଥିଲା । ସେତେବେଳେ ସେ ଏହି ହୋଟେଲ୍‌ ତିଆରି କଥା କହୁଥିଲା । ବିଶ୍ୱଜିତ୍‌ ପରି ଖାମଖିଆଲୀ, କୌଣସି କଥାକୁ ଗୁରୁତ୍ୱର ସହ ନେଉ ନ ଥିବା ଏବଂ ଗଢ଼ିବା ଅପେକ୍ଷା ଭାଙ୍ଗିବାରେ ଅଧିକ ବିଶ୍ୱାସ କରୁଥିବା ଦୁଷ୍ଟ ଛାତ୍ର ଯେ ଦିନେ ଏମିତି ଗୋଟେ ବ୍ୟବସାୟରେ ହାତ ଦେବ ସେକଥା ମୁଁ କେବେ ଭାବି ନ ଥିଲି । ତା ବାପାଙ୍କର ବେଶ୍‌ ପଇସାପତ୍ର ଥିଲା ଓ ଗାଁରେ ପ୍ରଚୁର ଜମି ଥିଲା । ତାଙ୍କର ଗୋଟେ ଆମ୍ବତୋଟା ଏତେ ବଡ଼ ଥିଲା ଯେ ସେଇଟା ଆମକୁ ସ୍କୁଲ ପଢ଼ାଦିନେ ଜଙ୍ଗଲ ପରି ଦିଶୁଥିଲା । ବାପା-ମାଆଙ୍କର ଗୋଟିଏ ପୁଅ ହୋଇଥିବାରୁ ବିଶ୍ୱଜିତ୍‌ ପିଲାଦିନୁ ଅତି ଗେହ୍ଲା ଓ ଚଗଲା ହୋଇଯାଇଥିଲା ।

 

ମୁଁ ତା ହୋଟେଲ୍‌ ନିମନ୍ତ୍ରଣପତ୍ରଟିକୁ ଖୋଲିବାକୁ ଯାଉଛି, ବଡ଼ ବଡ଼ ଅକ୍ଷରରେ ଲେଖିଥିବା ହୋଟେଲ୍‌ର ନାଁ ଉପରେ ନଜର ପଡ଼ିଗଲା । ମୁଁ ସେଇ ନାଆଁଟି ପଢ଼ି ଯେତିକି ଆଶ୍ଚର୍ଯ୍ୟ ହେଲି, ସେତିକି ଭାବପ୍ରବଣ ମଧ୍ୟ ହେଲି ।

 

ସେ ନାଆଁଟି ପଛକୁ କହିବି । ଆଗେ ମୁଁ ବିଶ୍ୱଜିତ୍‌ର କଥା କହେ । ତା ହୋଟେଲ୍‌ର କଥା ନୁହେଁ, ଆମ ହାଇସ୍କୁଲ ଦିନର କଥା । ହୋଟେଲ୍‌ କଥା ତ ସେ ଏଇ ଦି ବର୍ଷ ତଳେ ପ୍ରଥମେ ମୋତେ କହିଥିଲା । ପୁରୀ ସି-ବିଚ୍‌ର ଚକ୍ରତୀର୍ଥ ରୋଡ୍‌ରେ ତିଆରି କରିଛି ତାର ହୋଟେଲ୍‌ । ପଛରେ କୁଆଡ଼େ ନିଜେ ଖର୍ଚ୍ଚ କରି ଝାଉଁବଣ ସୃଷ୍ଟି କରିଛି । ସହରଠୁଁ ଦୂର, ନିକାଞ୍ଚନ ଜାଗାରେ ସେ ହୋଟେଲ୍‌–ଯୋଉ ଲୋକମାନେ ବଡ଼ ବଡ଼ ସହରର ଗହଳଚହଳ ଭିତରେ ବ୍ୟସ୍ତବିବ୍ରତ ହୋଇପଡ଼ୁଛନ୍ତି, ଚେନାଏ ନିର୍ଜନତା ଓ ଚିରୁଡ଼ାଏ ଶାନ୍ତି ପାଇଁ ଛାଟିପିଟି ହେଉଛନ୍ତି, ସେଇମାନଙ୍କ ପାଇଁ ଏକ ମଧୁର ପରିବେଶ ।

 

ହାଟପୁର ହାଇସ୍କୁଲରେ ପଢ଼ିବାବେଳେ ବିଶ୍ୱଜିତ୍‌ ମୋର ସହପାଠୀ ଥିଲା । ମୋ ପରି ଅନ୍ୟ ସାଙ୍ଗମାନେ ବିଶ୍ୱଜିତ୍‌କୁ ସହପାଠୀ ବୋଲି ଭାବୁଥିଲେ ବି ବିଶ୍ୱଜିତ୍‌ ଆମକୁ ତଳଶ୍ରେଣୀର ପିଲା ବୋଲି ଭାବୁଥିଲା ଓ ସେହିପରି ବ୍ୟବହାର ଦେଖଉଥିଲା । ଡେଙ୍ଗା, ପତଳା ଫିନ୍‌ ଫିନ୍‌ ବିଶ୍ୱଜିତ୍‌ ପାଠକୁ ଛାଡ଼ି ଆଉ ସବୁଥିରେ ଥିଲା ଆଗୁଆ, ବିଶେଷକରି ଖେଳକୁଦ ଓ ଦୁଷ୍ଟାମିରେ ।

 

ବିଶ୍ୱଜିତ୍‌ର ବନ୍ଧୁତା ଆମ ପାଇଁ ଦୁଇଧାରିଆ ଛୁରୀ ପରି ଥିଲା । ତାକୁ ବାଦ୍‌ଦେଇ ଆମେ କୌଣସି କାମ କରିପାରୁ ନ ଥିଲୁ କଥାଟି ଯେପରି ଠିକ୍‌, ତା ସାଙ୍ଗରେ ରହୁଥିବା ଯୋଗୁ ଅନେକ ପ୍ରକାର ସମସ୍ୟା ମୁଣ୍ଡଉଥିଲୁ–ସେକଥାଟି ମଧ୍ୟ ଠିକ୍‌ ।

 

ବିଶ୍ୱଜିତ୍‌ ଆମର ନେତା ଥିଲା । ଦିନରାତି ପଢ଼ାବହି ପାଖରେ ବସି ଆଉ ସବୁ କଥାକୁ ପିଠି ବୁଲେଇ ଚାଲିଯାଉଥିବା ନରେନ୍ଦ୍ର ଓ ହେମନ୍ତ ପରି ମେଧାବୀ ପିଲାମାନଙ୍କୁ ସେ ଦୟା କରୁଥିଲା । ସେ କହୁଥିଲା ଯେ ଏମାନେ ଆଉଥରେ ମଣିଷ ଜନ୍ମ ପାଇ ପୁଣି ଏଠିକି ଆସିବେ ଏବଂ ଏହି ଜନ୍ମରେ ଯୋଉ ଯୋଉ କଥା ଉପଭୋଗ କରିପାରିଲେ ନାହିଁ, ସେ ଜନ୍ମରେ ସେସବୁ ଉପଭୋଗ କରିବେ ।

 

ଆମେମାନେ ଯୋଉମାନେ ନରେନ୍ଦ୍ର ଓ ହେମନ୍ତଙ୍କ ପରି ମେଧାବୀ ନ ଥିଲୁ, ବିଶ୍ୱଜିତ୍‌ର କଥା ଶୁଣି ବେଶ୍‌ ଖୁସି ହେଉଥିଲୁ । ଆମର ଦୁର୍ବଳତା ଓ ନିପାରିଲାପଣିଆକୁ ବିଶ୍ୱଜିତ୍‌ ତାର ଚଟୁଳ ପରିହାସରେ ମହିମାମଣ୍ଡିତ କରି ଆମକୁ ସେତକ ଖୁସି ଯୋଗାଇ ଦେଉଥିଲା । ଆମେ ବିଶ୍ୱଜିତ୍‌ ପାଖକୁ ଟାଣି ହୋଇଯାଉଥିଲୁ ଓ ସେ ତା ନିଜ ଯୋଜନାରେ ଆମକୁ ସାମିଲ୍‌ କରିନେଉଥିଲା ।

 

ବିଶ୍ୱଜିତ୍‌ର ଅନେକ ପ୍ରକାର ଯୋଜନା ଥିଲା । ପ୍ରଥମ ଯୋଜନା ଥିଲା ଭୋଜି ।

 

ସେ ଖାଦ୍ୟପ୍ରିୟ ଥିଲା ଓ ହଷ୍ଟେଲ୍‌ରେ ରହୁଥିବା ଆମ ପରି ପିଲାଙ୍କ ଭଲ ଭଲ ଜିନିଷ ଖାଇବାର ଦୁର୍ବଳତାକୁ ସେ ଜାଣିଥିଲା । ଆମର ଭୋଜି ଥିଲା ବିଚିତ୍ର ପ୍ରକାରର । କେବେ ସେ ଭୋଜିର ମେନ୍ୟୁ ଥିଲା କେବଳ ଫଳାହାର । ସେଥର ସ୍କୁଲ ବଗିଚାର ପିଜୁଳି, ନଡ଼ିଆ, କଦଳୀ ଏପରିକି କଷି କାକୁଡ଼ି ମଧ୍ୟ ଆମ କବଳରୁ ରକ୍ଷା ପାଉ ନ ଥିଲେ । ଦିନ ଆଲୁଅରେ ବିଶ୍ୱଜିତ୍‌ ଏସବୁ କୋଉଠି କୋଉଠି ଅଛି ତାର ଚିହ୍ନ ରଖିଦେଉଥିଲା ଓ ସ୍କୁଲ ଛୁଟି ହେବାକ୍ଷଣି ଆମକୁ ସେ କାମରେ ଲଗେଇଦେଉଥିଲା । ଆମେ ତାର ଏ ପ୍ରରୋଚନାକୁ ନାପସନ୍ଦ କରିବା ବଦଳରେ ବିଶ୍ୱସ୍ତ ଶିଷ୍ୟ ପରି ଫଳ ଚୋରି କାମରେ ଲାଗିଯାଉଥିଲୁ ଏବଂ ସେସବୁ ଆମ ସାର୍ଟ, ପ୍ୟାଣ୍ଟ୍‌ ପକେଟ୍‌ ଓ ତଉଲିଆରେ ଆଣି ତା ସାମ୍ନାରେ ହାଜର କରାଉଥିଲୁ ।

 

ବିଶ୍ୱଜିତ୍‌ ଆମକୁ ସାର୍ଟିଫିକେଟ୍‌ ଦେଉଥିଲା । ଆମେ ବିପର୍ଯ୍ୟସ୍ତ ସ୍କୁଲ ବଗିଚା ଓ ମାଳୀର ସଯତ୍ନବର୍ଦ୍ଧିତ କାକୁଡ଼ି ଲଟାର ଦୁର୍ଦ୍ଦଶାକୁ ଦେଖି ଅଦ୍ଭୁତ ଆନନ୍ଦରେ ରୋମାଞ୍ଚିତ ହୋଇଉଠୁଥିଲୁ ।

 

ପରଦିନ ସ୍କୁଲ ଖୋଲିବା ପରେ ଏସବୁ ଲଙ୍କାକାଣ୍ଡର ଦୃଶ୍ୟ ପ୍ରଧାନଶିକ୍ଷକଙ୍କ ଦୃଷ୍ଟିକୁ ଅଣାଯାଉଥିଲା । ପ୍ରଧାନଶିକ୍ଷକ ବ୍ୟସ୍ତ ବିବ୍ରତ ହୋଇ ନଡ଼ିଆ, ପିଜୁଳି, ସପେଟା ଗଛ ଓ କାକୁଡ଼ି ଲଟାକୁ ଚାହୁଁଥିଲେ । ତାପରେ ସେ ଅନ୍ୟ ଶିକ୍ଷକ ଏବଂ ପିଲାମାନଙ୍କୁ ଅନେଇ ଦେଖୁଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି ବଗିଚାର ମାଳୀକୁ ହିଁ ଦାୟିତ୍ୱହୀନ, ନିକମ୍ମା କହି ନିଜର ଦାୟିତ୍ୱ ସମ୍ପନ୍ନ କରୁଥିଲେ ।

 

ଆମେମାନେ ହାତ ପାପୁଲିରେ ମୁହଁଢାଙ୍କି ଏସବୁ ଦେଖୁଥିଲୁ ଓ ମନେ ମନେ ଖୁସି ହେଉଥିଲୁ । ଆମର ସେ ଖୁସି ଆମକୁ ଆଉ ଗୋଟେ ଅଭିଯାନରେ ବାହାରିବା ପାଇଁ ଉତ୍ସାହିତ କରୁଥିଲା ଏବଂ ଆମେ ବିଶ୍ୱଜିତ୍‌ର ଇସାରାକୁ ଅପେକ୍ଷା କରୁଥିଲୁ ।

 

ବିଶ୍ୱଜିତ୍‌ ପରାମର୍ଶ ଦେଉଥିଲା, ଗୋଟାଏ ଯୋଜନା ପରେ ଖୁବ୍‌ କମ୍‌ରେ ଚାରିଦିନ ଫାଙ୍କା ଛାଡ଼ିଦେବାକୁ ପଡ଼ିବ । ତାହା ନ ହେଲେ ଧରା ପଡ଼ିଯିବାର ଆଶଙ୍କା ଅଛି । ଥରେ ଯଦି ଧରା ପଡ଼ିଯିବ, ତାହେଲେ... !

 

ତାହାହେଲେର ପରିଣତି ବିଷୟରେ ଆମ କାହାକୁ କିଛି କହିବା ଦରକାର ପଡ଼େନାହିଁ । ଆମେ ସେସବୁ ଆପେ ଆପେ ବୁଝିଯାଉ । ଆମ ହେଡ୍‌ମାଷ୍ଟ୍ରେ ଶ୍ରୀ ପ୍ରବୋଧ ଚକ୍ର ମହାପାତ୍ର ବି.କମ୍‌. ବି.ଇଡି.ଙ୍କ ରାଗ ଆମେ ଭଲ ଭାବେ ବୁଝିଥାଉ । ଇଆଡ଼ୁ ସିଆଡ଼ୁ ପ୍ରଶ୍ନ ପଚାରି ପ୍ରଥମେ ଅପମାନ ଦେବା ଓ ତାପରେ ଗୋଗଛ ବାଡ଼ିଆ ପିଟିବା ତାଙ୍କର ଗୋଟେ ଅଭ୍ୟାସ । ଆମେ ସେସବୁ କଥା କଳ୍ପନା କରିବାକୁ ସାହସ କରି ପାରୁନାହୁଁ ।

 

ଶୁଖିଲା ପତ୍ର ପରି ଆମର ବିଷଣ୍ଣ ମୁହଁକୁ ଦେଖି ବିଶ୍ୱଜିତ୍‌ ସାହସ ଦିଏ, “ବ୍ୟସ୍ତ ହୁଅନାହିଁ । ହେଡ୍‌ମାଷ୍ଟର ଡାଳେ ଡାଳେ ଗଲେ ଆମେ ପତରେ ପତରେ ଯିବା । ସେ ପତରେ ପତରେ ଗଲେ ଆମେ ଶିରାରେ ଶିରାରେ ଯିବା ।”

 

ଆମେ ଏସବୁ ଶୁଣି ବିଶ୍ୱଜିତ୍‌ର ମୁହଁକୁ ଆଁ କରି ଅନଉ । ୟାକୁ କହିବ ଲିଡର୍‌, ନେତା, ସମୟଠୁଁ ଆଗୁଆ, ସମସ୍ତଙ୍କଠାରୁ ସାହସୀ ।

 

ଆମେ ତା ପାଖକୁ ଘୁଞ୍ଚିଯାଉ ।

 

ସେ ଦିନବାର ସ୍ଥିର କରେ । ଶନିବାର ରାତିରେ ଆମେ ପୋଖରୀରୁ ମାଛ ଧରିବା ।

 

ଉତ୍ତେଜନାର ଗୋଟେ ଉଷୁମ ଲହରୀ ଆମ ଶିରାପ୍ରଶିରା ଦେଇ ବୋହିଯାଏ । ମାଛଧରା । କୋଉଠୁ ଜାଲ ଆସିବ, କୋଉଠୁ ମାଛଗୁଡ଼ାକୁ ଲୁଚେଇବା ପାଇଁ ଜାଗା ? ଇଏତ କାକୁଡ଼ି ନୁହେଁ କି ପିଜୁଳି ନୁହେଁ, ଆମେ ନେଇ ନିଜ ନିଜ ଟ୍ରଙ୍କ୍‌ ଭିତରେ ଲୁଚେଇଦେବୁ !

 

ବିଶ୍ୱଜିତ୍‌ କହେ, “କାହିଁକି ମାଇଚିଆଙ୍କ ପରି ହଉଛ, ଆଁ ?”

 

ତାର ସେ ଭର୍ତ୍ସନା ହାଇସ୍କୁଲ ପୋଖରୀର କୁନି କୁନି ଢେଉ ଉପର ଦେଇ ଭାସିଯାଏ । ଆମେ କାନଡେରି ତାର ନିର୍ଦ୍ଦେଶକୁ ଅପେକ୍ଷା କରୁ ।

 

ସେ କହେ, “ଶନିବାର ସଞ୍ଜବେଳକୁ ହେଡ୍‌ମାଷ୍ଟ୍ରେ ଓ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କ ଗାଁକୁ ପଳେଇବେ । ପହଲି ନନାର ସ୍ତ୍ରୀ ଦେହ ଖରାପ, ସିଏ ବି ରହିବ ନାହିଁ । ଆଉ ଯୋଉମାନେ ରହିବେ, ଆମେ ସେମାନଙ୍କୁ ସାଙ୍ଗରେ ମିଶେଇନେବା ।”

 

ପ୍ରଦ୍ୟୁମ୍ନ ଡରିଯାଇ ପଚାରିଥିଲା, “କିନ୍ତୁ ନରେନ୍ଦ୍ର ଓ ହେମନ୍ତ ।”

 

: ହେଃ, ସେ ଦିଇଟାଙ୍କ କଥା କାହିଁକି ଏତେ ଭାବୁଛ ! ମୋ ସାଙ୍ଗେ ଦୁସ୍‌ମନି କଲେ, ମୁଁ ପଛେ ସ୍କୁଲରୁ ଯିବି, କିନ୍ତୁ ତାଙ୍କ ବହିପତ୍ରସବୁ ନେଇ ପୋଖରୀରେ ପକେଇଦେବି ।”

 

ଆମେ ଶନିବାର ରାତିକୁ ଅପେକ୍ଷା କରୁ ।

 

ବିଶ୍ୱଜିତ୍‌ର ଭବିଷ୍ୟତ ବାଣୀ ସତ ହୁଏ । ହେଡ୍‌ମାଷ୍ଟ୍ରେ ଓ ସୁପରିଣ୍ଟେଣ୍ଡେଣ୍ଟ ନିଜ ନିଜ ଘରକୁ ଚାଲିଯାଆନ୍ତି । ସେମାନଙ୍କ ଯିବା ପରେ ପରେ ପହଲି ନନା ବି ତା ଗାଁକୁ ପଳାଏ ।

 

ଆମେ ଉତ୍ତେଜନାରେ ଥରୁ । ବିଶ୍ୱଜିତ୍‌ ଶେଷକୁ ଆମକୁ ପାଣିରେ ବୁଡ଼େଇ ମାରିବ ନାହିଁ ତ !

 

ଜାଲ ଖୋଜିବା ଦରକାର ପଡ଼େନାହିଁ । ବିଶ୍ୱଜିତ୍‌ ତା ମଶାରି ନେଇ ଆସେ । ଆମେ ଚାରିଜଣ ମଶାରି ଧରି ପାଣିରେ ପଶିଯାଉ ।

 

ସେଇଟା ଥାଏ ଖରାଦିନ । ସେପଟ ଆଡ଼ିରେ କେହି ଆମ ଆଡ଼େ ଅନେଇଲେ, ବିଶ୍ୱଜିତ୍‌ ସିନେମା ଗୀତ ଗାଏ । ଅନ୍ଧାର ଭିତରେ ହୁଇସିଲ୍‌ ଫୁଙ୍କେ । ଗାଁର ସ୍ତ୍ରୀଲୋକେ ଭାବନ୍ତି, ପିଲାଏ ରାତି ଗାଧୁଆ ଗାଧୋଉଛନ୍ତି । ପାଠ ପଢ଼ି ପଢ଼ି ଖରାଦିନଟାରେ ମୁଣ୍ଡ ଗରମ ହୋଇଯାଉଥିବ ! ଆହା, ଏଡ଼େ ଟିକି ଟିକି ପିଲା; ବାପ-ମା, ଘରଦ୍ୱାର ଛାଡ଼ି ହଷ୍ଟେଲ୍‌ରେ ଆସି କେତେ ପରିଶ୍ରମ ନ କରୁଛନ୍ତି !

 

ବିଶ୍ୱଜିତ୍‌ ଘଣ୍ଟା ଦେଖିବା ପରି ଠିକ୍‌ ଘଣ୍ଟାଏ ପରେ ଆମକୁ କହେ, “ଏବେ ଚାଲିଆସ । ଢେର୍‌ ହେଲାଣି ।”

 

ତାପରେ ଚାଲେ ମାଛକେଳା, ମାଛରନ୍ଧା ।

 

ହଷ୍ଟେଲ୍‌ର ପେଜମିଶା ଡାଲି ଓ ଜାଉଆ ଭାତ ଖାଇ ଖାଇ ଆମମାନଙ୍କର ଅରୁଚି ଆସିଯାଇଥାଏ । ପୋହଳା ମାଛର ତରକାରି ଆମର ସ୍ନାୟୁଗୁଡ଼ାକୁ ଉତ୍ତେଜିତ କରିଦିଏ । ଆମେ ମନେ ମନେ ବିଶ୍ୱଜିତ୍‌କୁ ଗୁରୁ ଆସନରେ ବସେଇ ତାର ପୂଜା କରୁ । ବିଶ୍ୱଜିତ୍‌ ସାଙ୍ଗରେ ନ ଥିଲେ ଏ ଖଡ଼ାଖିଆ ହଷ୍ଟେଲ୍‌ରେ କଣ ଏମିତି ମାଛଝୋଳ ମିଳିଥାଆନ୍ତା !

 

ବିଶ୍ୱଜିତ୍‌ ନିର୍ଦ୍ଦେଶ ଦିଏ, “କାଲି ସକାଳୁ ତମେମାନେ ମୋ ମଶାରିକୁ ସର୍ଫରେ ବୁଡ଼େଇ ସଫା କରିବ । ତାପରେ ତାକୁ ନେଇ ଖରାରେ ଶୁଖେଇ ମୋତେ ଦେଖେଇବ । ବୁଝିଲ !”

 

ଆମେ ବୁଝିଯାଉ । ପରଦିନ ସକାଳୁ ତା ମଶାରି ସଫାକରି ମାଛଚୋରିର ସବୁ ପ୍ରମାଣ ପାଣିରେ ଧୋଇଦେଉ ।

 

ସୋମବାର ଦଶଟା ବେଳକୁ, ସ୍କୁଲ ଖୋଲିବା ପୂର୍ବରୁ, ପୋଖରୀରୁ ମାଛ ଧରାଯାଇଥିବା ଖବର ସ୍କୁଲସାରା ଖେଳିଯାଇଥାଏ । ପୁଣିଥରେ ତଦନ୍ତ ଚାଲେ । ହେଡ୍‌ମାଷ୍ଟ୍ରେ କହନ୍ତି, ଏ କାମରେ ନିଶ୍ଚୟ ସ୍କୁଲ ପିଲାଙ୍କର ହାତ ଅଛି । ଗାଁଲୋକ କେହି ମାଛ ଧରିଥିଲେ ସେମାନେ ସେପଟ ଆଡ଼ିରୁ ଧରିଥାଆନ୍ତେ । ସ୍କୁଲପଟ ଆଡ଼ିରେ କାହିଁକି ଗେଣ୍ଡା, କାଦୁଅ ଓ ଶିଉଳି ସବୁ ଜମା ହୋଇଛି ? ହେଡ୍‌ମାଷ୍ଟର ରାଗିବାର ଖବର ଆମ ପାଖେ ପହଞ୍ଚେ । ଆମେ ଆଖିବୁଜି ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’ ପ୍ରାର୍ଥନା ଗାଉ ଓ ଚୁପ୍‌ ରହୁ । “ଫ୍ୟାକ୍ଟ ଇଜ୍‌ ଟ୍ରୁ, ଦେୟାର ଇଜ୍‌ ନୋ କ୍ଲୁ”–ଏହି ନ୍ୟାୟରେ ସେ ତଦନ୍ତ ସରେ ।

 

ସମୟ ବିତେ ।

 

ତାଆରି ଭିତରେ ପରୀକ୍ଷା, ଛୁଟି, ଗଣେଶପୂଜା, ସରସ୍ୱତୀପୂଜା, ଅଗଷ୍ଟ ପନ୍ଦର, ଜାନୁଆରି ଛବିଶ ଆସେ ଓ ଯାଏ ।

 

ସ୍କୁଲର ଡ୍ରାମା ଦିନ ପାଖେଇ ଆସେ ।

 

ଏଥର ବିଶ୍ୱଜିତ୍‌ ମୁଣ୍ଡକୁ ନୂଆ ଆଇଡିଆ ଆସେ ।

 

ସେ ସମସ୍ତଙ୍କୁ କହେ, “ପୁଅ ପିଲାମାନେ ଏଣିକି ଆଉ ଝିଅ ରୋଲ୍‌ କରିବେ ନାହିଁ । ଇଏ ଆମ ଇଜ୍ଜତର କଥା । ଯଦି ଝିଅମାନେ ଡ୍ରାମାରେ ମିଶିବେ, ତାହାହେଲେ ମିଶନ୍ତୁ । ନ ହେଲେ ଝିଅ ରୋଲ୍‌ ନ ଥିବା ନାଟକ ବହିଟିଏ ସାର୍‌ମାନେ ବାଛନ୍ତୁ ।”

 

ଏ କଥାଟି ମଧ୍ୟ ଆମ ମନକୁ ପାଏ । ପୁଅପିଲା ହୋଇ ଗୋଟେ କଣ ଝିଅ ପାର୍ଟ କରିବ-! ଛିଃ, ମଥାରେ ବେଣି, ଆଖିରେ କଜ୍ଜ୍ୱଳ, ଛାତି ଉପରେ... ଛି, ଛି ! ଆମେ ସମସ୍ତେ ବିଶ୍ୱଜିତ୍‌ କଥାରେ ସହମତ ହେଉ । ସାର୍‌ମାନଙ୍କର ଚିନ୍ତା ବଢ଼ିଯାଏ ।

 

ହେଡ୍‌ମାଷ୍ଟ୍ରେ କହନ୍ତି, “ଏଇ ବିଶ୍ୱଜିତ୍‌ଟା ନାଟର ଗୋବର୍ଦ୍ଧନ । ଥରେ ହାବୁଡ଼ରେ ପଡ଼ନ୍ତା କି, ତା ବୋପା ବାହାଘର ଦେଖେଇ ଦିଅନ୍ତି ।”

 

ଖେଳ ସାର୍‌ କହନ୍ତି, “ଟୋକାଟାର ମୁହଁ ବଢ଼ିଯାଉଛି । ସେଦିନ ଶିକ୍ଷକ ଏକାଦଶ ଓ ଛାତ୍ର ଏକାଦଶ ଭିତରେ ଫୁଟ୍‌ବଲ୍‌ ଖେଳ ହେବାବେଳେ ବିଶ୍ୱଜିତ୍‌ ତାଙ୍କ ପଟେ ଗୋଲ୍‌କିପର ଥିଲା-। ଆମେମାନେ ଗୋଲ୍‌ ଦେଇ ନ ପାରିବାରୁ ସେ କଣ କମ୍‌ ଟାହିଟାପରା କରିଥିଲା !”

 

ସାହିତ୍ୟ ସାର୍‌ କହନ୍ତି, “ଟୋକାଟାର ମୁଣ୍ଡରେ ପାଠ ଶୂନ୍‌ । ସେଦିନ ତାକୁ ପଚାରିଲି ଯେ ‘ମଙ୍ଗଳେ ଅଇଲା ଉଷା’ କବିତାର କବି କିଏ । ବିଶ୍ୱଜିତ୍‌ ଉତ୍ତର ଦେଲା, ‘ରାଧାନାଥ ରଥ । ହେଃ, ହେଃ ।”

 

ତାଙ୍କ ପଛକୁ ଅଙ୍କ ସାର୍‌, ଭୂଗୋଳ ସାର୍‌ ଓ ଶେଷକୁ ସଂସ୍କୃତ ପଣ୍ଡିତ ବିଶ୍ୱଜିତ୍‌ ବିରୋଧରେ ନିଜ ନିଜର ଅଭିଯୋଗ ବାଢ଼ନ୍ତି । ହେଡ୍‌ମାଷ୍ଟ୍ରେ ରକ୍ତଚାଉଳ ଚୋବାନ୍ତି । କହନ୍ତି, “ଆପଣମାନେ ତାକୁ ପନିସ୍‌ମେଣ୍ଟ ଦେଉନାହାନ୍ତି କାହିଁକି ?”

 

ସାର୍‌ମାନେ କୁରୁ ସଭାର ଯୋଦ୍ଧାଙ୍କ ପରି ପରସ୍ପରର ମୁହଁ ଚାହାଁଚୁହିଁ ହୁଅନ୍ତି ।

 

ଆମେ ଏ କଥାର ଖବର ପାଉ । ଚେଷ୍ଟା କରି ମଧ୍ୟ ଜାଣିପାରୁନା, ଏତେ ସବୁ ବଦମାସି ସତ୍ତ୍ୱେ ବିଶ୍ୱଜିତ୍‌ କେମିତି ଶାସ୍ତିରୁ ଖସିଯାଏ !

 

ଆମେ ତାର ପ୍ରତ୍ୟୁତ୍ପନ୍ନମତିତା ଓ ସାହସ ଦେଖି ବିସ୍ମିତ ହେଉ ।

 

କିନ୍ତୁ ବିଶ୍ୱଜିତ୍‌ ଫୁଟ୍‌କି ମାରି କେହ, “ମୋତେ କିଏ ପିଟିବ ପିଟୁ, ତାପରେ ମୁଁ ଦେଖିବି ନାହିଁ । ମୁଁ କଣ ହେମନ୍ତ, ନରେନ୍ଦ୍ରଙ୍କ ପରି ମାଇଚିଆ ହୋଇଛି ?”

 

ବହୁତ ଦିନ ପରେ ଜାଣିଲୁ ଯେ, ପୁଅ ଦୁଷ୍ଟାମିର ପ୍ରାୟଶ୍ଚିତ୍ତ ପାଇଁ ବିଶ୍ୱଜିତ୍‌ର ବାପା ଅନେକ ପଇସା ଅର୍ଥଶ୍ରାଦ୍ଧ କରୁଥିଲେ । ସାର୍‌ମାନଙ୍କ ହାତଧରି କ୍ଷମା ମାଗୁଥିଲେ । ସ୍କୁଲର ଭଲମନ୍ଦ କାମରେ ସାହାଯ୍ୟ କରୁଥିଲେ । ସବୁଥର ସ୍କୁଲକୁ ଆସିବାବେଳେ ସାର୍‌ମାନଙ୍କ ପାଇଁ କିଛି ନା କିଛି ଫଳଫୁଲୁରି ଆଣୁଥିଲେ । ସେଥିପାଇଁ କୌଣସି ସାର୍‌ ବିଶ୍ୱଜିତ୍‌ ବିରୋଧରେ କିଛି କଠୋର ପଦକ୍ଷେପ ଗ୍ରହଣ କରୁ ନ ଥିଲେ ।

 

ବିଶ୍ୱଜିତ୍‌ ଖେଳକୁଦ, ଗଛଚଢ଼ା, ମାଛଧରା, ପୋଖରୀ ପହଁରା ଏପରିକି ଅସୁବିଧାରେ ପଡ଼ିଥିବା ପିଲାମାନଙ୍କ ଭଲମନ୍ଦରେ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲା । ପାଖ ମତୋ, ପୀରହାଟ ଓ ଚାନ୍ଦବାଲି ବଜାରକୁ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଓ ବାସନ୍ତୀ ଦୁର୍ଗାପୂଜା ସମୟକୁ ଅପେରା ପାର୍ଟିଗୁଡ଼ିକ ଆସୁଥିଲେ । ହେଡ୍‌ମାଷ୍ଟ୍ରଙ୍କ କଡ଼ା ନିର୍ଦ୍ଦେଶ, ପିଲାମାନେ କେବଳ ଗୋଟିଏ ରାତି ଅପେରା ଦେଖିପାରିବେ । ଏକ୍‌ରେ ରାତି ଅନିଦ୍ରା ହେଲେ ତା ପରଦିନ ପାଠପଢ଼ା ହୋଇପାରିବ ନାହିଁ, ଦ୍ୱିତୀୟରେ ଅପେରାଗୁଡ଼ିକରେ ଆଜିକାଲି ଭଲ ବିଷୟ ଦେଖାଯାଉ ନାହିଁ ଓ ଯାହା ଦେଖାଯାଉଛି ସେସବୁ ଛାତ୍ରମାନଙ୍କୁ କୁ-ପଥରେ ନେଇଯିବାର ଆଶଙ୍କା ରହିଛି ଏବଂ ତୃତୀୟରେ ଅପେରାକୁ ଯାଇ ପିଲାମାନେ ପାନ ଖାଇବେ କି ସିଗ୍ରେଟ୍‌ ଟାଣିବେ, ତାର ଗ୍ୟାରେଣ୍ଟି କେହି ତାଙ୍କୁ ଦେଇପାରିବ ନାହିଁ–ଇଏ ଥିଲା ନିଷିଦ୍ଧାଦେଶର କାରଣ ।

 

କିନ୍ତୁ ହାଟପୁର ପରି ଗୋଟେ ତଳମାଳର ଗାଁ ପିଲାଙ୍କ ପାଇଁ ଅପେରାଠୁଁ ଆଉ ଭଲ ମନୋରଞ୍ଜନ ସୁଯୋଗ ତ କିଛି ନ ଥାଏ । ନା ହାଟପୁରରେ ସିନେମା ଥାଏ ନା ଥିଏଟର ! ଆମେମାନେ ବିଶ୍ୱଜିତ୍‌ର ସାହାଯ୍ୟ ଲୋଡୁ । ବିଶ୍ୱଜିତ୍‌ କହେ, “ଆଗେ ଆମେ ଆମର ଗୋଟାଏ ରାତି ସରକାରୀ ଦେଖା ଦେଖିଦେବା ଚାଲ । ତାପରେ ମୁଁ ଉପାୟ ବତେଇବି ନାହିଁ !”

 

ଆମେ ତା କଥାରେ ରାଜି ହୋଇଯାଉ ।

 

ମତୋ, ପୀରହାଟରେ ଯେତିକି ରାତି ଅପେରା ହୁଏ, ସବୁଯାକ ଦେଖୁ ।

 

ବିଶ୍ୱଜିତ୍‌ ଆମର ସାର୍ଟପ୍ୟାଣ୍ଟଗୁଡ଼ିକ ଦିନବେଳୁ ନେଇ ଘୁନ ସାହୁ କ୍ୟାବିନ୍‌ରେ ରଖିଦେଇ ଆସିବାକୁ କହେ । ତାପରେ ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ବିଶ୍ୱଜିତ୍‌ ଓ ଆମେ ଭକ୍ତଗଣ ଖଟିଆ ଉପରେ ତକିଆକୁ ଘୋଡ଼େଇ, ମଶାରି ଟାଙ୍ଗି, ଲଣ୍ଠନକୁ ଦିକିଦିକି କରି କବାଟ ଆଉଜେଇ ଆଣୁ । ବାହାରୁ ଯିଏ ଦେଖିବ, ପିଲାଏ ଖଟ ଉପରେ ଶୋଇଛନ୍ତି । ଖଟିଆ ଉପରେ ତକିଆ କି ବହି ବସ୍ତାନି ଶୋଇଛି ବୋଲି ସେ ଜାଣିପାରିବ ନାହିଁ ।

 

ଆକାଶରେ ତାରାମାନେ ଆମକୁ ଉତ୍ସାହିତ କଲାପରି ଆଖିମିଟିକା ମାରନ୍ତି ।

 

ପବନ ଆମ ପାଦରେ ପାଦ ମିଳେଇ ଅପେରା ଦେଖିବାକୁ ଚାଲେ ।

 

ସ୍କୁଲ ହତା ଟପିବା କ୍ଷଣି ଆମେ ଆମର ଜାମାପଟା ବଦଳେଇ ଜଣେ ଜଣେ ନିର୍ଭୟ ନାୟକ ପରି ଆଗେଇ ଯାଉ । ବିଶ୍ୱଜିତ୍‌ କହେ, ମୁଣ୍ଡରେ ଗୋଟାଏ କିଛି ପକେଇ ଦିଅ । କାକର ପାଇଁ ନୁହେଁ, କାଳେ କେହି ଚିହ୍ନିପକେଇବ ।

 

ଆମେ ଅପେରା ଦେଖୁ । ଚିନାବାଦାମ ଚୋବଉ । ବିଶ୍ୱଜିତ୍‌ ତା ପକେଟ୍‌ରୁ ଆମ ପାଇଁ ଖର୍ଚ୍ଚ କରେ । ଅପେରା ସରିବାକୁ ଗୋଟେ ଯୋଡ଼ିଏ ଦୃଶ୍ୟ ଥିବ, ଆମେ ହଷ୍ଟେଲ୍‌କୁ ଫେରିଆସୁ । ତକିଆମାନଙ୍କୁ ହଟେଇ ନିଜ ନିଜ ବିଛଣାରେ ଶୋଇଯାଉ ।

 

କ୍ଲାସ୍‌ରେ ବସିଥିବା ବେଳେ ହାଇମାଡ଼େ, ନିଦ ଆସେ ।

 

ସାର୍‌ ପଚାରନ୍ତି, “କିରେ, କାଲି ରାତିରେ କଣ ନଈରୁ ନିଆଁ ଲିଭଉଥିଲୁ ?” ଅନ୍ୟ ପିଲାମାନେ ହୋ-ହୋ ହୋଇ ହସନ୍ତି ।

 

ମୋର ବିଶ୍ୱଜିତ୍‌ କଥା ମନେପଡ଼େ । କାନ ଆଉଁଶି ସାର୍‌ଙ୍କୁ କହେ, “ଗୋଟେ ରାତି ନିଦ ପରା ସାତଦିନ ରହେ ସାର୍‌ ।”

 

ସାର୍‌ କହନ୍ତି, “ଠିକ୍‌, ଠିକ୍‌ । ଗୋଟିଏ ରାତି ଦେଖିଛ, ସେଇ ଢେର୍‌ । ଭୁଲ୍‌ରେ ଆଉ ଅପେରା ଦେଖି ଯିବନାହିଁ ।”

 

ମୁଁ ମୁଣ୍ଡ ହଲାଏ, “କେବେ ବି ନୁହେଁ ।”

 

ସାର୍‌ ପାଠ ପଢ଼ାନ୍ତି ।

 

ଆମେ ପୁଣି ରାତିକୁ ଅପେକ୍ଷା କରୁ ।

 

ଆଉ ଗୋଟେ ରାତି, ଦିଗ୍‌ବିଜୟର ଆଉ ଗୋଟେ ନୂଆ ପରିଚ୍ଛେଦ ।

 

ଏମିତି ସ୍କୁଲଦିନ ସବୁ ବିତୁଥିଲା ।

 

ଆମେମାନେ ସାର୍‌ମାନଙ୍କ ଉପଦେଶ, ବାପାବୋଉଙ୍କ ପରାମର୍ଶ ଓ ପାଠବହିର ନୀତିଶିକ୍ଷାକୁ ଆଖିମିଟିକା ମାରି ନାନା ପ୍ରକାର ଦୁଃସାହସିକ କର୍ମରେ ସମୟ ବିତଉଥିଲୁ । ସେ କର୍ମ ଭିତରେ କୁକୁଡ଼ା ଡିମ୍ବ ଚୋରିଠାରୁ ନେଇ ଘୁନ ସାହୁ ଦୋକାନରୁ ଚକ୍‌ଲେଟ୍‌, ଚନାଚୁର ଓ ମିଶ୍ରି ହରଣଚାଳ ଇତ୍ୟାଦି ସବୁ ଥିଲା ।

 

ଏ କାମରେ ଆମେମାନେ ଅଧିକାଂଶ ସମୟରେ ସଫଳ ହେଉଥିଲୁ, ବେଳେ ବେଳେ ବିଫଳ ବି ହେଉଥିଲୁ । ଧରା ପଡ଼ିଗଲେ, ଆମ ଉପରେ ମାଡ଼ ହେଉଥିଲା । ହେଡ୍‌ମାଷ୍ଟ୍ରେ କାନ ଧରି ଘୋଷାରି ଘୋଷାରି ତାଙ୍କ ଅଫିସ୍‌କୁ ନେଇଯାଉଥିଲେ ଓ ସ୍କୁଲରୁ ରଷ୍ଟିକେଟ୍‌ କରିବାର ଧମକ ଦେଉଥିଲେ ।

 

କିନ୍ତୁ ବିଶ୍ୱଜିତ୍‌ କେବେ ଧରା ପଡ଼ୁ ନ ଥିଲା ।

 

ଆମମାନଙ୍କୁ ଯେତେ ଧମକ ଚମକ ଦିଆଯାଉଥିଲେ ବି ଆମେ ତା ନାଁ ଆଦୌ କହୁ ନ ଥିଲୁ । ସେକଥା ନ କରିବା ପାଇଁ ବିଶ୍ୱଜିତ୍‌ ଆମକୁ ବିଦ୍ୟାରାଣ, ବାର୍ଷିକ ପରୀକ୍ଷା ଓ ବୋର୍ଡ ପରୀକ୍ଷା ରାଣଠୁଁ ନେଇ ଧମକ ଚମକ ପର୍ଯ୍ୟନ୍ତ ସବୁ କରିଥିଲା । ଆମେ ମନକୁ ଦୃଢ଼ କରୁଥିଲୁ, ଯାହା ହୋଇଗଲେ ସୁଦ୍ଧା ଆମେ ଆମ ଲିଡର୍‌ର ନାଁ କହିବୁ ନାହିଁ । ବଡ଼ ହେଲାପରେ, ସହରକୁ ଆସି ସିନେମା ଦେଖିବାପରେ ଜାଣିଲୁ ଯେ ଏଭଳି ବିଶ୍ୱସ୍ତତା ସହକର୍ମୀର ବଡ଼ ଗୁଣ । ତା ନ ହେଲେ, ଏତେ ମାଡ଼ ଗାଳି ଖାଇ ସହକର୍ମୀମାନେ ଭିଲେନ୍‌ ନାଁ କାହିଁକି କହନ୍ତେ ନାହିଁ !

 

କିନ୍ତୁ ସବୁ ପ୍ରକାର ସାବଧାନତା ସତ୍ତ୍ୱେ ଥରେ ବିଶ୍ୱଜିତ୍‌ ଧରାପଡ଼ି ଯାଇଥିଲା ।

 

ଏଭଳି ଗୋଟେ ମାମଲାରେ ସେ ଧରା ପଡ଼ିଯାଇଥିଲା, ଯେଉଁଥିରେ ଆମେ ତାକୁ ସାହାଯ୍ୟ କରିପାରିଲୁ ନାହିଁ । ହେଡ୍‌ମାଷ୍ଟ୍ରେ ଆଗରୁ ସୁଯୋଗ ଖୋଜୁଥିଲେ । ହୁଏତ ତାଙ୍କ ପାଖରେ ବିଶ୍ୱଜିତ୍‌ର ଗୁଣ ଗରିମା ସଂପର୍କରେ ପ୍ରମାଣ ଥିଲା । ସେଇଥର ସେ ହାତେ ହାତେ ପ୍ରମାଣ ପାଇଥିଲେ । ଆମେ ଜାଣିଯାଇଥିଲୁ, ଏଥର ବିଶ୍ୱଜିତ୍‌ ସ୍କୁଲରୁ ତଡ଼ା ଖାଇବ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଯିଏ ଆସିଲେ ମଧ୍ୟ ତାକୁ ଆଉ ବଞ୍ଚେଇ ପାରିବେ ନାହିଁ ।

 

ସେଇଟା ଥିଲା ଆମର ଏକାଦଶ ଶ୍ରେଣୀ ବର୍ଷର କଥା ।

 

ଟେଷ୍ଟ ପରୀକ୍ଷା ସରିଯାଇଥାଏ । ଆସନ୍ତା ମାର୍ଚ୍ଚରେ ବୋର୍ଡ ପରୀକ୍ଷା ।

 

ଆମେମାନେ ବିଶ୍ୱଜିତ୍‌ର ରୋମାଞ୍ଚକର ଅଭିଯାନଠୁଁ ମୁହଁ ଫେରେଇ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥାଉ । ଘରଠୁଁ ନେଇ ବାହାର ପର୍ଯ୍ୟନ୍ତ ସମସ୍ତେ କହୁଥାଆନ୍ତି, ମାଟ୍ରିକ୍‌ ବୋର୍ଡ ପରୀକ୍ଷା ହେଲା ଘାଟିମୁଣ୍ଡ । ଏଇ ଘାଟିମୁଣ୍ଡ ପାରିହେବା ଛାତ୍ରଜୀବନର ସବୁଠୁଁ କଷ୍ଟକାମ । ଥରେ ଘାଟିମୁଣ୍ଡ ପାରି ହୋଇଗଲେ ତେଣିକି ନିଶ୍ଚିନ୍ତ ।

ସାର୍‌ମାନେ ଦିନରାତି ସେଇ ଗୋଟିଏ କଥା କହୁଥାଆନ୍ତି । ମଝିରେ ମଝିରେ ଡରଉଥାଆନ୍ତି, “ପିଜୁଳି, ଆମ୍ବ ଚୋରି କଥା ଖାତାରେ ଲେଖିଦେଇ ଆସିବ, ବଡ଼ ବଡ଼ ଗୋଲ ଆଳୁ ମିଳିବ ।”

ଆମମାନଙ୍କର ଦେହ ଜଳିଯାଉଥାଏ ।

ସେହି ବର୍ଷ ଡ୍ରାମା କଥା ଛାଡ଼ିଗଲି ।

ଆମର ଏକାଦଶ ଶ୍ରେଣୀ, ତେଣୁ ଡ୍ରାମାରେ ଭାଗ ନେବାର ନ ଥାଏ । ସ୍କୁଲର ପରମ୍ପରା ଦୃଷ୍ଟିରୁ ଟେଷ୍ଟ ପରୀକ୍ଷା ପରେ ଏକାଦଶ ଶ୍ରେଣୀର ପିଲାମାନେ ସ୍କୁଲରେ ଜଣେ ଜଣେ ଅତିଥି । ତାଙ୍କର ସ୍କୁଲ ଜୀବନ ସରିଛି । ଏଣିକି ପାସ୍‌ କଲେ କଲେଜକୁ ଯିବେ, ଫେଲ୍‌ ହେଲେ ଘରକୁ । ସ୍କୁଲ ସାଙ୍ଗରେ ଆଉ କିଛି ସମ୍ବନ୍ଧ ନାହିଁ ।

ସରସ୍ୱତୀ ପୂଜା ଡ୍ରାମା ବେଳକୁ ବିଶ୍ୱଜିତ୍‌ ଗୋଟେ କଳି ଲଗେଇଦେଲା–ଝିଅ ରୋଲ୍‌ରେ ପୁଅମାନେ ଠିଆହେବେ ନାହିଁ ।

ଖେଳସାର୍‌ ପଚାରିଲେ, “ଏଥିରେ ତମର କଣ କହିବାର ଅଛି ? ଇଏ ହେଲା ମଫସଲ ଜାଗା, ଏଠି ଝିଅମାନେ ଲାଜକୁଳୀ । ସେମାନେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ଯାହାର ଆଗ୍ରହ ଥିବ ସେ ରୋଲ୍‌ କରିବ । ତମେ ତ ଏବେ ଅତିଥି !”

 

ବିଶ୍ୱଜିତ୍‌ ଯୁକ୍ତି କଲା, “ଆପଣ ଆମକୁ ଅତିଥି ବୋଲି ଭାବିପାରନ୍ତି । ମାତ୍ର ଏସ୍‌ଏଲ୍‌ସି ନେବାଯାଏ ଆମେ ବି ଏ ସ୍କୁଲର ଛାତ୍ର । କାଲି ଆମେ ସହରକୁ ଯିବୁ । ସେଠି ଯେତେବେଳେ ଅନ୍ୟ ସ୍କୁଲର ପିଲାମାନେ ଆମକୁ ପୁଅମାନେ ଆମ ସ୍କୁଲରେ ଝିଅ ହେବା କଥା କହି ଥଟ୍ଟା ଟାପରା କରିବେ, ସେତେବେଳେ ଆମେ କଣ କହିବୁ ?”

 

ବିଶ୍ୱଜିତ୍‌ର କଥାରେ ଦମ୍‌ ଥିଲା ।

 

ଦଶମ ଶ୍ରେଣୀ ପିଲାଙ୍କ ଚିନ୍ତା ବଢ଼ିଗଲା । ନିୟମ ଅନୁଯାୟୀ ଦଶମ ଶ୍ରେଣୀର ପିଲାଏ ଏସବୁ କାମର ତତ୍ତ୍ୱାବଧାରକ । ସବୁ ପିଲାଙ୍କୁ ସେହି ଗୋଟିଏ ବର୍ଷ ସ୍କୁଲର ପୂଜାଠୁଁ ନେଇ ଅନ୍ୟାନ୍ୟ କାମକାର୍ଯ୍ୟ ତଦାରଖ କରିବାର ଦାୟିତ୍ୱ ମିଳେ । କୌଣସି କାରଣରୁ ଯଦି ସେମାନେ ସେ ଦାୟିତ୍ୱ ତୁଲେଇ ନ ପାରିବେ, ତାହାହେଲେ ଅନ୍ୟ ଶ୍ରେଣୀର ପିଲାମାନେ ଥଟ୍ଟା କରିବେ–‘ହେଇ ଦେଖ, ଏମାନଙ୍କ ଉପରେ ଦାୟିତ୍ୱ ଦିଆଯାଇଥିଲା, ଏମାନେ ସେ ଦାୟିତ୍ୱ ତୁଲେଇ ପାରିଲେ ନାହିଁ ।’

 

ପ୍ରଥମେ ସ୍ଥିର ହେଲା, “ଝିଅ ରୋଲ୍‌ ନ ଥିବା ଗୋଟିଏ ବହି ଠିକଣା କରାଯିବ ।”

 

ମାତ୍ର ସେ ପ୍ରସ୍ତାବ ବି କାଟ୍‌ ଖାଇଗଲା । ପିଲାଏ କହିଲେ, “ସେମିତି କଣ ଡ୍ରାମା ହୁଏ-?”

 

ତାପରେ ପ୍ରସ୍ତାବ ହେଲା, “ରିହରସଲ୍‌ ଦିନତକ ଜଣେ ପୁଅ ସେ କାମ ତୁଲେଇ ଦେବ-। ଡ୍ରାମାଦିନ ପଛେ ଜଣେ ବାହାର ଆର୍ଟିଷ୍ଟ ଆସି ହିରୋଇନ୍‌ ହେବ ।”

ମାତ୍ର ସେ ପ୍ରସ୍ତାବ ବି କାଟ୍‌ ଖାଇଗଲା ।

ପିଲାମାନେ କହିଲେ, “ଯଦି ବାହାରୁ ଆର୍ଟିଷ୍ଟ ଆଣିବାକଥା, ତାହାହେଲେ ସ୍କୁଲରେ ଡ୍ରାମା କରି ଲାଭ କଣ ? ଅପେରାବାଲାଙ୍କୁ ଡାକିଆଣି ରାତିଏ ଠିଆ କରିଦେଲେ ତ ସେମାନେ ଆହୁରି ଭଲ କରିବେ ।”

ଦିନ ବିତୁଥିଲା । ଅଥଚ ସମସ୍ୟା ସମାଧାନର ଉପାୟ ଦିଶୁ ନ ଥିଲା ।

ଶେଷକୁ ନବମ ଶ୍ରେଣୀର ଝିଅଟିଏ ସେ ନାଟକର ମାଆ ଭୂମିକାରେ ଅଭିନୟ କରିବାକୁ ରାଜି ହେଲା । ମାତ୍ର ସେଇଟା ତ ସମସ୍ୟା ନ ଥିଲା । ସମସ୍ୟା ଥିଲା ନାୟିକା ରୋଲ୍‌କୁ ନେଇ । କାରଣ ନାୟକ ନାୟିକାଙ୍କର ଦୁଇଟି ରୋମାଣ୍ଟିକ୍‌ ସିନ୍‌ ଥିଲା ଓ ସେଇ ଦୃଶ୍ୟରେ କିଏ ଅଭିନୟ କରିବ ତାହା ଜାଣିବା ଲାଗି ସମସ୍ତେ ଉତ୍ସୁକ ଥିଲେ ।

ନାଟକ ନେପଥ୍ୟର ଏଇ ଦ୍ୱିତୀୟ ନାଟକଟିର ସୂତ୍ରଧର ଥିଲା ବିଶ୍ୱଜିତ୍‌ । ଅନ୍ୟ ସବୁ କାମରେ ଆଗୁଆ ବିଶ୍ୱଜିତ୍‌ ଝିଅଫିଅ ମାମଲାରେ ପଛରେ ଥିଲା । ତାର ମତ ଥିଲା, ସେସବୁ ମାଇଚିଆଙ୍କ କାମ । ଝିଅମାନଙ୍କ ପଛରେ ଗୋଡ଼େଇବାଠୁଁ ହୀନକାମ ଜୀବନରେ ଆଉ କିଛି ନାହିଁ-। ‘ଆମେ ହେଲୁ ମର୍ଦ୍ଦ ।’

ଗୋଟିଏ ସମୟରେ ସମସ୍ତେ ଧରିନେଲେ ଯେ, ଏ ବର୍ଷ ଡ୍ରାମା ହୋଇପାରିବ ନାହିଁ । ସେଇ ଟଙ୍କାରେ ଗୋଟେ ବଡ଼ ଭୋଜି କରାଯିବ । ପିଲାମାନଙ୍କ ସାଙ୍ଗରେ ତାଙ୍କ ଅଭିଭାବକମାନେ ବି ସେହି ଭୋଜିରେ ଯୋଗ ଦେବେ ।

 

ବିଶ୍ୱଜିତ୍‌ ବାଜି ଜିଣି ଯାଉଥିଲା ।

 

ସେ ବାଜି ମାରିଥିଲା ଯେ, ଦଶମ ଶ୍ରେଣୀର ନେସମା ଟୋକାଗୁଡ଼ାଙ୍କୁ କୌଣସି କାମ କରିଆସେ ନାହିଁ । ଆମବେଳେ କଣ ଏମିତି ସମସ୍ୟା ହୋଇ ଥାଆନ୍ତା !

 

ମାତ୍ର ବିଶ୍ୱଜିତ୍‌ର ସେଥର ହାରିବା ପାଳି ଥିଲା ।

 

ଦଶମ ଶ୍ରେଣୀର ସବୁଠୁ ସୁନ୍ଦରୀ ଝିଅଟି ହିଁ ନାୟିକା ରୋଲ୍‌ରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲା ।

 

ଯେଉଁଦିନ ଏ ଖବରଟି ଖେଳ ଶିକ୍ଷକ ଘୋଷଣା କଲେ, ସେଦିନ ସେଇ ତଳମାଳ ସ୍କୁଲର ଟାଇଲ ଛପର ଘରଗୁଡ଼ିକରେ ସତେ କି ନିଆଁ ଲାଗିଗଲା ! ସମସ୍ତେ କୁହାକୁହି ହେଲେ, ‘ସତରେ ! ଆମ ସ୍କୁଲର ଝିଅ ଡ୍ରାମାରେ ଅଭିନୟ କରିବେ !’

 

ଆମେମାନେ ଧାଇଁଆସି ବିଶ୍ୱଜିତ୍‌କୁ ଏ ଖବର ଦେଲୁ । ବିଶ୍ୱଜିତ୍‌ ପ୍ରଥମେ ଆମ କଥାକୁ ବିଶ୍ୱାସ କଲା ନାହିଁ । ମାତ୍ର ସତ ଖବରକୁ ବିଶ୍ୱାସ ନ କରି ଚାରା ନ ଥିଲା । ଯେତେବେଳେ ସେ ବିଶ୍ୱାସ କଲା, ଆମକୁ ଖବର ଦେଲା ଯେ ସେ ସେଇ ଝିଅକୁ ପାନେ ଦେବ ।

 

ଆମେ ତାର ରାଗ ଦେଖି ଆଶ୍ଚର୍ଯ୍ୟ ହେଲୁ ।

 

ଏଥିରେ ଝିଅର ଦୋଷ କଣ ! ତା କ୍ଲାସ୍‌ର ସମ୍ମାନ ଜଗିବା ପାଇଁ ବିଚାରୀ ସବୁ ସମାଲୋଚନା, ଆଲୋଚନାକୁ ଏଡ଼େଇ ଆଗେଇ ଆସିଛି । ତାକୁ ତା ସାହସ ପାଇଁ ସାବାସି ଜଣାଇବା କଥା ।

 

ବିଶ୍ୱଜିତ୍‌ ଆମ କଥାରେ ଏକମତ ହୋଇ ନ ଥିଲା । ସେ ଟୁଟୁଲକୁ କହିଲା, “ସେ ଝିଅର ଘର କୋଉଠି, ତା ବାପା କିଏ ସେସବୁ ବୁଝିଆସ । ତାପରେ ମୁଁ ମଜ୍ଜା ଦେଖିବି ।”

 

ଆମେ ଭାବିଲୁ, ବିଶ୍ୱଜିତ୍‌ ସେ ଝିଅର ବାପା ପାଖକୁ ଇଆଡୁ ସିଆଡୁ ବେନାମୀ ଚିଠି ଲେଖିବ । ଯାହାଫଳରେ ତା ବାପା ଆସି ଝିଅକୁ ମନା କରିବ ଓ ଝିଅ ଡ୍ରାମାରେ ମିଶିବା ପାଇଁ ମନା କରିଦେବ ।

 

ଆମର ଏଭଳି ଆଶଙ୍କା ଅମୂଳକ ନ ଥିଲା । ତା ପୂର୍ବବର୍ଷ ମୁଁ ଡ୍ରାମାରେ ମିଶିବି ବୋଲି ନାଁ ଦେଇଥିଲି । କିନ୍ତୁ ଖବରଟା ଆମ ଘରେ ପହଞ୍ଚିଲା କ୍ଷଣି ବାପା ରାଗିକି ଅଗ୍ନିଶର୍ମା ହୋଇଗଲେ ଓ ତାଙ୍କର ସେ ରାଗିବା ଖବର ପାଇବା କ୍ଷଣି ମୁଁ ଯାଇ ମୋ ନାଁ କଟେଇ ଆସିଲି ।

 

ମୋ ବାପାଙ୍କ ପରି ଅଧିକାଂଶ ପିଲାଙ୍କ ବାପାଙ୍କର ଧାରଣା ଥିଲା, ସ୍କୁଲ କେବଳ ପାଠପଢ଼ାର କ୍ଷେତ୍ର । ସେଠି ନାଚକୁଦ, ଗୀତ ଅଭିନୟ ଏସବୁ ଫାଲ୍‌ତୁ କାମ । ଏଥିରେ ମିଶିଲେ ପଢ଼ାପଢ଼ି ନଷ୍ଟ ହୁଏ ।

 

ଟୁଟୁଲ୍‌ ଯାଇ ଖବର ବୁଝି ଆସିଲା, ସେ ଝିଅର ବାପ ନାଁ ଚୈତନ୍ୟ ମଣ୍ଡଳ । ନୂଆଗାଁ ପାଖ ରିଫ୍ୟୁଜି ବସ୍ତିରେ ସେ ରହେ ।

 

ବିଶ୍ୱଜିତ୍‌ ଦାନ୍ତ କଡ଼ମଡ଼ କଲା, “ଶରଣାର୍ଥୀ ଝିଅର ଏତେ ସାହସ ! ସେ କଣ ଜାଣିନାହିଁ ଯେ, ଆଗରୁ ଏ ସ୍କୁଲର କୌଣସି ଝିଅ ଡ୍ରାମାରେ ମିଶି ନାହାନ୍ତି ! ସେ କଣ ଏକା ସୁନ୍ଦରୀ ?”

 

ସାଙ୍ଗେ ସାଙ୍ଗେ ବିଶ୍ୱଜିତ୍‌ ତାର ଯୋଜନା ତିଆରି କରିଦେଲା । ଆମେମାନେ ପ୍ରଥମଥର ପାଇଁ ତା ସାଙ୍ଗରେ ମିଶିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲୁ । ଏକ୍‌ରେ ପରୀକ୍ଷା ମୁଣ୍ଡ ଉପରେ, ଦ୍ୱିତୀୟରେ ଇଏ ଗୋଟେ ପ୍ରତିଶୋଧମୂଳକ କାମ । କାରଣ ନ ଥାଇ ଏପରି ରାଗିବାର ଅର୍ଥ କିଛି ନ ଥାଏ ।

 

ମାତ୍ର ବିଶ୍ୱଜିତ୍‌ ଧମକ ଦେଇଥିଲା, “ମୋ ସାଙ୍ଗରେ ଯିଏ ନ ଯିବ, ତାର ଅସଲ ଗୁଣ ସବୁ ଗୋଟି ଗୋଟି କରି ହେଡ୍‌ମାଷ୍ଟରଙ୍କ ପାଖେ କହିଦେବି । ତେଣିକି କେହି ମୋ ଦୋଷ ଧରିବ ନାହିଁ ।”

 

ୟାକୁ ହିଁ କହନ୍ତି ସଙ୍ଗ ଦୋଷର ଫଳ । ଯାହା ଆମର ସାହିତ୍ୟ ବହି ଆମକୁ ଶିଖେଇ ପାରି ନ ଥିଲା, ବିଶ୍ୱଜିତ୍‌ର ଗୋଟିଏ ଧମକ ଆମକୁ ସେକଥା ଶିଖେଇଦେଲା ।

 

ଆମେ ତା ଉପରେ ସମୟ ଓ ଯୋଜନା ସ୍ଥିର କରିବାର ଦାୟିତ୍ୱ ଛାଡ଼ିଦେଲୁ ।

 

ସେ କହିଲା, “ଚୈତନ୍ୟ ମଣ୍ଡଳ ବାଡ଼ିବଗିଚା ଉପରେ ଲଗାତାର ଆଟାକ୍‌ କରାଯିବ, ଯେପର୍ଯ୍ୟନ୍ତ ତା ଝିଅ ନିଜ ମତିଗତି ନ ବଦଳେଇଛି ।”

 

ଆମେ କହିଲୁ, “ଯଦି ଧରାପଡ଼ିଯିବା ?”

 

ସେ ମୋ ଉପରେ ବିରକ୍ତ ହେଲା । କହିଲା, “ତୁଟା ଗୋଟେ ଅମଙ୍ଗୁଳିଆ । ସବୁକଥାରେ ପହିଲେ ଛିଙ୍କୁ । ଧରାପଡ଼ିଗଲେ କହିବା, ତା ଝିଅ ସାଙ୍ଗେ ଡ୍ରାମା ବିଷୟରେ କଥାବାର୍ତ୍ତା ହେବାକୁ ଆସିଥୁଲ । ହେଲା ?”

 

ଚୈତନ୍ୟ ମଣ୍ଡଳ ନୂଆନଈ ପାଖେ ରହେ । ଚବିଶ ପ୍ରଗଣାରୁ ଉଠିଆସି ସେଇଠି ରହିଥିବା ଦଶ ବାରଟି ଘରର ଗୋଟେ ଗାଁ । ବହୁଦିନୁ ସେମାନଙ୍କୁ ସରକାର ସେଠି ରହିବାର ଅନୁମତି ଦେଇଥିଲେ । ଚୈତନ୍ୟ ମଣ୍ଡଳ କାମିକା ଲୋକ । ଟାଙ୍ଗରା ଭୂଇଁରେ ସୁଦ୍ଧା ପରିଶ୍ରମ କରି ବାଡ଼ିବଗିଚା କରିଥାଏ । ନୂଆନଈ ଆଡ଼ିରେ ତା ଘର ।

 

ଆମେମାନେ ଖଟୁଆ ସାହିର ଲକ୍ଷ୍ମଣ ଓ ମହେନ୍ଦ୍ରଙ୍କ ଗାଁକୁ ଗଲାବାଟରେ ସେ ଘରସବୁ ଦେଖିଥାଉ । କୁଟାଛପର ଘର, ଘରର କାନ୍ଥ ଏବଂ ପିଣ୍ଡା ସୁନ୍ଦର ଭାବେ ଲିପାପୋଛା ହୋଇଥାଏ । ଘର ବାରନ୍ଦାରେ ଝୋଟି ଚିତା ।

 

ଚୈତନ୍ୟ ମଣ୍ଡଳ ନିଜ ବଗିଚାରେ ଦିନରାତି କାମ କରେ, ଅବସର ସମୟରେ ଜାଲ ବୁଣେ, ବିକେ । ତା ଜାଲର ବହୁତ ଚାହିଦା । ସେ ଜାଲର ଫାଶ ଦେଇ ମୀନ, ମଉରାଳି ଖସିଯାଇ ପାରନ୍ତି ନାହିଁ । ଜାଲବୁଣା ଅର୍ଡର ନ ଥିଲେ ହେଁସ ବୁଣେ, ଦଉଡ଼ି କାଟେ, ସୂତୁଲି ତିଆରି କରେ ।

 

ଆଖପାଖ ଗାଁର ଲୋକମାନେ ଏଇ ଶରଣାର୍ଥୀମାନଙ୍କୁ ଈର୍ଷା କରନ୍ତି । ସେମାନଙ୍କ ସୁଖ ସୌଭାଗ୍ୟରେ ବିଚଳିତ ହୁଅନ୍ତି । ଆମେମାନେ ସେତେବେଳେ ଶରଣାର୍ଥୀମାନଙ୍କ ସମସ୍ୟା ବିଷୟରେ ଭଲ ଭାବେ କିଛି ଜାଣି ନ ଥାଉ । କେବଳ ଏତିକି ଜାଣିଥାଉ, ସେମାନଙ୍କ ଜନ୍ମସ୍ଥାନ ଏ ଗାଁ ନୁହେଁ । କୌଣସି କାରଣରୁ ଏଠି ଆସି ସେମାନେ ମୁଣ୍ଡ ଗୁଞ୍ଜିଛନ୍ତି । ସେ ଦୃଷ୍ଟିରୁ ସେମାନେ ନରମି ଚଳିବା ଦରକାର ।

 

ବିଶ୍ୱଜିତ୍‌ ଯୋଜନା କଲା । ଯାହାର ଫୁଲ୍‌ସାର୍ଟ, ପ୍ୟାଣ୍ଟ୍‌ ଅଛି ପିନ୍ଧିପକାଅ । ସାଙ୍ଗରେ ଦିଇଟା ମୁହଁସିଲେଇ ଲୁଙ୍ଗି ଓ ସତରଞ୍ଜିଟେ ନିଅ । ମଣ୍ଡଳ ବାଡ଼ିରୁ ସବୁଯାକ ପରିବା ଆମେ ଲୁଟି ଆଣିବା ।

 

ଆମେମାନେ ସେହି ଅନୁସାରେ ପ୍ରସ୍ତୁତ ହୋଇଗଲୁ । ହାଟବାରି ଦିନ ଆମେ ନୂଆ ଗାଁ ଚାଲିଲୁ ।

 

ବିଶ୍ୱଜିତ୍‌ ମଣ୍ଡଳର ଘରକୁ ଯାଇ ତା ଝିଅ ସାଙ୍ଗରେ ଡ୍ରାମା ବିଷୟରେ ଇଆଡୁ ସିଆଡୁ ବକିଲା । ତାର ପାଠପଢ଼ା, ତାର ସାହସ, ତା ବାପାଙ୍କର ଭଲଗୁଣଠୁଁ ନେଇ ଇନ୍ଦିରାଗାନ୍ଧୀ, ୟୁରି ଗାଗାରିନ୍‌ ପର୍ଯ୍ୟନ୍ତ ଅନେକ କଥା ଗପିଲା । ସେତେବେଳେ ଚୈତନ୍ୟ ମଣ୍ଡଳ ଘରେ ନ ଥିଲା । ସବୁ ହାଟବାରିରେ ସେ ଜାଲ ବିକିବାକୁ ଯାଇଥାଏ । ସେଇଠି ଗୋଟେ ଗଛମୂଳେ ବସି ଜାଲ ବିକେ, ଆଉ ଗୋଟିଏ ଜାଲ ଗଛ ଡାଳରୁ ଝୁଲେଇ ବୁଣିବସେ ।

 

ବିଶ୍ୱଜିତ୍‌ ସେପଟେ ମଣ୍ଡଳର ଝିଅ ସାଙ୍ଗେ ଗପୁଥିବାବେଳେ ଆମେମାନେ ଏପଟେ ତା ବାଡ଼ିରେ ପଶି ପନିପରିବା ଲୁଟୁଥାଉ । ବନ୍ଧାକୋବି, ଫୁଲକୋବି, ମୂଳା, ମଟର, ବାଇଗଣ, ବିଲାତି ଯାହା ଯେଉଁଠି ହାତରେ ପଡ଼ୁଥାଏ ସେସବୁ ଭିଡ଼ିଓଟାରି ଲୁଙ୍ଗି-ବ୍ୟାଗ୍‌ରେ ଭର୍ତ୍ତି କରୁଥାଉ । ଆମର ସେ କାରବାର ଅଶୋକବନରେ ହନୁମାନର କାରବାର ସହ କେବଳ ତୁଳନୀୟ । କାମ ସରିବା ପରେ ଟୁଟୁଲ ଗୋଟେ ସିଟି ବଜେଇଲା । ବିଶ୍ୱଜିତ୍‌ ଇସାରା ବୁଝି ତରବରରେ କଥାବାର୍ତ୍ତାର ମୁଣ୍ଡି ମାରି ଚାଲିଆସିଲା ।

 

ସବୁଯାକ ପରିବାପତ୍ର ଆମେ ଘୁନସାହୁ ମାର୍ଫତରେ ଚାଲାଣ କରିଦେଲୁ । ବିଶ୍ୱଜିତ୍‌ ଗର୍ବରେ ଫାଟି ପଡୁଥାଏ–ଦେଇଛି ପାନେ ସେ ରିଫ୍ୟୁଜିକୁ । ବେଶୀ ଷ୍ଟାଇଲ୍‌ ଦେଖଉଥିଲା ।

 

ସେଦିନର ରାତି ପାହିଗଲା । ପରଦିନ ସକାଳ ଦଶଟା ବେଳକୁ ପ୍ରାର୍ଥନାକ୍ଲାସ୍‌ ଆରମ୍ଭ ହୋଇ ନ ଥାଏ, ସ୍କୁଲରେ ମହାଭାରତ ପାଲା ସୃଷ୍ଟି ହୋଇଗଲା ।

 

ବିଶ୍ୱଜିତ୍‌ ଏମିତି କିଛି ହେବ ବୋଲି ଆଶଙ୍କା କରି ବୋଧହୁଏ ହଷ୍ଟେଲ୍‌ରୁ କୁଆଡ଼େ ପଳେଇ ଯାଇଥାଏ । ଆମେ ଆମ ରୁମ୍‌ ସାମ୍ନାରେ ଠିଆହୋଇ ପୋଖରୀ ଆଡ଼କୁ ଆଖି ଓ ପ୍ରାର୍ଥନା ସଭା ଆଡ଼େ କାନ ଦେଇଥାଉ ।

 

ହେଡ୍‌ମାଷ୍ଟ୍ରେ ଆମ ରୁମ୍‌ ଆଡ଼େ ଆସିଲେ । ତାଙ୍କ ପଛେ ପଛେ ମଣ୍ଡଳ ଓ ତା ଝିଅ ।

 

ହେଡ୍‌ମାଷ୍ଟ୍ରେ ମଣ୍ଡଳର ଝିଅକୁ କହୁଥାଆନ୍ତି, “ଚିହ୍ନ, କିଏ ସେ ବଦମାସ । ଯିଏ ହୋଇଥାଉନା କାହିଁକି, ମୁଁ ତାକୁ ଏଇ ମୁହୂର୍ତ୍ତରେ ବାଡ଼େଇ ବାଡ଼େଇ ସ୍କୁଲରୁ ନିକାଲି ଦେବି । ସେ ଆଉ ପାଠ ପଢ଼ିପାରିବ ନାହିଁ କି ପରୀକ୍ଷା ଦେଇପାରିବ ନାହିଁ । ତା କଣ୍ଡକ୍ଟ ବ୍ୟାଡ୍‌, ତା କ୍ୟାରେକ୍ଟର ବ୍ୟାଡ୍‌, ତା କ୍ୟାରିୟର୍‌ ବ୍ୟାଡ୍‌ କରି ଟିସି ଦେଇଦେବି । ତୁ ମା ଖାଲି ଚିହ୍ନ ।”

 

ତାଙ୍କ ପଛେ ପଛେ ଚୈତନ୍ୟ ମଣ୍ଡଳ ଗୋଟେ କାକୁସ୍ଥ ଓ ଉଦ୍‌ବାସ୍ତୁ ପ୍ରଜା ପରି ଚାଲିଥାଏ ।

 

ଏହା ଆଗରୁ କୌଣସି ଶରଣାର୍ଥୀକୁ ମୁଁ ଏଭଳି ମୁଦ୍ରାରେ ଦେଖି ନ ଥିଲି । ନିଜ ପରିଶ୍ରମର ବଗିଚା ଉଜୁଡ଼ି ଯାଇଛି; ତା ସତ୍ତ୍ୱେ ରାଗ ନାହିଁ, ଆକ୍ରୋଶ ନାହିଁ । ସବୁଯାକ ଅନୀତି, ଅନ୍ୟାୟ ଓ ଅପମାନକୁ ସହିଯିବା ପାଇଁ ସତେକି ନିଜର ଅସୁରକ୍ଷିତ ଜୀବନ ଚୈତନ୍ୟ ମଣ୍ଡଳକୁ ତାଲିମ ଦେଇଥିଲା !

 

ତା ପଛେ ପଛେ ଚାଲିଥିଲା ତା ଝିଅ । ସ୍କୁଲର ସବୁଠୁ ସୁନ୍ଦରୀ ଝିଅ । ତା ନାକ ଅଗରେ ଟିକି ଝାଳବୁନ୍ଦା । ସକାଳର ସୂର୍ଯ୍ୟ ସେଇଠି ତା ନିଜର ମୁହଁ ଦେଖୁଥାଏ ।

 

ଜଣ ଜଣ କରି ପ୍ରାର୍ଥନା ସଭାର ସବୁ ପିଲାଙ୍କ ମୁହଁ ଦେଖିଗଲେ ହେଡ୍‌ମାଷ୍ଟ୍ରେ । କିନ୍ତୁ ଆସାମୀ କୋଉ ସେ ସଭାରେ ଥିଲା ଯେ ତାକୁ ସେମାନେ ଧରିଥାଆନ୍ତେ !

 

ଚାରିଟା ବେଳକୁ ବିଶ୍ୱଜିତ୍‌ ଫେରିଆସିଲା । ଆମେମାନେ ସେଇଦିନ ପ୍ରଥମଥର ପାଇଁ ତାକୁ ଗାଳିଦେଲୁ ଓ ସେ ଚୁପ୍‌ଚାପ୍‌ ଆମ ଗାଳି ଶୁଣିଲା । ପଚାରିଲା, “ମୋ ନାଁ କେହି ନେଉଥିଲେ କି ?”

 

ଆମେ ମନା କଲୁ ।

 

ସେ ଆଶ୍ଚର୍ଯ୍ୟ ହେଲା । ଚୈତନ୍ୟ ମଣ୍ଡଳର ଝିଅ ତ ତାକୁ ସହଜରେ ଧରା ପକେଇ ଦେଇଥାଆନ୍ତା ! ତାକୁ ସେ ଭଲ ଭାବେ ଚିହ୍ନେ । ହେଡ୍‌ମାଷ୍ଟରଙ୍କୁ ତା ନାଁ କହିଲା ନାହିଁ କାହିଁକି ?

ଆମର ସମୟ ବଡ଼ ଦୁଶ୍ଚିନ୍ତାରେ ବିତୁଥାଏ । କାରଣ ଆମର ନେତା ଧରା ପଡ଼ିଯାଇପାରେ । ଆମେ ଜାଣିସାରିଥାଉ ଯେ ଏ ଘଟଣା ପରେ ଆମମାନଙ୍କର ସଯତ୍ନବର୍ଦ୍ଧିତ ଭାବମୂର୍ତ୍ତିମାନ ଗୋଟି ଗୋଟି ହୋଇ ଭାଙ୍ଗିଯିବ । ବିଶ୍ୱଜିତ୍‌ ସାଙ୍ଗରେ ଆମେମାନେ ମଧ୍ୟ କଠୋର ଶାସ୍ତି ପାଇବୁ ।

ବିଶ୍ୱଜିତ୍‌ କହିଲା, “ତୁମେମାନେ ନିଜ ନିଜ ପଢ଼ାରେ ଲାଗିଯାଅ । ମୁଁ ଏଭଳି କରିବା ଉଚିତ ହେଲା ନାହିଁ । ମୁଁ ଯାଉଛି, ହେଡ୍‌ମାଷ୍ଟ୍ରଙ୍କ ପାଖରେ ସବୁକଥା ମାନିଯିବି ।”

ଆମେ ତାର ହୃଦୟ ପରିବର୍ତ୍ତନରେ ଖୁସି ହେଲୁ, ଦୁଃଖୀ ବି ।

ବିଶ୍ୱଜିତ୍‌ ଧରାପଡ଼ିବା ଅର୍ଥ ଆମେ ସମସ୍ତେ ଧରାପଡ଼ିବୁ ।

ଆମର ଶୁଦ୍ଧ ସୁବର୍ଣ୍ଣ ଚରିତ୍ର ଦେହରେ କଳାଦାଗ ଲାଗିଯିବ । ବିଶ୍ୱଜିତ୍‌ ସବୁକଥାରେ ଆଗକୁ ବାହାରୁଥିଲା ସତ; ମାତ୍ର ଆମର ମଧ୍ୟ ତା ପଛରେ ସମର୍ଥନ ରହିଥିଲା । ଆଜି ବିପଦବେଳେ ତାକୁ ଏକାକୀ ଛାଡ଼ି ଆମେ ଖସିପାରିବୁ କେମିତି ?

ଆମେ ବିକଳ୍ପ ଚିନ୍ତା କଲୁ । ଯେତେହେଲେ ସେ ଆମ ତଳ କ୍ଲାସ୍‌ର ଝିଅ । ବିଶ୍ୱଜିତ୍‌ ଯାଇ ଭୁଲ୍‌ ମାଗିଆସିଲେ ସେ ହୁଏତ କ୍ଷମା କରିଦେବ । ନ ହେଲେ ବିଶ୍ୱଜିତ୍‌ ପନିପରିବା କ୍ଷତି ବାବଦକୁ କିଛି ଟଙ୍କା ଦେଇଦେବ । ଆମେ ସମସ୍ତେ ଆମ ଖର୍ଚ୍ଚରୁ କାଟି ତାହା ଭରଣା କରିବା ।

 

ବିଶ୍ୱଜିତ୍‌ ଆମ କଥାରେ ରାଜି ହେଲା । ସବୁକଥା ମୁହଁରେ କହିପାରିବ ନାହିଁ ବୋଲି ଗୋଟେ କାଗଜରେ କଣସବୁ ଲେଖିଲା । ଆମେ ଲେଖାଲେଖି କାରବାରକୁ ନିରତ୍ସାହିତ କରୁଥିଲୁ । ‘ତୁ ତ ଏଡ଼େ ସାହସୀ, ମୁହଁରେ କାହିଁକି କହିପାରିବୁ ନାହିଁ’ ବୋଲି ତାକୁ ପଚାରିଥିଲୁ । ମାତ୍ର ବିଶ୍ୱଜିତ୍‌ ଆମ କଥାକୁ ଏଡ଼ିଯାଇଥିଲା ।

 

ତା ପରଦିନ, ସ୍କୁଲରୁ ଫେରିବା ବେଳେ ବିଶ୍ୱଜିତ୍‌ ଚୈତନ୍ୟ ମଣ୍ଡଳ ଝିଅକୁ ନେଇ ସେ କାଗଜ ଧରେଇ ଦେଇଥିଲା ।

 

ଆମେ ଦିନେ, ଦି ଦିନ ଅପେକ୍ଷା କଲୁ । ହେଡ୍‌ମାଷ୍ଟରଙ୍କ ତଦନ୍ତ ଥମି ଆସିଲା । କେହି କେହି କହିଲେ, “ଖଟୁଆସାହିଆ ଆସି ମଣ୍ଡଳବାଡ଼ିରୁ ପନିପରିବା ଚୋରେଇ ନେଇଥିବେ । ଆମ ସ୍କୁଲ ପିଲାଙ୍କର କଣ ଏତେ ସାହସ ହେବ !”

 

ସ୍କୁଲ ଦିନସବୁ ପୁଣି ସ୍ୱାଭାବିକ ହୋଇ ଆସୁଥିଲା ।

 

ପଛପଟେ ପୋଖରୀ, ଆଗରେ ବିସ୍ତୀର୍ଣ୍ଣ ପଡ଼ିଆ, ବାଁପଟେ ହାଟପୁର ଗାଁ ଓ ଡାହାଣପଟେ ବିସ୍ତୀର୍ଣ୍ଣ ଧାନଜମି ମଝିରେ ଆମର ସ୍କୁଲଟି ପାଠପଢ଼ା, ରୁଟିନ୍‌ ଓ ଛୁଟିଘଣ୍ଟାକୁ ନେଇ ଚାଲିଥିଲା ।

 

ସେ ବର୍ଷ ଡ୍ରାମା ହେଲା ଓ ବିଶ୍ୱଜିତ୍‌ ତା ବାଜିରେ ହାରିଗଲା ।

 

ଆମେମାନେ ବିଶ୍ୱଜିତ୍‌କୁ ପଚାରିଲୁ, “କଣ ସେ ଝିଅକୁ ଲେଖିକି ଦେଲୁ ? ସେ ରାଗିଲା କି ?”

 

ବିଶ୍ୱଜିତ୍‌ ଆମକୁ ଗୋଟେ କୋଟେସନ୍‌ କାଢ଼ି ଦେଖେଇଲା । ସେ କୋଟେସନ୍‌ଟି ମୁଁ ଶେଷରେ କହିବି । ଏଇଟା ସେ କୋଉ ବହିରୁ ଉତାରିଥିଲା । କହିଲା, “ଝିଅଟା ନିର୍ଘାତ ବୋକୀ । ମୋ କଥାକୁ ବିଶ୍ୱାସ କରିଗଲା ।”

 

ଆମେ ପଚାରିଲୁ, “ତୁ କେମିତି ଜାଣିଲୁ ?”

 

: ମୋ ଚିଠି ପଢ଼ି ହସିଲା ପରା !

 

ଆମେ ଆକ୍ଷେପ କଲୁ, “ତୁ ବି ବୋଧହୁଏ ଫସିଯାଇଛୁ ?”

 

ସେ ଆମକୁ ହାତ ଉଞ୍ଚେଇ କହିଲା, “ଧେତ୍‌, ସେ ମାଇଚିଆ କଥାଗୁଡ଼ାକ ମୋ ପାଖରେ କହିବ ନାହିଁ । ମୋର କାମ ନାହିଁ ଯେ ମୁଁ ଯାଉଥିଲି ତା ପଛରେ ପଡ଼ିବାକୁ ।”

 

ଏହା ପରେ ଆମେ ହାଟପୁର ସ୍କୁଲ ଛାଡ଼ି ଚାଲି ଆସିଲୁ ।

 

ବି.ଏ. ପରୀକ୍ଷାବର୍ଷ ଖବର ପାଇଥିଲି, ଖଟୁଆସାହି ଗାଁ ସାଙ୍ଗରେ କଳିଝଗଡ଼ା ବଢ଼ିବାରୁ ପଞ୍ଚାୟତ ସମିତି ସେଠୁ ନୂଆଗାଁ ରିଫ୍ୟୁଜି ବସ୍ତି ଉଠେଇଦେଲା । ଏବେ ସେମାନେ କଟକ ଜିଲ୍ଲାର ସାତଭାୟା ଆଡ଼େ କୁଆଡ଼େ ଅଛନ୍ତି ।

 

ଭଦ୍ରକରେ ଥରେ ହେମନ୍ତ ସାଙ୍ଗେ ଦେଖା ହୋଇଥିଲା । ମେଧାବୀ ଛାତ୍ର ହେମନ୍ତ ଏବେ ଓ.ଏ.ଏସ୍‌. ଅଫିସର । ସ୍କୁଲରେ ପଢ଼ିବାବେଳେ ଯିଏ ପାଠବହି ଛଡ଼ା ଆଉ କୁଆଡ଼କୁ ଆଖି ଉଠେଇ ଚାହୁଁ ନ ଥିଲା, ଝିଅମାନଙ୍କ ଛାଇ ପଡ଼ିଲେ ଯାହାର ନାହି ଡେଉଁଥିଲା, ସେଇ ହେମନ୍ତ ପ୍ରେମବିବାହ କରିଥିଲା । ପଚାରିଥିଲା, “ଜାଣିଛୁ, ସୋନାଲି ହଇଜାରେ ମରିଗଲା !”

 

ହଁ, ଚୈତନ୍ୟ ମଣ୍ଡଳର ସେଇ ସୁନ୍ଦରୀ ଝିଅର ନାଁ ସୋନାଲି ଥିଲା !

 

ମୁଁ ଚମକି ପଡ଼ି ପଚାରିଥିଲି, “କେବେ ? କେମିତି ?”

 

ହେମନ୍ତ କହିଥିଲା, “ମୁଁ ଜାଣିନି, ସେପଟେ ତହସିଲଦାର ଥିବାବେଳେ ଥରେ ମୋର ଚୈତନ୍ୟ ମଣ୍ଡଳ ସାଙ୍ଗେ ଦେଖା ହୋଇଥିଲା । ସେଇ କାନ୍ଦି କାନ୍ଦି କହୁଥିଲା ।”

 

ମୁଁ କିଛି କହିପାରି ନ ଥିଲି ।

 

ମୁହୂର୍ତ୍ତକ ପାଇଁ ମୋ ଆଗରେ ଗୋରୀ, ସୁନ୍ଦରୀ ସୋନାଲିର ଚେହେରା ନାଚି ଯାଇଥିଲା । ଆହା, ଏଡ଼େ ଭଲ ଝିଅଟିଏ । ଅକାଳରେ ମରିଗଲା !

 

ଦି ବର୍ଷ ତଳେ ବିଶ୍ୱଜିତ୍‌ ସାଙ୍ଗେ ବାଲେଶ୍ୱରରେ ଦେଖା ହେବାବେଳେ ମୁଁ ତାକୁ ପଚାରିଥିଲି, “ତୁ ସୋନାଲି ଖବର ରଖିଛୁ ?” ସେ ‘ହଁ’ କରିଥିଲା । ସୋନାଲିର ମରିଯିବା ଖବର ସେ ଜାଣିଥିଲା । ସେତିକିବେଳେ ମୁଁ ତା ମୁହଁରେ ଦ୍ୱିତୀୟ ଥର ପାଇଁ ଗୋଟେ ଗମ୍ଭୀର ମୁଦ୍ରା ଦେଖିଥିଲି । ସେଦିନ ମୋତେ ସେ ତା ହୋଟେଲ୍‌ ପ୍ରୋଜେକ୍ଟ ବିଷୟରେ କହିଥିଲା । ମୁଁ ତାଠୁଁ ସୋନାଲି ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁଥିଲି । କିନ୍ତୁ ସେଥିରେ ତାର ଆଗ୍ରହ ନ ଥିବା ଭଳି ବ୍ୟବହାର ଦେଖେଇ ସେ ତାହାକୁ ଏଡ଼େଇ ଯାଇଥିଲା ।

 

କହିଥିଲା, “ସେମାନେ ଖୁବ୍‌ ଗରିବ ଥିଲେ । କିନ୍ତୁ ଭାରି ଭଲ ଲୋକ ।”

 

ମୁଁ ବିଶ୍ୱଜିତ୍‌କୁ ଜେରା କଲା ପରି ପଚାରିଥିଲି, “କିରେ, ତୁ ତାକୁ ସତରେ ଭଲପାଇ ବସିଥିଲୁ କି ?” ସେ ହୋ-ହୋ ହୋଇ ହସିଥିଲା । କହିଥିଲା, “ତୁ ଅଧ୍ୟାପକ ନ ହୋଇ ପୋଲିସ୍‌ ହେଲୁନାହିଁ ? ମୁଁ କିଏ ପ୍ରେମ କିଏ ?”

 

ମୁଁ ତା କଥାକୁ ବିଶ୍ୱାସ କରିଥିଲି ।

 

ସେ କହିଥିଲା, “ସୋନାଲିକୁ ଭଣ୍ଡେଇବା ପାଇଁ ମୁଁ ଗୋଟେ ବହିରୁ ସେଇ ଚାରିଧାଡ଼ି ଉତାରି ଦେଇଥିଲି–ରିଭର୍‌ସ କ୍ୟାନ୍‌ ଡ୍ରାଇ, ମାଉଣ୍ଟେନ୍‌ସ କ୍ୟାନ୍‌ ଫ୍ଲାଏ, ୟୁ ମେ ଫରଗେଟ୍‌ ଆଏ, ବଟ୍‌ ନେଭର ଉଇଲ୍‌ ଆଇ । ତା ନ ହେଲେ ମୋ ପରି ଗୋଟେ ବଦମାସ, ବାଳୁଙ୍ଗା ଆଉ ଲଭ୍‌ ।”

 

ମୁଁ ବିଶ୍ୱଜିତ୍‌ ହସକୁ ସତରେ ସେଦିନ ବିଶ୍ୱାସ କରିଥିଲି । କାରଣ ତା ଭିତରେ ସେ ଗୁଣଟି ଅଛି । ତା ଯୁକ୍ତିରେ ସେ ମୋତେ ମନେଇଦିଏ, ଆମ ସମସ୍ତଙ୍କୁ ରାଜି କରାଇଦିଏ ।

 

କିନ୍ତୁ ସେଦିନ କଣ ସେ ପ୍ରକୃତରେ ସତ କହିଥିଲା ?

 

ନା ସତକୁ ସତ ରୂପରେ ପାଇ ନ ପାରିଥିବା ଯୋଗୁ ଅଭିନୟ କରିଥିଲା !

 

ଯଦି ସେ ସୋନାଲିକୁ ଭଲପାଉ ନ ଥିଲା, ତାହାହେଲେ ତା ହୋଟେଲ୍‌ର ନାଁ ‘ସୋନାଲି ରେସର୍ଟସ’ ରଖିଛି କାହିଁକି ?

 

ମୋତେ ବିଶ୍ୱଜିତ୍‌ର କାରବାର ଗୋଟେ ପ୍ରହେଳିକା ପରି ଲାଗୁଥିଲା ।

☆☆☆

 

ପ୍ରଥମ ପୃଷ୍ଠା

 

“ଆଜି ସକାଳେ ସେ କଫି କପ୍‌ଟାକୁ ମୋ ଆଡ଼କୁ ଠେଲିଦେଇ ଉଠି ଚାଲିଗଲେ । କିଛି କହିଲେ ନାହିଁ । ମୁଁ ଜାଣେ, ମୋତେ ଭଲ କଫି ତିଆରି କରି ଆସେ ନାହିଁ । କିନ୍ତୁ ସେ କଥା ସେ ମୋତେ କହିପାରି ଥାଆନ୍ତେ । ଏମିତି କିଛି ନ କହି ଉଠିଯିବା ମୋତେ ଭଲ ଲାଗିଲା ନାହିଁ । ତୁମେ କେବେ ଏଭଳି କରି ନ ଥାନ୍ତ । ତୁମେ ନିଶ୍ଚୟ ହସି ହସି ଭଲ ଲାଗୁ ନ ଥିବା କଫିତକ ପିଇଦେଇଥାଆନ୍ତ । ମୋତେ ସାହସ ଦେଇଥାଆନ୍ତ ।”

 

“ଆଜି ଗୋଟାଏ ଅଘଟଣ ଘଟିଗଲା । ସେ ଅଫିସ୍‌ ବାହାରିବା ବେଳକୁ ଭିକାରିଟିଏ ଆସି ଗେଟ୍‌ ପାଖରେ ଭିକ ମାଗୁଥିଲା । ମୁଁ ତାଙ୍କ ଜଳଖିଆ ଡବା ସଜାଡ଼ୁଥିଲି । ସେଥିପାଇଁ ଭିକାରି ପାଖକୁ ଯାଇ ତାକୁ ଦଶପଇସିଟିଏ ଦେଇପାରିଲି ନାହିଁ । ଏତିକି କଥାରେ ସେ ଏମିତି ବିଗିଡ଼ିଗଲେ ଯେ ଜଳଖିଆ ଡବାଟିକୁ ମୋ ଆଡ଼କୁ ଛାଟିଦେଇ ପଳେଇଗଲେ । ତାଙ୍କର ବ୍ୟବହାର ଦେଖି ମୋ ଆଖିରେ ଲୁହ ଆସିଗଲା । ତମେ କିନ୍ତୁ ଏମିତି କଦାପି କରି ନ ଥାନ୍ତ । ହୁଏତ କହିଥାଆନ୍ତ, ‘ଆଗେ ଯାଇ ଭିକାରିକୁ ବିଦା କରିଦେଇ ଆସ, ତାପରେ ଜଳଖିଆ ସଜାଡ଼ିବ ।’ କିମ୍ବା ତୁମେ ନିଜେ ଯାଇ ଭିକାରିଟିକୁ ବିଦା କରିଆସିଥାଆନ୍ତ । ତୁମେ ମୋ ମନକଥା ବୁଝିପାର । ମୋ ଭୁଲ୍‌ ତ୍ରୁଟିକୁ ତୁମ ବାଗରେ ସଜାଡ଼ି ଦିଅ । ଉଲୁଗୁଣା ଦେଇ ମୋତେ ପରିହାସ କରନାହିଁ ।”

 

“ଆମ ଘରେ ମୋତେ କେବେ ବି ରୋଷେଇବାସ କରିବାକୁ ପଡ଼ୁ ନଥିଲା । ବୋଉ ଏସବୁ ଶିଖିବା ପାଇଁ ବାରମ୍ବାର କହୁଥିଲେ କି ମୋ ବାପା ବାରଣ କରୁଥିଲେ । ବାପା କହୁଥିଲେ, ରୋଷେଇ ଘରେ ଝିଅମାନେ ତାଙ୍କ ଜୀବନର ଅଧାରୁ ଅଧିକ ସମୟ ଚୁଲି ପାଖରେ ବିତେଇ ଦିଅନ୍ତି । ତାଙ୍କ ଝିଅ ସେମିତିରେ ସମୟ ନ ବିତେଇ ଆଉ କିଛି ବଡ଼କାମ କରୁ । ତମେ ମୋ ବାପାଙ୍କ କଥାରେ ରାଜି ହୋଇଥାଆନ୍ତ । କିନ୍ତୁ ଇଏ ସେକଥା ଶୁଣନ୍ତି ନାହିଁ । ତାଙ୍କର ମତ ହେଲା, ସ୍ତ୍ରୀ ହେବା ପାଇଁ ରୋଷେଇ କାମ ଶିଖିବାଟା ବଡ଼ କଥା । ସେଦିନ ଶ୍ରୀମତୀ ପଟ୍ଟନାୟକ ଆମ ଘରକୁ ଆସିଥିଲେ । ତାଙ୍କ ସ୍ୱାମୀ ଓ ଝିଅ ତାଙ୍କ ସାଙ୍ଗରେ ଥିଲେ । ସେମାନଙ୍କ ଆଗରେ ସେ ମୋତେ ଥଟ୍ଟା କଲେ । ମୋତେ ମାଛ ତରକାରିଟେ ସୁଦ୍ଧା ଭଲକି ରାନ୍ଧି ଆସେନାହିଁ ବୋଲି ହସି ହସି କହିଲେ । ତାଙ୍କ କଥା ଶୁଣି ମୋ ଦେହ ଲଜ୍ଜା ଓ ଅପମାନରେ ଜଳି ଉଠିଥିଲା । ମାତ୍ର ସେକଥା କହାକୁ ଜାଣିବା ପାଇଁ ମୁଁ ଦେଇ ନ ଥିଲି । ନିଜ ଲୁହକୁ ନିଜ ଆଖିରେ ଚାପି ଧରି ମୁଁ ଉପରକୁ ଶୁଖିଲା ହସ ହସିଥିଲି । ତମେ କେବେ ଏପରି ନିଷ୍ଠୁର ବ୍ୟବହାର କରି ନ ଥାନ୍ତ । ତମେ ମୋ ବାପାଙ୍କ ପରି ମୋତେ ସାହସ ଦେଇ ଥାଆନ୍ତ । ମୋ ପାଖରେ ଛିଡ଼ାହୋଇ ମୋତେ ବତେଇ ଦେଇଥାଆନ୍ତ ।”

 

“ଗତକାଲି ଆମ ବାହାଘରର ତୃତୀୟ ବାର୍ଷିକୀ ଥିଲା । ମୁଁ ଭାବିଥିଲି ସେ ଆଜି ସନ୍ଧ୍ୟାରେ ସଅଳ ସଅଳ ଫେରିଆସିବେ । ଆମ ପରି ସାଧାରଣ ପରିବାରରେ ଜନ୍ମଦିନ, ବିବାହ ବାର୍ଷିକୀ ଗୋଟେ ଗୋଟେ ଖୁସିବାସିଆ ଦିନ । ସବୁଦିନେ ତ ସେଇ ତେଲ-ଲୁଣର ଘୋଷରା ଜୀବନ । ଦିନଟାଏ କୋଉଠିକି ଘେରାଏ ବୁଲିଗଲେ ଖୁସି ଲାଗେ । କିନ୍ତୁ ସବୁଦିନ ପରି ସେ ଡେରିରେ ଫେରିଲେ । ମୁଁ ଅଭିମାନ କଲି । ସେ ଅଭିମାନ ତୁଟେଇବାର ଚେଷ୍ଟା ନ କରି ଓଲଟି ଏସବୁ ଫେସନ୍‌ ତାଙ୍କୁ ଭଲ ଲାଗେନାହିଁ ବୋଲି କହିଥିଲେ । ମୁଁ ବାଧ୍ୟହୋଇ ମୋ ଲୁହକୁ ଲୁଚେଇ ରୋଷେଇ କରିବାକୁ ଗଲି । ତୁମେ କଣ କେବେ ଏପରି ବ୍ୟବହାର କରିଥାଆନ୍ତ ? ତୁମେ ସଞ୍ଜବେଳେ ଶୀଘ୍ର ଅଫିସ୍‌ରୁ ଫେରିଆସିଥାଆନ୍ତ । ତମକୁ ଭଲ ଲାଗୁଥିବା ରଙ୍ଗର ଶାଢ଼ିଟି ପିନ୍ଧିବା ପାଇଁ ମୋତେ ନିଶ୍ଚୟ କହିଥାଆନ୍ତ । ତାପରେ ଆମେ ଦୁହେଁ ବାହାରକୁ ବୁଲି ଯାଇଥାଆନ୍ତେ । ତୁମେ ମୋତେ ସିନେମା ଯିବାକୁ ଡାକିଥିଲେ ମୁଁ ତୁମକୁ ଥିଏଟର ଯିବାକୁ କହିଥାଆନ୍ତି । ତମେ ଥିଏଟର ଯିବାଲାଗି ପ୍ରସ୍ତାବ ଦେଇଥିଲେ ମୁଁ ସିନେମା ଯିବା ପାଇଁ ଜିଦ୍‌ କରିଥାଆନ୍ତି । ତୁମେ ମୋ କଥା ହିଁ ରଖିଥାଆନ୍ତ । ଆମେ ସିନେମା ଦେଖିସାରି ହୋଟେଲ୍‌କୁ ଯାଇଥାଆନ୍ତେ । ମୁଁ ମନା କରିଥାଆନ୍ତି, ହୋଟେଲ୍‌ରେ ଏତେଗୁଡ଼ିଏ ପଇସା ଖର୍ଚ୍ଚ କରିବା କଣ ଦରକାର ? ଏ ହାତ ଯୋଡ଼ିକ କଣ ପୂଜା ହେବା ପାଇଁ ଈଶ୍ୱର ଦେଇଛନ୍ତି ! ତୁମେ ଚୁପିଚୁପି ଅନ୍ଧାରେ ମୋର ହାତଯୋଡ଼ିକୁ ନିଜ ହାତରେ ଧରି କହିଥାଆନ୍ତ, ନା, ଏ ହାତଯୋଡ଼ିକୁ ଗେଲ କରିବା ପାଇଁ ଈଶ୍ୱର ଦେଇଛନ୍ତି । ମୁଁ ତୁମ ଓଠ ପାଖରୁ ମୋ ପାପୁଲି ଦୁଇଟିକୁ ଭିଡ଼ିଆଣି ତମକୁ ମିଛିମିଛିକା ଗାଳିଦେଇ କହିଥାଆନ୍ତି, “ତୁମେ ବଡ଼ ଇଏ ହୋଇଯାଉଛ ।” ତୁମେ ହସିଥାଆନ୍ତ ଓ ମୋତେ ସାଙ୍ଗରେ ନେଇ ହୋଟେଲ୍‌କୁ ଯାଇଥାଆନ୍ତ । ହୋଟେଲ୍‌ରେ ମେନ୍ୟୁକାର୍ଡ ଦେଖୁ ଦେଖୁ ତୁମର ମୋର ପୁଣି ଝଗଡ଼ା ହୋଇଥାଆନ୍ତା । ମୁଁ ତୁମ ଅର୍ଡରକୁ ବାତିଲ୍‌ କରି ମୋ ଅର୍ଡର ମୁତାବକ ଖାଇବା ମଗାଇଥାଆନ୍ତି । ତୁମେ ସାନ ପିଲାଙ୍କ ପରି ଜିଦ୍‌ କରି ତୁମ ମନ ପସନ୍ଦର ଖାଇବା ଆଣିବା ପାଇଁ ବୟ୍‌କୁ କହିଥାଆନ୍ତ । ତମର ମୋର କଥା କଟାକଟି ଦେଖି ନିଶ ଉଠି ନ ଥିବା ବୟ୍‌ଟି ହସିଥାଆନ୍ତା ଓ ପାଖ ଟେବୁଲ୍‌ର ଲୋକମାନେ ଆମ ଆଡ଼େ ଚାହିଁଥାଆନ୍ତେ । ମୋତେ ଭୀଷଣ ଲାଜ ମାଡ଼ିଥାଆନ୍ତା ଓ ‘ଘରକୁ ଚାଲ୍‌, ତୁମ କଥା ବୁଝିବି’ ବୋଲି ମୁଁ ତୁମକୁ ଆଖିର ଇସାରାରେ ଧମକ ଦେଇଥାଆନ୍ତି । ତମେ ସେଥିରେ ଡରିଯାଇ କାନ ଧରିପକେଇ ମୋ ଆଡ଼କୁ ସାନ ପିଲାଟେ ପରି ଚାହିଁଥାଆନ୍ତ । ମୁଁ ପ୍ଲେଟ୍‌ ଉପରେ ଚାମଚ ଠୁକୁରେଇ କଚେରିର ଜଜ୍‌ ପରି ରାୟ ଶୁଣାଇଥାଆନ୍ତି ଓ ତମକୁ ମାଫ୍‌ କରିଦେଇଥାଆନ୍ତି ।

 

ହୋଟେଲ୍‌ରୁ ଖାଇସାରି ଘରକୁ ଫେରିବା ବାଟରେ ଆମେ ଆଇସ୍‌କ୍ରିମ୍‌ ଖାଇଥାଆନ୍ତେ-। ତମେ ଦିଲ୍ଲୀର ନରୁଲା ଆଇସ୍‌କ୍ରିମ୍‌ କଥା କହି ମୋତେ ଆଉଥରେ ଚିଡ଼େଇଥାଆନ୍ତ-। ‘ନରୁଲା’ରେ ଉଷୁମ୍‌ ଖୋଳ ଭିତରେ ଥଣ୍ଡା କ୍ରିମ୍‌ ଭରି ଗ୍ରାହକକୁ ଦିଆଯାଏ । ଆମ ସହରରେ ସେପରି ଆଇସ୍‌କ୍ରିମ୍‌ ମିଳୁ ନ ଥିବା ନେଇ ତୁମେ ଅଭିଯୋଗ କରିଥାଆନ୍ତ । ମୁଁ ତୁମକୁ ଅଯଥା ଅଭିଯୋଗ ନ କରି ଆଇସ୍‌କ୍ରିମ୍‌ ଗୋଟେ ରୋଜ୍‌ ରୋଜ୍‌ ଖାଇବା ଜିନିଷ ନୁହେଁ ବୋଲି କହିଥାଆନ୍ତି ଓ ତୁମର ମୋଟେଇ ଯାଇଥିବା ପେଟକୁ ଚିମୁଟି ଦେଇଥାଆନ୍ତି । ଘରକୁ ଫେରିବା ରାସ୍ତାରେ ତୁମେ ମୋ ପାଇଁ ଫୁଲ କିଣି ଆଣିଥାଆନ୍ତ ଓ ମୁଁ ଆଉଥରେ ଏସବୁ ଅଯଥା ଖର୍ଚ୍ଚ ବୋଲି ଅଭିଯୋଗ କରିଥାଆନ୍ତି ।”

 

କେହି ଜଣେ କବାଟ ଠକ୍‌ ଠକ୍‌ କରୁଥିଲା । ପ୍ରଭାକର ଡାଏରୀଟିକୁ ତକିଆ ତଳେ ଲୁଚେଇଦେଲା ଓ ପକେଟ୍‌ରୁ ରୁମାଲ ବାହାର କରି କପାଳର ଝାଳଗୁଡ଼ାକୁ ପୋଛିଦେଲା । ସେ ତରତରରେ ଯାଇ କବାଟ ଖୋଲି ପଚାରିଲା, “କିଏ ?”

 

: ମୁଁ, କ୍ଷୀରବାଲା ।

 

: ଓ-ହୋ, ମୁଁ ଭାବିଲି ଆଉ କିଏ । ଦିଅ ।

 

: ମାଆ ନାହାନ୍ତି କି ?

 

: କିଏ ? ହଁ ମା-ଆ, ନା ସେ ତାଙ୍କ ବାପଘରକୁ ଯାଇଛନ୍ତି ।

 

କ୍ଷୀରବାଲା ବେଲାରେ କ୍ଷୀର ଅଜାଡ଼ି ଦେଇ ଚାଲିଗଲା । ପ୍ରଭାକର ସେଇଟିକୁ ରୋଷେଇଘରେ ରଖି କବାଟ ଆଉଜେଇ ଆଣିଲା ଓ ଶୋଇବା ଘରକୁ ଆସି ତକିଆ ତଳୁ ତନୁଜାର ଅଧାପଢ଼ା ଡାଏରୀଟିକୁ ଆଉଥରେ ବାହାର କଲା । ତାର ସର୍ବାଙ୍ଗ କ୍ରୋଧ ଆଉ ଉତ୍ତେଜନାରେ ଥରୁଥିଲା ।

 

ଗତ କାଲିଠୁଁ ତନୁଜା ତା ବାପଘରକୁ ଯାଇଥିଲା । ତା ବାପାଙ୍କ ଦେହ ଖରାପ ବୋଲି ଚିଠି ଆସିବା ପରଠୁଁ ସେ ଯିବ ଯିବ ବୋଲି ଗୋଡ଼ଟେକି ବସିଥିଲା । ଶେଷକୁ ବାଧ୍ୟହୋଇ କାଲି ସଞ୍ଜରେ ପ୍ରଭାକର ତାକୁ ରାଉରକେଲା ବସ୍‌ରେ ବସେଇ ଦେଇ ଆସିଥିଲା ।

 

ସେମାନଙ୍କ ବାହାଘର ହେବାର ସାଢ଼େ ତିନିବର୍ଷ ପୂରି ସାରିଥିଲା । ଏହି ସାଢ଼େ ତିନିବର୍ଷ ଭିତରେ ଥରୁଟେ ପାଇଁ ତନୁଜାକୁ ନେଇ ପ୍ରଭାକର ମନରେ କୌଣସି ପ୍ରକାର ସନ୍ଦେହ ଉଙ୍କି ମାରି ନ ଥିଲା । ବେଳେ ବେଳେ ତନୁଜା ଅବଶ୍ୟ ଅନ୍ୟମନସ୍କ ରହୁଥିଲା; ମାତ୍ର ସେପରି ଅନ୍ୟମନସ୍କ ରହିବା ଗୋଟେ ସାଧାରଣ କଥା ଭାବି ପ୍ରଭାକର ସେକଥାକୁ ଗୁରୁତ୍ୱ ଦେଉ ନ ଥିଲା । କିନ୍ତୁ ଭୁଲ୍‌ରେ କେବେ ବି ସେ ଆଶଙ୍କା କରି ନ ଥିଲା ଯେ, ତନୁଜା ଭିତରେ ଏପରି ଗୋଟେ ବିଷଧର ସାପ ବସା ବାନ୍ଧି ରହିଛି, ଯାହାକୁ ସେ ସାଢ଼େ ତିନି ବର୍ଷ ଧରି କ୍ଷୀର ପିଆଇ ପାଳି ପୋଷି ଆସିଛି ।

 

ତନୁଜାର ସେଇ ପ୍ରେମିକ ପୁରୁଷଟିର ନାଁ ଜାଣିବା ପାଇଁ ପ୍ରଭାକର ଅଥୟ ହୋଇ ପଡ଼ୁଥିଲା । ଏଭଳି ଅବିଶ୍ୱସ୍ତପଣିଆର କଥା ସେ ଗପ ବହି, ଖବରକାଗଜ, ଟି.ଭି. ସିରିଏଲ୍‌ ଓ ସିନେମାରେ ଅବଶ୍ୟ ବହୁବାର ଦେଖିଥିଲା । ମାତ୍ର ତା ନିଜର ସ୍ତ୍ରୀ, ମାଛିକୁ ମ କହୁ ନ ଥିବା କଣ୍ଢେଇ ପରି ସୁଧାର ସ୍ତ୍ରୀ ଏଭଳି ଅବିଶ୍ୱସ୍ତ ହେବ–ସେ କଥା ସେ ଭୁଲ୍‌ରେ ସୁଦ୍ଧା କେବେ କଳ୍ପନା କରି ନ ଥିଲା । ଆଜି ତନୁଜାର ଆଲମାରିରୁ କିଛି ଟଙ୍କା ଖୋଜୁ ଖୋଜୁ ସେ ଏଇ ଡାଇରୀଟି ପାଇ ନ ଥିଲେ ହୁଏତ ଆଉରି କେତେକାଳ ଏମିତି ଗୋଟେ ବେକୁବ୍‌ ପରି ସେ ଦିନ କାଟିଥାଆନ୍ତା !

 

ତାର ତଣ୍ଟି ଶୁଖି ଶୁଖି ଯାଉଥିଲା । ସେ ରୋଷେଇ ଘରକୁ ଗଲା ଓ ଫ୍ରିଜ୍‌ରୁ ପାଣିବୋତଲ କାଢ଼ି ଢକ୍‌ ଢକ୍‌ କରି ଅଧବୋତଲ ପାଣି ପିଇଗଲା । ଫ୍ରିଜ୍‌ ପାଣି ସିଧା ସିଧା ନ ପିଇବା ପାଇଁ ତନୁଜା ତାକୁ ବାରଣ କରିଥିବା କଥା ପ୍ରଭାକରର ମନେପଡ଼ିଲେ ବି ସେ ସେକଥାକୁ ଗୁରୁତ୍ୱ ଦେଲା ନାହିଁ । ଓଲଟି ସେ ତନୁଜା କଥାକୁ ଗୁରୁତ୍ୱ ଦିଏ ନାହିଁ–ଏକଥା ସାବ୍ୟସ୍ତ କରିବା ଲାଗି, ତାର ଶୋଷ ମେଣ୍ଟି ଯାଇଥିଲେ ବି ସେ ଆହୁରି ଚାରିପାଞ୍ଚ ଢୋକ ପାଣି ପିଇଲା । ଏବେ ତାକୁ ଟିକିଏ ଭଲ ଲାଗିଲା ଓ ସେଠୁ ଧାଇଁଆସି ଶୋଇବା ଘର ଖଟ ଉପରେ ବସିପଡ଼ିଲା ।

 

ଏଥର ସେ ଯୋଉ ଡାଇରୀଟିକୁ ଛାଡ଼ିଯାଇଥିଲା ତାକୁ ବାହାର କରି ପଢ଼ିବାକୁ ଲାଗିଲା-। ତରବରିଆ ହସ୍ତାକ୍ଷରରେ ତନୁଜା ଲେଖିଥିଲା, “ଆଜି ସେ ମୋତେ କହିଲେ ଯେ ମୋର ସବୁବେଳେ ବାପଘର କଥା ଚିନ୍ତା କରିବା ଅଭ୍ୟାସ ତାଙ୍କୁ ଭଲ ଲାଗୁ ନାହିଁ । ସେ ସେଇକଥା ଆଉ ବାଗରେ କହିପାରିଥାଆନ୍ତେ । ଏତେ ଟାଣକରି ସବୁକଥା କହିବା କଣ ଦରକାର ? ତୁମେ କେବେ ଏଭଳି କହି ନ ଥାନ୍ତ । ତୁମେ କୁହ, ଝିଅଟିଏ ଅଧା ଜୀବନ ଯୋଉ ବାପ-ମାଆଙ୍କ ପାଖେ କାଟିକି ଆସିଯାଏ, ଶାଶୂଘରକୁ ଆସିଲା ପରେ କଣ ସେସବୁ ସେ ଭୁଲିଯାଇପାରେ ! ତୁମ ପୁଅମାନଙ୍କର ସୌଭାଗ୍ୟ, ତମମାନଙ୍କୁ ଚଢ଼େଇ ପରି ଦିଇଟି ଜୀବନ ବିତେଇବାକୁ ପଡ଼େନାହିଁ । ଝିଅଟିଏ ଡିମ୍ବ ହୋଇ ବାପଘରେ ଥାଏ, ବାପା-ମାଆ ଚଢ଼େଇ ତା ଡିମ୍ବକୁ ପେଟତଳେ ଲୁଚେଇ ରଖିବା ପରି ଝିଅକୁ ତାଙ୍କ ସ୍ନେହ ଆଦରର ପଣତ ତଳେ ଲୁଚେଇ ରଖିଥାଆନ୍ତି । ଦିନେ ସେ ଡିମ୍ବ ଫାଟେ, ତା ଭିତରୁ ଚଢ଼େଇର ନୂଆ ଜନ୍ମ ହୁଏ । ଝିଅ ବାହାହୁଏ, ଶାଶୂଘରକୁ ଆସେ । ତା ବୋଲି କଣ ସେ କେବେ ବି ଆଉ ସେ ଡିମ୍ବ-ବୟସର କଥାକୁ ଝୁରିହେବ ନାହିଁ ! ଏଇ ତୁମର ନିୟମ ! ମୁଁ ଏକଥା ତୁମକୁ କହୁନି ମ ! ତୁମେ ତ ମୋ ମନକଥା ବୁଝିପାର । ଉଡ଼ା ଚଢ଼େଇର ପର ଗଣିଦେଲା ଲୋକ ତୁମେ । ତୁମକୁ କଣ ମୁଁ ଅଧିକ ବୁଝେଇବି !”

 

ପ୍ରଭାକର ଆଉ ଗୋଟେ ପୃଷ୍ଠା ଓଲଟେଇଲା । ଏଥର ତନୁଜା ଲେଖିଥିଲା, “ପ୍ରେମକୁ ଛାଡ଼ି ଜୀବନ ଜିଇଁବା ଅସମ୍ଭବ । କିନ୍ତୁ ଇଏ ପ୍ରେମ ଫ୍ରେମ କଥା ବୁଝନ୍ତି ନାହିଁ । ସବୁବେଳେ ରୋକ୍‌ଠୋକ୍‌ କଥା । ମୋତେ ନିଦ ହେବା ଆଗରୁ ଶୋଇପଡ଼ନ୍ତି । ମୋ କଥା ମୋ ତୁଣ୍ଡରେ ଥାଏ, ତାଙ୍କ ଘୁଙ୍ଗୁଡ଼ି ଶୁଭେ । ତମେ ଥିଲେ ମୋତେ କେତେ କଥା କହିଥାଆନ୍ତ । ପ୍ରେମ କଣ ବୋଲି ମୁଁ ପଚାରିଲେ ତମେ ହୁଏତ ତମ କଲେଜ ଦିନର କଥା ମନେ ପକେଇ କହିଥାଆନ୍ତ, ପ୍ରେମ ଏମିତି ଗୋଟେ ନଈ ଯିଏ ସମୁଦ୍ରକୁ ଯିବାର ଠିକଣା ଟ୍ରାଫିକ୍‌ ପୋଲିସ୍‌କୁ ପଚାରେ ନାହିଁ । ତୁମେ କୁଆଡ଼ୁ ଏତେ ମିଠା ମିଠା ଶବ୍ଦ ତୋଳି ଆଣ ? ସେଇ କଲେଜ ଦିନରୁ ମୁଁ ତୁମ କଥା ଭାବି ଭାବି ପାଗଳୀ ହେଉଥିଲି । ତୁମର ସେ କଥାଗୁଡ଼ିକ ଆଉ କେବେ ଶୁଣିବାକୁ ମିଳିବ କେଜାଣି ?”

 

: ଦୁଶ୍ଚରିତ୍ରା, ମିଥ୍ୟାବାଦିନୀ, ହିପୋକ୍ରାଟ୍‌ । –ପ୍ରଭାକର ଚିତ୍କାର କରି ଉଠିଲା । ଏହିଭଳି ଗୋଟିଏ ନାରୀକୁ ନେଇ ସେ ସଂସାର କରିଛି ? ଏଭଳି ଗୋଟେ ଦୁଶ୍ଚରିତ୍ରାର ଅଭିନୟ ଆଜି ପର୍ଯ୍ୟନ୍ତ ତାର ପୋଲିସ୍‌ ଆଖିରେ ଧରା ପଡ଼ି ନ ଥିଲା କେମିତି ?

 

ତାର ମନେ ପଡ଼ୁଥିଲା, କଲେଜରେ ପଢ଼ିବାବେଳେ ତା ସାଙ୍ଗ ମହେଶ୍ୱର କହିଥିଲା, “ମଉନମୁହୀଁ ଝିଅମାନେ ଚୁପ୍‌ସଇତାନ । ତାଙ୍କ ଜିଭରେ ଗୋଟେ କଥା, ପେଟରେ ଆଉ ଗୋଟେ କଥା । ନାରୀଙ୍କ ମାୟା ତ ନାରାୟଣ ଜାଣିପାରି ନ ଥିଲେ, ଆମେ ତ ଛାର ମଣିଷ !” ସେଦିନ ପ୍ରଭାକର ମହେଶ୍ୱରର କଥାକୁ ଏତେ ଗୁରୁତ୍ୱ ଦେଇ ନ ଥିଲା । ଝିଅ ଫିଅ କାରବାରରେ ସେ ମହେଶ୍ୱରଠୁଁ ପଛରେ ଥିଲା ଏବଂ ସତ କହିବାକୁ ଗଲେ ଏସବୁ ବିଷୟରେ ଚିନ୍ତା କରିବାଟା ତାକୁ ଅଶ୍ଳୀଳ ଅଶ୍ଳୀଳ ଲାଗୁଥିଲା । କିନ୍ତୁ ଆଜି ମହେଶ୍ୱରର କଥା ତାର ଗୋଟି ଗୋଟି ହୋଇ ମନେ ପଡୁଥିଲା । ସତ କହିଥିଲା ମହେଶ୍ୱର । ସୁନ୍ଦରୀ ଝିଅମାନଙ୍କଠୁଁ ଚରିତ୍ର ଆଶା କରିବା ମୂର୍ଖାମି । ମିଥ୍ୟାବାଦିନୀମାନେ ସବୁଠୁ ସୁଧାର ଝିଅର ଅଭିନୟ କରନ୍ତି ।

 

ପ୍ରଭାକରର ମୁଣ୍ଡ ଘୂରିଯାଇଥିଲା ।

 

ସେ ଘରର ଯୁଆଡ଼କୁ ଚାହୁଁଥିଲା ସିଆଡ଼େ ଅବିଶ୍ୱସ୍ତ ତନୁଜାର ଛବି ତାକୁ ଦେଖାଯାଉଥିଲା । ସେ ଦେଖିପାରୁଥିଲା, ତାକୁ ପିଠି କରି ତନୁଜା ଓ ତାର ପ୍ରେମିକ ଅଣ୍ଟାରେ ହାତ ଛନ୍ଦାଛନ୍ଦି ହୋଇ ଧୀର ମନ୍ଥର ପାଦରେ ବଗିଚା ଭିତରେ ବୁଲୁଛନ୍ତି । ସେ ବଗିଚାରୁ ସକାଳର କାକର ଓ କୁହୁଡ଼ି ହଜି ଯାଇନାହିଁ । ସକାଳ ସୂର୍ଯ୍ୟ କିରଣ ଗଛପତ୍ରର ଫାଙ୍କ ଦେଇ ଖସି ପଡୁଛି କାକର ଉପରେ । ଚଢ଼େଇମାନେ କିଚିରି ମିଚିରି ହେଉଛନ୍ତି । ସେଇ କିଚିରି ମିଚିରି ଶବ୍ଦ ସାଙ୍ଗରେ ପ୍ରତିଯୋଗିତା କଲା ପରି ତନୁଜା ଓ ତାର ପ୍ରେମିକ ଖିଲିଖିଲି ହସିଉଠୁଛନ୍ତି । ସେମାନେ ଗୋଟିଏ ଝଙ୍କା ଗଛର ନୁଆଁଣିଆ ଡାଳ ସେପଟେ ଛିଡ଼ାହୋଇ ପରସ୍ପରର ପାଖକୁ ଲାଗି ଆସୁଛନ୍ତି । ତାପରେ...

 

ଝଣ୍‌ଝଣ୍‌ କରି କଣ ଶବ୍ଦଟାଏ ହେଲା । କପ୍‌, ପ୍ଲେଟ୍‌ ଭାଙ୍ଗିଯିବା ପରି ଶବ୍ଦ । ପ୍ରଭାକର ଡାଏରୀଟାକୁ ଫିଙ୍ଗିଦେଇ ରୋଷେଇଘରକୁ ଧାଇଁଗଲା । ଗୋଟେ କଳା ବିଲେଇ କ୍ଷୀରତକ ପିଇସାରିବା ପରେ ଡେଇଁପଡ଼ି କପ୍‌ପ୍ଲେଟ୍‌ ଖସେଇ ଦେଇଥିଲା । ପ୍ରଭାକରର ସବୁଯାକ ରାଗ ସେଇ କଳା ବିରାଡ଼ି ଉପରେ ଠୁଳ ହେଲା । ସେ ତା ଆଡ଼କୁ ଗୋଇଠାଟାଏ ମାରିବା ପାଇଁ ଧାଇଁ ଯାଉ ଯାଉ ବିରାଡ଼ିଟି ଖସି ପଳେଇଗଲା । ପାଣି ପିଇବାକୁ ଆସିଥିବା ବେଳେ ଭୁଲ୍‌ରେ ସେ ରୋଷେଇଘରର କବାଟ ବନ୍ଦ କରିବା ପାଇଁ ଭୁଲିଯାଇଥିଲା । ପ୍ରଭାକର ଚଟାଣରୁ କପ୍‌ ଓ ପ୍ଲେଟ୍‌ର ଭଙ୍ଗା ଟୁକୁଡ଼ା ଗୋଟେଇ ଡଷ୍ଟ୍‌ବିନ୍‌ରେ ପକେଇଲା । ତାକୁ ଲାଗୁଥିଲା, ଏଇ କପ୍‌ପ୍ଲେଟ୍‌ ସାଙ୍ଗରେ ତାର ସାଢ଼େ ତିନି ବର୍ଷର ଘରସଂସାର ବି ଟୁକୁଡ଼ା ଟୁକୁଡ଼ା ହୋଇ ଭାଙ୍ଗିଯାଇଥିଲା ।

 

ପ୍ରଭାକର ରୋଷେଇଘରର କବାଟ ଆଉଜେଇ ଫେରି ଆସିଲା ।

 

ସେ କାନ୍ଥଘଣ୍ଟାକୁ ଚାହିଁଲା । ରାତି ଆଠଟା ବାଜିସାରିଥିଲେ ବି ତାକୁ ଭୋକ ଲାଗୁ ନ ଥିଲା କି ରୋଷେଇ କରିବାକୁ ଇଚ୍ଛା ହେଉ ନ ଥିଲା । ତା ଆଖି ଆଗରେ କେବଳ ତନୁଜା ଓ ତା ପ୍ରେମିକର ଅସ୍ପଷ୍ଟ ଚେହେରା ଭାସି ଉଠୁଥିଲା ।

 

ସେ ରାଗରେ ଶୋଇବା ଘରର ଡ୍ରେସିଂ ଟେବୁଲ୍‌ ଉପରୁ ତାର ଓ ତନୁଜାର ଯୋଡ଼ି ଫଟୋ ଥିବା ଷ୍ଟାଣ୍ଡ୍‌ଟାକୁ ଉଠେଇ ଆଣିଲା ଏବଂ ତହିଁରୁ ତନୁଜାର ଫଟୋଟା ବାହାର କରି ଟୁକୁଡ଼ା ଟୁକୁଡ଼ା କରି ଚିରିଦେଲା । ତା ପାଟିରୁ ତନୁଜା ସମ୍ପର୍କରେ ଦୁନିଆଯାକର ଅଶ୍ଳୀଳ ଗାଳି ବାହାରୁଥିଲା ଓ ସେ ସେବୁକୁ ବାନ୍ତି କରି ପକଉଥିଲା ।

 

ପ୍ରଭାକରର ସବୁଯାକ କଥା ଆଜି ମନେ ପଡ଼ୁଥିଲା । ଏହା ପୂର୍ବରୁ ଆଉ କେବେ ସେ ତା ବାହାଘରର ପୂର୍ବ ବା ପରକଥାଗୁଡ଼ିକୁ ନେଇ ଏତେ ବେଶି ଚିନ୍ତା କରି ନ ଥିଲା । ତନୁଜା ସାଙ୍ଗେ ତା ବାହାଘର ପ୍ରସ୍ତାବ ପଡ଼ିବା ପରଠୁଁ ବାହାଘର ସରିବାଯାଏ ସେ କେବେ ବି ତା ଆଡ଼ୁ ଅତ୍ୟଧିକ ଆଗ୍ରହ ଦେଖେଇ ନ ଥିଲା । ବାହାଘରର ପ୍ରଥମ ଦିନଗୁଡ଼ିକରେ ସେ ତନୁଜାକୁ ତାର ବ୍ୟକ୍ତିଗତ ପସନ୍ଦ ଅପସନ୍ଦ ସମ୍ପର୍କରେ ସବୁକଥା ପଚାରିଥିଲା । ମାତ୍ର ସବୁଥର ତନୁଜା ମୁହଁ ତଳକୁ କରି, ଅଳ୍ପ ଅଳ୍ପ ହସି ତା କଥାକୁ ଏଡ଼େଇ ଯାଇଥିଲା । ଅଥଚ ସେଇ ତନୁଜା ପେଟରେ ଏତେ ମଇଳା ରହିଛି ବୋଲି ସେ କିପରି ଜାଣି ପାରି ନ ଥିଲା !

 

ପ୍ରଭାକର ମନେ ମନେ ଆଗାମୀ ଦିନର ଯୋଜନାସବୁ ପ୍ରସ୍ତୁତ କରିଦେଲା । ଭୀରୁ ଓ କାପୁରୁଷଙ୍କ ପରି ସେ ତନୁଜାକୁ ଛାଡ଼ପତ୍ର ଦେବ ନା ଏ ଧରଣର କପଟାଚାରର ପ୍ରତିଶୋଧ ନେବ ସେକଥା ମଧ୍ୟ ସେ ଚିନ୍ତା କରୁଥିଲା । ତାର ରାଗ ହେଉଥିଲା ଯେ, ଏତେ ଦିନ ପର୍ଯ୍ୟନ୍ତ ତନୁଜାର ଗୋପନ ଅଭିସାର ଚାଲିଆସିଥିବା ସତ୍ତ୍ୱେ ସେକଥା ତା ଆଖିରୁ କେମିତି ଖସି ଯାଉଥିଲା ? ଏ ପ୍ରକାର ବିଫଳତା ପାଇଁ ପ୍ରଭାକର ନିଜର ପୋଲିସ୍‌ ଚାକିରିକୁ ସର୍ବାପେକ୍ଷା ଅଧିକ ଦାୟୀ କରୁଥିଲା-

 

ସେ ଆଉଥରେ ଡାଏରୀ ଆଡ଼େ ଚାହିଁଲା । ହଳଦିଆ ରଙ୍ଗର ଡାଏରୀଟି ତାକୁ ଗୋଟେ ଗୋଖର ସାପ ଫଣା ପରି ମନେ ହେଉଥିଲା । ସେହି ଡାଏରୀର ପ୍ରତି ପୃଷ୍ଠା, ପ୍ରତି ଧାଡ଼ି, ପ୍ରତିଟି ବାକ୍ୟ ଓ ପ୍ରତିଟି ଶବ୍ଦରେ ବିଷ ଭରି ହୋଇଥିଲା । ସେ ବିଷର ମାରାତ୍ମକ ପ୍ରଭାବ ଏବେ ତା ଲୋମକୂପ ଦେଇ ତା ଦେହ ଭିତରେ ପଶି ସାରିଥିଲା ଏବଂ ତାକୁ ଜାଳିପୋଡ଼ି ଦେଉଥିଲା । ସେ ଦାନ୍ତ ଚିପି ଡାଏରୀର ଆଉ ଗୋଟାଏ ପୃଷ୍ଠା ଖୋଲିଲା । ତନୁଜା ଲେଖିଥିଲା-

 

“ଯୋଉମାନେ ଭାବନ୍ତି ଯେ ପ୍ରେମକୁ ଛାଡ଼ି ଜୀବନ ବଞ୍ଚିହୁଏ, ସେମାନେ ଭୁଲ୍‌ କଥା ଭାବିଥାଆନ୍ତି । ପ୍ରେମ ହିଁ ଅଙ୍ଗାର କଳା କୋଇଲାକୁ ଉଜ୍ଜ୍ୱଳ ହୀରାରେ ପରିଣତ କରିଦିଏ । ପ୍ରେମ ହିଁ ଜଳବୁନ୍ଦାକୁ ମହାନଦୀର ଅନୁଭବ ଆଣିଦିଏ । ପ୍ରେମ ବିନା ଏ ଦେହର ଅର୍ଥ କଣ ? କିନ୍ତୁ ଇଏ ସେକଥା ବୁଝନ୍ତି ନାହିଁ । ତାଙ୍କ ପାଇଁ ପ୍ରେମ ଗୋଟେ ଅଶ୍ଳୀଳ ଶବ୍ଦ । ସତେକି ସେଇଟି ଗୋଟେ ଅପରାଧ ! ତୁମେ କିନ୍ତୁ ଏପରି ମୋଟେ କୁହନ୍ତ ନାହିଁ । ପ୍ରେମର ଅର୍ଥ ବୁଝି ନ ଥିବା ମଣିଷ କଣ ଜୀବନର ଅର୍ଥ ବୁଝିପାରିବ ? ବଡ଼ହେବା ଦିନୁ ମୁଁ କେତେ ରାତି, କେତେ ପାହାନ୍ତି ତମର ପ୍ରେମକଥା ଭାବି ଭାବି ବିତେଇ ଦେଇଛି । କିନ୍ତୁ ସେ ପ୍ରେମ କାହିଁ ? ଯୋଉ ପ୍ରେମର ସ୍ପର୍ଶରେ ପଥର ବି ଅହଲ୍ୟା ପାଲଟି ଯାଆନ୍ତା ? କେଉଁଦିନ ତୁମେ ସମୟ କରି ବସିଲେ ଏସବୁ କହିବି । ତୁମେ ଶୁଣିବ, ମୁଁ କହିବି । ମୁଁ କହିବି, ତମେ ଶୁଣିବ ।”

 

ତୁମେ କହିବ, ମୁଁ ଶୁ...ଣି...ବି ? ବଜ୍ଜାତ୍‌ ମାଇକିନା ! ପ୍ରଭାକର ଚିତ୍କାର କରିଉଠିଲା । ଗୋଟେ ସ୍ତ୍ରୀଲୋକ ଏମିତି ପାଗଳୀଙ୍କ ପରି ନିଜ ପ୍ରେମିକ ବିଷୟରେ ଫର୍ଦ୍ଦ ଫର୍ଦ୍ଦ ଲେଖିବାଟା ତାକୁ ସମ୍ପୂର୍ଣ୍ଣ ଅସ୍ୱାଭାବିକ ଲାଗୁଥିଲା । ସେ ଜାଣିଥିଲା ଯେ ତନୁଜା ତା ବାପା-ମାଆଙ୍କର ଗୋଟିଏ ଝିଅ । ପିଲାଦିନୁ ତା ସାଙ୍ଗରେ ଖେଳିବା ପାଇଁ ଭାଇ କି ଭଉଣୀ ନ ଥିଲେ । ସେଥିପାଇଁ ସେ ଖୁବ୍‌ ଚୁପ୍‌ଚାପ୍‌ । କାହା ସାଙ୍ଗେ ବେଶି ମିଶିପାରେନା, ଗପି ପାରେନା । କିନ୍ତୁ ସେଭଳି ଗୋଟେ ଚୁପ୍‌ଚାପ୍‌ ଝିଅ ଲଜ୍ଜାହୀନ ଭାବେ ପ୍ରେମିକ ବାବଦରେ ସ୍ୱାମୀର ଘର ଭିତରେ ଥାଇ ଲେଖିବ, ସେକଥା ପ୍ରଭାକର କଳ୍ପନା କରିପାରୁ ନ ଥିଲା ।

 

ସେ କେବଳ ମହେଶ୍ୱରର କଥା ଚିନ୍ତା କରୁଥିଲା । ଠିକ୍‌ କହିଥିଲା ମହେଶ୍ୱର, ଦୂରରୁ ଦେଖି ନଈର ଗଭୀରତା ଓ ନାରୀର ଚରିତ୍ର ବୁଝି ହୁଏନାହିଁ ।

 

ପ୍ରଭାକର ଖଟ ଉପରୁ ଉଠିପଡ଼ି ଆଉଥରେ ତନୁଜାର ଆଲମାରି ପାଖକୁ ଗଲା । ଆଲମାରି ଭିତରେ ତନୁଜାର ଶାଢ଼ି, ବ୍ଲାଉଜ୍‌ ସାଙ୍ଗରେ ଛୋଟ ଭ୍ୟାନିଟି ବ୍ୟାଗ୍‌, ଚୁଡ଼ି ବାକ୍ସ ଓ ଆହୁରି ତିନିଖଣ୍ଡ ଡାଏରୀ ଥିଲା । ପ୍ରଭାକର ହଠାତ୍‌ ତଦନ୍ତରୁ ଗୋପନ ତଥ୍ୟ ପାଇବା ପରି ସେଗୁଡ଼ିକ ବାହାର କରି ଆଣିଲା ଓ ବସିବା ଜାଗାକୁ ଫେରିଆସି ସେସବୁ ଖେଳେଇବାରେ ଲାଗିଗଲା । ସେ ଏତେ ବିବ୍ରତ ହୋଇଯାଇଥିଲା ଯେକୌଣସି ଡାଇରୀକୁ ଆରମ୍ଭରୁ ପଢ଼ିବା ପାଇଁ ଧୈର୍ଯ୍ୟ ରଖି ପାରୁ ନ ଥିଲା । ସେ ଲେଖାଗୁଡ଼ିକ ଭିତରୁ ତନୁଜାର ପ୍ରେମିକର ନାଁ ଓ ଠିକଣା ହିଁ କେବଳ ଖୋଜୁଥିଲା । ସେ ଜାଣିଥିଲା ଯେ, କୋଉଠି ନା କୋଉଠି ତନୁଜା ସେ ନାଆଁଟି ନିଶ୍ଚୟ ଲେଖିଥିବ । ତାର ଦଶବର୍ଷର ପୋଲିସ୍‌ ଚାକିରି ଅଭିଜ୍ଞତାରୁ ସେ ଏକଥା ଜାଣିଥିଲା ଯେ ଅପରାଧୀ ଯେତେ ଚାଲାକ ଚତୁର ହେଲେ ମଧ୍ୟ କୋଉଠି ନା କୋଉଠି ତାର ପ୍ରମାଣ ଛାଡ଼ି ଯାଇଥାଏ ।

ପ୍ରଭାକରର ମୁଣ୍ଡ ଭାରୀ ଭାରୀ ଲାଗୁଥିଲା । ସେ ଭାବିଲା, କପେ ଚା ତିଆରି କରି ପିଇବ । ମାତ୍ର ଚା କଥା ଭାବିଲାରୁ ତାର କ୍ଷୀର କଥା ମନେପଡ଼ିଲା ଓ କ୍ଷୀରତକ ବିରାଡ଼ି ପିଇଦେଇଯାଇଥିବା କଥା ମଧ୍ୟ ମନେପଡ଼ିଗଲା । ସେ ଚା ପିଇବା ଆଗ୍ରହକୁ ସେଇଠି ରଖିଦେଲା-। ତା ନିଜର ଜୀବନ ଏବେ କାଳୀ ବିରାଡ଼ି ଚାଟିଦେଇଥିବା କ୍ଷୀର ବେଲା ପରି ଶୂନ୍ୟ ଓ ଅଇଁଠା ହୋଇଯାଇଥିଲା । ସେ ଦୟନୀୟ ଭାବରେ ପ୍ରତାରିତ ହୋଇଥିବା ଅନୁଭବ କରୁଥିଲା ଏବଂ ତାର ନିଜ ଉପରେ ଦୟା ହେଉଥିଲା । ସେ ଘରର ଚାରିକାନ୍ଥ ଓ ଛାତ, ଛାତରେ ଝୁଲୁଥିବା ପଙ୍ଖା ଓ କାନ୍ଥର ଆଲୋକକୁ ଚାହିଁ ଭାବୁଥିଲା–ଏସବୁ ତାହାହେଲେ ଛଳନା, କେବଳ ଅଭିନୟ ।

ହାଇସ୍କୁଲରେ ପଢୁଥିବାବେଳେ ସାଙ୍ଗ ଅଭୟ ଏମିତି ଗୋଟେ ଝିଅର ଛଳନାକୁ ସତ ବୋଲି ଭାବିନେଇଥିଲା । ସ୍କୁଲ ଡ୍ରାମାରେ ନାୟିକା ହୋଇଥିଲା ସେ ଝିଅ । ନାୟକ ଭୂମିକାରେ ପ୍ରଭାକରର ସାଙ୍ଗ ଅଭୟ ଅଭିନୟ କରୁଥିଲା । ରିହଲସଲ୍‌ ଦିନଠୁଁ ଅଭିନୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଭୟ ସେ ଝିଅର ଅଭିନୟକୁ ସତ ବୋଲି ଧରିନେଇଥିଲା । ସେ ଅନୁମାନ କରିଥିଲା ଯେ ଦୁଇ ସପ୍ତାହ କାଳ ମିଳିମିଶି ଅଭିନୟ କରିବା, ଗପିବା ଓ ଘରକୁ ସାଙ୍ଗହୋଇ ଫେରିବା ବାଟରେ ଝିଅଟି ପ୍ରକୃତରେ ତାକୁ ଭଲପାଇ ବସିଥିଲା । ସେ ଏହି ଉପଲବ୍ଧିରେ ଏତେ ବିଭୋର ହୋଇଯାଇଥିଲା ଯେ ସେହି ଦିନଗୁଡ଼ିକରେ ସବୁବେଳେ ସେ ଝିଅର ପଛେ ପଛେ ଛାଇ ପରି ଲାଗି ରହୁଥିଲା । ପ୍ରଭାକର ଓ ଅନ୍ୟ ସାଙ୍ଗମାନଙ୍କୁ ଅଭୟ ଏକପ୍ରକାର ଆଡ଼େଇଦେଲା ପରି ଚଳୁଥିଲା ଓ କେବେ କୌଣସି କଥାରେ ତାକୁ ପାଖକୁ ଡାକିଲେ ତହିଁରେ ତାର ସମୟ ନଷ୍ଟ ହୋଇଯାଉଛି ଭଳି ଗୋଟେ ଧାରଣା ସାଙ୍ଗମାନଙ୍କୁ ଦେଉଥିଲା ।

ଶେଷକୁ ପ୍ରକୃତରେ ଅଭୟର ସମୟ, ଶ୍ରମ ଓ ଅର୍ଥ ହିଁ ନଷ୍ଟ ହୋଇଥିଲା । ପ୍ରଭାକର ଚେଷ୍ଟା କରି ବି ଏବେ ନାଁ ମନେ ପକେଇପାରୁ ନ ଥିବା ସେ ଝିଅଟି ଅଭିନୟ ପରଦିନଠୁଁ ଅଭୟ ସାଙ୍ଗେ ଏଭଳି ବ୍ୟବହାର କରିଥିଲା ଯେ ସତେ କି ସେ ଅଭୟକୁ ଚିହ୍ନେ ନାହିଁ କି ଜାଣେ ନାହିଁ । ପନ୍ଦର ଦିନ ପୂର୍ବର ଜୀବନ ଓ ପନ୍ଦର ଦିନ ପରର ଜୀବନ ଭିତରେ ଥିବା ପାର୍ଥକ୍ୟ ଦେଖି ଅଭୟ ଝୁରି ହେଉଥିଲା ଓ ସେହିପରି ଝୁରିବା ଭିତରେ ସେ ଗାଁକୁ ପଳେଇଯାଇଥିଲା ।

କିନ୍ତୁ ପ୍ରଭାକର ଏଭଳି ହେବା ପାଇଁ ଦେବ ନାହିଁ । ସେ ଅଭୟ ପରି ମାଇଚିଆ ନୁହେଁ । ସେ ପୋଲିସ୍‌ ସବ୍‌ଇନିସ୍‌ପେକ୍ଟର । ତାକୁ ବଡ଼ ବଡ଼ ଅପରାଧୀମାନେ ଭୟ କରନ୍ତି । ତାର ନାଲିଆଖି ଆଗରେ ସେମାନେ ସ୍ଥିର ହୋଇ ଛିଡ଼ା ହୋଇ ପାରନ୍ତି ନାହିଁ । ସେ ତନୁଜାକୁ ଶାସ୍ତି ଦେବ । ତା ପ୍ରେମିକକୁ ଧରିଆଣି ହାଜତରେ ଠୁଙ୍କି ଦେବ ।

ପ୍ରଭାକରର ସେଦିନ ରାତି ଡ୍ୟୁଟି ଥିଲା । କିନ୍ତୁ ତାର ଥାନାକୁ ଯିବା ପାଇଁ ଆଗ୍ରହ ହେଉ ନ ଥିଲା । ଚାକିରି ବାକିରି କରି ଲାଭ କଣ–ଏମିତି ଏକ ହତାଶା ଭାବ ତା ମୁଣ୍ଡରେ ଖେଳିବୁଲିବାକୁ ଆରମ୍ଭ କରିଥିଲା । ତନୁଜାର ଡାଏରୀରେ ତା ସମ୍ପର୍କରେ ଲେଖାଯାଇଥିବା ଅଭିଯୋଗ ଫର୍ଦ୍ଦଗୁଡ଼ିକ ଥାନା ଫାଇଲ୍‌ର ଏଫ.ଆଇ.ଆର୍‌. ବିଡ଼ା ପରି ତାକୁ ଚିନ୍ତିତ କରିଦେଉଥିଲା । ସେ ସ୍ୱୀକାର କରୁଥିଲା ଯେ ତାକୁ ନେଇ ତନୁଜାର ଅଭିଯୋଗରେ କିଛି କିଛି ସତ ରହିଛି । ହୁଏତ ସେ ତନୁଜା ପାଇଁ ଯେତିକି ସମୟ ଦେବା କଥା ସେତିକି ଦେଇପାରିନାହିଁ । ତାର ରୁଚି, ଆଗ୍ରହ ଓ ଦୁର୍ବଳତା ସମ୍ବନ୍ଧରେ ତାକୁ କେବେ ପଚାରିବାର ଅବକାଶ ପାଇନାହିଁ । କିନ୍ତୁ ସେ ନ ପଚାରିଲେ ମଧ୍ୟ ତନୁଜା ତ ତା ଆଡ଼ୁ ସେସବୁ କହିପାରିଥାଆନ୍ତା । ମୁହଁରେ ନ କହି କାଗଜ କଲମରେ ସେସବୁ ଲେଖିଦେବା ପଛରେ କି ପ୍ରକାର ମନୋଭାବ ଥାଇପାରେ ? ସ୍ୱାମୀର ଏଇ ଛୋଟ ଛୋଟ ଦୋଷ ଦୁର୍ବଳତା କଣ ତନୁଜାର ପରକୀୟା ପ୍ରେମ ପାଇଁ ଯଥେଷ୍ଟ ଯୁକ୍ତି ?

 

ସେ ଆଉଥରେ ରୋଷେଇ ଘରକୁ ଗଲା ଓ ଫ୍ରିଜ୍‌ରୁ ପାଣି ବୋତଲ କାଢ଼ି ଢକ୍‌ ଢକ୍‌ କରି ପିଇଲା । ଏଥର ରୋଷେଇଘରର କବାଟ ବନ୍ଦ କରି ଆଣିଲା ଓ ପୋଷାକ ପିନ୍ଧି ଥାନାଆଡ଼େ ଘେରାଏ ଘୂରି ଆସିବା ପାଇଁ ସ୍ଥିର କଲା । ଘରେ ଫୋନ୍‌ଟିଏ ଥିଲେ ତାକୁ ରାତିରେ ଯିବାକୁ ପଡ଼ି ନ ଥାନ୍ତା । କିନ୍ତୁ ସେତକ ସୁବିଧା ତାର ନ ଥିଲା ।

 

ଘର ଥାନାଟି ବେଶି ଦୂର ନ ଥିଲେ ବି ଆଜି ତାକୁ ବାଟ ଖୁବ୍‌ ଲମ୍ବା ଓ ଶୂନ୍‌ଶାନ୍‌ ଲାଗୁଥିଲା । ତା ଦେହ ହାତ ଝାଳରେ କଣ୍ଟିଯାଉଥିଲା ଓ ସେ ଚେଷ୍ଟା କରି ମଧ୍ୟ ତନୁଜାର ବିଶ୍ୱାସଘାତକତାକୁ ଭୁଲିପାରୁ ନ ଥିଲା ।

 

ଥାନାରେ ପହଞ୍ଚି ସେ ଛୁଟି ଦରଖାସ୍ତଟେ ଲେଖିଲା । କନେଷ୍ଟବଳ ପ୍ରହଲ୍ଲାଦ କଣ କହିବ ବୋଲି ପାଟି ଖୋଲୁଥିଲା, ମାତ୍ର ପ୍ରଭାକର ‘ସାର୍‌ଙ୍କୁ ଦେଇଦେବୁ’ କହି ଦରଖାସ୍ତଟି ତାକୁ ବଢ଼େଇଦେଲା ଓ ସେଠୁ ପଳେଇ ଆସିଲା ।

 

ପ୍ରଭାକର ସକାଳେ ଭାବିଥିଲା, ଆଜି ନିଜେ ସେ ରୋଷେଇ କରିବ, ମାତ୍ର ଏବେ ତାର ରୋଷେଇବାସ କରିବାକୁ ଆଦୌ ଇଚ୍ଛା ନ ଥିଲା । ସେ ଥାନା ପାଖ ଚା ଦୋକାନରୁ ପାଉଁରୁଟିଟିଏ ଧରି ଫେରି ଆସିଲା ।

 

ଏବେ ତାର ଏଭଳି କେସ୍‌ଗୁଡ଼ିକ କଥା ମନେପଡ଼ୁଥିଲା, ଯୋଉ କେସ୍‌ରେ ସ୍ତ୍ରୀମାନେ ସ୍ୱାମୀଙ୍କ ବିରୋଧରେ ଏତଲା ଦାୟର କରିଥିଲେ । ସେ ମନେ ମନେ ହସିଲା ଓ ସ୍ତ୍ରୀମାନେ ହିଁ ଅସଲ ଅପରାଧୀ ବୋଲି ମନକୁ ମନ ସିଦ୍ଧାନ୍ତରେ ପହଞ୍ଚିଗଲା । ସେ ତନୁଜାର ସାହସ କଥା ଚିନ୍ତା କରି ଆଶ୍ଚର୍ଯ୍ୟ ହେଲା ଓ ଏପରି ଭୟଙ୍କର କଥା ସବୁ ଲେଖିଥିବା ସତ୍ତ୍ୱେ ଆଲମାରିରେ ଚାବି ନ ପକେଇ ମୁକୁଳା ଛାଡ଼ିଯିବାର ଦୁଃସାହସକୁ ତାରିଫ କଲା ।

 

ପ୍ରଭାକର ଆଉଥରେ ଡାଏରୀଗୁଡ଼ିକୁ ଭିଡ଼ିଆଣି ପଢ଼ି ବସିଲା । ସବୁ ପୃଷ୍ଠାରେ ତନୁଜା ତାକୁ ତା ପ୍ରେମିକ ସାଙ୍ଗରେ ତୁଳନା କରିଥିଲା ଓ ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକରେ ତା ପ୍ରେମିକ ପ୍ରଭାକର ପରି, ପ୍ରଭାକର ଅପେକ୍ଷା ଅବା ପ୍ରଭାକରଠାରୁ ଭଲ ବା ଖରାପ ବ୍ୟବହାର କରିଥାଆନ୍ତା ଭଳି ମନ୍ତବ୍ୟ ଦେଇଥିଲା । ତନୁଜା ଏଇ ପ୍ରେମିକ ସାଙ୍ଗରେ ବାହାଘର ପୂର୍ବରୁ ସମ୍ପର୍କ ନା ବାହାଘର ପରେ ସମ୍ପର୍କ ଯୋଡ଼ିଥିଲା ସେ ନେଇ ପ୍ରଭାକର ଚିନ୍ତା କରିବାକୁ ଲାଗିଲା । ତନୁଜାକୁ ଜାଣିଥିବା ସବୁ ପୁଅମାନଙ୍କ କଥା ସେ ମନେ ପକେଇଲା ଓ କୌଣସି ଜଣକ ସାଙ୍ଗେ ତନୁଜାର ଘନିଷ୍ଠତା ଥିବା କଥା ଶେଷ ପର୍ଯ୍ୟନ୍ତ ସେ ସ୍ଥିର କରିପାରୁ ନ ଥିଲା ।

 

ସେ ଝରକା ଦେଇ ବାହାରକୁ ଚାହିଁଲା । ଆକାଶରେ ଶୁଖିଲା ବଉଦଗୁଡ଼ିକ ଜହ୍ନକୁ ଡେଇଁ ଦୂରକୁ ଭାସିଯାଉଥିଲେ । ଶ୍ରାବଣ ପୂର୍ଣ୍ଣମୀ ଆଉ ଅଳ୍ପ ଦିନ ବାକି ଥିଲେ ବି ଅସମ୍ଭବ ଗରମ ଓ ଗୁଳୁଗୁଳି ଯୋଗୁ ତାକୁ ମାସଟା ବୈଶାଖ କି ଜ୍ୟେଷ୍ଠ ପରି ମନେ ହେଉଥିଲା । ତାର ଆଉଥରେ ତନୁଜା କଥା ମନେ ପଡ଼ିଲା ଓ ଏଇନେ ସେ କଣ କରୁଥିବ ଭାବି ପ୍ରଭାକର ବ୍ୟସ୍ତ ହୋଇପଡ଼ିଲା । ସେ ଭାବିଲା ଯେ ତନୁଜାର ସେଇ ପ୍ରେମିକଟି ଯଦି ରାଉରକେଲାରେ ରହୁଥିବ ତାହାହେଲେ ତନୁଜା ନିଶ୍ଚୟ ଆଜି ତା ପାଖକୁ ଯାଇଥିବ । ଏକଥା ମନକୁ ଆସିବାକ୍ଷଣି ସେ ସେଇପରି ପୋଷାକରେ ଟେଲିଫୋନ୍‌ ବୁଥ୍‌ ମୁହାଁ ଚାଲିଲା ଓ ତନୁଜାର ଘରକୁ ଟେଲିଫୋନ୍‌ ଲଗେଇବା ପାଇଁ ବୁଥ୍‌ର ପିଲାଟାକୁ ନମ୍ବର ଦେଲା ।

 

ଟେଲିଫୋନ୍‌ ବୁଥ୍‌ ପାଖରେ ଚିହ୍ନା ଲୋକମାନେ ପଇଁତରା ମାରୁଥିଲେ । ପ୍ରଭାକର ଯଥାସମ୍ଭବ ସ୍ୱାଭାବିକ ଦିଶିବାକୁ ଚେଷ୍ଟା କଲା ଓ ଟେଲିଫୋନ୍‌ ଲାଗିଲା କି ନାହିଁ ଜାଣିବାକୁ ପିଲାଟାକୁ ପଚାରିଲା ।

 

ପିଲାଟି ପ୍ରଭାକର ପାଇଁ ବଡ଼ ବ୍ୟସ୍ତ ହେଉଥିଲା । ମାତ୍ର ଟେଲିଫୋନ୍‌ ଲାଗୁ ନ ଥିଲା । ଫୋନ୍‌ଟା ହୁଏତ ଖରାପ ଅଛି ନ ହେଲେ ଘରେ କେହି ନାହାନ୍ତି–ସେ ପ୍ରଭାକରକୁ କହିଲା । ପ୍ରଭାକର କିଛି ସମୟ ନିଜେ ଚେଷ୍ଟା କରି ପୁଣି ତା ଘରକୁ ଫେରି ଆସିଲା ।

 

ଏବେ ତାକୁ ବହୁତ କ୍ଳାନ୍ତ ଲାଗୁଥିଲା । ସେ ଦେହରୁ ପୋଷାକପତ୍ର ବାହାର କରି ଫିଙ୍ଗିଦେଲା ଓ ଖଟ ଉପରେ ଚିତ୍‌ ହୋଇ ଶୋଇ ଗୋଟିଏ ଅପରାଧ ଉପନ୍ୟାସ ପଢ଼ିବା ପରି ଡାଏରୀଗୁଡ଼ିକୁ ପଢ଼ିବାକୁ ଲାଗିଲା ।

 

କେତେ ରାତିରେ ପ୍ରଭାକରର ନିଦ ଭାଙ୍ଗିଲା ସେ ଜାଣି ପାରୁ ନ ଥିଲା । ଡାଏରୀଗୁଡ଼ାକ ପଢ଼ୁ ପଢ଼ୁ ସେ ନାନା ପ୍ରକାର ଦୁଶ୍ଚିନ୍ତାରେ ବୁଡ଼ିଯାଇଥିଲା ଓ ତା ଭିତରେ କେତେବେଳେ ପାଉଁରୁଟିଟା ଚୋବେଇ ଓ ଡ୍ରୟାରରୁ ବଟିକାଟେ ଖାଇ ଶୋଇପଡ଼ିଥିଲା ସେକଥା ତାର ମନେ ନ ଥିଲା । ବଟିକାଟି ଖାଇଥିବାରୁ ତାକୁ ଅସ୍ୱସ୍ତି ଲାଗୁଥିଲା । ତାର ମୁଣ୍ଡ ଓଜନିଆ ଓ ଆଖିପତା ଦରଜ ଲାଗୁଥିଲା । ସେ ବାହାରକୁ ଆସି ଦେଖିଲା ଯେ ରାତି ପାହିବାକୁ ବସିଲାଣି । ସେ ଲାଇଟ୍‌ ଜଳେଇ ଏଥର ହଳଦିଆ ଡାଏରୀଟିର ଏକଦମ୍‌ ମୂଳରୁ ପଢ଼ିବାକୁ ବସିପଡ଼ିଲା ।

 

ହଠାତ୍‌ ତାର ମୁଣ୍ଡ କଣ ହୋଇଗଲା ।

 

ସେ ନିଜର ଆଖିଯୋଡ଼ିକୁ ଆଉଥରେ ମଳିଦେଲା ଓ ଡାଏରୀଟିକୁ ଆଖି ପାଖକୁ ନେଇ ପଢ଼ିବସିଲା । ଏହା ପୂର୍ବରୁ ସେ ଡାଏରୀଟିକୁ ଥରେ ପଢ଼ିଥିଲେ ସୁଦ୍ଧା ଡାଏରୀର ମଲାଟ ସାଙ୍ଗେ ଯୋଡ଼ା ହୋଇଥିବା ବାମ ପାଖ ପ୍ରଥମ ପୃଷ୍ଠାଟିକୁ ଧ୍ୟାନ ଦେଇ ନ ଥିଲା । ଏଥର ସେ ସେହି ପ୍ରଥମ ପୃଷ୍ଠାଟିକୁ ପଢ଼ୁଥିଲା ।

 

ତନୁଜାର ହସ୍ତାକ୍ଷରରେ ଲେଖାଥିଲା–

 

ସବୁ ଝିଅ ବଡ଼ ହେବା ଦିନଠୁଁ ନିଜର ସ୍ୱାମୀକୁ ନେଇ ଗୋଟେ ଗୋଟେ କଳ୍ପନା କରିଥାଆନ୍ତି । ସେହି କଳ୍ପନା ଭିତରେ ପୃଥିବୀର ସବୁ ଭଲ ସ୍ୱାମୀଙ୍କର ଭଲ ଗୁଣ ମିଶି ଗୋଟେ କୋଲାଜ୍‌ ହୋଇ ରହିଥାଏ । ତାପରେ ତାଙ୍କର ବାହାଘର ହୁଏ । ନିଜ ସ୍ୱାମୀର ଚେହେରାକୁ କଳ୍ପନାର କୋଲାଜ୍‌ରୁ ପିଲାଏ କଟ୍‌-ଆଉଟ୍‌ ବାହାର କଲାପରି ସେମାନେ ବାହାର କରି ଦେଖନ୍ତି । କଳ୍ପନାର କୋଲାଜ୍‌ରେ ଆହୁରି କେତେ ଚିତ୍ର ତଥାପି ରହିଯାଇଥାଏ । ଜୀବନର ଅର୍ଥ ବୋଧହୁଏ ଏଇଆ । କଳ୍ପନା ବିଯୁକ୍ତ ବାସ୍ତବ ହିଁ ସ୍ୱପ୍ନ । କଳ୍ପନା ବିଯୁକ୍ତ ସ୍ୱପ୍ନ ହିଁ ବାସ୍ତବ । ମୁଁ ବି ଦିନେ କେତେ କେତେ କଥା କଳ୍ପନା କରିଥିଲି । ମୋର ସେଇ କଳ୍ପନାର ବରଟି ‘ତୁମେ’, ସତ ହେଉଛନ୍ତି ଇଏ ପ୍ରଭାକର । ଇଏ ଯେତେବେଳେ ମୋ ଉପରେ ରାଗନ୍ତି ମୁଁ ମୋ କଳ୍ପନାର ‘ତୁମ’ ପାଖରେ ନାଲିସ୍‌ କରେ । ସ୍ୱପ୍ନ ଦେଖେ, ଦିନେ ନା ଦିନେ ଇଏ ବି ‘ତୁମ’ ସାଙ୍ଗରେ ମିଶିଯିବେ ।

 

ପ୍ରଭାକର ପାଗଳ ପରି ଖଟ ଉପରେ ଖେଳେଇ ହୋଇ ପଡ଼ିଥିବା ଅନ୍ୟ ଡାଏରୀଗୁଡ଼ାକୁ ଭିଡ଼ି ଆଣିଲା । ସେଗୁଡ଼ିକର ପ୍ରଥମ ପୃଷ୍ଠା ମଳିଛିଆ ହୋଇ ରେକ୍‌ଜିନ କଭର ସାଙ୍ଗରେ ଲାଖିଯାଇଥିଲା । ସେ ଯତ୍ନର ସହିତ ସେ ପୃଷ୍ଠାଗୁଡ଼ିକୁ ଅଲଗା କରି ପଢ଼ିଲା । ସବୁ ଡାଏରୀର ପ୍ରଥମ ପୃଷ୍ଠାରେ ତନୁଜା ଏକାକଥା ହିଁ ଲେଖିଥିଲା । ଏଥର ସେ ଡାଏରୀଗୁଡ଼ାକୁ ବନ୍ଦ କରିଦେଇ ଖଟ ଉପରୁ ଉଠିପଡ଼ିଲା । ଧାଇଁଯାଇ ତାର ଓ ତନୁଜାର ଫଟୋ ଥିବା ଷ୍ଟାଣ୍ଡ୍‌ଟିକୁ ଉଠେଇ ଆଣିଲା । ଗତକାଲି ସନ୍ଧ୍ୟାରେ ସେ ଷ୍ଟାଣ୍ଡ୍‌ଫ୍ରେମ୍‌ରୁ ତନୁଜାର ଫଟୋଟିକୁ ବାହାର କରି ଚିରିଦେଇଥିଲା । ପାଗଳ ପ୍ରାୟ ପ୍ରଭାକର ଫ୍ରେମ୍‌ଟିକୁ ଉଠେଇ ତନୁଜାର ଫଟୋ ନ ଥିବା ଖାଲି ଜାଗାଟିକୁ ଗେଲ କରିପକେଇଲା ଓ ଆଉଁଶି ଦେଲା । ତା ମୁହଁରେ କେବେ ବି କିଛି ଜବାବ ଦେଉ ନଥିବା ତାର ଡରକୁଳା ସ୍ତ୍ରୀଟି କଥା ଭାବି ସେ କିଶୋରଟିଏ ପାଲଟି ଯାଉଥିଲା ।

 

ଦୁଆର ପାଖରେ କେହି ଜଣେ କଲିଂବେଲ୍‌ ଟିପୁଥିଲା । ପ୍ରଭାକର ତରବରରେ ଫଟୋଷ୍ଟାଣ୍ଡ୍‌ଟିକୁ ଲୁଚେଇ ଦେଇ ଦୁଆର ଖୋଲିବା ପାଇଁ ବାହାରିଗଲା ।

 

ଦୁଆର ସେପଟେ ଆଟାଚିଟି ଧରି ତନୁଜା ଛିଡ଼ା ହୋଇଥିଲା । ସେ ତନୁଜାକୁ ଦେଖୁ ଦେଖୁ ଭୟ ଓ ଲଜ୍ଜାରେ ସାଙ୍କୁଡ଼ିଗଲା ଓ ଛେପ ଢୋକି ଅପରାଧୀଟେ ପରି ପଚାରିଲା, “ଏତେ ଶୀଘ୍ର ଫେରିଆସିଲ ଯେ !”

 

: ବାପାଙ୍କ ଦେହ ଟିକିଏ ଭଲ ହେଲାଣି । ଏଠି ତୁମେ ଏକୁଟିଆ ହଇରାଣ ହେଉଥିବ ଭାବି ବୋଉ ପଠେଇଦେଲା । ଆମ ଘରର ଫୋନ୍‌ ଖରାପ, ନ ହେଲେ ତମକୁ ଥାନା ଫୋନ୍‌ରେ ଖବର ଦେଇଥାଆନ୍ତି ।

 

ପ୍ରଭାକର ତନୁଜାକୁ ଘର ଭିତରକୁ ପାଛୋଟି ଆଣିଲା । ଖଟ ଉପରେ ଡାଏରୀଗୁଡ଼ାକ ଇତସ୍ତତଃ ପଡ଼ିଥିଲେ । ‘ଏ ସବୁ କଣ’ କହି ତନୁଜା ପ୍ରଭାକରକୁ ଚାହିଁଲା ବେଳକୁ ପ୍ରଭାକର ସାନ ପିଲାଟି ପରି ବିଛଣାରେ ମୁହଁ ପୋତି ଦେଇଥିଲା ।

 

ତନୁଜାକୁ ବୁଝିବା ପାଇଁ ଆଉ କିଛି ବାକି ନ ଥିଲା । ସେ ଲାଜମିଶା ହସ ହସି ପ୍ରଭାକର ପାଖକୁ ଗଲା ଓ ତା କାନ୍ଧରେ ମୁଣ୍ଡ ଲଦିଦେଲା । ଏହା ପୂର୍ବରୁ ଆଉ କେବେ ସେ ଏମିତି ନିର୍ଭୟର ହସ ହସି ନ ଥିଲା ।

☆☆☆

 

ପୂର୍ଣ୍ଣିମାର ପ୍ରତିଶ୍ରୁତି

 

କପିଳବାସ୍ତୁର କୋଳକୁ ଆସୁଛନ୍ତି ରାଜପୁତ୍ର ସିଦ୍ଧାର୍ଥ । ଆସୁଛନ୍ତି ଗୌତମବୁଦ୍ଧ ତାଙ୍କ ଚରଣ ସ୍ପର୍ଶରେ ଧନ୍ୟ କରିଦେବା ପାଇଁ ନିଜର ମାତୃଭୂମି । ରାଜପଥରୁ ଜନପଥ ଓ ଜନପଥରୁ ପଲ୍ଲୀକୁଟୀର ହୋଇ ଏ ସମ୍ବାଦ ପ୍ରଚାରିତ ହୋଇଯାଇଛି ରାଜ୍ୟସାରା । ଅନନୁଭୂତ ଉତ୍ତେଜନାରେ ଥରି ଉଠୁଛି କପିଳବାସ୍ତୁର ଚଉହଦି, ଅଶ୍ରୁତପୂର୍ବ କୋଳାହଳରେ ପୂରି ଉଠୁଛି ତାର ସୀମା-ସୀମାନ୍ତ-

 

କପିଳବାସ୍ତୁକୁ ଆସୁଛନ୍ତି ତଥାଗତ ବୁଦ୍ଧ ।

 

ବର୍ଷ ବର୍ଷର ଉତ୍ପୀଡ଼କ ପ୍ରତୀକ୍ଷା, ବହୁ ଅସ୍ୱସ୍ତିକର ପ୍ରଶ୍ନବାଚୀ, ବିବ୍ରତ ଆଶା-ଆଶଙ୍କା ଓ ନିଷ୍କରୁଣ ଅନୁଭବର ଅବସାନ ଘଟେଇ ଆସୁଛନ୍ତି ପରମ କାରୁଣିକ ତଥାଗତ ବୁଦ୍ଧ । ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଗ୍ରାମେ ଗ୍ରାମେ, କୁଟୀରେ କୁଟୀରେ ଭବ୍ୟ ପ୍ରସ୍ତୁତି । ରାଜଧାନୀ ନଗରର ଗୃହ ସମ୍ମୁଖରେ ପୂର୍ଣ୍ଣ ଜଳଘଟ, ରାଜପଥରେ ଚମତ୍କାର ତୋରଣ ଓ ଉତ୍ସୁକ ଦର୍ଶନାର୍ଥୀମାନଙ୍କ ହାତରେ ସୁରଭିତ ପୁଷ୍ପମାଲ୍ୟ । ନାଗରିକମାନଙ୍କ ନୟନ ଉପକୂଳରେ କୌତୂହଳର କୋଳାହଳ, ପାଦରେ ଗୋବତ୍ସାର ଅଥୟ ଚଞ୍ଚଳତା, ମନ ଭିତରେ ପ୍ରଜାପତିର ଅସ୍ଥିରତା । କେବେ ଆସି ପହଞ୍ଚିବେ ରାଜପୁତ୍ର ! କିପରି ଦିଶୁଥିବେ ତଥାଗତ ବୁଦ୍ଧ ! ସେ କଣ ତାଙ୍କର ପିତାମାତାଙ୍କ ପାଖକୁ ସୁଦ୍ଧା ଭିକ୍ଷା ପ୍ରାର୍ଥନା ପାଇଁ ଯିବେ !

 

କପିଳବାସ୍ତୁର ଘଟଣାହୀନ ସାଧାରଣ ଜୀବନର ଇତିହାସ ନୂଆ ଅଧ୍ୟାୟକୁ ଅପେକ୍ଷା କରୁଥିଲା । ସେଥିପାଇଁ ଗୃହ ଅଙ୍ଗନମାନଙ୍କରୁ ବିଦାୟ ନେଇଥିଲା କ୍ରାନ୍ତି ଓ ସ୍ଥବିରତା । ବିଦାୟ ନେଇଥିଲା ଉଦାସୀନ ପରାଙ୍‌ମୁଖତା । ସବୁଠି କେବଳ ଆନନ୍ଦର ମହୋତ୍ସବ, ଶ୍ରଦ୍ଧାର ମହାପାର୍ବଣ-

 

ରାଜପ୍ରାସାଦ ସନ୍ନିକଟ ଆମ୍ରକୁଞ୍ଜରେ ମଧୁମକ୍ଷିକାମାନଙ୍କର ଗୁଞ୍ଜନ ଓ ପକ୍ଷୀମାନଙ୍କର କାକଳି ମିଶି ଅସ୍ଥିରତାକୁ ଆଉରି ସାନ୍ଦ୍ର କରୁଥିଲା । ଅତିଥି-ଅପେକ୍ଷମାଣ ଗୃହସ୍ୱାମୀ ପରି ପ୍ରଜାପତିମାନେ ସେମାନଙ୍କର ବଗିଚା-ଘରର ଭିତର ବାହାର ହେଉଥିଲେ । ପ୍ରମୋଦ ଉଦ୍ୟାନର ପୁଷ୍ପଗୁଡ଼ିକ ଧୀର ସମୀରଣରେ ଦୋହଲି ଦୋହଲି ତଥାଗତଙ୍କୁ ଅପେକ୍ଷା କରୁଥିଲେ । ମୃଦୁ ମଳୟ ଆଲଟଚାମର ଧରି ଅବା ସେଗୁଡ଼ିକ ସକାଳ ପହରୁ ଅତିଥିଙ୍କ ସେବା ନିମନ୍ତେ ଅପେକ୍ଷାରେ ରହିଥିଲା ।

 

ଅପେକ୍ଷା କରୁଥିଲେ କପିଳବାସ୍ତୁର ରାଜା ଶୁଦ୍ଧୋଦନ ଗୌତମ ବୁଦ୍ଧଙ୍କ ଆଗମନକୁ । ଅପେକ୍ଷା କରୁଥିଲେ ପିତା ଶୁଦ୍ଧୋଦନ ପ୍ରିୟପୁତ୍ର ସିଦ୍ଧାର୍ଥଙ୍କୁ । ବର୍ଷ ବର୍ଷର ଶୂନ୍ୟତା ଆଜି ପୂର୍ଣ୍ଣତାର କୋଳରେ ବିଲୀନ ହୋଇଯିବ । ବର୍ଷ ବର୍ଷ ଧରି ଝରି ଆସୁଥିବା ଲୁହର ନଈ ଆଜି ଉଦର ମୁହାଣରେ ବିସର୍ଜନ ଲୋଡ଼ିବ । ଦୀର୍ଘଶ୍ୱାସର ଉତ୍ତପ୍ତ ଝାଞ୍ଜି ଶୀତଳିଯିବ ମିଳନର ଉଦାର ବାରିପାତରେ । ଶାନ୍ତସ୍ନିଗ୍ଧ ଚନ୍ଦ୍ରକିରଣରେ ତିରୋହିତ ହେବ ସ୍ନାନିର ଘନ କୃଷିମା ।

 

ଅତିଥିଙ୍କ ଆଗମନ ନିମନ୍ତେ ସୁସଜ୍ଜିତ କପିଳବାସ୍ତୁର ରାଜପ୍ରାସାଦ ଦିଶୁଛି ବ୍ରୀଡ଼ାବତୀ ନବବଧୂ ପରି । ସବୁଠି ରୂପ ଓ ସୁଷମାର ମହାରାସ । ଅଳିନ୍ଦ ନିଳୟରେ ପୁଷ୍ଟିଚନ୍ଦନର ବାସ୍ନା । ଚମ୍ପକ, ରଜନୀଗନ୍ଧା ଓ ଅଶୋକ ସ୍ତବକର ମାଳାମାନ କେଶବତୀର ଦୀର୍ଘ କୁନ୍ତଳ ପରି ଠାଏ ଠାଏ ଝୁଲି ରହିଛି । ନାନା ରଙ୍ଗରେ ଚିତ୍ରିତ ରାଜପ୍ରାସାଦର ପ୍ରାଚୀରମାନଙ୍କରେ ଇନ୍ଦ୍ରଧନୁର ଭ୍ରମ । ପରିଚ୍ଛନ୍ନ ପ୍ରାଚୀରର ଗମ୍ବୁଜମାନଙ୍କରେ ସମର୍ଜନାର ସୁଦୃଶ୍ୟ କେତନ । ସବୁଠି ଉତ୍ସବର ମହୋଲ୍ଲାସ, ଆଲୋକ ଓ ସୁଷମାର ଉତ୍ସବ ।

 

ବ୍ୟାଧି ଓ ବାଦ୍ଧର ବାରଣ ସତ୍ତ୍ୱେ ନିଜେ ରାଜା ଶୁଦ୍ଧୋଦନ ପ୍ରତ୍ୟୁଷରୁ ଅମାତ୍ୟଙ୍କ ମେଳରେ ଘୂରି ଘୂରି ସମ୍ବର୍ଦ୍ଧନା ଉତ୍ସବର ତଦାରଖ କରୁଛନ୍ତି । ସାମାନ୍ୟ ଓ ସାଧାରଣ ତ୍ରୁଟି ମଧ୍ୟ ତାଙ୍କର ଅନୁସନ୍ଧାନୀ ଦୃଷ୍ଟିରୁ ବାଦ୍‌ ଯାଉନାହିଁ । ତଥାଗତ ବୁଦ୍ଧ ଓ ତାଙ୍କ ଶିଷ୍ୟମାନଙ୍କ ବିଶ୍ରାମ, ଭୋଜନ ଏବଂ ଶାସ୍ତ୍ରଚର୍ଚ୍ଚା ପାଇଁ ସମସ୍ତ ଆୟୋଜନ ସମ୍ପୂର୍ଣ୍ଣ ହୋଇଛି । ଛାୟାଚ୍ଛନ୍ନ ପୁଷ୍ପବାଟିକାରେ ଶିବିରମାନ ପ୍ରସ୍ତୁତ କରାଯାଇଛି । ଚାରିପଟେ ଉଚ୍ଚ ଓ ଗହଳ ବୃକ୍ଷମାନଙ୍କର ଘନ ପତ୍ରରାଜି ଭେଦ କରି ସୂର୍ଯ୍ୟକିରଣ ସେଠାରେ ପଡ଼େନାହିଁ । ଅଧିକନ୍ତୁ ଦକ୍ଷିଣ ମଳୟର ଶାନ୍ତସ୍ନିଗ୍ଧ ସ୍ପର୍ଶ ଆମ୍ରବୀଥିର ବିଶ୍ରାମକୁ ସ୍ମରଣୀୟ କରିଥାଏ ।

 

ସକଳ ବ୍ୟସ୍ତତା ଓ ଉଦ୍‌ବେଗ ଭିତରେ ସୁଦ୍ଧା ଅତୀତର ସ୍ମୃତି ବାରମ୍ବାର ରାଜା ଶୁଦେ୍ଧାଦନଙ୍କର ମନେ ପଡ଼ିଯାଉଛି । ବର୍ଷ ବର୍ଷ ଧରି ଗ୍ଳାନିକର ନିଃସଙ୍ଗତାକୁ ସାଙ୍ଗରେ ଧରି ଚାଲିବାର ଅସହାୟତା ଆଖି ଯୋଡ଼ିକୁ ଓଦା କରି ଦେଉଛି । ମନେପଡ଼ୁଛି ମହାମାୟାଙ୍କର ସ୍ୱପ୍ନ, ଗୌତମଙ୍କର ଜନ୍ମ ଓ ସନ୍ନ୍ୟାସୀମାନଙ୍କର ଭବିଷ୍ୟତବାଣୀ ।

 

ଗୋଟି ଗୋଟି କରି ସବୁ ମନେପଡୁଛି । ମନର ଦରଆଉଜା ଦରଜାରେ ସ୍ମୃତିର ମୁହୁର୍ମୁହୁଃ କରାଘାତ ଶବ୍ଦ ସୃଷ୍ଟ ଶୁଣିପାରୁଛନ୍ତି ସେ ।

 

ଗୌତମଙ୍କର ଜନ୍ମ ପୂର୍ବରୁ ମହାମାୟା ସ୍ୱପ୍ନ ଦେଖିଥିଲେ । ତୁଷାର ପିଣ୍ଡୁଳା ପରି ଶୁଭ୍ର ହସ୍ତୀ ଶାବକଟିଏ ତାଙ୍କ ଗର୍ଭାଶୟରେ ଆଶ୍ରୟ ଲୋଡ଼ୁଛି । ସେ ଏହାର ରହସ୍ୟ ଭେଦ କରିପାରି ନ ଥିବାରୁ ନିଦରୁ ଉଠିପଡ଼ି ସ୍ୱାମୀଙ୍କୁ ତାର ତାତ୍ପର୍ଯ୍ୟ ପଚାରି ବସିଥିଲେ । କିନ୍ତୁ ସ୍ୱପ୍ନ-ଉତ୍‌ଥିତା ପତ୍ନୀଙ୍କ ସ୍ୱପ୍ନର ରହସ୍ୟ ଭେଦ କରିବା ସ୍ୱୟଂ ମହାରାଜାଙ୍କ ପକ୍ଷରେ ମଧ୍ୟ ସମ୍ଭବ ନ ଥିଲା । ସେଥିପାଇଁ ପ୍ରଭାତ ନ ହେଉଣୁ ସେ ରାଜ୍ୟର ଶ୍ରେଷ୍ଠ ସନ୍ନ୍ୟାସୀ ଓ ଜ୍ୟୋତିଷମାନଙ୍କୁ ଡକାଇ ପଠାଇଥିଲେ ।

 

କିଏ କହିଥିଲେ ଅନାଗତ ଶିଶୁ ଦିନେ ରାଜ ଚକ୍ରବର୍ତ୍ତୀ ହେବ । କିଏ କହିଥିଲେ ସେ ହେବ ସମଗ୍ର ମଣିଷ ସମାଜର ତ୍ରାଣକର୍ତ୍ତା ।

 

ରାଜା ଶୁଦ୍ଧୋଦନ ଚମକି ପଡ଼ିଥିଲେ । ଆଜି ବି ସେହି ବୈଶାଖ ପୂର୍ଣ୍ଣମୀର କଥା ମନେଅଛି । ମହାରାଣୀଙ୍କ ଆଗ୍ରହ କ୍ରମେ ଶିଶୁ ସନ୍ତାନର ଜନ୍ମ ପୂର୍ବରୁ ସେଦିନ ସେ ଶ୍ୱଶୁରାଳୟ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ଲୁମ୍ବିନୀର ଉଦ୍ୟାନ ମଝିରେ ପ୍ରସବ ବେଦନା ଅନୁଭବ କରିଥିଲେ ମହାମାୟା । ତାଙ୍କର ନିର୍ଦ୍ଦେଶରେ ତତ୍‌କ୍ଷଣାତ୍‌ ଅସ୍ଥାୟୀ ପ୍ରସୂତିଭବନ ନିର୍ମାଣ କରାଯାଇଥିଲା ସେହି ଉଦ୍ୟାନରେ । ପୂର୍ଣ୍ଣିମାର ଚନ୍ଦ୍ରମା ଆକାଶରୁ ଜ୍ୟୋତ୍ସ୍ନାରାଶି ଢାଳି ଦେଇଥିଲା । ଲୁମ୍ବିନୀର ତରୁବରମାନେ ଜନନୀ ଓ ନବଜାତ ଶିଶୁର କ୍ରାନ୍ତି ଅପନୋଦନ ନିମନ୍ତେ ସମୀରଣ ବିତରଣ କରିଥିଲେ । ଏକ ଅନିର୍ବଚନୀୟ ଆନନ୍ଦରେ ତାଙ୍କର ସମଗ୍ର ଶରୀର ରୋମାଞ୍ଚିତ ହୋଇ ଉଠିଥିଲା । ନବଜାତ ଶିଶୁଟିର ମୁଖ ଦର୍ଶନ ମାତ୍ରେ ସେ ବିହ୍ୱଳ ହୋଇ ପଡ଼ିଥିଲେ ।

 

ମାତ୍ର ଶିଶୁଟିକୁ ଦେଖୁ ଦେଖୁ ଗୁରୁ ଅସିତାଙ୍କର ବିଚିତ୍ର ବ୍ୟବହାର ତାଙ୍କର ସବୁତକ ଆନନ୍ଦକୁ ତତ୍‌କ୍ଷଣାତ୍‌ ପୋଛି ନେଇଥିଲା । ଅନ୍ୟମାନେ ସମସ୍ତେ ଶିଶୁଟିକୁ ଆଶୀର୍ବାଦ କରି ଫେରି ଯାଇଥିଲେ ମଧ୍ୟ ଗୁରୁ ଅସିତା ସେଇଠି ଠିଆରହି କେତେବେଳେ ହସୁଥିଲେ ତ କେତେବେଳେ କାନ୍ଦୁଥିଲେ । ଉନ୍ମାଦସମ ତାଙ୍କର ବିଚିତ୍ର ବ୍ୟବହାରର ଆଦ୍ୟୋପ୍ରାନ୍ତ ବୁଝି ନ ପାରି ରାଜା ଯେତିକି ବ୍ୟସ୍ତ ହେଉଥିଲେ, ଏ ପ୍ରକାର ବ୍ୟବହାର ନେପଥ୍ୟରେ ନିଜର ଶିଶୁ ସନ୍ତାନର କୌଣସି ବିପଦ କାଳେ ଥିବ, ସେକଥା ଆଶଙ୍କା କରି ତତୋଽଧିକ ଚିନ୍ତିତ ହୋଇ ପଡ଼ିଥିଲେ ।

 

କିନ୍ତୁ ଗୁରୁ ଅସିତା କହିଥିଲେ, ମୋର ଏଇ ବିଚିତ୍ର ବ୍ୟବହାରକୁ ଭୁଲିଯାଆନ୍ତୁ ମହାରାଜ-। ଭୁଲିଯାଆନ୍ତୁ ଏହି ସାଧାରଣ ମଣିଷମାନଙ୍କର ଆଶା ଆଶଙ୍କା । କେବଳ ଏତିକି ମନେ ରଖନ୍ତୁ, ବୈଶାଖ ପୂର୍ଣ୍ଣିମାର ପବିତ୍ର ଲଗ୍ନରେ ଜନ୍ମ ନେଇଥିବା ଏହି ନବଜାତଟି କେବଳ ଏକ ସାଧାରଣ ଶିଶୁ ନୁହେଁ ! ସମଗ୍ର ବିଶ୍ୱର ଅନ୍ଧାର ଓ ସନ୍ତାପ ଦୂର କରିବା ନିମନ୍ତେ ନିଜେ ଅଖିଳପତି ଧରାବତରଣ କରିଛନ୍ତି । ଦିନେ ଏଇ ଶିଶୁ ହେବ ସମଗ୍ର ସମାଜର ବିଶ୍ୱଗୁରୁ । ତାହାର ସ୍ପଷ୍ଟ ଲକ୍ଷଣମାନ ମୁଁ ଶିଶୁର ଅଙ୍ଗପ୍ରତ୍ୟଙ୍ଗରେ ଦେଖିପାରୁଛି । ତାହା ହିଁ ମୋର ଆନନ୍ଦର କାରଣ-। ମାତ୍ର ମୁଁ ହତଭାଗ୍ୟ, ସେଇ ଐତିହାସିକ ଘଟଣା ସମୂହ ପ୍ରତ୍ୟକ୍ଷ କରିବା ପାଇଁ, ନିଜର ନୟନ ଭରି ସେ ଅଲୌକିକ ଦୃଶ୍ୟରାଜିର ଦର୍ଶନ ପାଇଁ ବଞ୍ଚି ରହିବି ନାହିଁ । କୁହନ୍ତୁ ମହାରାଜ, ଜୀବନର ଚରମ ଦିବ୍ୟ ଅନୁଭବରୁ ବଞ୍ଚିତ ହେବାର ଦୁଃଖ ବଳି ଆଉ କଣ ଅଧିକ ଦୁଃଖ କିଛି ଥାଇପାରେ ! ସେଇ ମୋର ଦୁଃଖ ।

 

ରାଜା ଶୁଦେ୍ଧାଦନ ବିସ୍ମିତ ଓ ଚମତ୍କୃତ ହୋଇଥିଲେ । କିନ୍ତୁ ସେଇ ମୁହୂର୍ତ୍ତରେ ତାଙ୍କ କୋଳରୁ ତାଙ୍କର ନବଜାତ ସନ୍ତାନ ଦୂରକୁ ଚାଲିଯିବାର ଆଶଙ୍କାଟିଏ ତାଙ୍କୁ ଆଚ୍ଛନ୍ନ କରିଥିଲା । ସେଥିପାଇଁ ସେ ବାହାରର ଦୁଃଖ, ଯନ୍ତ୍ରଣା, ଜଟିଳ ପୃଥିବୀ ଏବଂ ରାଜ ଅନ୍ତଃପୁରର ବିଳାସୀ ସ୍ୱପ୍ନମଖା ଭୂଗୋଳ ମଝିରେ ସୁନ୍ଦର ବ୍ୟବଧାନଟିଏ ନିର୍ମାଣ କରିଥିଲେ । ଗୌତମଙ୍କର ଜୀବନକୁ ଅଖଣ୍ଡ ବିଳାସ ଓ ଅନିର୍ବଚନୀୟ ସୁଖ ସମ୍ପଦରେ ଭରିଦେବା ନିମିତ୍ତ ସମସ୍ତ ପ୍ରକାର ବ୍ୟବସ୍ଥା ସେ ଗ୍ରହଣ କରିଥିଲେ । ପୂର୍ଣ୍ଣଯୌବନା ଧାତ୍ରୀ ଓ ରାଜନର୍ତ୍ତକୀଗଣ ତାଙ୍କୁ ଦିବାରାତ୍ର ପ୍ରହରା ଦେଉଥିଲେ-। ସଙ୍ଗୀତ ଓ ନୃତ୍ୟର ଛନ୍ଦ ପତନ ତାଙ୍କର ଅବସରକୁ ଗୀତିମୟ କରୁଥିଲା । ରାଜପ୍ରାସାଦ ଭିତରେ ନୀଳ, ଲୋହିତ ଓ ଶୁଭ୍ର ଶତଦଳ ନିମନ୍ତେ ଭିନ୍ନ ଭିନ୍ନ ପୁଷ୍କରିଣୀମାନ ନିର୍ମିତ ହୋଇଥିଲା, ଯାହାର ଉପକୂଳରେ ରାଜପୁତ୍ର ଦୀର୍ଘ ସମୟ ଅତିବାହିତ କରୁଥିଲେ । ମାତ୍ର ନୃତ୍ୟ, ସଙ୍ଗୀତ, ସୁଷମା ଓ ବିଳାସର ବଳୟ ଭେଦି ଦିନେ ଯେ ନିଷ୍କରୁଣ ବୈରାଗ୍ୟ ରାଜପ୍ରାସାଦ ଭିତରକୁ ପଶି ଆସିବ ଏବଂ ଗୌତମଙ୍କୁ ତାଙ୍କଠାରୁ ଦୂରକୁ ନେଇଯିବ ସେ କଥା ଶୁଦେ୍ଧାଦନ ଦିନକ ପାଇଁ ସୁଦ୍ଧା ଚିନ୍ତା କରିପାରି ନ ଥିଲେ ।

 

ରାଜା ଶୁଦ୍ଧୋଦନ ଅଦୃଶ୍ୟ ପତଙ୍ଗକୁ ଘଉଡ଼େଇବା ପରି ଦୁଶ୍ଚିନ୍ତାମାନଙ୍କୁ ଘଉଡ଼େଇ ଦେଲେ । ଥାଉ, ସେସବୁ ଚିନ୍ତା କରି ଆଜି ଆଉ ଲାଭ ନାହିଁ । ଯାହା ଯାଇଛି, ତାହା ଆଉ ଫେରିବ ନାହିଁ । ଶୀର୍ଣ୍ଣ ଶାଖାର ଜୀର୍ଣ୍ଣପତ୍ର ପରି ଯାହା ଝଡ଼ି ଉଡ଼ିଯାଇଛି ସେ ତ ଆଉ କୌଣସି ଦିନ ଫେରି ଆସିବ ନାହିଁ । ସେଥିପାଇଁ ଚିନ୍ତା କରି ଲାଭ କଣ !

 

ରାଜଅନ୍ତଃପୁରର ପରିଚାରିକା ଆସି ସମ୍ମୁଖରେ ଛିଡ଼ାହେଲା । ମୁଣ୍ଡ ନୁଆଁଇ ଅଭିବାଦନ କରିବା ଉତ୍ତାରୁ ସୂଚନା ଦେଲା, ‘‘ଶତ ଅନୁରୋଧ ସତ୍ତ୍ୱେ ଯୁବରାଣୀ ତାଙ୍କ କୋଠରିରୁ ଆସିବା ପାଇଁ ପ୍ରସ୍ତୁତ ନୁହନ୍ତି । ତଥାଗତଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ସେ ମହାରାଜ ଓ ମହାରାଣୀଙ୍କ ସହ ଯାଇ ପାରିବେ ନାହିଁ ।’’

 

ଅନ୍ୟ କୌଣସି ଦିନ ହୋଇଥିଲେ ରାଜା ଶୁଦ୍ଧୋଦନ ଏ ପ୍ରକାର ସୂଚନାରେ କ୍ରୋଧାନ୍ୱିତ ହୋଇଥାଆନ୍ତେ । ରାଜାଦେଶ ଅମାନ୍ୟ କରିବାର ଦୁଃସାହସକୁ କଠୋର ଦଣ୍ଡରେ ଦଣ୍ଡିତ କରିଥାଆନ୍ତେ । ମାତ୍ର ଆଜି ସେ ବିଚଳିତ ହେଲେ ନାହିଁ । ସତେ ଅବା ଏଭଳି ଏକ ପ୍ରତିକ୍ରିୟା ପାଇଁ ସେ ବହୁ ଆଗରୁ ପ୍ରସ୍ତୁତ ଥିଲେ ।

 

ଯୁବରାଣୀ ଯଶୋଧାରା । ଷୋଳ ବର୍ଷର ଲବଣୀ ପିତୁଳା ଯଶୋଧାରାକୁ ସେ ନିଜେ ରାଜବଧୂ ଭାବେ ଗ୍ରହଣ କରିବା ପୂର୍ବରୁ ସିଦ୍ଧାର୍ଥ ତାକୁ ପତ୍ନୀ ରୂପେ ବରଣ କରି ସାରିଥିଲେ । ଯଶୋଧାରାର ପାଣି ଗ୍ରହଣ ପାଇଁ ଆଶାୟୀ ବହୁ ସାମନ୍ତ ଓ ନବଯୁବକ ସେଦିନ ଗୌତମଙ୍କ ନିକଟରୁ ପରାଜୟ ସ୍ୱୀକାର କରିଥିଲେ । ବିବାହର ସର୍ତ୍ତ ସ୍ୱରୂପ ଆୟାଜିତ ଅସ୍ତ୍ର ପ୍ରତିଯୋଗିତାରେ ଅବତୀର୍ଣ୍ଣ ରାଜପୁତ୍ର ଗୌତମ ସମସ୍ତ ପ୍ରତିଯୋଗୀଙ୍କୁ ଭୂତଳଶାୟୀ କରିବା ଉତ୍ତାରୁ ଯଶୋଧାରାଙ୍କ ହାତରୁ ବରଣମାଳା ଗ୍ରହଣ କରି ତାଙ୍କୁ ରାଜପ୍ରାସାଦକୁ ଆଣିଲେ । ଜୀବନର ଏହି ମଧୁର ଆକସ୍ମିକତାକୁ ଯୁବରାଣୀ ଯଶୋଧାରା ବିଧିନିର୍ଦ୍ଦିଷ୍ଟ ଭବିତବ୍ୟ ରୂପେ ଗ୍ରହଣ କରି ଆନନ୍ଦରେ ଅଧୀର ହୋଇ ଉଠିଥିଲେ ।

 

ସେଇ ଯଶୋଧାରା । କପିଳବାସ୍ତୁ ରାଜପ୍ରାସାଦରେ, ସ୍ୱର୍ଣ୍ଣ ପଞ୍ଜୁରିରେ ବନ୍ଦିନୀ ପକ୍ଷିଣୀ ପରି ଲୁହ ଓ ଦୀର୍ଘଶ୍ୱାସର ଅବଲମ୍ବନରେ ବର୍ଷ ବର୍ଷ ଧରି ବଞ୍ଚି ରହିଛି । କେତେ ଉତ୍ତପ୍ତ ମଧ୍ୟାହ୍ନ, କେତେ ଶୀତଳ ସଞ୍ଜ, କେତେ ଝଡ଼ ବିକ୍ଷୁବ୍ଧ ରାତି ଓ କେତେ ସ୍ୱପ୍ନମଖା ଗୋଧୂଳି ପ୍ରିୟତମ ପୁରୁଷଟିର ପ୍ରତୀକ୍ଷାରେ ନ ବିତିଛି ! ଝଡ଼ ଆସି ଫେରିଯାଇଛି, ମଳୟ ନେଇଛି ମେଲାଣି, ବର୍ଷା ଓ ବସନ୍ତ ମାଗିଛନ୍ତି ବିଦାୟ । ଏକାକୀ ପଡ଼ି ରହିଛନ୍ତି ଯଶୋଧାରା । ବାରମ୍ବାର ନିଜର ଭାଗ୍ୟକୁ ଅଭିଶାପ ଦେଇ ପଣତକାନିରେ ଲୁହ ପୋଛିବାବେଳେ ଅନୁପସ୍ଥିତ ସିଦ୍ଧାର୍ଥକୁ ପ୍ରଶ୍ନ କରିଥିବେ, ‘‘ସାରା ଜଗତର ଯେଉଁ ଲକ୍ଷ ଲକ୍ଷ ପ୍ରାଣୀଙ୍କ ଉଦ୍ଧାର ପାଇଁ ତୁମେ ତପସ୍ୟା କରୁଛ, ତା ଭିତରେ କଣ ଦୁଃଖିନୀ ଯଶୋଧାରାର ନାଁ ସୁଦ୍ଧା ନାହିଁ !’’

 

ମାତ୍ର ଅନୁତ୍ତରିତ ସେହି ପ୍ରଶ୍ନ କାନ୍ଥ ଓ ପ୍ରାଚୀର ଦେହରେ ଆଘାତ ପାଇ ଫେରିଆସିଥିବ । ମନ ଭିତରୁ କିଏ ଯେମିତି ବାରମ୍ବାର କହି ଉଠିଥିବ–ନାହିଁ, ନାହିଁ, ନାହିଁ ।

 

ଶୁଦ୍ଧୋଦନ ଜାଣନ୍ତି, ଯୁବରାଣୀ ଯଶୋଧାରା କୌଣସି ଦିନ ଗୌତମଙ୍କ ନିଷ୍ଠୁରତାକୁ କ୍ଷମା କରିପାରିବେ ନାହିଁ । ଗୌତମ ଯେ ଦିନେ ଏତେ ନିଷ୍ଠୁର ହୋଇପଡ଼ିବେ ସେକଥା ତ ସେ ପିତା ହୋଇ ନିଜେ ସ୍ୱପ୍ନରେ ଭାବି ନ ଥିଲେ !

 

ନିଷ୍ଠୁରତାର ବହୁ ଉଦାହରଣ ଆଜି ରହି ରହି ମନେ ପଡ଼ୁଥିଲା । ମାତ୍ର ଶୁଦ୍ଧୋଦନ ସେସବୁକୁ ମନେ ପକେଇବାକୁ ଚାହୁଁ ନ ଥିଲେ ।

 

ଆଜି ବି ସେ ଦୃଶ୍ୟଟି ମନେଅଛି ।

 

ସଦ୍ୟଜାତ ସନ୍ତାନକୁ କୋଳରେ ଧରି ଯଶୋଧାରା ଅପେକ୍ଷା କରିଛନ୍ତି । ପ୍ରାଣପ୍ରିୟ ରାଜପୁତ୍ର ଆସି ଦେଖିଯିବେ ତାଙ୍କର ପ୍ରିୟ ସନ୍ତାନକୁ । ତାଙ୍କ ପାଖରେ ଆସି ଛିଡ଼ାହେବେ । ସ୍ୱାମୀଙ୍କର ସାନ୍ନିଧ୍ୟରେ ଗର୍ଭଯନ୍ତ୍ରଣାକୁ ଭୁଲିଯିବେ ଯଶୋଧାରା । କିନ୍ତୁ କାହାନ୍ତି ସିଦ୍ଧାର୍ଥ !

 

କାହାନ୍ତି ପିତା ସିଦ୍ଧାର୍ଥ ?

କାହାନ୍ତି ପତି ସିଦ୍ଧାର୍ଥ !

ଅନେକ ସମୟ ଅପେକ୍ଷା କରି କରି ଅବଶେଷରେ ଯଶୋଧାରା ଶିଶୁପତ୍ର ରାହୁଳକୁ କୋଳରେ ଧରି ଶୋଇ ପଡ଼ିଥିଲେ । ଅପେକ୍ଷାର ଉତ୍କଣ୍ଠା ଲୁହ ହୋଇ ଦୁଇ ଆଖି କୋଣରୁ ନିଗିଡ଼ି ଯାଇଥିଲା । ସକାଳକୁ ନବଜାତ ଶିଶୁର କୁଆଁ କୁଆଁ ଶବ୍ଦ ସହ ପ୍ରଭାତ ଆସିଥିଲା ଜୀବନର ଦୁଃଖତମ ସମ୍ବାଦଟି ନେଇ–ରାଜପୁତ୍ର ଗୌତମ ସନ୍ନ୍ୟାସ ଗ୍ରହଣ କରି ଚାଲି ଯାଇଛନ୍ତି । ଗତ ରାତିରେ ହିଁ ରାଜ୍ୟସୀମା ପାରହୋଇ ନିରୁଦ୍ଦେଶ୍ୟ ହୋଇଯାଇଛନ୍ତି ସେ । ସେତକ ସମ୍ବାଦ ଘେନି ଫେରିଆସିଛି ତାଙ୍କର ପ୍ରିୟ ଅଶ୍ୱ କଣ୍ଠକ ।

ଚରମ ଲାଞ୍ଛନା, ଅପମାନ ଓ ଅବହେଳାରେ ଯୁବରାଣୀ ଯଶୋଧାରାଙ୍କର କୋମଳ ମୁହଁ ପୋଡ଼ି କଳାକାଠ ପାଲଟି ଯାଇଥିଲା । ଏଇ ତାହାହେଲେ ସମ୍ପର୍କ ! ଏତେ ଟିକିଏ ସୂଚନା ପାଇଁ ମଧ୍ୟ ଭାଜନ ନୁହନ୍ତି ପରିଣିତା ପତ୍ନୀ, ନିର୍ଭରଶୀଳ ପିତା ଓ ସ୍ନେହମୟୀ ଜନନୀ । ଏଇ କଣ ଦିବ୍ୟପୁରୁଷମାନଙ୍କର ଧର୍ମ !

ସେହିଦିନ ସେ ଚରମ ବିତୃଷ୍ଣାରେ ଦରଜା ଆଉଜେଇ ନେଇଥିଲେ । ତାପରଠୁ ତାଙ୍କ ଜୀବନକୁ ଆଉ ସ୍ୱାଭାବିକତା ଫେରିନାହିଁ । ବିଳାସବ୍ୟସନ, ଆଭୂଷଣ, ଖାଦ୍ୟପେୟ ସବୁଠୁ ଆଗ୍ରହ ମରିଯାଇଛି । ଗୋଟେ ଜିଅନ୍ତା ଶବ ପରି ଘୋଷାରି ଘୋଷାରି ବିତିଚାଲିଛି ତାଙ୍କର ଜୀବନ ।

ଯଶୋଧାରାଙ୍କର ଦୁର୍ଦ୍ଦଶା ଦେଖିଲେ ମହାମାୟାଙ୍କର ସ୍ୱପ୍ନ କଥା ମନେପଡ଼େ । ମନେ ମନେ ରାଜା ଶୁଦ୍ଧୋଦନ କହି ଉଠନ୍ତି, ‘‘ତୁମେ ଠିକ୍‌ କହିଥିଲ ମହାରାଣୀ । ହାତୀ କେବେ ଘରେ ରହେ ନାହିଁ । ଯେତେ ସ୍ନେହ ଆଦର ଦେଇ ପାଳିଲେ ବି ସେ ବନସ୍ତକୁ ଚାଲିଯାଏ ।’’

ରାଜପ୍ରାସାଦର ନିଃସଙ୍ଗ ଜୀବନ ଭିତରେ ପଡ଼ିରହି ଶୁଦ୍ଧୋଦନ ଶୁଣନ୍ତି ସିଦ୍ଧାର୍ଥ ଗୌତମଙ୍କର ସଫଳତାର କାହାଣୀ । ସେସବୁ ସମାଦ ତୁଣ୍ଡରୁ ତୁଣ୍ଡ ହୋଇ କପିଳବାସ୍ତୁରେ ଆସି ପହଞ୍ଚେ ! ଶୁଦ୍ଧୋଦନ ଶୁଣନ୍ତି ଗୌତମଙ୍କର କୃଚ୍ଛ୍ର ସାଧନାର ବିବରଣୀ । ବୋଧିଗୟାର ପିପ୍ପଳ ବୃକ୍ଷତଳେ ସେ ଜ୍ଞାନପ୍ରାପ୍ତ ହୋଇଛନ୍ତି । ସେହି ଜ୍ଞାନ ସେ ବିତରଣ କରୁଛନ୍ତି ଶହ ଶହ ଶିଷ୍ୟ ମହଲରେ । ମଗଧର ରାଜା ବିମ୍ବିସାର ବୁଦ୍ଧଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି । ପ୍ରତ୍ୟହ ଶହ ଶହ ଶିଷ୍ୟ ଉପାୟାସରୁ ମୁକ୍ତ ଲୋଡ଼ି ଉପଶମାନୁସ୍ମୃତିରେ ଲୀନ ହେଉଛନ୍ତି । ମହା ସମୁଦ୍ରର ଉତ୍ତାଳ ଲହରି ପରି ଗୌତମବୁଦ୍ଧଙ୍କ ଲୋକପ୍ରିୟତା ରାଜ୍ୟ ପରେ ରାଜ୍ୟ ଅତିକ୍ରମ କରି ଚାଲିଛି । ରାଜା, ଶ୍ରେଷ୍ଠୀ, ସାମନ୍ତ ଓ ଅମାତ୍ୟବର୍ଗ ବୁଦ୍ଧଦେବଙ୍କ ସହାର ଓ ସାନ୍ନିଧ୍ୟ ଲାଭ ନିମନ୍ତେ କ୍ଷୁଧା ତୃଷ୍ଣା ଭୁଲି ଦିନ ଦିନ ଅପେକ୍ଷାରେ ରହୁଛନ୍ତି । ଶାସ୍ତ୍ରର ପରମଶେଷ୍ଠୀ ଅନାଥ ପିଣ୍ଡିକ ବନ୍ଧଦେବଙ୍କ ପାଇଁ ନିର୍ମାଣ କରିଛନ୍ତି ବିସ୍ତୀର୍ଣ୍ଣ ବିହାର । ବୈଶାଳୀର ରାଜନର୍ତ୍ତକୀ ଅମ୍ରାପଲ୍ଲୀ ସୁଦ୍ଧା ଅକାତରେ ତାଙ୍କର କୋଷାଗାରର ଦ୍ୱାର ଖୋଲି ଦେଇଛନ୍ତି ।

ଉରୁବେଲାର ସାଧନା ସିଦ୍ଧାର୍ଥ ଗୌତମଙ୍କୁ ସିଦ୍ଧ ପୁରୁଷର ଆସନରେ ଅଭିଷିକ୍ତ କରିଛି-। ସେ ଆଉ ସାଧାରଣ ସନ୍ନ୍ୟାସୀ ନୁହନ୍ତି । ସେ ପରମ କାରୁଣିକ ତଥାଗତ ବୁଦ୍ଧ ।

ଦୂତ ଆସି ସମ୍ବାଦ ଦେଲା, ‘‘ତଥାଗତ ବୁଦ୍ଧ ଓ ତାଙ୍କର ଶିଷ୍ୟମାନେ କପିଳବାସ୍ତୁରେ ଆସି ପ୍ରବେଶ କରି ସାରିଲେଣି ।’’

ସ୍ୱପ୍ନ ଉତ୍‌ଥିତ ଶୁଦ୍ଧୋଦନ ବସିବା ସ୍ଥାନରୁ ଉଠିପଡ଼ିଲେ । ଦ୍ୱାରଦେଶ ଆଡ଼େ ଦୃଷ୍ଟି ନିକ୍ଷେପ କରି ପଚାରିଲେ, ‘‘କିନ୍ତୁ କାହାନ୍ତି ସେମାନେ ?’’

 

ଦୂତ ଉତ୍ତର ଦେଲା, ‘‘ସେମାନେ ଘର ଘର ବୁଲି ଭିକ୍ଷା ସଂଗ୍ରହ କରୁଛନ୍ତି । ଭିକ୍ଷା ସଂଗ୍ରହ ଉପରାନ୍ତ ସେ ରାଜପ୍ରାସାଦରେ ଉପସ୍ଥିତ ହେବେ ।’’

 

: ଭିକ୍ଷା ! –ଶୁଦ୍ଧୋଦନ ବିବ୍ରତ ହୋଇ ପଡ଼ିଲେ । ତାପରେ ସେ ପ୍ରଶ୍ନ ପଚାରିବା ଭଙ୍ଗୀରେ କହିଲେ, ଭିକ୍ଷାର ପୁଣି କି ପ୍ରୟୋଜନ ? ସେମାନଙ୍କ ଆହାର ନିମନ୍ତେ ରାଜପ୍ରାସାଦରେ ବ୍ୟବସ୍ଥା ହୋଇଥିବା କଥା କଣ ସେମାନେ ଜାଣନ୍ତି ନାହିଁ ?

 

: ଜାଣନ୍ତି ମହାରାଜ । ମାତ୍ର ସଂଘର ନିୟମାନୁସାରେ ଭିନ୍ନ ଭିନ୍ନ ଗୃହରୁ ଭିକ୍ଷା ସଂଗ୍ରହ ଭିକ୍ଷୁମାନଙ୍କର କର୍ତ୍ତବ୍ୟ ।

 

ଶୁଦ୍ଧୋଦନ ଆଉ କିଛି କହିଲେ ନାହିଁ ।

 

ସିଦ୍ଧାର୍ଥଙ୍କୁ ପାଛୋଟି ଆଣିବା ପାଇଁ ସେ ପ୍ରାସାଦର ବହିର୍ଭାଗ ପର୍ଯ୍ୟନ୍ତ ବାହାରି ଆସିଲେ-

 

ମାତ୍ର ପ୍ରାସାଦର ସମ୍ମୁଖରେ ଲଣ୍ଡିତ ମସ୍ତକ, ଗୈରିକ ବସନ କିଶୋର ଜଣକ କିଏ ? ଏଇ କଣ ତାଙ୍କର ପ୍ରିୟ ସନ୍ତାନ ସିଦ୍ଧାର୍ଥ ! ସେହି ଠାଣି, ସେଇ ଭଙ୍ଗୀ–ଗୌତମ କଣ ସେହିଦିନୁ ବୟସରେ ଆଉ ଦିନଟିଏ ବି ବଢ଼ିନାହିଁ ! ସେ ଆଉ କିଛି ଭାବିବା ପୂର୍ବରୁ କିଶୋର ସନ୍ନ୍ୟାସୀ ଜଣକ ତାଙ୍କର ପାଦସ୍ପର୍ଶ କରି ଛିଡ଼ାହେଲା । ମୁଣ୍ଡ ନୁଆଁଇ ଆଶୀର୍ବାଦ ଭିକ୍ଷା କଲା, ‘‘ମୋତେ ଆପଣ କଲ୍ୟାଣ କରନ୍ତୁ ପିତାମହ । ବୁଦ୍ଧଙ୍କର ଶରଣ ଲୋଡ଼ିଛି ।’’

 

: କିଏ, ରାହୁଳ ! ଚମକିପଡ଼ିଲେ ଶୁଦ୍ଧୋଦନ । ଅସାବଧାନ ହାତରୁ ବହୁମୂଲ୍ୟ ବସ୍ତୁଟିଏ ତଳେ ପଡ଼ି ଯେମିତି ଭାଙ୍ଗିରୁଜି ଗଲା । ଶେଷକୁ ରାହୁଳ ମଧ୍ୟ ସନ୍ନ୍ୟାସୀ ହୋଇଗଲା । ଅବଲମ୍ବନ ଟିକକ ସୁଦ୍ଧା ହାତରୁ ଖସିଗଲା !

 

ସେ ଚିତ୍କାର କଲେ, ‘‘ଅସମ୍ଭବ ରାହୁଳ । ଅସମ୍ଭବ । ଏଥିପାଇଁ ମୁଁ କଦାପି ଅନୁମତି ଦେବି ନାହିଁ ।’’

 

: ମାତ୍ର ମାତାମହୀ ଗୌତମୀଙ୍କୁ ତ ଆପଣ ଅନୁମତି ଦେବେ ପିତାମହ ।

 

ଦ୍ୱିତୀୟ ଥର ପାଇଁ ଆଶ୍ଚର୍ଯ୍ୟ ହେଲେ ଶୁଦ୍ଧୋଦନ । ତାଙ୍କର ପଶ୍ଚାତ୍‌ ଭାଗରେ ଏପରି ଏକ ଷଡ୍‌ଯନ୍ତ୍ରର କଥା ସେ ଆଦୌ କଳ୍ପନା ସୁଦ୍ଧା କରିପାରି ନ ଥିଲେ । ଆଜିପରି ଦିନରେ ଏଭଳି ଦୁଃସମ୍ବାଦମାନ ଶୁଣିବା ପାଇଁ ଥିଲା ! ସେ ଆଖିବନ୍ଦ କରି ବସିପଡ଼ିଲେ ଓ ଚିତ୍କାର କରି ଉଠିଲେ ତୁମେ ଯାଅ ରାହୁଳ, ତୁମ ସହ ଯୁକ୍ତି କରିବା ପାଇଁ ଆଜି ମୋର ସମୟ ନାହିଁ ।

 

।। ଦୁଇ ।।

 

ପୁଷ୍ପବାଟିକାରେ ବିଶ୍ରାମରତ ଗୌତମ ବୁଦ୍ଧଙ୍କୁ ରାଜା ଶୁଦ୍ଧୋଦନ ପଚାରୁଥଲେ, ‘‘ସଙ୍କଳ୍ପ ଯଦି ଏତେ ଦୃଢ଼ ଓ ଅଙ୍ଗୀକାର ଏତେ କଠୋର, ତାହାହେଲେ ପ୍ରଭାତର ସୂର୍ଯ୍ୟାଲୋକ ପର୍ଯ୍ୟନ୍ତ ଅପେକ୍ଷା ନ କରି ରାତି ଅନ୍ଧାରରେ କାହିଁକି ସିଦ୍ଧାର୍ଥ ପଳାୟନ କରିଥିଲେ ?’’

 

ଭୂଇଁ ଉପରୁ ଦୃଷ୍ଟି ଉଠେଇ ଗୌତମ ବୁଦ୍ଧ ସମ୍ମୁଖକୁ ଚାହିଁଲେ । ମାରର ପ୍ରଶ୍ନ ପରି ଶୁଭୁଥିବା ରାଜାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ, ‘‘ଲକ୍ଷ୍ୟ ହିଁ ମାଧ୍ୟମ ଓ ମୁହୂର୍ତ୍ତ ସ୍ଥିର କରିଥାଏ ମହାରାଜ । ସେଠାରେ ପ୍ରଭାତ ଓ ପ୍ରଦୋଷ ସବୁ ଆପେକ୍ଷିକ ।’’

 

ଶୁଦ୍ଧୋଦନ ପଚାରିଲେ, ‘‘ସମ୍ପର୍କ ବି କଣ ଆପେକ୍ଷିକ ତଥାଗତ !’’

 

: ହଁ ! ଅବିଚଳିତ ଭାବେ ତଥାଗତ ଉତ୍ତର ଦେଲେ । ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ହିଁ ମଣିଷର ଅଭୀଷ୍ଟ ହେବା ବା‚ନୀୟ । ଜରା, ଯନ୍ତ୍ରଣା ଓ ମୃତ୍ୟୁ ଉପରେ ବିଜୟ କେବଳ ନିର୍ବାଣ ଲାଭ ଦ୍ୱାରା ହିଁ ସମ୍ଭବ ।

 

: ମାତା, ପିତା, ପତ୍ନୀ, ପୁତ୍ର–ଏସବୁ ସମ୍ପର୍କ କଣ ମିଥ୍ୟା, ଅଳୀକ ? ଶୁଦ୍ଧୋଦନଙ୍କ ସ୍ୱରରେ ଆବେଗର ବହଳ ଆସ୍ତରଣ ।

 

ଗୌତମବୁଦ୍ଧ ନିରୁତ୍ତର ରହିଲେ ।

 

କିୟତ୍‌କ୍ଷଣ ଅତିକ୍ରାନ୍ତ ଉତ୍ତାରେ ସେ କହିଲେ, ‘‘ଆମମାନଙ୍କୁ ସନ୍ଧ୍ୟା ପୂର୍ବରୁ କପିଳବାସ୍ତୁ ଛାଡ଼ିବାକୁ ହେବ । ଯିବା ପୂର୍ବରୁ ମୁଁ ଯୁବରାଣୀ ଯଶୋଧାରାଙ୍କ ସଂଶୟ ମୋଚନ ନିମିତ୍ତ ତାଙ୍କର ସାକ୍ଷାତ ଲୋଡ଼ୁଛି ।’’

 

ଶୁଦ୍ଧୋଦନଙ୍କ ଅଧରକୋଣରେ, କ୍ଷୀଣ ହସରେଖାଟିଏ ଉକୁଟି ପୁଣି ହଜିଗଲା । ସେ କହିଲେ, ‘‘ଯଶୋଧାରା କିନ୍ତୁ ତଥାଗତଙ୍କ ସାନ୍ନିଧ୍ୟକୁ ଆସିବା ପାଇଁ ଅନିଚ୍ଛୁକ । ପରମ କାରୁଣିକ ତଥାଗତ ଯୁବରାଣୀଙ୍କୁ ତାଙ୍କର ସାକ୍ଷାତର ଯୋଗ୍ୟ ବିବେଚନା କରୁଥାଆନ୍ତି, ତାହାହେଲେ ରାଜପ୍ରାସାଦର ଦ୍ୱାର ତାଙ୍କ ନିମନ୍ତେ ସର୍ବଦା ଉନ୍ମୁକ୍ତ ରହିଛି ।’’

 

ବୁଦ୍ଧଦେବ ଚିନ୍ତିତ ଦିଶିଲେ । କପିଳବାସ୍ତୁର ରାଜପ୍ରାସାଦ ହିଁ ତାଙ୍କ ଜୀବନର ଅଗ୍ନିପରୀକ୍ଷା, ସାଧନାର ଦ୍ୱିତୀୟ ତୀର୍ଥ । ଏହାର ମାୟା, ମୋହ, ମମତା, ଆସକ୍ତି ଓ ସମ୍ପର୍କ ଉପରେ ବିଜୟ ଭିନ୍ନ ସାଧନା ତାଙ୍କର ଅପୂର୍ଣ୍ଣ ରହିଯିବ ।

 

ସେ ବସିବା ସ୍ଥାନରୁ ଉଠିପଡ଼ିଲେ । ଯଶୋଧାରାଙ୍କୁ ସାକ୍ଷାତ କରି ତାଙ୍କଠାରୁ ସେ ଭିକ୍ଷା ଗ୍ରହଣ କରିବେ । ତତ୍‌ଭିନ୍ନ ତାଙ୍କର ଯାତ୍ରା ଅପୂର୍ଣ୍ଣ ରହିଯିବ ।

 

କିନ୍ତୁ ମନ ଭିତରେ ଏ ଅସ୍ଥିରତା କାହିଁକି ? ହୃଦୟରେ ଏ ପ୍ରକାର ଆଲୋଡ଼ନ କାହିଁକି-? ସେ ଅସହାୟ ଭାବରେ ତାଙ୍କର ବାମ ଓ ଦକ୍ଷିଣ ପାର୍ଶକୁ ଚାହିଁଲେ । ମାଆର ଇସାରା ଶିଶୁ ବୁଝିବା ପରି ଶିଷ୍ୟ ସାରୀପୁତ୍ତ ଓ ଆନନ୍ଦ ସହସା ଉଠିପଡ଼ି କହିଲେ, ‘‘ଆମେ ମଧ୍ୟ ଆପଣଙ୍କ ସାଥିରେ ଆସିବୁ ତଥାଗତ ।’’

 

ବୁଦ୍ଧଦେବ ପ୍ରସନ୍ନ ଦିଶିଲେ । ଯୁବରାଣୀ ଯଶୋଧାରାଙ୍କ ସାକ୍ଷାତ ପାଇଁ ଏକାନ୍ତରେ ଯିବା ଅବା ତାଙ୍କ ପକ୍ଷେ ଥିଲା ସବୁଠୁ ଦୁରୂହ କର୍ମ ।

 

ପରିଚିତ ପ୍ରାସାଦର ଅଳିନ୍ଦ ନିଳୟ ଡେଇଁ ବୁଦ୍ଧଦେବ ପ୍ରବେଶ କରୁଥିଲେ । ପାବଚ୍ଛ ପରେ ପାବଚ୍ଛ, ସୋପାନ ପରେ ସୋପାନ ଅତିକ୍ରମ କରୁଥିଲେ ଧୀର ଅଥଚ ଦୃପ୍ତ ପାଦରେ । ଚାରିପଟେ ଆତ୍ମୀୟତାର ଅପୂର୍ବ ସମାବେଶ । କୋଉଠି କିଛି ବଦଳି ନାହିଁ । ଯାହା ଯେଉଁଠି ଓ ଯେମିତି ଥିଲା, ଠିକ୍‌ ସେମିତି ସେଇଠି ରହିଛି ।

 

ତାଙ୍କୁ ଅନୁଧାବନ କଲେ ପ୍ରିୟ ଶିଷ୍ୟ ସାରୀପୁତ୍ତ ଓ ଆନନ୍ଦ ।

 

ତାଙ୍କ ପଛକୁ ରାଜା ଶୁଦ୍ଧୋଦନ, ରାଣୀ ଗୌତମୀ ଓ ରାଜପୁତ୍ର ରାହୁଳ ।

 

ସମ୍ମୁଖରେ ଯୁବରାଣୀଙ୍କ କୋଠରି । ରୁଦ୍ଧ ଦ୍ୱାରଦେଶରେ କରାଘାତ କଲେ ତଥାଗତ ।

 

ଯୁବରାଣୀଙ୍କ ସାକ୍ଷାତ ପାଇଁ ସେ ଅନୁମତି ଲୋଡ଼ୁଛନ୍ତି ।

 

ମାତ୍ର ଦ୍ୱାର ଖୋଲୁନାହିଁ, ଉତ୍ତେଜନା ଓ ଉଦ୍‌ବେଗର ମୁହୂର୍ତ୍ତ ଗଡ଼ି ଗଡ଼ି ଚାଲିଛି ।

 

ରାଣୀ ଗୌତମୀ ଆଗେଇଆସି ଆଉଜା ଦରଜାରେ କ୍ରମାଗତ କରାଘାତ କରି ଡାକିଲେ–ଦ୍ୱାର ଖୋଲ ଯୁବରାଣୀ । ଦ୍ୱାର ଖୋଲ ।

 

ଦିଗ୍‌ବଳୟର ସେପାରିରୁ, ବଣ, ଜଙ୍ଗଲ, ନଦୀ, ଝରଣା ଡେଇଁ କ୍ଷୀଣ ପ୍ରତିଧ୍ୱନିଟେ ଭାସି ଆସିବା ପରି ଯୁବରାଣୀଙ୍କ ସ୍ୱର ଭାସି ଆସିଲା–ଗୋଟିଏ ସର୍ତ୍ତରେ କିନ୍ତୁ ମୁଁ ଦ୍ୱାର ଖୋଲିବି ମହାରାଣୀ । ଯଦି ତଥାଗତ ବୁଦ୍ଧ ସେ ସର୍ତ୍ତରକ୍ଷାର ପ୍ରତିଶ୍ରୁତି ଦେବେ, ତାହାହେଲେ ମୁଁ ତାଙ୍କୁ ସାକ୍ଷାତ କରିବି ।

 

ସୃଷ୍ଟ ଓ ଅକପଟ ଭାବରେ ଗୌତମ ଉତ୍ତର ଦେଲେ, ‘‘ପ୍ରତିଶୁତି ନୁହେଁ ସଙ୍କଳ୍ପ କରୁଛି । ଆପଣଙ୍କର ସର୍ତ୍ତ ମୁଁ ଅବଶ୍ୟ ରକ୍ଷା କରିବି ।’’

 

ତତ୍‌କ୍ଷଣାତ୍‌ ଦ୍ୱାର ଖୋଲିଗଲା । ଘନ ମେଘ ମେଖଳାରୁ ପୂର୍ଣ୍ଣିମାର ଜହ୍ନ ଉଙ୍କି ମାରିବା ପରି ଯୁବରାଣୀ ଯଶୋଧାରା ଗୃହ ମଧ୍ୟରୁ ବାହାରକୁ ବାହାରି ଆସିଲେ ।

 

ଗୌତମ ଚାହିଁ ରହିଥିଲେ । ଆଲୁଳାୟିତ କେଶା, ବିଷର୍ଣ୍ଣବଦନା, ଜୀର୍ଣ୍ଣାଶୀର୍ଣ୍ଣା ଏଇ ନାରୀ ଯୁବରାଣୀ ନା ଯୁବରାଣୀଙ୍କର କଙ୍କାଳ !

 

କିନ୍ତୁ ଆବେଗ ଓ ଭାବପ୍ରବଣତାର ଜଳଧାର ଡେଇଁ ସେ ପଚାରିଲେ, ‘‘ଆପଣଙ୍କ ସର୍ତ୍ତ କଣ କହିଲେ ନାହିଁ ଯେ, ଯୁବରାଣୀ !’’

 

ଯଶୋଧାରା ମୁଣ୍ଡଟେକି ଚାହିଁଲେ । ଲଣ୍ଡିତ ମସ୍ତକ, ଗୈରିକ ବସନ, ଉଜ୍ଜ୍ୱଳ ଚକ୍ଷୁ, ସ୍ଫୁରିତ ଅଧର । ଏଇ ତାଙ୍କର ପ୍ରିୟ ରାଜପୁତ୍ର ! ଆଜି ମଧ୍ୟ ଚାହିଁଦେଲେ ଶିଶୁ ପରି କୋଳେଇ ନେବାକୁ ମନ ଲୋଡ଼େ । ଏଇ ତାଙ୍କର ସାଧନାର ସିଦ୍ଧି, ଇହକାଳ, ପରକାଳ, ଜୀବନ ଓ ନିର୍ବାଣ !

 

ଯଶୋଧାରା ବିକଳରେ ତାଙ୍କ ମନ ଭିତରୁ କ୍ରୋଧ, ଅଭିମାନ ଓ ଅଭିଯୋଗମାନ ଖୋଜି ହେଉଥିଲେ । କିନ୍ତୁ କୁଆଡ଼େ ଗଲେ ସେମାନେ ! ତଥାଗତଙ୍କର ଉପସ୍ଥିତିର ସମ୍ବାଦ ପାଇ କଣ ସେମାନେ ଦୂରକୁ ଚାଲିଗଲେଣି !

 

ସେ ଅବିଚଳିତ କଣ୍ଠରେ ପ୍ରଶ୍ନ କଲେ, ‘‘ନିରଂଜନା ତଟରେ ଜ୍ଞାନପ୍ରାପ୍ତିର ସେଇ ବିରଳ ମୁହୂର୍ତ୍ତରେ କଣ ତଥାଗତଙ୍କ ସ୍ମୃତିରେ ବୃଦ୍ଧ ପିତାମାତା, ଅସହାୟ ଶିଶୁପୁତ୍ର ଓ ପତ୍ନୀର କଥା କେବେ ଆସି ନାହିଁ ?’’

 

ବୁଦ୍ଧଦେବ ନିରୁତ୍ତର ରହିଲେ ।

 

: କିନ୍ତୁ ଏମାନେ ତ କୌଣସି ଦିନ ଗୌତମଙ୍କୁ ଭୁଲିପାରି ନାହାନ୍ତି । ତାହାହେଲେ ପିତାମାତା, ପତ୍ନୀ ଓ ପୁତ୍ର ପ୍ରତି ପୁତ୍ର, ସ୍ୱାମୀ ଓ ଭର୍ତ୍ତାର ଦାୟିତ୍ୱକୁ କଣ ଆପଣ ଅସ୍ୱୀକାର କରନ୍ତି ?

 

ବୁଦ୍ଧଦେବ ସ୍ମିତ ହସ ହସି ଉତ୍ତର ଦେଲେ, ‘‘ଏସବୁ କେବଳ ଦୁଃଖ ଓ ଯନ୍ତ୍ରଣାର ଏକ ଏକ ରୂପ । କାମନା, ବାସନା, ମୋହ ଏବଂ ମାୟାର ଊଦ୍ଧ୍ୱର୍କୁ ଉଠିବା ପାଇଁ ହେଉଛି ଜୀବନର ଲକ୍ଷ୍ୟ ।’’

 

: କିନ୍ତୁ ନିର୍ବାଣ କାମନା କଣ ସ୍ୱୟଂ ଏକ କାମନା ନୁହେଁ ?

 

ବୁଦ୍ଧଦେବ ନିରୁତ୍ତର ରହିଲେ । ଯଶୋଧାରାଙ୍କୁ ଆହତ କରି ସେ ତାଙ୍କର ଯନ୍ତ୍ରଣାକୁ ବଢ଼େଇବା ପାଇଁ ଚାହୁଁ ନ ଥିଲେ ।

 

: ଉତ୍ତର ଦିଅନ୍ତୁ ତଥାଗତ ! ଜନ୍ମ ସହିତ ମଣିଷ କଣ ପିତୃଋଣ ଓ ମାତ୍ରୠଣ ସାଙ୍ଗରେ ଧରି ଆସି ନ ଥାଏ ?

 

: ଆସିଥାଏ ।

 

: ସେ ଋଣ ପରିଶୋଧ କଣ ତାର କର୍ତ୍ତବ୍ୟ ନୁହେଁ ?

 

: ଅବଶ୍ୟ ଯୁବରାଣୀ ।

 

: ତାହାହେଲେ ପିତାମାତାଙ୍କ ବିନାନୁମତିରେ ସନ୍ନ୍ୟାସ ଗ୍ରହଣ ପାଇଁ ଆସୁଥିବା ଶିଷ୍ୟମାନଙ୍କୁ ଆପଣ କାହିଁକି ଆଶ୍ରୟ ଦିଅନ୍ତି ? ଲକ୍ଷ ଲକ୍ଷ ନିରାଶ୍ରୟ ପ୍ରାଣକୁ ହନ୍ତସନ୍ତ ନ କରି ଆପଣଙ୍କର ସାଧନା କଣ ସଫଳ ହୁଏନାହିଁ ?

 

ବୁଦ୍ଧଦେବ ନିରୁତ୍ତର । ଚାରିପଟେ ଅଖଣ୍ଡ ନିର୍ଜନତା ।

 

ଯଶୋଧାରା ଆବେଗ କମ୍ପିତ ସ୍ୱରରେ କହୁଥିଲେ, ‘‘ଜଣେ ଶୁଦ୍ଧୋଦନକୁ ଆପଣ ଭୁଲିଯାଆନ୍ତୁ, ଜଣେ ଯଶୋଧାରା ଓ ଜଣେ ଗୌତମୀଙ୍କୁ ମଧ୍ୟ ଭୁଲିଯାଆନ୍ତୁ, ଦୁଃଖ ନାହିଁ । କିନ୍ତୁ ସଂକଳ୍ପ କରନ୍ତୁ, ପିତାମାତାଙ୍କ ବିନା ଅନୁମୋଦନରେ ଆପଣ ଆଉ ଜଣେ ହେଲେ ଶିଷ୍ୟ ଗ୍ରହଣ କରିବେ ନାହିଁ । ଏହା ଏକ ଜନନୀର ଅନୁରୋଧ ତଥାଗତ, ଆପଣ ସଂକଳ୍ପ କରନ୍ତୁ ।’’

 

ବୁଦ୍ଧଦେବ ଆଗେଇ ଆସିଲେ । ଅଭୟ ମୁଦ୍ରାରେ ହସ୍ତ ଉତ୍ତୋଳନ କରି ଅବିଚଳିତ ସ୍ୱରରେ ସଂକଳ୍ପ କଲେ, ‘‘କପିଳବାସ୍ତୁର ରାଜପ୍ରାସାଦରେ ଠିଆହୋଇ ମୁଁ ସଂକଳ୍ପ କରୁଛି, ଆଜିଠାରୁ କୌଣସି ଜଣେ ଶିଷ୍ୟକୁ ତାର ପିତାମାତାଙ୍କ ବିନାନୁମତିରେ ସଂଘରେ ଗ୍ରହଣ କରିବି ନାହିଁ ।’’

 

ରାଜା ଶୁଦ୍ଧୋଦନ, ରାଣୀ ଗୌତମୀ, ରାଜପୁତ୍ର ରାହୁଳ ଓ ଶିଷ୍ୟମଣ୍ଡଳୀ ସ୍ତବ୍ଧ ହୋଇ ଛିଡ଼ା ହୋଇଛନ୍ତି । ଯୁବରାଣୀ ଯଶୋଧାରା ଧାଇଁଆସି ତଥାଗତଙ୍କ ପାଦତଳେ ଲୋଟିପଡ଼ିଲେ । ବୁଦ୍ଧଙ୍କର ଚରଣଯୁଗଳ ଜାବୁଡ଼ି ଧରି, ଆଖିର ଲୁହରେ ସେ ପାଦ ଦୁଇଟି ଧୋଇ ଦେଉ ଦେଉ କାତର କଣ୍ଠରେ କହୁଥିଲେ, “ତଥାଗତ ପରମ କାରୁଣିକ ପ୍ରଭୋ, ଏ ଅଭାଗିନୀକୁ କ୍ଷମା କରିଦିଅନ୍ତୁ-।’’

 

ତଥାଗତ ବୃନ୍ତଚ୍ୟୁତ ଫୁଲକୁ ତୋଳି ଧରିବା ପରି ଯଶୋଧାରାଙ୍କୁ ଚଟାଣ ଉପରୁ ତୋଳି ଧରିଲେ । ଆଶୀର୍ବାଦର ସଂଜୀବନୀରେ କ୍ଳାନ୍ତ ଶରୀର ଦେହରେ ପ୍ରାଣ ସଞ୍ଚାର କରି ସହାସ୍ୟ ବଦନରେ କହିଲେ, “ତପସ୍ୱୀକୁ ଭିକ୍ଷା ପ୍ରଦାନ କରି ତାର ଆଗମନକୁ ସାର୍ଥକ କରନ୍ତୁ ଦେବୀ, ଏଇ ମୋର କପିଳବାସ୍ତୁର ଯୁବରାଣୀଙ୍କ ନିକଟରେ ନିବେଦନ ।’’

 

ଯଶୋଧାରା ଥରେ ଅବିଚଳିତ ପ୍ରସ୍ତର ପ୍ରତିମା ପରି ଦିଶୁଥିବା ଗୌତମଙ୍କ ଆଡ଼େ ଓ ଆଉ ଥରେ ସମବେତ ସମ୍ପର୍କୀୟଙ୍କ ଆଡ଼େ ଚାହିଁ ଭିକ୍ଷା ତଣ୍ଡୁଳ ଆଣିବା ନିମନ୍ତେ ତଳକୁ ଓହ୍ଲେଇଗଲେ । ଟିକକ ଆଗରୁ ତାଙ୍କୁ ଘେରି ରହିଥିବା ନିର୍ବେଦ ଅବସନ୍ନତା, ଅସହିଷ୍ଣୁ ସଂଶୟ ଓ ଗ୍ଳାନିର ଲେଶମାତ୍ର ଚିହ୍ନ ଆଉ ନ ଥିଲା । ଜୀବନ୍ମୁକ୍ତ ଚେତନାର ଶିଖା ପରି ସେ ଧୀରେ ଧୀରେ ତଣ୍ଡୁଳପୂର୍ଣ୍ଣ ଥାଳି ଆଣି ବୁଦ୍ଧଦେବଙ୍କ ଭିକ୍ଷାଥାଳରେ ଅଜାଡ଼ି ଦେଉଥିଲେ । ତଣ୍ଡୁଳଦାନା ପରି ତଥାଗତଙ୍କ କରୁଣାର ବିଭୂତି ତାଙ୍କର ପ୍ରତି ଲୋମକୂପରେ ଅବା ସଞ୍ଚରିତ ହୋଇ ଯାଉଥିଲା ।

 

ବାହାରେ ଶିଷ୍ୟମାନଙ୍କ କଣ୍ଠରୁ ଦୃପ୍ତ ସ୍ୱରରେ ନିସୃତ ହେଉଥିଲା–

 

ସଂଘଂ ଶରଣଂ ଗଚ୍ଛାମି

ଧର୍ମଂ ଶରଣଂ ଗଚ୍ଛାମି

ବୁଦ୍ଧଂ ଶରଣଂ ଗଚ୍ଛାମି ।

Image